• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଉପନ୍ୟାସ»ପେଟେଣ୍ଟ ମେଡିସିନ୍
ଉପନ୍ୟାସ

ପେଟେଣ୍ଟ ମେଡିସିନ୍

ଫକୀର ମୋହନ ସେନାପତିBy ଫକୀର ମୋହନ ସେନାପତିSeptember 5, 2018No Comments16 Mins Read
Facebook Twitter Pinterest Reddit LinkedIn Tumblr Email
Odia Novel Patent Medicine By Fakir Mohan Senapati
Share
Facebook Twitter Pinterest Reddit Email

ସାଆନ୍ତାଣୀଙ୍କର ଟାଣୁଆ ହୁକୁମ ଜାରି, ରାତି ତ ରାତି, ଦିନବେଳେ ବି ବାବୁ ଘରୁ ଗୋଡ଼ କାଢ଼ି କାହିଁ ଯାଇପାରିବେ ନାହିଁ । “କ୍ୟା ଯିବ ? କଣ ଲୋଡ଼ା ? ଯାହା କରିବାକୁ ହେବ ଘରେ ବସି କର । ଲେଖ ପଢ, ଖବରଦାର ବାହାରକୁ ବାହାରିବ ନାହିଁ ।” ବାବୁଙ୍କ ନିହାତି କୁହାବୋଲା ଆକୁଳ ବିକଳରେ ହୁକୁମ ହୋଇଛି – ସକାଳେ ପା ଘଣ୍ଟା ଲାଗି ଦାଣ୍ଡ ଦୁଆର ପାଖ ସଡକରେ ବୁଲିପାରିବେ । ତା ବି ବହୁତ ଦୂରକୁ ଯାଇ ପାରିବେ ନାହିଁ, କବାଟ ଫାଙ୍କବାଟେ ଅନାଇଲେ ଯେମନ୍ତ ଦିଶୁଥିବ ।

ସକାଳ ସାତଟା ଅନ୍ଦାଜ ବେଳ ହେବ, ବାବୁ ଚନ୍ଦ୍ରମଣି ପଟ୍ଟନାୟକେ ଦାଣ୍ଡଦୁଆର ଆଗ ସଡକରେ ବୁଲୁଛନ୍ତି । ହଠାତ ଅନାଇ ଦେଇ ଦେଖିଲେ,ଚାରି ପଞ୍ଚାଶ କଦମ ଦୂରରେ ଗୋଟାଏ ଲୋକ ଛିଡ଼ା ହୋଇ ତାଙ୍କୁ ଏକ ଧ୍ୟାନରେ ଅନାଇଛି । ବାବୁଙ୍କ ନଜର ତା ଉପରେ ଯେମିତି ପଡ଼ିଛି ସେ ହାତ ଠାରି ଡାକିଲା । ବାବୁ ଭଲକରି ଅନାଇ ଦେଖିଲେ, ‘ଓହୋ ! ଏ ତ ସେହି ଭଦରଖିଆ ଟୋକା ରେ !’ ମନ ମଧ୍ୟରେ ଭାରି ଖୁସିଟାଏ ହେଲେ, ପାଖକୁ ଆସିବା ଲାଗି ହାତ ଠାରିଦେଲେ, ଆପେ ବି ଆପଣା ଦୁଆରକୁ ଅନାଇ ଅନାଇ ଅଳ୍ପ ଅଳ୍ପ ଆଗେଇ ଯାଉଥାନ୍ତି ଯେମିତି ସେ ଟୋକାର ପାଖ ପାଖ ହେଲେ,ଦୁଆର ଆଡ଼କୁ ମୁହଁ କରି ପଛକୁ ଡେବିରି ହାତଟା ବଢ଼େଇ ଦେଲେ । ଟୋକାଟା ବାବୁଙ୍କ ହାତରେ ଚିଠି ଖଣ୍ଡେ ଯାକିଦେଇ ଝଟ ଲେଉଟି ପଡି ଚାଲିଗଲା । ବାବୁ ଚିଠିଖଣ୍ଡ ମୁଠେଇ ଧରିଥାନ୍ତି, ତେତେବେଳେ ପଢ଼ିଲେ ନାହିଁ,ଦୁଆର ପାଖିଆ ଆସି ଭାଲକାରୀ କବାଟ ଫାଙ୍କକୁ ଅନାଇଲେ । ଚିଠି ଖଣ୍ଡ ପଢ଼ି ଟିକି ଟିକି କରି ଛିଣ୍ଡେଇ ପକେଇ ପବନରେ ଉଡାଇ ଦେଲେ ।

ଘର ଭିତରକୁ ଆସି ଖୁବ ସ୍ନେହରେ ଖୁବ କଅଁଳରେ ଡାକିଲେ, ” ଆଗୋ ! ଆଗୋ ! ଶୁଣୁଛନା, ଟିକିଏ ଶୁଣିଗଲ !” ଘର ଭିତରୁ ଗୋଟାଏ ଭାରି ଗଢ଼ା ଗଳା ଶୁଭିଲା, ‘ଓହୋ ! ଆଜି ଯେ ଭାରି ପ୍ରେମ ଡାକ ! କଥା କଣ ? ମୋର ତ ଭାରୀ କପାଳ ଦେଖୁଛି ! କଣ କହୁଛ କହ ।”

ବାବୁ କହିଲେ – ଶୁଣିଛ, ଆଜିକି ଚାରି ଦିନ ହେଲା ରୋଜ ରୋଜ ରାତିରେ ମୋ ମୁଣ୍ଡ ବୁଲାଏ – ପେଟ ବି ଟାଣେ । ଦେହ ବଡ଼ ଝିମ୍‌ ଝିମ୍‌ କରେ, ବଡ଼ କଷ୍ଟ ହୁଏ – ଭାରି କଷ୍ଟ ।

ସାଆନ୍ତାଣୀ କହିଲେ ହେଇ ହେଲା, ଆହୁରି ଗୋଟାଏ କଣ ପ୍ରେମ ବାହାରିଲାଣି । ସେଇ ଯେ ଗଞ୍ଜେଇ-ମଦ-ମଦତ-ନିଆଁ ପାଉଁଶ ନିଶାଗୁଡାକ ଖାଇଥିଲ, ତାହାରି ଫିସାଦ । ନିଶା ଗୁଡ଼ାକର କଣ ଊଣା ଗୁଣ ? ପୃଥ୍ଵୀଯାକ ବେମାରି ଦେହରେ । ଏଣେ ତିନି ତିନି ଜାଗା ଚାକିରୀ ହେଲା, ଗଲା । ଲୋକେ କେତେ ଛି ଛାକର କରୁଛନ୍ତି, କେତେ ଟଙ୍କା ବରବାଦ କରିଦେଲ ! ଗଲା ଯାଉ ଚାକିରୀ,ଯାଉ ଟଙ୍କା, ଯାହା ହେବାର ତ ହୋଇ ଗଲା, ଏଣିକି ଦିହଟା ଭଲା ସୁଧରି ଯାଉ । ଚାରି ମାସ କାଳ ଜଗି ଜଗି ଟିକିଏ ଭଲ କରିଥିଲି, ନିଶାଗୁଡାକ ଛାଡ଼ିବାରୁ ଟିକିଏ ଭଲ ଥିଲ – ପୁଣି ତାହାରି କଣ ପୁରୁଣା ଫିସାଦଟାଏ ବାହାରିଲାଣି ?

