• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ବାବୁ କହିଥିଲେ
ଗଳ୍ପ

ବାବୁ କହିଥିଲେ

suchitraBy suchitraFebruary 27, 2022No Comments5 Mins Read
Facebook Twitter Pinterest Reddit LinkedIn Tumblr Email
Odia-Short-Story-Babu-Kahithile
Odia-Short-Story-Babu-Kahithile
Share
Facebook Twitter Pinterest Reddit Email

କପାଟ ମୁଣ୍ଡାର ସପନି । ଜାତିରେ ସେ ଗୋପାଳ । ପଲେ ମଇଁଷି, ଚାରିଛ’ଟା ଗାଈ ତାର ଥାଏ । ଏଇ ତା’ର ସମ୍ବଳ । ଦୁଧ ଦହି ବିକି ସେ ତା’ ପେଟ ପୋଷେ । ନଅରେ ନଥାଏ କି ଛଅରେ ନଥାଏ ସେ । ଶାଗ କହିଲେ ହଁ ତ ମୁଗ କହିଲେ ହଁ । “ଦହି ନବ ଦହି”… ଏହା କହି ଏ ଗାଆଁରୁ ସେ ଗାଆଁ ଏଘରୁ ସେଘର ହୋଇ ସକାଳଠାରୁ ସଞ୍ଜଯାଏଁ ସେ ବୁଲୁଥାଏ । ପିଲାଠାରୁ ବୁଢାଯାଏଁ ସମସ୍ତେ ତାକୁ ଭାରି ଭଲ ପାଆନ୍ତି । ତା ପାଟି ଶୁଣିଲେ ପିଲାମାନେ ଗ୍ଲାସ, ଗିନାଧାରି ଧାଇଁ ଆସନ୍ତି । ସେ ବି କାହାକୁ ନିରାଶ କରେନି । ଚାମଚେ ଅଧଚାମଚେ ସେମାନଙ୍କ ହାତରେ ପକାଇଦିଏ । ଘରଣୀମାନେ ଦୁଧ, ଦହିନେଲା ବେଳେ ସପନି କାହାକୁ କେମିତି କିଛି ଅଧିକ ବି ଦେଇଦିଏ । ସେ ଜମାରୁ ଦୁଧରେ ପାଣି ମିଶାଏ ନାହିଁ ବୋଲି ଭାରି ଗର୍ବକରେ । ଅବଶ୍ୟ ପହ୍ନା ଧୋଇଦେବାପାଇଁ ଦୁଧ ଦୁହିଁବା ସମୟରେ କିଛି ପାଣି ସେ ନେଇଥାଏ । କିନ୍ତୁ ଅନ୍ୟମାନଙ୍କ ଭଳି ଦୁଧରେ ସେ ମୋଟେ ପାଣି ମିଶାଏ ନାହିଁ । ତା ଦୁଧରେ ଝୋଟି ଲେଖିହେବ । ତା ଦହି ଗାମୁଛାରେ ବାନ୍ଧିନେଇହେବ । “କେଉଟ ଧରେ ମାଛ, ଖାଏ କଙ୍କଡା”ଭଳି ସପନି ଦୁଧ ଦହି କାରବାର କରେ ସିନା, କେବେ କିନ୍ତୁ ଖାଏ ନାହିଁ କି ନିଜ ପିଲାଙ୍କୁ ବି ଦିଏନାହିଁ । ପଇସା ରୋଜଗାର କରି ସେ କିପରି ବଡଲୋକ ହେବ, ଏଇଚିନ୍ତାରେ ସର୍ବଦା ସେ ଥାଏ । ଖରା, ବର୍ଷା, ଶୀତ କାକରକୁ ମୋଟେ ଖାତିର କରେନା ସେ, କେବଳ ନିଜ କାରାବାରରେ ଲାଗିଥାଏ, ଦୁଇଓଳି ଗରାଖଙ୍କୁ ଦୁଗ୍ଧ ଯୋଗାଏ । ବନ୍ଧୁବାନ୍ଧବଙ୍କ ଘରକୁ ବି ସେ ସପନି କେବେ କେମିତି ଯାଇଥାଏ ।

