ଭଦ୍ରପୁରର ପ୍ରିତୁ ବଡ ତାନ୍ତ୍ରିକ ଥିଲା । ସମସ୍ତେ କୁହନ୍ତି ତା’ର ନାମ ପଡିଲେ ଭୂତପ୍ରେତ ସେଠାରୁ ଛାଡି ପଳାନ୍ତି । ତା’ର ସ୍ତ୍ରୀ ଅନ୍ନପୂର୍ଣ୍ଣା ଅତି ଭଲ ସ୍ୱଭାବର ସ୍ତ୍ରୀଲୋକ, କିନ୍ତୁ ପ୍ରିତୁର ସ୍ୱଭାବ ସମ୍ପୂର୍ଣ୍ଣ ବିପରୀତ ।ଦିନେ ସଂଧ୍ୟା ପରେ ଚାରିଜଣ ଲୋକ ଆସି ତାଙ୍କ ଘରେ ପହଁଚିଲେ । ସେମାନେ ଅନ୍ନପୂର୍ଣ୍ଣାର ଦୂର ସମ୍ପର୍କୀୟ ବନ୍ଧୁବାନ୍ଧବ । ସେମାନେ କହିଲେ, “ଅନ୍ନପୂର୍ଣ୍ଣା, ଆମେ ବହୁ ଦୂରରୁ ଚାଲି ଚାଲି ଏଠାକୁ ଆସିଛୁ । ଆମକୁ ଆହୁରି ଅନେକ ବାଟ ଯିବାକୁ ଅଛି । ଆମେ ବଡ କ୍ଳାନ୍ତ । ଆଜି ରାତିକ ପାଇଁ ଖାଦ୍ୟର ବ୍ୟବସ୍ଥା ହୋଇ ପାରନ୍ତା ତ ବଡ ଉପକାର ହୁଅନ୍ତା, ଖାଇସାରି ଆମେ ସଙ୍ଗେ ସଙ୍ଗେ ପୁଣି ବାଟ ଚାଲିବୁ ।”
ଅନ୍ନପୂର୍ଣ୍ଣା କହିଲା, “ନିଶ୍ଚୟ ଖାଦ୍ୟ ତିଆରି କରି ଦେବି । ସେତକ ସମୟ ଆପଣ ମାନେ ବାହାର ପିଣ୍ଡାରେ ବସି ବିଶ୍ରାମ କରନ୍ତୁ ।” ତା’ପରେ ସେ ରୋଷେଇ କରିବାକୁ ଚାଲିଗଲା । ସେଦିନ ପ୍ରିତୁ ଚାରି କୋଶ ଦୂରରେ ଥିବା ଏକ ଗ୍ରାମରେ ଜଣେ ବ୍ୟକ୍ତିଠାରୁ ଭୂତ ଛଡାଇବାକୁ ଯାଇଥିଲା । ତେଣୁ ଅନ୍ନପୂର୍ଣ୍ଣା ଭାବିଲା ଯେ ସେ ତ ଆସୁ ଆସୁ ଡେରି ହେବ । ସେ ଆସିବା ପୂର୍ବରୁ ଏମାନଙ୍କୁ ଖିଆପିଆ କରାଇ ବିଦା କରିଦେବ । ଯଦି ପ୍ରିତୁ ଆସି ଦେଖେ ଏମାନେ ଖାଉଛନ୍ତି, ତେବେ ତ ଜାଣ ସର୍ବନାଶ, ଏମାନଙ୍କୁ ସେ ମାରି, ତଡିଦେବ ।
ଅନ୍ନପୂର୍ଣ୍ଣା ଶୀଘ୍ର ରୋଷେଇ ଶେଷ କରି ସେମାନଙ୍କୁ ଖାଇବାକୁ ଦେଲା । ଦରଜା ମଧ୍ୟ ବନ୍ଦ କରି ଦେଲା, ଏଣେ ଏମାନେ ଖାଉଥା’ନ୍ତି, ଆଉ ସେ ଝରକା ଦେଇ ଅନେଇଥାଏ ଯଦି ପ୍ରିତୁ ପହଁଚିଯାଏ । ସେମାନେ ବଡ କ୍ଷୁଧାର୍ତ୍ତ ଥିଲେ ତେଣୁ ଶୀଘ୍ର ଖାଉଥାନ୍ତି ।କିଛି ସମୟ ପରେ ଗଳି ଶେଷରେ କୁକୁରମାନେ ଭୂକିଲେ ସେମାନେ ପ୍ରିତୁ ପଛରେ ଗୋଡାଉଥିଲେ । ପ୍ରିତୁ ତା’ ହାତରେ ଥିବା ତମ୍ବା ବାଡିରେ କୁକୁରଙ୍କୁ ପିଟୁ ପିଟୁ କହିଲା, “ଭୂତ ଛଡାଇବାର ମୋର କରାମତି ଏ କୁକୁରମାନେ କୁଆଡୁ ଜାଣିବେ?”
