ମୁକୁନ୍ଦପୁରର ମକ୍ରୁ ବିଶାଳ ଆଉ ତା ଭାର୍ଯ୍ୟା ବୁଢୀ ସନ୍ନିପାତ ବେମାରିରେ ଆଗ ପଛ ହୋଇ ମାସକ ଭିତରେ ଚାଲିଯିବାବେଳେ ତାଙ୍କର ଗୋଟିଏ ମାତ୍ର ପୁଅ ବିରେଇର ବୟସ ହୋଇଥିଲା ପାଂଚ ବର୍ଷ । ଲଙ୍ଗଳା ପିଲାଟା କିଛି ବି ସେ ବୁଝେ ନାହିଁ । ବାପାମାଆଙ୍କୁ କୋକେଇରେ ଘେନିଯିବାବେଳେ ଦାଣ୍ଡରେ ଭୂଇଁରେ ସେ ଗଡି ‘ବାପା ଲୋ’ ‘ମା ଲୋ’ ବୋଲି ଡକା ପାରୁଥାଏ । ସେ ଘରେ ତ ଆଉ କେହି ନାହିଁ, କିଏବା ସେ ପିଲାଟାକୁ ସମ୍ଭାଳି ନେଉଛି? ଘରେ ବାରମାସିଆ ତିନିଜଣ ଥିଲେ ସତ; ହେଲେ, ସେମାନେ କ’ଣ ଜାଣନ୍ତି, କ’ଣ କରିବେ? ତେବେ କ’ଣ ସେ ବିରେଇ ଅନାଥ ହୋଇଯିବ? ନାହିଁ ନାହିଁ, ତିନି ପୁରୁଷର ଭିନ୍ନେ ହେଲା ଭାଇ, ଲେଖାରେ ବିରେଇର ଖୁଡୁତା ଜେଡୁତା ଆଉ ମଉସା ପିଉସାମାନେ ଏକଥା ଶୁଣି ଧାଇଁଆସିଲେ । ସେମାନଙ୍କର ଦୟାର ଶରୀର, ବିରେଇର ବିକଳ କାନ୍ଦଣା ଶୁଣି ସମସ୍ତେ ଧାଇଁଆସିଲେ, ତା’ପରେ ସମସ୍ତେ ଏକାବେଳକେ ମିଶି ସେ ପିଲାଟିକୁ ଝାଡିଝୁଡି ଦେଇ କାଖେଇ ନେବାଲାଗି ଟଣାଟଣି କଲେ । ଏହିଭଳି ଟଣାଓଟରାରେ ସେ ପିଲାକୁ ବହୁତ ବାଧିଲାଣି, ଫଳରେ ସେ ଆହୁରି ଅଧିକ ବିକଳ ହୋଇ ଡକା ପକାଉଥାଏ । ହେଲେ ସେକଥା ଶୁଣୁଛି ବା କିଏ? ଦାଦି ପିଉସା, ମଉସା ମଧ୍ୟରେ ବୋଲାବୋଲି ହୋଇଗଲା । ସମସ୍ତେ କହୁଛନ୍ତି, “ମୁଁ ଥାଉଁ ଥାଉଁ ଏ ପିଲାଟିକୁ ପାଳିବାର ଆଉ କାହାର ଅଧିକାର?” ଏମାନଙ୍କ ଗୋଳମାଳ ଶୁଣି ସେ ଗାଁ ଲୋକେ ବି ଆସି ସେଠାରେ ରୁଣ୍ଡ ହୋଇଗଲେଣି । ଛୁଆଟା ସମସ୍ତଙ୍କର ମୁହଁକୁ ଚାହୁଁଛି – ସମସ୍ତେ ତ ଅଛନ୍ତି, ହେଲେ ତା ମା’ ବାପା କାହାନ୍ତି? ଠିକ୍ ଏତିକିବେଳେ ସେଠାରେ ପହଁଚିଗଲେ ବିରେଇର ମାମୁ ପୀତେଇ ପାତ୍ରେ । ଖୁବ୍ ଧଇଁସଇଁ ହୋଇ ସେ ଧାଇଁଛନ୍ତି । ଦୂରରୁ ସେ ଡାକିଦେଲେ, ‘ଛାଡ, ଛାଡ, ଅଲଗା ହୋଇଯାଅ, ଛେଉଣ୍ଡକୁ ପାଳେ ବା କିଏ? ପାଳେ ତ ବାପର ମା ଆଉ ପାଳେ ତ ମାଆର ମା । ମାଆର ମା ଆଈ ନାହିଁ ସତ, ହେଲେ ମାଈଁ ତ ଅଛି! ଯେଉଁ ପିଲାର କେହି ନାହିଁ, ତାକୁ ପାଳିବ ମାଈଁ । ତା ମାଈଁ ଆଜକୁ ତିନିଦିନ ହେଲା ଅନ୍ନଜଳ କିଛିବି ଛୁଇଁ ନାହିଁ । ପିଲାଟା ଲାଗି ସେ ଖାଲି ଡକା ପକାଇଛି । ଦୂତୀଅପା ଘଟକିବାବେଳେ ବାର ବାର ସେ କହିଯାଇଛି, ବିରେଇକୁ କେବଳ ତା ମାଈଁ ହିଁ ପାଳିବ । ଗୋଟାଏ କାମରେ ମୁଁ ଆଉ ଗୋଟାଏ ଗାଁକୁ ବାହାରି ଯାଇଥିଲି; ଏଣେ ଏତେ କଥା ହୋଇଗଲାଣି, ମୋତେ ତ ଏସବୁ କିଛି ବି ଜଣା ନାହିଁ । ନୋହିଲେ ସମସ୍ତଙ୍କୁ ମୁକାବିଲା କରାଇ ଦେଇଥାନ୍ତି । ପଂଚୁଆତି ବସିଲା, ସମସ୍ତେ ରଫା କରିଦେଲେ! ପିଲାକୁ ପାଳିବା ମାମୁର ଅଧିକାର । ଲୋକଙ୍କ ମୁହଁରୁ ଏହି କଥା ବାହାରିଛି କି ନାହିଁ, ମାମୁ ତ ଚିଲ ପରି ଝାମ୍ପମାରି ସେ ପିଲାଟିକୁ କାଖେଇ ତାଙ୍କ ଘରକୁ ଧାଇଁଲେ ।’ ବିରେଇ ତ ତା’ମାମୁକୁ ଆଗରୁ କେବେବି ଦେଖି ନାହିଁ । ନୂଆ ମଣିଷଟା କାହିଁକି ତାକୁ ଘେନିଯିବ ବୋଲି ବିରେଇ ‘ମା ଲୋ’ ‘ମା ଲୋ’ କରି ଆହୁରି ଡକା ପାରୁଥାଏ । ମାମୁ ବିରେଇକୁ ଘେନିଯାଇ ମାଈଁ ଗୁରୁବାରୀ ଜିମା କରିଦେଲେ । ତା’ପରେ ମାମୁଁ ତୁନି ତୁନି ଢେର୍ଗୁଡାଏ କି କଥା ମାଈଁକୁ କହିଲେ । ତହୁଁ ମାଈଁ ମୁରୁକି ମୁରୁକି ହସି ହସି କହିଲେ, “ଆରେ ବିରେଇ ଆ, ଚଣ୍ଡୀ ସଙ୍ଗରେ ଖେଳିବୁ ।” ତା’ପରେ ଖଣ୍ଡିଏ ପୋଡପିଠା, ଚିମୁଟାଏ ଭଳି ଚିଟା ଗୁଡ ବିରେଇ ହାତକୁ ମାଈଁ ବଢାଇ ଦେଲେ । ଏଣେ ସେ ବିରେଇ ତ ଢେର୍ ବେଳୁ କିଛି ବି ଖାଇ ନ ଥିଲା, ତେଣୁ ସେ ବଡ ଭୋକିଲା ଥିଲା, ସେତିକି ଖାଇଦେଇ ବିରେଇ ଗୁଡାଏ ପାଣି ପିଇଦେଲା ।
ମାମୁ ପୀତେଇ ପାତ୍ରଙ୍କ ଘର ମାକଲପୁର । ଯାହାକି ମୁକୁନ୍ଦପୁରଠାରୁ ଅଧକୋଶେ ଖଣ୍ଡେ ଦୂର । ଛେଉଣ୍ଡ ପିଲାଟି ଜାଣି ତା ମାମୁ ଘରେ ପରମ ସୁଖରେ ରହିଲା, ହେଲେ ତା ମାଲ ହେପାଜତ କରୁଛି କିଏ? ପୀତେଇ ପାତ୍ରେ ଘରକରଣା ଲୋକ । ତାଙ୍କ ନିଜ ବିଷୟ ତାଙ୍କୁ ହିଁ ଅସମ୍ଭାଳ । ଅଧକୋଶେ ଦୂରରୁ ଆସି ପିଲାର ମାଲମତା, ଘରକରଣା ଦେଖିଯିବାକୁ ତାଙ୍କ ପାଖେ ଆଉ ବେଳ ବା କାହିଁ? ୟାଡେ ଏ ପାତ୍ରେ ନିହାତି ବ୍ୟାକୁଳ ହୋଇ ଗାଁ ଲୋକଙ୍କ ପାଖରେ ସବୁବେଳେ କହିବୁଲୁଛନ୍ତି, “ଏହି ଦିନ କେତେଟା ଭିତରେ ପିଲାଟାର ମାଲ ଗାଁ ଲୋକେ ଚୋରାଇ ଘେନିଗଲେଣି । ସବୁ ମାଲଗୁଡିକ ଆପଣା ଘରକୁ ଘେନିଯାଇ ନିଜ ନଜରରେ ନ ରଖିଲେ ସବୁକିଛି ବରବାଦ ହୋଇଯିବ ।” ସମ୍ପତ୍ତି ମଧ୍ୟରେ କେତେ ପୌଟି ଧାନ, ହଡାହଡି ଦି’ ପୁଞ୍ଜା! ଏ ସବୁ ନଜରରେ ରଖିବାର କଥା । ବୋଇଲା, “ଜୋରୁ, ଗୋରୁ, ଧାନ – ଏ ତିନି ନଜର ଗୁଜରାଣ ।”
ପାତ୍ରଙ୍କୁ ଦିନବେଳେ କାହାରିକୁ ବି ଡର ନାହିଁ । ଅଧରାତିରେ ଗାଁ ଲୋକେ ଖାଇ ଶୋଇଲା ବାଦେ ପାତ୍ରଙ୍କୁ ବେଳ ମିଳେ । ନିଜର ଥୋରି ବଳଦରେ ଲଦି ପିଲାର ମାଲଗୁଡିକ ଆପଣା ଘରକୁ ଘେନିଆସନ୍ତି । ଗାଁ ଦିଗବାର କହିବୁଲେ, “ପାତ୍ରେ ଦଶଗୋଟା ବଳଦରେ କୋଡିଏ ଦିନ ପର୍ଯ୍ୟନ୍ତ ଧାନଚାଉଳ, ଲୁଗାପଟା, କଂସାବାସନ ଚିଜବସ୍ତୁ ସବୁ ବୋହିଥିଲେ ।” ଗାଁ ଲୋକେ ସେକଥାକୁ ସତ ମଣିଲେ । ବିଶାଳର ଘର ପରି ଘରଟାଏ ଥିଲା । ତାହାର ଚାରିଟା ମରେଇରେ ଚାଳିଶ ପଚାଶ ଭରଣ ଧାନ ମହଜୁଦ ଥିଲା, ଏ କଥାଟା ତ ସମସ୍ତଙ୍କୁ ଜଣା । ଏହା ବାଦ ସେ ମକ୍ରୁ ବିଶାଳ ଖାତକମାନଙ୍କୁ କୋଡିଏ ପଚାଶ ଭରଣ ସରିକି ଧାନ କରଜ ଦେଇଥିଲେ । ପାତ୍ରେ ମୂଳ କଳନ୍ତର ଅସୁଲ କରିନେଲେ, ବିଶ୍ୱାଏ ଧାନ କାହାରିକୁ ବି ସେ ଛାଡି ଦେଇ ନାହାଁନ୍ତି । ସେ କହନ୍ତି ଛେଉଣ୍ଡ ମାଲ କିମିତି ଛାଡିବେ? ନିଜର ହେଲେ ଦଶଗୌଣୀ ଛାଡି ଦିଅନ୍ତେ ଭଲା!”
