• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଉପନ୍ୟାସ»ବୁଢ଼ୀ ମଙ୍ଗଳା :
ଉପନ୍ୟାସ

ବୁଢ଼ୀ ମଙ୍ଗଳା :

ଫକୀର ମୋହନ ସେନାପତିBy ଫକୀର ମୋହନ ସେନାପତିNovember 26, 2018No Comments5 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

“ଯା ଦେବୀ ବୃକ୍ଷମୂଳେସୁ ଶିଳାରୂପେଣ ସଂସ୍ଥିତା,
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋନମଃ ।
ମୃତ୍ତିକାଶ୍ଵଗଜାରୂଢ଼ା ବନ୍ଧ୍ୟାୟାଃ ପୁତ୍ରଦାୟିନୀ,
ବାଡିସଂହାରିଣୀ ଦେବି ନାରାୟଣି ନମୋଽସ୍ତୁତେ ।”

ଅସୁରଦିଘିର ପଶ୍ଚିମକୋଣ ଗାଆଁ ଭିତରୁ ଦିଘିକୁ ଯିବା ବାଟର ଡାହାଣୀ ହାତ ପାଖରେ ଗୋଟିଏ ଭାରି ବରଗଛ ଅଛି । ଗଛମୂଳର ଚିହ୍ନ ନାହିଁ, କୋଡ଼ିଏ ପଚିଶ ଗୋଟା ଓର ପଡ଼ି ଡାଳଗୁଡିକ ପରସ୍ପର ଛନ୍ଦାଚନ୍ଦି ହୋଇ ଗଛଟି ପ୍ରାୟ ବାର ତେରଗୁଣ୍ଠ ଜମି ମାଡ଼ି ବସିଅଛି । ସାନ ସାନ ଡାଳ ପତ୍ରଗୁଡିକ ଏପରି ନିଘଞ୍ଚ ହୋଇଅଛି ଯେ,ଖରା ତେଜ ମୂଳକୁ ବାଜେ ନାହିଁ । ଗଛଟି ବହୁକାଳର । ପୁରୁଖା ପୁରୁଖା ଲୋକମାନେ କହନ୍ତି, ଏଇଟି ସତ୍ୟଯୁଗର ଠାକୁରାଣୀ ଗଛ । ସେମାନେ ପିଲାକାଳରୁ ଦେଖିଆସୁଛନ୍ତି, ଏହା ବଢ଼ିବାକୁ ବା ଛିଣ୍ତିବାକୁ ନାହିଁ । ଗଲା ସାତଅଙ୍କ ତୁଳାମାସ ଉଆଁସ ଦିନ ଭାରି ଗୋଟାଏ ତୋଫାନ ହୋଇଥିଲା, ଗାଆଁର ସମସ୍ତ ସଜନାଗଛ ଓ କଦଳୀଗଛ ପ୍ରଭୃତି ଉପୁଡ଼ିଗଲା, ଏ ଗଛରୁ ଗୋଟିଏ ପତର ମଧ୍ୟ ଝଡ଼ିଲାନାହିଁ । ଠାକୁରାଣୀଙ୍କ ମହିମା! ମଝିରେ ଚାରିଗୋଟି ଓର ଗଛପରି ଛିଡ଼ାହୋଇଅଛି, ତାହା ମୂଳରେ ଗ୍ରାମ ଦେବତୀଙ୍କ ଆସ୍ଥାନ । ଠାକୁରାଣୀଙ୍କ ନାମ ବୁଢ଼ୀମଙ୍ଗଳା । ମଙ୍ଗଳାଙ୍କର ଅଢ଼େଇମାଣ ଦେବୋତ୍ତର ଜମି ଅଛି । ବାରଗୁଣ୍ଠ ଆଠଗୁଣ୍ଠ ବିଜେ ଆସ୍ଥାନ ତଳି ବାକି ଦୁଇମାଣ ଜଳଜମି, ଦେଉରୀ ଭୋଗକରେ ଓ ଠାକୁରାଣୀ ପୂଜାକରେ । ଗ୍ରାମରେ ବିଶେଷରେ ମାଇକିନିଆମାନଙ୍କ ମଧ୍ୟରେ ଦେଉରୀର ଭାରି ମହିମା । ଠାକୁରାଣୀ ସ୍ୱପ୍ନରେ ଦେଉରୀକୁ ଦେଖାଦିଅନ୍ତି, ସବୁ କଥାକହନ୍ତି । ବାଡ଼ିରେ କଦଳୀଟାଏ, ବାଇଗଣଟାଏ, କଖାରୁଟାଏ ଫଳିରେ ଆଗ ଫଳଟା ଠାକୁରାଣୀଙ୍କୁ ନ ଦେଲେ ସେ ଖାଏ ନାହିଁ । ମଣ୍ଡପଟି ପକ୍କାରେ ତୟାରି । ମଝିରେ ଠାକୁରାଣୀଙ୍କର ନିଜ ମୂର୍ତ୍ତି । ମୂର୍ତ୍ତିଟି ଖୁବ୍ ବଡ଼, ଓଜନରେ ଦଶ ପଶୁରିରୁ ଊଣା ହେବ ନାହିଁ, ଦୁଇ ଚାରିଟା ହଳଦୀଶିଳ ମିଶିଲେ ଯେତେ ବଡ଼ ତହିଁରୁ ବଳିପଡ଼ିବ । ଗୋଟାଯାକ ଚାରିଆଙ୍ଗୁଳି ବହଳ ସିନ୍ଦୂରବୋଳା । ବଡ଼ ଠାକୁରାଣୀଙ୍କୁ ଛାଡ଼ି ଆଉ ଚାରିଗୋଟି ସାନ ମୂର୍ତ୍ତି ଅଛନ୍ତି । ମଣ୍ତପ ଡାହାଣ ଭାଗରେ କିଛିଦୂରରେ ଭଙ୍ଗା, ଦଦରା, ଦଢ଼ ମାଟିର ହାତୀ, ଘୋଡ଼ା ପଣେ କି ଦୁଇପଣ ଜମା ହୋଇଅଛି । ଠାକୁରାଣୀଙ୍କୁ ମାଟିର ହାତୀ ବା ଘୋଡା ଚଢ଼ିବାକୁ ଦେଲେ ପିଲାମାନଙ୍କର ପୀଡ଼ା ଛାଡିଯାଏ । ବଡ଼ ବଡ଼ ଲୋକଙ୍କର ପୀଡ଼ା ଛାଡ଼ିବାର ମଧ୍ୟ ଦେଖା ଶୁଣାଅଛି । ଏଥିସକାଶେ ଠାକୁରାଣୀଙ୍କ ଜାଗା କେଭେଁ ଖାଲିଥାଏ ନାହିଁ । ଦେବୀଙ୍କର ପୂଜା ପ୍ରତିଦିନ ହୁଏ ନାହିଁ । ଶୁଖିଲାପତ୍ର ଆଉ ଅଳିଆରେ ଢାଙ୍କି ହୋଇଥାନ୍ତି । ବିଭା, ପୁହାଣିଘର କାହାରି ପୁଅଝିଅର ବେରାମ ଆରାମ ହେଲେ କିମ୍ବା କାହାରି ମାନସିକ ଥିଲେ ପୂଜା ହୁଏ । ଗାଁରେ ବାଡ଼ିପଡିଲେ ପୂଜାର ଧୂମ୍ ଲାଗୁଥାଏ । କିରାଣିମାନଙ୍କ ପରି ମାସକୁ ମାସ ଠାକୁରାଣୀଙ୍କର ଆୟ ନାହିଁ । ବିପଦ ପଡ଼ିଲେ ଡାକ୍ତର ଆଉ ଓକିଲଙ୍କ ଦୁଆରପରି ଠାକୁରାଣୀଙ୍କ ଆସ୍ଥାନ ଚମକିଉଠେ । ଗ୍ରାମର ଲୋକଙ୍କ ଭେଦା ପଇସାରେ ପୂଜାଖର୍ଚ୍ଚ ଚଲେ । ଠାକୁରାଣୀ ଭାରି ପ୍ରତ୍ୟକ୍ଷ ଦେବତା, ଏହାଙ୍କ ଅନୁଗ୍ରହରୁ ଗ୍ରାମରେ ଆପଦବିପଦ ଘଟେ ନାହିଁ । କେବେ କେବେ ମାଉସୀ ବୁଢ଼ୀ ପ୍ରବଳ ହୋଇ ଗ୍ରାମରେ ପଶିଯାଏ; ମାତ୍ର ଭଲକରି ପୂଜା ଦେଲେ ଶଏ ପଚାଶ ଜଣରୁ ବେଶି ନେଇପାରେନାହିଁ ଛାଡ଼ି ପଳାଏ । ଆପଣ ସଭ୍ୟ ପାଠକ, ଏ କଥା ଶୁଣି ହସିବେ, ବିଜ୍ଞାନଶାସ୍ତ୍ର ଯୋଖିଦେଇ କହିବେ, ରୋଗ ହେଲେ ଔଷଧ ଖାଅ, ଠାକୁରାଣୀଙ୍କର ପୂଜା କ’ଣ ? ଆଚ୍ଛା, ଆମ୍ଭେମାନେ ପଚାରୁଁ, ବଙ୍ଗଳା ଏପିଡେମିକ୍ ଫିଭର ଓ ବୋମ୍ବେ ବିଶେଷ ପୂଜା ପାଇବାର ଏହା ଗୋଟିଏ ବିଶେଷ କାରଣ ଅଟେ । କେଉଁ କେଉଁ ବା କେତେଜଣ ବନ୍ଧ୍ୟା ଦେବୀଙ୍କ ବରରୁ ପୁତ୍ରଲାଭ କରିଅଛନ୍ତି; ସେଥିରେ ବିଶେଷ ଡାବ ଦେଇପାରିବୁ ନାହିଁ । ମାତ୍ର ଅମ୍ଭେମାନେ ନିର୍ମାଲ୍ୟ ଛୁଇଁ କହିପାରୁ, ଗ୍ରାମରେ ଯେଉଁ ସ୍ତ୍ରୀମାନେ ସନ୍ତାନବତୀ ହୋଇଅଛନ୍ତି, ପ୍ରଥମେ ବିବାହ ସମୟରେ ବନ୍ଧ୍ୟାଥିଲେ ସେମାନେ । ପୂର୍ବେ ବୋଲିଅଛୁ; ଦୀଘିକୁ ଯିବାପାଇଁ ଠାକୁରାଣୀଙ୍କ ଆଗରେ ଗୋଟିଏ ବାଟ ଅଛି । ଗ୍ରାମର ମାଇକିନିଆମାନେ ସେହିବାଟେ ଯିବାଆସିବା କରନ୍ତି । ଗୋଟିଏ ସ୍ତ୍ରୀ ବୟସ ଅନ୍ଦାଜ ୩୦ ହେବ, ପ୍ରତିଦିନ ସ୍ନାନ କରିଆସି କାଖରୁ ମାଠିଆଟି ଓହ୍ଲାଇ ଠାକୁରାଣୀଙ୍କ ଆଗରେ ଥୋଇଦିଏ, ପହଁରାରେ ଦେବୀଙ୍କ ଆଗଟି ପହଁରିଦେଇ ମାଠିଆରୁ ପୋଷେ ପାଣି ନେଇ ଠାକୁରାଣୀ ଗଛମୂଳେ ଦିଏ ଓ ଭୂଇଁରେ ମୁଣ୍ତିଆ ମାରି ତୁନି ତୁନି କ’ଣ ଜଣାଏ ଏବଂ ପ୍ରତିଦିନ ସଞ୍ଜବେଳେ ଗୋଟିଏ ବଳିତା ଜାଳିଆଣି ଠାକୁରାଣୀ ସ୍ଥାନରେ ସଞ୍ଜଦିଏ ଏବଂ କ’ଣ ପ୍ରାର୍ଥନା କରେ । ଏହିପରି କରୁଥିବାର ଛମାସ ହେଲା ଲୋକମାନେ ଦେଖି ଆସୁଛନ୍ତି । ତାହା ମନର କଥା କେହି ଜାଣେ ନାହିଁ, କାରଣ ସେ ସ୍ତ୍ରୀ ବଡ଼ ଲାଜକୁଳୀ, ସବୁବେଳେ ଓଢ଼ଣା ପକାଇଥାଏ, କାହାରି ସହିତ ମିଶେ ନାହିଁ, କାହାରି ସହିତ କଥା କହେ ନାହିଁ ।

