• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଉପନ୍ୟାସ»ଭଗିଆ ଆଉ ସାରିଆ :
ଉପନ୍ୟାସ

ଭଗିଆ ଆଉ ସାରିଆ :

ଫକୀର ମୋହନ ସେନାପତିBy ଫକୀର ମୋହନ ସେନାପତିNovember 26, 2018No Comments12 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ତନ୍ତୀସାଇ ମୁଣ୍ତରେ ଭାଗବତ ଘର ଆଉ ଦଧିବାମନ ମନ୍ଦିର । ତନ୍ତୀମାନଙ୍କ ଜାତିଆଣ ଟଙ୍କାରେ ମନ୍ଦିରଟି ତୟାର ହୋଇଅଛି । ଜାତିଆଣ ଟଙ୍କା କଣ ଜାଣନ୍ତି ? ଅବଶ୍ୟ ଏ କଥାଟା ଆପଣଙ୍କୁ ବୁଝାଇଦେବା ଦରକାର ନାହିଁ; ମାତ୍ର ଆଉ ନବ୍ୟ ବାବୁମାନଙ୍କୁ ବୁଝାଇଦେବା ଦରକାର । କାରଣ ସେମାନେ ବିଦ୍ୱାନ୍, ବଡ଼ ବଡ଼ କଥା ପଢ଼ିଅଛନ୍ତି, ବଡ଼ ବଡ଼ କଥା ଜାଣନ୍ତି । ଆପଣା ଜେଜେବାପାର ବାପା ନାମ ପଚାର, ଅଣ୍ତାଳି ହେବେ, କିନ୍ତୁ ଇଂଲଣ୍ତର ତୃତୀୟ ଚାର୍ଲସ୍‌ର ପଞ୍ଚଦଶ ପୁରୁଷଙ୍କ ନାମ ସେମାନଙ୍କର କଣ୍ଠସ୍ଥ । ଇଂରେଜ ସମାଜ ବା ଫରାସୀସମାଜର କଥାଗୁଡ଼ିକ ପଢ଼ିଲେ ଲୋକେ ବିଦ୍ୱାନ୍ କହିବେ । ଆପଣାର ବା ପ୍ରତିବାସୀ ଜାତି ଓ ସମାଜର କଥା ଜାଣିବାର ଦରକାର କ’ଣ ? ଯାଉ, ସେଥିରେ କଣ ଅଛି ? ବାବୁମାନେ ଏକଥା ଶୁଣିଲେ ଖପା ହୋଇଯିବେ, ଆମ୍ଭମାନଙ୍କର କହିବା ଦରକାର କଣ ?

ଜାତିଆଣ ଟଙ୍କାର ଅର୍ଥ ଏହି ଯେ, ଜାତି ମଧ୍ୟରେ କେହି ଭଲ ମନ୍ଦ କଲେ ପଞ୍ଚମାନେ ତାହାକୁ ଜରିମାନା କରନ୍ତି କିମ୍ବା କେହି ଗରିବ ଜାତିଭାଇ ଦେଇ ନ ପାରିଲେ ପଞ୍ଚଗୋସାଇଁ କିଛି ମାନ୍ୟନେଇ ତାହାକୁ ଉଠାଇ ନିଅନ୍ତି । ଟଙ୍କା ପରମାଣିକ ଜିମାରେ ଥାଏ । ସେହି ଟଙ୍କାରେ ମନ୍ଦିରଟି ତୟାର ହୋଇଅଛି । ଏହି ନିୟମ ସବୁ ହାଟୁଆ ଜାତିରେ ଚଳେ । ଆହା ! ଏହି ସୁନ୍ଦର ପ୍ରଥାଟି ଦିନକୁ ଦିନ ଲୋପ ପାଉଅଛି । ଆଜିକାଲି ଅଦାଲତ ଦୁଆର ମେଲା, ଲୋକମାନେ ଜ୍ଞାନୀ ଅର୍ଥାତ୍ ସଭ୍ୟ ହେଲେଣି, ପାଞ୍ଚଶାସନ କିଏ ମାନୁଛି ? ଇଂରେଜୀ ଆଇନ କହେ, ‘ଦେଖ ବାବା ସାବଧାନ ! ତୁମ୍ଭେ ଯଦି କିଛି ଅପରାଧକର ଆଉ ସଥିରେ ଯଦି ଆଇନସଙ୍ଗତ ପ୍ରମାଣ ପାଉଁ ଦଣ୍ତ ଦେବୁ ।’

ଚଲାକ୍ ଲୋକ କହିଲା, ‘ଆଜ୍ଞା ଆପଣ ଯେମନ୍ତ ପ୍ରମାଣ ନ ପାଇବେ ସେଥିର ଫିକର ମୋତେ ଜଣା ।’ ଆଉ ଓକିଲ ତାହା ପିଠି ଥାପୁଡ଼ାଇ କହିଲେ, ‘କୁଛ ପରବା ନେହିଁ, ଟଙ୍କା ଆଣ, ମୁଁ କଳାକୁ ଧଳା ଧଳାକୁ କଳା କରିଦେବି । ‘ଏଥିରେ ଏହି ଫଳ ହେଉଅଛି ଯେ, ଅନେକ ଚଲାକ୍ ଓ ଧନବାନ ଲୋକ ଶତ ଅପରାଧ କରି ମଧ୍ୟ ଦେହ ଝାଡ଼ି ଚାଲିଯାଉଅଛନ୍ତି, ନିରୀହ ନିର୍ଦ୍ଧନ ଲୋକଙ୍କୁ ହରବରରେ ପଡ଼ିବାକୁ ହେଉଅଛି । ଆଉ ଦୁଇ ପକ୍ଷ ମକଦ୍ଦମାରେ ଟଙ୍କା ବାଣ୍ଟି କାଙ୍ଗାଳ । ସେହି ଟଙ୍କା ବାର ଭୂତ ଗୋଟାଇ ଖାଉଅଛନ୍ତି । ଆଉ ପଞ୍ଚୁଆତିଙ୍କ ଆଖିରେ ଧୂଳି ପକାଇବାର ବାଟ ନାହିଁ । ପୁଣି ପ୍ରକୃତ ଅପରାଧୀ ଠାରୁ ଜରିମାନା ଅସୁଲ ଟଙ୍କା ସତ୍‌କାର୍ଯ୍ୟରେ ଲାଗୁଥିଲା । ନିର୍ବୁଦ୍ଧିତ୍ୱର ସହିତ ତନ୍ତୀଜାତିର ଗୋଟାଏ ସମ୍ବନ୍ଧ ଥିବାର ସମସ୍ତେ ବୋଲନ୍ତି । କାହାରି ବୁଦ୍ଧିର ତ୍ରୁଟି ଦେଖିଲେ ଲୋକେ ବୋଲନ୍ତି, ଆରେ ତୁଟା ତନ୍ତୀ ନା କ’ଣରେ ?’ ଅର୍ଥାତ୍ ତୁ ତନ୍ତୀ ପରି ହୁଣ୍ତା । ଆପଣ ସଭ୍ୟତା ଶିଖିଥିଲେ ତନ୍ତୀମାନଙ୍କର ଦଧିବାମନ ମନ୍ଦିର ତୟାର କଥା ଶୁଣି ସେହି ପ୍ରବାଦକୁ ଅକାଟ୍ୟ ସତ୍ୟ ବୋଲି ବିଶ୍ୱାସ କରିବେ । ଆପଣ କହିବେ, ସାଧାରଣ ଟଙ୍କା ଗୁଡ଼ିକ ଏପରି ଅପବ୍ୟୟ କିମ୍ପା ? କିଲିଟର ସାହେବଙ୍କ ନାମରେ ହାସପାତାଳ ବସାଅ, ମନ୍ଦିରଟା କନ?

