• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ମତ ପରିବର୍ତ୍ତନ
ଗଳ୍ପ

ମତ ପରିବର୍ତ୍ତନ

Liza SBy Liza SFebruary 23, 2023No Comments5 Mins Read
Facebook Twitter Pinterest Reddit LinkedIn Tumblr Email
Mata-Paribarttana
Mata-Paribarttana
Share
Facebook Twitter Pinterest Reddit Email

କଳିଙ୍ଗ ସାମ୍ରାଜ୍ୟର ଏକ ପ୍ରାନ୍ତରେ ଗୋଟିଏ ଛୋଟିଆ ରାଜ୍ୟ ଥାଏ । ତା’ର ନାମ ଭଦ୍ରପୁର । ରାଜା ସତ୍ୟବ୍ରତଙ୍କର ଏକ ମାତ୍ର ପୁତ୍ର ଜୟବ୍ରତ ଦୟାନଦୀ କୂଳରେ ଧଉଳି ପାହାଡର ପାଦଦେଶରେ ଥିବା ଗୁରୁକୁଳରେ ବିଦ୍ୟା ସମାପନ କରି ଯେତେବେଳେ ନିଜ ରାଜଧାନୀକୁ ଫେରିଗଲେ, ସେତେବେଳେ ତାଙ୍କ ପିତା ରାଜା ସତ୍ୟବ୍ରତ ଅସୁସ୍ଥ ।ଶଯ୍ୟାଶାୟୀ ରାଜା ଯୁବରାଜଙ୍କୁ କହିଲେ “ପୁତ୍ର! ତମେ ଉପଯୁକ୍ତ ସମୟରେ ଆସିଛ । ମୋ କାଳ ସରିଲା । ଯେତେଦୂର ସମ୍ଭବ ତମେ ମୋଠୁଁ ରାଜନୀତି, କୂଟନୀତି ଶିଖିନିଅ । ସୂଚାରୁରୂପେ ପ୍ରଜାପାଳନ ପ୍ରତ୍ୟେକ ରାଜାର ଧର୍ମ । ତମେ ଏହି ନୀତିଗୁଡିକୁ ଆୟତ କଲେ ତାହା ତୁମର ରାଜକୀୟ କର୍ମ ସାଧନରେ ସହାୟକ ହେବ ।”କିନ୍ତୁ ଯୁବରାଜ ଜୟବ୍ରତଙ୍କ ମନ ରାଜନୀତି ଶିଖିବାରେ ନଥାଏ । ସେ ସବୁବେଳେ ଘୋଡା ଚଢି ନଦୀ କୂଳରେ, ନଚେତ୍ ବଣ ଭିତରେ ବୁଲୁଥାନ୍ତି । ବୁଲିବା ତାଙ୍କର ନିଶା, ମଧ୍ୟେ ମଧ୍ୟେ ସେ ଶିକାର ବି କରନ୍ତି । ରାଜା ବାଧ୍ୟ କଲେ ସେ ତାଙ୍କ ପାଖରେ ବସି ସୁବୋଧ ବାଳକ ଭଳି ତାଙ୍କ ଉପଦେଶ ଶୁଣନ୍ତି, କିନ୍ତୁ ସେସବୁ ତାଙ୍କ ମଗଜକୁ ଢୁକୁ ନଥାଏ ବୋଲି ରାଜା ବୁଝିପାରି ଆଉ ବାଧ୍ୟବାଧକତା କଲେ ନହିଁ । ରାଜ୍ୟର ଭବିଷ୍ୟତ କଥା ଚିନ୍ତା କରି ସେ ବିମର୍ଷବୋଧ କରୁଥାନ୍ତି । ତାଙ୍କ ଅନ୍ତେ ଉତ୍ତମ ଉତ୍ତରାଧିକାରୀ ହେବାରେ ରାଜକୁମାର କେତେଦୂର ସମର୍ଥ ହେବେ ଏଥିନେଇ ତାଙ୍କ ମନରେ ସର୍ବଦା ଏକ ପ୍ରଶ୍ନ ଖେଳୁଥାଏ । ଏହାର ସଠିକ ଉତ୍ତର ତାଙ୍କ ପାଖରେ ନଥାଏ । ସେହି ଅବସ୍ଥାରେ ତାଙ୍କର ମୃତ୍ୟୁ ହେଲା ।

