• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଉପନ୍ୟାସ»ମନ୍ତ୍ରଣା :
ଉପନ୍ୟାସ

ମନ୍ତ୍ରଣା :

ଫକୀର ମୋହନ ସେନାପତିBy ଫକୀର ମୋହନ ସେନାପତିNovember 26, 2018No Comments8 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

 

ହୁକେ-ହୁକେ-ହୋ । ହୁକେ-ହୁକେ-ହୋ । ହୁକେ-ହୋ, ବିଲୁଆ ଡାକିଲେ ଠିକ୍ ଅଧରାତି । ମଫସଲର ଗାଁରେ ଘଡ଼ି ଘଣ୍ଟା ନାହିଁ, ବିଲୁଆ ଡାକ ଶୁଣି ରାତି ଠିକ୍ କଲୁଁ । ଏହି ପ୍ରାଣୀଗୁଡ଼ିକ ଗ୍ରାମର ଭାରି ଉପକାରୀ । କ୍ଷୁଦ୍ର ଗ୍ରାମରେ ମିଉନିସିପାଲିଟି କମିଶନର ନାହାନ୍ତି । ଗ୍ରାମରୁ ମଲା କୁକୁରଟି, ମଲାମୂଷାଟି, ମଲା ବିରାଡ଼ିଟି, ଆଉ ଆଉ ମଇଳା ଦ୍ରବ୍ୟ ଉଠାଇବା କାର୍ଯ୍ୟ ଏମାନଙ୍କ ଜିମା । ଅଧ ରାତି ଗୋବିନ୍ଦପୁର ଗ୍ରାମ ନିସ୍ତବଧ, ଚେଁ ଭେଁ ଶଦ୍ଦଟି ନାହିଁ । ତେଲସାହିରେ ଗୋଟିଏ ଶେଜପିଲା କୁଆଁ କୁଉଁଆଁ କରି କାନ୍ଦୁଥିଲା, ତାହାର ମା ନିଦ ଅଳସରେ ପିଲାକୁ ଥାପୁଡ଼ାଥାପୁଡ଼ି କରି ଭାରି ଭାରି ମୂଲ୍ୟବାନ ଏବଂ ଦୁଷ୍ପ୍ରାପ୍ୟ ଜିନିଷମାନ ଯାଚି ଏବଂ ଚୋର, ଚୌକିଆ, ବାଘ ପ୍ରଭୃତି ଭୟଙ୍କର ପ୍ରାଣୀମାନେ ଆସୁଥିବାର ଭୟ ଦେଖାଇ ଏବଂ ପିଲାଟି ଯେ ଖୁବ୍ ଭଲ, ସେ କାନ୍ଦିବ ନାହିଁ, ତୁନି ହୋଇ ଶୋଇପଡ଼ିବ ଇତ୍ୟାଦି ପ୍ରଶଂସାବାଦ କରି ଶୁଆଇ ପକାଇଲାଣି । ମଙ୍ଗରାଜଙ୍କ କଚେରି ଅଗଣାରେ ଆମ୍ଭମାନଙ୍କ ଗୋବରା ଜେନା ଆଉ ସଉତୁଣିଆ ମୌଜାର ଚୌକିଆ ଦାସ ଜେନା ଦୁଇଜଣ ଚିତାଏ ଲେଖାଏଁ ଲମ୍ବ ବାଉଁଶବାଡ଼ି ଦୁଇ ଖଣ୍ତ ବିଏଁ ବିଏଁ ଲମ୍ବ ଦୁଇଟା ନିଆଁ ବରିଆ ପାଖରେ ପକାଇ ନିଶ୍ଚିନ୍ତଭାବରେ ଶୋଇଛନ୍ତି, ବାହାରର ଲୋକେ ମନରେ କରିବେ, ମଙ୍ଗରାଜଙ୍କ କଚେରିରେ ଦୁଇଟା ଘୁଷୁରି ଚରୁଛନ୍ତି ଅବା । ଆମ୍ଭେମାନେ ସର୍ବଦା ସବୁ ବିଷୟରେ ସାବଧାନ ଥାଉଁ, ସବୁ ବିଷୟ ଅନୁସନ୍ଧାନ କରି ବୁଝୁଁ, ତଥାପି ପ୍ରଥମେ ଆମ୍ଭମାନଙ୍କର ମଧ୍ୟ ଭ୍ରମ ହୋଇଥିଲା, ମାତ୍ର ଭଲକରି କାନ ଡେରି ଶୁଣିବାରୁ ଶୁଣାଗଲା, ଚୌକିଦାର ଦୁଇ ଜଣଙ୍କ ନାକର ଘୁଙ୍ଗୁଡ଼ି ଡାକ ଭ୍ରମ ପ୍ରମାଦର କାରଣ ଅଟେ । କଚେରି ବାହାର ପିଣ୍ତାରେ ତିନିଜଣ ପ୍ରଜା ପଟାପଟ୍ ପଟାପଟ୍ ଚାପୁଡ଼ା ବାଡ଼େଇ ହୋଇ ଗଡୁଥାନ୍ତି । କ୍ଷୁଧା, ଚିନ୍ତା, ମଶା ଏମାନଙ୍କ ସହିତ ନିଦ୍ରାର ସଉତୁଣୀ ସମ୍ବନ୍ଧ ଥିଲାପରି ଜଣାଯାଏ । ପ୍ରଜା ତିନିଜଣ କରଜା ଧାନ ସକାଶେ ଅଟକ ଅଛନ୍ତି । ଦିନ ଯାକ ଦକ୍ଷିଣ ହସ୍ତର କାର୍ଯ୍ୟ ସଙ୍ଗେ ସମ୍ପର୍କ ନାହିଁ, ତାହା ଉପରେ ମଶା, ଏ ଉତ୍ତାରେ ଚିନ୍ତା ଆଉ ନିଦ କଥା କିଆଁ ପଚାର ?