ଚନ୍ଦ୍ରମଣି ବାବୁ କହିଲେ – ନାହିଁ ଗୋ ନାହିଁ – ସେ କଥା ନୁହେଁ ଯେ,ଆଜି ସକାଳେ ମାଧବାଚାର୍ଯ୍ୟ ଖଡ଼ିରତ୍ନଙ୍କ ସଙ୍ଗରେ ଭେଟ ହୋଇଥିଲା । ସେ ମୋଁ କୋଷ୍ଠୀ ଗଣି କହିଲେ,’ମୋର କଙ୍କଡା ରାଶିକୁ ବିଛା ରାଶି ଶନିସପ୍ତା ହୋଇଛି । ଏଇଟା ତାହାରି ଫିସାଦ, କିଛି ପୁଣ୍ୟ କାର୍ଯ୍ୟ କରିଦେଲେ ଦୋଷ କଟିଯିବ ।

ସାନ୍ତାଣୀ- କଣ ପୁଣ୍ୟ କାର୍ଯ୍ୟ କରିବାକୁ ଖଡ଼ିରତ୍ନେ କହିଗଲେ ।

ଚନ୍ଦ୍ରମଣି ବାବୁ-ମୁଁ ତିନିଦିନ ଲାଗି ଯାଇ ଭୁବନେଶ୍ଵର, ଖଣ୍ଡଗିରି, ଉଦୟଗିରିରେ ଯେତେ ମହାଦେବ ଅଛନ୍ତି,ସମସ୍ତଙ୍କୁ ଦର୍ଶନ କରିବି, କିଛି ଟଙ୍କା ଘେନି ଯାଇଥିବି, ବ୍ରାହ୍ମଣମାନଙ୍କୁ ଦେଲେ ସେମାନେ ଶହେ ମାଠିଆ – ନା ନା, ହଜାରେ କୁମ୍ଭ – ନାହିଁ ନାହିଁ ଶହଶ୍ର କୁମ୍ଭ ପୂଜା କରିବେ; ସବୁ ଦୋଷ, ସବୁ ଗ୍ରହ ଅବଳ ଏକା-ବେଳକେ କଟିଯିବ । ଦେହ ଖୁବ ଆଚ୍ଛା ହୋଇଯିବ, ଆଉ ନିଶାଫିସା ଖାଇବାକୁ ମନ ବଳିବ ନାହିଁ ।

ସାନ୍ତାଣୀଙ୍କ ମନକୁ ଟିକିଏ କିମିତିକା ଧୋକା ଛୁଇଁଲା । କହିଲେ, “ଖଡିରତ୍ନେ ଆସିଥିଲେ,କାହିଁ ମୁଁ ଶୁଣିନାହିଁ ?”

ବାବୁ କହିଲେ – ନାହିଁ,ନାହିଁ ସେ ଆସି ନାହାନ୍ତି, ତାଙ୍କ ପୁଅ ଆସିଥିଲା ।

ସାନ୍ତାଣୀ – ତାଙ୍କର ପୁଣି ପୁଅଟାଏ କାହୁଁ ଅଇଲା ?

ବାବୁ – ଓ ନାହିଁ ନାହିଁ ତାଙ୍କର ଚାକର ହାତରେ କହି ପଠାଇଥିଲେ ।

ସାନ୍ତାଣୀ ବାବୁଙ୍କ ମୁହଁକୁ ଭାଲକାରୀ ଅନାଇଲେ, ମନରେ କଲେ ଏ ସବୁ ମିଛ କଥା, ତିନିଦିନ ଲାଗିଯାଇ କେଉଁଠି ମତୁଆଲାମାନଙ୍କ ସଙ୍ଗରେ ପଡି ମଦ ଖାଇବେ, ନୋହିଲେ ତେଲେଙ୍ଗା ବଜାର କାହା ଓଳିରେ ପଡିବେ । କେତେ ମୁଷ୍କିଲ୍‌ରେ ଟିକିଏ ଭଲ ବାଟକୁ ଆଣିଛି,ନଜରରୁ ଉହାଡ଼ ହେଲେ କଣ ବୋଲି କଣ କରିପକାଇବେ । ଖୁବ ଗୋଟାଏ ପାଟି କରି କହିଲେ,”ନାହିଁ ନାହିଁ,ତୁମେ ଭୁବନେଶ୍ଵର ଫୁବନେଶ୍ଵର କାହିଁ ଯାଇ ପାରିବ ନାହିଁ, ଘରେ ବସିଥାଅ ।”

ବାବୁ କହିଲେ- ହଁ,ସତ -ସତ, ଠିକ କହିଲ,କୁଆଡ଼େ ତିନିଦିନ ଯାଏ ଯିବି ? ଆଚ୍ଛା, ମୁଁ ଉଛୁଣୀ ଯାଉଛି, ଧବଳେଶ୍ଵର ମହାଦେବଙ୍କ ଦର୍ଶନ କରି ସଙ୍ଗେ ସଙ୍ଗେ ଲେଉଟି ଆସିବି ।

ସାନ୍ତାଣୀ – ନା-ନା, ତାହା ବି ହେବ ନାହିଁ ।

ବାବୁ-ଆଚ୍ଛା ନ ହେଲା ନାହିଁ,ଗୋଟାକେତେ ଟଙ୍କା ଦେଲେ, କଟକ ସହରଭିତରେ ଯେତେ ମହାଦେବ ଅଛନ୍ତି,ପୂଜା କରି ବାହାରି ଆସେଁ ।

ସାନ୍ତାଣୀ – ଆଚ୍ଛା ମକରାକୁ କୁହ, ଗୋଟାଏ ବଗି ଡାକି ଆଣୁ, ଦୁହେଁ ଯାଇ ଠାକୁର ଦର୍ଶନ କରିବା, ପୂଜା ଦେବା ।

ବାବୁ ନିଶ୍ଵାସଟାଏ ପକାଇ ଚାଲିଗଲେ । ଗୋଟାଏ ଜାଗାରେ ବସି ଟିକିଏ ଚିନ୍ତା କଲେ । ଆରେ ! ଭଲ ଫିକରଟାଏ ମନରେ ପଡିଗଲା ! ବାହ୍‌ ! ବା ! ଆଚ୍ଛା କଥା! ” ଆଗୋ ଶୁଣୁଛ ? ମୋ ଦେହତା ବି ଭଲ ନାହିଁ; ଖଡିରତ୍ନେ ଏ କଥା ବି କହିଛନ୍ତି, କୁଆଡ଼େ ନ ଯାଇ ମହାଦେବଙ୍କୁ ଧାରଣା କଲେ ସବୁ ରୋଗ ଛାଡିଯିବ ।”

ସାନ୍ତାଣୀ – ସେ ଧାରଣା କି ରକମ ?

ବାବୁ- ରକମ କଣ କି, ଜ୍ୟୋତିଷେ କହିଛନ୍ତି,ପୂରା ପାଞ୍ଚ ପହର କାଳ – ଧର – ପାଞ୍ଚ ପହର ହେଲେ ଏତେବେଳୁ ରାତି ନ’ଟାଯାଏ, ଖଣ୍ଡେ ବାଦ କମ୍ବଳ ଘୋଡି ହୋଇ ମୁହାଁ ମାଡି ଲମ୍ବ ହୋଇ ଶୋଇ ପଡିବି । ଆଉ କିଛି କଥା ମନରେ ନ କରି ପୃଥିବୀରେ ଯେତେ ଠାକୁର ଦେବତା ଅଛନ୍ତି.ସମସ୍ତଙ୍କୁ ଧ୍ୟାନ କରୁଥିବି ।

ସାନ୍ତାଣୀ କହିଲେ – ତାହାହେଲେ ସବୁ ଗ୍ରହ ଅବଳ କଟିଯିବ ତ ?