ଯୁବରାଜ ଜୟବ୍ରତ ସିଂହାସନ ଆରୋହଣ କଲେ । ଅଭିଷେକ ପରେ ରାଜକାର୍ଯ୍ୟରେ ତାଙ୍କ ମନ ଲାଗିବ ବୋଲି ମନ୍ତ୍ରୀ ଓ ପାରିଷଦବର୍ଗ ଆଶା କରୁଥିଲେ । କିନ୍ତୁ ଦେଖାଗଲା, ତାହା ହେଉନାହିଁ । ତରୁଣ ରାଜା ପୂର୍ବଭଳି ଆଚରଣ କରୁଛନ୍ତି । ବେଳ ନାହିଁ, କାଳ ନାହିଁ, ସେ ଘୋଡା ଚଢି ଘୁରୁଛନ୍ତି ।ଭଦ୍ରପୁର ରାଜ୍ୟର ସୌଭାଗ୍ୟ ଯେ ସେ ରାଜ୍ୟର ମନ୍ତ୍ରୀ ଯେପରି ବୁଦ୍ଧିମାନ୍, ଠିକେ ସେହିପରି ସେ ବିବେକୀ ମଧ୍ୟ ଥିଲେ । ସେଠିକା ସେନାପତି ମଧ୍ୟ ଅତ୍ୟନ୍ତ ରାଜଭକ୍ତ ଥିଲେ । ତେଣୁ ଶାସନ କାର୍ଯ୍ୟ ସୁରୁଖୁରୁରେ ଚାଲୁଥିଲା ।ଦିନେ ରାଜା ଜୟବ୍ରତ ରାଜ୍ୟ ସୀମାନ୍ତରେ ଥିବା ଗୋଟିଏ ବଣରେ ଯାଇ ପଶିଲେ । ବୁଲୁ ବୁଲୁ ହଠାତ୍ ସେ କ୍ଳାନ୍ତ ଅନୁଭବ କଲେ । ତାଙ୍କୁ ଶୋଷ ବି ପ୍ରବଳ ହେଲା । ଭାଗ୍ୟକୁ ଗୋଟାଏ ସରୋବର ଦେଖି ସେ ସେଠାରେ ତାଙ୍କ ଘୋଡାରୁ ଓହ୍ଲାଇ ପାଣି ପିଇଲେ ।ତା’ପରେ ସେ ପୁଣି ଘୋଡା ଚଢିବାକୁ ଯାଉଛନ୍ତି, ଠିକ୍ ଏହି ସମୟରେ ହଠାତ୍ ଗୋଟାଏ ଅଚିହ୍ନା କଣ୍ଠ କହିଲା, “ସ୍ୱାଗତଂ, ଅତିଥି!”ବଣ ଭିତରେ ତାଙ୍କୁ ପୁଣି କିଏ ସ୍ୱାଗତ କରୁଛି? ଏହା ଜାଣିବା ପାଇଁ ସେ ବୁଲି ପଡି ଅନାଇ ଦେଖିଲେ ଅଦୂରରେ ଜଣେ ତରୁଣୀ ଗୋଟିଏ ଶୁଆକୁ ଫଳ ଖୁଆଉଛନ୍ତି |ରାଜା ଏଥିରେ ଭୀଷଣ ଆଶ୍ଚର୍ଯ୍ୟ ହୋଇ ପାଖକୁ ଆସି ପଚାରିଲେ, “କିଏ ତୁମେ?”ତହୁଁ ସେ ତରୁଣୀ ଜଣକ କହିଲା “ମୁଁ ଜଣେ ବନବାସିନୀ । ମୋର ନାମ ଇନ୍ଦୁମତି ।”

ରାଜା ପୁଣି ପ୍ରଶ୍ନ କଲେ “ତମେ ଏଠାରେ ଏକାକୀ?””ନା । ମୋ ମାଆ ମୋ ଶୈଶବକାଳରେ ମୃତ୍ୟୁବରଣ କରିଥିଲେ । ମୋ ବାପା ଗତବର୍ଷ ସର୍ପଦଂଶନରେ ପ୍ରାଣତ୍ୟାଗ କଲେ । ତେବେ ତାଙ୍କର ଜଣେ ବନ୍ଧୁଙ୍କୁ ସେ ମୋ ଦାୟିତ୍ୱ ଦେଇଯାଇଥିଲେ । ସେ ଜଣେ ଆଦିବାସୀ ସର୍ଦ୍ଦାର । ମୋତେ ସେ ତାଙ୍କ କନ୍ୟା ଭଳି ସ୍ନେହ କରନ୍ତି ।”ଇନ୍ଦୁମତିର ଅପୂର୍ବ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ରାଜା କ୍ରମେ ପାଖେଇ ଆସୁ ଆସୁ କହିଲେ, “ତୁମ ଭଳି କନ୍ୟା ସାରା ଜୀବନ ଅରଣ୍ୟରେ ରହିବା ଠିକ୍ ନୁହେଁ ନିଶ୍ଚୟ!”କନ୍ୟା କହିଲା “କାହିଁକି ଆଜ୍ଞା? ଅରଣ୍ୟ କ’ଣ ଜନପଦଠାରୁ ଏତେ ଅସୁନ୍ଦର? ମୁଁ ଚିକିତ୍ସାବିଦ୍ୟା ଶିଖିଛି । ଆଦିବାସୀମାନଙ୍କର ସେବା କରି ମୁଁ ମୋର ସମସ୍ତ ସମୟ କଟାଉଛି । ଏ ଜଙ୍ଗଲ, ଏ ଝରଣା ମୋର ଅତି ପ୍ରିୟ । ଏହି ଅପୂର୍ବ ପ୍ରାକୃତିକ ପରିବେଶ ମୋର ମନକୁ ଶୈଶବରୁ ଆଚ୍ଛନ୍ନ କରି ରଖିଛି । ଏହାକୁ ଛାଡି ଅନ୍ୟ କେଉଁଠି ରହିବା କଥା ମୁଁ ମୋ ସ୍ୱପ୍ନରେ ସୁଧ୍ୟା ଚିନ୍ତା କରି ପାରୁନାହିଁ ।””ଇନ୍ଦୁମତି! ଏ ବଣ ମୁଲକ ନୁହେଁ, ତୁମର ସ୍ଥାନ ରାଜପ୍ରାସାଦରେ । ମୁଁ ଏ ରାଜ୍ୟର ରାଜା । ଏବେ ମୋ ସହ ତୁମେ ଚାଲ । ମୁଁ ତୁମକୁ ମୋ ରାଣୀ ବନାଇବି ।”ଇନ୍ଦୁମତୀ ପଚାରିଲେ “ଧନ୍ୟବାଦ । କିନ୍ତୁ ରାଣୀ ହେବା ଅପେକ୍ଷା ସାଧାରଣ ଲୋକଙ୍କର ସେବା କରିବାରେ ମୋର ଅଧିକ ଆନନ୍ଦ । କେବଳ ନିଜ ସୁଖ ପାଇଁ ଜୀବନ ଧାରଣ ନ କରି ମୁଁ ଅନ୍ୟମାନଙ୍କ ପାଇଁ ବଂଚିବାକୁ ଚାହେଁ । ମଣିଷର ସେବା ଈଶ୍ୱରଙ୍କର ଆରାଧନା ସଦୃଶ । ମୋତେ ସେ ସୁଯୋଗ ଯେତେବେଳେ ମିଳିଛି ମୁଁ ତାହା ହାତଛଡା କରି, ରାଣୀହଂସପୁରର ବିଳାସବ୍ୟସନ ମଧ୍ୟରେ ରହି କଦାପି ମଧ୍ୟ ସୁଖୀ ହୋଇ ପାରିବି ନାହିଁ । ଛାଡନ୍ତୁ । ଆପଣ କ’ଣ କ୍ଷୁଧାର୍ତ? ଆପଣଙ୍କ ପାଇଁ ମୁଁ କିଛି ଫଳମୂଳ ଆଣିଦେଇ ପାରେ?”

