• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଉପନ୍ୟାସ»ବାଘସିଂହ ବଂଶ :
ଉପନ୍ୟାସ

ବାଘସିଂହ ବଂଶ :

ଫକୀର ମୋହନ ସେନାପତିBy ଫକୀର ମୋହନ ସେନାପତିNovember 26, 2018No Comments3 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ପ୍ରସିଦ୍ଧ ଆଇନ ଆକବରୀ ଲେଖକ ଆବୁଲ୍ ଫାଜଲ ବୋଲନ୍ତି “ଓଡ଼ିଶାରେ ପ୍ରକୃତ ଭୂମ୍ୟଧିକାରୀ ଖଣ୍ତାଏତମାନେ ଥିଲେ ।” ପ୍ରକୃତରେ ଗଜପତି ଦରବାରରେ ଖଣ୍ତାମୁଠିଠାରୁ ଲେଖନ ମୁନପର୍ଯ୍ୟନ୍ତ ସମସ୍ତ ରାଜକାର୍ଯ୍ୟ ସେମାନଙ୍କ ହସ୍ତଗତ ଥିଲା । ବେତନ ନିମନ୍ତେ ଗନ୍ତାଘରୁ ନଗଦ ଟଙ୍କା ପାଉ ନଥିଲେ, ଓଡ଼ିଶାର ଅଧିକାଂଶ ଭୂମିଖଣ୍ତ ଜାୟଗିରିସ୍ୱରୂପେ ପୁରୁଷାନୁକ୍ରମେ ବାଣ୍ଟି ଖାଉ ଥିଲେ । ଖଣ୍ତାଏତମାନଙ୍କ ବାହୁବଳରେ ଓଡ଼ିଶା ବହୁ କାଳପର୍ଯ୍ୟନ୍ତ ସ୍ୱାଧୀନତା ରକ୍ଷା କରିବାକୁ ସକ୍ଷମ ହୋଇଥିଲା । ପଠାଣ ମାନେ ତିନି ବର୍ଷରୁ ଅଧିକ କାଳ ବଙ୍ଗଳାଦେଶରୁ ଡୁଙ୍ଗି ଡୁଙ୍ଗି ମଧ୍ୟ ସୁବର୍ଣ୍ଣରେଖା ପାର ହୋଇ ପାରି ନ ଥିଲେ । ପାଇକମାନେ ସର୍ବଦା ରାଜଦରବାରରେ ଉପସ୍ଥିତ ନ ଥାନ୍ତି । ଦଳପତିମାନେ ଆପଣା ଆପଣା ଅଧିନସ୍ଥ ପାଇକମାନଙ୍କୁ ଘେନି ଗୋଟିଏ ଗୋଟିଏ ଚକ୍ରରେ ବାସ କରୁଥିଲେ । ଦଳପତିମାନଙ୍କ ବୈଠକ ସ୍ଥାନର ନାମ ଚୌପାଢ଼ୀ । ସେ ସ୍ଥାନରେ ମାଲବିନ୍ଧାଣ, ଫରିଖେଳ, କାଣ୍ତବିନ୍ଧା ଏବଂ ଗୁଳିମାରିବା ଏହି ଚାରି ପ୍ରକାର ବିଦ୍ୟାଲୋଚନା ହେଉଥିବା ଯୋଗୁ ଚୌପାଢ଼ୀ ନାମରେ କଥିତ ହେଉଥିଲା । ଗଜପତିବଂଶର ପତନ ଉତ୍ତାରେ ଟୋଡରମଲ ବଡ଼ ବଡ଼ ଚୌପାଢ଼ୀକୁ କିଲ୍ଲା ନାମରେ ବନ୍ଦୋବସ୍ତ କରିଅଛନ୍ତି । ଓଡ଼ିଶାର ଅନେକ ସ୍ଥାନରେ ଆଜିପର୍ଯ୍ୟନ୍ତ ନାମମାତ୍ର କ୍ଷୁଦ୍ର କ୍ଷୁଦ୍ର ଚୌପାଢ଼ୀ ବିଦ୍ୟମାନ ଥିବାର ଦେଖାଯାଏ ଏବଂ ପ୍ରାଚୀନ ଦଳପତିମାନଙ୍କର ଅଯୋଗ୍ୟ ବଂଶଧରର ମଧ୍ୟ ଅଭାବ ନାହିଁ ।

ଆମ୍ଭମାନଙ୍କର ବାଘସିଂହ ବଂଶ ପୂର୍ବୋକ୍ତ ଦଳପତିମାନଙ୍କର ଜଣେ ବଂଶଧର ଅଟନ୍ତି । ଏମାନଙ୍କର ସଂଜ୍ଞା ମଲ୍ଲ, ଜ୍ୟେଷ୍ଠପୁତ୍ରର ଉପାଧି ବାଘସିଂହ । ଜ୍ୟେଷ୍ଠପୁତ୍ର ଜାୟଗିରିର ଉତ୍ତରାଧିକାରୀ । ଅନ୍ୟ ପୁତ୍ରମାନେ ଭାତିଆ ପାଆନ୍ତି । ‘ପଦା ଭୂଇଁରେ ଗବଦାରୁ’ । ବାଘସିଂହ ବଂଶ କ୍ଷୁଦ୍ର ଜାୟଗିରିଦାର ଥିଲେ ମଧ୍ୟ ମଫସଲରେ ନାମ ଡାକ ଥିଲା । ରତନପୁର ମୌଜାରେ ଚୌପାଢ଼ୀ, ସେଟା ନିସ୍କର ଖଣ୍ତାଏତୀ ମାହାଲ, ତାକୁ ଛାଡ଼ି ତାଲୁକେ ଫତେପୁର ସରଷଣ୍ଢ ଏବଂ କେତେକ ଖଣ୍ତ ବାଜେ ରିପୋର୍ଟ ଜମିଦାରୀ ଥିଲା । ନଟବର ଘନଶ୍ୟାମ ବାଘସିଂହ ଜମିଦାରୀସବୁ ଉଡ଼ାଇଦେଇ ଯାଇଛନ୍ତି । ଲୋକଟା ବଡ଼ ସାହାଖର୍ଚ୍ଚୀ ଥିଲେ । ଖର୍ଚ୍ଚବେଳେ ଆଗପଛ ବିଚାର ଥାଏ ନାହିଁ । ଆଜି ପାଞ୍ଚ ବୋଇଲେ ନାହିଁ, ସାତ ବୋଇଲେ ନାହିଁ, ହାତରେ ପଡିଲା ଦେ ଖରଚ । ମୁଁହ ହରାଇ ଜିନିଷଟାଏ ମାଗିଦେଲେ ନା ପଦ ଶୁଣିବ ନାହିଁ । ଭାଟ ଭିକାରୀପାଇଁ ଦ୍ୱାର ମେଲା । ଭାତ ହାଣ୍ତି ବସାଇ ଟୋକାଇ ଘେନି ତାଙ୍କ ଆଗରେ ଛିଡ଼ାହେବାକୁ ଲୋକମାନଙ୍କର ଭରସା ଖଟୁଥିଲା । ଖାଇବା ଖୁଆଇବାକୁ ଷଣ୍ଢଟାଏ । ଗାଁଲୋକେ କହନ୍ତି, ବାଘ ସିଂହ ଆଗରେ ଯାହାକୁ ଥରେ ସରୁଚକୁଳି, ନଡ଼ିଆପୁର ମଣ୍ତା, ପାଳୁଅ-କ୍ଷୀରୀ ଖୁଆଇଛନ୍ତି, ବଞ୍ଚିଥିବାଯାଏ ତାହା ମନରୁ ଯିବ ନାହିଁ । ନଟବର ଘନଶ୍ୟାମଙ୍କ ଦେହକରେ ଋଣ ଥିଲା, ତାଙ୍କ ପଛେ ପଛେ ଜମିଦାରୀ ସବୁ ଯାଇଅଛି, ଥିବା ମଧ୍ୟରେ ଖଣ୍ତାଏତୀ ମାହାଲ । ନଟବର ଘନଶ୍ୟାମ ବାଘସିଂହଙ୍କର ଚାରି ପୁଅ । ଜ୍ୟେଷ୍ଠ ଭୀମସେନ, ଅନ୍ୟ ତିନି ପୁଅ ପହ୍ଲାଦ ମଲ୍ଲ, କୁଚୁଳି ମଲ୍ଲ, ବଳରାମ ମଲ୍ଲ । ପୁଅମାନେ ବାପା ପରି ଉଡ଼ାବାଜ ନୁହନ୍ତି, ଚାରିଆଡ଼କୁ ନଜର ରଖି ଚାଲନ୍ତି । ପୂର୍ବ ସମ୍ପତ୍ତି ନାହିଁ, ଏକରକମେ ଦୁଃଖେରାମ, ସୁଖେ ରାମ ଚଳିଯାଏ । ପାଟ ଚିରିଲେ ପାଟ କନା, ପୁରୁଣା ଘର ବୋଲି ଲୋକେ ମାନନ୍ତି, ଭୟ ଭକ୍ତି କରନ୍ତି । ରତନପୁର ମୌଜାରେ ବାଘସିଂହ ଘର ଛାଡ଼ି ଗଉଡ଼, ଭଣ୍ତାରୀ, ରାଢ଼ୀ ଗୁଡ଼ିଆ, ପୁଅଭାୟା ଅଠର ଘର । ଏମାନେ ବାଘସିଂହ ପୂର୍ବବଂଶ ଦିଆକ ଜାୟଗିରି ପୁରୁଷାନୁକ୍ରମେ ଭୋଗ କରି ଆସୁଅଛନ୍ତି । ଦରକାରବେଳେ ବାଘସିଂହ ଘରେ ବେଠି କରନ୍ତି । ପୁରୋହିତ ଘର ମଧ୍ୟ ଏହି ଗ୍ରାମରେ । ଏମାନଙ୍କୁ ଛାଡ଼ି ଡମ ଆଠ ଘର, ପର୍ବପର୍ବାଣୀରେ ବାଜା ବଜାଇବା ସକାଶେ ଏମାନଙ୍କର ଜାୟଗିରି ଅଛି । ବାଘସିଂହ ଘରେ ପହରାଦେବା ଏମାନଙ୍କର ଆଉଗୋଟିଏ କାର୍ଯ୍ୟ । ଆଜକୁ ତିନି ବରଷ ହେଲା ନାନା କାରଣରୁ ମଙ୍ଗରାଜଙ୍କ ସହିତ ବାଘସିଂହ ବଂଶର ଭାରି କଳି ଲାଗିଅଛି । ମଙ୍ଗରାଜେ ଖୁବ୍ ବୁଦ୍ଧିମାନ, ମାଲି ମାମଲାରେ ଖୁବ୍ ଜାହାଁବାଜ; କିନ୍ତୁ ଠେଙ୍ଗନାମ ଶୁଣିଲେ ଘରୁ ବାହରନ୍ତି ନାହିଁ । ଏଣେ ବାଘସିଂହ ବଂଶ ବୋଲନ୍ତି, “ଠେଙ୍ଗା ସର୍ବାର୍ଥସାଧିକା”। ବିଶେଷରେ ଡମମାନଙ୍କ ଭୟରେ ମଙ୍ଗରାଜଙ୍କ ଲୋକେ ରତନପୁର ପାଖ ପଶିପାରନ୍ତି ନାହିଁ; କିନ୍ତୁ ଡମମାନେ ବାଡ଼ି ମଧ୍ୟରେ ଚୋରାମାଲ ପୋତି ରଖିଥିବା ଅପରାଧରେ ଜେଲ ଯାଇଅଛନ୍ତି । ଲୋକେ ବୋଲନ୍ତି, ଡମମାନେ କୌଣସି ପୁରୁଷରେ ଚୋରିବିଦ୍ୟା ଜାଣନ୍ତି ନାହିଁ, ମଙ୍ଗରାଜଙ୍କର ଏଥିରେ ଦୁଇଥଳୀ ଟଙ୍କା ଖରଚ । ମଙ୍ଗରାଜଙ୍କ ଉଦୁଆଁ ଗୋରୁ ରତନପୁର ମୌଜାରେ ଫନ୍ଦା ଉଜାଡ଼ କରିବାରୁ ସେଦିନ ବଳରାମ ମଲ୍ଲେ ଗୋବିନ୍ଦପୁର ମୌଜା ଦୋକାନପିଣ୍ତାରେ ବସି ମଙ୍ଗରାଜଙ୍କୁ ଦୁଇପଦ ଶୋଧିଦେଲେ । ମଙ୍ଗରାଜେ ପାଟି ଫିଟାଇ ପାରିଲେ ନାହିଁ । ଗୋବିନ୍ଦପୁରଠାରୁ ରତନପୁର ଦୁଇକୋଶ ଛଡ଼ା; ମାତ୍ର ଦୁଇ ମୌଜାର ବିଲ ଲଗା ଲଗି । ମଙ୍ଗରାଜଙ୍କ ଗୋରୁ ରତନପୁର ମୌଜା ଉଜାଡ଼ କରୁଥିବାର ସର୍ବଦା ଶୁଣାଯାଏ ।

Share. Facebook Twitter Pinterest LinkedIn Tumblr Reddit Email
Previous Articleମନ୍ତ୍ରଣା :
Next Article ଟାଙ୍ଗୀ ମାଉସୀ :
ଫକୀର ମୋହନ ସେନାପତି

Related Posts

ଡାକମୁନ୍ସି

February 10, 2022

ଉପସଂହାର

November 26, 2018

ଅପୂର୍ବ ମିଳନ :

November 26, 2018

ବାବାଜୀ ଲଳିତା ଦାସ :

November 26, 2018

ମଙ୍ଗରାଜ ଘରର ହାଲଚାଲ :

November 26, 2018

ଖୁଣି ତଦାରଖି :

November 26, 2018
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.