ଆଉ ପାତ୍ରେ ଗାଁ ଲୋକମାନଙ୍କ ଆଗରେ ସବୁବେଳେ କହି ବୁଲନ୍ତି, ‘ବିଶାଳଟା ବଡ ସାହାଖର୍ଚ୍ଚ ଲୋକ ଥିଲା । ସବୁ ଖାଇପିଇ ସେ ଉଡାଇ ଦେଇଯାଇଛି, ଏ ଛେଉଣ୍ଡଟି ଲାଗି ସେ କିଛି ବି ରଖି ଯାଇ ନାହିଁ । ଘରକରଣା ଭିତରେ ଯାହା କିଛି ବି ଥିଲା ପଲାଣପାଣ୍ଠି ଦି’ଖଣ୍ଡ, ମୁଁ ତାକୁ ସଙ୍ଗାରେ ଉଠାଇ ରଖିଛି । ପିଲାଟା ପାରିଲେ ତା ଜିମା କରିଦେବି । ମୁଁ କ’ଣ ସେ ପଲାଣରେ ବାହିବି? ଋାମ ରାମ ।’ ମାଈଁ ପାଂଚ ମାଇକିନିଆଙ୍କ ଆଗରେ କହି ବୁଲନ୍ତି, “ମୋ ବିରେଇ ଆଗ ତ ଚଣ୍ଡୀ ପଛ । ତା ବାପର କିଛି ନ ଥିଲା ନାହିଁ, ମୋର କ’ଣ କିଛି ଊଣା ଅଛି? ବସି ବସି କୋଡିଏ ବରଷ ସେ ଖାଉ ।”
ଦିନ ତ ପାଣି ସୁଅ ପରି ବହିଯାଉଛି । ଦେଖୁ ଦେଖୁ ଚାରିବର୍ଷ ଚାଲିଗଲାଣି । ଆସନ୍ତା ତୁଳା ଛ’ ଦିନରେ ବିରେଇର ଜନ୍ମଦିନ; ସେହିଦିନ ଆଠବର୍ଷ ପୂରିଯାଇ ତାକୁ ନ ବର୍ଷ ପଶିବ । ବିରେଇ ଆଉ ତା’ମାମୁଁପୁଅ ଚଣ୍ଡିଆ ଅବଧାନଙ୍କ ଚାଟଶାଳୀରେ ବସିଛନ୍ତି । ବିରେଇଟି ଭାରି ଧୀର, ପଢାରେ ତା’ର ବି ଭାରି ମନ । ଖଡିପାଠ, ମିଶାଣ, ଫେଡାଣ, ହରିଗୁଣ ଛିଡାଇ ସେ ରାସପୋଥି ଧରିଛି । ଚଣ୍ଡିଆର ତେରବର୍ଷ ପୂରିଗଲାଣି । ହେଲେ କଣ ହେବ, ଆଜିଯାଏଁ ସେ ଖଡିପାଠ ଓଡାଙ୍କ ବି ଛିଡିଲା ନାହିଁ । ମାଈଁର ଗୋଟିଏ ବୋଲି ଆଖି ସେ, ତେଣୁ ସେ ଚଣ୍ଡିକୁ ମାଈଁ ବଡ ଗେହ୍ଲା କରନ୍ତି । ମା’ ମୁହଁ ପାଇ ଚଣ୍ଡି ବଡ ଉତ୍ପାତିଆ ହୋଇଗଲାଣି, ଘରୁ ବାହାରିଲା ତ ତା ନାଆଁରେ ପାଂଚଘରୁ ବୋଲଣା ଆଣିବ ସେ, ଏମିତିକି ଚାଲିଲା ଶଗଡରେ ବି ସେ ହାତ ମାରିବ । ତା ନାମରେ କେହି କିଛି ଆସି ଗୁହାରି କଲେ ମା’ ପୁଅକୁ ଦାବିବା ପଛେ ଦୂରେଥାଉ, ଓଲଟା ସେ ଗାଁ ଲୋକଙ୍କ ସାଙ୍ଗରେ କଳି କରିବେ । ମାଆଙ୍କର ବିଶ୍ୱାସ, ଚଣ୍ଡିଆଟି ଦେଖିବାକୁ ବଡ ସୁନ୍ଦର ବୋଲି ଗାଁ ମାଇକିନିଆଏ ହିଂସାରେ ତାକୁ ଯମା ସହିପାରନ୍ତି ନାହିଁ । ସେ ଚଣ୍ଡୀ ଚାଟଶାଳୀରେ ବି ବଡ ଗୋଳମାଳ କରେ । ଆପେ ତ ପଢେ ନାହିଁ ପିଲାମାନଙ୍କ ସଙ୍ଗରେ ସେ ଖାଲି ତୁଚ୍ଛାଟାରେ କଳି ଲଗାଏ; ମାର-ଧର ବି କରେ । ଦିନେ ଅବଧାନେ ସହି ନପାରି ତାକୁ ବେତରେ ଖୁବ୍ ପ୍ରସ୍ତେ ବାଡେଇଗଲେ, ଫଳରେ ଚଣ୍ଡି ପିଠିରେ ଲମ୍ବ ଲମ୍ବ ହୋଇ ନୋଳା ବସିଗଲା । ମା ତ ଏସବୁ ଦେଖି ଖୁବ୍ ଡକାପାରି କାନ୍ଦିଲେ । ସେ ଅବଧାନଙ୍କ ଚୌଦପୁରୁଷର ଶ୍ରାଦ୍ଧ କଲେ । କହିଲେ, “ମୋର କ’ଣ ନାହିଁ ଯେ ପୁଅ ପାଠଟାଏ ପଢିବ? ଆରେ, ମୋର ଯେ ବିଷୟ ଅଛି; ତିନିପୁରୁଷ ବସି ଖାଉ ।” ସେହିଦିନଠୁଁ ଚଣ୍ଡୀର ପଢା ବନ୍ଦ । ସେ ତ ତା’ହିଁ ଖୋଜୁଥିଲା । ଚଣ୍ଡୀ ସେ ଗାଁର ବାଉରି, ଧୋବା ଟୋକାମାନଙ୍କ ସଙ୍ଗରେ ଦିନରାତି ଖାଲି ବୁଲେ । ବାପେ ତାକୁ କିଛି କାମପାଇଟିରେ ଲଗାଇଲେ, ମା’ ବାଘୁଣୀ ପରି ଗର୍ଜନ କରି କହନ୍ତି, “ମୋର ଦୁଧଖିଆ ଛୁଆଟା ସେ ପୁଣି କାମପାଇଟି କରିବ କ’ଣ? ନଅଟା ନୁହେଁ କି ଛଅଟା ନୁହେଁ, ଏହି ଗୋଟାଏ ବୋଲି ତ ମୋର ଆଖି, ସେ କ’ଣ ଭିଡ କାମ କରିପାରିବ? ବୁଲୁଥାଉ ।” ବିରେଇର ବି ପଢା ବନ୍ଦ । ମାଈଁ ଖପାଟାଏ ହୋଇ କହିଲେ, “ଏ ଅବଧାନଟା କିଛି ବି ନୁହେଁ । କଣ ବା ପଢାଏ ସେ । ମାସ ନ ପୂରୁଣୁ ଦୁଇଅଣା ପଇସା ଗଣ । ଫେର୍ କଣ ନା, ଆଜି ପଣିକିଆ ଲେଖିବ, ପୂଜା ଲୋଡା – ସେରେ ଚାଉଳ, ଗୁଆଟାଏ । ଦିନ ପନ୍ଦରଟା ଯାଇ ନାହିଁ ତ ଓଡାଙ୍କ ଲେଖିବ, ଫେର୍ ପୂଜା! ନା ନା, ତା ହେବ ନାହିଁ ।” ଦୁଇ ଚାରି ଦିନ ବାଦେ ମାଈଁ ଦିନେ ମାମୁଙ୍କୁ ଡାକି କହିଲେ, “ଦେଖ ତ ଭେଣ୍ଡିଆଟା ଦିନକୁ ତିନିବେଳା ଠୁଙ୍କିବ, ତୁଚ୍ଛାଟାରେ ଗାଁରେ ସେ ବୁଲିବ କିଆଁ? ଗାଈରଖା ଟୋକାଟାକୁ ବାହାର କରିଦିଅ, ବିରିଆ ଯାଇ ଗାଈ ଜଗୁ ।” ଏପରି କଥା ଶୁଣି ମାମୁ ଟିକିଏ ମୋଡ ମୋଡ ହେଉଥିଲେ, ମାତ୍ର ଡରରେ ପାଟି ଫିଟାଇପାରିଲେ ନାହିଁ । ତା’ପରେ ମାମୁ ବିରେଇକୁ ଡାକି କଅଁଳେଇ କଅଁଳେଇ କହିଲେ, “ଆରେ ବାପ ବିରେଇ, ଏହି ଯେ ଗୋରୁପଲ ଦେଖୁଛୁ, ଏଗୁଡାକ ସବୁ ତୋର । ପର ଲୋକେ ଭଲ ଚରାଉ ନାହାଁନ୍ତି । ତେଣୁ ଏ ଗାଈ ବଳଦଗୁଡାକ ହଡା ହୋଇଗଲେଣି । ପରଲୋକର କଣ ମାୟା ଥାଏ? ତୁ ଯା, ଥଣ୍ଡାଥଣ୍ଡା ଗଛ ମୂଳରେ ବସି ଗୋରୁ ଦି’ଟା ଦେଖିବୁ । କିଛି ମେହନତ ନାହିଁ, ଖାଲି ସେମାନଙ୍କୁ ଅଡେଇ ଘେନିଯିବୁ, ସଞ୍ଜବେଳେ ଆଣି ସେମାନଙ୍କୁ ପୁଣି ଗୁହାଳରେ ପୂରାଇଦେବୁ ।” ଏକଥା ଶୁଣି ସେ ବିରେଇ ପାଂଚଣ ଖଣ୍ଡେ ଧରି ଗୋରୁ ଚରାଇ ବାହାରିଲା । ଗାଁ ଲୋକେ କିଛି କହିଲେ, ମାମୁ ଜବାବ ଦିଅନ୍ତି, “ଆଚ୍ଛା; ଛେଉଣ୍ଡର ଲାଞ୍ଜ ଦି’ଖଣ୍ଡ ପର ହାତରେ ପଡି ବୁଡିବାକୁ ବସିଲା । ତା ନିଜ ମାଲ ସେ ନିଜେ ଦେଖୁ ।” ସତକୁସତ ସେ ଗୋରୁପଲଟା ଏକା ବିରେଇର । ତାର ବାପ ମରିବା ବେଳେ ମାଈ-ଅଣ୍ଡିରା ଛଡା-ଦାମୁଡି ଦୁଇ ବୋଡି ଭଳି ଗୋରୁ ମାମୁ ଗାଁ ମଝି ଗୋହିରିରେ ଅଡାଇ ଆଣୁଥିବା ଗାଁଲୋକେ ସମସ୍ତେ ଦେଖିଛନ୍ତି ।