କଚେରି ପ୍ରସ୍ତ ଟପି ଭିତରକୁ ଯିବାର ପ୍ରଥମ ପ୍ରସ୍ତରେ ମଙ୍ଗରାଜଙ୍କ ପହଡ଼ ଘର । ପ୍ରୟୋଜନବେଳେ ଲୋକେ ତାହାକୁ ଗନ୍ତାଘର ମଧ୍ୟ କହନ୍ତି । ଉଆସର ସବୁ ଘରଠାରୁ ଏ ଘରଟି ଶ୍ରେଷ୍ଠ ହେବାର ଉଚିତ, ମଧ୍ୟ ସେ ବିଷୟରେ ତ୍ରୁଟି ହୋଇନାହିଁ । ଘରଟି ଆଟୁ, ପାଞ୍ଚଶେଣିଆ ପୂର୍ବଦୁଆରୀ, ସମ୍ମୁଖରେ ଚୌଡ଼ାପିଣ୍ତା । ଦୁଆରେ ପଣସ କାଠର ଯାଉଁଳି କବାଟ ଲାଗିଛି । କବାଟରେ ଚାରିକୋଣିଆ ଛକ ପଡ଼ି ବତା, ଛକରେ ଛତିବାଲା ଲୁହାମେଖ ବାଡ଼ିଆ । ବାହାରକୁ କଡ଼ା ଆଉ ଶିକୁଳି ଦୁଇଟା ଲାଗିଅଛି । ଦୁଇଟା ବଡ଼ ବଡ଼ ନଳୀ କୋଲପ ପଡ଼େ । ଘର ପଶ୍ଚିମ ପଟ କାନ୍ଥର ପେଟେ ଉଞ୍ଚରେ ଦେଢ଼ ଚାଖଣ୍ତେ ଓସାର ଗୋଟାଏ ଗଜଲଗା ଝରକା ଲାଗିଅଛି । ମଗୁଶିର ମାସ ଗୁରୁବାରକୁ ଘର ଲିପାପୋଛା ହେଲେ କଦାଚିତ୍ ସେ ଝରକା ଫିଟେ । ଘର ଚାରିକଣ ଘିଟିଘିଟିଆ ଅନ୍ଧାର, ତୁମ୍ଭ ଆମ୍ଭ ପକ୍ଷରେ ଦିନହେଳେ ଆଲୁଅ ଲୋଡ଼ା । ଘର କୋଣମାନଙ୍କରେ ଅସରପା ବୋଲେ -ମୁହିଁ, ମୂଷା ବୋଲେ- ମୁହିଁ । ବର୍ଣ୍ଣସାଦୃଶ୍ୟ ହେତୁରୁ ହେଉ ବା ନାମ ସାମଞ୍ଜସ୍ୟ ହେତୁରୁ ହେଉ, ଚମ୍ପା କହେ ଅସରପା ଲକ୍ଷ୍ମୀ, ଘରେ ଅସରପା ଥିଲେ ଅସର୍ପି ଆସେ; ସୁତରାଂ ଅସରପା ବଂଶ କାହାରି ବିନା ବାଧା ବଳତ୍କାରରେ ପୁତ୍ର ପୌତ୍ରାଦି କ୍ରମେ ଘରକୋଣମାନ ଅଧିକାର କରି ରହିଅଛନ୍ତି । ଘରର ଉତ୍ତରପଟ କାନ୍ଥକୁ ଲଗାଇ ଗୋଟାଏ ଲମ୍ବା ବାଉଁଶଘୁଡୁଞ୍ଚି ଉପରେ ତିନିଟା ବଡ଼ ବଡ଼ ପୁରୁଣା ବେତା ଆଡ଼ଖୁର ଥୁଆ । ଘୁଡୁଞ୍ଚି ତଳେ, ଘରକୋଣରେ ଗୁଡ଼ମାଠିଆ ଆମ୍ବୁଲ ହାଣ୍ତି, କରଞ୍ଜତେଲ ଡିବା ପୁଞ୍ଜା ତିନି କି ଚାରି । ଆଉ ମୌଜାମାନଙ୍କରେ ଥିବା ତୋଟାରୁ କରଞ୍ଜସବୁ ବାଡ଼ିଆ ହୋଇ ଆସେ । ତେଲି ବେଠିରେ ପେଡ଼ିଦିଏ, ସେହି ତେଲ ସବୁ ଗନ୍ତାଘରେ ସାଇତା ଥାଏ । ବରଷକ ତେଲକିଣାରୁ ଖଲାସ-ବରଞ୍ଚ ବଳିପଡ଼େ । ଦକ୍ଷିଣପଟ କାନ୍ଥ ପାଖକୁ ଦୁଇଟା ବଡ଼ ବଡ଼ ଆମ୍ବକାଠର ସିନ୍ଦୁକ, ଆଉ ତାକୁ ଲଗାଇ ଗୋଟାଏ ଶାଳକାଠର ସିନ୍ଦୁକ । ଏଟା ଲକ୍ଷ୍ମୀ ସିନ୍ଦୁକ, ପ୍ରତିଦିନ ଚମ୍ପା ସଞ୍ଜ ଦିଏ, ଗୁରୁବାରକୁ ଗୁରୁବାର ସନ୍ଦୁର ଚନ୍ଦନ ଦେଇ ପୂଜା ହୁଏ, ଅରୁଆ ଚାଉଳ ଗୁଡ଼ ଭୋଗ ଲାଗେ । ଓରାରେ ତିନି ଚାରିଟା ଶିକାରେ ଘିଅ ମାଠିଆ ଝୁଲୁଅଛି । ଗୋଠରୁ କାଟଘିଅ ଆସି ସେଥିରେ ଜମାହୁଏ । ସିକା ଆଉ ଓରାମାନଙ୍କରେ କଳା କଳା ପାଲିକି ଥୁପନାପରି ବୁଢ଼ିଆଣୀ ବସା ମେଞ୍ଚା ମେଞ୍ଚା ଝୁଲୁଅଛି । ପଶ୍ଚିମ ପଟ କାନ୍ଥ ପାଖକୁ ଉତ୍ତର ଦକ୍ଷିଣ ହୋଇ ମଙ୍ଗରାଜଙ୍କ ବଡ଼ ତକ୍ତପୋଷ । ଦକ୍ଷିଣ ଦିଗ ମୁଣ୍ତ ପାଖକୁ ଭାରି ଗୋଟାଏ ବଡ଼ ମଣ୍ତି ହେଁସ ଉପରେ ମୋଟା ଦେଶିଆ ଲୁଗାର ଦୋହର ବିଛଣା । ଚାଦରକୁ ଦେଖିଲେ ହଠାତ୍ ବୁଟାଦାର ଛିଟଲୁଗା ବୋଲି ଭ୍ରମ ଜନ୍ମିପାରେ, ମାତ୍ର ଆମ୍ଭେମାନେ ଭଲକରି ଦେଖିଅଛୁ, ରକ୍ତ କୃଷ୍ଣାଭ ଚିହ୍ନ ଗୁଡ଼ିକ ମୃତ ଓଡ଼ଶ ଶରୀରନିସୃତ ଶୁଷ୍କ ଶୋଣିତ ବିନ୍ଦୁ ଅଟେ ।

