• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଭଲ ବ୍ୟବସାୟ ରାଜନୀତି/Bestbusiness politics
ଗଳ୍ପ

ଭଲ ବ୍ୟବସାୟ ରାଜନୀତି/Bestbusiness politics

suchitraBy suchitraJanuary 31, 2022No Comments7 Mins Read
Facebook Twitter Pinterest Reddit LinkedIn Tumblr Email
Bhala-Byabasaya-Rajaniti
Bhala-Byabasaya-Rajaniti
Share
Facebook Twitter Pinterest Reddit Email

ଆଜିକାଲି ଘରବର ଦେଖା କୁଣିଆ ଆଗକାଳପରି ଜମିବାଡି କେତେ କ’ଣ ଅଛି ପଚାରୁ ନାହାଁନ୍ତି, କି ବାଡିପଟ ପାଳଗଦାର ଉଚ୍ଚତା ମାପୁ ନାହଁନ୍ତି କି ଗୁହାଳର ଗୋରୁ ଖୁଂଟ ଗଣୁ ନାହାଁନ୍ତି । ସେମାନେ ଦାଣ୍ଡର କୁଣିଆ ଦାଣ୍ଡରୁ ଆସିଲେ, ଦାଣ୍ଡ ଘରେ ବସିଲେ, ଜ୍ୱାଇଁ କ’ଣ କରୁଛି? ଚାକିରି କରିଛି ନା ବ୍ୟବସାୟ କରୁଛି? ପଚରା ଉଚରା କଲେ । ଜ୍ୱାଇଁର ରୂପ ଦେଖିଲେ, ଗୁଣ ଦେଖିଲେ, ଜ୍ୱାଇଁ ମୁଲଚାଲ କଲେ, ଯଦି ଜ୍ୱାଇଁ କିଣିବାକୁ ସମର୍ଥ ଅର୍ଥାତ୍ ଯୌତୁକ ଦେଇପାରିଲେ ତେବେ ବସିଲେ, ନାହିଁତ ଦାଣ୍ଡର କୁଣିଆ ପୁଣି ସେହି ଦାଣ୍ଡେ ଦାଣ୍ଡେ ଖସିଲେ ।

ସୁବର୍ଣ୍ଣପୁର ଗାଆଁର ଶ୍ରୀକାନ୍ତ ମିଶ୍ର । ଉଚ୍ଚ ଶିକ୍ଷିତ । ସଳଖ ସୁନ୍ଦର ଭେଣ୍ଡିଆ ଯୁବକ । ଶ୍ରୀକାନ୍ତ ମିଶ୍ରକୁ ଦେଖିବାକୁ ସେଦିନ ଘର ବର ଦେଖା କୁଣିଆ ଆସି ତାଙ୍କ ଦାଣ୍ଡ ଘରେ ବସି ଥାଆନ୍ତି । ଶ୍ରୀକାନ୍ତ ମିଶ୍ରଙ୍କ ମନଟା ଖାଲି ଛନଛନ, କନକନ, ମନରେ ଏତେ ଆନନ୍ଦ ଯେ, କହିଲେ ନସରେ । ମନେ ମନେ କୃଷ୍ଣ ହସ ହସୁ ଥାଆନ୍ତି । ଆପଣା ଇଚ୍ଛାରେ ହସ ବାହାରି ପଡୁଥାଏ । ସତିକା ସେ ଶ୍ରୀକାନ୍ତକୁ ସ୍ୱୟଂ ଷଠୀ ଦେବୀ ଏମିତି ହସାଉଛନ୍ତି । ତେଣେ ଆଉ ଏକ ଘର କୋଠରିରେ ଶ୍ରୀକାନ୍ତ ମିଶ୍ରଙ୍କ ବାପା ଦିନା ମିଶ୍ର ଓ ମାଆ ମିନାକ୍ଷୀଙ୍କର ଫୁସୁରଫାସର ଗପସପ । ଶ୍ରୀକାନ୍ତ ମିଶ୍ରଙ୍କ ମାଆ ମିନାକ୍ଷୀ ଦିନା ମିଶ୍ରଙ୍କୁ କହୁ ଥାଆନ୍ତି ଆଗୋ ଶୁଭୁଛିନା, ତମେ ଜିଦ୍ ଧରିବ, ଦଶଭରି ସୁନା ତିରିଶ ହଜାର ଟଙ୍କା । ଆଉ ଟଙ୍କା ଯଦି ନ ଦେବେ ଆଗୋ ଶୁଭୁଛିନା, କହିବ ଫଟ୍ଫଟିଆ ଗାଡି, କ’ଣ ସେ ଗାଡିଟାମ ଇସ୍କୁଟର ଗାଡି,ଦିନା ମିଶ୍ର ଚିଡି ଚିଡି ହୋଇ କହିଲେ ନା – ନା ମିନାକ୍ଷୀ, ମୁଁ ଏତେ ଫରମାସି ଆଦୌ କରିପାରିବିନି । ଏ ଦର କଷାକଷିକି ମୁଁ ଯମା ପାରିବିନି । ସେଇଠୁ ମିନାକ୍ଷୀ କହିଲେ ବଳଦ ତମର ଅର୍ଥାତ୍ ପୁଅ ତମର, ତମେ କହିବନି ତ ଆଉ କିଏ କହିବ? ତହୁଁ ସେ ଦିନା ମିଶ୍ର କହିଲେ ନା, ନା ସାତ ପୁରୁଷକୁ ବନ୍ଧୁ ବାନ୍ଧିବି କୋଉ ମୁହଁରେ ଏସବୁ କହିବି – ମୁଁ କ’ଣ ସେମାନଙ୍କ ନିକଟରେ ଅଳି କରିବି ୟା ନ ହେଲେ ହବନି, ତା’ନ ଦେଲେ ହବନି । ଜାତିରେ ବ୍ରାହ୍ମଣ ହୋଇ ତଥାପି ମୁଁ ନିର୍ଲୋଭୀ । ତେଣୁ ଏ ଗାଆଁରେ ସମସ୍ତେ ଦିନା ମିଶ୍ରକୁ ନିର୍ଲୋଭୀ କହନ୍ତି । ଆଉ କେହି କେହି ମୋତେ ଦାନବୀର ହରିଶ୍ଚନ୍ଦ୍ର ବୋଲି ମଧ୍ୟ କହନ୍ତି । ମୁଁ ପୁଣି ଯୌତୁକପାଇଁ ଅଳି କରିବି ।

ଶ୍ରୀକାନ୍ତ ମିଶ୍ର ତ ଏସବୁ ଶୁଣୁଥିଲେ । ହଠାତ୍ ବାପାଙ୍କ ସମର୍ଥକ ଭାବରେ ବାହାରି ପଡିଲେ । କହିଲେ – ହଁ ବାପା, ଆମର ଯୌତୁକ ଫୌତୁକ ଆଦୌ ଦରକାର ନାହିଁ । ଆପଣଙ୍କର ଯୋଗ୍ୟ ପୁଅ ହିସାବରେ ମୁଁ ବିନା ଯୌତୁକରେ ବିବାହ କରିବି । ଏତିକି ଶୁଣି ପ୍ରସ୍ତାବକ ଅର୍ଥାତ୍ ମଧ୍ୟସ୍ଥି କହିଲେ ସାବାସ୍ ଶ୍ରୀକାନ୍ତ ସାବାସ୍ । ଏତିକି କହି ମଧ୍ୟସ୍ଥି ସେଠାରୁ ବାହାରି ଆସିଲେ । ଶ୍ରୀକାନ୍ତ ମିଶ୍ର ଏଥର ଫୁଲେଇ ହେଇ କହିଲେ ନା- ଆମର