• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ବୀର ହନୁମାନ
ଗଳ୍ପ

ବୀର ହନୁମାନ

Liza SBy Liza SJanuary 4, 2023No Comments8 Mins Read
Facebook Twitter Pinterest Reddit LinkedIn Tumblr Email
Odia story Beera Hanumana
Odia story Beera Hanumana
Share
Facebook Twitter Pinterest Reddit Email

ସୀତା ଅଶୋକ ବନରେ ନିରତ ଅଶ୍ରୁମୋଚନ କରି କରି ଓ ଶ୍ରୀରାମଙ୍କ କଥା ଭାବି ଭାବି ଦୁଃଖରେ ବସି ରହିଥିଲେ । ରାକ୍ଷସୀମାନେ ତାଙ୍କୁ ଘେରି ରହିଥା’ନ୍ତି । ଏତିକିବେଳେ ରାବଣ ଆସି ସେଠାରେ ପହଁଚିଲା । ହସି ହସି ବଡ ଉତ୍ସାହର ସହିତ ସେ କହିଲା, “ସବୁ ନାଟକ ଶେଷ ହୋଇଗଲା; ରାମ ଯୁଦ୍ଧରେ ମରିଗଲା । ଏବେ ବିନା ଦ୍ୱିଧାରେ ତୁମେ ମୋତେ ନିଜ ସ୍ୱାମୀ ରୂପରେ ବରଣ କର । ତୁମେ ମୋର ରାଣୀମାନଙ୍କ ମଧ୍ୟରେ ପାଟରାଣୀ ହେବ । ଏଥର ଶୁଣ ରାମ କିପରି ମଲା । ରାମ ଯେ ବାନର ସେନାଙ୍କ ସହିତ ସାଗର ପାର୍ ହୋଇ ଲଙ୍କାରେ ପ୍ରବେଶ କରିଥିଲା ସେକଥା ସତ୍ୟ । କିନ୍ତୁ ସେମାନେ ତ ଜାତିରେ ବାନର, ପ୍ରଚଣ୍ଡ ବୋକା । ଥକା ହୋଇ ସମସ୍ତେ ଶୋଇ ପଡିଥିଲେ । ପ୍ରହସ୍ତ ସୈନ୍ୟଦଳ ନେଇ ରାତିରେ ହଠାତ୍ ସେମାନଙ୍କୁ ଆକ୍ରମଣ କରି ପ୍ରାୟ ସମସ୍ତିଙ୍କୁ ମାରି ପକାଇଲା ।”

ରାମ ମଧ୍ୟ ଶୋଇ ପଡିଥିଲା । ପ୍ରହସ୍ତ ନିଜ ହାତରେ ତା’ ମୁଣ୍ଡ କାଟିଲା । ବିଭୀଷଣ ଆକାଶମାର୍ଗରେ ପଳାଇ ଯିବାକୁ ଚାହୁଁଥିଲା । ରାକ୍ଷସମାନେ ତାକୁ ମଧ୍ୟ ବାନ୍ଧି ଆଣିଲେ । ଲକ୍ଷ୍ମଣ କିଛି ବାନର ସୈନ୍ୟ ନେଇ ପଳାଇଗଲା । ସୁଗ୍ରୀବ, ଜାମ୍ବବାନ ଆଦି ସମସ୍ତେ ପୂର୍ବରୁହିଁ ମରି ଶୋଇଛନ୍ତି । ଅନେକ ବାନର ସୈନ୍ୟ ମରି ଶୋଇଛନ୍ତି । ଚତୁର୍ଦ୍ଦିଗରେ ମୃତଦେହ ଛଡା ଆଉ କିଛି ହେଲେବି ନାହିଁ । ତା’ପରେ ରାବଣ ଗର୍ଜ୍ଜନ କରି ଜଣେ ରାକ୍ଷସୀକୁ ଆଦେଶ ଦେଲା, “ଶୀଘ୍ର ଯାଇ ବିଦ୍ୟୁତ୍ଜିହ୍ୱକୁ ଡାକିଆଣ । ତା’ ପାଖରେ ରାମର ମୁଣ୍ଡ ଅଛି । ସୀତା ନିଜ ଆଖିରେ ତାହା ଦେଖୁ ।”ବିଦ୍ୟୁତ୍ଜିହ୍ୱ ତତ୍କ୍ଷଣାତ୍ ରାମଙ୍କର ମୁଣ୍ଡ ଓ ଧନୁ ଧରି ହାଜର୍ ହୋଇଗଲା । ରାବଣ ତାକୁ କହିଲା, “ଶୀଘ୍ର ଏ ମୁଣ୍ଡ ଓ ଧନୁ ନେଇ ସୀତାକୁ ଦେଖାଅ । ସେ ଶେଷଥର ପାଇଁ ତା’ ପତିର ମସ୍ତକକୁ ଦେଖୁ ।”