ବାବୁ ମନ ମଧ୍ୟରେ ଖୁସିଟାଏ ହୋଇ କହିଲେ “ହଁ, ହଁ, ଖଡ଼ୀରତ୍ନେ କହିଛନ୍ତି, ବିଲ୍‌କୁଲ୍‌ ଗ୍ରହ ଅବଳ କଟିଯିବ । ସେ ଆହୁରି ବି ଗୋଟିଏ କଥା ବାରମ୍ବାର କରି କହି ଦେଇଛନ୍ତି । ଦଶଟି ଟଙ୍କା ଠାକୁରଙ୍କ ନାମରେ ମନାସି ମୁଣ୍ଡତଳେ ଦେଇଥିବି,ମାସକ ବାଦ ଦେହ ଭଲ ହୋଇଗଲେ ସେଇ ଟଙ୍କାରେ ଠାକୁର ପୂଜା ଆଉ ବ୍ରାହ୍ମଣ ବୈଷ୍ଣବଙ୍କୁ ଭୋଜନ ଦିଆଯିବ ।”

ସାନ୍ତାଣୀ – ଆଜି କଣ କିଛି ଖାଇବ ନାହିଁ ?

ବାବୁ – ରାମ ! ରାମ ! ଠାକୁର ଦେବତା ଧ୍ୟାନବେଳେ କିଛି କଣ ଖାନ୍ତି ? ଦିନଯାକ ଓପାସ-ଟୋପାଏ ପାଣି ବି ନା ।

ସାନ୍ତାଣୀ ନିଶ୍ଵାସଟାଏ ପକାଇ କହିଲେ – ଆଚ୍ଛା,ତେବେ ଧାରଣା ଦିଅ ।

ବାବୁ କହିଲେ -ଆଉ ଗୋଟାଏ କଥା, ଧାରଣା ଘର ମଧ୍ୟରେ ହେବ ନାହିଁ । ପବିତ୍ର ଥାନ ଲୋଡା । ଘରେ ଆଇଁଷ ରନ୍ଧାଯାଏ – ଧୂଆଁ ବୁଲି ଅପବିତ୍ର ହୋଇ ଯାଇଛି । ଆଉ ଦେବତା ତ ନୁହନ୍ତି ; ହର ପାର୍ବତୀ କଥା । ଦାଣ୍ଡ ବଙ୍ଗଳା ପାଖରେ ଯେଉଁ ସାନ ଗମ୍ଭୀରି ଘର ସେହି ଘରଟି ପବିତ୍ର । ସେ ଘରେ ନିରୋଳା ହେବ । ଖୂବ ସାବଧାନ ! ସେ ଘରେ ତିର୍ଲା ଲୋକ ଛାଇ ପଡ଼ିଲେ – ପାଟି ଶୁଭିଲେ ଧ୍ୟାନ ଫଳ ମିଳିବ ନାହିଁ,ସବୁ ଅକାରଣ ହୋଇଯିବ । ସାବଧାନ ! ସେ ପ୍ରସ୍ତରେ କେହି ତିର୍ଲାଲୋକ ଛାଇ ପଡ଼ିବ ନାହିଁ – ପାଟି ବି ଶୁଭିବ ନାହିଁ ।

ସାନ୍ତାଣୀ ବାବୁଙ୍କ କଷ୍ଟ କଥା ମନରେ ପକାଇ ଭାରି ମନୋଦୁଃଖ କରି ଘର ଭିତରକୁ ଚାଲିଗଲେ । ତେତିକିବେଳେ ରୋଷେୟା ବ୍ରାହ୍ମଣ ଆସି ପଚାରିଲା. “ଆଜ୍ଞା ! ଆଜି କଣ ରୋଷେଇ ହେବ ?”

ସାନ୍ତାଣୀ – ଆଜି ବାବୁଙ୍କର ଓପାସ, ମୁଁ ଆଉ କଣ ଖାଇବି ? ରୋଷେଇ ସବୁ ବନ୍ଦ ।

ରୋଷେୟା ବ୍ରାହ୍ମଣ ଟିକିଏ ମୁରୁକିହସା ଦେଇ ଚାଲିଗଲା । ମନରେ ବିଚାରିଲା ଆମ ସାନ୍ତାଣୀ ଗୋଟିଏ ଅଦ୍ଭୁତ ସ୍ତ୍ରୀ, ସ୍ୱାମୀ ଭକ୍ତିର ସୀମା ନାହିଁ,ବାବୁ ଟିକିଏ ବାଧକି ପଡ଼ିଲେ, ଆପେ ନ ଖାଇ ନ ପିଇ ଦିନ ଯାକ ପାଖରେ ବସି ସେବା କରୁଥିବେ, ଆଉ ରାଗିଲେ ତ ବାଡ଼ି ପଡୁ, ଛାଞ୍ଚୁଣି ପଡୁ,ଯାହା ହାତରେ ପଡୁ ବାଡ଼େଇବାକୁ ଧାଇଁବେ – ଯାବତ ଖରାପ କଥାର ଗାଳି ଦେବେ । ହେଲେ ସାନ୍ତାଣୀଟି ବଡ ଭଲ, ବଡ଼ ଲୋକ ଝିଅ,ବଡ଼ ଲୋକ ବୋହୂ, ମନ ବି ସେଇ ପରି ବଡ଼, ମାତ୍ର ଟିକିଏ ରାଗୀ, ମୁହଁଟା ବଡ କଡ଼ା ।

ବାବୁ ମକରା ଚାକର ଟୋକାକୁ ଦାଣ୍ଡପଟକୁ ଡାକି ଖୁବ ତୁନି ତୁନି ଖୁବ ସାକୁଲେଇ ସାକୁଲେଇ କହିଲେ, ‘ଶୁଣ ମକରୁ, ଗୋଟାଏ କାମ ମୋ ପାଇଁ କରିବୁ । ଏହି କମଳ ଖଣ୍ଡ ଘୋଡ଼ି ହୋଇ ଗମ୍ଭୀରି ଭିତରେ କବାଟକୁ ଆଉଜି ଶୋଇଥା । ରାତି ଘଡ଼ିକି ସରିକି ମୁଁ ଲେଉଟି ଆସିବି, ତେତେବେଳ ଯାଏ ଶୋଇଥିବୁ । ଖବରଦାର ! ଘରୁ ବାହାରିବୁ ନାହିଁ ।’

ଆଜ୍ଞ ନା, ଆଜ୍ଞ ନା,ମୁଁ ପାରିବି ନାହିଁ,ସାନ୍ତାଣୀ ଗାଳି ଦେବେ, ଖପା ହେବେ ।

ବାବୁ ଖପା ହୋଇ କହିଲେ, “ପାଜି,ଦୁଷ୍ଟ, ଭୂତ । ମୋ କଥା ଶୁଣିବୁ ନାହିଁ ? ଜାଣୁ ବାଡ଼େଇ ପକାଇବି ।” ଟିକିଏ ବାଦ କହିଲେ,”ନାହିଁରେ ମକରୁ ନାହିଁରେ,ମୁଁ ତୁଚ୍ଛା ଟାପରା କରୁଥିଲି ! ଦେଖ ମକରୁ, ତୁ କେନ୍ଦ୍ରାପଡ଼ା ମାମୁଁ ଘରକୁ ଯିବୁ କହୁଥିଲୁ, କାଲି ଯିବୁ । ଚାରିଦିନ ଛୁଟି ଦେଲି, ଏହି ନେ ଚାରିଟା ଟଙ୍କା ଖରଚ କରିବୁ, ଆଉ କାଲି ତୋତେ ଗୋଟିଏ ଅଙ୍ଗ କିଣିଦେଵି ।

