• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ବୋକା ନା ବିବେକୀ?
ଗଳ୍ପ

ବୋକା ନା ବିବେକୀ?

Liza SBy Liza SMarch 1, 2023No Comments8 Mins Read
Facebook Twitter Pinterest Reddit LinkedIn Tumblr Email
Odia-Story-Boka-Na-Bibeke
Odia-Story-Boka-Na-Bibeke
Share
Facebook Twitter Pinterest Reddit Email

ନିଶା ଗରଜୁଥାଏ । ଏଣେ ଠିକ୍ ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ବି ହେଉଥାଏ । ଅଦୂରରୁ ଶ୍ୱାନ ଶ୍ୱାପଦଙ୍କ ରଡି ମଧ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଅଶରିରୀମାନଙ୍କ ମୁହଁ ଝଲସି ଉଠୁଥାଏ, ସେମାନଙ୍କର ଚପା, ରହସ୍ୟମୟ ଅଟ୍ଟହାସ୍ୟ ଶୁଭୁଥାଏ ।କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେହି ବୃକ୍ଷଟି ପାଖକୁ ଲେଉଟି ଆସି, ତାହା ଆରୋହଣ କରି ଶବଟିକୁ ଉତାରି ଆଣି କାନ୍ଧରେ ପକାଇଲେ । ତା’ପରେ ଶୂନ୍ଶାନ୍ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କରନ୍ତେ ଶବସ୍ଥିତ ବେତାଳ କହିଲା, “ରାଜା, ଏ ଦୁର୍ଯ୍ୟୋଗମୟ ରାତିରେ ତମେ ପ୍ରାସାଦରେ ନୃତ୍ୟଗୀତ ଉପଭୋଗ କରି ଆରାମ୍ କରନ୍ତ ସିନା! ମାତ୍ର ତାହା ନକରି ଏଠାରେ ମୋତେ ବଶ କରିବାକୁ ଅଯଥା ଚେଷ୍ଟା କରି ସମୟ ନଷ୍ଟ କରିବା ସଙ୍ଗେ ସଙ୍ଗେ ନିଜ ଉପରକୁ କାହିଁକି ବିପଦ ଡାକି ଆଣୁଛ? ଏହା ତ ନିଶ୍ଚୟ ତୁମ ଅବିବେକିତାର ପରିଚୟ । ମଣିଷ ସଦ୍ଗୁଣର ଅଧିକାରୀ ହୋଇ ମଧ୍ୟ ଅବିବେକୀ ହୋଇପାରେ । ତମକୁ ଦୁଇଜଣଙ୍କ ଦୃଷ୍ଟାନ୍ତ ଦେଉଛି । ମନ ଦେଇ ତାହା ଶୁଣ । ଶୁଣିଲେ ତୁମର ଶ୍ରମଭାର ଲାଘବ ମନେ ହେବ ।”ଏତିକି କହିସାରି ସେ ବେତାଳ ଗପିଲା:

କୋଶାମ୍ବୀ ରାଜ୍ୟର ଗୋଟିଏ ଗାଁରେ ଜଣେ ଯୁବକ ଥାଏ । ତା’ର ନାମ ଚନ୍ଦ୍ରଶେଖର । ତା’ବାପା ଜଣେ ପଣ୍ଡିତ । ବାପାଙ୍କଠାରୁ ସେ କିଛି ଶାସ୍ତ୍ରଜ୍ଞାନ ବି ପାଇଥାଏ । କିନ୍ତୁ ତା’ର ଅସଲ ପ୍ରତିଭା କେବଳ କବିତା ରଚନାରେହିଁ ନିହିତ ଥାଏ । ଫୁଲଟିଏ, ଫଳଟିଏ, ପକ୍ଷୀଟିଏ, ଇନ୍ଦ୍ରଧନୁ, ବର୍ଷା – ଯାହା ଦେଖିଲେ ସେ ବିଷୟ ଉପରେ ତତ୍କ୍ଷଣାତ୍ ତା’ ମୁହଁରୁ କବିତା ବାହାରି ପଡେ । ତେଣେ ତା’ ଘରେ ବଡ ଅଭାବ । ପିତୃଋଣ ଯୋଗୁଁ ଘରଦ୍ୱାର ତା’ର ସବୁ ନିଲାମ ହେବାକୁ ଯାଉଥାଏ ।ତାକୁ ତା’ ବନ୍ଧୁମାନେ କହୁଥାନ୍ତି, “ଶେଖର, ତୁ ଦୈବଦତ ଗୁଣର ଅଧିକାରୀ । ଆମର ଏ ଛୋଟିଆ ଗାଁରେ ତୋର ସେ ଗୁଣର ଆଦର କରିବାକୁ କେହି ମଧ୍ୟ ନାହିଁ । ତୁ ରାଜସଭାରେ ଯାଇ ନିଜ ପ୍ରତିଭାର ପରିଚୟ ଦେ । ରାଜା ତୋ ପ୍ରତି ସଦୟ ହେଲେ ତୋ’ର ଆଉ ଦୁଃଖ ବୋଲି କିଛିବି ରହିବ ନାହିଁ ।”ସେମାନଙ୍କ କଥା ଶୁଣି ଚନ୍ଦ୍ରଶେଖର ଉତ୍ତର ଦେଉଥାଏ, “ମୋର ଦୁଃଖ ଦୂର ହେବା ଯେତିକି ଆବଶ୍ୟକ, ମୋ କବିତାର ଆଦର ହେଉ, ରସିକମାନେ ତାହା ଶୁଣିବାର ସୁଯୋଗ ପାଆନ୍ତୁ, ଏହା ମଧ୍ୟ ସେତିକି ଆବଶ୍ୟକ ।”

ତା’କଥାରେ ତା’ ବନ୍ଧୁମାନେ କହୁଥାନ୍ତି “ଠିକ୍ କଥା । ରାଜସଭାରେ ଯେ ଖାଲି ଆମରି ରାଜ୍ୟର ଗୁଣୀମାନଙ୍କର ସମାବେଶ ହୁଏ, ସେତିକି ନୁହେଁ, ଅନ୍ୟ ରାଜ୍ୟମାନଙ୍କରୁ ମଧ୍ୟ କବି ପଣ୍ଡିତମାନେ ଆସି ରାଜାଙ୍କଠାରୁ ସମ୍ମାନ ଲାଭ କରନ୍ତି । ଥରେ ରାଜସଭାକୁ ଗଲେ ତୋର ସମ୍ମାନ ଚାରିଆଡେ ବ୍ୟାପିଯିବ । ତଦ୍ୱାରା ଆମ ଗାଁର ଗୌରବ ମଧ୍ୟ ବଢିବ ।”ସେ ରାଜସଭାକୁ ଯିବାର ଉଦ୍ୟୋଗ କରି ଜାଣିବାକୁ ପାଇଲା, ରାଜା ସିଧାସଳଖ କୌଣସି କବିକୁ କେବେବି ସ୍ୱାଗତ କରନ୍ତି ନାହିଁ । ଯେଉଁ କବି ରାଜାଙ୍କ ଅଧୀନରେ ଥିବା ସାମନ୍ତ ଜମିଦାରମାନଙ୍କ ସୁପାରିସ୍ ଧରି ରାଜସଭାକୁ ଆସନ୍ତି, କେବଳ ସେହିମାନେହିଁ ନିଜ କବିତା ଶୁଣାଇବାକୁ ଅନୁମତି ପାଆନ୍ତି ।