ବିଦ୍ୟୁତ୍ଜିହ୍ୱ ରାମଙ୍କର ମୁଣ୍ଡକୁ ନେଇ ସୀତାଙ୍କ ପାଖରେ ରଖିଲା । ରାବଣ ଗର୍ଜ୍ଜନ କରି କହିଲା, “ସୀତେ, ତୁମ ପତିର ଏ ଦୁର୍ଦ୍ଦଶା ଦେଖ । ଏହା ପରେ ମଧ୍ୟ ତୁମେ କ’ଣ ମୋତେ ସ୍ୱୀକାର କରିବ ନାହିଁ? ମୋ ପରି ପରାକ୍ରମୀ ଓ ତ୍ରିଭୁବନ ବିଜୟୀ ରାଜା ନିକଟରେ କିଏ ବା ନତମସ୍ତକ ନ ହେବ? ରାମ ଅଯଥା ସାହସ କଲା ଓ ତାହାର ଫଳ ଏହାହିଁ ହେଲା । ଆଉ ତୁମେ ଏଠି ବସି ଆକାଶ କୁସୁମ ତୋଳୁଥାଅ । ଜୀବନରେ ଆଉ ରାମକୁ ତ କେବେବି ପାଇବ ନାହିଁ । ଯିଏ ଗଲା ସେ ଗଲା । ସେ ଏବେ ଅତୀତ ହୋଇ ଗଲାଣି । ତା’କଥା ମନ ମଧ୍ୟରୁ ପୋଛି ଦେଇ ମୋତେ ଭଜନା କର । ଏ ରାକ୍ଷସ ରାଜ୍ୟରେ ମୋ ବ୍ୟତୀତ ତୁମର ନିଜର ବୋଲି ତ ଆଉ କେହିବି ନାହିଁ ।”

ସୀତା ସେହି କଟାମୁଣ୍ଡକୁ ବହୁସମୟ ଧରି ନିରୀକ୍ଷଣ କଲେ । ଦେଖିଲେ ମୁଖ, ବାଳ ସବୁ ଠିକ୍ ରାମଙ୍କ ପରି । ତେବେ ଏ ଦୁର୍ଦ୍ଦଶା ଶ୍ରୀରାମଙ୍କର ହେଲା କିପରି? ଏହି କଥା ଭାବି ସେ ବହୁତ ଜୋର୍ରେ କାନ୍ଦିବାକୁ ଲାଗିଲେ । ସେ କାନ୍ଦି କାନ୍ଦି କହୁଥା’ନ୍ତି ମାତା କୈକେୟୀଙ୍କ କଥାର ଅଳ୍ପ ବ୍ୟତିକ୍ରମରୁ ଆଜି ଏପରି ଦୁର୍ଦ୍ଦଶା ଘଟିଲା । କାନ୍ଦି କାନ୍ଦି ସେ ମୂର୍ଚ୍ଛା ହୋଇଗଲେ । ମୂର୍ଚ୍ଛା ଭାଙ୍ଗିବାରୁ ସେ ରାମଙ୍କ ମଥାକୁ କୋଳରେ ଧରି କାନ୍ଦୁ କାନ୍ଦୁ କହିଲେ, “ଲକ୍ଷ୍ମଣ ଯାଇ ଏହି ଭୟଙ୍କର ଖବର କୌଶଲ୍ୟାଙ୍କୁ ଦେବା ମାତ୍ରେ କୌଶଲ୍ୟାଙ୍କ ହୃଦୟ ଶତଧା ବିଦୀର୍ଣ୍ଣ ହେବ ଓ ତାଙ୍କର ମୃତ୍ୟୁ ହେବ । ଏବେ ଶ୍ରୀରାମଙ୍କର ପବିତ୍ର ସୂର୍ଯ୍ୟବଂଶ ନଷ୍ଟ ହୋଇଯିବ । ଏସବୁ କେବଳ ମୋହରି ପାଇଁ ହେଲା । ଏସବୁ କଥା ଭବିଷ୍ୟତରେ ହେବାର ଅଛି ଜାଣିଥିଲେ ହୁଏତ ରାମ ମୋତେ ଆଦୌ ବିବାହ କରି ନଥା’ନ୍ତେ ।”

ଏପରି ବିଳାପ କରୁ କରୁ ରାବଣକୁ ସେ କହିଲେ, “ହେ ରାକ୍ଷସରାଜ ରାବଣ, ତୁ ତ ଦିନେହେଲେ କୌଣସି ପୂଣ୍ୟକର୍ମ କରିନାହୁଁ । ମୋତେ ଯଦି କୌଣସି ମୂଲ୍ୟ ଦେଉଛୁ ତେବେ ଏହିକ୍ଷଣି ତୋ’ର ପୁଣ୍ୟ କରିବାର ସୁଯୋଗ ମିଳିଛି । ରାମଙ୍କ ଶରୀର ସହିତ ମୋତେ ଏକା ଚିତାରେ ଜଳିବାକୁ ବ୍ୟବସ୍ଥା କରି ଦେ ।”ସେତିକିବେଳେ ସେଠାକୁ ଜଣେ ରାକ୍ଷସ ଆସି କହିଲା ସେନାଧିପତି ପ୍ରହସ୍ତ ଓ ମନ୍ତ୍ରୀମାନେ ମହାରାଜଙ୍କ ସହିତ ଦେଖା କରିବାକୁ ଚାହାଁନ୍ତି । ତତ୍କ୍ଷଣାତ୍ ରାବଣ ଅଶୋକବନ ଛାଡି ଚାଲିଗଲା । ସେ ସେଠାରୁ ବାହାରକୁ ଯିବା ମାତ୍ରେ ରାମଙ୍କର ଶିର ଓ ଧନୁ କେଉଁଆଡେ ଅନ୍ତର୍ହିତ ହୋଇଗଲା ।ଇତିମଧ୍ୟରେ ବିଭୀଷଣ ପତ୍ନୀ ସରମା ସେଠାରେ ଆସି ପହଁଚିଲେ । ସେ ସୀତାଙ୍କୁ ଖୁବ୍ ଭଲ ପାଉଥାନ୍ତି । ସେ ତାଙ୍କୁ ସାନ୍ତ୍ୱନା ଦେଇ କହିଲେ, “ମୁଁ ଏହିଠାରେ ଥାଇ ତୁମର ଓ ରାବଣର କଥାସବୁ ଶୁଣୁଥିଲି । ମୁଁ ଏଠାକୁ ଲୁଚି ଲୁଚି ଆସିଛି । ମୁଁ ତାକୁ ଡରିନାହିଁ । ଜାଣ ସେ ଏଠାରୁ କାହିଁକି ଶୀଘ୍ର ଶୀଘ୍ର ପଳାଇଲା? ତୁମେ କ’ଣ ତୁରୀ, ଭେରୀର ଶବ୍ଦ ଶୁଣି ପାରୁନାହଁ? ଏପଟେ ଯୁଦ୍ଧ ପାଇଁ ପ୍ରସ୍ତୁତି ଚାଲିଛି । ସେପଟେ ସେମାନେ ଆକ୍ରମଣ କରିବାକୁ ପ୍ରସ୍ତୁତ । ରାମ ଲକ୍ଷ୍ମଣ ତ ଏମାନଙ୍କୁ ଖୁବ୍ ଅଳ୍ପ ସମୟରେ ସଫା କରିଦେବେ । ତୁମେ ଆଉ ଦୁଃଖିତ ହୁଅନାହିଁ ।”