ଆଜି ଏହି ଅଧରାତି ସମୟରେ ସେହି ତକ୍ତପୋଷ ଉପରେ ଗୋଟିଏ ପୁରୁଷ ଏବଂ ତଳେ ଗୋଟିଏ ସ୍ତ୍ରୀ ବସି ଭାରି କଥାବାର୍ତ୍ତାରେ ଲାଗି ଯାଇଅଛନ୍ତି । ପାଠକମାନଙ୍କୁ ଚିହ୍ନାଇଦେବାକୁ ହେବ ନାହିଁ । ଏହି ସ୍ତ୍ରୀ ପୁରୁଷ ଦୁଇ ଜଣ ଆମ୍ଭମାନଙ୍କର ଚମ୍ପା ଆଉ ଖୋଦ୍ ରାମଚନ୍ଦ୍ର ମଙ୍ଗରାଜ । ଚମ୍ପା ତକ୍ତପୋଷ ଉପରେ ଦୁଇହାତ ପକାଇ ଭିଡ଼ି ବସିଅଛି; ମଙ୍ଗରାଜେ ତାହା ଆଡକୁ ଈଷତ୍ ଝୁଙ୍କି ପଡ଼ିଅଛନ୍ତି । ତକ୍ତପୋଷ ଠାରୁ ତିନିହାତ ଦୂରରେ ପିତ୍ତଳର ଗୋଟିଏ ଦୀପରୁଖା ଥୁଆ, ଥାହା ଉପରେ ମାଟି ବଇଠାଟିଏ ମିଞ୍ଜି ମିଞ୍ଜି ଜଳୁଅଛି, ଦୀପରୁଖାଟି ସର୍ବାଙ୍ଗ ତେଲକାଣ୍ଟିରେ ଲିପ୍ତ । ରୁଖାତଳ ଥାଳିଆରେ ବଳିତା ଗୁଲମିଶାନୀଳିଆ ତେଲ ପଳେ ହେବ ଜମା ଅଛି ।