ଥରେ ସେ ସପନିର ଦେହ ବହୁତ ଖରାପ ହେଲା । ତେଣୁ ସେ ଗାଆଁର ଧଡି କବିରାଜଙ୍କ ପାଖକୁ ଯାଇ ତାଙ୍କୁ ମୁଣ୍ଡିଆମାରି ତା’ରୋଗ କଥା କହିଲା । କବିରାଜ ପାଣି ଦେଖି ସବୁ କହିଦେବେ । ଧଡି କବିରାଜ ସେ ଖଣ୍ଡମଣ୍ଡଳରେ ନିଜକୁ ଧନ୍ୱନ୍ତରୀ ବୋଲି ଗର୍ବ କରନ୍ତି । ପାଣି ଦେଖି ବାତପିତ-କଫ ସବୁ ରୋଗର ଠିକଣା ସେ ଜାଣିପାରନ୍ତି । ଔଷଧ ଦେଇ ରୋଗର ମୂଳି ମାରି ଦିଅନ୍ତି । ସେ କବିରାଜ ସପନିକୁ କହିଲେ, “ବଡିଭୋଅରୁ ଉଠି ପ୍ରଥମ ପାଣି ଧରି ମୋ ପାଖକୁ ଆସିବୁ । ମୁଁ ପାଣି ଦେଖିବା ପରେ ଔଷଧ ତିଆରି କରିଦେବି ଯେ ଏକାଥରକେ ସବୁରୋଗ କୁଆଡେ ପଳାଇଯିବେ ।”ସପନି ଫେରି ଆସିଲା, ରାତିଯାକ ତାକୁ ଆଉ ନିଦ ହେଲାନି । କିପରି ସକାଳ ହେବ ଏବଂ ସେ ପାଣିନେଇ କବିରାଜଙ୍କ ପାଖକୁ ଯିବ । ତେବେ ସେ ଚିନ୍ତାରେ ପଡିଗଲା । କି ପାଣିନେବ? କୂଅ, ପୋଖରୀ, ନା ନଦୀ ପାଣି ନେବ? ବୋତଲରେ, ଠେକିଏ, ଗିନାଏ କେତେ ନେବ? ଯେମିତି ସକାଳ ହୋଇଛି କେହି ଉଠିବା ଆଗରୁ ମହାନ୍ତିଘର ଗଡିଆରୁ ବୋତଲେ ପାଣିଧରି ସେ ସପନି ଯାଇ କବିରାଜଙ୍କ ପାଖରେ ହାଜର ହୋଇଗଲା ।

କବିରାଜ ପାଣିରେ ଟୋପାଏ ତେଲ ପକାଇ କିଛି ସମୟ ନିରେଖି ଚାହିଁଲେ । ତାପରେ ପୁରାଣ ପଢିଲା ଭଳି ଅନର୍ଗଳ କହିଗଲେ । ବାତ-ପିତ-କଫ, ତ୍ରିଦୋଷଯୁକ୍ତ । ପେଟ କୁଟୁ କୁଟୁ କରୁଥିବ, ନାହୀମୂଳ ଟାଣୁଥିବ, ଝାଡା ସଫା ହେଉନଥିବ । ଧଡର ଧଡର ଫଡର ଫଡର ଫାଡର ପେଁପାଁ ହୋଇ ବାୟୁ ଯାଉଥିବ, ଲାଳ ପଡୁଥିବ, ଅରୁଚି ଧରୁଥିବ, ଭୋକ ହେଉନଥିବ । ଯାହା ଖାଇଲେ ବି ତାହା ହଜମ୍ ହେଉନଥିବ । ପାଣି ଖୁବ୍ ଗୋଳିଆ ଦିଶୁଛି । ମେହ ଦୋଷ ଥିବ । ପରିସ୍ରା ଜଳୁଥିବ । ଘନ ଘନ ପରିସ୍ରା ଲାଗୁଥିବ । ଏମିତି କେତେ କ’ଣ ସେ କବିରାଜ କହିଗଲେ । ସପନି ସବୁ ଶୁଣି କାବା ହୋଇଗଲା । କହିଲା, “ଆଜ୍ଞା! ମୋର ତ କାହିଁ ଏସବୁ କିଛି ବି ହେଉନାହିଁ । ଚାରିପାଂଚଦିନ ହେଲା ଯାହା ମୁଣ୍ଡ ଟିକେ ବିନ୍ଧୁଛି । ସାମାନ୍ୟ ଜ୍ୱରଜ୍ୱର ଲାଗୁଛି । ପତଳା ପାଇଖାନା ହେଉଛି ।

