ସାଆନ୍ତାଣୀଙ୍କର ଟାଣୁଆ ହୁକୁମ ଜାରି, ରାତି ତ ରାତି, ଦିନବେଳେ ବି ବାବୁ ଯେମିତି ଏ ଘରୁ ଗୋଡ କାଢି କାହିଁ କୁଆଡେ ବି ଯାଇପାରିବେ ନାହିଁ । “କିଆଁ ଯିବ? କଣ ଲୋଡା? ଯାହା କରିବାକୁ ହେବ, ଘରେ ବସି କର । ଲେଖ, ପଢ । ହେଲେ ଖବରଦାର, ବାହାରକୁ ବାହାରିବ ନାହିଁ ।” ବାବୁଙ୍କ ନିହାତି କୁହାବୋଲା ଆକୁଳ ବିକଳରେ ହୁକୁମ ହୋଇଛି – ସକାଳେ ପା ଘଂଟା ଲାଗି ଦାଣ୍ଡଦୁଆର ପାଖ ସଡକରେ ବୁଲିପାରିବେ । ତା’ ବି ବହୁତ ଦୂରକୁ ଯାଇପାରିବେ ନାହିଁ, କବାଟ ଫାଙ୍କବାଟେ ଅନାଇଲେ ଯେମନ୍ତ ଦିଶୁଥିବେ ।
ସକାଳ ସାତଟା ଅନ୍ଦାଜ ବେଳ ହେବ, ବାବୁ ଚନ୍ଦ୍ରମଣି ପଟ୍ଟନାୟକେ ଦାଣ୍ଡଦୁଆର ଆଗ ସଡକରେ ବୁଲୁଛନ୍ତି । ହଠାତ୍ ଅନାଇଦେଇ ଦେଖିଲେ, ଚାରି ପାଂଚଶ କଦମ ଦୂରରେ ଗୋଟିଏ ଲୋକ ଛିଡା ହୋଇ ତାଙ୍କୁ ଏକ ଧ୍ୟାନରେ ଅନାଇଛି । ହଠାତ୍ ଏ ଚନ୍ଦ୍ରମଣି ବାବୁଙ୍କ ନଜର ତା ଉପରେ ଯିମିତି ପଡିଛି, ସେ ହାତ ଠାରି ଡାକିଲା । ବାବୁ ଭଲକରି ଅନାଇ ଦେଖିଲେ, ‘ଓହୋ, ଏ ତ ସେହି ଭଦରଖିଆ ଟୋକାରେ’ ତା’ପରେ ସେ ମନ ମଧ୍ୟରେ ଭାରି ଖୁସିଟାଏ ହେଲେ । ପାଖକୁ ଆସିବା ଲାଗି ହାତ ଠାରିଦେଲେ, ଆପେ ବି ଆପଣା ଦୁଆରକୁ ଅନାଇ ଅନାଇ ଅଳ୍ପ ଅଳ୍ପ ଆଗେଇ ଯାଉଥାନ୍ତି । ଯିମିତି ସେ ଟୋକାର ପାଖ ପାଖ ହେଲେ, ଦୁଆର ଆଡକୁ ମୁହଁ କରି ପଛରୁ ଡେବିରି ହାତଟା ବଢେଇ ଦେଲେ । ଟୋକାଟା ବାବୁଙ୍କ ହାତରେ ଚିଠି ଖଣ୍ଡେ ଜାକିଦେଇ ଝଟ ଲେଉଟି ପଡି ଚାଲିଗଲା ସେଠାରୁ । ବାବୁ ଚିଠିଖଣ୍ଡ ମୁଠେଇ ଧରିଥାନ୍ତି, ସେତେବେଳେ ପଢିଲେ ନାହିଁ, ଦୁଆର ପାଖିଆ ଆସି ଭଲକରି କବାଟ ଫାଙ୍କକୁ ଅନେଇଲେ । ଚିଠି ଖଣ୍ଡ ପଢି ଟିକି ଟିକି କରି ଛିଣ୍ଡେଇ ପକେଇ ପବନରେ ତାକୁ ଉଡେଇଦେଲେ ।
ଘର ଭିତରକୁ ଆସି ସେ ବାବୁ ଖୁବ୍ ସ୍ନେହରେ ତଥା ଖୁବ୍ କଅଁଳରେ ଡାକିଲେ, ‘ଆଗୋ! ଆଗୋ! ଶୁଣୁଛ ନା – ଟିକିଏ ଶୁଣିଗଲ ।’ ଠିକ୍ ଏତିକିବେଳେ ସେ ଘର ଭିତରୁ ଗୋଟାଏ ଭାରୀ ଚଢା ଗଳା ଶୁଭିଲା, “ଓହୋ! ଆଜି ଯେ ଭାରି ପ୍ରେମ ଡାକ । କଥା କ’ଣ? ମୋର ତ ଭାରି କପାଳ ଦେଖୁଛି । କଣ କହୁଛ ଏବେ କହ ।”
ବାବୁ କହିଲେ – ଶୁଣୁଛ, ଆଜିକି ଚାରିଦିନ ହେଲା ରୋଜ ରୋଜ ରାତିରେ ମୋ ମୁଣ୍ଡ ବୁଲାଏ – ପେଟ ବି ଟାଣେ । ଦେହ ବଡ ଝିମ୍ ଝିମ୍ କରେ, ବଡ କଷ୍ଟ ହୁଏ – ଭାରି କଷ୍ଟ ।