ଏହାପରେ ଶେଖର ତା’ପିତାଙ୍କ ଅନୁମତି ନେଇ ଗାଁଠୁ ପାଂଚ କୋଶ ଦୂରରେ ଥିବା ଜମିଦାର ଭୂପତିନନ୍ଦନଙ୍କୁ ଦେଖା କରିବାକୁ ଗଲା । କିନ୍ତୁ ଜମିଦାରଙ୍କ ଗାଁରେ ପହଁଚି ସେ ଦେଖିଲା, ସେଠିକା ବାତାବରଣରେ ବିଷାଦ ଛାଇ ହୋଇ ରହିଛି । କଥା କ’ଣ ବୁଝିବା ବେଳକୁ, ଜମିଦାରଙ୍କ ଏକମାତ୍ର ସନ୍ତାନ ଗୋଟିଏ କନ୍ୟା । ତାକୁ ଯେଉଁ ଯୁବକ ଜଣକ ବିଭା ହୋଇ ଜମିଦାରଙ୍କ ଘରେ ରହୁଥାଏ ଏବଂ ଯିଏ କି ଭବିଷ୍ୟତରେ ତାଙ୍କ ଉତ୍ତରାଧିକାରୀ ହେବା କଥା, ସେହିଦିନ ସକାଳେ ସର୍ପଦଂଶନରେ ତା’ର ଅକାଳ ମୃତ୍ୟୁ ହୋଇଥାଏ ।

ପ୍ରଥମ ଥର ନିଜ ଭାଗ୍ୟ ପରୀକ୍ଷା ପାଇଁ ଯାଇ ଚନ୍ଦ୍ରଶେଖର ଏପରି ଅଶୁଭ ସମ୍ବାଦ ପାଇବା ହେତୁ ତା’ ମନ ଭୀଷଣ ଖରାପ ହେଲା । ଜମିଦାରଙ୍କ ଜଣେ ପାଖ ଲୋକ ତାକୁ କହିଲେ, ଆଗାମୀ ବହୁଦିନ ପର୍ଯ୍ୟନ୍ତ ଜମିଦାରଙ୍କର କବିତା ଶୁଣିବା ଭଳି ମାନସିକ ଅବସ୍ଥା ଠିକ୍ ରହିବ ନାହିଁ ।ତା’ପରେ ଶେଖର ମୁହଁ ଶୁଖାଇ ଗାଁକୁ ଫେରିଆସିଲା । କେଇଦିନ ପରେ, କେତେ ଜଣ ଶୁଭେଚ୍ଛୁଙ୍କ ପରାମର୍ଶରେ ସେ ସମୀରପୁର ନାମକ ଗାଁରେ ଥିବା ବିଶିଷ୍ଟ ଜମିଦାର ପ୍ରତାପଚନ୍ଦ୍ରଙ୍କୁ ଭେଟିବାକୁ ଗଲା । କିନ୍ତୁ, ସେ ସେଠାକୁ ଯାଇ ଦେଖିବା ବେଳକୁ ଜମିଦାର ମହୋଦୟ ଶଯ୍ୟାଶାୟୀ । ତାଙ୍କ ବ୍ୟାଧି କ’ଣ ତାହା ଚିକିତ୍ସକମାନେ ମଧ୍ୟ ନିରୂପଣ କରି ପାରୁ ନାହାଁନ୍ତି । ବ୍ୟାଧିଗ୍ରସ୍ତ ଜମିଦାରଙ୍କ ପାଖକୁ କବିତା ଶୁଣାଇବାର ପ୍ରସ୍ତାବ ଦେବାର ପ୍ରଶ୍ନ ବା କାହୁଁ ଉଠୁଛି? ଶେଖର ଏଥର ମଧ୍ୟ ମନ ଦୁଃଖ ମନରେ ମାରି ଘରକୁ ଫେରିଲା ।ବାଟରେ ସେ ଗୋଟାଏ ଗଛତଳେ ବସି ବିଶ୍ରାମ କରୁଛି, ଜଣେ ପଥିକ ତାକୁ ଦେଖି ଅଟକି ଯାଇ ପ୍ରଶ୍ନ କଲେ, “ତୁମେ କିଏ?”ତା’ପରେ ଶେଖର ଉତ୍ତର ଦେଲା “ମୁଁ ଜଣେ ହତଭାଗ୍ୟ ।”

ପଥିକ ତାକୁ କୌତୁହଳୀ ଦୃଷ୍ଟିରେ ନିରୀକ୍ଷଣ କରି କହିଲେ, “ବାବୁ, ତମେ ଏମିତି କାହିଁକି କହୁଛ? ମୁଁ ତ ଭାବୁଛି ତମଉପରେ ମା ସରସ୍ୱତୀଙ୍କ କରୁଣା ରହିଛି!”ଚନ୍ଦ୍ରଶେଖର ଆଶ୍ଚର୍ଯ୍ୟ ହୋଇ ପଚାରିଲା “ମା ସରସ୍ୱତୀଙ୍କ କରୁଣା ହୁଏତ ରହିଛି, କିନ୍ତୁ ଭାଗ୍ୟଦେବୀ ତ ମୋପ୍ରତି ବିରୂପ । କିନ୍ତୁ ଆପଣ କିପରି ଜାଣିଲେ ଯେ ମୁଁ ମା ସରସ୍ୱତୀଙ୍କ ସେବକ-ଅର୍ଥାତ୍ କବି?”ପଥିକ କହିଲେ “ମଣିଷର ସ୍ୱଭାବ ବୁଝିବା ଦିଗରେ ମୋର ସାମାନ୍ୟତମ ଶକ୍ତି ରହିଛି ।”ଏହା କହି ପଥିକ ବସିପଡି ଶେଖରର ଡାହାଣ ହାତ ଟାଣି ଆଣି ହସ୍ତରେଖା ଦେଖିଲେ ଓ କହିଲେ, “ତମେ ତ ସତରେ ଜଣେ କବି!” ଶେଖର ଉତ୍ତର ଦେଲା “ହଁ ଆଜ୍ଞା । କିନ୍ତୁ ହତଭାଗ୍ୟ ମଧ୍ୟ । କାରଣ ମୋର ପୃଷ୍ଠପୋଷକତା କରିବାକୁ କେହିବି ନାହାଁନ୍ତି ।” ତା’ପରେ ସେ ପୁଣି କହିଲା, “ମହାଶୟ, ଆପଣଙ୍କ ଶକ୍ତି ଦେଖି ମୁଁ ବିସ୍ମିତ । ଆପଣ ଯଦି ମୁଁ କବି ବୋଲି ଜାଣିପାରିଲେ, ତେବେ ହାତ ଦେଖି ମୋର ଭାଗ୍ୟ ମଧ୍ୟ ଜାଣି ପାରିଥିବେ । ଦିନେ ମୋର କବି ଭାବରେ ପରିଚିତ ହେବାର ଆଶା ଅଛି କି?”ତହୁଁ ସେ ଜ୍ୟୋତିଷ ହସିଦେଇ କହିଲେ, “ଆଶା ନୁହେଁ । ତୁମେ ନିଶ୍ଚିତ ଭାବରେ କବି ସମ୍ମାନ ପାଇବ । ମାସକ ପରେ ଶୁଦ୍ଧ ପଂଚମୀ ପ୍ରଭାତରେ ଘରୁ ବାହାରି ପୂର୍ବ ଦିଗକୁ ଯିବ । ଯେଉଁ ଜମିଦାରଙ୍କ ଗାଁ ପ୍ରଥମେ ପଡିବ, ତାଙ୍କର ଆଶ୍ରା ପାଇବା ପାଇଁ ଚେଷ୍ଟା କରିବ ।” ଏତିକି କହି ସେ ଜ୍ୟୋତିଷ ସେଠାରୁ ଚାଲିଗଲେ ।

ଶେଖର ସେଦିନର ସେ ଜ୍ୟୋତିଷକୁ ଚିହ୍ନିନଥିଲା ସତ, କିନ୍ତୁ ଜ୍ୟୋତିଷଙ୍କ କଥା ଶୁଣି ତା’ର ଧାରଣା ହେଲା ସେ କିଛି ମିଛ କହୁନାହାଁନ୍ତି । ଏହାପରେ ତା’ମନରେ ଆଶାର ସଂଚାର ହେଲା ।ଶେଖର ଯାଇ ବାପାଙ୍କୁ ସବୁ କହିଲା ଓ ମାସଟିଏ ଅପେକ୍ଷା କରି ପଂଚମୀ ତିଥିରେ ପୂର୍ବ ମୁହାଁ ବାହାରି ପଡିଲା । ଉପରଓଳି ସେ ମହକପୁର ନାମକ ଗାଁରେ ଯାଇ ପହଁଚିଲା । ସେହି ଗାଁରେ ସେ ଅଂଚଳର ଜମିଦାର ପୂର୍ଣ୍ଣପ୍ରକାଶଙ୍କ ଘର । ଶେଖର ଯାଇ ପୂର୍ଣ୍ଣପ୍ରକାଶଙ୍କ ଗୁମାସ୍ତାଙ୍କୁ ଭେଟିଲା ଓ ନିଜ ଉଦ୍ଧେଶ୍ୟ କହିଲା । ଗୁମାସ୍ତା କହିଲେ, “ଆଜି ଜମିଦାରଙ୍କ ପିତାଙ୍କ ପ୍ରଥମ ଶ୍ରାଦ୍ଧ ଦିବସ । ତେଣୁ ଆଜି ସେ ଖୁବ୍ ବ୍ୟସ୍ତ ଅଛନ୍ତି । କବିତା ଶୁଣିବାକୁ ତାଙ୍କ ପାଖେ ତର କାହିଁ?”ଏତିକିରେ ଶେଖରର ମନ ଦବିଗଲା । ସେ କହିପକାଇଲା,”ପଦପାତେ ଅଭାଗାର ନଈ ହୁଏ ବାଲୁଚର!”ଗୁମାସ୍ତା ସହାନୁଭୂତି ଦେଖାଇ ପଚାରିଲେ, “ତୁମେ ଏମତି କାହିଁକି ଭାଙ୍ଗି ପଡୁଛ?”ଶେଖର କହିଲା, “ଆଜ୍ଞା, ଏଥରକୁ ମିଶାଇ ତିନି ତିନି ଥର ମୋ ଅଭିଯାନ ବୃଥା ହେଲାଣି ।”ଶେଖର ଗୁମାସ୍ତାଙ୍କ ସହ କଥା ହେଉଛି, ହଠାତ୍ ଜମିଦାର ଆସି ସେଠାରେ ପହଁଚିଯାଇ କହିଲେ, “ଗୁମାସ୍ତା, ତମେ କୌଣସି ଗୋଟାଏ କବି ଫବିକୁ ଚିହ୍ନିଛ? ସୂର୍ଯ୍ୟାସ୍ତ ପୂର୍ବରୁ ଧରି ଆଣି ପାରିବ?”ଗୁମାସ୍ତା ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “କାହିଁକି ଆଜ୍ଞା? ସୂର୍ଯ୍ୟାସ୍ତକୁ ତ ଆଉ ମାତ୍ର ଘଂଟାଏ ବାକି!”

ଜମିଦାର କହିଲେ “କଥା କ’ଣ କି, ବାପା ମୃତ୍ୟୁ ପୂର୍ବରୁ ମୋତେ କହିଥିଲେ କି ସେ ତାଙ୍କ ସଭାରେ ଯୋଡାଏ ତିନୋଟି ଗାୟକ, ଯୋଡାଏ ତିନୋଟି ଶିଳ୍ପୀକୁ ପୋଷିଲେ; କିନ୍ତୁ କବିଟିଏ ରଖିପାରିଲେ ନାହିଁ । ମୁଁ କହିଲି ମୁଁ ଗୋଟାଏ କବି ଆଣି ପୋଷିବି । ଆଜି ସେକଥା ହଠାତ୍ ମନେ ପଡିଲା । ବାପାଙ୍କ ପବିତ୍ର ଶ୍ରାଦ୍ଧ ଦିବସ ବିତିଯିବା ପୂର୍ବରୁ କବିଟାଏ ଧରି ଆଣି ପାରିଲେ ବାପାଙ୍କ ଆତ୍ମା ଶାନ୍ତି ପାଆନ୍ତା ।”ଗୁମାସ୍ତା ହସି ଜଣାଇଲେ, “ଆଜ୍ଞା, ବିଧିର ବିଧାନ ଏପରି, ଆପଶଙ୍କ ପୂଣ୍ୟାତ୍ମା ପିତାଙ୍କ ଇଛା ପୂରଣ ଲାଗି ବଳେ ବଳେ କବିଟିଏ ପହଁଚିଯାଇଛନ୍ତି । ମୁଁ ଏହାଙ୍କ କବିତ୍ୱର ପ୍ରମାଣ ପାଇଛି ।”