“ନା, ତା’ର କୌଣସି ପ୍ରୟୋଜନ ନାହିଁ ।” ଏହା କହି ରାଜା ଇନ୍ଦୁମତୀଙ୍କୁ ନିଜ ଘୋଡା ପାଖକୁ ଟାଣି ନେଇଗଲେ ଓ ଜବରଦସ୍ତ ତାଙ୍କୁ ଘୋଡାରେ ବସାଇବାକୁ ଚେଷ୍ଟା କଲେ । ଇନ୍ଦୁମତୀ ପାଟି କଲେ । ଠିକ୍ ତା’ ପର ମୁହୂର୍ତ୍ତରେହିଁ ସହସା ଗୋଟିଏ ତୀର କାହୁଁ ଆସି ସେ ରାଜାଙ୍କ ପାଦରେ ବିନ୍ଧି ହୋଇଗଲା ।ରାଜା ଯନ୍ତ୍ରଣାରେ ଚିତ୍କାର କରି ଇନ୍ଦୁମତୀଙ୍କୁ ଛାଡିଦେଲେ । ଆଦିବାସୀ ସର୍ଦ୍ଦାର ଧନୁତୀର ହସ୍ତେ ସେଠାରେ ଆସି ପହଁଚିଗଲେ ।ଇନ୍ଦୁମତୀ କିନ୍ତୁ ରାଜାଙ୍କୁ ଧରି ନିଜ କୁଡିଆ ଭିତରକୁ ନେଇଗଲେ ଓ ଖଟିଆ ଉପରେ ତାଙ୍କୁ ବସାଇ ତାଙ୍କ ପାଦରେ ଔଷଧ ଦେଇ ପଟି ବାନ୍ଧିଦେଲେ ।ଇନ୍ଦୁମତୀ ସର୍ଦ୍ଦାରଙ୍କୁ କହିଲେ “ବାବା! ଇଏ ଆମ ରାଜ୍ୟର ରାଜା!”ସର୍ଦ୍ଦାର କହିଲେ “କିନ୍ତୁ ମୋ ଆଖିରେ ତ ସେ ଜଣେ ଅପହରଣକାରୀ ମାତ୍ର! ରାଜା! ମୁଁ ଯଦି ତୁମ ପାଦକୁ ତୀର ନ ମାରି ତୁମ ବକ୍ଷକୁ ମାରିଥାନ୍ତି, ତେବେ ତୁମେ ରାଜା ହୁଅ, ପ୍ରଜା ହୁଅ, କିଏ ଆଜି ତୁମକୁ ରକ୍ଷା କରିଥାନ୍ତା?”ରାଜା ଲଜ୍ଜିତ ହୋଇ କହିଲେ, “ତୁମେ ଅବଶ୍ୟ ଠିକ୍ କହୁଛ । ମୁଁ ଏଥିଲାଗି କ୍ଷମା ମାଗୁଛି ।”ଏହାପରେ ରାଜା ଘୋଡା ଚଢି ସେଠାରୁ ବିଦାୟ ନେଲେ ।