ଯୌତୁକ ମୋଟେ ଦରକାର ନାହିଁ । ଠିକ୍ ସେତିକିବେଳେ ଶ୍ରୀକାନ୍ତ ମିଶ୍ରଙ୍କ ବୁଢୀ ମାଆ କହିଲେ, ଆରେ ଶ୍ରୀକାନ୍ତ ବାହା ହେବାପାଇଁ ଏମିତି ହଉଛୁ ଏ ଯୁଗରେ ସବୁ ପଛ ଯୌତୁକଟା ପରା ଆଗ ଛିଃ, ଛିଃ, ଏଡିକି ନିର୍ଲଜ ତୁ ବାପାଙ୍କ ଆଗରେ ବି କହୁଛୁ ଆମର ଯୌତୁକ ଲୋଡା ନାହିଁ । ଏକଥା ଶୁଣି ଶ୍ରୀକାନ୍ତ ମିଶ୍ର ଚୁପ୍ ରହିଲେ, କ’ଣ ଆଉ ବୁଝେଇବେ ସେପଟେ ଦେଖିଲେ ଭଉଣୀ କହୁଛି ବାପା, ସେମାନଙ୍କୁ କହିବ ସେମାନେ ଆଉ ଯାହା ଦିଅନ୍ତୁ କି ନ ଦିଅନ୍ତୁ ଭାଇକୁ ଯେମିତି ସ୍କୁଟରଟା ନିଶ୍ଚୟ ଦେବେ । ଏକଥା ଶୁଣି ଶ୍ରୀକାନ୍ତ ମିଶ୍ରର ହଠାତ୍ ମନେ ପଡିଲା ମାସେ ଦି’ ମାସ ତଳେ ବୋଉ ତାଙ୍କର ସାନ ଭଉଣୀକି କହୁଥିଲା, ଭାଇ ଯେଉଁ ସ୍କୁଟରଟା ଆଣିବ, ସେଇଟା ତୋ ବରକୁ ଦିଆଯିବ । ଯାହାହେଉ, ସେମାନେ ରାଜି ହେଲେ । ସୁନା ଦଶଭରି ଦେବେ, ସ୍କୁଟରଗାଡି ବି ଦେବେ । ତା’ପରେ ସବୁକଥା ମୀମାଂସା ହୋଇଗଲା । ପୁରୋହିତ “ଯଥା – ରାବଣସ୍ୟ ମନ୍ଦୋଦରୀ ଯଥା – ଧୃତିରାଷ୍ଟ୍ରସ୍ୟ ଗାନ୍ଧାରୀ ଯଥା ନଳସ୍ୟ ଦମୟନ୍ତୀ ତଥା – ଶ୍ରୀକାନ୍ତସ୍ୟ ସ୍ୱର୍ଣ୍ଣଲତା ମନ୍ତ୍ର ଉଚ୍ଚାରଣ କରି ଅଗ୍ନିକୁ ସାକ୍ଷୀରଖି ଶ୍ରୀକାନ୍ତ ମିଶ୍ରଙ୍କ ସହିତ ସ୍ୱର୍ଣ୍ଣଲତା ନାମ୍ନୀ କନ୍ୟାରତ୍ନକୁ ବିବାହ କରିଦେଲେ । ବାହାଘର ପରେ ସ୍ୱର୍ଣ୍ଣଲତା ଜାଣିଲେ ଯେ ବର ତାଙ୍କର ଏକ ପ୍ରାଇଭେଟ୍ କଲେଜରେ ଅଧ୍ୟାପକ । ଏମ୍.ଏ.ରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ପାଂଚ ବର୍ଷ ତଳେ ଚାଳିଶି ହଜାର ଟଙ୍କା ଦେଇ ଅଧ୍ୟାପକ ହୋଇଛନ୍ତି । ମାସକୁ ଦରମା ମାତ୍ର ଚାରି ଶହ ଟଙ୍କା । ଏଣେ ସେ ସ୍ୱର୍ଣ୍ଣଲତାର ଦୁନିଆ ଫରମାସୀ ଶାଢି କିଣା, ଚୂଡି କିଣା, ଗହଣା ଗଢା, କୁକୁଡା ମୋଡା, କାଶ୍ମୀର