ଚମ୍ପା ଆଉ ମଙ୍ଗରାଜେ ଅନେକ ରାତ୍ରି ପର୍ଯ୍ୟନ୍ତ କି କଥାବାର୍ତ୍ତା, କି ମନ୍ତ୍ରଣା କଲେ ସବୁ କଥାଗୁଡ଼ିକ ଶୁଣିବାକୁ ଆପଣ ସୁଖ ପାଇବେ ନାହିଁ । ଆମ୍ଭମାନଙ୍କର ମଧ୍ୟ ଅଧିକ ଲେଖୁବା ଅଭ୍ୟାସର ବିରୁଦ୍ଧ; ଅଥଚ ଏହି କଥାଗୁଡ଼ିକ ସତ୍ୟ ଘଟଣା ବୋଲ, ଗାଲୁଗଳ୍ପ ବୋଲା, ଉପନ୍ୟାସ ବୋଲ ଏଥିର ପ୍ରଧାନ ନାୟକ ନାୟିକାମାନଙ୍କର କଥା ଛାଡ଼ିଲେ କର୍ମ ଅଚଳ । ସୁତରାଂ ଚାରିଆଡ଼କୁ ଚାହିଁ ପାଠ ଲଗାଇବା ସକାଶେ ‘ଘଡ଼ିର ତେଲ ନ ସରୁ; ପୁଅମୁଣ୍ତ ନୁଖୁରା ନ ରହୁ’ ଭଳିଆ କହିଦେବାକୁ ହେଲା । ଚମ୍ପା କହିଲା, “ବାପାର ଠିକ ନାହିଁ, ମା’ର ଠିକ୍ ନାହିଁ, ଦଗାବାଜି କରି ପଠାଣ ଟୋକାଠାରୁ ଜମିଦାରୀ ଆଣି ଗାଁରେ ବୋଲାଉଛି କି ନା ଜମିଦାରି । ହେଲୁ ହେଲୁ ଜମିଦାର ତୋ ଘରକୁ । ଗୋରୁ ଛାଡ଼ିଦେଇ ଫନ୍ଦା ଉଜାଡ଼, ଫେର କିନା – କହିଲେ ଗାଳି ? ପଳାଇଯାଇ ମାଈକିନିଆ ଭିତରେ ଲୁଚିଲା, ପଡ଼ିଥାଆନ୍ତା ତ ହାତରେ ! ସାଆନ୍ତେ, ଜଣେ ନୁହେଁ ଦୁଇଜଣ ନୁହେଁ, ଗାଁ ଲୋକଗୁଡ଼ାକ ଜମା ହୋଇଥାଆନ୍ତି, ଦୋକାନ ପିଣ୍ତାରେ ବସି ଗାଳି ଦେଉଥାଏ, ମୁଁ ପାନ କିଣିବି କ’ଣ ଦୋକାନ ଦୁଆର ପାଖରୁ ପଳାଇ ଆସିଲି । ଅଳପାଇସିଆ; ଖଣ୍ତିଆ ନଈଶୁଆ! ସାଆନ୍ତେ ମୁଁ କି ଛାଡ଼ିବା ଲୋକ ? ଆଉ କେହି ହୋଇଥିଲେ ତା ନାକ କାମୁଡ଼ି ପକାଇଥାନ୍ତି ପରା ? ମାତ୍ର ମଣିଷଟା ଅସୁର ପରି ଭେଣ୍ତିଆ । ତା ବାଉଁଶଠେଙ୍ଗା ଦେଖି ମୋ ପିଳେହି ପାଣି ହୋଇଗଲା । ତୁମ୍ଭେ ଏହାର ବାଟ କର, ନୋହିଲେ ମୁଣ୍ତ ଫଟେଇ ଦେବି, ବିଷ ଖାଇ ମରିବି, ପାଣିରେ ଡୁବି ମରିବି ।” ଚମ୍ପା ଏହା କହି ଧକେଇ କାନ୍ଦିବାକୁ ଲାଗିଲା ।