ମକରୁ ଆଉ କିଛି କଥା ନ କହି କମ୍ବଳ ଘୋଡ଼ି ହୋଇ ଗମ୍ଭୀରି ଭିତରେ ଧାରଣା ଦେଇ ଶୋଇ ପଡ଼ିଲା ।

ଏଣେ ସାନ୍ତାଣୀଙ୍କ ମନରେ ଶୁଖ ନାହିଁ । ଗାଧୋଇ ଆସି ଆପଣା ଶୋଇବା ଘରେ ଖଣ୍ଡେ ଆସନ ପାରି ବସିଲେ, ଯେତେ ଠାକୁର ଦେବତାଙ୍କ ନାମ ମନରେ ପଡିଲା, ବାବୁଙ୍କ ଗ୍ରହ ଅବଳ ଶାନ୍ତିପାଇଁ ପ୍ରାର୍ଥନା କଲେ । ଧବଳେଶ୍ଵରଙ୍କୁ ସହସ୍ର ପଞ୍ଚାମୃତ ମାନିଲେ । “ହେ ମା କଟକଚଣ୍ଡୀ ! କାଳିଗଳିରେ କାଳୀ ଠାକୁରାଣୀ ! ବାବୁଙ୍କ ଦେହ ଭଲ ହୋଇଯାଉ, ମୁଁ ଦୁହିଁଙ୍କୁ ଦୁଇଖଣ୍ଡ କଳା କସ୍ତା ଶାଢ଼ୀ,ଯୋଡ଼ାଏ କଳା ବୋଦା ବଳୀ ଦେବି ।” ଏହିପରି ଠାକୁର ଦେବତା ଡାକୁ ଡାକୁ ଦିନ ତିନି ପହର ବିତି ଗଲାଣି । ମନରେ କଲେ, ବାବୁ ଧ୍ୟାନରୁ ଉଠି କଣ ଖାଇବେ ? ଅନ୍ନ ତ ଛୁଇଁବେ ନାହିଁ, ଫଳାହାର କରିବେ । ପାଚଲାକଦଳୀ, ନଡ଼ିଆ, ଛେନା, ଦୁଧ, ଦହି ସବୁ ସଜିଲ କରି ଘରେ ଥୋଇ ଦେଲେ । ଥରକୁ ଥର ବାହାର ଛାଇକୁ ଅନାଉଛନ୍ତି, ଆଉ ଦିନ ଦୁଇ ଘଡି ଅଛି – ମଝି ବାହାର ଖରା ଚାଳି ଉପରକୁ ଉଠି ଗଲାଣି । ହାତରେ ଆଉ କିଛି ପାଇଟି ନାହିଁ, ଘର ବାହାର ନହର ପହର ହେଉଛନ୍ତି । ସନ୍ଧ୍ୟା ହୋଇ ଆସିଲା,ଧୀରେ ଧୀରେ ଗମ୍ଭୀରି ଦୁଆର ପାଖକୁ ଗଲେ । ବାବୁ କହିଛନ୍ତି ତିର୍ଲାଲୋକ ଛାଇ ପଡିବ ନାହିଁ । ତଳେ ଚାରି ପାଖକୁ ଅନାଇଲେ, ନାହିଁ ତ, ଛାଇ ପଡି ନାହିଁ ! କାଳେ ପାଟିରୁ କଥା ବାହାରି ପଡ଼ିବ, ଆପଣା ପଣତ କାନି ପାଟିରେ ଯାକିଦେଲେ, ଅଳ୍ପ ଟିକିଏ କବାଟ ମେଲେଇ ଦେଲେ, ଘର ଭିତରଟା ଭଲ ଦିଶୁ ନାହିଁ, ଅନ୍ଧାରିଆ, ବାବୁ ସ୍ଥିରହୋଇ ଧ୍ୟାନରେ ପଡିଛନ୍ତି । “ହାୟ ! ହାୟ ! ବାବୁଙ୍କୁ କେତେ ବାଧୁଥିବ ? ହେ ଠାକୁର ଦେବତା ମାନେ ! ମୋ ବାବୁଙ୍କୁ ଭଲ କରିଦିଅ । ଦେବତାମାନେ ସତ ଅଛନ୍ତି, ଦୁଃଖୀର ଗୁହାରି ଶୁଣନ୍ତି, ମୁଁ କେତେ ପ୍ରାର୍ଥନା କଲି, ବାବୁଙ୍କ ନିଶାଖିଆ ଛଡାଇ ଦିଅ । ମା କାଳି ଠାକୁରାଣୀ ! ବାବୁଙ୍କ ଦେହ ଭଲ କରିଦିଅ । ଗୋଟାଏ କାଳିଆ ବୋଦା,ଆଉ ଗୋଟାଏ କାଳିଆ କୁକୁଡ଼ା ବଳି ଦେବି ।” ଭୂଇଁରେ ମୁଣ୍ଡ ଲଗାଇ ଠାକୁର ଦେବତାଙ୍କୁ ଢେର ଥର ଜୁହାର କଲେ ।

ତହିଁବାଦେ ଅଳ୍ପ ଦୁଆର ମେଲାକରି ଭିତରକୁ ଯିମିତି ଗୋଡ଼ ବଢ଼େଇ ଦେଇଛନ୍ତି, ଅନ୍ଧାରିଆ – କମ୍ବଳ ଭଲ ଦିଶୁନାହିଁ । ଏକା ବେଳକେ ବାବୁଙ୍କ ମୁଣ୍ଡରେ ଗୋଡ ପଡ଼ିଗଲା । ଜିଭ କାମୁଡ଼ି ପଛକୁ ନେଉଟି ପଡ଼ିଲେ, କାନ୍ଦି ପକାଇଲେ, ‘ହାୟ ! ମୁଁ କେଡ଼େ ଅପରାଧ କଲି ।’ ହାତ ଯୋଡି ବାବୁଙ୍କ ଉଦ୍ଦେଶ୍ୟରେ, ଠାକୁର ଦେବତାଙ୍କ ଉଦ୍ଦେଶ୍ୟରେ ଢ଼େର ଥର କ୍ଷମା ମାଗିଲେ । ତହିଁ ଉତ୍ତାରେ ଧୀରେ ଧୀରେ ଭଲକରି ଅନାଇ ଭିତରକୁ ଗଲେ । ବାବୁଙ୍କ ଦୁଇ ଗୋଡ଼ ତିନି ତିନିଥର ମୁଣ୍ଡରେ ଲଗାଇ ଜୁହାର କଲେ । ଜୁହାର କଲାବେଳେ କମ୍ବଳ ଗୋଟାଯାକ ଥରି ଯାଉଥାଏ । ଜୁହାର ବେଳେ ବାବୁଙ୍କ ଗୋଡ଼ରୁ, ହାତରୁ ଝାଳ ଲାହିଲା । ‘ହାୟ ! ହାୟ ! ବାବୁ ଝାଳରେ ବୁଡ଼ି ଗଲେଣି ।’ ପଣତକାନିରେ ଗୋଡ଼ ପିଠି ଭଲକରି ପୋଛି ଦେଲେ । ମୁହଁ ପୋଛିବାକୁ ଯାଇ ଦେଖିଲେ, ମୁଛ ହାତକୁ ଲାଗିଲା ନାହିଁ । ‘ଏଁ -ଏ କଅଣ ? ବାବୁଙ୍କ ମୁଛ କାହିଁ ?’ ଦୁଇଥର ଅଣ୍ଡାଳିଲେ, ତିନି ଥର ଅଣ୍ଡାଳିଲେ, ‘ନାହିଁ ତ-ମୁଛ କାହିଁ ?’ ଭାରି ସନ୍ଦେହ ହେଲା, କବାଟଟା ଭଲକରି ମେଲାଇଦେଇ ଅନାଇଲେ, କମ୍ବଳଟା ଟାଣି ପକାଇଲେ । ଭାରି ରାଗିଯାଇ ପଛକୁ ଡେଇଁପଡ଼ି ପାଟିଟାଏ କରି କହିଲେ, “ଡାଙ୍କୁଣୀଖିଆ – ଅଳପଇସିଏ – ନଈଶୁଆ, କିରେ ମକରା, ତୁ ଏଠି କ୍ୟାଁ ପଡ଼ିଛୁ ରେ ?” ମକରା ଆଉ କଣ କହିବ ? ଚୋରଟି ପରି ହାତଯୋଡ଼ି କାନ୍ଥକୁ ଆଉଜି ତୁନି ହୋଇ ଛିଡା ହୋଇଛି । ସାନ୍ତାଣୀ ଘଡ଼ିଏ ଯାଏ ଗର୍ଜନ କରି ଥକି ପଡ଼ିଲେଣି । ତାହାବାଦେ ମନରେ ବିଚାର କଲେ – “ନାହିଁ ନାହିଁ, ଗୋଳ ମାଳ କଲେ ଭଲ ହେବ ନାହିଁ । ଅସଲ କଥାଟା କଣ ବୁଝିବାକୁ ହେବ ।’ ମକରାକୁ ସଲାରେ ରଖିବାକୁ ହେବ । ଧୀରେ ଧୀରେ କଅଁଳେଇ କଅଁଳେଇ କହିଲେ,”ଆରେ ମକରୁ ! ତୁ ମାମୁ ଘରକୁ ଯିବୁ କହୁଥିଲୁ ପରା ? ଯା କାଲି ଯିବୁ । ଏଇ ନେ ଚାରିଟା ଟଙ୍କା, ବାଟ ଖରଚ କରିବୁ, ଖଜା କିଣି ଖାଇବୁ । କାଲି ତୋତେ ଗୋଟାଏ ମାଣିଆବନ୍ଦି ଜଥା ଦେବି, ପିନ୍ଧିବୁ । ଉଛୁଣି କିଛି ପାଟି କରନା – ଯା, ରୋଷେଇ ଘର କଣରେ ତୁନି ହୋଇ ବସିଥିବୁ ।”