ଜମିଦାର କହିଲେ “ବାଃ, ବାଃ! ହଇହେ କବି! ତମେ ଆମ ଅତିଥି ଭବନରେ ରୁହ । ଆରାମ୍ରେ ଖିଆପିଆ କର । ମନଇଛା କବିତା ଲେଖୁଥାଅ । ମଝିରେ ମଝିରେ ମୋ ବାପାଙ୍କ ସମାଧି ପାଖରେ ବସି କବିତା ପଢିବ । ହେଲା? ମାସକୁ ଦରମା ଶହେ ସ୍ୱର୍ଣ୍ଣମୁଦ୍ରା!”ଶହେ ସ୍ୱର୍ଣ୍ଣମୁଦ୍ରା! ଏକଥା ଶୁଣି ଶେଖର ନିଜ କାନକୁ ବିଶ୍ୱାସ କରି ପାରିଲା ନାହିଁ । ଜମିଦାର ପୁଣି କହିଲେ, “ମୁଁ ଏତେ ଅଧିକ ଦରମା ଦେଉଛି ହେଲେ ଗୋଟାଏ ସର୍ତ୍ତରେ । ମୁଁ ତମକୁ ଚାଲି ଯିବାକୁ କହିବା ପୂର୍ବରୁ ମୋ ଚାକିରୀ ଛାଡି ତୁମେ କୁଆଡେ ବି ଯାଇ ପାରିବ ନାହିଁ!”ଘରେ ଭୀଷଣ ଅଭାବ । ଯେ କୌଣସି ମୁହୂର୍ତ୍ତରେ ଘର ଦ୍ୱାର ନିଲାମ ହୋଇ ଯାଇ ପାରେ । ଅଗତ୍ୟା ଶେଖର ରାଜି ହେଲା ।

କିନ୍ତୁ କ୍ରମେ ସେ ବିଷର୍ଣ୍ଣ ଅନୁଭବ କଲା । କବିତା ସିନା ଜୀବନ୍ତ ରସିକମାନଙ୍କୁ ଶୁଣାନ୍ତା, ହେଲେ ଏ ସମାଧି ପାଖରେ ବସି ମୃତ କୁ ଶୁଣାଇବାରେ କି ସନ୍ତୋଷ? ଜମିଦାର ନିଜେ ଶୁଣନ୍ତୁ ବୋଲି ସେ ଯେତେ ମନ କଲେ ବି ସୁଯୋଗ ପାଇଲା ନାହିଁ । ଅବଶ୍ୟ ଆର୍ଥିକ ସମସ୍ୟାର ସମାଧାନ ହୋଇଗଲା ।ଦିନେ ସେ ଛୁଟିନେଇ ନିଜ ଗାଁକୁ ଯାଉଛି, ବାଟରେ ତାକୁ ଶୋଷ ଲାଗିବାରୁ ଗୋଟାଏ ସରୋବର କୂଳରେ ସେ ବସି ପାଣି ପିଇ ବିଶ୍ରାମ କଲା । ସେଠି ପଗଡି ଭିଡି ଜଣେ ପଥିକ ବସିଥିଲେ । ତାଙ୍କ ଘୋଡା ଅଦୂରରେ ଚରୁଥିଲା ।ପଥିକ ପଚାରିଲେ “ତୁମେ କିଏ ଯୁବକ?””ସୌଭାଗ୍ୟର ସନ୍ତାନ ମୁଁ ଦୁର୍ଭାଗ୍ୟର ଅଟେ କ୍ରୀତଦାସ,ବାହାରଟି ଚମତ୍କାର,ହୃଦେ କିନ୍ତୁ ଭରା ହାହୁତାଶ!”କବିତାର କହିଲା ଶେଖର ।ପଥିକ ବିସ୍ମିତ ତଥା ଆନନ୍ଦିତ ହୋଇ ତା’ର ହାଲ୍ଚାଲ୍ସବୁ ପଚାରି ବୁଝିଲେ ଓ ଘୋଡା ଚଢି ଚାଲିଗଲେ ।ପରଦିନ ଶେଖରର ଘର ଆଗରେ ରାଜଦୂତ ଓ ସୁସଜ୍ଜିତ ଅଶ୍ୱଯାନ ଆସି ପହଁଚିଲେ । ରାଜଦୂତ କହିଲେ “ମହାରାଜ ଆପଣଙ୍କୁ ଅଭିବାଦନ ଜଣାଇ ରାଜସଭାକୁ ନିମନ୍ତ୍ରଣ କରିଛନ୍ତି ।”