ମଙ୍ଗରାଜେ – ତୁନି ହ ଚମ୍ପା, ତୁନି ହ ! ସେହି ଠେଙ୍ଗାକୁ ତ ମୋର ଡର । ଚାରିଟାକୁ ଚାରିଟା ଅସୁର ପରି ନିହାତି ମୂର୍ଖ । କଥା ପଦକେ ଠେଙ୍ଗା କାଢ଼ି ବସିବେ । ଆଉ ସେ କଥା ତ କେତେଦିନୁ କରାଇ ଦେଇ ସାରନ୍ତିଣି । ଆମର ଗୋଟିଏ ବିଲେଇ ପିଲା ସେ ଗାଁକୁ ଗଲେ ପଛକୁ ଚାହିଁଥିବେ । ଗୋବରା ଏତେ ଚାଲାଖ, ଏତେ ହୁସିଆର, ତା ହାତରେ ତ କିଛି ହେଲା ନାହିଁ । ସେ କଣ କରିବ ? ଦିନ ରାତି ଲୋକ ଜଗୁଆଳି ।

ଚମ୍ପା – ନା ନା ସାଅନ୍ତେ, ସେ କଥା ହେବ ନାହିଁ । ତୁମେ ଏହାର ବାଟ କର, ନୋହିଲେ ମୁଁ ତ ଗାଁ ମାଈକିନିଆଙ୍କ ଆଗରେ ମୁହଁ ଦେଖାଇପାରିବି ନାହିଁ ! ସେମାନେ କି ଏଡେ ପାରୁଆ ହେଲେ, ତୁମକୁ ଜିଣିଲେ ?

ମଙ୍ଗରାଜେ – ଦେଖ ଚମ୍ପା, ଶାସ୍ତ୍ରରେ ଅଛି, “ଛଳେ ବଳେ କଉଶଳେ,ଶତ୍ରୁକୁ ସାଧିବ ହେଳେ ।” ମୁଁ ତ ପାରିଲି ନାହିଁ ତୁ ଏଥିର କିଛି ଫିକର କାଢ଼, ତୁ ବିଚାରିଲେ ସବୁ ହେବ ! ଦେଖ, ମୁଁ ତିନିବରଷ କାଳ ଲାଗି ଲାଗି ସେ ତନ୍ତୀକୁ ପାରି ନ ଥିଲି, ତୁ ଯେପରି ହାତ ଦେଲୁ, କାମ ଫତେ । ଚମ୍ପା ବଇଠା ତେଜି ଦେଇ ଖୁବ୍ ଗୋଟାଏ ହସିଲା, କହିଲା, “ଦେଖ ସାଆନ୍ତେ ପ୍ରଥମେ ମନରେ କରିଥିଲି ପାରିବି ନାହିଁ, ବୁଦ୍ଧି ଖରଚ କଲେ କ’ଣ ନ ହୁଏ ? ସେ ଛମାଣ ଆଠଗୁଣ୍ଠ ଚକକୁ କାଲି ହଳ ଯିବ ତ ?”