ମକରା ମନେ କରିଥିଲା,ସାନ୍ତାଣୀ ବାଡ଼େଇ ପକାଇବେ । ଏ’ କଣ,ନଗଦ ସାଙ୍ଗେ ସାଙ୍ଗେ ଚାରିଟା ଟଙ୍କା, ପୁଣି ଯୋଡ଼ାଏ ଲୁଗା ମିଳିବ । ମନର ଆନନ୍ଦଟା ସମ୍ଭାଳି ପାରୁ ନାହିଁ । ସାଆନ୍ତଙ୍କ ଟଙ୍କା ପୁଞ୍ଜକ ଅଣ୍ଟିରେ ଖୋଷିଥିଲା, କାଢ଼ି -ଏ ଟଙ୍କା ସାଙ୍ଗରେ ମିଳେଇ ଦୁଇଥର ତିନିଥର ଗଣିଲା । ଆଠ ଟଙ୍କା ଭଲ କରି ଅଣ୍ଟିରେ ଖୋଷି ରୋଷେଇଘର କୋଣରେ ଲୁଚିଲା । ସାନ୍ତାଣୀ ଗମ୍ଭୀରି ଭିତରେ ମକରା ଜାଗାରେ ଧାରଣା ଦେଇ ପଡି ରହିଲେ ।

ରାତି ପହରକ ସରିକି ଚନ୍ଦ୍ରମଣି ବାବୁ ତୁନି ତୁନି ଆସି ଗମ୍ଭୀରି ଦୁଆରେ ପହଞ୍ଚି ଗଲେ । ପୂରା ନିଶା ଚାଲିଲା ବେଳେ ଗୋଡ଼ ଟଳି ଯାଉଛି, ପାଟି ଖନି ବାଜୁଛି, ଧଡ଼କରି କବାଟଟା ମେଲାଇ ଦେଲେ । ମକରା ଧାରଣା ଦେଇ ପଡ଼ିଛି । ବାବୁ ଭାରି ଖୁସିଟାଏ ହୋଇ ନାଚି ନାଚି ଗୀତ ଆରମ୍ଭ କଲେ ।

‘ ବାହାବା ମଜାଦାର !
ମଦ ଗଞ୍ଜା ଗୁଣ ଯେ ଜାଣେ ସେଇ ତ ସମଜ୍‌ଦାର ।’