ସରମାର ଏତାଦୃଶ ସାନ୍ତ୍ୱନାଭରା କଥା ଶୁଣି ସୀତା ଟିକେ ଆଶ୍ୱସ୍ତ ହେଲେ । ତା’ପରେ ସରମା କହିଲେ, “ତୁମେ ଆଉ ଦୁଃଖ କରନାହିଁ, ମୁଁ ଆକାଶ ମାର୍ଗରେ ଗରୁଡ ପରି ଯାଇ ସବୁ ଖବର ବୁଝି ଆସିବି, କ’ଣ ତୁମର ବିଶ୍ୱାସ ହେଉନାହିଁ?”ସୀତା କହିଲେ “ବିଶ୍ୱାସ କାହିଁକି ହେବନାହିଁ? ତୁମେ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ତିନିପୁରକୁ ଯାଇପାର । ମୋତେ ଏତିକି ଖବର ଦେବ ରାବଣ କେଉଁଠି ଅଛି ଓ କ’ଣ କରୁଛି । ସେତକ ଜାଣିଲେ ମୁଁ ଟିକେ ନିଶ୍ଚିନ୍ତ ହେବି ।”ସରମା ସୀତାଙ୍କ ଲୁହ ପୋଛିଦେଇ ସ୍ନେହରେ ତାଙ୍କୁ ଆଲିଙ୍ଗନ କଲେ ଓ ତା’ପରେ ସେଠାରୁ ସେ ଚାଲିଗଲେ । କିଛି ସମୟ ପରେ ସେଠାକୁ ଲେଉଟି ଆସି ସେ କହିଲା, “ରାବଣର ମା’ ଓ ତା’ର ବୃଦ୍ଧ ମନ୍ତ୍ରୀ ତାକୁ ବହୁତ ବୁଝାଇ କହିଲେ ଯେ ସୀତାଙ୍କୁ ଫେରାଇ ଦିଅ, ନହେଲେ ଘୋର ଯୁଦ୍ଧ ହୋଇ ରାକ୍ଷସକୁଳ ସବୁଦିନ ଲାଗି ଲୋପ ହୋଇଯିବେ । କିନ୍ତୁ ରାବଣ ସେମାନଙ୍କ କଥାକୁ ବେଖାତିର୍ କଲା । କିନ୍ତୁ ମନ୍ତ୍ରୀମାନେ ରାବଣକୁ ପୁରା ସମର୍ଥନ କରୁଥା’ନ୍ତି ।”ସରମା ଏହିପରି କହୁଥିବାବେଳେ ବାନର ସେନାଙ୍କର ସିଂହଧ୍ୱନି ଓ ଶଙ୍ଖଧ୍ୱନି ଶୁଣାଗଲା । ସେଥିରୁ ଜଣାଗଲା ରାମ ଲଙ୍କା ନଗରୀର ନିକଟରେ ଆସି ପହଁଚି ଗଲେଣି ।

ବାନର ସେନାଙ୍କର କୋଳାହଳ ଶୁଣି ରାବଣ ତା’ର ମନ୍ତ୍ରୀଗଣଙ୍କୁ କହିଲା, “ତୁମେ ସବୁ ବହୁତ କଥା ବଢେଇ ଚଢେଇ କହୁଥିଲ । ଏବେ ମୁଁ ଜାଣିପାରୁଛି ଯେ ରାମର ପରାକ୍ରମ ଦ୍ୱାରା ତୁମେମାନେ ପରାଭୂତ ଓ ଭୟଭୀତ । ସେ ଏକ ସାଧାରଣ ମନୁଷ୍ୟ, ଆଉ ସେ ତା’ ସାଙ୍ଗରେ ଦଳେ ମାଙ୍କଡ ଆଣିଛି । ଏମାନେ ତ ଆମର ଭକ୍ଷ୍ୟ । ତେବେ କେଉଁଥି ପାଇଁ ଏ ଭୟ?”ବୃଦ୍ଧ ମନ୍ତ୍ରୀ ମାଲ୍ୟବନ୍ କହିଲେ, “ରାଜନ୍, ସୀତା ହେଲା ସବୁ ଯୁଦ୍ଧର ମୂଳ । ଏବେ ମଧ୍ୟ ସମୟ ଅଛି ସୀତାଙ୍କୁ ଫେରାଇ ଦିଅ । କାରଣ ଆମ ମଧ୍ୟରେ ଯେଉଁ ସମସ୍ୟା ଉପୁଜିଛି ତାହାର ଅନ୍ୟ ନାମ ହେଉଛି ‘ସୀତା’ । ତାଙ୍କୁ ଫେରାଇ ଦେଲେ ତ ଶତ୍ରୁତା ଆପେ ଆପେ ମେଂଟିଯିବ । କିନ୍ତୁ ଯୁଦ୍ଧ ହେଲେ ତା’ର ପରିଣାମ ବଡ ଭୟାବହ ହେବ । ମର୍କଟ ଓ ଭଲ୍ଲୁକଙ୍କ ହାତରେ ମରିବାକୁ ହେବ । ନ ମରିବା ଭଳି ତ କୌଣସି ବର ପ୍ରାପ୍ତ କରାଯାଇ ନାହିଁ ।”