ଗ୍ରାମରୁ ଗୋରୁଜଗା ପିଲାମାନେ ଖରାବେଳେ ପଡ଼ିଆରେ ଗୋରୁ ଛାଡ଼ିଦେଇ ଠାକୁରାଣୀଙ୍କ ନିକଟ ଗଛମୂଳେ ଖେଳନ୍ତି, ହଠାତ୍ ଖେଳ ଛାଡ଼ି ପାଞ୍ଚଣ ଧରି ସମସ୍ତେ ଘେରି ଛିଡ଼ା ହୋଇଗଲେ । ସେମାନଙ୍କ ଦେଖା ଦେଖି ଗ୍ରାମର ୧୦।୧୫ ଜଣ ଲୋକ ରୁଣ୍ତ ହୋଇଗଲେଣି; କାଲିତ ପୂଜା ହୋଇନାହିଁ, ଠାକୁରାଣୀଙ୍କ ଠାରେ ପୂଜାସରଞ୍ଜାମ କାହୁଁ ପଡ଼ିଲା ? ମନ୍ଦାର ଫୁଲ, ଶତବର୍ଗ ଫୁଲର ମାଳ, ଖଇ, ଉଖୁଡ଼ା ଚାରିଆଡ଼େ ବୁଣି ପଡ଼ିଅଛି, ଠାକୁରାଣୀ ଦେହରେ ତଟକା ହଳଦୀ ଲାଗିଅଛି । ଠାକୁରାଣୀ ପୂଜା ଗ୍ରାମ ମଧ୍ୟରେ ଗୋଟିଏ ବିଶେଷ ଘଟଣା । ଭେଦା ହୁଏ, ବାଇଦ ବାଜେ, ଗ୍ରାମର ସମସ୍ତେ ଦେଖିବାକୁ ଆସନ୍ତି । ପୂଜା ସନ୍ଧ୍ୟା ସମୟରେ ହୁଏ, ମାନସିକ ପୂଜା ମଧ୍ୟ ସେହିପରି ହୁଏ । କାହିଁ, କାଲି ତ ବାଇଦ ବାଜି ନାହିଁ, ସଞ୍ଜବେଳେ ପୂଜା ହୋଇନାହିଁ, ଏସବୁ କାହୁଁ ଅଇଲା ? ଗୋଟାଏ ପିଲା ଡକାପଡ଼ି କହିଲା, ଏଟା କ’ଣ ଏଟା କ’ଣ? ସମସ୍ତେ ଧାଇଁଯାଇ ଦେଖିଲେ, ଠାକୁରାଣୀ ପଛରେ ଭାରି ଗୋଟିଏ ବିଳ । ବିଳମୁହଁ ଠାକୁରାଣୀ ମଣ୍ତପଠାରୁ ତିନି ହାତ ଦୂରରେ । ତାହାର ମୁହଁଟା ଖୁବ୍ ବଡ଼, ଜଣେ ମନୁଷ୍ୟ ଯାଇ ବସିପାରେ । ଗାଁ ଯାକ ଏ କଥା ଖେଳିଗଲା । ଲୋକମାନେ ଦେଖିବାକୁ ଧାଇଁଲେ, ମଙ୍ଗରାଜେ ମଧ୍ୟ ଶୁଣିପାରି ଧାଇଁଅଇଲେ । ନାନା କଥା ହୋଇ ଶେଷରେ ସ୍ଥର ହେଲା, କୌଣସି ଭକ୍ତର କଷ୍ଟ ଫେଡ଼ିବା ନିମନ୍ତେ ଠାକୁରାଣୀ କାଲି ନିଶାଭାଦ ରାତିରେ ବିଜେ ହୋଇଥିଲେ । ବିଳଟା ତାଙ୍କ ବାଘ ଖୋଳିପକାଇଛି । ମଙ୍ଗରାଜେ କହିଲେ “ଏହି ବିଳ ମଧ୍ୟରେ ବର୍ତ୍ତମାନ ବାଘ ଥିବାର ଜଣାଯାଉଅଛି ।” ବାଘ ନାମ ଶୁଣି ସମସ୍ତେ ପଳାଇଲେ । ଶେଷରେ ମଙ୍ଗରାଜେ ରାମା ମୁହକୁ ଚାହିଁ ଚାହିଁ ଚାଲିଗଲେ । ବୋଧ କରୁ, ଏହା କିଛି କାର୍ଯ୍ୟର ସାଙ୍କେତିକ ଚିହ୍ନ । ତହିଁଆରଦିନ ଆଉ କେହିବିଳ ଦେଖିଲେ ନାହିଁ । ଏହି କଥାଟା ଗ୍ରାମରେ ଅନେକ ଦିନ ପର୍ଯ୍ୟନ୍ତ ଆଲୋଚନା ହେଲା । ଭୀମା ମା ଭଣ୍ତାରୁଣୀ କହିଲା, “ମୋର ବୟସ ସାତଗଣ୍ତା କି ଦେଢ଼ପଣ କି ଚାରିପଣ ହେଲାଣି, ଗ୍ରାମର ଯେତେ ବୁଢ଼ା ଦେଖିଛ, ମୁଁ ସମସ୍ତଙ୍କୁ ବିଭା କରାଇଅଛି, ସମସ୍ତେ ମୋ ଆଗରେ ପିଲା । ମୁଁ ନିଜ ଆଖିରେ ଠାକୁରାଣୀ ଏଥରକୁ ଲଗାଇ ଚାରିଥର ଦେଖିଲିଣି । କାଲି ନିଶାଭାଗ ରାତିରେ ବାହାରକୁ ଉଠିଥିଲି, ଗୋହିରୀ ମଝିରେ ଝୁଣାଗନ୍ଧ ଆସିଲା, ଝମର ଝମର ଶୁଭିଲା । ଅନାଇଲି, ବାଘ ଉପରେ ବସି ଠାକୁରାଣୀ ବିଜେ ହେଉଛନ୍ତି । ବାପରେ ! ସେ ବାଘଟା କେଡେ ! ମୁଁ କେତେ ବାଘ ଦେଖିଛି, ଏତେ ବଡ଼ ବାଘ କାହିଁ ଦେଖିବାର ନାହିଁ । ତା’ର ଲମ୍ବଟା ସାତ କି ଆଠ ହାତ ହେବ । ମୁଣ୍ତଟା ବଡ଼ପଣ୍ତା ମୁଣ୍ତପରି ତ୍ରିପଣ୍ତ କଳା । ବାଘଟି ମୋ ଆଡ଼କୁ ତରାଟି ଚାହିଁଲା । ମୁଁ ତ ଡରରେ ତାଟି କିଳିପକାଇଲି । “ଅଧରାତିରେ ଦାଣ୍ତରେ ବାଘ ଚାଲିବା ଶବ୍ଦ ଶୁଣିବାର ଆହୁରି ମଧ୍ୟ ଚାରି ପାଞ୍ଚ ବୁଢ଼ା ମନୁଷ୍ୟ ସାକ୍ଷ୍ୟ ଦେଲେ । ସକାଳେ ବାଘ ଖୋଜ ରାମା ତନ୍ତୀ ଦେଖିଥିବାର ଦୃଢ଼ ରୂପେ କହିଲା । ଠାକୁରାଣୀ ଆସିଥିବାର ନିଃସନ୍ଦେହରେ ସ୍ଥିର ହେଲା ।

Share. Facebook Twitter Pinterest LinkedIn Tumblr Reddit Email
Previous Articleଚମ୍ପା :
Next Article ଜମିଦାର ସେଖ୍ ଦିଲବାର୍ ମିଆଁ :
ଫକୀର ମୋହନ ସେନାପତି

Related Posts

ଡାକମୁନ୍ସି

February 10, 2022

ଉପସଂହାର

November 26, 2018

ଅପୂର୍ବ ମିଳନ :

November 26, 2018

ବାବାଜୀ ଲଳିତା ଦାସ :

November 26, 2018

ମଙ୍ଗରାଜ ଘରର ହାଲଚାଲ :

November 26, 2018

ଖୁଣି ତଦାରଖି :

November 26, 2018
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.