ଆହୁରି ବି ଆଠ ନ’ ବର୍ଷ ଗଲାଣି, ବିରେଇର ଉଛୁଣିକା ଅଠର ବର୍ଷ ବୟସ । ପିଲାଟା ନା ଆଉ କ’ଣ? ହେଲେ, କାମ ପାଇଟିକି ସେ ବଡ ପାରିଲା । ମାମୁର ବାଟି ସଂଖ୍ୟା ଚାଷ, ଯୋଡାଏ ବାରମାସିଆଙ୍କୁ ଧରି ସେ ସବୁ ସମ୍ଭାଳିଛି । ଏବେ ମାମୁଁ ଚାଷକାର୍ଯ୍ୟଟା ତୁଚ୍ଛା ଉପରେ ଦେଖନ୍ତି । ବିରେଇ ଦେଖିବାକୁ ଯେମନ୍ତ ଡୌଲ, ତା କଥାଗୁଡିକ ବି ଖୁବ୍ ମଧୁର । ଦେହରେ ତା’ର ବାଘପରି ବଳ । ଦିନେ ପାଣ୍ଡେଇ ପାତ୍ରଙ୍କ ସାନଝିଅ କମଳୀକୁ ଗୋଟାଏ ମାରଣା ବଳଦ ବିନ୍ଧିବାକୁ ଗୋଡାଇଥିଲା – ବିରେଇ ସେ ବଳଦର ଲାଞ୍ଜ ଧରି ତାକୁ ଭିଡି ରଖିଲା । ସେ ଗାଁର ପୁରୁଷ ସ୍ତ୍ରୀ ସମସ୍ତେ ବିରେଇକୁ ଭାରି ଭଲ ପାଆନ୍ତି, ତା’ର ମଧ୍ୟ ଖୁବ୍ ପ୍ରଶଂସା କରନ୍ତି । ହେଲେ, ସେ ପ୍ରଶଂସାଟା ମାଈଁ ଶୁଣିଲେ ଖପାଟାଏ ହୋଇଯାନ୍ତି, ଲୋକଙ୍କ ସଙ୍ଗରେ ସେ କଳି କରନ୍ତି । ଚଣ୍ଡୀର ପ୍ରଶଂସା କଲେ ମାଈଁ ମନ ବଡ ଖୁସି ।
ସେ ଚଣ୍ଡୀ ତ ସଞ୍ଜ ସକାଳେ ଘରେ ପଶେ ନାହିଁ । ପାଂଚ ସାତଟା ବୁଲାଟୋକା ସାଙ୍ଗରେ ଦିନ ରାତି ସେ ଖାଲି ବୁଲୁଥାଏ । ସେମାନଙ୍କ କାମ ଗଛଚଢା, ବାଗୁଡିଖେଳ, ଚୌପଟଖେଳ, ଗଞ୍ଜେଇ ଖିଆ । ହାଲକୁ ଗୋଟାଏ ମଦତ ଖଟି ଜାରି କଲାଣି । ଅଳି କରି କାନ୍ଦି, ଡରେଇ ହରେଇ ଚଣ୍ଡୀ ତା’ମା ପାଖରୁ ଟଙ୍କାପଇସା ନିଏ, ଆପଣା ଗୋଠରୁ କୋଡିଏ ପଚିଶ ଟଙ୍କାର ଦାମୁଡିଗୁଡାକ ଗୁଆଲାଙ୍କୁ ଦୁଇ-ଚାରି ଟଙ୍କାରେ ସେ ବିକିଦିଏ । ଚାକିରିଆମାନଙ୍କ ସଲାରେ ଆପଣା ଘର ମରେଇରୁ ଧାନ ଚୋରି କରି ତାକୁ ସେ ବିକିଦିଏ । ମା’ ଏସବୁ ଜାଣିପାରି ବି ନିଜ ପୁଅର ସମସ୍ତ ଦୋଷ ଲୁଚାଏ । ଏଣେ ମା’ ଡରରେ ବାପ ବି କିଛି କହିପାରେ ନାହିଁ । ମା ଆଗେ ଲୁଚାଚୋରା କରି ଚଣ୍ଡୀକୁ କିଛି କିଛି ଟଙ୍କାପଇସା ଦେଉଥିଲେ । ଏବେ ତାଙ୍କ ହାତ ଖାଲି । ଚଣ୍ଡୀ ଟଙ୍କାପଇସା ନ ପାଇ ମା’କୁ କେତେଥର ମାଡ ଦେଲାଣି । ହେଲେ, ମା’ ମାଡ ଖାଇ ତୁନି ହୋଇ ରହେ, ବାପା ଆଗରେ ସେ କିଛି ବି କହେ ନାହିଁ ।
ଦିନେ ସେ ଗାଁ ଲୋକ ପାଂଚଜଣ ବିରେଇକୁ କହିଲେ, ଆରେ ବିରେଇ! ତୁ କଣ ମାମୁଘରେ ଏମିତି ସବୁଦିନେ ପେଟ ଭାତରେ ରହିଥିବୁ, ଆପଣାର ସଂସାର କରିବୁ ନାହିଁ? ବାପ ଦାଦିଙ୍କ ନାମ ବୁଡାଇବୁ କି? ଏ କଥାଗୁଡାକ ସେ ବିରେଇ ମନକୁ ବେଶ୍ ପାଇଲା । ସେ ଏବେ ସବୁ କଥା ଠିକ୍ ଠିକ୍ ବୁଝିଲାଣି । ମାମୁ ମାଈଁ କେବଳ କାମର ପିଆରା । ଖିଆପିଆ ସବୁକଥାରେ ପୁଅ ଉପରେ ମାମୁ ମାଈଁଙ୍କର ଯେ ଶ୍ରଦ୍ଧା, ତା ଉପରେ ତାଙ୍କର କଣିକାଏ ହେଲେ ବି ନାହିଁ । ଦେଢହଜାର ଟଙ୍କା ଖରଚ କରି ପୁଅକୁ ବିଭା କଲେ, ହେଲେ ତା’ ବିଭାର ନାମଚର୍ଚ୍ଚା ହିଁ ନାହିଁ । ଦିନରାତି ହାଡ ଭାଙ୍ଗି ସେ ଯାହା ଅର୍ଜି ଆଣୁଛି, ଚଣ୍ଡୀ ଗଞ୍ଜେଇ ମଦତ ଖାଇ ସେ ସବୁ କିଛି ଉଡାଇ ଦେଉଛି । ଏଥିଲାଗି ମାମୁ ମାଈଁ କିଛି ବି ବୋଲିବାକୁ ନାହିଁ । ନିଶ୍ଚେ ସେ ଘରକରଣା ଉଜାଡି ଦେବ ।
ଦିନେ ସଞ୍ଜବେଳେ ମାମୁ ମାଈଁ ପିଣ୍ଡାରେ ବସିଛନ୍ତି; ବିରେଇ କାମଧନ୍ଦା ସାରି ଯାଇ ସେମାନଙ୍କ ପାଖରେ ବସିଲା । ମାମୁ ମାଈଁ ବିରେଇକୁ ଦିନବେଳର କାମପାଇଟି କଥା ପଚାରିଲେ । କାମପାଇଟି କଥା ଛଡା ମାମୁ ମାଈଁ ସାଙ୍ଗରେ ବିରେଇ ଆଉ କେବେବି କିଛି କଥାଭାଷା ହୁଏ ନାହିଁ! ବିରେଇ ଜବାବ ଦେଇ ସେମାନଙ୍କ ପାଖରେ ବସିଥାଏ । ମାମୁ ପଚାରିଲେ, “କିରେ ବିରେଇ! ଆଉ କିଛି କଥା ଅଛି?” ତହୁଁ ସେ ବିରେଇ ଦଣ୍ଡେ ଗୁମ୍ମାରି ବସି ଦୁଇଟା ହାଇ ମାରି କହିଲା, “ମାମୁ ମୁଁ ଏବେ ଆପଣା ଘରକୁ ଯିବି ।” ଏକଥା ଶୁଣି ସେ ମାମୁ ମାଈଁ ତ ହଠାତ୍ ଚମକି ପଡିଲେ, ତାଙ୍କ ମୁଣ୍ଡରେ ଯେମନ୍ତ ବଜ୍ରଟାଏ ଭାଙ୍ଗିପଡିଲା । ମାମୁ ମାଈଁ ଦୁଇଜଣଙ୍କର ଦୁଇ ବର୍ଷ ହେଲା ଶ୍ୱାସ ବେମାରି । ସଞ୍ଜବେଳେ ଚାରିଅଣାର ଟେଳାଏ ଟେଳାଏ ଆପୁ ଗିଳି ପକାଇଲେ ଟିକିଏ ଚାଲବୁଲ ହୋଇପାରନ୍ତି ସେମାନେ । ମାମୁ ତ ପିଣ୍ଡାରୁ ଓହ୍ଲାଇବାକୁ ନାହିଁ, ଚଣ୍ଡିଆର ତ ଏହି ଦଶା, ବିରେଇ ଏହି ସମୟରେ ବାହାରିଗଲେ ଆଉ କଣ ଘରକରଣା ରହିବ? ମାମୁ ଦୁଇ ଚାରିଟା ନିଶ୍ୱାସ ପକାଇ କଅଁଳେଇ କଅଁଳେଇ କହିଲେ, ହଁ ରେ ବାପ, ଘରକୁ ଯିବୁ ନାହିଁ କ’ଣ? ରହ, ମୁଁ ତୋଲାଗି କନ୍ୟାଟିଏ ଖୋଜାଖୋଜି କରୁଛି; ତୋର ବାହାଘର କରାଇଦେବି, ଦି’ ପ୍ରସ୍ତ ଘର ବି ତୋଲାଗି ବନେଇ ଦେବି । ତୁ ତ ଉଛୁଣିକା ପିଲାଟା, ଅଲଗା ଏକୁଟିଆ ହୋଇ କ’ଣ କେବେବି ରହିପାରିବୁ? ଏ ଗାଁ ଲୋକଙ୍କ କଥା ତୁ ମୋଟେ ଜାଣି ନାହୁଁ? ମୁଁ ପରା ବୁଝି ବୁଝି ଆସି ବୁଢା ହେଲାଣି; ସବୁ ତୋ ପାଖରୁ ଛଡେଇ ନେବେ, ଶେଷକୁ ତୁ ଭକୁଆ ହୋଇ ବସିଥିବୁ । ହେଉ ହେଉ ଆଉ ଯୋଡାଏ ବର୍ଷ ରହିଯାଆ । କଣ କହୁଛୁରେ ବାପ?” ବିରେଇ କହିଲା, “ନା, ମୁଁ ଘରକୁ ଯିବି ।” ମାଈଁ ଟିକିଏ ବଡ ରାଗୀ । ଚଣ୍ଡୀ ହଜାର ଦୋଷ କରୁ, ତାକୁ କେବେ କିଛି ବି କହିବେ ନାହିଁ, ମାତ୍ର ଆଉ କେହି ତାଙ୍କ କଥା ଟିକିଏ ଅମାନ୍ୟ କଲେ ଘଡିଏ ଯାଏଁ ତା’ ଉପରେ ସେ ଗର୍ଜୁଥିବେ । ତେଣୁ ସେ ଟିକିଏ ରାଗିଯାଇ କହିଲେ, “କିରେ ବିରେଇ! ମାମୁ ସେ ମୁରବି; ତାଙ୍କ କଥା ତୁ ଅମାନ୍ୟ କରୁଛୁ? ଗାଁଲୋକଙ୍କ ବୁଦ୍ଧିରେ ପଡିଲୁଣି କିରେ? ଆରେ, କହିବାକୁ ତ ଢେର୍; ହେଲେ ରହିବାକୁ କିଏରେ? ଏ ଯୋଗିନୀଖିଆ ଘରଭଙ୍ଗା ଲୋକଙ୍କ ବୁଦ୍ଧିରେ ତୁ ଆଦୌ ପଡନା । ପାଂଚବର୍ଷର ଛେଉଣ୍ଡ ଲଙ୍ଗଳା ହୋଇ ଦାଣ୍ଡରେ ପଡିଥିଲୁ । ଏଇ ମାମୁ ଥିଲେ ବୋଲି ଅଣ୍ଡାଟି ଭେଣ୍ଡିଆ ହୋଇ ଆଜି କଥା କହୁଛି । ଏହି ଯୋଗିନୀଖିଆଏ ସେତେବେଳେ ସମସ୍ତେ ତ ଥିଲେ, ତୋ ତୁଣ୍ଡରେ ପେଜ ମନ୍ଦାଏ କାହିଁ କେହି ତ ଦେଲେ ନାହିଁ? ନଣନ୍ଦେ ମରିବାବେଳେ ମୋ ହାତ ଧରି ସେ ବାରବାର କହି ଯାଇଛନ୍ତି, ‘ଖବରଦାର! ମୋ ବିରେଇକୁ କୁଆଡେବି ଛାଡିଦେବ ନାହିଁ, ବରାବର ଘରେ ରଖିବ । ଅଳପାଇଷିଆ ଗାଁ ଲୋକେ ତାକୁ ଫୁସୁଲେଇଲେ ସେସବୁ ତାକୁ ଶୁଣିବାକୁ ଦେବ ନାହିଁ ।’ ତୁ ମୋ କଥା, ବାପା ବଦଳରେ ମାମୁ କଥା ଯଦି ନ ଶୁଣିବୁ, ଆପେ ଉଡି ପୋଡିଯିବୁ, କାହାର କ’ଣ ଯିବ?” ମାମୁ କହିଲେ, “ଥାଉ ଥାଉ ସେସବୁ କଥା ପଛେ ହେବ, କଥା କଣ କୁଆଡେ ପଳାଉଛି? ଦିଅ ଦିଅ; ବୋହୂକୁ ଡାକିଦିଅ ଛୁଆଟା କାମ ପାଇଟି କରି ଥକିଛି, ଆଗେ ତାକୁ ଭାତ ଦିଅ, ଚଣ୍ଡିଆ ନ ଆସିଲା ନାହିଁ ।” ଏକଥା ଶୁଣି ସେ ବିରେଇ ତା’ ମନ ମଧ୍ୟରେ ବଡ ହସିଲା, ‘ଓହୋ! ଆଜି ଯେ ମାମୁଙ୍କର ବଡ ଦୟା!’ ରୋଜ ତ ଚଣ୍ଡୀ ନ ଆସିଲେ ଖିଆପିଆ ହୁଏ ନାହିଁ, ଚଣ୍ଡୀ ଗାଁ ବୁଲି ବାହୁଡିବାକୁ ରାତି ଛ’ଘଡି । ମାମୁ ମାଈଁଙ୍କର ଶ୍ୱାସରୋଗ, ତାହା ଉପରେ ପୁଣି ଆପୁର ନିଶା, ତେଣୁ ରାତିସାରା ମୋଟେ ନିଦ ହୁଏ ନାହିଁ ସେମାନଙ୍କୁ, ସେମାନେ ଖାଲି ଖୁଁ ଖୁଁ ହୋଇ କାଶୁଥାନ୍ତି । ପାହାନ୍ତିଆ ପହର ଥଣ୍ଡା ପବନ ବହିଲେ ଯାଇ ନିଦ ମାଡେ ସେମାନଙ୍କୁ, ହେଲେ କଣ ହେବ? ଚିନ୍ତା ଭାବନାରେ ଆଜି ସେ ନିଦ ବି ନାହିଁ ।
ତହିଁ ଆରଦିନ ସକାଳେ ବିରେଇ ଆଣ୍ଠୁଯୋଡିକ କୁଣ୍ଢେଇ ପିଣ୍ଡାରେ ତୁନି ହୋଇ ବସିଛି । ଖରା ପିଢା ଉପରୁ ଯାଇ ମଝି ବାହାରେ ପଡିଲାଣି, ମାମୁ ଉଠିଆସି ବିରେଇକୁ ଦେଖି କହିଲେ, “କିରେ ବାପ! ତୁନି ହୋଇ ବସିଛୁ? ଯା ଯା, ବେଙ୍ଗଳା ଖେଳାଇ ଦେ ଯା । ଭଙ୍ଗା ପୁଞ୍ଜିଟା ରଣବଣ ହୋଇ ପଡିଛି ।” ବିରେଇର କିନ୍ତୁ ସେଇ ପଦେ କଥା, ‘ନା, ମୁଁ ଘରକୁ ଯିବି ।’ ମାମୁ ଆଜି ବି ଢେର୍ ବୁଝାଇଲେ । ଟେକାଟେକି କରି ତାକୁ ଅନେକ କଥା ମଧ୍ୟ କହିଲେ । ମାତ୍ର ବିରେଇର ସେହି ଗୋଟାଏ ଉତ୍ତର, ‘ସେ ଘରକୁ ଯିବ ।’ ସେତେବେଳକୁ ମାଈଁ ବିଛଣାରୁ ଉଠିଆସି ଆଖି ମିଳି ମିଳି ସବୁକଥା ତ ଶୁଣୁଥିଲେ । ଏକାବେଳକେ ଖପାଟା ହୋଇ ସେ କହିଲେ, “ଯିବୁ ତ ଚାଲିଯା । ଯିବି ଯିବି – ଭଜନମାଳା ଧରିଛୁ ଯେ ।” ବିରେଇ କହିଲା, “ମୋ ବାପର ଯାହା ସବୁ ଚିଜବସ୍ତୁ ଆଣିଥିଲ, ସେତକ ମୋତେ ଫେରାଇ ଦିଅ ।” ଏକଥା ଶୁଣି ମାଈଁ ସେହିପରି ତେଜରେ କହିଲେ, ‘ଚିଜବସ୍ତୁ କଣ ରେ? ପାଣ୍ଠିପଲାଣ ଦି’ଖଣ୍ଡ ଆଣିଥିଲେ; ଯା, ଯା, ଉଇ ଖାଇଯାଇ ପଡିଛି, ତାକୁ ମୁଣ୍ଡାଇ ତୁ ଘେନି ଯା । ବରଷେ ନୁହେଁ, କି ଦି’ ବରଷ ନୁହେଁ, କୋଡିଏ କୋଡିଏ ବର୍ଷ କାଳ ଖୁଆଇପିଆଇ ଭେଣ୍ଡିଆଟିଏ କରିଦେଲୁଁ । ଏଣିକି ମୁଣ୍ଡ ହାତ ପାଇଲା କିନା? ମୁଁ ତାଙ୍କୁ ବାରବାର ସେତିକିବେଳେ କହିଥିଲି – “ପରପୁଅ ଗୁଞ୍ଜାରୁଅ, ସେ ବଲେଇରେ ପଶନା । ଶୁଣିଲେ ନାହିଁ, ଏବେ ଭୋଗ ।” ସବୁ ଶୁଣି ସେ ବିରେଇ ତୁନି ହୋଇ ଏକକାନିଆ ପାଂଚଣ ଖଣ୍ଡ ଧରି ଉଠିଗଲା ।
ମକ୍ରୁ ବିଶାଳର ସରବରି ପନ୍ଦର ମାଣ ଚାଷ ଜମି ଥିଲା । ଜମିଟା ବଡ ଭଲ ମଟାଳିଆ, ଏକଚକିଆ, କଳିନ୍ଦ । ପୀତେଇ ପାତ୍ରେ ସେ ଜମିଟା ଆପଣା ନାମରେ କରିନେବା ଲାଗି ଢେର୍ ଫନ୍ଦିଫିକର କରିଥିଲେ । ସେଥିଲାଗି ଜମିଦାର ଶ୍ୟାମ ସ୍ୱାଇଁଙ୍କୁ ଲାଂଚ ରିସପତ୍ ମଧ୍ୟ ଯାଚିଥିଲେ, ମାତ୍ର ସ୍ୱାଇଁଏ ତ ବଡ ବିବେକୀ ଲୋକ, ପୁଣି ଗାଁର ପାଂଚଜଣଙ୍କ ଡରରେ ସେହି ମକ୍ରୁ ବିଶାଳ ନାମରେ ରଖି ଦେଇଛନ୍ତି । ବିରେଇ ଗାଁରେ ମୂଲ ଲାଗେ । ଏଣେ ଚାଷ ସଜ ତ ନାହିଁ, ତେଣୁ ସେ ତା’ ଜମିଗୁଡିକ ବଖରା ଲଗାଇଦେଲା ।
ବିରେଇଟି ତ ବଡ କାମିକା, ପର ନ-ଛ’ରେ ସେ ଆଦୌ ନ ଥାଏ, ଆପଣା ଦୁଃଖଧନ୍ଦାରେ ସଦା ସର୍ବଦା ସେ ଲାଗିଥାଏ । ସଞ୍ଜବେଳେ ପାଇଟିରୁ ଆସି ମୁଢିମୁଢା ପୁଞ୍ଜାଏ ସେ ତା’ ପାଟିରେ ପକାଏ । କୋଡିଟାଏ କାନ୍ଧରେ ପକାଇ ବାହାରିପଡେ । ଆପଣା ଡିହରେ ବର୍ତ୍ତମାନ ରହିବା ଭଳି ଗୋଟିଏ ସାନ ଘର ସେ ବିରେଇ ବନାଇଲା । କାନ୍ଥ ସେ ଯେମିତି ଛିଡା କରିଛି, ମଉସା ପିଉସା ଗାଁର ଆଉ ପାଂଚଜଣ ଡକରା ନାହିଁ, କି ହକରା ନାହିଁ, ବିରେଇ କାହାରିକୁ କିଛି ବି କହି ନାହିଁ, ଧାଇଁଆସିଲେ, ଆପଣା ଆପଣା ଘରୁ କାଠ କୁଟା ବାଉଁଶ ଆଣି ଘରଟାଏ ଛିଡା କରାଇଦେଲେ । ବିରେଇର ଅଉଲ ବିଲ – ଭାରି କଳିନ୍ଦ । ଧାନ ପାଚିବାରୁ ତିରିଶ ଭରଣ ସରିକି ଭାଗ ସେ ବିରେଇ ପାଇଲା । ବର୍ଷକ ଖାଇବା ଭଳି କିଛି ରଖି ସବୁ ଧାନଗୁଡିକ ସେ ବିକି ପକାଇଲା । ଆଉ ସେହି ଟଙ୍କାରେ ସେ ହଳିଆ ବଳଦ; ଚାଷ ସରଞ୍ଜାମ କିଣି ଆପଣା ଚାଷରେ ଲାଗିଗଲା । ବର୍ଷ ଚାରିଟା ଭିତରେ ସେ ବିରେଇ ତା’ ବାପ ଅମଳିକା ଘର ଛିଡା କରିଦେଲାଣି । ସେହିପରି ତିନି ପ୍ରସ୍ତ ଘର, ମାଈ ଅଣ୍ଡିରା ଦେଢ ବୋଡି ଗୋରୁ, ପୂରା ଧାନ ପାଂଚ ଛ’ଟା ମରେଇ ଛଡା ।
ବନ୍ଧୁବାନ୍ଧବ ହାମଦରଦୀ ପାଂଚଜଣ କେତେଥର କହିଲେଣି, “ଆରେ ବିରେଇ! ତୁ କି ସବୁଦିନେ ଡାଙ୍ଗୁଆ ମାଙ୍ଗୁଆ ହୋଇ ରହିଥିବୁ? ଏଣିକି ତୁ ତୋ ପିତୃଲୋକ ପାଣି ମୁଠାଏ ପାଇବାର ବାଟ କର ।” ବିରେଇ ବି ଏଥର ବୁଝିଲାଣି, ବିଭାଟାଏ ନ ହେଲେ ନ ଚଳେ । କାମ ପାଇଟିରୁ ଆସି ରନ୍ଧାବଢା କରିବାଟା ଏଣିକି ବଡ ଦିକ୍ ଲାଗିଲାଣି ତାକୁ । ବାଧିକା ପଡିଲେ ପାଣି ମନ୍ଦାଏ ଦେବାକୁ, ଗୋଡହାତରେ ହାତ ବୁଲାଇ ଦେବାକୁ ବି କେହି ସାହା ଭରସା ନାହିଁ ତାର । ତେଣୁ ସେ ବିରେଇ ବିଭା କରିବାକୁ ମନ କଲା ସତ; ହେଲେ ଏତେ ଟଙ୍କା ତାପାଖେ କାହିଁ? ଆଉ ପାଟକ ନୁହେଁ ଯେ, ମନ କଲା ତ ବିଭା ହୋଇପଡିଲା । କିପାଇଁ କେଜାଣି, ବଳରାମଗୋତ୍ରୀ ପନ୍ଥାରେ କନ୍ୟାର ବଡ ଅଭାବ ପୁଣି