ରାବଣ ମାଲ୍ୟବନ୍ଙ୍କୁ ବଡ ଗମ୍ଭୀର ଭାବରେ ଚାହିଁ କହିଲା, “ତୁମେ ତ କହୁଛ ମୋର ଭଲ ପାଇଁ, କିନ୍ତୁ ଏହା ଭୀରୁ ଲୋକର ଭାଷା; ତୁମେ ବୋଧହୁଏ ରାମକୁ ଡରୁଛ । ସେ ଜଣେ ସାଧାରଣ ମନୁଷ୍ୟ ମାତ୍ର । ମନୁଷ୍ୟମାନେ ଆମର ଖାଦ୍ୟ । ସେ ଜଙ୍ଗଲରେ ବୁଲି ବୁଲି ଖାଇବାକୁ ନ ପାଇ ଅଧାମରା ଅବସ୍ଥାରେ ଅଛି । ସାଙ୍ଗରେ ସୈନ୍ୟସାମନ୍ତ ନିଜର ବୋଲି କେହିବି ନାହିଁ, ଗୁଡାଏ ମର୍କଟଙ୍କର ସହାୟତା ନେଇ ଆସିଛି । ଏପରି ଏକ ଦରିଦ୍ର, ନିଃସହାୟ, ଅସମର୍ଥ ବ୍ୟକ୍ତିକୁ ତମେମାନେ ମୋପରି ତ୍ରିଭୁବନ ବିଜୟୀ ପରାକ୍ରମୀ ରାଜାର ଛତ୍ରଛାୟା ତଳେ ରହି ଭୟ କରୁଛ? ଏହା କି ହାସ୍ୟାସ୍ପଦ କଥା? ମୋର ପରାକ୍ରମ ଓ ବୀରତ୍ୱ ଜାଣିବା ସତ୍ତ୍ୱେ ଯଦି ମୋ ଉପରେ ତୁମର ଆସ୍ଥା ଓ ବିଶ୍ୱାସ ନାହିଁ ବରଂ ବିଭୀଷଣ ପରି ଯାଇ ଶତ୍ରୁପକ୍ଷରେ ମିଳିତ ହୋଇପାର, କିନ୍ତୁ ମୋତେ ଉପଦେଶ ଦେବାକୁ ଆଉ ଦ୍ୱିତୀୟବାର ସାହସ କରନାହିଁ । ମୁଁ ଯେତେବେଳେ ସୀତାଙ୍କୁ ବଣରୁ ଚୋରାଇ ଆଣିଲି ତାଙ୍କୁ କ’ଣ ଏମିତି ଫେରାଇ ଦେବାପାଇଁ? ଯୁଦ୍ଧ ହେଉ । ମୁଁ ମରେ ନହେଲେ ରାମ ମରୁ । କିନ୍ତୁ ସୀତାଙ୍କୁ ଏବେ ଫେରାଇବାର କୌଣସି ପ୍ରଶ୍ନହିଁ ଉଠୁନାହିଁ ।”