ଏହାର ଠିକ୍ ଏକ ମାସ ପରେ ଦିନେ ମନ୍ତ୍ରୀ ଓ କେତେଜଣ ବିଶିଷ୍ଟ ଅମାତ୍ୟ ବହୁ ଉପହାର ଧରି ସେଠାରେ ଆସି ପହଁଚିଲେ । ମନ୍ତ୍ରୀ ଇନ୍ଦୁମତୀଙ୍କୁ ଅଭିବାଦନ ଜଣାଇ କହିଲେ, “ମା! ଏହା ତୁମକୁ ଆମର ଭେଟି । ତୁମ ସମ୍ପର୍କରେ ଆସି ଆମ ରାଜାଙ୍କର ଯେଉଁଭଳି ପରିବର୍ତ୍ତନ ହୋଇଛି, ତାହା ଭାଷାରେ ପ୍ରକାଶ କରିବା ମୋଟେ ସହଜ ନୁହେଁ । ସେ ଏଣିକି ଜନସେବାରେ ସବୁ ସମୟ ଦେଉଛନ୍ତି । ଏବେ ବଡ ବଡ ରାଜାଙ୍କ ଘରୁ ତାଙ୍କପାଇଁ ବିବାହ ପ୍ରସ୍ତାବ ଆସୁଛି । କିନ୍ତୁ ସେ କହୁଛନ୍ତି କି ସେ ମୋଟେ ବିବାହ କରିବେ ନାହିଁ । ଆମ୍ଭେମାନେ ତାଙ୍କର ଏ ସିଦ୍ଧାନ୍ତକୁ ଅବଶ୍ୟ ପସନ୍ଦ କରୁନାହୁଁ, କିନ୍ତୁ ସେ ରାଜକାର୍ଯ୍ୟରେ ମନୋନିବେଶ କରିବାରୁ ଆମେ ଭାରି ଆନନ୍ଦିତ ।”ଇନ୍ଦୁମତୀ ଟିକିଏ ଚିନ୍ତା କରି କହିଲେ, “ମନ୍ତ୍ରୀବର! ରାଜାଙ୍କୁ କହିବେ, ଏଣିକି ତାଙ୍କ ପ୍ରସ୍ତାବରେ ମୋର ଆଉ କିଛି ଆପତ୍ତି ନାହିଁ । କି ପ୍ରସ୍ତାବ, ସେକଥା ସେ ଠିକ୍ ବୁଝିପାରିବେ ।”ମନ୍ତ୍ରୀ ଓ ସଭାସଦ୍ମାନେ ସେଦିନ ଫେରିଯାଇ ପୁଣି ଉତ୍ଫୁଲ୍ଲ ଭାବରେ ପରଦିନ ଆସିଲେ ଓ ସର୍ଦ୍ଦାରଙ୍କ ସହ ପରାମର୍ଶ କରି ବିବାହର ଦିନ ଠିକ୍ କଲେ । ରାଜାଙ୍କ ସହ ଇନ୍ଦୁମତୀଙ୍କ ବିବାହ ହୋଇଗଲା । ଇନ୍ଦୁମତୀ କିନ୍ତୁ ସପ୍ତାହରେ ଦୁଇଦିନ ଆସି ଆଦିବାସୀମାନଙ୍କ ଚିକିତ୍ସା କାମ ଅବ୍ୟାହତ ରଖିଲେ ।ଦିନେ ରାଜା ପଚାରିଲେ “ଇନ୍ଦୁମତୀ! ତୁମର ମତ କିପରି ପରିବର୍ତ୍ତନ ହେଲା?”

“ରାଜା! ତୁମ ସ୍ୱଭାବରେ ପରିବର୍ତ୍ତନ ସେଥିପାଇଁ ଅନେକାଂଶରେ ଦାୟୀ । ତୁମେ ଯେତେବେଳେ ରାଜସୁଲଭ କର୍ତ୍ତବ୍ୟ ଅନୁଭବ କରି, ଅତୀତର ସେହି ଖାମଖିଆଲ୍ ସ୍ୱଭାବ ତ୍ୟାଗ କରି ପ୍ରଜାଙ୍କ ହିତରେ ମନ ଦେଲ, ସେତେବେଳେ ବୁଝିଲି ତୁମେ ମୋ ସେବାକାମରେ କେବେବି ବାଧା ଦେବ ନାହିଁ । ତୁମେ ପୁଣି ବିବାହ କରିବ ନାହିଁ ବୋଲି ଠିକ୍ କଲ । ସେଥିରୁ ବୁଝିଲି ତୁମେ ମୋ ଛଡା ଆଉ କାହାକୁ କେବେବି ମଧ୍ୟ ବିବାହ କରିବ ନାହିଁ ବୋଲି ସିଦ୍ଧାନ୍ତ ନେଇଛ । ସେ ଦିନର ସେ ଆଚରଣ ପାଇଁ ତୁମେ ଅନୁତପ୍ତ ହେବାର ଦେଖି ବୁଝିଥିଲି ତୁମ ମୌଳିକ ସ୍ୱଭାବ ଅତି ଉତ୍ତମ! କ’ଣ ଆଉ କିଛି କୈଫିୟତ୍ ଲୋଡା?” ଏତିକି କହି ଇନ୍ଦୁମତୀ ହସିଲେ ।ରାଜା ମଧ୍ୟ ହସି ହସି କହିଲେ “ନା, ନା! ଏତିକି ଯଥେଷ୍ଟ!”

Mata Paribarttana New Story New Story mata Paribarttana Odia New story
Share. Facebook Twitter Pinterest LinkedIn Tumblr Reddit Email
Previous Articleପରିବର୍ତ୍ତନ
Next Article ମହାଭାରତ
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.