ଦର ଭାରି ଚଢା । ଗୋଟିଏ ଗୋଟିଏ କନ୍ୟା ପାଂଚଶଠାରୁ ହଜାରେ ଦୁଇ ହଜାରେ ଟଙ୍କାରେ ବିକ୍ରି ହେବାର ଏ ଲେଖକଙ୍କୁ ଜଣା । ଅଜଣା ପାଠକ ଆପଣ ପଚାରିବେ, “କନ୍ୟାର ଦାମ୍ ଏତେ ଊଣା ଅଧିକ କିଆଁ? କନ୍ୟାଗୁଡିକ ଫୁଟ ଗଜରେ ମାପ ବା ଦଣ୍ଡି ତରାଜୁରେ ଓଜନ ହେଉଥିବେ, ମାପ ବା ଓଜନ ଊଣା ଅଧିକରେ ଦର ଊଣା ଅଧିକ ହୁଏ ।” ନାହିଁ ନାହିଁ, ତାହା ନୁହେଁ, ଆମ୍ଭମାନଙ୍କୁ ଭିତିରିଆ କଥା ଭଲ ଜଣା । ସେଥିରେ ଅସଲ ହାଲ ଚୁମ୍ବକରେ ଦୁଇ ଚାରି କଥାରେ କହିବୁଁ । ବଳରାମଗୋତ୍ରୀ ପନ୍ଥାରେ ନ ଥିଲାଲୋକ ନାହାଁନ୍ତି ବୋଲନ୍ତୁ, ସେମାନେ ଭାରି ପରିଶ୍ରମୀ ଏବଂ ଖରଚପତ୍ରରେ ଭାରି ଚିପା । ବଳେ ସମସ୍ତଙ୍କ ହାତରେ କିଛି କିଛି ଟଙ୍କା ଜମିଯାଏ । କନ୍ୟାର ବୟସ ବା ରୂପଗୁଣ ବିଷୟରେ କିଛି ବି ଚିନ୍ତା ନାହିଁ – ବରର ବୟସକୁ ଧରି କନ୍ୟାର ଦରଦାମ୍ କଷାଯାଏ । ବରର ବିବାହର ବୟସ ହେଲା । ଏଣେ ଘରେ ତ ସେତେ ଟଙ୍କା ନାହିଁ, ତେଣୁ ଆପେ ପରିଶ୍ରମ କରି ସେ ବିରେଇ ଟଙ୍କା ଜମାଏ । ଟଙ୍କାଟା ଠିକ୍ ହେଉଁ ହେଉଁ ବରର ବୟସ ହୋଇଗଲାଣି ପଚାଶ କିମ୍ବା ଧନବନ୍ତ ଲୋକ ଦୋଜବର ଓ ତେଜବର ବୟସ ଷାଠିଏ । ଏଣେ କନ୍ୟାଟିର ବୟସ ୧୦/୧୧ ଭିତରେ । ସେହି ସମସ୍ତ ଜାଗାରେ ଦର ଚଢିଯାଏ । ବରର ଏହିପରି ହାଲ ଜାଣିବ । ସେ ବିରେଇ ବିଭା ହେବା ଲାଗି ଟଙ୍କା ମଷାଏ ଯାହା ହାତରେ ପଡେ ଥୋଇଦିଏ । ତେଣୁ ସେ ବିରେଇ ତା’ଘର କଣରେ ଅନ୍ଧାରିଆ ଗୋଟିଏ ଠେକି ପୋତିଛି, ସେଇଥିରେ ହିଁ ବିରେଇ ସବୁଟଙ୍କା ପକାଇଦିଏ ।
ଆହୁରି ପାଂଚ ବର୍ଷ ଗଲାଣି । ବିରେଇର ଉଛୁଣିକା ବୟସ ତିରିଶ ଭିତରେ, ବିଭା ହେବା ଭଳି ଟଙ୍କା ଜମିଗଲାଣି ବୋଲି ମନରେ ସେ ଠିକ୍ କଲା । ବିଭାପାଇଁ ସଜ ହେଲା, ହେଲେ ସେ କ’ଣ ଆପେ କନ୍ୟା ଖୋଜିଯିବ? ତେଣୁ ସେ ବିରେଇ ପୁରୋହିତ ଭୀମେଇ ମିଶ୍ରଙ୍କୁ ମଧ୍ୟସ୍ଥ କଲା । ମିଶ୍ରେ ଚାରିଆଡକୁ ଢେର୍ ଆଖି ଫେରାଇଲେ । ବିରେଇ ଦିନେ ମିଶ୍ରଙ୍କୁ କମଳୀ କଥା ଇସାରାରେ କହିଲା । ରାଘବ ପାତ୍ରର ସାନଝିଅର ନାମ କମଳୀ । ସେ କନ୍ୟାଟି ବେଶ୍ ଡୌଲ,ଲାଜକୁଳୀ; ଦିନରାତି ଘର କାମରେ ସେ ଖାଲି ଲାଗିଥାଏ, ତା’ବାପର ସେ ଢେର୍ ସେବା ବି କରେ । ଏହି କାରଣରୁ ସେ ଗାଁ ମାଇକିନିଆମାନେ ତାର ଢେର୍ ପ୍ରଶଂସା କରନ୍ତି । ବିରେଇ ତ ତା ପିଲାଟିଦିନରୁ କମଳୀକୁ ବଡ ଭଲ ପାଏ । ରୋଜ ଦୁଇଓଳି ବିଲକୁ ଯିବାଆସିବାବେଳେ ବିରେଇ ସେ କନ୍ୟାଟିକୁ ଚାହିଁ ଚାହିଁ ଦେଖେ । ବିରେଇର ବିଲବାହୁଡା ବେଳେ କମଳୀ କଳସୀଟିଏ କାଖେଇ ପାଣି ଆଣି ଯାଉଥିବାର ସେ ଦେଖେ । କମଳୀର ବି ଠିକ୍ ସେଇଟା ପାଣିଅଣା ବେଳ । ଘରେ ମାଠିଆରେ ଯେତେ ପାଣି ଥିଲେ ବି ସେ ପାଣିଗୁଡାକ ନାଳରେ ଢାଳିଦେଇ କମଳୀ କଳସୀ କାଖେଇ ବାହାରିପଡେ । ଚାରିଆଡକୁ ସେ ଚାହେଁ, କେହି କୁଆଡେ ନ ଥିଲେ କମଳୀ କଣେଇ କଣେଇ ସେ ବିରେଇକୁ ଦେଖୁଥାଏ ।
ପାଞ୍ଜିରୁ ଭଲଦିନଟିଏ ଦେଖି ମିଶ୍ରେ ରାଘବ ପାତ୍ରଙ୍କ ପାଖରେ ଯାଇ ପହଁଚିଲେ । ସେତେବେଳକୁ ପାତ୍ରେ ବୋଧ କରୁଁ, କିଛିଟା ଗନ୍ଧ ପାଇଗଲେଣି । ତେଣୁ ରାଘବ ପାତ୍ର ଅଖାପାଲ ଖଣ୍ଡେ ପାରି ଦେଇ ମିଶ୍ରଙ୍କୁ ବହୁ ଆଦର ସମ୍ମାନରେ ବସାଇଲେ । ନାସ ଶୁଙ୍ଘାଶୁଙ୍ଘି ଦୁଃଖସୁଖ ଚାରିପଦ ହୋଇଗଲା ଉତାରେ ମୂଳ କଥା ଆରମ୍ଭ ହେଲା ।
ମିଶ୍ରେ କହିଲେ, “ପାତ୍ରେ! ତୁମ କମଳୀଟିକୁ ବିରେଇକୁ ଦେଲେ ଭାରି ଭଲ ହୁଅନ୍ତା ନାହିଁ?”
ପାତ୍ରେ – ହେଉ, ମୋର ମନା ନାହିଁ ।
ମିଶ୍ରେ – ପାତ୍ରଟି ବଡ ଭଲ, ଖୁବ୍ ଦୁଃଖସୁଖିଆ ।
ପାତ୍ରେ – ହେଉ ହେଉ, ମୋର ମନା ନାହିଁ ।
ମିଶ୍ରେ – ଝିଅଟି ଖୁବ୍ ସୁଖରେ ରହିବ ।
ପାତ୍ରେ – ହେଉ ହେଉ, ମୋର ମନା ନାହିଁ ।
ମିଶ୍ରେ – ତେବେ ଖର୍ଚ୍ଚପତ୍ର କଥା?
ପାତ୍ରେ – “ହଁ ହଁ, ସେହି ଅସଲ କଥାଟା ଆଗେ ହେଉ । ମୁଁ ସାଫ୍ କହିଦେଉଛି, କନ୍ୟାସୁନା ନଗଦ ହଜାରେ ଟଙ୍କା, ଏଥିରୁ ପଇସାଟିଏ, କି ମଷାଏ, କଡାଏ ଊଣା ଅଧିକ ନାହିଁ, ବୁଝିଲେ ମିଶ୍ରେ! ମୁଁ ନ-ଛ’ କିଛିବି ଜାଣେ ନାହିଁ, ଯାହା ବି କହିବାର ସଫା କହିଦିଏ; ନିଜର ସମସ୍ତ ଅଭିଳାଶ ବ୍ୟକ୍ତ କରିସାରିବାପରେ ପାତ୍ରେ ପଚାରୁଛନ୍ତି ଏଁ କଣ କହୁଛନ୍ତି ମିଶ୍ରେ?”
ସବୁ ଶୁଣି ସେ ମିଶ୍ରେ ଟିକିଏ ଗୁମ୍ ଖାଇ କହିଲେ, “ଟିକିଏ ବୁଝିସୁଝି ବୋଲନ୍ତୁ, ବିରେଇ ବିଚରା ଏତେ ଦେଇପାରିବ କିଆଁ? ସେ ପାଂଚଶହ ତର ଯାଇପାରେ ।”
ତହୁଁ ପାତ୍ରେ ଟିକିଏ ତେଜରେ କହିଲେ, “ମୋର ଆଉ ଦୁଇ କନ୍ୟା ସକାଶେ ତ ମୁଁ ରୋକଠୋକ ଦୁଇହଜାର ପାଇଛି; ସେଇଟା ତ ତୁମ ଆଗର କଥା; ଫେର୍ ଏପରି ଅନ୍ୟାୟ କଥା କିଆଁ କହୁଛ?”
ମିଶ୍ରେ କହିଲେ, “ସେକଥା ଆଉ ଏକଥା ମଧ୍ୟରେ ଢେର୍ ତଫାତ୍ । ସେ ବର ଯୋଡାକର ବୟସ ଷାଠିଏ ଷାଠିଏ ହୋଇଥିଲା, ଆହୁରି ମଧ୍ୟ ସେ ଦୁହେଁଯାକ ଥିଲେ ଦୋଜବର । କନ୍ୟା ଯୋଡିକ ରାଣ୍ଡ ହୋଇ ବର୍ତ୍ତମାନ କିପରି ଦୁଃଖରେ ଅଛନ୍ତି, ଦେଖୁ ଛନ୍ତିତ? ଏଣେ ଦେଖନ୍ତୁ, ବିରେଇ ତ କାଲିକା ପିଲା ।”
ପାତ୍ରେ ଖପାଟା ହୋଇ କହିଲେ, “ହୋଇହେ ମିଶ୍ରେ! ତୁମେ ତ ପାଠୁଆ ଲୋକଟା ହୋଇ ଏପରି ଅନ୍ୟାୟ କଥାଟା କିମିତି କହିଲେ ହେ? ଆରେ, ସେମାନଙ୍କ କପାଳରେ ଥିଲା ତେଣୁ ସେମାନେ ରାଣ୍ଡ ହେଲେ । ମୁଁ କ’ଣ ସେମାନଙ୍କୁ କହିଥିଲି ରାଣ୍ଡ ହୁଅ ବୋଲି? ବାପ ଜନ୍ମ ଦେଇଛି ବୋଲି କ’ଣ କର୍ମ ବି ଦେଇଛି?”