ଆପଣଙ୍କ ମନ ଯୋଗେଇ କଥା କହିବା ଆମ୍ଭମାନଙ୍କର କାର୍ଯ୍ୟ; ମାତ୍ର ଆପଣଙ୍କ କଥାଟା ଆମ୍ଭମାନଙ୍କ ମନକୁ କିପରି ଲାଗୁଅଛି । ଆପଣଙ୍କୁ କୁହାଯାଉ ନାହିଁ ଏ କଥା ଠିକ୍, କିନ୍ତୁ ତନ୍ତୀ ବୁଦ୍ଧି ଅର୍ଥ କଣ ଜାଣନ୍ତି, ଏହା ଗୋଟାଏ ଯୋଗରୂଢ଼ ଶବ୍ଦ । ଯେମନ୍ତ ପଙ୍କଜ ବୋଇଲେ ପଦ୍ମ, ତେବେ ପଙ୍କରୁ ଯେ ଜାତ ହେବ ଅର୍ଥାତ୍ ଘୋଡ଼ାଦଳ, ଶିଉଳି, ଶାମୁକା, ଗେଣ୍ତା ସମସ୍ତେ କି ପଦ୍ମ ? ତାହା ନୁହେଁ । ସେହିପରି ତନ୍ତୀ ଅର୍ଥ ନିର୍ବୁଦ୍ଧିଆ, ନିର୍ବୁଦ୍ଧିଆ ଅର୍ଥ ତନ୍ତୀ ନୁହେଁ । ସେଦିନ ମାଞ୍ଚେଷ୍ଟରର ତନ୍ତିମାନେ ପାର୍ଲିଆମେଣ୍ଟ କମ୍ପାଇଦେଲେ, ତାହା କି ଜାଣନ୍ତି ନାହିଁ ? ଆପଣ ଯେ ବାବୁ ସାଜିଅଛନ୍ତି, ତାହା ତ କେବଳ ତନ୍ତୀ ପ୍ରସାଦାତ୍ । ଏ ପ୍ରକାର ତନ୍ତୀଙ୍କ ବୁଦ୍ଧି ପ୍ରତି ଦୋଷାରୋପ କରିବା ଏକପ୍ରକାର ବୈମାନି । ହିସାବ ଧରିଲେ ଆମ୍ଭମାନଙ୍କ ପୂର୍ବପୁରୁଷ ସମସ୍ତେ ତନ୍ତୀ ଥିଲେ । ଏଥିର ପ୍ରମାଣ ସଂଗ୍ରହ ନିମନ୍ତ ପ୍ରତ୍ନତତ୍ତ୍ୱ ବିଦ୍ୟାର ଅନୁଶୀଳନ କରିବାର ନାହିଁ ଗ୍ରାମ ଗ୍ରାମକେ ଠାକୁର ମନ୍ଦିରଗୁଡ଼ିକ ସେଥିରେ ପ୍ରତ୍ୟକ୍ଷ ସାଖି । କୌଣସି ବିଷୟରେ ଦୁଇପଟ ନ ଦେଖି ହଠାତ୍ ସିଦ୍ଧାନ୍ତରେ ଉପନୀତ ହେବା ତନ୍ତୀତ୍ୱର ଚିହ୍ନ ବୋଲି ଆମ୍ଭେମାନେ ବିଶ୍ୱାସ କରୁଁ । ଦେଖାଯାଉ, ଠାକୁର ମନ୍ଦିରଗୁଡ଼ାକ ବାସ୍ତବିକ ତନ୍ତୀଙ୍କ କାର୍ଯ୍ୟକି ନୁହେଁ । ଘୋର ମଫସଲିଆ ଲୋକମାନଙ୍କ କଥା ଆପଣଙ୍କୁ ଜଣାଥିବ । ସେମାନେ ଦିନ ଯାକ ଦୁଃଖଧନ୍ଦାରେ ଲାଗିଥାନ୍ତ, ସଞ୍ଜ ହେଲେ ମୁଠାଏ ମୁଠାଏ ଖାଇ ଶୋଇପଡନ୍ତି । ଗ୍ରାମରେ ଧର୍ମ ପ୍ରଚାରକ ନାହାନ୍ତି, ଲାଇବ୍ରେରୀ ନାହିଁ, ଧର୍ମକଥା କାହୁଁ ଶୁଣିବେ ? ଠାକୁର ମନ୍ଦିରରେ ସଞ୍ଜ ସକାଳେ ଶଙ୍ଖ, ଘଣ୍ଟାବାଜେ । ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ଶବ୍ଦ ଜଣାଇ ଦିଏ ଜଗତରେ ପ୍ରଭୁ ଅଛନ୍ତି । ସେଠାରେ ଭାଗବତ ଗାଦି ଅଛି, ରାଧାଷ୍ଟମୀ, ଜନ୍ମାଷ୍ଟମୀ, କାର୍ତ୍ତିକ ମାସ ପ୍ରଭୃତି ପର୍ବଦିନ ମନ୍ଦିରରେ ଭାଗବତ ପାଠହୁଏ, ଲୋକମାନେ ଯାଇ ଶୁଣନ୍ତି । ମନ୍ଦିର ନ ଥିଲେ ପ୍ରଭୁଙ୍କ ନାମ ବା ଧର୍ମଗ୍ରନ୍ଥ ଶୁଣିବାର ଉପାୟ ନ ଥିଲା । ବିଦେଶୀ ଲୋକ କିମ୍ବା ଗ୍ରାମରେ କାହାରି ଖଞ୍ଜ ଅଖଞ୍ଜରେ ଭାତରନ୍ଧା ହୋଇ ନ ପାରିଲେ ପୂଜାହାରୀ ପାଖରେ ଯୋଡ଼ାଏ ପଇସା ପକାଇଦେଲେ ପେଟେ ପ୍ରସାଦ ଖାଇବାକୁ ମିଳେ । ପଞ୍ଚୁଆତି, ଗ୍ରାମଲୋକଙ୍କ ଦୋଷାଦୋଷର ବିଚାର ଠାକୁରମନ୍ଦିରରେ ହୁଏ । ଆମ୍ଭେମାନେ ସଂକ୍ଷେପରେ ଇଂରାଜୀ ତରଜମା କରିଦେଲେ ଆପଣା ସହଜରେ ବୁଝିପାରିବେ, ଠାକୁରମନ୍ଦିର ଗୁଡ଼ିକରେ ଗ୍ରାମ ମଧ୍ୟରେ ଚର୍ଚ୍ଚ (ଦେବାଳୟ), ପବ୍‌ଲିକ୍ ଲାଇବ୍ରେରୀ (ସାଧାରଣ ପୁସ୍ତକାଳୟ), ହୋଟେଲ (ଭୋଜନାଳୟ), ଟାଉନ୍ ହଲ୍ (ଭାଗବତ ଘର) ଏହି ଚାରି କାର୍ଯ୍ୟ ଚଳେ । ସେ କଥା ଯାଉ, ଆମ୍ଭମାନଙ୍କୁ ଆଉ କଥା ଲେଖିବାକୁ ହେବ ।