ଏପରି କଥା ଶୁଣି ସେ ଧଡି କବିରାଜ ସପନିକୁ ଆଖି ତରାଟି ଚାହିଁଲେ । ଆଉ କହିଲେ “ମୁଁ କବିରାଜ ନା ତୁ କବିରାଜ? ମୋତେ କ’ଣ ତୁ ପାଠ ପଢଉଛୁ? ବୁଝିଲୁ ଯାହା କହିଲି ସବୁ ହେବ । ଆଜି ନହେଲେ କାଲି ହେବ । ଏସବୁ ତାର ପୂର୍ବ ଲକ୍ଷଣ । ଭଲଗତି ଅଛି ତ ମୋ ତିଆରି ବୃହତ ଅଟ୍ଟାଳିକାଚୂର୍ଣ୍ଣ ନେଇ ସକାଳେ ସଂନ୍ଧ୍ୟାରେ ବାସୀ ତୋରାଣି ସହିତ ଖା । ଭଲ ହେବୁ ।”ତହୁଁ ସେ ସପନି ବିଚରା କବିରାଜଙ୍କଠାରୁ ଔଷଧ ଆଣି ଖାଇଲା । କିନ୍ତୁ ଉପକାର କିଛି ବି ପାଇଲା ନାହିଁ । ବରଂ ତା ଦେହ ଆହୁରି ଖରାପ ହେଲା । କେତେବେଳେ ଝାଡା ତ କେତେବେଳେ ବନ୍ଦ୍ । ପେଟ ଫାମ୍ପି ଦେଉଛି । ଯାହା ଖାଇଲେ ବି ହଜମ ହେଉନି । ତେଣୁ ସପନିର ଭାରି ମନ ଖରାପ ।

ଦିନେ ସେ ଗାଆଁର ଗ୍ରାମସେବକବାବୁ ସପନିକୁ କହିଲେ, “ହେ ସପନି! ତୁ ସରକାରୀ ଡାକ୍ତରଖାନାକୁ ଯାଉନୁ । ଭାରି ଭଲ ଡାକ୍ତରବାବୁ ସେ । ତୋର ସବୁରୋଗ ସେ ନିଶ୍ଚୟ ଭଲ କରିଦେବେ । ଏମିତିକି ତୋ ହାତରୁ ପଇସାଟେବି ଖର୍ଚ୍ଚ ହେବନି । କାହିଁକିନା ସେ ଡାକ୍ତରବାବୁ ଫିସ୍ ନେବେନି । ତୁ ପରା ତାଙ୍କୁ ପ୍ରତିଦିନ ଦୁଧ ଦେଉଛୁ । ତେଣୁ ତୋ କଥା ସେ ନିଶ୍ଚୟ ବୁଝିବେ ।”ପରଦିନ ସପନି ଯାଇ ଡାକ୍ତରବାବୁଙ୍କୁ ଗୁହାରୀ ଜଣାଇଲା । ସମସ୍ତ ଗୁହାରୀ ଶୁଣି ସାରିବା ପରେ ସେ ଡାକ୍ତରବାବୁ କହିଲେ, “ତୁ କାଲି ସକାଳେ ତୋର ଝାଡା ଆଉ ପରସ୍ରା ନେଇ କରି ଆସ୍ । ମୁଁ ସେସବୁ ପରୀକ୍ଷା କଲାପରେ ଯାଇ ତୋତେ ଔଷଧ ଦେବି । ଏହାପରେ ସପନି ଘରକୁ ଫେରି ଆସି ପୁଣି ଚିନ୍ତାରେ ପଡିଗଲା ।

ଛିଛି କି ଅସନା କଥା ମ? ଝାଡା, ପରିସ୍ରା କିପରି ନେବ? କେତେ ବା ନେବ? ଝାଡା ପରିସ୍ରାରୁ ଡାକ୍ତର କ’ଣ ବା ପରୀକ୍ଷା କରିବେ? କବିରାଜ ତ ଗଡିଆ ପାଣି ଦେଖି କେତେ କଥା କହିଲା । ଅବଶ୍ୟ ସେଥିରେ କିଛି କିଛିଟା ସତଥିଲା । କିନ୍ତୁ…. । ଏହିପରି ବହୁତ ଭାବି ଚିନ୍ତି ସେ ସପନି ତା’ମନେ ମନେ ଠିକ୍ କଲା ଯେ, ଗୋଟିଏ ଛୋଟ କଳସୀରେ ପରିସ୍ରା ଓ ଆଟିକାରେ ଝାଡାନେବ । ସେଇ ଅନୁସାରେ ସପନି ସକାଳୁ ଉଠି କଳସୀରେ ପରିସ୍ରା କଲା, ଏବଂ ଆଟିକାରେ ଝାଡା ଫେରିଲା । ଦୁଇଟି ଯାକର ମୁହଁକୁ କଦଳୀପତ୍ର ଦେଇ ଭଲଭାବରେ ବାନ୍ଧି ଗାମୁଛାରେ ଓହଳାଇ ଡାକ୍ତରବାବୁଙ୍କ ବସାକୁ ଚାଲିଲା ।