ମିଶ୍ରେ – “ଯାଉ ସେ କଥା, ଆପଣଙ୍କ ସାଙ୍ଗରେ ବୋଲାବୋଲି କରିବି କ’ଣ । ଆପଣ ଛେଉଣ୍ଡକୁ ଟିକିଏ ଦୟା କରନ୍ତୁ, ସେହି ପାଂଚଶରେ ମଙ୍ଗିଯାନ୍ତୁ ।”
ପାତ୍ରେ – “ହକ୍ ବ୍ୟବହାରରେ ଦୟାମାୟା ଗୋଟେ କ’ଣ ମିଶ୍ରେ? ହଁ, ଆଉ ଗୋଟାଏ କଥା ବୁଝ! ମୋର ତ ଆଉ ଦି’ ଝିଅଙ୍କର ବୟସ ତାଙ୍କ ବାହାଘର ବେଳକୁ ୯ ବର୍ଷ ଲେଖାଏଁ ହୋଇଥିଲା, ମାତ୍ର ଏ ତ ଚଉଦ ବର୍ଷର ଝିଅ; ଯିମିତି ସେ ଯିବ ସିଧା ଈଶାଣରେ ପଶିବ । ଆମ ପନ୍ଥାରେ ଏଡେ ବଡ କନ୍ୟା କାହିଁ? ୟା ପିଛା ଭାତ ଲୁଗାରେ ମୁଁ କେତେ ଟଙ୍କା ସାରିଲିଣି? ପାଂଚଶ କହୁଛ – ଶିବପୁରର ଦୀନୁ ପରିଡା ଓ ଗୋବିନ୍ଦପୁରର ଶ୍ୟାମ ମହାପାତ୍ର ଟଙ୍କା ଥଳି ଧରି ଆସି ମୋ ଦୁଆରେ ବସିଗଲେ, ସେତେବେଳେ ପାଂଚଶରେ ନ ଦେଇ ଏବେ ଦେବି କିଆଁ? ଆଉ ଗୁଡାଏ ବଜର ବଜର କରନା ମିଶ୍ରେ, ହଜାରେ ହେଲା ତ ବସ, ନୋହିଲେ ସିଧା ଦାଣ୍ଡ ପଡିଛି ।”
କମଳୀ କବାଟ କଣରେ ବସି ଏସବୁ କଥା ତ ସେ ଶୁଣୁଥିଲା । ସେ ଏତେବେଳେ ସବୁ କଥା ବୁଝିଲାଣି; ଭଉଣୀମାନଙ୍କ ଅବସ୍ଥା ନିଜ ଆଖିରେ ତ ସେ ଦେଖିଛି, ଆଉ ଜଣାଯାଏ ବିରେଇକୁ ସେ ବି ବହୁତ ଭଲପାଏ । ଟଙ୍କା ଦରଦାମ୍ ନ ପଟିବାରୁ ମିଶ୍ରେ ସେଠାରୁ ଉଠିଗଲେ । କମଳୀ ବିରେଇ କଥା ଭାବି ଭାବି ତୁନି ତୁନି ଢେର୍ ସେ କାନ୍ଦଲା । ଦୁଇ ତିନି ଦିନ ହେଲା ଖିଆପିଆ ଛାଡିଲାଣି ସେ, ଖାଲି କାନ୍ଦୁଛି । ତା’ର ତ ଆଉ ମା ନାହିଁ, ତା ମନ କଥା କିଏ ବୁଝୁଛି? ଶେଷରେ ଖୁବ୍ ଗୋଟାଏ ସେ ହିମତ ବାନ୍ଧିଲା । ଗାଁର ଲେଖାଯୋଖା ଅପିଆଈକୁ ସେ ଧରିଲା । ମନର କଥା ତାଙ୍କୁ ଫିଟାଇ କହିଲା, “ଆଈ! ବାପା ଟଙ୍କା ଲୋଭରେ ଗୋଟାଏ ବୁଢାବରକୁ ମୋତେ ବିଭା ଦେଲେ ମୁଁ ପୋଖରୀକୁ ଡେଇଁ ପଡିବି ।” ଅପିଆଈ ଆସି ରାଘବ ପାତ୍ରକୁ କମଳୀ କଥା କହିବାରୁ ପାତ୍ରେ ଖୁବ୍ ଗୋଟାଏ ଖପା ହୋଇ ତାଙ୍କ ଝିଅକୁ ଢେର୍ ଗାଳିଦେଲେ । “ମୁଁ ତୋତେ ଚଉଦ ବରଷ କାଳ ଖୁଆଇ ପିଆଇ ବଢାଇଲି – ଆଜି କ’ଣ ନା ପାଣିକି ତୁ ଡେଇଁ ପଡିବୁ? ମର; ଦେଖେଁ ଭଲା ତୁ କେମିତି ମରିବୁ? ଚଉଦ ବରଷକାଳ ଖାଇଛୁ ପିଉଛୁ, ଭାତ ଲୁଗା ଦାମ୍ ପାଂଚଶ ଟଙ୍କା ଗଣି ଥୋ – ତା ବାଦେ ଯାଇ ତୁ ମରିବୁ ତ ମର ଯା; ମୋର ମନା ନାହିଁ ।”
ପାତ୍ରେ ରାଗମୁହଁରେ ଝିଅଟାକୁ ଗାଳିଗୁଲଜ କଲେ ସିନା, ହେଲେ, ରାତିରେ ବସି ଢେର୍ ଚିନ୍ତା କଲେ ସେ । ଝିଅଟାର ଖିଆପିଆ ନାହିଁ; ମଲାଟା ପରି ସେ ପଡିଛି । ସତକୁସତ ମନ ଦୁଃଖରେ ଯେବେ ସେ ମରିବ, ତେବେ ଯାହା ଖାଲି ମୂଳ ବୁଡିବ ସିନା! ଖୁବ୍ ଆଖି ଫେରାଇ ସେ ଦେଖିଲେ, ଜାତି ଭିତରେ ଦୋଜବର ବା ଅଭିଆଡା ଆଉ କେହିବି ନାହିଁ । ଏଣିକି ଏ ଝିଅଟାକୁ ପୋଷିବା ଖର୍ଚ୍ଚାନ୍ତ କଥା । ତହିଁ ଆରଦିନ ସକାଳେ ପାତ୍ରେ ମିଶ୍ରଙ୍କୁ ଡାକି ପଠାଇଲେ । ଆଜି ପାତ୍ରଙ୍କ କଥା ଖୁବ୍ କଅଁଳ – ଠିକ୍ ସାକୁଲାସାକୁଲି ଭଳି । ଦୁଇ ଜଣ ବସି ଦରଦାମ୍ ଠିକ୍ କରିନେଲେ । ଶେଷରେ ସାତଶହ ଟଙ୍କାରେ ଯାଇ କଥା ଛିଡିଲା । ବର୍ତ୍ତମାନ ସେ ଗାଆଁର ପାଂଚ ଭଲଲୋକଙ୍କ ଆଗରେ ବିରେଇ ଦେବ ଦୁଇଶ ଟଙ୍କା, ବାକି ପାଂଚଶ ବେଦୀମୁଣ୍ଡରେ ସେ ଦେବ ।
ବିରେଇ ହିସାବ କରି ଦେଖିଲା, କନ୍ୟାସୁନା ପଡିବ ସାତଶ, ବିଭାଖର୍ଚ୍ଚ ତିନିଶରୁ ଯମା ଊଣା ନୁହେଁ; ଗାଏ ଦୁଇ ପଦକୁ ହଜାରେ । ଘର ଭିତରେ ପୋତାପୋତି କରି ଯାହା ବି ସେ ରଖିଥିଲା, ଖୋଳାଖୋଳି କରି ତାକୁ ସେ କାଢିଲା । ସବୁ ଟଙ୍କାପଇସା ମିଶାଇ ଟ୬୬୦ । ମଲା ଯା, ଆହୁରି ଯେ ଚାଳିଶ ଲୋଡା । ଦୁଇଶ ଟଙ୍କା ଘରୁ ତ ସେ କାଢିଦେଲାଣି, ବିଭା ବନ୍ଦ କଲେ ସେ ଦୁଇଶହର ଆଶା ବି ଛାଡିବାକୁ ହେବ ତାକୁ । ହେଉ, ପଛନ୍ତେ ବୁଝାବୁଝି । ଘରେ ବିହନ ଭାଗ ରଖି ଧାନସବୁ ସେ ବିକିଦେଲା । ତୁଚ୍ଛା ହଳିଆ ବଳଦ ହଳେ ରଖି ଗୋରୁଗୁଡାକ ବି ସେ ବିକି ପକାଇଲା ।
ଆଜି ବିଭାଦିନ । ବାଜା ପାଲିଙ୍କି କରି ବିରେଇ ସଞ୍ଜବେଳେ ଯାଇ ତା’ ଶଶୁର ଦୁଆରେ ହାଜର୍ । ବର ପାଲିଙ୍କିରେ ବସିଛି । ପାତ୍ରେ ସେତେବେଳେ ପିଣ୍ଡାରେ ବସି ନାସ ଶୁଙ୍ଘୁଥିଲେ । ଘଡିଏ ବିତିଗଲା, ପୁରୋହିତ ତିନି ଚାରି ଥର ଡାକିଲେଣି, “ଆସ ପାତ୍ରେ! ବରକୁ ବାଟବରଣ କରି ନିଅ ।” ପାତ୍ରଙ୍କ ମୁହଁରେ ଏବେ ଆଉ କିଛି ବି କଥା ନାହିଁ । ବୁଦ୍ଧିଆ ମିଶ୍ରେ କଥାଟା ଠିକ୍ ବୁଝିଗଲେ । କହିଲେ, “ପାତ୍ରେ! ବିରେଇ ହାତରେ ଟଙ୍କା, ଏଥର ତ ତାକୁ ବାଟବରଣ କରି ଘରକୁ ଆଣ, ଟଙ୍କା ଗଣିଦେବ ।” ଏକଥା ଶୁଣି ପାତ୍ରେ ଧଡପଡ ହୋଇ ଉଠି ତାଙ୍କ ବରକୁ ବାଟବରଣ କଲେ । ଟଙ୍କା ଗଣାଗଣି ପରଖାପରଖିରେ ଘଡିଏ ବିତିଗଲା । ମଲା ଯା ଛ’ଟା ଟଙ୍କା ପଡିଲା ଭେଣ୍ଡି । ଗାଁ ଲୋକେ ଢେର୍ କୁହାବୋଲା କଲେ, ଜାମିନ୍ ହେଲେ, ବର୍ତ୍ତମାନ ଶୁଭକାର୍ଯ୍ୟଟା ସମାଧା ହୋଇଯାଉ, କାଲି ପଛେ ଟଙ୍କା ବଦଳାବଦଳି ହେବ । ମାତ୍ର ସେ ପାତ୍ରେ ଠୁଳରେ ଆଦୌ ବସିଲେ ନାହିଁ । ବିରେଇର ଆଉ ବାଟ ନାହିଁ, ସେହିଠାରେ ବର ବେଶରେ ବସି ସେ ତା’ ଘରର ପଲାଣ ପାଣ୍ଠି ହଳ ସରଞ୍ଜାମ ସବୁ ସେ ଗାଁର ମଧୁ ମହାନ୍ତିଙ୍କୁ ଛ’ ଟଙ୍କାରେ ବିକିଦେଲା । ଠିକ୍ କୁଆ କା କରିବାକୁ ହାତଗଣ୍ଠି ଫିଟିଲା । ପାତ୍ରେ ବର ବିଦା କରିବାପାଇଁ ଦାଣ୍ଡଦୁଆରେ ଲହରପହର ହେଉଛନ୍ତି, ଘରେ ପଶିବାକୁ ନାହିଁ, ଯଦି ବେଳ ଉଛୁର ହୋଇଯାଏ, ବାଜାବାଲା, ବେହେରା ଜଳଖିଆ ମାଗିବେ ।