” ଉଠ ଭାଇ ମକରୁ ! ସାବାସ ବାବା ମକରୁ । ମେରି ଦୋସ୍ତ ମକ୍ରାମ ! ଶୁଣ ମକରା, ଉଠ, ଉଠ । ଏଥର କେଉଁ ଶଳା ଶାଳୀକି ଡର ରେ ? ମକରା ! ଆଜିକା ମଜା କଥା କେତେ କଣ କହିବି ? ତୋ ସାନ୍ତାଣୀ ପୋଇଲୀଟା ଦି ମାସ ହେଲା ଅଟକାଇଛି -ପାଟି ପଡି ଯାଇଥିଲା – ଦି ମାସର ମଜା ଦିନକେ ଫତେ ! ଆରେ ସେ କଣ ଆଜିକା କଥା ? ତା ସାଙ୍ଗରେ ତିନି ବରଷର ଦୋସ୍ତି, ପ୍ରୀତି । ସେଇ ସେ ଗୋପାଳ ବାବୁ ଦୁଆରକୁ ନାଚିବାକୁ ଆସିଥିଲା, ସେଇ ଦିନୁ ଦୋସ୍ତି । ସାବାସ ! ମଜେଦାର ! ତା ନାମ କଣ ଜାଣୁ ? ତୋ ସାନ୍ତାଣୀ ନାମଟା ହେଲା, ସୁଲ -ଚୂନା ! ସୁଲ କଣ ନା ପୋଖରୀରେ ହୁଏ, ଚୂନା ଚକୁଳୀ ପିଠା ହୁଏ । ଛି, ଛି, ଛି, ! କି ଅପରଛନିଆ ନାମ ! ତା ନାମ ଉସ୍‌-ମାନ୍‌-ତା-ରା ! ବାହାବା ! ମଜେଦାର ! ଜିତେ ରହ ମେରୀ ଉସମାନ୍‌ ତାରା ! ନାମଟା ଯିମିତିକା, ଗୁଣ ବି ସେଇ ରକମ । ଗୁଣ ତା ଗୁଣ ଉସମାନ ତାରା-କ୍ୟା ମଜେଦାର ! ଦେଖ ତ ମକ୍ରାମ, ତାର କେତେ ବୁଦ୍ଧି, କେତେ ମେହରବାନି ! ପୁରୁଣା ଦୋସ୍ତି ଭୁଲି ପାରି ନାହିଁ । କାଲି ଆସି ଯିମିତି କଟକରେ ଗୋଡ଼ ଦେଇଛି, ମୋତେ ଡାକି ପଠାଇଛି । ମୁଁ ତାକୁ ଦେଖି ନିଧି ପାଇଗଲି, ସେ ତା ଆନନ୍ଦରେ ହସି ହସି ଢଳି ପଡ଼ିଲା । ମୁଁ ବିଛଣାରେ ବସିଛି କି ନା, ଲାଗିଲା ମାଲର ଧୂମ । ସବୁ ଠିକ୍‌ ଠାକ୍‌ ସଜିଲ କରି ରଖିଛି । ଟିପା ଗଞ୍ଜେଇ -ମଦତ ହୁକା-ମେରୁ, ସବୁ ଠିକ୍‌ । ଆଗ ଫିଟିଲା ମାଲ ବୋତଲ । ଆସ୍କା ରମ୍‌ ନୁହେଁ, ଅସଲି ବିଲାତୀ, ନମ୍ବର ଉଆନ ! ତୁ ଯେବେ ସେ ଗ୍ଲାସେ ଟାଣି ଦିଅନ୍ତୁ, ଦେଖନ୍ତୁ ମଜା ! ଆମେ ଦୁଇ ଜଣ ସଙ୍ଗେ ସଙ୍ଗେ ବୋତଲ ଖାଲି କରିଦେଲୁ ! ଖାଲି-ର-ତୁଚ୍ଛା-ର, ଟୋପାଏ ପାଣି ନାହିଁ । ତୋ ସାନ୍ତାଣୀ ରୋଜ ନିଜେ ତିଆରି କରେ ପୁରି, ସରଭଜା, କ୍ଷୀରୀ । ଆରେ ଛି ! ସେ ଗୁଡ଼ାକ ତ ବିରାଡ଼ି ଖାଏ । ସେ ଯେ କରି ରଖିଥିଲା ଲୁଣିଆ ବୁଟ-ଭଜା, ଶୁକୁଆ ପୋଡ଼ା, ମାଲ ସଙ୍ଗକୁ ମଜାଦାର, ପେଟେ ମାରିଦେଲି । ଦେ ମଜାଦାର୍‌ ! ତୋ ସାନ୍ତାଣୀକୁ ଚିତା ଦେଇ କିମିତିକା ଦଶ ଟଙ୍କା ମାରି ନେଇଥିଲି । ସେ ସବୁ ମଉଜ ଜାଗାକୁ ତୁଚ୍ଛା ହାତରେ କେହି ଯାଏ ? ତା ଆଗରେ ଟଙ୍କା ଯେମିତି ଥୋଇ ଦେଇଛି, ଟିକିଏ ଚାହିଁ ମୁହଁ ମୋଡ଼ି ଦେଲା । ମୁଁ ହୁସିଆର ମଣିଷ, ତୋ ସାନ୍ତାଣୀ ପରି କଣ ହେଣ୍ଡା ? ବୁଝି ପାରିଲି, ପସନ୍ଦ ହେଲା ନାହିଁ । କିମିତି ପସନ୍ଦ ହେବ ରେ ? ଦିନ ରାତିରେ ମଜୁରୀ କଲେ ଶହ ଶହ ପାଏ । ମୁଁ କହି ଆସିଛି, କାଲି ଶହେ ଟଙ୍କା ଦେବି । ସେ ହସି ହସି କହିଲା,’ଟଙ୍କା କଣ ହେବ ? ତୁମେ ଆସିବ ।’ ସତ ସତ, ସେ କଣ ଟଙ୍କା ଚାହେଁ ? ଚାହେଁ ମୌଜ । ସେ ଟଙ୍କା ଚାହେଁ ନାହିଁ, ତା’ର କଣ ଟଙ୍କାର ଅଭାବ ? ହେଲେ ମୁଁ କଣ ଅସତ୍ୟ ହେବି ? ଜବାବ ଦେଇଛି ତ, ଟଙ୍କା ଦେଇଛି । ‘ମରଦ୍‌କି ବାତ୍‌, ହାତୀକା ଦାନ୍ତ୍‌ ।’ କାଲି ଟଙ୍କା ଶହେ କୋଉଠୁ ଆଣିବି ଜାଣୁ ? ହୋ ହୋ ହୋ ! ବଡ଼ ମଜା । ତୋ ସାନ୍ତାଣୀ ନାଟବନ୍ଦି ଟଙ୍କା ସେହି ସିନ୍ଧୁକରେ ରଖିଛି । ଗୋଟାଏ ଲୁହାକଣ୍ଟାରେ ସିନ୍ଧୁକଟା ଫିଟାଇ ପକାଇ ଆଚ୍ଛା କରି ଚିତା ଦେବି । ଦି ତିନି ଥର ଟଙ୍କା ନେଳିଣି । ସାନ୍ତାଣୀ ବୋପା, ତା ଗୋସାଇଁ ବାପା ବି ବୁଝି ପାରିବ ନାହିଁ । ସିନ୍ଧୁକରେ ଢ଼େର ଟଙ୍କା ରଖିଛି, ମୋ ହାତରେ ପଡିଗଲେ କଟକର ଫାଙ୍କେ ମଉଜରେ ଭସାଇ ଦିଅନ୍ତି । ତୋ ସାନ୍ତାଣୀ ଯଦି ଗିଲାସେ ମଦ ଟାଣି ଦିଅନ୍ତା, ବୁଝନ୍ତା କେଡ଼େ ମଉଜ । ସେ ମଉଜ ବୁଝିଛି ଉସ୍‌ ମନ୍‌ ତାରା । ଏଇଟା କାଠ ମୂର୍ତ୍ତିଟାଏ ! ଆଜି ମାଲ୍‌ ସାଙ୍ଗରେ ପେଟେ ଚାଟ୍‌ ପକେଇଛି । ତୋ ସାନ୍ତାଣୀ ବାପ ଶଳା ବି ସାତ ଜନ୍ମରେ ଦେଖି ନ ଥିବ ।”

ସାନ୍ତାଣୀ କମ୍ବଳ ଖଣ୍ଡକ ପାଞ୍ଚ ହାତ ଦୂରକୁ ଫୋପାଡ଼ି ଦେଇ ଡେଇଁ ପଡ଼ିଲେ । ଭାରି ଗୋଟାଏ ଗର୍ଜନ କରି କହିଲେ,”କ’ଣ କହିଲୁ, କଣ କହିଲୁ ମଦୁଆ, ଯୋଗିନୀଖିଆ ! ମୋ ବାପ ତୋ ଶଳା ! ଦିନଯାକ ଯାଇ କେଉଁଠି ପଡିଥିଲୁ ରେ ? ହୁଁ କଣ ଉସ୍‌ ମନ୍‌ ତାରା ?”

ବାବୁ ତ ଡରରେ ଛାନିଆ ହୋଇ ଗଲେଣି, ଚଞ୍ଚଳ କହି ପକାଇଲେ “ନା -ନା,ମୁଁ କାହିଁ ଯାଇନାହିଁ, ଟିକିଏ ବାହାରକୁ ପ୍ରସାବ କରିବାକୁ ଯାଇଥିଲି – ତୁମ ରାଣ, ତୁମ ମୁଣ୍ଡ ଛୁଉଁଛି ।”

ସାନ୍ତାଣୀ ତା କ୍ରୋଧରେ ଅଜ୍ଞାନ । “ହଁ ରେ ମୋ ମୁଣ୍ଡ ଛୁଇଁଲୁ, ମୋ ମରିବାକୁ ଚାହିଁଛୁ ?”

ଘରେ ଗୋଟାଏ ଛାଞ୍ଚୁଣି ପଡିଥିଲା, ସେଇଟା ଧରି ଦେ ପ୍ରହାର-ପ୍ରହାର-ପ୍ରହାର-ମୁଣ୍ଡରେ, ପିଠିରେ, ହାତରେ ଯେଉଁଠି ବାଜ ! ବାବୁ ସମ୍ଭାଳି ପାରିଲେ ନାହିଁ, ଦେ ଦୌଡ଼ ! ନିଶା ଝୁଙ୍କରେ ଗୋଡ଼ ଟଳମଳ ହେଉଛି । ଦୁଲଦାଲ ପଡ଼ିଗଲେ । ତା ଉପରେ ବି ପାଣି ଅସରା ପରି ପଡୁଛି ।