ସେତେବେଳେତ ଡାକ୍ତରବାବୁ ନଥାନ୍ତି । ତେଣୁ ତାଙ୍କ ଚାକର ଅଇଁଠୁ କବାଟ ଖୋଲିଲା, ଆଉ କହିଲା “ବାବୁ ନାହାଁନ୍ତି, ପରେ ଆସ ।”ସପନି ପୁଣି କହିଲା, “ବାବୁ କହିଥିଲେ…… ।”ଏହି ସମୟରେ ଅଇଁଠୁ ଗାମୁଛାରେ ବନ୍ଧା ହୋଇଥିବା କଳସୀ, ଆଟିକାକୁ ଦେଖି ଟିକେ ଲୋଭେଇଗଲା । ସେ ଜାଣେ ସପନି ତ ଦୁଧ କାରବାର କରେ । ବାବୁ କହିଛନ୍ତି ଯେତେବେଳେ ନିଶ୍ଚୟ ଭଲଦହି ଓ ରାବିଡି ଏ ସପନି ଆଣିଥିବ । ଏଣୁ ସେ ଚାକର ଅଇଁଠୁ ସପନିକୁ କହିଲା “ବାବୁ କହିଥିଲେ ଯଦି, ଯାହା ଆଣିଚ ଦେଇଯାଅ । ବାବୁ ଆସିଲେ ମୁଁ ତାଙ୍କୁ କହିଦେବି । ତମେ ଦି’ପହର ଗଡେଇ ଆସିବ । କାହିଁକିନା ବାବୁ ଠିକ୍ ଦଶଟାବେଳକୁ ଆସି ଡାକ୍ତରଖାନାରେ ବସିବେ । ପାଖ ଗାଆଁକୁ ରୋଗୀ ଦେଖିବାକୁ ସକାଳ ଭୋଅରୁ ବାହାରି ଯାଇଛନ୍ତି । ଏହାପରେ ସେ ସପନି ଦୁଇଟିଯାକ ବାରଣ୍ଡାରେ ରଖିଦେଇ କହିଲା, “ବାବୁଙ୍କୁ କହିବ, ମୋ କଥା ଟିକେ ଭଲକି ବୁଝିବେ,”ଏତିକି କହି ସେ ସପନି ସେଠାରୁ ଚାଲି ଆସିଲା ।

ଏଣେ ଏ ଅଇଁଠୁ ଭାବିଲା ବାବୁ ଫେରିବା ଆଗରୁ ଦହିଗୁଡା ସେ ପେଟେ ଖାଇନେବ । ଏଣୁ କଳସୀ ଓ ମାଠିଆକୁ ରୋଷେଇ ଘର କୋଣରେ ଥୋଇ ସେ ସହଳ ଦାନ୍ତ ଘଷି ମୁହଁ ହାତ ଧୋଇ ଆସି ଦେଖିଲା ଆଟିକା ଚାରିପଟେ ମାଛି ଭଣଭଣ କରୁଛନ୍ତି । ଭାବିଲା ଦହି ବୋଧେ ଟିକିଏ ଖଟାଳିଆ ହୋଇଯାଇଛି । ଚିନି ଟିକିଏ ବେଶୀ ଲାଗିବ । ତାପରେ ଚୁଡା ଧୋଇ ଚିନିଡବା ଖୋଲି ଯେମିତି ଆଟିକା ମୁହଁରୁ କଦଳୀପତ୍ର ଖୋଲିଛି….ଇସ୍….କି ଦୁର୍ଗନ୍ଧ? ସେଇଥିରେ ହିଁ ନାକଫାଟି ପଡିଲା ତା’ର । ତା ସାଙ୍ଗକୁ ଭକ୍ଭକ୍ ବାନ୍ତି ବି ତା’ର ହୋଇଗଲା । ତାପରେ ସେ ଅଇଁଠୁ ସବୁ ସଫାକରି ସପନିର ଚଉଦ ପୁରୁଷକୁ ବହେ ଶୋଧିଲା । କହିଲା କ’ଣନା “ବାବୁ କହିଥିଲେ……… ।”

Odia Galpa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleସୁଖରାମ ଆଉ ଦୁଃଖରାମ
Next Article ଆକବର ବିରବଲ
suchitra

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.