ବିରେଇ ତ ଘରକୁ ଡାଙ୍ଗୁଆ ମଣିଷ, ବରକନ୍ୟାକୁ ଏବେ ବନ୍ଦାଇ ନେଉଛି କିଏ? ତେଣୁ ବିରେଇ ତା’ ଖୁଡୀ, ମାଉସୀ, ଅପା ପାଂଚଜଣ ଅହିଅଙ୍କୁ ତ କହି ଆସିଥିଲା । ଅଡାକରାରେ ଗାଁ ମାଇକିନିଆମାନେ ବି ଧାଇଁଆସି ସେ ବିରେଇ ଘରେ ଭର୍ତ୍ତି ହୋଇଯାଇଛନ୍ତି । କନ୍ୟାଟି ଦୋଳମୁକୁଟ ମୁଣ୍ଡରେ କଜଳପାତିଟି ଧରି ନଇଁନଇଁ ଆଗରେ ଚାଲିଛି । ଖିଲକାତିଟିଏ ନଡିଆଟିଏ ଧରି ବର ପଛରେ । ଭଣ୍ଡାରୁଣୀଟା ଆଗେ ଦେଖି ପକାଇଲା, କନ୍ୟାର ପେଟଟା ବାହାରିପଡିଛି, ତେଣୁ ନସରପସର ହୋଇ ସେ ଚାଲିଛି, ଭଲକରି ସେ ମୋଟେ ଚାଲିପାରୁ ନାହିଁ । ଭଣ୍ଡାରୁଣୀ ଆଉ ପାଂଚ ମାଇକିନିଆଙ୍କ ବାହୁ ଟିପିଦେଇ ଖାଇଲା ଆଙ୍ଗୁଳି ବଢାଇ କଣ ଦେଖାଇଦେଲା । ତା’ପରେ ସେ ସବୁ ଅହିଅଯାକ କନ୍ୟାକୁ ଛାଡି ଅଲଗା ହୋଇଗଲେ, ଟୋକାଗୁଡାକ ଏସବୁ ଦେଖି ହସି ହସି କେହି ହାୟ ହାୟ କରି ଆପଣା ଆପଣା ଘରକୁ ପଳାଇଗଲେ । କେହି କହୁଥାଏ ପାଂଚ ମାସ, ଜାଣିବା ମାଇକିନିଆମାନେ ଠିକ୍ କରିନେଲେ ସାତ ମାସରୁ ମୋଟେ ଊଣା ନୁହେଁ । ହାମଦରଦୀ ମାଉସୀ-ପିଉସୀମାନେ ଘରକୁ ଯାଇ ଖାଲି କାନ୍ଦିବାକୁ ବସିଗଲେ । ହାୟ! ହାୟ! ଛୁଆଟା ଅଭିଆଡା ଥିଲା ତ ଥିଲା, ସର୍ବସ୍ୱ ସାରି ସାତପୁରୁଷକୁ ନରକକୁ ଦେଲା । ଘର ଶୂନଶାନ, ବିରେଇ ଗାଲରେ ହାତ ଦେଇ କାନ୍ଥକୁ ଆଉଜି ବସିଛି । ଠିକ୍ ଏତିକିବେଳେ ସେ କମଳୀ କବାଟ ଉହାଡରୁ ଜିଭରେ ଚୁଁ-ଚୁଁ କରି ବିରେଇକୁ ହାତ ଠାରି ନିଜ ପାଖକୁ ଡାକିଲା । ପେଟ ଉପରେ ମୁଣିଏ ଟଙ୍କା, ତା ଉପରେ ଯୋଡାଏ ବେଢାଣ ଖଦି କଷି ଗୁଡିଆ ହୋଇଛି, ତାକୁ ଫିଟେଇ ପକାଇ ଝଣ କରି କମଳୀ ସେ ଥଳିଟା ତଳେ ପକାଇଦେଲା । ବିରେଇ ଯେମନ୍ତ ସ୍ୱପ୍ନ ଦେଖୁଛି, ସ୍ୱର୍ଗରୁ ଦେବୀଟିଏ ଓହ୍ଲାଇ ଆସିଲେ । ତହୁଁ ସେ ବିରେଇ ପଚାରିଲା, “ଏ କଣ?” କମଳୀ କହିଲା, “ଏ ତୁମ ଟଙ୍କା । ବଳଦ, ଗାଈ, ପାଣ୍ଠିପଲାଣ ଯାହା ସବୁ ବିକିଛ ଏ ଟଙ୍କା ଦେଇ ସେସବୁ ତୁରନ୍ତ ଫେରାଇ ଆଣ । ତା ବାଦେ ଯାଇ ମୁଁ ଏ ଘରେ ପାଣି ଛୁଇଁବି ।” ବିରେଇ ଗଣି ଦେଖିଲା, ପୂରା ହଜାରେ ଟଙ୍କା । ବିରେଇ ପୁଣି ପଚାରିଲା, ‘ଆଉ ତିନିଶ କଣ?’ କାହିଁକିନା ବିରେଇ ତ ସାତଶ ଟଙ୍କା ଦେଇଥିଲା, କମଳୀ କହିଲା, “ଦୁଇ ଅପାଙ୍କୁ ବିକି ଯେଉଁ ଟଙ୍କା ବାପା ପାଇଥିଲା, ସେଥିରେ ସେ ଦଶମାଣ ବିଲ କିଣିଛି, ବାକି ତିନିଶ ଅଛି । ଅପାମାନେ ମୋର ବଡ ଦୁଃଖରେ ଅଛନ୍ତି, ଏତକ ଟଙ୍କା ଉଛୁଣିକା ସେମାନଙ୍କ ପାଖକୁ ପଠାଇଦିଅ ।”
ଉପରଓଳି ଗାଁ ଗୋହିରି ମଝିରେ ରାଘବ ପାତ୍ରେ ଡକା ପକାଇ ବାୟା ପରି ଧାଇଁଛନ୍ତି । ବିରେଇ ଦୁଆରେ ଡକା ପକାଇ ପରସ୍ତେ ଗଡିଲେ, ଖାଲି କହୁଛନ୍ତି “କମଳୀ, ମୋ ବେକରେ ତୁ ଛୁରୀ ମାରିଲୁ, ମୋ ଟଙ୍କା ଦେ ।” କମଳୀ କହିଲା, “ବାପା! ତୋର କି ଟଙ୍କା? ମୋ ଟଙ୍କା ମୁଁ ଆଣିଛି ।” ଗାଁ ଲୋକେ ଏହା ଶୁଣି ଧାଇଁଲେ । ସେମାନେ ତ ରାଘବ ପାତ୍ର ଉପରେ ବହୁ ଆଗରୁ ବଡ ଖପା ହୋଇଥିଲେ । ତିନି ତିନିଟା ଝିଅ ତିନି ହଜାରରେ ବିକିଲା; ସେମାନଙ୍କ ମୁହଁରେ ମୁଢି ଗୁଣ୍ଡିଟାଏ ବି ବାଜି ନାହିଁ । ବିଭାବେଳେ ନାନ୍ଦିମୁଖୀ ଆଉ ତିଳକାଂଚନ ଦକ୍ଷିଣା ବିଷୟରେ ପୁରୋହିତଙ୍କ ସାଙ୍ଗରେ କିଛି ବୋଲାବୋଲି ହୋଇଥିଲା । ମାତ୍ର ପୁରୋହିତ ତାହା ପାଇ ନଥିଲେ, ତେଣୁ ସେ ତ ଆଗରୁ ନିଆଁ ହୋଇଥିଲେ । ସେଠାରେ ପହଁଚିଯାଇ ସେ ହୁକୁମ୍ ଦେଲେ, “ମାର ଏ ଚଣ୍ଡାଳ ମାଉଁସ ବିକାକୁ ।” ପାତ୍ରେ ଦେଖିଲେ, ସେ ଗ୍ରାମଲୋକ ସମସ୍ତେ ମାର-ମାର କହି ଧାଇଁଛନ୍ତି, ହେଲେ ତାଙ୍କ ପଟକୁ କେହି ବି ନାହିଁ । ସେତେବେଳକୁ ଯୋଡାଏ ତିନିଟା ଧକ୍କା, ବିଧା, ଚାପଡା ବି ତାଙ୍କ ଉପରେ ବାଜିଗଲାଣି । ଏପରି ପରିସ୍ଥିତିରେ ସେ ଆଉ ଟଙ୍କା ମାଗିବେ କ’ଣ? ଓଲଟି ସିଧା ସେ ତାଙ୍କ ଘରମୁହାଁ ଧାଇଁଛନ୍ତି । ଏଣେ ପିଲାଗୁଡାକ ହାତତାଳି ଦେଇ ତାଙ୍କ ପଛରେ ଧାଇଁଛନ୍ତି; ପାତ୍ରଙ୍କ ଉପରେ ଢେଲା ଧୂଳି ବୃଷ୍ଟି ହେଉଛି, ତିନିଜାଗା ହାବୁଡି ପଡି ଆଣ୍ଠୁଗଣ୍ଠି ତାଙ୍କର ଛିଣ୍ଡିଗଲାଣି । ସେହିଦିନଠାରୁ ସେ ପାତ୍ରଙ୍କୁ ଆଉ ଦିନବେଳେ କେହି କେବେବି ଦାଣ୍ଡରେ ଦେଖି ନାହିଁ । ଏହାପରେ କମଳୀ ନାମରେ ସେଖଣ୍ଡମଣ୍ଡଳରେ ଧନ୍ୟ ଧନ୍ୟ ପଡିଗଲା ।
ଏଣେ ବିରେଇ ବାହାରି ଆସିବା ଦିନଠାରୁ ମାମୁ ମାଈଁ ବଡ ବେହାଲରେ ପଡିଲେଣି । ଆଗେ ବିରେଇ ଡରରେ ଚଣ୍ଡୀ ଗୋଠରୁ ଗୋରୁ ବା ମରେଇରୁ ଧାନ ଲୁଚାଚୋରା କରି ନେଇ ବିକୁଥିଲା, ହେଲେ ଏବେ ଡାକଫୁକାର ଦିନବେଳେ ସେ ଚଣ୍ଡୀ ବିକିଦେଉଛି । ବାପ ମା’ କିଛି ବି କହିଲେ ଚଣ୍ଡୀ ସେମାନଙ୍କୁ ବାଡେଇବାକୁ ଧାଏଁ, ତେଣୁ ସେମାନେ ଏହି ଡରରେ ତାକୁ କିଛି ବି କହିପାରନ୍ତି ନାହିଁ । ପୁଅଟା କଥା କାହା ଆଗରେ ବା ସେମାନେ କହିବେ, ଶେଷରେ ସେମାନେ ତୁନିହୋଇ ପଡିଥାନ୍ତି । ବର୍ଷ ଦୁଇଟା ଭିତରେ ଅଢେଇ ବୋଡିଆ ପଲଟାରେ ଛଡାଲାଞ୍ଜ ଖଣ୍ଡେ ବି ନାହିଁ । ଗଛ ପରି ତିନିଟା ମରେଇ ଝାଡଝୁଡ । ଏଣେ ତାଙ୍କ ଚାଷଟା ବି ଠିକ୍ ସେହିପରି । ଶ୍ୱାସ ବେମାରିଟା ପାତ୍ରଙ୍କୁ ବଳିପଡିଲାଣି, ପିଣ୍ଡାରୁ ଓହ୍ଲାଇବାକୁ ତାଙ୍କ ପାଖେ ଆଉ ବଳ ନାହିଁ, ବିଲବାଡି ଯିବେ କ’ଣ? ଏଣେ ଏ ଚଣ୍ଡୀ ତ ଖାଲି ମୌଜରେ ଲାଗିଛି, ବିଲକୁ ଯିବ କ’ଣ? ଚାଷଗୁଡିକ ମୂଲିଆଙ୍କ ଜିମା; ମୂଲିଆ ଦଶଗୌଣୀ ବୁଣିବାକୁ ଘେନିଗଲେ ତ ପାଂଚଗୌଣୀ ପଡିଲା ବିଲରେ, ଆଉ ପାଂଚଗୌଣୀ ମୂଲିଆଣୀଙ୍କ ଢେଙ୍କିଶାଳରେ । ପାତ୍ରଙ୍କ ପାଖରୁ ମୂଲ ନେଇ ଆପଣାର ବିଲ ସେହି ମୂଲିଆ ମାନେ ବାଛିଯାନ୍ତି । ଏଥିରୁ ଯାହା ଚାଷ ହେବ, ତାହା ତ ସମସ୍ତଙ୍କୁ ଜଣା ।