ସାନ୍ତାଣୀ ଥକି ଯିବାରୁ ଘର ଭିତରକୁ ଯାଇ ଭୂଇଁରେ ଲଠ୍‌ କରି ଶୋଇ ପଡ଼ିଲେ । ଆକୁଳ ହୋଇ କାନ୍ଦୁଛନ୍ତି । କାନ୍ଦୁ କାନ୍ଦୁ ଯେତେ ଠାକୁର ଦେବତା ମନରେ ପଡ଼ିଲେ ସମସ୍ତଙ୍କୁ ଡାକି କ୍ଷମା ମାଗିଲେ, “ହେ ଠାକୁର ଦେବତାମାନେ ! ମୋତେ କ୍ଷମା କର, ମୋ ଦେବତା ସ୍ଵାମୀକୁ ବାଡ଼େଇଛି, ବଡ଼ ଅପରାଧ କରିଛି, ଦୋଷ କ୍ଷମା କର, ଆଉ ମୋ ସ୍ୱାମୀକୁ ସୁବୁଦ୍ଧି ଦିଅ ।” ରାତି ପାହି ଗଲାଣି । ସାନ୍ତାଣୀଙ୍କ ରାଗଟା ବି ଚାଲି ଗଲାଣି । ଧୀରେ ଧୀରେ ଯାଇ ଦେଖିଲେ, ବାବୁ ଠାଁ ଭୂଇଁରେ ପଡ଼ିଛନ୍ତି । ନିଶା ଛାଡ଼ିଗଲାଣି । ସକାଳୁଆ ଶୀତଳ ପବନ ଲାଗି ଭାରି ନିଦଟାଏ ହୋଇଛି । ଘଡ଼ ଘଡ଼ କରି ନାକ ଡାକୁଛି । ସାନ୍ତାଣୀ ଅନାଇ ଦେଖିଲେ, ପିଠି, ହାତ, ଗୋଡ଼ ଜାଗା ଜାଗା ଛାଞ୍ଚୁଣିମାଡ଼ରେ ଫୁଲି ଯାଇଛି । ଗୋଟାଏ ଗୋଟାଏ ଜାଗାରେ ରକ୍ତ ବହି ଶୁଖି ଗଲାଣି । ଏ ସବୁ ଦେଖି ଭାରି ଆକୁଳରେ କାନ୍ଦିଲେ – “ହାୟ ! ମୁଁ କଣ କଲି ! ସ୍ୱାମୀଦେବତାଙ୍କୁ ଛାଞ୍ଚୁଣିରେ ବାଡ଼େଇଲି ! ହାୟ ! ହାୟ ! ମୋ ଦଶା କଣ ହେବ?” ଆଉ ଥରେ ଡାକିଲେ – “ଠାକୁର ଦେବତାମାନେ ! ମୋ ଦୋଷ କ୍ଷମା କର ।” ଝର ଝର ହୋଇ ଦୁଇ ଆଖିରୁ ଦୁଇ ଧାର ବହୁଛି । ଗିନାଏ ରାଶି ମାଲପା ଆଣି ଫୁଲା ଜାଗାମାନଙ୍କରେ ଧୀରେ ଧୀରେ ଘଷି ଦେଲେ, ଆଉ ଗିନାଏ ମାଲପା ଆଣି ଦେହ ଯାକ ଲଗାଇ ଦେଲେ । ଦିନ ଦୁଇ ଘଡ଼ି ସରିକି ବାବୁଙ୍କ ନିଦ ଭାଙ୍ଗିଲା । ଟିକିଏ ଅନାଇଦେଲେ, ସାନ୍ତାଣୀ ପାଖରେ ବସିଛନ୍ତି । ମନରେ ଭାରି ଗୋଟାଏ ଡର ପଶିଗଲା, କେଜାଣେ ଆଉଥରେ ବା ଛାଞ୍ଚୁଣିରେ ବାଡେଇ ପକେଇବେ । ଆଉ ନିଦ ତା ନାହିଁ,ଆଖି ବୁଜି ଘାଲେଇ ପଡ଼ିଥାନ୍ତି । ଆଉ ଠାରେ ଧୀରେ ଧୀରେ ଅନାଇ ଦେଖିଲେ ସାନ୍ତାଣୀଙ୍କ ରାଗର ଚିହ୍ନ ନାହିଁ । ଦୁଇ ଆଖିରୁ ଦୁଇଟା ଧାରା ବହି ଯାଉଛି, ଧୀରେ ଧୀରେ ଗୋଡ଼ରେ ତେଲ ଘଷି ଦେଉଛନ୍ତି । ସାନ୍ତାଣୀ ବୁଝି ପାରିଲେ, ବାବୁଙ୍କର ନିଦ ଭାଙ୍ଗିଗଲାଣି । ଚାରି ମାଠିଆ ଜଳ ଆଣି ଶୋଇବା ଜାଗାରେ ଥୋଇଲେ – ବାବୁଙ୍କ ହାତ ଧରି ଉଠାଇ ବସାଇଲେ । ମୁଣ୍ଡରେ ଦେହରେ ଜଳ ଢାଳି ଭଲକରି ସ୍ନାନଟା କରାଇଦେଲେ । ବାବୁଙ୍କର ନିଶାର ଖେଉରିରେ ଦେହଟା ଜଳୁଥିଲା, ଜଳ ପଡି ବଡ଼ ଆରାମ ଲାଗୁଥାଏ । ଆଖିବୁଜି ଠାକୁରଟି ପରି ଧୀର ହୋଇ ବସିଥାନ୍ତି । ସାନ୍ତାଣୀ ଶୁଖିଲା ଲୁଗା ପିନ୍ଧାଇ ଦେଲେ । ରୋଷେୟା ଭାତ ପରଷି ଗଲା । ସାନ୍ତାଣୀ ବଳେଇ ବଳେଇ ଦିଟା ଭୋଜନ କରାଇଲେ, ତହିଁ ବାଦ ଭଲ କରି ଶେଯଟା ପାରି ବାବୁଙ୍କୁ ଶୁଆଇଦେଲେ । କାଲିଠାରୁ ସାନ୍ତାଣୀଙ୍କର ଓପାସ, ଆଜି ବି ଜଳ ସ୍ପର୍ଶ ନାହିଁ । ସ୍ୱାମୀଙ୍କ ଗୋଡ଼ ତଳେ ବସି ହାତ ବୁଲାଉଛନ୍ତି । ଦିନଯାକ ଆଖିରୁ ପାଣି ଶୁଖିବାକୁ ନାହିଁ । ମନ ମଧ୍ୟରେ ଠାକୁର ଦେବତାଙ୍କୁ ଡାକୁଛନ୍ତି – “ହେ ପ୍ରଭୁ, ମୋ ଦୋଷ କ୍ଷମା କର, ମୋ ସ୍ୱାମୀଙ୍କୁ ସୁବୁଦ୍ଧି ଦିଅ । ” ଦିନଯାକ ସ୍ୱାମୀ ସ୍ତ୍ରୀ କାହାରି ମୁହଁରୁ କଥା ବାହାରି ନାହିଁ, ଘରେ ଚାକର ଚାକରାଣୀ ମଧ୍ୟ ସମସ୍ତେ ତୁନି ତାନି । ସ୍ୱାମୀ ସ୍ତ୍ରୀ କାହାରି ମୁହଁକୁ ଲାଜରେ ଭରସି ଚାହିଁ ପାରୁ ନାହାନ୍ତି । ପରସ୍ପର ଦୁହେଁ ଆପଣା ଆପଣାକୁ ଅପରାଧୀ ମଣି ମାନସ୍ତୁଷ୍ଟି ପାଇଁ ସାଧ୍ୟାନୁସାରେ ଚେଷ୍ଟା କରୁଥାନ୍ତି । ବାବୁଙ୍କ ମନ ମଧ୍ୟରେ ପ୍ରତିଜ୍ଞା, ଆଜିଠାରୁ ସବୁ ନିଶା ଗୋରକ୍ତ, ବିଷ୍ଠା ।