ଆଉ ଆଉ ହାଟୁଆ ଜାତିଙ୍କ ପରି ତନ୍ତୀମାନଙ୍କର ମଧ୍ୟ ଜଣେ ପରମାଣିକ ଅଛି, ସେ ଜାତି ମଧ୍ୟରେ ପ୍ରଧାନ । ପରମାଣିକ କୁ ନ ଧରିଲେ ଜାତିଆଣ କର୍ମ କିଛି ଚଳେ ନାହିଁ । ବାହା, ପୁଆଣି ହେଲେ ପରମାଣିକ ଜାତିରେ ଗୁଆ ଦିଏ । ସେଥିସକାଶେ ମୂର୍ତ୍ତିଏ ଲୁଗା ଆଉ ଗୋଟିଏ ଗୁଆ ମାନ୍ୟ ପାଏ । ଜାତିର ହାରିଗୁହାରି ପରମାଣିକ ଠାରେ ହେଲେ ସେ ଗୁଆ ଦେଇ ପଞ୍ଚୁଆତ ସଙ୍କୁଳି ଆଣେ । ସଭାରେ ଫୁଲଚନ୍ଦନ ଆଗେ ପରମାଣିକକୁ ଦିଆଯାଏ । ଜାତିଭାତରେ ପରମାଣିକ ଆଗେ କୃଷ୍ଣ ନ କଲେ କାହାରି ହାତ ଚଳେ ନାହିଁ । ଏହି ପରମାଣିକ ପଦଟା ପୁରୁଷାନୁକ୍ରମିକ ଅର୍ଥାତ୍ ପରମାଣିକ ପୁଅ ପରମାଣିକ ହେବ କିମ୍ବା ତାହା ବଂଶରୁ କେହିଜଣେ ହେବ, ଯେ ସେ ଲୋକ ହୋଇପାରିବ ନାହିଁ । ବର୍ତ୍ତମାନ ପରମାଣିକର ନାମ ଭଗିଆ ଚନ୍ଦ । ଭଗିଆ ବିଚରା ବଡ଼ ସାଦାସିଧା ଲୋକ, ଛନ୍ଦ କପଟ ତା ମନ କୁ ଛୁଇଁ ନାହିଁ । ତାକୁଶାଗ କହ ହଁ, ମୁଗ କହ ହଁ । ଗାଁ ଲୋକମାନେ ଭଗିଆକୁ ହୁଣ୍ତା ତନ୍ତୀ ବୋଲି ଡାକନ୍ତି । ଆପଣଙ୍କ ମୁହଁ ଆକାରରୁ ସବୁକଥା ଜଣାପଡ଼ିଗଲାଣି । ଆପଣ କହୁଛନ୍ତି ବା କହିବେ କିମ୍ବା କହିବାକୁ ମନେ କରିଅଛନ୍ତି ବା କରିବେ – ଏ ଗୁଡ଼ାକ ନିପଟ ତନ୍ତୀ ନୁହନ୍ତି ତ ଆଉ କଣ ? ବାପା ପରମାଣିକ ଥିଲା ବୋଲି ହୁଣ୍ତାଟାକୁ ସରଦାର କରି ସବୁ ତନ୍ତୀଗୁଡ଼ାକ ତାକୁ ଜୁହାରୁଛନ୍ତି । ଆରେ ବାବୁ, ଯେବେ ଜଣେ ସରଦାର କରିବାର ଦରକାର ହେଲା, ପାର୍ଲିଆମେଣ୍ଟର ମେମ୍ବର ବା ଇଉନାଇଟେଡ୍ ଷ୍ଟେଟ୍‌ର ପ୍ରେସିଡେଣ୍ଟ ବାଛିଲାପରି ପାଞ୍ଚଜଣର ଭୋଟ (ମତ) ନେଇ ଜଣେ ସିଆଣିଆ ଭଳିଆ ଲୋକକୁ ପରିମାଣିକ କର । ତାହା ନ କରି ବାପ ପରମାଣିକ ଥିଲା ବୋଲି ଅଯୋଗ୍ୟ ଲୋକଟାକୁ ପରମାଣିକ କରି ବସିଅଛ । କଥାଟା ଏକା ସତ । ମନ ଲାଗିଗଲା ପରା । ହକ୍ କଥାରେ ଉଁ ଚୁ କରିବାକୁ କି ବାଟ ଥାଏ ? ଆମ୍ଭେମାନେ ବରାବର ତନ୍ତୀମାନଙ୍କ ପଟ ଧରି ଚାଲିଲୁ, ଏଣିକି ଆଉ ବାଟ କାହିଁ ? ଆମ୍ଭେମାନେ ପ୍ରତିଜ୍ଞା କରିଛୁ ବା କରିବୁ, ତନ୍ତୀ କଥାରେ ଆଉ ପାଖ ପଶିବୁଁ ନାହିଁ, ହେଲେ, ତନ୍ତୀମାନଙ୍କୁ ଚିହ୍ନି ରଖିବା ଉଚିତ୍ । ହେ ପାଠକ ଅବଧାନ! ଆମ୍ଭ ମାନଙ୍କର ଜ୍ଞାନ ଅତି ଅଳ୍ପ; ସୁତରାଂ ତନ୍ତୀ ଚିହ୍ନିବାକୁ ନିତାନ୍ତ ଅକ୍ଷମ । ଅନୁଗ୍ରହ କରି ଆମ୍ଭମାନଙ୍କୁ ତନ୍ତୀ ଚିହ୍ନାଇ ଦେଉଁନ୍ତୁ । ହିନ୍ଦୁ ହୋଇଥିଲେ ବେଦ ବେଦାନ୍ତ ହିନ୍ଦୁଶାସ୍ତ୍ର ଅବଶ୍ୟ ମାନ୍ୟ କରିବେ। ଶାସ୍ତ୍ରରେ ଅଛି ‘ସମୋଦମସ୍ତପଃ ଶୌଚଂ ସନ୍ତୋଷଂ କ୍ଷାନ୍ତିରାର୍ଜବଂ ମଦ୍ ଭକ୍ତିଶ୍ଚ ଦୟା ସତ୍ୟଂ ବ୍ରହ୍ମ ପ୍ରକୃତମୟସ୍ତ୍ୱମାଃ’ ଏହି ସମସ୍ତ ବ୍ରହ୍ମତ୍ୱର ଲକ୍ଷଣ । ସେହି ବ୍ରାହ୍ମଣଙ୍କ ପଦ ଧୂଳି ଆମ୍ଭେମାନେ ମସ୍ତକରେ ଧାରଣ କରିବାକୁ ଶଏବାର ପ୍ରସ୍ତୁତ; ମାତ୍ର – <poem> ଶୁଣ ପରୀକ୍ଷ ନରନାଥ । ତାମ୍ପଡ଼ା ଶୁଖୁଆ ପଖାଳ ଭାତ ।। ସି-ଅକ୍ଷର ବିବର୍ଜିତ । ଚିତା-ପଇତାଦି ଶୋଭିତ ।। ବିଲ ବାଛିବାକୁ ଆଗ । ଦହି ଚୂଡ଼ାକୁ ବାଘ ।। ସନ୍ଧ୍ୟା – ଗାୟତ୍ରୀହୀନ । ବିଳରୁ ଚିପନ୍ତୁ ମୀନ ।। ପୋଥିରୁ ନ ଫିଟେ ଡୋରି । ଯଜମାନ ଚାଉଳ -ଚୋରି ।। ସଭାରେ ନ ଫିଟେ ପାଟି । ନାମଟି ସୁନ୍ଦର ତ୍ରିପାଠୀ ।।