ବୋଇଲା – “ଆପେ ଚଷିବୁ ପୂରା ଚାଷ
ଛତା ଜୋତା ଅଧାଚାଷ
ମୂଲିଆ ଚାଷ ଫସରଫାସ ।”
ଯେଉଁ କେତେ ପୁଞ୍ଜା କଳେଇ ଖଳାକୁ ଆସେ ତାହା ତ ଖଜଣାକୁ ବି ନିଅଂଟ ।
ଏତିକିବେଳେ କ’ଣ ହେଲା କି, ସେ ଗାଁରୁ ଢେର୍ ବଳଦ ଗାଈ ଚୋରି ଗଲା । ଆଜି ଶୁଣାଗଲା ସାମଲଘର ବଳଦ ଚୋରି ତ କାଲି ପରିଡାଘର ଯୋଡାଏ ଗାଈ ମିଳୁ ନାହାଁନ୍ତି । ମାସ ଛଅଟା ମଧ୍ୟରେ ଦଶ ପାଂଚ ଗଣ୍ଡା ଗୋରୁ ଚୋରିଗଲାଣି । ତେଣୁ ସେ ଗାଁଯାକ ଡକା ପଡିଗଲା । ଚୋର ଧରିବା ଲାଗି ଗାଁଯାକ ତୁନି ତୁନି ବିଚାର କରି ଛକଛାକରେ ରହିଗଲେ ।
ଦିନେ ଅଧରାତିବେଳେ ପୀତେଇ ପାତ୍ର ପୁଅ ଚଣ୍ଡିଆ ଆଉ ଚାରିଜଣ ବାଉରିଟୋକା ଯୋଡାଏ ବଳଦ ବାନ୍ଧି ଘେନି ବିଲ ମଝିରେ ଯାଉଥିଲେ, ଗୋଟାଏ ଲୋକ ଏହି ଚୋରମାନଙ୍କୁ ଦେଖି କୁହାଟଟାଏ ମାରିଦେଲା, ତହୁଁ କୋଡିଏ କି ତିରିଶ ଜଣ ଚାରିପଟରୁ ସେହି ଚୋରମାନଙ୍କୁ ବେଢିଗଲେ । ଏବେ ଆଉ ସେ ଚୋରମାନେ ଯିବେ କୁଆଡେ? ଲଙ୍ଗଳ ଦଉଡାରେ ସେହି ଚୋରମାନଙ୍କ ବାହୁକୁ ବାହୁ ଛନ୍ଦି କାଠମୁଠିଆ କରି ଲୋକମାନେ ବାନ୍ଧି ପକାଇଲେ । ମାଡ ତ ମାଡ, ଏକାଥରକେ ସେ ଚୋରଗୁଡାଙ୍କ ଚେତା ବୁଡିଗଲା । ଚୌକିଆ ଗୋରୁ ସେହିକ୍ଷଣି ସେ ଚୋରମାନଙ୍କୁ ଥାନାକୁ ଘେନିଗଲା । ‘ଚୋର ମା ଲାଜରେ ନ କାନ୍ଦେ’ ପାତ୍ର ପାତ୍ରାଣୀ ବୁଢାବୁଢୀ ଯୋଡିକ କବାଟ ଦେଇ ତାଙ୍କ ଘର ଭିତରେ ଧକେଇ ଧକେଇ ହୋଇ କାନ୍ଦୁଛନ୍ତି । ଗାଁଗୋଟାକ ବାଡେ, ହେଲେ ବିରେଇ! ତା’ ମାମୁ ମାଈଁଙ୍କର ବିକଳ ଆଦୌ ସହିପାରିଲା ନାହିଁ । ସଦର କଚେରିକୁ ସେ ଧାଇଁଲା, ଟାଣୁଆ ଟାଣୁଆ ଓକିଲ ମୁକ୍ତାର ଯୋଡାଏ ଦେଲା, ଖୁବ୍ ଲଢିଲା । ବମାଲ ଗ୍ରେପ୍ତାର, ଆଉ କଣ ରକ୍ଷା ଅଛି; ଚଣ୍ଡିଆର କଠିନ ପରିଶ୍ରମ ସହିତ ମିଆଦ ଦେଢବର୍ଷ ।
ବିପଦ ଯେ ସଞ୍ଜୁଆ ଅନ୍ଧାର ପରି ଚାରିଆଡୁ ମାଡିଆସେ । ଚଣ୍ଡୀ ବିଭାଘରକୁ ପାତ୍ରେ ମଧୁସାହୁ ମହାଜନଠାରୁ ଗୁଜା ଲେଖିଦେଇ ପାଂଚଶ ଟଙ୍କା କରଜ ଆଣିଥିଲେ । ପାତ୍ରଙ୍କ ମରେଇରେ ଢେର୍ ଧାନ ଥିଲା, ପାତ୍ରେ ସେ ଧାନ ବିକିଦେଇ ଦେଣା ଶୁଝିବାକୁ ବସିଥିଲେ, ମାତ୍ର ପାତ୍ରାଣୀ ତାହା କରିବାକୁ ଆଦୌ ଦେଲେ ନାହିଁ । ଓଲଟି ସେ କହିଲେ, ବିରେଇ ବିଲରୁ ଯେଉଁ ଧାନ ଆସିବ; ଅଲଗା ଅଲଗା ଖଳା ମୁଣ୍ଡରେ ବିକି ଦେଇ ଦେଣ ଶୁଝଟ ହେବ । ବିରେଇ ତ ତାହାର ବିଲ ଘେନିଗଲା, ଚାଷରୁ ତ ଆଉ ଧାନ ମିଳିଲା ନାହିଁ, ତେଣୁ ଦେଣାଟା ବଢିଗଲା । କଥାରେ ଅଛି କଳନ୍ତର ଆଗରେ ଘୋଡା ବି କୁଆଡେ ଦୌଡିପାରେ ନାହିଁ । ମହାଜନ ମୂଳ କଳନ୍ତର ମାମଲା ଖର୍ଚ୍ଚ ବାରଶ ଟଙ୍କାତକ ଡିକ୍ରୀ କରି ରଖିଥିଲା, ଠିକ୍ ଏତିକିବେଳେ ସେ ମଧୁସାହୁ ମହାଜନ ପାତ୍ରଙ୍କ ଘର ଦୂଆର ସହିତ ବିଲବାଡି ନିଲାମ କରି ନେଇ ସେମାନଙ୍କୁ ତଥା ପାତ୍ର, ପାତ୍ରାଣୀଙ୍କୁ ତାଙ୍କ ଘରୁ କାଢିଦେଲା । ମଳିଆ ଚିରକୁଟ ଲୁଗା, ଦେହରେ ଅଧଆଙ୍ଗୁଳିଏ ବହଳ ମଳି; ଖଡିଗାର କାଟିଯାଉଛି, ଗେଧ-ଗେଧୁଣୀ ପରି ଯୋଡାକଯାକ ଦାଣ୍ଡ ବରଗଛ ମୂଳରେ ପଡିଛନ୍ତି ।
ବିରେଇ ଏକଥା ଶୁଣି ଆଉ କାଳବିଳମ୍ବ ନକରି ସିଧା ଧାଇଁଲା । ଦେଖିଲା, ମାଈଁର ଚେତା ନାହିଁ, ମାମୁ ବେକ ଭାଙ୍ଗି ଆଣ୍ଠୁ କୁଣ୍ଢେଇ ବସିଛନ୍ତି । ବିରେଇ କାହାରିକୁ କିଛି ବି ନ କହି ମାଈଁକୁ ନାଉ କଲା । ମାମୁ ହାତଧରି ଧୀରେ ଧୀରେ ବିରେଇ ସେମାନଙ୍କୁ ଆପଣା ଘରକୁ ଘେନିଆସିଲା । ବିରେଇ କମଳୀ ଦୁଇଜଣ ଦୁଇ ଗିନା ତେଲ ଲଗାଇ ଦେଇ ସେ ଦୁଇଜଣଙ୍କୁ ଗାଧୁଆପାଧୁଆ କରାଇ ଦେଇ ସେମାନଙ୍କୁ ଦୁଇଖଣ୍ଡ ଧୋବ ଲୁଗା ପିନ୍ଧାଇ ଦେଲେ । ମାଈଁ ତଂଟିରେ ଭାତ ଚାଳୁ ନାହିଁ । କମଳୀ ଅଧସେରେ ସରିକି ଦୁଧରେ ମୁଠାଏ ଭାତ ଚକଟି ମାଈଁକୁ ପିଆଇଦେଲା ।
ମାମୁ ମାଈଁ ତ ଘରେ ଥାଆନ୍ତି । ଅଧିକରେ ବିରେଇ ସେ ଦୁଇଜଣଙ୍କ ପାଇଁ ଚାରିଅଣାର ଆପୁ ଆଉ ସେରେ ଦୁଧ ବନ୍ଦୋବସ୍ତ କରିଦେଲା । କମଳୀ ଦୁଧ ଢାଳୁ ଢାଳୁ କେବେ କେବେ ଦେଢସେର ସରିକି ପଡିଯାଏ । ଏହି କାରଣରୁ ସେ ବିରେଇ ଘରେ ପୁଞ୍ଜାଏ ଦୁହାଁଳୀ ଗାଈ ସଦା ସର୍ବଦା ବନ୍ଧା । ମାମୁ ସବୁବେଳେ ଦାଣ୍ଡପିଣ୍ଡାରେ ତୁନିହୋଇ ବସିଥାନ୍ତି – ମାଈଁ ହେଁସଟା ପାରି ଶୋଇପଡିଥାନ୍ତି । କମଳୀ ସେମାନଙ୍କ ଦେହରେ ତେଲ ଲଗାଇ ଦେଇ ସେମାନଙ୍କୁ ଗାଧୋଇ ଆଣେ । ସଞ୍ଜବେଳେ ଅଧଗିନାଏ ତେଲଧରି କମଳୀ ତା’ ମଉଳାଶାଶୁ ଗୋଡ ଘଷେ । କମଳୀ ଘଡିଏ ଯାଏଁ ଗୋଡ ଘଷୁଥାଏ । ତଥାପି ସେ ମାଈଁ ଦିନେହେଲେ ବି କେବେ କହିଲେ ନାଇଁ ଯେ, “ଥାଉ ରେ ମା – ତୋ ହାତ ବଥା କରିବ ।” ଗାଁ ମାଇପେ କିଛି କହିଲେ କମଳୀ କହେ “ହେଉ ହେଉ ବୁଢୀଲୋକ, ତାଛଡା ସେ ତ ଏଇନା ମନଦୁଃଖରେ ଅଛନ୍ତି ।”
ଗାଳ୍ପିକ – ଫକୀରମୋହନ ସେନାପତି