ଦୁଇ ମାସ ଗଲା, ଚାରି ମାସ ଗଲା, ଛ ମାସ ବି ଗଲାଣି । ସାଇ ପଡିଶା ଜ୍ଞାତି ବନ୍ଧୁ ବାବୁମାନେ ଦେଖିଲେ, ଚନ୍ଦ୍ରମଣି ବାବୁଙ୍କ ଘରେ ରୋଜ ସଞ୍ଜ ସକାଳ ଯେ ଦୁଇ ଜଣଙ୍କ ମଧ୍ୟରେ ଭଟ ଭଟ ଲାଗିଥାଏ, କିଛି ଶୁଣା ଶୁଣି ନାହିଁ । ଦୁଇ ଜଣ ଏକ ଜାଗାରେ ବସି ହସି ଖୁସି କଥାବାର୍ତ୍ତା କରନ୍ତି, କିତାପ ପଢ଼ନ୍ତି । ଉତ୍କଳ ସାହିତ୍ୟ, ମୁକୁର, ଦୀପିକା ଖବର କାଗଜ ପଢ଼ନ୍ତି । ବାବୁ ହେଣ୍ଡ ନୋଟରେ ଢ଼େର ଟଙ୍କା ଦେଣା କରି ପକାଇଥିଲେ, ବର୍ଷଟା ଭିତରେ ଅଧା ଅଧି ଶୁଝି ଗଲାଣି । ବାବୁ ଘରୁ ବାହାରନ୍ତି ନାହିଁ । କେଉଁ ଜାଗାରୁ ନାଟା ତାମସାର ନିମନ୍ତ୍ରଣ ଆସିଲେ, ସାନ୍ତାଣୀ ହେଣ୍ଟରିଲେ, ପେଲା ପେଲି କଲେ ବି ବାହାରୁ ନାହାନ୍ତି । ଦିନେ ଦିନେ ସଞ୍ଜବେଳେ ଦୁଇଜଣ ବଗିଟିରେ ବସି ସହରଯାକ ବୁଲି ଆସନ୍ତି ।

ସହର ଲୋକେ, ସାଙ୍ଗସୁଙ୍ଗା ବାବୁ ମାନେ ଦେଖି ଶୁଣି ଆଶ୍ଚର୍ଯ୍ୟ ! ଆରେ କଥା କଣ ? ବାବୁଙ୍କ ବାପ ଜମିଦାର ଶ୍ୟାମ ପଟ୍ଟନାୟକେ ମାଷ୍ଟର ରଖି ବାବୁଙ୍କୁ ପଢ଼ାଇଲେ । ସ୍କୁଲରେ ବି ପଢୁଥାନ୍ତି । ଏତେ ପଢିଲେ କଣ ହେଲା ? ବଦ ସଙ୍ଗରେ ପଡ଼ି ଭାରି ନିଶା ଖୋର ହୋଇଗଲେ । କେବଳ ଦିନ ରାତି ବଦ ଖିଆଲି, ଚରିତ୍ର ଏକାବେଳକେ ଗଲା, ରାତିଯାକ ମଦ ଯାଗାମାନଙ୍କରେ ବୁଲାବୁଲି,ଯେତେ ମତୁଆଲା ମନ୍ଦ ଲୋକ ସାଙ୍ଗ । ଭଲ ଲୋକ ପାଞ୍ଚଜଣ ଲୋକ କହିଲେ, ‘ପୁଅ ବିଭା ହେଲେ ଚରିତ୍ର ବଦଳି ଯିବ ।’ ରାମକୃଷ୍ଣ ମହାନ୍ତିଙ୍କର ଗୋଟିଏ ଝିଅ, ପରମ ସୁନ୍ଦରୀ, ଖୁବ ଗୁଣାମତୀ – ଜମିଦାର ବାବୁ ତାକୁ ବୋହୂ କରି ଆଣିଲେ । ତେବେ ବି ପୁଅ ସୁଧୁରିଲା ନାହିଁ, ଘରୁ ମାଲମତା ନଗଦ ଟଙ୍କା ଚୋରି କରି ଉଡ଼ାଏ, ଦେଣା ପାଞ୍ଚ ଟଙ୍କାର ନେଇ କୋଡିଏ ଟଙ୍କାର ହେଣ୍ଡ୍‌ ନୋଟ ଲେଖିଦିଏ । ଏଣେ ଘର କଥା, ଜମିଦାରୀ କଥା କିଛି ବୁଝିବାକୁ ନାହିଁ । ଜମିଦାର ବାବୁ ଦେଖିଲେ ଆଉ ହେବ ନାହିଁ, କୁଳାଙ୍ଗାରଟା ବିଷୟ ସମ୍ପତ୍ତି ସବୁ ଉଡ଼େଇ ଦେବ । ବୋହୂ ଶ୍ରୀମତୀ ସୁଲୋଚନା ଦେଈ ନାମରେ ଚଳାଚଳ ସମ୍ପତ୍ତି ଲେଖିଦେଇ ଯାଇଛନ୍ତି । ବାପା ଯେତେ ବୁଝାଇଥିଲେ, ଶ୍ୱଶୁର ଆସି ଯେତେ ବୁଝାଇଥିଲେ, କାହିଁରେ କିଛି ହୋଇ ନ ଥିଲା । ହଠାତ ରାତିକ ଭିତରେ ଏତେ ଭଲ ଲୋକ ପାଲଟି ଗଲେ କିପରି ? ଗୋପୀବାବୁ ଜଣେ ମସ୍କରିଆ ଭଳିଆ ଲୋକ, ହସି ହସି କହିଲେ “ସେ ଦିନ ରାତିରେ ସାନ୍ତାଣୀ ଯେ ଅର୍ଦ୍ଦଳିଆ ଛାଞ୍ଚୁଣି ବୃଷ୍ଟି କରିଥିଲେ, ଏଇଟା ତାହାରି ଫଳ । ନିଶା ବଦଖିଆଲି ଯେତେ ଉତ୍କଟ ରୋଗ, ଛାଞ୍ଚୁଣି ପ୍ରହାର ଔଷଧରେ ସବୁ ଛାଡ଼େ ।”

ଶ୍ୟାମଘନ ବାବୁ ହସି ହସି କହିଲେ, “କାହିଁ ବୈଦ ଶାସ୍ତ୍ର, ଡାକ୍ତରୀ କିତାବ କାହିଁରେ ଏ ରୋଗକୁ ଏ ଔଷଧର ତ ବ୍ୟବସ୍ଥା ନାହିଁ ?”

ଗୋପୀ ବାବୁ କହିଲେ “ଆରେ ତୁମେ ବୁଝିଲ ନାହିଁ, ଏଇଟା ସାନ୍ତାଣୀଙ୍କର ଆବିଷ୍କାର “ପେଟେଣ୍ଟ୍‌ ମେଡ଼ିସିନ୍‌ ”

ପୂର୍ବ ଦୁଷ୍କୃତି ହେତୁରୁ ଯଦି କୌଣସି ସୁନ୍ଦରୀଙ୍କ ସେ ଅର୍ଥାତ ସେମାନେ ଯଦି ଏପରି ରୋଗାଗ୍ରସ୍ତ ହୋଇଥାନ୍ତି, ଲେଖକର ବିନୟ ପୁରଃପର ନିବେଦନମିଦଂ, ଏହି ପେଟେଣ୍ଟ୍‌ ମେଡ଼ିସିନ୍‌ଟା ଥରେ ପ୍ରୟୋଗ ପୂର୍ବକ ପରୀକ୍ଷା କରି ଦେଖିବେ ।

Odia Novel Patent Medicine By Fakir Mohan Senapati
Share. Facebook Twitter Pinterest LinkedIn Tumblr Reddit Email
Previous Articleରେବତୀ
Next Article ତୁମ ପରି ଛୋଟ ପିଲାଟିଏ
ଫକୀର ମୋହନ ସେନାପତି

Related Posts

ଡାକମୁନ୍ସି

February 10, 2022

ଉପସଂହାର

November 26, 2018

ଅପୂର୍ବ ମିଳନ :

November 26, 2018

ବାବାଜୀ ଲଳିତା ଦାସ :

November 26, 2018

ମଙ୍ଗରାଜ ଘରର ହାଲଚାଲ :

November 26, 2018

ଖୁଣି ତଦାରଖି :

November 26, 2018
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.