ମାଲ୍ୟବନ୍ ଏଥିରୁ ବୁଝିଗଲେ ଯେ କ୍ରୋଧବଶରେ ରାବଣ ଖାଲି ପାଗଳ ପରି ପ୍ରଳାପ କରୁଛି । ତେଣୁ ସେ ନୀରବ ରହିଲେ; ତା’ପରେ ରାବଣକୁ ବିଜୟପ୍ରାପ୍ତ କରିବାର ଆଶିର୍ବାଦ ଦେଇ ସେଠାରୁ ସେ ଚାଲିଗଲେ । ସେ ଯିବା ପରେ ରାବଣ ଲଙ୍କାଗଡର ସୁରକ୍ଷା ପାଇଁ ମନ୍ତ୍ରୀମାନଙ୍କ ସହିତ କଥାବାର୍ତ୍ତା କଲା । ଆଲୋଚନା ଶେଷରେ ସେମାନେ ସ୍ଥିର କଲେ ଯେ ଇନ୍ଦ୍ରଜିତ ସୈନ୍ୟସାମନ୍ତ ନେଇ ପଶ୍ଚିମ ଦ୍ୱାରରେ ଯିବେ । ଶୁକ ସାରଣ ମଧ୍ୟ ସସୈନ୍ୟ ଉତ୍ତର ଦ୍ୱାର ଜଗିବ । ବିରୁପାକ୍ଷ ସୈନ୍ୟବାହିନୀ ଧରି ଗଡ ଭିତରେ ରହିବ । ତା’ପରେ ମନ୍ତ୍ରୀମାନେ ରାବଣର ଜୟଧ୍ୱନି କଲେ । ସଭା ଶେଷ ହେଲା ।ଶ୍ରୀରାମ ତେଣେ ତାଙ୍କ ମନ ମଧ୍ୟରେ କେତେ କ’ଣ ଭାବୁଥା’ନ୍ତି । ତା’ପରେ ସେ କହିଲେ, “ଜଗତବିଖ୍ୟାତ ସ୍ୱର୍ଣ୍ଣଲଙ୍କାକୁ ଦେବତାମାନେ ମଧ୍ୟ କିଛି କରିପାରି ନାହାଁନ୍ତି, ମୁଁ କିପରି ଆକ୍ରମଣ କରିବି ଓ କେମିତି ବା ଯୁଦ୍ଧ କରିବି?”ଏକଥା ଶୁଣି ବିଭୀଷଣ କହିଲେ, “ମୋର ସହଯୋଗୀମାନେ ପକ୍ଷୀରୂପ ଧାରଣ କରି ଲଙ୍କାରେ ପ୍ରବେଶ କରି ସେଠାକାର ସମସ୍ତ ଖବର ସଂଗ୍ରହ କରି ନେଇ ଆସିବେ । ଆପଣ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ ।”

ବିଭୀଷଣ ତାଙ୍କର ଅନୁଚରବର୍ଗଙ୍କୁ ଖବର ସଂଗ୍ରହ କରିବାକୁ ପଠାଇଲେ । ସେମାନେ ପକ୍ଷୀରୂପରେ ଯାଇ ସମସ୍ତ ଖବର ସଂଗ୍ରହ କରି ଫେରି ଆସି ଶ୍ରୀରାମଙ୍କୁ ସବିସ୍ତାରେ ସବୁବିଷୟ କହିଲେ । ବିଭୀଷଣ କହିଲେ, ରାବଣ ସହିତ ବହୁ ବୀର ଯୋଦ୍ଧା ଓ ଭୀଷଣ ରାକ୍ଷସଗଣ ଅଛନ୍ତି । ସେମାନଙ୍କ ସଂଖ୍ୟା ପ୍ରାୟ ଷାଠିଏ ଲକ୍ଷ ହେବ ।ତା’ପରେ ଶ୍ରୀରାମ କହିଲେ, “ଏବେ ଆଲୋଚନା କରାଯାଉ କିଏ କାହା ସହିତ ଲଢିବେ । ନଳ ନୀଳ ପ୍ରହସ୍ତଙ୍କ ସହ ପୂର୍ବ ଦ୍ୱାରରେ ଲଢିବେ, ଅଙ୍ଗଦ ଦକ୍ଷିଣ ଦ୍ୱାରରେ ମହାପାଶ୍ୱର୍ ସହ ଯୁଦ୍ଧ କରିବେ । ପଶ୍ଚିମ ଦ୍ୱାରରେ ଇନ୍ଦ୍ରଜିତ ସହ ହନୁମାନ ଯୁଦ୍ଧ କରିବ । ଆଉ ମୁଁ ଉତ୍ତର ଦ୍ୱାରରେ ରାବଣ ସହିତ ଯୁଦ୍ଧ କରିବା ଅପେକ୍ଷାରେ ରହିବି । ସେଠାରେ ମୋ ସହିତ ଲକ୍ଷ୍ମଣ ମଧ୍ୟ ରହିବେ । ବାନର ସୈନ୍ୟମାନେ ମାନବରୂପ ଧାରଣ କରିବେ ନାହିଁ । କେବଳ ସୈନ୍ୟର ଅଧିନାୟକମାନେ ମାନବରୂପ ଧରିବେ ।”ଏସବୁ ସ୍ଥିର କରାଯିବା ପରେ ସେନାନାୟକମାନେ ନିଜ ନିଜର ସୈନ୍ୟ ଧରି ଚାଲିଗଲେ । ଶ୍ରୀରାମ, ଲକ୍ଷ୍ମଣ, ବିଭୀଷଣ, ସୁଗ୍ରୀବ ଆଦି ସୁବଳ ପର୍ବତକୁ ଚଢିଲେ ଓ ସେହିଠାରେ ରାତ୍ରିଯାପନ କରିବାର ସମସ୍ତ ବନ୍ଦୋବସ୍ତ କଲେ । ଏହା ପ୍ରାକୃତିକ ଦୃଶ୍ୟରେ ଭରା । ସେଠାରୁ ତ୍ରିକୁଟ ଉପରେ ଥିବା ଲଙ୍କା ନଗରୀ ବଡ ସୁନ୍ଦର ଦେଖାଯାଉଥାଏ ।