ସୁନ୍ଦର ତିହାଡ଼ିକୁ ଓଳଗି ହୁଏ, କାରଣ ସେ ବ୍ରାହ୍ମଣ ଔରସରୁ ଜାତ । ସୁନ୍ଦର ତିହାଡ଼ି ଆପଣଙ୍କ କୁଳପୁରୋହିତ, ଯେହେତୁ ତାହାଙ୍କ ବାପା ପୁରୋହିତ ଥିଲେ । ଆପଣଙ୍କୁ ବୋଲିବାକୁ ସାହସ ଅଣ୍ଟୁନାହିଁ, କିନ୍ତୁ ଆମେମାନେ ପାଞ୍ଜିରେ ନାମ ଲେଖିରଖିଲୁ ।
ପୁଣି ଶାସ୍ତ୍ରରେ ଲେଖାଅଛି ଯେ – <poem> “ଅଜ୍ଞାନ ତିମିରାନ୍ଧସ୍ୟ ଜ୍ଞାନାଞ୍ଜନଶଳାକୟା । ଚକ୍ଷରୁନ୍ନିଳିତଂ ଯେନ ତସ୍ମୈ ଶ୍ରୀ ଗୁରୁବେ ନମଃ ।”

ଅଜ୍ଞାନରୂପ ନେତ୍ର ରୋଗରେ ଅନ୍ଧ ବ୍ୟକ୍ତିର ଚକ୍ଷୁ ଜ୍ଞାନରୂପ ଅଞ୍ଜନଶଳାକାଦ୍ୱାରା ଯେ ଉନ୍ନୀଳିତ କରନ୍ତି, ସେହି ଗୁରୁଙ୍କୁ ନମସ୍କାର କର । ସତ୍ୟ ବୋଲନ୍ତି ଏପରି ଲୋକକୁ ଗୁରୁ କରନ୍ତି, କି ଗୁରୁର ପୁତ୍ର ଆପଣଙ୍କ ଗୁରୁ ? ଯାଉ ସେ କଥାଗୁଡ଼ାକ – କହିଲେ କଣ ହେବ ? ମାତ୍ର ତନ୍ତୀ ଚିହ୍ନା ପଡ଼ିଗଲେ । ଗୋଦରୀ ଲୋ ଆପଣା ଗୋଡ଼କୁ ଅନା । ଖୋଜିବସିଲେ ଦରଦର ‘କୁହୁଡ଼ି ପହଁରା’ ଢ଼େର ପାଇବା । ଧାନ କୁଟୁଣା ଭାଗବତ ପଢ଼ିଲା ପରି ଆମ୍ଭେମାନେ ଗାଁ କଥା ଲେଖୁ ଲେଖୁ ଆପଣଙ୍କ ଭଳିଆ ଲୋକଙ୍କ କଥା କହି ବସିଅଛୁଁ । ତେବେ କଣ ଜାଣନ୍ତି, ବିଷୟଟା ପଡ଼ିଲେ ଖାଲରେ ପଡୁ, ଢିପରେ ପଡୁ ସମସ୍ତେ ଦି’କଥା ମାରିଦିଅନ୍ତି । ସଂକୀର୍ତ୍ତନରେ ହାଉଡ଼ା ମଧ୍ୟ ଆଁ କରିଦିଏ । ସେସବୁ କଥା ଥାଉ, ଏବେ ଗାଁକଥା ଶୁଣନ୍ତୁ । ଆଟିକାମାପକୁ ପଲମ । ଭଗିଆ ଯେପରି ହୁଣ୍ତା, ତ ଭାର୍ଯ୍ୟା ସେହିପରି ହୁଣ୍ତୀ, ନାମଟା ସାରିଆ । ବୟସ ଅନ୍ଦାଜ ପଚିଶ ହେବ । ସାରିଆର ଗୁଣ ତ ଶୁଣିଲେ, ରୂପ କଥା ଶୁଣିବେ କି? ଦେଖନ୍ତୁ ପରପ୍ରତ୍ୟାଶୀ ହେବା ଗୋଟାଏ ଭାରି ଖରାପ କଥା । ଆପଣ ବୁଦ୍ଧିବଳରେ ଅନୁମାନ ଦ୍ୱାରା କିଛି କିଛି ବୁଝିବାକୁ ଚେଷ୍ଟାକରନ୍ତୁ । କେବଳ ଆମ୍ଭମାନଙ୍କ ହାତକୁ ଚାହିଁ ରହିବେ ନାହିଁ । ଅନୁମାନ ଦ୍ୱାରା ବୁଝିବାକୁ ହୁଏ ସେଥିର ମୂଳସୂତ୍ର ଶୁଣିଲେ ଆପଣଙ୍କ ବାଟ ଫିଟିଯିବ । ଯେବେ ଶୁଣିବେ ଯୁବତୀ ରାଜକନ୍ୟା, ତକ୍ଷଣେ ବୁଝିଯିବେ, ସେ କନ୍ୟାଟି ଭାରି ସୁନ୍ଦରୀ, ଭାରି ଗୁଣବତୀ,”ନାହିଁ ନ ଥିବା ପଟାନ୍ତର, ରମା, ଉମା ସଙ୍ଗେ ତାକୁ ଧର ।” ହେଉ ପଛେ ଉଆଉଗାଲୀ, ପେଚାନାକୀ, ସେ କଥା ଧରିବେ ନାହିଁ । ଯେବେ ଶୁଣିବେ ଫଲଣା ଜମିଦାର ହାତରେ ଢେର ଟଙ୍କା ଅଛି, ତକ୍ଷଣେ ବୁଝିଯିବେ, ସେ ରୂପବାନ, ଗୁଣବାନ, ଦାତା, ଦୟାଳୁ ଇତ୍ୟାଦି । ଆମ୍ଭମାନଙ୍କ ସାରିଆ ଗାଁର ତନ୍ତୀଆଣିଟିଏ । ଏବେ ସକଳ କଥା ବୁଝିନିଅନ୍ତୁ । ଭଗିଚନ୍ଦ ଆଉ ସାରିଆ, ଘରକୁ ଦୁଇ ପରାଣୀ । ମାଈକିନିଆମାନେ କହନ୍ତି, ଦୁଇ ପରାଣିଆ ଭଲ, ବାନ୍ଧି କତରା ଚଲ । “ଆମ୍ଭମାନଙ୍କ ହୁଣ୍ତାହୁଣ୍ତୀ କଥା ସେହିପରି । ନ କଡ଼ ଛକଡ଼ ନାହିଁ । ଦୁଇଜଣଙ୍କର ନିମଷେ ଛାଡ଼ବାଡ଼ ଥାଏନାହିଁ । ଦୁହେଁ ମିଳିମିଶି ଘରକାମ କରନ୍ତି, ଭଗିଆ ତନ୍ତ ବୁଣିବାବେଳେ ସାରିଆ ନଳି ବଳେ, ନୁଣ୍ତି କାଢ଼େ ଚଉଶିରେ ସୁଣଦିଏ ସାରିଆ ଭାତ ରାନ୍ଧିବା ବେଳେ ଭଗିଆ ଚୁଲି ଫୁଙ୍କେ ପାଣି ଆଣିଦିଏ । ଗାଁର ମସ୍କରା ନିନ୍ଦୁକ ଲୋକମାନେ ସେମାନଙ୍କୁ ଦେଖି ଢଗ ମେଲାନ୍ତି – “ସାରିଆ ଭଗିଆକୁ ଦେଖ, ବଗଲା ବଗୁଲୀ ଲେଖ ।” ଆହା! କି ଅପୂର୍ବ କବିତା ହେଲା; ମାତ୍ର ଆମ୍ଭେମାନେ ବୋଲୁ, ଏପରି ନିନ୍ଦା ଯେଉଁମାନଙ୍କ ନାମରେ ରଟେ, ସେହିମାନେ ଏକା ପ୍ରାଣରେ ଅନୁଭବ କରନ୍ତି । କୌଣସି ଇଂରେଜ କବି କହିଅଛନ୍ତି “ଯେଉଁମାନେ ବିଶୁଦ୍ଧ ଦାମ୍ପତ୍ୟ ପ୍ରେମ ଅନୁଭବ କରନ୍ତି, ସେମାନେ ସ୍ୱର୍ଗୀୟ ଜୀବ । ସେହି ପ୍ରେମରେ ଯାହାର କଳଙ୍କ, ସେ ନରକର ଯନ୍ତ୍ରଣା ଭୋଗ କରେ ।” ଓହୋ! ଆମ୍ଭେମାନେ ଗୋଟାଏ ଉତ୍କଟ ଭୂଲ କରିପକାଇଛୁ, “ମୁନୀନାଞ୍ଚ ମତିଭ୍ରମ” ମୁନିମାନେ ଲେଖାପଢ଼ା କରିବାବେଳେ ବଡ଼ ଭୂଲ କରିପକାନ୍ତି, ଅର୍ଥାତ୍ ଯେଉଁମାନେ ଲେଖିବାବେଳେ ଭୁଲନ୍ତି, ସେମାନେ ମୁନି । ସୁତରାଂ ଆଜିଠାରୁ ଲୋକମାନେ ଯେ ଆମ୍ଭମାନଙ୍କୁ ମୁନି କିମ୍ବା ଋଷି ବୋଲି ଡାକିବେ ସେ ବିଷୟରେ କିଛିମାତ୍ର ସନ୍ଦେହ ନାହିଁ । ଓହୋ, କି ଭାଗ୍ୟ ବରଷସାରା ସାହେବଙ୍କ ଦୁଆରେ ନେଉଳପରି ଲୁଙ୍ଗ ଲୁଙ୍ଗ ହେବାକୁ ନାହିଁ, କରଜଦାମ କରି ହଜାର ହଜାର ଟଙ୍କା ଖରଚରେ ଡାକ୍ତରଖାନା ବସାଇବାକୁ ନାହିଁ କିମ୍ବା ନିହାତି ସହଜ କଥା ବକ୍‌ସିସ୍ ଦେଇ ଫରାସୀମାନଙ୍କ ଗୋଡ଼ ହାତ ଧରିବାକୁ ନାହିଁ, ମାହାଳିଆଟାରେ କେଡେ ନାମଟାଏ ପାଇଗଲୁ ! ମାତ୍ର ସତ୍ୟର ମର୍ଯ୍ୟାଦା ରକ୍ଷା ନିମନ୍ତେ ସ୍ୱାର୍ଥତ୍ୟାଗ କରିବାକୁ ଅମ୍ଭେମାନେ କେବେହେଁ କାତର ନୋହୁଁ । ‘ନ ମିଥ୍ୟା ପାତକଂ ପରଂ’, ଅସ୍ୟାର୍ଥ – ମିଥ୍ୟା ଆଉ ପାତକ ପର ନିକଟକୁ ଯାଏ ନାହିଁ, ଆପଣା ପାଖେ ଥାଏ । ଏଥିସକାଶେ ଆମ୍ଭେମାନଙ୍କୁ ସତ୍ୟକଥା ଲେଖିବାକୁ ହେଉଛି । ଭଗି ସାରୀ ଦୁଇପ୍ରାଣୀ ନୁହଁନ୍ତି । ଗୋଟିଏ ଗାଈ ଅଛି, ନାମ ନେତ, ତାକୁ ଲଗାଇ ତିନିପ୍ରାଣୀ । ଗାଈଟାକୁ ଆମ୍ଭେମାନେ ମନୁଷ୍ୟ ସାଙ୍ଗରେ ଗଣିଲୁ, ସେଥିରେ କଥା ଅଛି । ନେତକୁ ସାରିଆ ଝିଅପରି ପୋଷିଥାଏ, ଝିଅପରି ଗେହ୍ଲା କରେ । ପରମେଶ୍ୱର ମନୁଷ୍ୟ ମନରେ ଏକ ଆଶ୍ଚର୍ଯ୍ୟ ଅପତ୍ୟସ୍ନେହ ଦେଇଛନ୍ତି । ଭୋକବେଳେ ଭାତ ନ ପାଇଲେ ଲୋକେ ଡାଳପତ୍ର ଚୋବାଇବା ପରି ଯାହାର ପିଲାଝିଲା କିଛିନାହିଁ, ସେ କୁକୁର ପିଲାଟିଏ, ବିରାଡ଼ି ପିଲାଟିଏ କିମ୍ବା ଛଡ଼ାଟିଏ ପୋଷିବାକୁ ଭଲପାଏ । ସାରିଆ ଦିନରାତି ନେତ ସାଙ୍ଗରେ ଲାଗିଥାଏ । ପଘାରୁ ଫିଟି ମଧ୍ୟ ନେତ କାହିଁ ଯାଏ ନାହିଁ, ସାରିଆ ପାଖେ ପାଖେ ଥାଏ । ଟିକିଏ ଦାଣ୍ତକୁ ଚାଲିଗଲେ ସାରିଆ ଡାକେ, ‘ନେତଲୋ’ । ନେତ କହେ, ହଂ ମାଁ । ଧାଇଁଆସି ସାରିଆକୁ ଚାଟେ, ସାରିଆ ତା’ ଦେହରେ ହାତ ବୁଲାଇଦେଇ ଢ଼େର୍ ଦୁଃଖ ସୁଖ କଥା କ ହେ । ପଖାଳ ବେଲାରେ ନେତ ମୁହଁ ଡୁବାଇଦେଲେ ସାରିଆ ତାକୁ ଗୋଟିଏ ସାନ ପ୍ରେମ ଚାପୁଡା ମାରି ଡାଙ୍କୁଣୀଟା ବୋଲି ଗାଳିଦିଏ । ଆମ୍ଭେମାନେ ଜାଣୁ, ସେହି ଗାଳି ଭିତରେ ସାରିଆ ଆନନ୍ଦ ଓ ପ୍ରେମ ପୂର୍ଣ୍ଣ ଥାଏ । ଭଗିଆ, ସାରିଆ, ନେତ ତିନି ପ୍ରାଣୀ ଗୋଟିଏ ଘରେ ଶୁଅନ୍ତି । ସାରିଆ ନେତ ପଛରେ ତସୁ ଓ ଘଷି ଗୁଣ୍ତାରେ ଗୋଟାଏ ଧୂଆଁ ଦିଏ । ନେତଟି ବଡ ସୁଲକ୍ଷଣୀ, ହାଲକୁ ପ୍ରଥମେ ପଛରେ ଛଡ଼ାଟିଏ ଲାଗିଛି । ନେତର ସର୍ବାଙ୍ଗ କଳା, ମୁଣ୍ତରେ ଚାନ୍ଦ । କାଳିଗାଈ ମୁଣ୍ତରେ ଚାନ୍ଦ, ତାକୁ ଆଣି ଶ୍ରୀଘରେ ବାନ୍ଧି ।’ଶିଙ୍ଗ ପାତଳ, ଆଉ ଝାମ୍ପରା; ଲାଞ୍ଜ ସରୁ, ଖୁବ୍ ଲମ୍ବା । ଲାଞ୍ଜ ଅଗରେ ଚଅଁରପରି ପେଣ୍ତା ବାଳ ଭୁଇଁରେ ଲୋଟିଯାଉଛି । ପିଠିଟି ନୁଆଣ, ମୁଠୁଣିକରୁ ଊଣା ଚୌଡ଼ା, ପିଚାଟି ଚୌଡ଼ା, ହାକୁଡଟିଏ ସାନ ପାଣିକଖାରୁ ପରି ପିଠି ଆଡ଼କୁ ନଇଁପଡିଛି ବେକର ଥଳୀଟା, ଆଉ ଗାଈଠାରୁ କିଛି ବେଶି ଝୁଲୁଛି, ଦୁଧନାଡ଼ଟା ଗୋଟା ପାଳଦଉଡ଼ା ପରି ମୋଟା ପହ୍ନା କଥା କଣ କହିବୁ ? “ପୟୋଧରୀଭୂତ ଚତୁଃସମୁଦ୍ରାଃ” । ନେତ କଳିଙ୍ଗା ଗାଈ ପରି ଖୁବ୍ ଯେ ଗୋଟାଏ ଉଞ୍ଚା, ତାହା ନୁହେଁ, ମଧ୍ୟଭଳି । ଡାକ ଋଷୀ ବଚନ ଅଛି – <poem> “ପେଟେ ଉଞ୍ଚ ଗାଈ । ପଟେ କୁଣ୍ତା ଖାଇ । ଘାସ ଦେଖି ବାଇ । ତା’ଠୁଁ ଦୁଧ ପାଇ ।”