ଯିବା, ଦାର୍ଜିଲିଂ ଯିବା, ପୁରୀ ଯିବା, କୋଣାର୍କ ଯିବା ଇତ୍ୟାଦି ଇତ୍ୟାଦି । ଖାଇବା, ନାଇବା, ପିନ୍ଧିବା, ବୁଲାବୁଲି କରିବା । ଏସବୁ ଦାବିରୁ କୌଣସି ଦାବିକୁ ରକ୍ଷା କରିବା ଭଳି ସାମର୍ଥ୍ୟ ନାହିଁ ଅଧ୍ୟାପକ ଶ୍ରୀକାନ୍ତ ମିଶ୍ରଙ୍କର । ପ୍ରାଇଭେଟ କଲେଜ ଅଧ୍ୟାପକ ଆଗେ ସାଇକେଲ ଚଢି କଲେଜ ଯାଉଥିଲେ, ଆଉ ପୁଣି ସେ ସାଇକେଲ୍ରେ ଗେଟିସ୍ । ଭଲ ବେଶ ପୋଷାକ ପିନ୍ଧି ଛାଂଟିସ୍ରେ ନଗଲେ କିଏ ବା ତାଙ୍କୁ ଅଧ୍ୟାପକ କହିବେ । ବାହାଘର ପରେ ଶ୍ରୀକାନ୍ତ ମିଶ୍ର ସାଇକେଲ୍ ନଚଢି ଯୌତୁକରେ ମିଳିଥିବା ସ୍କୁଟର ଚଢି କଲେଜ ଗଲେ । କିଛିଦିନ ପରେ ସେ ସ୍କୁଟରଟାକୁ ସେମିତି ଘରେ ରଖିଦେଲେ, କାରଣ ତେଲ ପକାଇବାପାଇଁ ତାଙ୍କ ପକେଟରେ ଆଉ ପଇସା ନାହିଁ । ମୂଷାରୁ ବିଲେଇ, ବିଲେଇରୁ କୁକୁର, ଯେଉଁ ଋଷି ମୂଷାକୁ ବାଘ କରିଥିଲେ ପୁଣି ମନ୍ତ୍ର ପାଣି ସିଂଚି ବାଘକୁ ମୂଷାକରି ଦେଲେ । ସେହିଭଳି ଘରୋଇ ଅଧ୍ୟାପକ ଶ୍ରୀକାନ୍ତ ମିଶ୍ର ସ୍କୁଟର୍ରେ ତେଲ ପକାଇ ନ ପାରିବାରୁ ପୁଣି ସାଇକେଲ ଚଢି କଲେଜ ଗଲେ । ଅର୍ଥାତ୍ କିଛିଦିନ ବାଘ ହୋଇ ପୁଣି ମୂଷା ବନିଗଲେ । ସ୍ୱର୍ଣ୍ଣଲତା ଏକଥା ଜାଣିଲେ ବା ସେ କ’ଣ କରିବେ । ସବୁ ଘଟଣା ଲେଖି ବାପ ଘରକୁ ଚିଠି ଲେଖିଲେ ମାତ୍ର ଚାରିଶହ ଟଙ୍କା ଦରମାରେ କିପରି ଘର ସଂସାର କରିବେ । ବାହାଘର ପୂର୍ବରୁ ସେମାନେ କହୁଥିଲେ ସେ ପାଂଚ ହଜାର ଟଙ୍କା ଦରମା ପାଉଛନ୍ତି । ସ୍ୱର୍ଣ୍ଣଲତା କିଛି ଦିନ ପରେ ବାପ ଘରକୁ ବୁଲିଗଲେ । ସ୍ୱର୍ଣ୍ଣଲତାର ସାଙ୍ଗ ବନଜ୍ୟୋତି ଜଣେ ଶିକ୍ଷୟିତ୍ରୀ । ସାଙ୍ଗ ସ୍ୱର୍ଣ୍ଣଲତାକୁ ଦେଖା କରିବାକୁ ଆସିଲା । ସେ ବନଜ୍ୟୋତି ସ୍ୱର୍ଣ୍ଣଲତାର ଅତି ଅନ୍ତରଙ୍ଗ ସାଙ୍ଗ । ସ୍ୱର୍ଣ୍ଣଲତା ବନଜ୍ୟୋତିକୁ ତା’ ହୃଦୟର ସବୁ କଥା କହେ । ତେଣୁ ବନଜ୍ୟୋତି ସ୍ୱର୍ଣ୍ଣଲତାକୁ ତା’ ଶାଶୁଘର ହାଲଚାଲ୍ ସବୁ ପଚାରିଲା । ତହୁଁ ସେ ସ୍ୱର୍ଣ୍ଣଲତା କହିଲା ଶାଶୂ, ଶ୍ୱଶୁର, ନଣନ୍ଦ ସବୁ ଭଲ ହେଲେ, ବାପା ମୋତେ ଯାହାଙ୍କୁ ବିବାହ ଦେଲେ ସେ ଗୋଟେ ଘରୋଇ କଲେଜ୍ର ଅଧ୍ୟାପକ । ମାସିକ ଦରମା ତାଙ୍କର ମାତ୍ର ଚାରିଶହ ଟଙ୍କା, ମୁଁ କ’ଣ କେବେବି ଏକଥା ଭାବିଥିଲି ଏତିକି କହି ସେ ସ୍ୱର୍ଣ୍ଣଲତା ଖାଲି କାନ୍ଦିଲେ ।

ଘରୋଇ କଲେଜର ମୋ ଅଧ୍ୟାପକ ବର
ନିଜ ଖର୍ଚ୍ଚ ଘରୁ ଲୋଡାରେ ସଙ୍ଗାତ ।
ମୋ କରମ ବଡ ପୋଡା
ଶାଳଗ୍ରାମ ବୋଲି ଚନ୍ଦନେ ପୂଜିଲି
ତୁଳସୀ ତହିଁକି ଲୋଡାରେ ସଙ୍ଗାତ ।
କିଛିଦିନ ଅନ୍ତେ ତାହାକୁ ଦେଖନ୍ତେ
ନିପଟ ବାଲି ଗରଡାରେ
କୋଶଳା ବୋଲି ମୁଁ ମଞ୍ଜି ବୁଣିଥିଲି
ଜଳ ହେଲା ତହିଁ ଲୋଡାରେ
କିଛିଦିନ ଅନ୍ତେ ତାହାକୁ ଦେଖନ୍ତେ
ନିପଟ ଖାରିଆ ଖଡାରେ ସଙ୍ଗାତ ।
ମୋ କରମ ବଡ ପୋଡା ।

ଏହିପରି କେତେ କାନ୍ଦି କାନ୍ଦି ଶେଷରେ ତୁନି ହେଲେ ସ୍ୱର୍ଣ୍ଣଲତା । ତାଙ୍କୁ ସାନ୍ତ୍ୱନା ଦେଲେ ବନଜ୍ୟୋତି । ତାପରେ ବନଜ୍ୟୋତି କହିଲେ, ଦୁଃଖ କରନା ସ୍ୱର୍ଣ୍ଣ, ଏପରା ବିଧିର ବିଧାନ କେ କରିବ ଆନ, ଦଇବ ଦଉଡିରେ ମଣିଷ ପରା ବନ୍ଧା । ସ୍ୱର୍ଣ୍ଣଲତା କହିଲା ବନଜ୍ୟୋତି, ମୋ ଶଶୁରଙ୍କ ଯଜମାନୀ, ଠାକୁର ପୂଜା, ମେଳା ଓଷାରେ ଯାହା ଉପାର୍ଜନ କରିବେ ସେଥିରେ ପରିବାର ଚଳିବ । ତାଙ୍କର ଚାକିରି ଯଦି ସ୍ଥାୟୀ ନ ହୁଏ ତେବେ ମୋର ଦୁଃଖ ତ ଆହୁରି ବଳିଯିବ । ତହୁଁ ପୁଣି ସାନ୍ତ୍ୱନା ଦେବାକୁ ଯାଇ ବନଜ୍ୟୋତି କହିଲେ, ତୁ ମୋଟେ ଚିନ୍ତା କରନା ସ୍ୱର୍ଣ୍ଣ, ତୁ ତ ପାଠ ପଢିଛୁ, ମାଟ୍ରିକ୍ ସିଟି ପାଶ୍ ବି କରିଛୁ । ତେଣୁ ଅତି କମ୍ରେ ତୋତେ ଶିକ୍ଷୟିତ୍ରୀ ଚାକିରିଟିଏ ନିଶ୍ଚୟ ମିଳିବ । ହେଲେ – ସ୍ୱର୍ଣ୍ଣଲତା ଏକଥା ଶୁଣି ପଚାରିଲେ ହେଲେ ପୁଣି କ’ଣ ତହୁଁ ସେ ବନଜ୍ୟୋତି କହିଲେ, ତୁ ନିଜେ ମହାଜ୍ଞାନୀ ହୋଇଥିଲେ ବି ତୋତେ କେହି ବି ପଚାରିବେ ନାହିଁ । ଚାକିରିପାଇଁ ପୁଣି ଲାଂଚ ତ ନିହାତି ଦରକାର । ତୋ ବାପା ତୋତେ ପଚାଶ ହଜାର ଟଙ୍କା ଦେଇ ପାରିବେ । ଟଙ୍କା ଦେଇ ତୁ ଚାକିରି କରିବୁ? ଏକଥା ଶୁଣି ସ୍ୱର୍ଣ୍ଣଲତା କହିଲା ହଁ ବନଜ୍ୟୋତି, ମୋ ବାପାଙ୍କର ବ୍ୟାଙ୍କବାଲାନ୍ସ । ହେଲେ ମୋ ତଳେ ତ ଆଉ ଦୁଇଟା ଭଉଣୀ, ବାପା ଏବେ ମୋତେ ବିବାହ ଦେଇଛନ୍ତି, ପୁଣି ଏତେ ଟଙ୍କା କୋଉଠୁ ଆଣିବେ ଯେ, ଏହି କଥା ଭାବି ଉଭୟେ ଚିନ୍ତାକରି ବସିଲେ । ଦୁଇ ସାଙ୍ଗ ମଉନ ହୋଇ ବସିଲେ । କିଛି ସମୟ ପରେ ବୁଦ୍ଧିମତୀ ବନଜ୍ୟୋତି କହିଲା ସ୍ୱର୍ଣ୍ଣ, ଉପାୟ ମିଳିଗଲା । ତାପରେ ସ୍ୱର୍ଣ୍ଣ ପଚାରିଲା କ’ଣ? ବନଜ୍ୟୋତି କହିଲା – ତୁ ତୋ ସ୍ୱାମୀ ଶ୍ରୀକାନ୍ତ ବାବୁଙ୍କୁ କହିବୁ, ସେ ଅଧ୍ୟାପକ ଚାକିରି ଛାଡି ଦେବେ । ରାଜନୀତି କରିବେ । ମନ୍ତ୍ରୀଙ୍କ ପାଖଲୋକ ହେବେ । ଏପରିକି ନିର୍ବାଚନରେ ଭୁଜାଲି ଧରିବେ, ମାରଧର ବି କରିବେ । ଟଙ୍କା ଆଣିବେ ନିର୍ବାଚନ ପ୍ରାର୍ଥୀଙ୍କଠାରୁ ଭୋଟପାଇଁ ଲୋକମାନଙ୍କୁ ଟଙ୍କା ବାଂଟିବେ । ପ୍ରାର୍ଥୀ ନିର୍ବାଚନରେ ଜିତିଗଲା ପରେ ସବୁ ଠିକ୍ ହୋଇଯିବ । ଆଉ ତୋର ଚାକିରି ବି ହୋଇଯିବ । ବନଜ୍ୟୋତି କଥା ସ୍ୱର୍ଣ୍ଣଲତାର ମନକୁ ବେଶ୍ ପାଇଲା । ସ୍ୱର୍ଣ୍ଣଲତା ବାପ ଘରେ କିଛିଦିନ କଟାଇ ଶାଶୂ ଘରକୁ ଆସିଲେ । ଶ୍ରୀକାନ୍ତ ବାବୁଙ୍କୁ ସବୁକଥା କହିଲେ । ଏହାପରେ ସେ ଶ୍ରୀକାନ୍ତ ବାବୁ ରାଜନୀତି କଲେ । ନିର୍ବାଚନ ବିଧାୟକ ପ୍ରାର୍ଥୀ ଶ୍ରୀ ପୁର୍ଣ୍ଣେନ୍ଦୁ କେଶରୀଙ୍କୁ ଜିତାଇବାକୁ କଲେଜ ପିଲାଙ୍କୁ ଏକଜୁଟ୍ କରି ତାଙ୍କ ସପକ୍ଷରେ ପ୍ରଚାର କଲେ, ଲୋକମାନଙ୍କୁ ଫୁସୁଲା ଫାସିଲ୍ କରି ଲୋକଙ୍କ ମନ ନେଇ ଭୋଟ୍ ନେଲେ । ଶେଷରେ ବିଧାୟକ ପୁର୍ଣ୍ଣେନ୍ଦୁ କେଶରୀ ନିର୍ବାଚନରେ ଜିତି ଗଲେ । ତା’ପରେ ଶ୍ରୀକାନ୍ତି ବାବୁ ପୁର୍ଣ୍ଣେନ୍ଦୁ କେଶରୀଙ୍କୁ ତାଙ୍କ ଗୁହାରୀ ଜଣାଇଲେ ଯେ ତାଙ୍କ ‘ସ୍ତ୍ରୀ’ ସ୍ୱର୍ଣ୍ଣଲତାଙ୍କୁ ଶିକ୍ଷୟିତ୍ରୀ ଚାକିରିଟିଏ ମିଳୁ । ପୁର୍ଣ୍ଣେନ୍ଦୁ କେଶରୀଙ୍କ ଅନୁକମ୍ପାରେ ସ୍ୱର୍ଣ୍ଣଲତାଙ୍କୁ ପ୍ରାଇମେରୀ ସ୍କୁଲ୍ରେ ଶିକ୍ଷୟିତ୍ରୀ ଚାକିରିଟିଏ ମିଳିଗଲା । ସ୍ୱର୍ଣ୍ଣଲତା ଚାକିରି କଲେ । ଶ୍ରୀକାନ୍ତ ବାବୁଙ୍କୁ ଆଉ ବିଶେଷ କିଛି ଅସୁବିଧା ହେଲା ନାହିଁ । ସ୍ୱର୍ଣ୍ଣଲତା ନିଜ ଖର୍ଚ୍ଚ ନିଜେ ଭରଣା କରିବା ପରେ ଶ୍ରୀକାନ୍ତ ବାବୁ ବିଧାୟକଙ୍କ ପାଖଲୋକ ହୋଇ ରାସ୍ତାଘାଟ, ସ୍କୁଲ ଟିୱେଲ ଆଦି କଂଟ୍ରାକ୍ଟ୍ରି କରି ବେଶ୍ ଦୁଇ ପଇସା ରୋଜଗାର କଲେ । ଅଧ୍ୟାପକ ଚାକିରି ଛାଡି ରାଜନୀତି ବ୍ୟବସାୟ କରିବାଦ୍ୱାରା ସ୍ୱର୍ଣ୍ଣଲତା ଓ ଶ୍ରୀକାନ୍ତ ଉଭୟଙ୍କର ଆର୍ଥନୀତିକ ସ୍ଥିତି ସୁଦୃଢ ହେବା ସହିତ ପରିବାରରେ ସୁଖର ଢେଉ ଖେଳିଲା । ତେଣୁ ରାଜନୀତି ବ୍ୟବସାୟଠାରୁ ଭଲ ବ୍ୟବସାୟ ଆଉ ନାହିଁ । ଏହି ବ୍ୟବସାୟଟିକୁ ଶିକ୍ଷିତ ଅଶିକ୍ଷିତ ସମସ୍ତେ କରିପାରିବେ । ଆହା କି ସୁନ୍ଦର ରାଜନୀତି ଭଲ ବ୍ୟବସାୟ ରାଜନୀତି । ଯର୍ଥାଥରେ କହିବାକୁ ଗଲେ ଯାହାର ନାହିଁ ଅନ୍ୟଗତି ସେ ହିଁ କରିବ ରାଜନୀତି ।

Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleମମତା ମାଗେ ମୂଲ/Mamata Mage Mula
Next Article ଜଳ ପରୀର କାହାଣୀ/Jala Parira Kahani
suchitra

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.