ସୂର୍ଯ୍ୟାସ୍ତ ହୋଇସାରିଥାଏ । ସେମାନେ ସୁବଳ ପର୍ବତ ଉପରେ ରାତ୍ରି ଯାପନ କଲେ । ସକାଳେ ସେମାନେ ଲଙ୍କାର ବନ ଉପବନ ବୁଲି ଦେଖିଲେ । ତ୍ରିକୁଟ ପର୍ବତ ଉପରେ ଥିବା ଲଙ୍କା ନଗରୀରେ, ରାବଣର ଅଟ୍ଟାଳିକା ଦୂରକୁ ଅତି ସୁନ୍ଦର ଦେଖାଯାଉଥାଏ । ବୁଲୁ ବୁଲୁ ସୁଗ୍ରୀବ ହଠାତ୍ ଦେଖିବାକୁ ପାଇଲେ ଯେ ରାବଣ ମଧ୍ୟ ତା’ ଛାତ ଉପରେ ବୁଲୁଛି । ସୁଗ୍ରୀବ ନିଜକୁ ଆଉ ସମ୍ଭାଳି ନପାରି ଚିତ୍କାର କରି କହିଲେ, “ରେ ମୂର୍ଖ ରାବଣ, ଭଲକରି ଚିହ୍ନି ଦେଖ; ମୁଁ ହେଉଛି ବାନରରାଜ ସୁଗ୍ରୀବ । ମୁଁ ଶ୍ରୀରାମଙ୍କର ମିତ୍ର ତଥା ସେବକ । ମୁଁ ଆଜି ତୋତେ ଜୀବିତ ଛାଡିବି ନାହିଁ ।”ସେତେବେଳେ ରାବଣ ତ ସେଠାରୁ ଖୁବ୍ ଅଳ୍ପ ଦୂରରେ ଥିଲା । ତେଣୁ ସେ ମଧ୍ୟ ଦ୍ୱନ୍ଦଯୁଦ୍ଧ ସ୍ୱୀକାର କରିନେଲା । ସେ କହିଲା, “ସୁଗ୍ରୀବ ମାନେ କ’ଣ ଜାଣୁ ମୂର୍ଖ? ସୁଗ୍ରୀବ ମାନେ ଭଲ ଗ୍ରୀବା ବା ବେକ । ଆଜି ତୋର ସେଇ ଗ୍ରୀବାକୁ ମୁଁ ଅତି ସୁନ୍ଦର ଭାବେ ଭାଙ୍ଗି ତୋରି ହାତରେ ରଖିଦେବି ।” ଏହା ପରେ ସେ ଦୁହେଁ ଦୁହିଁଙ୍କ ଉପରେ ଲମ୍ପ ଦେଲେ ଓ ଭୟଙ୍କର ଦ୍ୱନ୍ଦଯୁଦ୍ଧ ଆରମ୍ଭ ହେଲା । ବହୁ ସମୟ ଧରି ଯୁଦ୍ଧ ଚାଲିଲା । ରାବଣ ଥକି ପଡିବାରୁ ସେ ତା’ର ମାୟା ଯୁଦ୍ଧ ଆରମ୍ଭ କଲା । ତା’ର ସେହି ରାକ୍ଷସୀ ଚାଲ୍ ଦେଖି ସୁଗ୍ରୀବ ଯୁଦ୍ଧ ଛାଡି ଆକାଶ ମାର୍ଗରେ ଉଡିଯାଇ ଶ୍ରୀରାମଙ୍କ ପାଖରେ ପହଁଚିଗଲେ ।