ଅତିଥିମାନଙ୍କର ଭୋଜନ ସମାପ୍ତପ୍ରାୟ । ଅନ୍ନପୂର୍ଣ୍ଣା ଝରକା ବନ୍ଦ କରି ଦେଇ ଆସି କହିଲା, “ମହାଶୟ, ମୋର ସ୍ୱାମୀ ଆସି ଗଲେଣି; ଆପଣମାନେ ଶୀଘ୍ର ଶେଷ କରନ୍ତୁ । ମଣିଷମାନେ ଓ ଭୂତପ୍ରେତମାନେ ସମସ୍ତେ ଜାଣନ୍ତି ସେ କିପରି କଠୋର ସ୍ୱଭାବର ବ୍ୟକ୍ତି । ଆପଣମାନେ ଖାଉଥିବାର ଦେଖିଲେ ସେ ମୋତେ ଓ ଆପଣମାନଙ୍କୁ ତମ୍ବାବାଡିରେ ପିଟିବେ । ମୁଁ ଏବେ ଘର ପଛପଟକୁ ଚାଲିଯାଉଛି । ଆପଣମାନେ ଖାଇବା ଶେଷ କରି ଦୀପ ଲିଭାଇ ଦେବେ ଓ କବାଟ ଖୋଲି ଝଟ କରି ବାହାରି ଚାଲିଯିବେ ।” ଏତିକି କହି ସେ ଘର ପଛପଟକୁ ଚାଲିଗଲା ।
ପ୍ରିତୁ କବାଟ ବାଡେଇ ଚାଲିଛି । କେହି ନ ଖୋଲିବାରୁ ଚିତ୍କାର କରି ସେ କହିଲା, “ହେ ଅନ୍ନପୂର୍ଣ୍ଣା କବାଟ ଖୋଲ ।” ସେ ଅଧିକ ଜୋର୍ରେ ଚିତ୍କାର କରୁଥାଏ ଓ କବାଟ ବାଡଉଥାଏ ହଠାତ୍ ସେ କବାଟ ଖୋଲିଗଲା ଓ ସେହି ଅନ୍ଧକାର ମଧ୍ୟରେ ଚାରି ମୂର୍ତ୍ତି ପ୍ରିତୁକୁ ଠେଲି ପକାଇ ଦେଇ, ତା’ ଦେହ ଉପରେ ଚଢି ଚାଲିଗଲେ ।
“ମରି ଗଲିରେ, ମରିଗଲିରେ” ବୋଲି ଚିତ୍କାର କରି ପ୍ରିତୁ ନିଜେ ନିଜେ କହୁଥାଏ । “ଇଏ ମଣିଷ ନା କୌଣସି ଭୂତ?”
“ହେ ଅନ୍ନପୂର୍ଣ୍ଣା, ତୁ କେଉଁଠି ମଲୁରେ?””ଆସୁଛି” ଏହା କହି ଅନ୍ନପୂର୍ଣ୍ଣା ଘର ପଛ ପଟରୁ ଘର ଭିତରକୁ ଆସିଲା ଓ ଦୀପ ଜଳାଇଲା । ପ୍ରିତୁ ପାଖକୁ ଆସି ସେ ପଚାରିଲା “ଇଏ କ’ଣ? ଲୁଗା ଉପରେ ତରକାରୀର ଦାଗ, ମୁଣ୍ଡ ଉପରେ ପତରା କଥା କ’ଣ? ଇଏ ନିଶ୍ଚୟ ତାହାରି କାମ ।”ଅନ୍ନପୂର୍ଣ୍ଣାକୁ ଧରି ବଡ କଷ୍ଟରେ କୁନ୍ଥେଇ କୁନ୍ଥେଇ ସେ ଘର ଭିତରକୁ ଯାଉ ଯାଉ ପଚାରିଲା, “କାହା କଥା କହୁଛ?” ଘରଭିତରକୁ ଆସି ଦେଖିଲା ପତର, ଭାତ, ତରକାରୀ ଏଠି ସେଠି ବୁଣି ହୋଇ ପଡିଛି । ଏସବୁ ଦେଖି ପ୍ରିତୁ ରାଗରେ ଗରଗର ହୋଇ କହିଲା, “ମୋର ଅନୁପସ୍ଥିତିରେ ଯାହାକୁ ମନ ତାକୁ ଆଣି ଖାଇବାକୁ ଦେଇଛ?”
ଅନ୍ନପୂର୍ଣ୍ଣା ଦୀପକୁ ତଳେ ରଖି କହିଲା, “ଯାହା ଇଚ୍ଛା ତାହା କହିଯାଅ । ଆଜି ସକାଳୁ କୌଣସି ପୁଣ୍ୟାତ୍ମାଙ୍କ ଦର୍ଶନ ମୁଁ ହୁଏତ ପାଇଥିଲି, ଖାଲି ସେଇଥିପାଇଁ ତମେ ଆଜି ଭଲରେ ଭଲରେ ବଂଚିଗଲ ।”ପ୍ରିତୁ କହିଲା “କ’ଣ ସବୁ ବାଜେ କଥା କହୁଛ? ମୁଁ କ’ଣ କହୁଛି ଆଉ ତୁମେ କ’ଣ ଉତ୍ତର ଦେଉଛ ।” ସେ କ୍ରମେ ତା’ସ୍ୱର କମ୍ କରିବାରୁ ଅନ୍ନପୂର୍ଣ୍ଣା ଆଖିରୁ ଲୁହ ପୋଛି କହିଲା, “ଏବେ ପଶ୍ଚାତାପ କଲେ କ’ଣ ବା ହେବ? ତୁମେ ତାନ୍ତ୍ରିକ ନହୋଇ କ୍ଷେତବାଡି ବା ବ୍ୟବସାୟ କଲେ କେତେ ଭଲ ହୁଅନ୍ତା?”ପ୍ରିତୁ କହିଲା, “କଣ ସବୁ କହିଯାଉଛ । ତୁମକୁ ଆଉ ଭୂତ ଲାଗିନାହିଁ ତ?”
“ଦିନେ ନା ଦିନେ ତ ତାହାହିଁ ଘଟିବ ।” ଶୁଣ ତ ଆଜି କ’ଣ ହେଲା । ତୁମେ ତ ଅନ୍ୟଗ୍ରାମକୁ ଭୂତ ଛଡେଇବାକୁ ଗଲ, ତୁମେ ଛଡାଇବା ଭୂତ ସିଧା ଏଠାକୁ ସେ ଆସିଲା । ମୋତେ ବହୁତ ଗାଳି ଦେଇ ସେ କହିଲା, “ଆରେ ହେ ଭୂତତାନ୍ତ୍ରିକ ପ୍ରିତୁର ସ୍ତ୍ରୀ; ଆମେ ଆମର ଅସମ୍ପୂର୍ଣ୍ଣ ଇଚ୍ଛା ପୂର୍ଣ୍ଣ କରିବାକୁ କାହା ଉପରେ ସବାର ହେଉ, ପେଟଭରି ଖାଇବା ଆମର ଇଚ୍ଛା । ଆଉ ତୋ ସ୍ୱାମୀ ଆମକୁ ତଡୁଛି । ଏଥର ଦେଖ୍; ସିଏ ଫେରି ନିଜର ମନ୍ତ୍ର ପୋଥି ଓ ନିମ୍ବଡାଳ ତଳେ ରଖିବାମାତ୍ରେ ମୁଁ ତା ଉପରେ ଆକ୍ରମଣ କରି ତାକୁ ମାରି ଖାଇବି ତେବେ ଯାଇ ମୋର କ୍ଷୁଧା ମେଂଟିବ ।” ତା’ପରେ ସେ ଘରେ ବସିଗଲା ।