କଥା କଣ କି ଗାଈ ମୁହଁରେ ଦୁଧ । ତେବେ ଆପଣା କି ଠେକି ଧରି ଗାଈ ଥୋବଣିଟା ଦୁହିଁ ବସିବେ ? କଥା ସେପରି ନୁହେଁ, ଗାଈ ଗୋଟିକ କାଗଜକଳପରି । କଳମୁହଁରେ ଛିଣ୍ତାକନା, ଛିଣ୍ତାଦଉଡ଼ି, ପଚା ପନସି, ପଚା ତୁଳାଗୁଡ଼ାଏ ପୂରାଇଦେଲେ ପଛବାଟେ ସଫା, ଧଳା, ସୁନ୍ଦର, ଚିକ୍‌କଣ କାଗଜ ବାହାରିପଡ଼େ । ସେହିପରି ଗାଈ ମୁହଁରେ କୁଣ୍ତା, ପେଜ, ଘାସଗୁଡ଼ାକ ପୂରାଇଦିଅ, ପହ୍ନା ବାଟେ ଦୁଧ ବୋହିପଡ଼ିବ । ନେତର ଦୁଧର ପରିମାଣଟା ଆମମାନଙ୍କୁ ଜଣାନାହିଁ । ସେଦିନ ମଙ୍ଗରାଜଙ୍କ ଦରବାରରେ ନେତକଥା ପଡିଥିଲା । ସମସ୍ତେ ଅନୁମାନ କଲେ ଦୁଇଓଳି ପାଞ୍ଚ ସେରରୁ ଊଣା ନୁହେଁ । ମଙ୍ଗରାଜେ ଗୋଟାଏ ନିଃଶ୍ୱାସ ପକାଇ କହିଲେ, “ଏଁ ! ତନ୍ତୀ ବାପୁଡ଼ାର ଏମନ୍ତ ଗାଈ ?” ଲୋକେ କହନ୍ତି, “ପିତା ଗୁଣରେ ପୁତ୍ରୀ”; ମାତ୍ର ଏ କଥା ମଧ୍ୟ ସତ-“ବଂଶନାଶବେଳକୁ ଘୋଡ଼ା ମୁହାଁ ପୁଅର ଜନ୍ମ ।” ଭଗିର ବାପ ଗୋବିନ୍ଦ ଚନ୍ଦ୍ର ଗାଁରେ ଜଣେ ସେରନ୍ତା ଲୋକ ଥିଲା । ନିଜ ଗାଁ ଛାଡ଼ି ଆଖପାଖ ଦୁଇ ଚାରିଖଣ୍ତ ଗାଁରେ ପଞ୍ଚୁଆତ ବସିଲା, ଗୋବିନ୍ଦ ଚନ୍ଦ୍ରକୁ ଡାକ । ଭାରୀ ଭାରୀ ମାମଲା ଝାଙ୍କିଲେ ଗୋବିନ୍ଦଙ୍କୁ ଖୋଜା ପଡ଼େ, ଅର୍ଥାତ୍ ପିଆଦା ସମନ ଆଣିଲେ କିମ୍ବା ଡାକରେ ବେରିଙ୍ଗ ଭାଷାଆସିଲେ, ଗୋବିନ୍ଦ ନ ଯିବା ପର୍ଯ୍ୟନ୍ତ ଲୋକମାନେ ଘରୁ ବାହାରୁ ନ ଥିଲେ । ଗୋବିନ୍ଦ ନିଜେ ତନ୍ତୁ ବୁଣୁ ନଥିଲା, ତାନ୍ତୀମାନଙ୍କ ବୁଣାଲୁଗା କିଣିନେଇ ହାଟରେ ବିକେ କିମ୍ବା ଉପୁରି ମହାଜନ ଆସିଲେ ମାଲ ପଠାଇଦିଏ । ଏଥିରେ ତାହାର ଭଲ ପାଞ୍ଚପଇସା ହାତକୁ ଚଢୁଥିଲା । ଗୋବିନ୍ଦ ହାତରେ ହଜାର ହଜାର ଥିବାର ଲୋକ ଅନୁମାନ ବିଦ୍ୟାରେ ଗଣି ପକାଇଥିଲେ । ଲୋକମାନେ ଆପଣା ପରମାୟୁ ଓ ପରଧନକୁ ବେଶି ଦେଖନ୍ତି । ଯାହାହେଉ, ଗୋବିନ୍ଦ ଯେ ଦଶଟଙ୍କା ଅରଜିଥିଲା, ଏ କଥା ସତ । ଜମିଦାର ବାଘ ସିଂହ ବଂଶ ପଡ଼ି ଆସିବାବେଳେ ଖଣ୍ତେ ଖଣ୍ତେ ଜମି ବିକ୍ରି ହେଲା । ଗୋବିନ୍ଦପୁର ଗାଁତଳେ ଚକେ ଗହୀର ଜମି ଛମାଣ ଆଠଗୁଣ୍ତ ବାହାଲି ନିଷ୍କର, ତାକୁ ଗୋବିନ୍ଦ କିଣିନେଇଥିଲା । “ଗାଁ-ଧୋଉରାପାଣି ଯେଉଁଠି ପଶେ, ପଧାନ ହଳ ସେଇଠି ଚଷେ ।” ଅସ୍ୟାର୍ଥ -ପଧାନ ଗ୍ରାମର ସର୍ବୋତ୍କୃଷ୍ଟ ଜମିଖଣ୍ତ ଚାଷ କରେ । ଜମିଖଣ୍ତରେ ଗାଁ ଧୋଉରା ପାଣି ପଶେ, ଭାରି କଳିନ୍ଦ, ପାଣିବହୁଳ ହେତୁରୁ ରାବଣା ଧାନ ହୁଏ । “ଜମି ପାଇଲେ ସିଆଣା, ଧାନ ବୁଣିବ ରାବଣା । ହାତେ ଲମ୍ବ କାଢ଼ିବ ସୀଂସା ଝୁରି ମରିବେ ସାଇପଡ଼ିଶା ।” ଧୋଇ ନାହିଁ, ମରୁଡ଼ି ନାହିଁ ମାଣକୁ ଆଠଭରଣ ତ ଆଗେ ଥୋଇଦିଅ । ଭଗିଆ ତନ୍ତୀଲୋକ, ଚାଷ କରିବ କଣ? ବଖରା ଦେଇ ମାଣକୁ ପାଞ୍ଚ ନଉତି ଧାନ ପାଏ । ଭଗି ହୁଣ୍ତା ହେଲେ କଣ ହେବ, ତାହାର ଢେର ସଦଗୁଣ ଥିଲା । ଶ୍ରାଦ୍ଧ, ମଉଳା, ନବାନ୍ନରେ ଜାତିଭାଇଙ୍କ ମୁହଁ ଧୁଆଏ, ଭାଟ ଭିକାରୀ ଦୁଆରୁ ଫେରନ୍ତି ନାହିଁ । ‘ହାଉଡ଼ାର ଦୁଷ୍ମନ୍ନ ନାହିଁ ।’ ହୁଣ୍ତା ହୁଣ୍ତୀ କଥା କହି ଜାଣନ୍ତି ନାହିଁ, ଗାଁରେ କଳିହେଲେ କବାଟ କିଳି ଦିଅନ୍ତି । ଗାଁରେ ସମସ୍ତେ ଏମାନଙ୍କୁ ଭଲ ପାନ୍ତି । ଅଭାବ ସମସ୍ତ ଦୁଃଖର ମୂଳ । ଧନ, ବିଦ୍ୟା, ଖ୍ୟାତି, ସ୍ୱାସ୍ଥ୍ୟ ପ୍ରଭୃତି କୌଣସି ବାଞ୍ଛନୀୟ ଲୋଭନୀୟ ଏବଂ ଅତ୍ୟାବଶ୍ୟକ ପଦାର୍ଥର ଅଭାବ ହେଲେ ଲୋକେ କଷ୍ଟ ଅନୁଭବ କରନ୍ତି । ଆମ୍ଭମାନଙ୍କ ତନ୍ତୁବାୟ – ଦମ୍ପତିଏ କୌଣସି ପଦାର୍ଥର ଅଭାବ ନ ଥିଲା । ପବିତ୍ର ଦାମ୍ପତ୍ୟ ସ୍ନେହ, ବିଶୁଦ୍ଧ ପ୍ରେମ ଅଖଣ୍ତ ସନ୍ତୋଷ, ନିରବଚ୍ଛିନ୍ନ ସ୍ୱାସ୍ଥ୍ୟ, ସରଳ ଧର୍ମଭାବ ପ୍ରଭୃତି ସ୍ୱର୍ଗୀୟ ଭାବମାନ ଯଦି ଆପଣ ଏକ ସ୍ଥାନରେ ସମାବେଶ ଦେଖିବାକୁ ଇଚ୍ଛା କରନ୍ତି, ତେବେ ଆମ୍ଭେମାନେ ଏହି ଗ୍ରାମ୍ୟ ତନ୍ତୁବାୟ ପରିବାର ନାମ ଉଲ୍ଲେଖ କରିପାରୁଁ । ଆମେମାନେ ଆଜନ୍ମକାଳ ଦେଖି, ଶୁଣି, ପଢ଼ି ବୁଝିଅଛୁ ନିରବଚ୍ଛିନ୍ନ ସୁଖ ବିଧି ମନୁଷ୍ୟ ଲଲାଟରେ ଲେଖି ନାହାନ୍ତି । ତନ୍ତୁବାୟ ପରିବାର କି ଏହି ନୈସର୍ଗିକ ନିୟମର ବହିର୍ଭୂତ ? ମହାକବି କାଳିଦାସ ଲେଖିଛନ୍ତି, ‘ପ୍ରାୟେଣ ସାମାଗ୍ର୍ୟବିଧୌ ଗୁଣାନାଂ ପରାଙ୍‌ମୁଖ ବିଶ୍ୱସୃଜଃ ପ୍ରବୃତ୍ତି ।’ ଏହି ମହାବଚନକୁ ବା ଅମର୍ଯ୍ୟାଦା କରିବୁଁ । ତେବେ ଏମାନେ କି ପୂର୍ଣ୍ଣ ସୁଖୀ ନୁହନ୍ତି ? କିଏ କହିବ; କିପରି ବା କହିପାରିବ? ଶାଳଗ୍ରାମର ବସିବା ଶୋଇବା ସମାନ । ମନୁଷ୍ୟ ହୃଦୟଭାବ ହାସ୍ୟସ୍ପନ୍ଦନ ସ୍ରୋତ ଧରି ବାହାରିପଡ଼େ । ଏମାନେ ହସିବାର କେହି ଦେଖି ନାହିଁ, କାନ୍ଦିବାର କେହି ଶୁଣି ନାହିଁ । ଆମ୍ଭମାନଙ୍କ ପାଖରେ କିନ୍ତୁ କାହାରି କଥା ଲୁଚିବାର ବାଟ ନାହିଁ । ବଣୁଆ ମାନେ ଖୋଜର ମଡ଼ା ଧରିଧରି ଯାଇ ଜନ୍ତୁ ଭେଟନ୍ତି । ସେହିପରି ଆମ୍ଭମାନେ ଲୋକମାନଙ୍କ କାର୍ଯ୍ୟସବୁର ପିଛା ଧରି ଧରି ସେମାନଙ୍କ ମନର ଭାବ ଧରିପକାଉଁ । ସେଦିନ ରାତିରେ ରୁକୁଣିମା ବୋହୂର ଷଠୀଘରକୁ ସାରିଆ ଯାଇଥିଲା, ପିଲାଟାକୁ ଚାହିଁଦେଇ ଚାଲିଆସିଲା, ବାଣ୍ଟ ଯାଏ ରହିଲା ନାହିଁ । ଘରକୁ ଆସି ପେଟ ଟାଣୁଛିବୋଲି କହିଲା, ଉପାସ ଶୋଇରହିଲା । ଆମ୍ଭେମାନେ ମଧ୍ୟଜାଣୁ; ଅନେକ ରାତି ପର୍ଯ୍ୟନ୍ତ ନ ଶୋଇ ଏକଡ଼ ସେକଡ଼ ହେଉଥିଲା । ଭଗିଆ ଥରେ କହିଲା, “ଦଇବତ ଦେଇନାହିଁ, ଦୁଃଖ କଲେ କଣ ହେବ ?” କଣ ଦେଇନାହିଁ କିଛି ତ ବୁଝାଗଲା ନାହିଁ ? ବାର ବରତରେ ସାରିଆର ଆଜିକାଲି ଭାରି ମନ । ବୁଢ଼ୀ ମଙ୍ଗଳାଙ୍କ ଠାରେ ବେଶି ବେଶି ଭକ୍ତି ଦେଖାଯାଉଅଛି । ଡାକ୍ତର ଆଉ ଓକିଳଙ୍କ ଦୁଆରେ କାହାକୁ ଦେଖିଲେ ବୁଝିନେବ, ସେହିଲୋକଟା ଉପରେ କିପରି ବିପଦ ପଡିଛି । ଆମମାନଙ୍କ ବୁଢ଼ୀମଙ୍ଗଳାଙ୍କ ଦ୍ୱାରା ଡାକ୍ତର ଆଉ ଓକିଲ ଦୁଇ କାର୍ଯ୍ୟ ହୁଏ । ଗାଁରେ କାହାରିକିଛି ପୀଡ଼ାହେଲେ କିମ୍ବା ମାଲିମାମଲା ପଡ଼ିଲେ ମଙ୍ଗଳାଙ୍କର କିଛିଲାଭହୁଏ । ମଙ୍ଗଳାଙ୍କଠାରେ ସାରିଆର ଭକ୍ତି ଦେଖି ବୁଝୁଅଛି, ତାହା ମନରେ କଷ୍ଟ ଜାତ ହୋଇଅଛି । ସାରିଆ ପିଣ୍ତାରେ ବସି ନଟି ବୁଲାଉଥିବାବେଳେ ଦାଣ୍ତରେ କୌଣସି ସାନପିଲା ଖେଳୁଥିବାର ଦେଖିଲେ ତାହା ହାତ ନଟେଇଟା ବୁଲେ ନାହିଁ । ଉଆଁସ ପୁନାଇରେ ଘରେ ପିଠାଟିଏ, ଛେନାଟିକିଏ ହେଲେ ସାରିଆ ନିଃଶ୍ୱାସ ପକାଏ । ଭଗି ରାଣ ନିୟମ ପକାଇ ନ ଖୁଆଇଲେ ଖାଏ ନାହିଁ । ସେଦିନ ସାନ କସ୍ତା ଯୋଡ଼ଟିଏ ଜଣେ ଫରମାସ ଦେଇ ଭଗି ପାଖରୁ ବୁଣାଇ ନେଲା । ଯୋଡ଼ଟି ବୁଣା ଗଲା ବାଦ୍ ସାରିଆ ତାକୁ ଓଳିଏ ଯାଏ ଚଉତିବାବେଳେ ତା ଆଖିରେ ପାଣି ଢଳଢଳ ହେଉଥିବାର ଭଗି ଦେଖି ଗୋଟାଏ ଲମ୍ବନିଃଶ୍ୱାସ ପକାଇଲା ।

Share. Facebook Twitter Pinterest LinkedIn Tumblr Reddit Email
Previous Articleଗାଁ ହାଲଚାଲ :
Next Article ଗୋବରା ଜେନା :
ଫକୀର ମୋହନ ସେନାପତି

Related Posts

ଡାକମୁନ୍ସି

February 10, 2022

ଉପସଂହାର

November 26, 2018

ଅପୂର୍ବ ମିଳନ :

November 26, 2018

ବାବାଜୀ ଲଳିତା ଦାସ :

November 26, 2018

ମଙ୍ଗରାଜ ଘରର ହାଲଚାଲ :

November 26, 2018

ଖୁଣି ତଦାରଖି :

November 26, 2018
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.