ମଙ୍ଗରାଜେ – ମୁଁ ହଳିଆମାନଙ୍କୁ କହିଦେଇଛି, କାଲି ସକାଳେ ହଳ ନେବେ, କଢ଼ାଣ ଦୋହଡ଼ ସବୁ ସାରିବେ । ମୁଁ ମଧ୍ୟ ବିଲକୁ ଯିବି ।

ଚମ୍ପା: ସେମାନଙ୍କ ଘର ଭାଙ୍ଗିଦେଇ ଭଲ କଲ । ଘର ଥିଲେ କେତେବେଳେ ଜମି ସକାଶେ ଲଗାନ୍ତେ ।

ମଙ୍ଗରାଜେ : ଜମି ଛମାସ ମିଆଦରେ କଟବନ୍ଧକ ଥିଲା, ମିଆଦ ଗଲାରୁ ଜମି ପାଇଲୁ, ମକଦ୍ଦମା ସକାଶେ ଘର ହେଲା, ମୁଁ କିଣିନେଇ ଭାଙ୍ଗିଦେଇଛି ।

ଚମ୍ପା :ଜମି ହେଉ, ଘର ହେଉ ଯାହା ହେଉ ସେଇ ଗାଈଟି ଲାଗି ମୁଁ ଏତେ କଥା କଲି । ଗାଈ ତ ନୁହେଁ, ଗୋଟିଏ ଗୁଣ୍ଠୁଣୀ ହାତୀ । ଆଜି କଚେରୀ ପିଣ୍ତାରେ ବାନ୍ଧି ଆସିଅଛି, କାଲିଠାରୁ ଉଆସ ଭିତରେ ବାନ୍ଧିବି । ସେ ଦୁଇଟା କୁଆଡ଼େ ଗଲେ ?

ମଙ୍ଗରାଜେ :କେଉଁ ଦୁଇଟା ? ଭଗିଆ ସାରିଆ ? ବାବନାଭୂତ ପରି ୟା ଓଳି ତା ଓଳିରେ ପଶୁଛନ୍ତି ।

ଚମ୍ପା : ସେଦିନ ସକାଳେ ସାରିଆ ମଙ୍ଗଳା ପାଖରେ କାନ୍ଦି କାନ୍ଦି ମୁଣ୍ତ କୋଡ଼ି ହେଉଥାଏ, ମତେ ଦେଖି ଆହୁରି କାନ୍ଦିଲା, କଣ କହିବ ବୋଲି ମୋ ପାଖକୁ ଆସୁଥିଲା ମୁଁ ମୁହଁ ବୁଲାଇଦେଇ ଚାଲିଆସିଲି । ତାହାବାଦ୍ ଚମ୍ପା ଓ ମଙ୍ଗରାଜଙ୍କ ମଧ୍ୟରେ ଅନେକ ରାତି ପର୍ଯ୍ୟନ୍ତ କଥାବାର୍ତ୍ତା ହେଲା । ଶେଷରେ ଏମନ୍ତ ସାବଧାନ, ଏମନ୍ତ ଗୁପ୍ତ ଭାବରେ ବସି ମନ୍ତ୍ରଣା କଲେ ଯେ, ଆମ୍ଭେମାନେ କୌଣସିକ୍ରମେ ସେଥିର ସନ୍ଧାନ ପାଇପାରିଲୁ ନାହିଁ । ପରସ୍ପର ମୁହଁକୁ ଚାହିଁବସିଛନ୍ତି । ଦୁହେଁ କଥାରେ ମଗ୍ନ । ଏମନ୍ତ ସମୟରେ ସେହି ଦୁହିଁଙ୍କ ମଧ୍ୟରେ ଗୋଟିଏ ସ୍ତ୍ରୀ ମୂର୍ତ୍ତିର ଛାୟା ପଡ଼ିଲା । ଦୁହେଁ ଚମକି ପଡିଲାପରି ସେହି ମୂର୍ତ୍ତିକୁ ଅନାଇ ରହିଲେ । ହଠାତ୍ କଥାବାର୍ତ୍ତା ବନ୍ଦ । ଆଗନ୍ତୁକ ଫଁ କରି ଗୋଟିଏ ନିଶ୍ୱାସ ପକାଇଲେ । ମନରେ ଦାରୁଣ କଷ୍ଟ ଜାତ ହେଲେ ଯେଉଁ ନିଶ୍ୱାସ ପଡ଼େ, ଏହା ସେହିପରି ତତଲା ନିଶ୍ୱାସ । ସମସ୍ତ ନୀରବ ନିଶ୍ଚଳ, କାଷ୍ଠ ପ୍ରତିମା ପରି ସ୍ପନ୍ଦନହୀନ, ଘର ନିସ୍ତବ୍ଧ ।

କିଛିକ୍ଷଣ ଉତ୍ତାରେ ମଙ୍ଗରାଜେ ସେହି ସ୍ତ୍ରୀ ମୂର୍ତ୍ତିଟିକୁ ଅନାଇ ପଚାରିଲେ, “କ’ଣ ?”