ପ୍ରିତୁ ତା’ର ତମ୍ବା ବାଡି ଧରି ପଚାରିଲା, “କାହିଁ, ସେ କେଉଁଠି ଅଛି?” ତା’ପରେ ସେ ମନ୍ତ୍ର ଉଚ୍ଚାରଣ କରିବାକୁ ଯାଉଥିଲା, ଅନ୍ନପୂର୍ଣ୍ଣ କହିଲା, “କଥାଟା ଆଗ ଶୁଣିସାର ତ । ସେମାନେ ଚାରିଜଣ ଥିଲେ ଓ ବଡ ଭୋକିଲାବି ଥିଲେ । ମୁଁ ସେମାନଙ୍କୁ ରାନ୍ଧି ଖୁଆଇଲି । ସେମାନେ ସନ୍ତୋଷରେ ଖାଇବା ବେଳେ, ମୁଁ ସେମାନଙ୍କୁ ପ୍ରାର୍ଥନା କଲି କି ମୋ ସ୍ୱାମୀଙ୍କୁ ଆଦୌ ମାର ନାହିଁ । ଭୂତମାନେ ମୋ କଥାରେ ସମ୍ମତ ହେଲେ; କିନ୍ତୁ ସେମାନଙ୍କ ମଧ୍ୟରେ ଜଣେ ଛୋଟା ଭୂତ ଥିଲା, ସେ କହିଲା “ତୋ ସ୍ୱାମୀକୁ ମୁଁ ଏତେ ସହଜରେ କଦାପି ଛାଡୁ ନାହିଁ । ମୁଁ ତାକୁ ଟିକି ଟିକି କରି ମାରି ଖାଇବି । ମୁଁ ଏପରି ନକରେ ତ ମୁଁ ରାମପୁରର ରଙ୍ଗା ନୁହେଁ ।” ଏହା କହି ସେ ଗୋଟାଏ ଗୋଡରେ ଠିଆ ହୋଇ ଚିତ୍କାର କଲା, ରାଗିଗଲା । ମୁଁ ଭୟରେ କମ୍ପୁଥାଏ । ତା’ପରେ ତୁମେ ଆସିବାରୁ ବା ମୋ ଉପରେ ଦୟାକରି ସେମାନେ ଏଠାରୁ ପଳାଇଲେ ।
ସବୁକଥା ଶୁଣିବା ପରେ ପ୍ରିତୁ କହିଲା, “ଆଚ୍ଛା, ତାହେଲେ ସେମାନଙ୍କ ମଧ୍ୟରେ ରଙ୍ଗା ବି ଥିଲା? ତେବେ ତ ମୁଁ ବଂଚିଗଲି । ମୋତେ ପାଇଥିଲେ ସେ ତ ଟିକି ଟିକି କରି କାଟି ଖାଇଥା’ନ୍ତା ।” ଏତିକି କହିବା ପରେ ସେ ମନ୍ତ୍ରୋଚ୍ଚାରଣ କରି ପୂଜା ଘରେ ପଶି କବାଟ ବନ୍ଦକଲା ।ତା’ପରେ ଅନ୍ନପୂର୍ଣ୍ଣା ବଡ ସନ୍ତୋଷରେ ଲମ୍ବା ନିଶ୍ୱାସ ଛାଡିଲା ଓ ମନେ ମନେ ସେ ଭୂତମାନଙ୍କୁ ବହୁତ କ୍ଷମା ମାଗିଲା । ମନେ ମନେ ଭାବିଲା ତା’ର ଏହି କଥାର ପ୍ରଭାବ ତାନ୍ତ୍ରିକ ପ୍ରିତୁ ଉପରେ ବହୁତ ପଡିଛି; ତାହା ମନ୍ତ୍ର ଭଳି କାମ କରିବ । ଅନ୍ନପୂର୍ଣ୍ଣା ହସି ହସି ଅଇଁଠା ସଫା କରିବାକୁ ଚାଲିଗଲା ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଅନ୍ଧବିଶ୍ୱାସ, ତର୍କ ହୀନତା ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।