ଆଗ୍ରା ସହର ନିକଟବର୍ତ୍ତୀ ଅଂଚଳର ଗ୍ରାମରେ ଜଣେ ବିଧବା ବାସ କରୁଥିଲେ । ବିବାହର କିଛି ଦିନ ପରେ ତାଙ୍କର ସ୍ୱାମୀ ଆରପାରିକୁ ଚାଲିଗଲେ । ବିଚାରୀ ସ୍ତ୍ରୀ ଲୋକଟିର ଆଗକୁ ପଛକୁ କେହି ନଥାନ୍ତି । ଗ୍ରାମର ଶେଷ ମୁଣ୍ଡରେ କୁଡିଆଟିଏ କରି ସେ ବାସ କରୁଥାଏ । ଧନୀ ବ୍ୟକ୍ତି ମାନଙ୍କର ଘରେ ବାସନ ମାଜିବା, ଘର ଝାଡୁ କରିବା, ଲୁଗା ସଫା କରିବା ଇତ୍ୟାଦି କାର୍ଯ୍ୟ କରି ଜୀବନ ବିତାଏ । ସେ ଯାହା ରୋଜଗାର କରୁଥିଲା ତାର କେହି ଖର୍ଚ୍ଚ କରିବାକୁ ନଥିବାରୁ ସେ ବଳକା ଅର୍ଥକୁ ରଖିଦିଏ । ଏହିପରି କିଛିଦିନ ସଂଚୟ କଲାପରେ ତା’ପାଖରେ ଏକ ହଜାର ସ୍ୱର୍ଣ୍ଣମୁଦ୍ରା ହୋଇଗଲା । ବୁଢୀକୁ ମଧ୍ୟ ସେତେବେଳକୁ ବହୁତ ବୟସ ହୋଇଯାଇଥିଲା । ତେଣୁ କିଛି ଦିନ କାଶୀ ଯାଇ ତୀର୍ଥ କରିବାକୁ ମନ ବଳାଇଲା । ହେଲେ ସଂଚୟ କରିଥିବା ଧନ କେଉଁଠାରେ ରଖିବ? ପ୍ରଥମେ ଭାବିଲା ତା’ର ଏକ କୁଡିଆ ଘର ମଧ୍ୟରେ ଗାତ ଖୋଳି ରଖିବ । ହେଲେ କିଛି ସମୟପରେ ସେ ସେହି ଚିନ୍ତାଧାରାକୁ ମନ ଭିତରୁ ବାଦ୍ ଦେଲା । କାଳେ କିଏ ଘର ଖୋଲି ତାର ଧନକୁ ନେଇଯିବ ସେଥିପାଇଁ ସେ ଘରେ ନରଖିବାକୁ ମନେ ମନେ ଠିକ୍ କଲା । ସେହି କଥା ଚିନ୍ତା କରୁଥିବା ସମୟରେ ହଠାତ୍ ତା ମନକୁ ଏକ ଉପାୟ ଆସିଲା ।
ସେହି ଗ୍ରାମରେ ଜଣେ ବ୍ରାଦ୍ମଣ ବାସ କରୁଥିଲେ । ସେ ଯେମିତି ସଚ୍ଚୋଟ ସେମିତି ସତ୍ୟବାଦୀ, ନ୍ୟାୟପ୍ରିୟ ମଧ୍ୟ ଥିଲେ । ବୁଢୀ ମନେ ମନେ ଠିକ୍ କଲା ସେହି ବ୍ରାହ୍ମଣଙ୍କ ପାଖରେ ତା’ର ଧନକୁ ରଖିଦେଇଯିବ । ମନେ ମନେ ଏହା ଭାବି, ସେ ଯାଇ ସେହି ବ୍ରାହ୍ମଣଙ୍କ ପାଖରେ ପହଁଚିଲା । ବ୍ରାହ୍ମଣଙ୍କୁ କହିଲା, “ମହାଶୟ! ମୁଁ ଜାଣେ ଆପଣ ଜଣେ ସତ୍ୟବାଦୀ, ନ୍ୟାୟପ୍ରିୟ ଓ ଭଗବାନଙ୍କର ପରମଭକ୍ତ । ମୁଁ ଆପଣଙ୍କ ନିକଟକୁ ଗୋଟିଏ କାମରେ ଆସିଛି । ମୁଁ କିଛି ଦିନ ପାଇଁ କାଶୀ ତୀର୍ଥ କରିବାକୁ ଯିବା ପାଇଁ ଠିକ୍ କରିଛି । ଯେତିକି ଦିନ ମୁଁ ତୀର୍ଥ କରିବାକୁ ଯିବି ସେତେଦିନ ପାଇଁ ଆପଣଙ୍କ ପାଖରେ ମୋର ଏକ ହଜାର ସ୍ୱର୍ଣ୍ଣମୁଦ୍ରା ରହିବ । ମୁଁ ଆସିବା ପରେ ଆପଣଙ୍କ ପାଖରୁ ମୋ ଧନ ନିଜେ ଯାଇ ନେଇ ଆସିବି ।”ବୁଢୀର କଥାରେ ବ୍ରାହ୍ମଣ ପ୍ରଥମେ ରାଜି ନହେଲେ ମଧ୍ୟ ବୁଢୀ ଯେମିତି ଅନୁନୟ ବିନୟ ହୋଇ କହିଛି ବ୍ରାହ୍ମଣ ତା’ କଥାରେ ରାଜି ହୋଇଗଲେ । ବ୍ରାହ୍ମଣ ବୁଢୀକୁ କହିଲେ, “ତୁମେ ଏକ ଥଳୀରେ ତୁମ ମୁଦ୍ରାକୁ ଭର୍ତି କରି ଥଳୀର ମୁହଁକୁ ସିଲେଇ କରି ମୋତେ ଦିଅ । ମୁଁ ଏହାକୁ ଏହି ଗଛ ମୂଳରେ ପୋତି ଦେବି । କାରଣ ମୁଁ ତ’ ଏହିଠାରେ ଦିନ ରାତି ବସି ତପସ୍ୟା କରେ । ସବୁ ସମୟରେ ମୁଁ ଏହା ଉପରେ ନଜର ଦେଇପାରିବିନି ।”
ବ୍ରାହ୍ମଣର କଥା ଶୁଣି ବୁଢୀ ଥଳୀ ଭିତରେ ଟଙ୍କା ଭର୍ତି କରି ଥଳୀର ମୁହଁକୁ ସିଲେଇ କରି ବ୍ରାହ୍ମଣଙ୍କୁ ଦେଇ ଆସିଲା । ବ୍ରାହ୍ମଣ ମଧ୍ୟ ବୁଢୀର ଉପସ୍ଥିତିରେ ଗାତ ଖୋଳି ଗଛ ମୂଳରେ ଟଙ୍କା ଥଳୀକୁ ପୋତି ଦେଲେ । ବ୍ରାହ୍ମଣଙ୍କ ପାଖରେ ଟଙ୍କା ରଖିଦେଇ ବୁଢୀ ନିଶ୍ଚିନ୍ତରେ ତୀର୍ଥ ଯାତ୍ରା କରିବାକୁ ବାହାରି ପଡିଲା । ବର୍ଷେ ଦୁଇବର୍ଷ ଅତିକ୍ରାନ୍ତ ହୋଇଗଲା । ବୁଢୀ ତୀର୍ଥ ଯାତ୍ରାରୁ ଫେରିଲା ନାହିଁ । ବ୍ରାହ୍ମଣ ଭାବିଲେ ବୁଢୀ ବୋଧହୁଏ ମରିଯାଇଛି । ଏହା ଭାବି ବ୍ରାହ୍ମଣ ତାର ଟଙ୍କାକୁ ନିଜେ ଅକ୍ତିଆର କରିବାକୁ ମନ ବଦଳାଇଲେ । ଦିନେ ରାତିରେ ଗାତ ମଧ୍ୟରୁ ଟଙ୍କା ଥଳୀ ବାହାର କରି, ତା’ର ସିଲେଇ ଖୋଲି ସ୍ୱର୍ଣ୍ଣ ମୁଦ୍ରାକୁ ନେଇଗଲେ । ଥଳୀ ମଧ୍ୟରେ କିଛି ରୂପା ଟଙ୍କା ଭର୍ତି କରି ଗ୍ରାମରେ ଥିବା ଏକମାତ୍ର ଦରଜୀ ପାଖରେ ଯାଇ ପହଁଚିଲେ । ଦରଜୀକୁ ଥଳୀଟିକୁ ସିଲେଇ କରିଦେବାପାଇଁ କହିଲେ, ବ୍ରାହ୍ମଣଙ୍କ କଥା ଅନୁସାରେ ଦରଜୀ ଥଳୀଟିକୁ ସିଲେଇ କରିଦେଲେ । ଦରଜୀ ଠାରୁ ଥଳୀ ଆଣି ବ୍ରାହ୍ମଣ ସେହି ସ୍ଥାନରେ ଥଳୀକୁ ରଖିଦେଇ ଗାତ ବନ୍ଦ କରିଦେଲେ । ଏକଥା କେହି ଜାଣି ନଥାନ୍ତି । ବ୍ରାହ୍ମଣ ପୁରା ମନେ ମନେ ଭାବିଥାଆନ୍ତି ଯେ ବୁଢୀ ଆଉ ଫେରିବ ନାହିଁ । ଏହିପରି କିଛି ଦିନ ବିତିଗଲା ।
ହଠାତ୍ ଦିନେ ବୁଢୀ ଆସି ବ୍ରାହ୍ମଣଙ୍କ ପାଖରେ ପହଁଚିଗଲା । ତାକୁ ଦେଖି ବ୍ରାହ୍ମଣ ପ୍ରଥମେ ବୁଢୀର ଭୂତ ବୋଲି ଭାବିଲେ । ବ୍ରାହ୍ମଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଚାହିଁବା ଦେଖି – ବୁଢୀ କହିଲା, “କ’ଣ ବ୍ରାହ୍ମଣ ମହାଶୟ! ତୁମେ ମୋତେ ଏମିତି ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଛ କାହିଁକି? ତୁମେ କ’ଣ ଭାବିଥିଲ ମୁଁ ମରିଯାଇଛି, ଆଉ ତୁମ ନିକଟକୁ ଫେରିବି ନାହିଁ । ପ୍ରକୃତରେ କାଶୀ ଯାଗାଟି ମୋତେ ଏତେ ଭଲ ଲାଗିଲା ଯେ, ମୁଁ ସେଠାରେ ରହୁ ରହୁ ବେଶୀ ଦିନ ରହିଗଲି । ତୁମ ପାଖରେ ଯଦି ମୋର ଧନ ନଥାଆନ୍ତା ତା’ହେଲେ ମୁଁ ଏଠାକୁ ଆଉ ଫେରି ନଥାନ୍ତି । ଦୟାକରି ମୋ ଧନ ମୋତେ ଫେରାଇ ଦିଅନ୍ତୁ ।”ବୁଢୀର କଥା ଶୁଣି ବ୍ରାହ୍ମଣ କହିଲେ, “ମାଉସୀ! ତୋ ଧନ ତୁ ଯେଉଁ ସ୍ଥାନରେ ରଖିଥିଲୁ ସେହି ସ୍ଥାନରେ ଅଛି । ତୁ ବର୍ତ୍ତମାନ ତୋର ଧନ ନେଇ ମୋତେ ସେ ଦାୟିତ୍ୱରୁ ମୁକ୍ତ କରିଦେ ।”