ଶ୍ରୀରାମ ବ୍ୟସ୍ତ ହୋଇ କହିଲେ, “ମୋତେ କିଛି ନକହି ତୁମେ ଏପରି କାହିଁକି କଲ? ତୁମେ ରାଜା; ତୁମପକ୍ଷେ ଏପରି ଦୁଃସାହସ କରିବା ଆଦୌ ଉଚିତ୍ ନୁହେଁ । ଆମେ ତୁମ ପାଇଁ ବ୍ୟସ୍ତ ଥିଲୁ । ଏଭଳି ପରିସ୍ଥିତିରେ ଧୀରସ୍ଥିର ବୁଦ୍ଧି ନେଇ ଭାବିଚିନ୍ତି ସବୁ କରିବା ଉଚିତ୍ । ତୁମ ଉପରେ କିଛି ବିପତ୍ତି ପଡିଥିଲେ ଆମର କ’ଣ ହୁଅନ୍ତା? ଆମେ ବିଭୀଷଣଙ୍କୁ ଲଙ୍କାର ସିଂହାସନରେ ବସାଇବାକୁ କଥା ଦେଇଛେ । ସେ କାର୍ଯ୍ୟ ସମ୍ପାଦନ ହେବା ପରେ ଯାଇ ମୁଁ ଅଯୋଧ୍ୟା ଫେରିବି ।ସୁଗ୍ରୀବ କହିଲେ “ହେ ରାମ, ସୀତାଙ୍କୁ ଛଳରେ ଉଠାଇ ଆଣିଥିବା ପାଷାଣ୍ଡ ରାକ୍ଷସ ରାଜା ରାବଣକୁ ପିଟିବା ପାଇଁ ମୋର ଲୋଭକୁ ମୁଁ ଆଉ ସମ୍ବରଣ କରିପାରିଲି ନାହିଁ । ଯେତିକି ପିଟିଛି ସେତିକିରେ ମୋର ମନ କିଛିଟା ଶାନ୍ତ ହୋଇଛି । ମୁଁ ରାବଣ ପାଖକୁ ଯିବାବେଳେ ଭୁଲ୍ ଠିକ୍ କିଛି ଭାବିକରି ଯାଇନାହିଁ ।”ତା’ପରେ ଶ୍ରୀରାମ ଲକ୍ଷ୍ମଣଙ୍କ ସହ ସମସ୍ତ ସେନାଧିପତି ଓ ବାନର ସୈନ୍ୟମାନେ ପାହାଡ ଉପରୁ ତଳକୁ ଓହ୍ଲାଇ ଆସିଲେ । ସମସ୍ତିଙ୍କ ମନରେ ଯୁଦ୍ଧ ପାଇଁ ଉତ୍ସାହ । ରାବଣ ନିଜେ ଉତ୍ତର ଦ୍ୱାର ସୁରକ୍ଷା କରୁଥିଲା । ଘମାଘୋଟ ଯୁଦ୍ଧ ହେବାର ସମସ୍ତ ସୂଚନା ଦୁଇ ପକ୍ଷରୁ ଦିଆଗଲା । ଦୁଇ ପକ୍ଷ ପାରୁପର୍ଯ୍ୟନ୍ତ ପ୍ରସ୍ତୁତ । କେବଳ ଶ୍ରୀରାମଙ୍କ ସୈନ୍ୟମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଥାଏ । ମାତ୍ର ରାବଣର ସୈନ୍ୟମାନଙ୍କ ମଧ୍ୟରେ ଆଦୌ କୌଣସି ଉତ୍ସାହ ନଥାଏ ।

Latest New Odia Story New odia story Odia New story
Share. Facebook Twitter Pinterest LinkedIn Tumblr Reddit Email
Previous Articleଜିତୁ-ମିତୁ
Next Article ଘରର ଦାୟିତ୍ୱ
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.