ସମସ୍ତେ ନିରୁତ୍ତର ।

ପୁନର୍ବାର ମଙ୍ଗରାଜେ ପଚାରିଲେ – “କ’ଣ? ”

କିଛି ଉତ୍ତର ନାହିଁ, ପୁନର୍ବାର ପୂର୍ବବତ୍ ଦୀର୍ଘ ନିଶ୍ୱାସ ।

ମଙ୍ଗରାଜେ କିଞ୍ଚିତ୍ ବିରକ୍ତ ହୋଇ ପୂର୍ବଠାରୁ ଉଚ୍ଚ ସ୍ୱରରେ ପଚାରିଲେ, “କଣ କିଛି କହୁନାହଁ କ୍ୟାଁ?”

ସାଆନ୍ତାଣୀ : (ଆଗନ୍ତୁକା ମଙ୍ଗରାଜଙ୍କ ଭାର୍ଯ୍ୟା) ଅତି ଧୀର ଅତି ବିନୟରେ କହିଲେ, “ମୁଁ କିଛି ରାତି ହେଲାଣି, ଶୋଇପଡ଼, ଆଉ ସେ କଥାଗୁଡ଼ାକ ପାଞ୍ଚ ନାହିଁ ।”

ଚମ୍ପା ଅବଜ୍ଞା କରି ଗମ୍ଭୀର ସ୍ୱରରେ କହିଲା, “ହୁଁ” ।

ମଙ୍ଗରାଜେ : ଆଚ୍ଛା ମୁଁ ଯାଉଛି, ତୁମ୍ଭେ ବାହାରକୁ ଯାଅ ।

ଚମ୍ପାର ଅବଜ୍ଞାସୂଚକ ‘ହୁଁ’ ଶଦ୍ଦ ସାଆନ୍ତାଣିଙ୍କ କଲିଜାରେ ବର୍ଚ୍ଛାପରି ବାଜିଥିଲା; ତାହାବାଦ୍ ‘ଆଚ୍ଛା ତୁମ୍ଭେ ବାହାରକୁ ଯାଅ’ କଥାଟା ତାଳୁରେ ସହସ୍ର ବିଚ୍ଛା କାମୁଡିଲାପରି ଜଣାଗଲା । ଚମ୍ପା ରହିବ ଭିତରେ, ମୁଁ ଯିବି ବାହାରକୁ ! ଯେ ସବୁ ଘଟଣାରେ ପୁରୁଷଙ୍କ କଠିନ ମନ ଭାଙ୍ଗିପଡେ, କୋମଳାମନା ସହଜରେ ସହିଯାଆନ୍ତି । ସହିଷ୍ଣୁତା ଗୁଣ ସ୍ତ୍ରୀମାନଙ୍କର ପୁରୁଷମାନଙ୍କ ଠାରୁ ଢେର ବେଶୀ, ସେମାନେ ଢେର ସହିପାରନ୍ତି, ମାତ୍ର ସ୍ୱାମୀର ଅନାଦର ଏବଂ ଅବିଶ୍ୱାସ ସତୀ ସ୍ତ୍ରୀମାନଙ୍କ ପକ୍ଷରେ ଅସହ୍ୟ ପୁଣି ସ୍ୱାମୀ ସାକ୍ଷାତରେ ଦାସୀକୃତ ଅବଜ୍ଞା ମରଣାଧିକ କଷ୍ଟକର । ତେବେ ଉପସ୍ଥିତ ଘଟଣା ନୂତନ ନୁହେଁ ଚିରକାଳ ସହି ସହି ଅଭ୍ୟାସ ପଡ଼ିଯାଇଅଛି ତଥାପି; ସାଅନ୍ତାଣୀଙ୍କ କଣ୍ଠରୋଧ ହୋଇଗଲା, ମୁଣ୍ତ ବୁଲାଇଲା, ସମସ୍ତ ଅଙ୍ଗ ଅବଶପ୍ରାୟ ହୋଇଗଲା । କୌଣସି ରୂପେ ସମ୍ଭାଳି ହୋଇ ଧୀରେ ଧୀରେ ଘରୁ ବାହାରି ଆସି ପିଣ୍ତାରେ ବାଡ଼କୁ ଆଉଜି ଲଠ୍‌କରି ବସିଗଲେ । ଆମେମାନେ ସମ୍ବାଦ ପାଇଅଛୁ, ସେହି ରାତ୍ରିଠାରୁ ସାଆନ୍ତାଣୀଙ୍କ ମୁଖରୁ କେହି କିଛି କଥା ଶୁଣି ନାହିଁ । ମଧ୍ୟ ସେ ଲୁଚାଇବାକୁ ବିଶେଷ ଚେଷ୍ଟା କରୁଥିଲେ ସୁଦ୍ଧା ସର୍ବଦା ତାହାଙ୍କ ଆଖିରୁ ପାଣି ବହୁଥିବାର ଦେଖାଯାଉଅଛି ।