ଏହାପରେ ବୁଢୀ ଗାତ ଖୋଳି ଦେଖିଲା । ହେଲେ ଧନ ମୁଣୀ ଯେମିତି ଖୋଲି ଦେଇଛି, ବୁଢୀ ଜୋର୍ରେ କାନ୍ଦିବାକୁ ଲାଗିଲା । ସୁନା ଟଙ୍କା ବଦଳରେ ରୂପା ଟଙ୍କା ରଖିଲା କିଏ? କାନ୍ଦି କାନ୍ଦି ବୁଢୀ ବ୍ରାହ୍ମଣଙ୍କୁ ଦୋଷାରୋପ କରୁଥାଏ । ବୁଢୀର କାନ୍ଦ ଶୁଣି ଗ୍ରାମବାସୀମାନେ ଆସି ସେଠାରେ ରୁଣ୍ଡ ହୋଇଗଲେ । ହେଲେ କେହି ବ୍ରାହ୍ମଣ ଏପରି କାର୍ଯ୍ୟ କରିଥିବେ ବୋଲି ଭାବି ପାରୁନଥାନ୍ତି । ଶେଷରେ ବୁଢୀ ନିରାଶ ହୋଇ ବିରବଲଙ୍କ ପାଖରେ ପହଁଚିଲା । ବିରବଲଙ୍କୁ ଆମୂଳଚୂଳ ସମସ୍ତ ଘଟଣା କହିଲା । ବିରବଲ ସଂଗେ ସଂଗେ ବ୍ରାହ୍ମଣଙ୍କୁ ଡକାଇଲେ । ଏଣେ ଟଙ୍କା ଥଳୀକୁ ସିଲେଇ କରାଯାଇଥିବା କଥା ଶୁଣି ସେହି ଗ୍ରାମରେ ଥିବା ଏକମାତ୍ର ଦରଜୀକୁ ମଧ୍ୟ ଡକାଇଲେ । ବ୍ରାହ୍ମଣ ଏବଂ ଦରଜୀ ଉଭୟଙ୍କୁ ହାଜର୍ କରାଗଲା । ବିରବଲ ଦରଜୀଙ୍କୁ ପଚାରିଲେ, “ଏଇ କିଛି ଦିନ ପୂର୍ବେ ତୁମେ ଏକ ଟଙ୍କା ଥଳୀ ସିଲେଇ କରିଥିଲ କି? ଦରଜୀ ସଂଗେ ସଂଗେ ହଁ ମାରିଲେ । ବିରବଲ ପଚାରିଲେ “ଏହା ଭିତରେ ସ୍ୱର୍ଣ୍ଣ ମୁଦ୍ରା ଥିଲା କି?”ଦରଜୀ ଉତ୍ତର ଦେଲା, “ସ୍ୱର୍ଣ୍ଣମୁଦ୍ରା ନଥିଲା, ସ୍ୱର୍ଣ୍ଣମୁଦ୍ରା ବଦଳରେ କିଛି ରୂପା ଟଙ୍କା ଥିଲା ।”ଏହାପରେ ବିରବଲ ପଚାରିଲେ, “ଏହି ଟଙ୍କା ଥଳୀ ତୁମକ କିଏ ସିଲେଇ କରିବାକୁ ଦେଇଥିଲା?”ଲୋକଟି ସଂଗେ ସଂଗେ ବ୍ରାହ୍ମଣ ଦେଇଥିଲେ ବୋଲି କହିଲା ।
ଦରଜୀର କଥା ଶୁଣିବାପରେ ବିରବଲଙ୍କର ଦୋଷୀ କିଏ ଜାଣିବାକୁ ଆଉ ବାକି ନଥିଲା । ବିରବଲ ସଂଗେ ସଂଗେ ବ୍ରାହ୍ମଣଙ୍କୁ ବୁଢୀ ମାଉସୀର ଟଙ୍କା ଫେରାଇ ଦେବାକୁ ଆଦେଶ ଦେଲେ । ବ୍ରାହ୍ମଣ ମଧ୍ୟ ସାମାନ୍ୟ ଲୋଭର ବଶବର୍ତ୍ତୀ ହୋଇ ଯେଉଁ ଭୁଲ୍ କରିଥିଲେ, ସେଥିପାଇଁ ବୁଢୀ ମାଉସୀ ଏବଂ ବିରବଲ ଉଭୟଙ୍କୁ କ୍ଷମା ମାଗିଲେ । ବୁଢୀର ଟଙ୍କା ସଂଗେ ସଂଗେ ଆଣି ତାକୁ ଫେରାଇ ଦେଲେ । ଟଙ୍କା ପାଇବା ପରେ ବୁଢୀ ମନ ଖୁସିରେ ଫେରିଗଲା ।