ସେମାନଙ୍କଠାରୁ ଏଭଳି କଥା ଶୁଣିବା ମାତ୍ରେ ଶେଖରର ବିସ୍ମୟ ଆଉ ସୀମା ରହିଲା ନାହିଁ । ସେ ତତ୍କ୍ଷଣାତ୍ ବାହାରିପଡିଲା । ରାଜାଙ୍କୁ ଦେଖିବାମାତ୍ରେ ସେ ଠିକ୍ ବୁଝିଲା, ପୂର୍ବଦିନ ସରୋବର କୂଳରେ ସେ ଯାହାଙ୍କୁ ଭେଟିଥିଲା, ସେ ଆଉ କେହି ନୁହଁନ୍ତି ଛଦ୍ମବେଶୀ ରାଜା!

ରାଜା କହିଲେ “ଯୁବକ! ତମେ ମୋ ରାଜସଭାରେ କବି ରୂପେ ଯୋଗ ଦିଅ ।”ଶେଖର କହିଲା “ମହାରାଜ! ଆପଣଙ୍କ ଦୟାପାଇଁ ମୁଁ କୃତଜ୍ଞ । କିନ୍ତୁ ଯେଉଁ ଜମିଦାର ପୂର୍ଣ୍ଣ ପ୍ରକାଶ ମୋତେ ଘୋର ସଙ୍କଟରୁ ରକ୍ଷାକରିଛନ୍ତି ତାଙ୍କଠି ମୁଁ ଆହୁରି କୃତଜ୍ଞ । ତାଙ୍କ ଠାରେ ମୁଁ ସର୍ତ୍ତବଦ୍ଧ : ସେ ନ କହିଲେ ମୁଁ ତାଙ୍କ ସଭା ଛାଡି ଆଦୌ ଆସି ପାରିବି ନାହିଁ । ଏଣୁ ମୋତେ କ୍ଷମା କରନ୍ତୁ ।”ରାଜା ଖଣ୍ଡିଏ କାଗଜ ଦେଖାଇବା ସଙ୍ଗେ ସଙ୍ଗେ କହିଲେ, “ତମେ ଖାଲି ପ୍ରତିଭାବାନ୍ କବି ନୁହଁ, ତତ୍ସହିତ ବିବେକୀ ଓ ସାହସୀ ମଧ୍ୟ ।”ସେ କାଗଜରେ ଜମିଦାର ପୂର୍ଣ୍ଣ ପ୍ରକାଶ ଲେଖିଦେଇଥିଲେ କି ଶେଖରକୁ ସେ ରାଜ ସଭାରେ ଯୋଗ ଦେବା ନିମନ୍ତେ ନିର୍ଦ୍ଧେଶ ଦେଉଛନ୍ତି ।ଶେଖରଙ୍କ ଆଖିରୁ ଆନନ୍ଦାଶ୍ରୁ ଝରିପଡିଲା । ଏହାପରେ ସେ ରାଜସଭାରେ ଯୋଗ ଦେଲେ ।କାହାଣୀଟି ଏଇଠି ଶେଷ କରି ବେତାଳ ପ୍ରଶ୍ନ କଲା, “ରାଜା! ଶେଖର କବି ବୋଲି ହୁଏତ ରାଜା ପ୍ରମାଣ ପାଇଥିଲେ । ତେଣୁ ତା’କୁ ରାଜସଭାକୁ ସ୍ୱାଗତ କଲେ । କିନ୍ତୁ ତାକୁ ବିବେକୀ ଓ ସାହସୀ ବୋଲି କହି ନିଜେ ଅବିବେକୀ ବୋଲି ଧରାପଡିଗଲେ ନାହିଁକି? ଯିଏ ରାଜାଙ୍କଠୁଁ ପ୍ରସ୍ତାବ ପାଇ ମଧ୍ୟ ଜମିଦାରଠାରେ ରହିବ ବୋଲି କହୁଥିଲା, ସେ ପୁଣି କିପରି ବା ବିବେକୀ ହୋଇପାରେ? ଆଉ ସାହସର ପ୍ରମାଣ ବା ସେ କେତେବେଳେ ଦେଲା? ନା ଚନ୍ଦ୍ରଶେଖର କେବେ ଯୁଦ୍ଧ କ୍ଷେତ୍ରକୁ ଯାଇଛି, ନା ସେ କେବେ ଚୋର ଡାକୁଙ୍କୁ ସାମ୍ନା କରିଛି । ସାହସର ପ୍ରମାଣ ଦେବାର ସୁଯୋଗ ଜୀବନରେ ସେ ତ କାହିଁ କେବେବି ପାଇନାହିଁ । ଅଥଚ ରାଜା ତାକୁ ସାହସୀ ବୋଲି କହିଲେ । ଏହା ଆଉ ସେ ରାଜାଙ୍କ ବୋକାମି ନୁହେଁ ତ ଆଉ କ’ଣ? ପାରିଲେ ମୋର ଏସବୁ ପ୍ରଶ୍ନର ଯଥାର୍ଥ ଉତ୍ତର ଦିଅ । ଆଉ ଉତ୍ତର ଜାଣି ସୁଧା ତମେ ଯଦି କିଛି ବି ଉତ୍ତର ନ ଦେବ ତେବେ ତୁମର ଶିର ସ୍କନ୍ଧଚ୍ୟୁତ ହେବ ।”

ରାଜା ବିକ୍ରମାର୍କ ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନକରି ତୁରନ୍ତ ଉତ୍ତର ଦେଲେ, “ଯାହାଠୁଁ ଉପକାର ମିଳିଥାଏ, ତାହା ପ୍ରତି କୃତଜ୍ଞ ରହିବା ମହତ୍ୱର ଓ ସୁବିବେକିତାର ପରିଚୟ । ରାଜାଙ୍କ ପ୍ରସ୍ତାବ ସତ୍ତ୍ୱେ ଶେଖର ଯେ ଜମିଦାରଙ୍କଠିଁ ରହିବାକୁ ପ୍ରସ୍ତୁତ ଥିଲା, ତାହା ତା’ର ଉଜ୍ଜ୍ୱଳ ବିବେକ୍ର ପରିଚୟ ଦେଉଥିଲା । ଆଉ ବାକି ରହିଲା ସାହସର କଥା । ସାହସୀ ନ ହେଲେ ରାଜାଙ୍କ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିବା କାହା ପକ୍ଷରେ ସମ୍ଭବପର ନୁହେଁ । ଏଠାରେ ସାଧାରଣ ସାହସ କଥା ପଡିନାହିଁ । ନୈତିକ ସାହସ କଥା କୁହାଯାଉଛି । ରାଜାଙ୍କ କଥା ଉପରେ ଆପତ୍ତିର ସୂଚନା ଦେବା ବି କୌଣସି ସାଧାରଣ ଲୋକ ପକ୍ଷରେ ସମ୍ଭବପର ନଥିଲା ।”ରାଜାଙ୍କ ମୌନ ଭଙ୍ଗ ହେବା ମାତ୍ରେ ଶବସହ ଶବସ୍ଥିତ ସେ ବେତାଳ ବି ତାଙ୍କ କାନ୍ଧରୁ ଖସିଯାଇ ପୂନର୍ବାର ବୃକ୍ଷ ଡାଳରେ ଝୁଲି ପଡିଲା ।

New odia story Odia Story odia Story Boka Na Bibekee
Share. Facebook Twitter Pinterest LinkedIn Tumblr Reddit Email
Previous Articleରୂପଧରଙ୍କ ଯାତ୍ରା
Next Article କ୍ଷତିରୁ ଲାଭ
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.