ଚମ୍ପା ଧଡ୍ କରି କବାଟଟା ଆଉଜାଇ ଦେଇ ଆପଣା ସ୍ଥାନରେ ବସି କହିଲା “ମୋତେ କେହି ଗାଳିଦେଇ ଛାଞ୍ଚୁଣି ମାରୁ ପଛକେ କାଟିବ ନାହିଁ ; ମାତ୍ର ତୁମକୁ ପଦେ କେହି କହିଲେ ମୋ ହୃଦ ହାଣିହୋଇଯାଏ । ସାଆନ୍ତାଣୀଙ୍କ କଥା ଶୁଣିଲେ ତ ? ଆଉ କେହି ହେଲେ ମୁହଁ ଚାହନ୍ତା ନାହିଁ ପରା ?” ସାରିଆ କଥାବେଳେ ତ ସବୁ ବୁଝି ନେଇଅଛ ! ତୁମକୁ ଫେର କିଏ ବୁଝାଇଦେବ ? ବରଷକସାରା ଲାଗିଲା ମୁଠା ମୁଠା ଟଙ୍କା ଘରୁ ବାହାରିଗଲା, କଟକ ମାମଲା ଲାଗିଲା । ବଗିଚାର ଦଶ ଶଗଡ଼ କି କୋଡିଏ ଶଗଡ଼ ପଥର ମଙ୍ଗଳା ପାଖକୁ ବୋହିଦେଲ, ଶେଷରେ ସାଆନ୍ତାଣୀ କହନ୍ତି କି ନା, ସାରିଆର ଛମାଣ ଆଠଗୁଣ୍ଠ ଜମି ଛାଡ଼ିଦିଅ, କି ନା ତାହା ଘର ଭାଙ୍ଗ ନାହିଁ ।” ଏହା କହି ଚମ୍ପା ଠୋ ଠୋ କରି ହସିଲା ।

ଘୋର ନୈଶ ନିସ୍ତବ୍ଧତା ଭେଦ କରି ସେହି ପୈଶାଚିକ ବିକଟ ହାସ୍ୟ ସାଆନ୍ତାଣୀଙ୍କ କର୍ଣ୍ଣପଟହ ଭେଦ କରିଥିବ; ମାତ୍ର ସେତେବେଳେ ତାହାଙ୍କର ସେଥିରେ ଦାରୁଣତ୍ୱ ଅନୁଭବ କରିବାର ଶକ୍ତି ନ ଥିଲା ।

ମଙ୍ଗରାଜ ଚମ୍ପା ମଧ୍ୟରେ ଯେଉଁ କଥା ଚଳିଲା, ଅନ୍ୟକୁ ଅଗୋଚର, କେବଳ ଚମ୍ପା ମୁଖର କଥା ଏତିକି ଶୁଣାଅଛି, “ତୁମେ ତ ମୋତେ ଖଣ୍ତେ ଡୋଲି ଚାରିଟା ଭାର ସଜାଡ଼ି ଦିଅ, ଦେଖିବ, ମୁଁ ଯଦି ନପାରେ ନାକ କାଟିଦେବ ।”

Share. Facebook Twitter Pinterest LinkedIn Tumblr Reddit Email
Previous Articleହିତୋପଦେଶ :
Next Article ବାଘସିଂହ ବଂଶ :
ଫକୀର ମୋହନ ସେନାପତି

Related Posts

ଡାକମୁନ୍ସି

February 10, 2022

ଉପସଂହାର

November 26, 2018

ଅପୂର୍ବ ମିଳନ :

November 26, 2018

ବାବାଜୀ ଲଳିତା ଦାସ :

November 26, 2018

ମଙ୍ଗରାଜ ଘରର ହାଲଚାଲ :

November 26, 2018

ଖୁଣି ତଦାରଖି :

November 26, 2018
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.