ସବୁ ଶୁଣି ସାଆନ୍ତାଣୀ କହିଲେ – ହେଇ ହେଲା, ଆହୁରି ଗୋଟିଏ କ’ଣ ପ୍ରେମ ବାହାରିଲାଣି । ସେଇ ଯେ ଗଞ୍ଜେଇ – ମଦ – ମଦତ – ନିଆଁ ପାଉଁଶ ନିଶାଗୁଡାକ ଖାଇଥିଲ, ଏସବୁ ତାହାରି ଫିସାଦ । ନିଶାଗୁଡାକର କଣ ଊଣା ଗୁଣ? ପୃଥ୍ୱୀଯାକ ବେମାରି ଏବେ ତମରି ଦେହରେ । ଏଣେ ତିନି ତିନି ଜାଗା ଚାକିରି ହେଲା, ପୁଣି ଗଲା । ଲୋକେ କେତେ ଛିଛାକର କରୁଛନ୍ତି, କେତେ ଟଙ୍କା ବରବାଦ କରିଦେଲ । ଗଲା, ଯାଉ ଚାକିରି, ଯାଉ ଟଙ୍କା, ଯାହା ହେବାର ତ ହୋଇଗଲା; ଏଣିକି ଦିହଟା ଭଲା ସୁଧୁରିଯାଉ । ଚାରିମାସ କାଳ ଜଗି ଜଗି ଟିକିଏ ଭଲ କରିଥିଲି; ନିଶାଗୁଡାକ ଛାଡିବାରୁ ଟିକିଏ ଭଲ ଥିଲ – ପୁଣି ତାହାରି କଣ ପୁରୁଣା ଫିସାଦଟାଏ ବାହାରିଲାଣି?
ତହୁଁ ଚନ୍ଦ୍ରମଣିବାବୁ କହିଲେ – ନାହିଁ ଗୋ ନାହିଁ – ସେ କଥା ନୁହେଁ ଯେ, ଆଜି ସକାଳେ ମାଧବାଚାର୍ଯ୍ୟ ଖଡିରତ୍ନଙ୍କ ସାଙ୍ଗରେ ଭେଟ ହୋଇଥିଲା । ସେ ମୋ କୋଷ୍ଠୀ ଗଣି କହିଲେ, ମୋର କଙ୍କଡା ରାଶିକୁ ବିଛାରାଶି ଶନିସପ୍ତା ହୋଇଛି । ଏଇଟା ତାହାରି ଫିସାଦ, କିଛି ପୁଣ୍ୟକାର୍ଯ୍ୟ କରିଦେଲେ ମୋର ଏକାବେଳକେ ସବୁ ଦୋଷ କଟିଯିବ ।
ସାଆନ୍ତାଣୀ – କଣ ପୁଣ୍ୟକାର୍ଯ୍ୟ କରିବାକୁ ଖଡିରତ୍ନେ କହିଗଲେ?
ଚନ୍ଦ୍ରମଣି – ମୁଁ ତିନିଦିନ ଲାଗି ଯାଇ ଭୁବନେଶ୍ୱର, ଖଣ୍ଡଗିରି, ଉଦୟଗିରିରେ ଯେତେ ମହାଦେବ ଅଛନ୍ତି, ସମସ୍ତଙ୍କୁ ଦର୍ଶନ କରିବି, ସେଥିଲାଗି କିଛି ଟଙ୍କା ଘେନି ଯାଇଥିବି, ବ୍ରାହ୍ମଣମାନଙ୍କୁ ଦେଲେ ସେମାନେ ଶହେ ମାଠିଆ, ନା ନା, ହଜାରେ କୁମ୍ଭ – ନାହିଁ ନାହିଁ ସହସ୍ର କୁମ୍ଭ ପୂଜା କରିବେ; ତାହେଲେ ଯାଇ ମୋର ସବୁ ଦୋଷ, ସବୁ ଗ୍ରହ ଅବଳ ଏକାବେଳକେ କଟିଯିବ । ଦେହ ଖୁବ୍ ଆଚ୍ଛା ହୋଇଯିବ, ଆଉ ନିଶାଫିଶା ଖାଇବାକୁ ମନ ମୋର ଆଦୌ ବଳିବ ନାହିଁ ।
ଏହା ଶୁଣି ସେ ସାଆନ୍ତାଣୀଙ୍କ ମନକୁ କାହିଁକି ଟିକିଏ କିମିତିକା ଧୋକା ଛୁଇଁଲା । ତେଣୁ ସେ କହିଲେ, “ଖଡିରତ୍ନେ ଆସିଥିଲେ, କାହିଁ ମୁଁ ତ ଶୁଣିଲି ନାହିଁ ।”
ବାବୁ କହିଲେ – ନାହିଁ ନାହିଁ ସେ ଆସିନାହାଁନ୍ତି; ତାଙ୍କ ପୁଅ ଆସିଥିଲା ।
ସାଆନ୍ତାଣୀ – ତାଙ୍କର ପୁଣି ପୁଅଟାଏ କାହୁଁ ଅଇଲା ବା?
ବାବୁ – ଓ, ନାହିଁ ନାହିଁ; ତାଙ୍କର ଚାକର ହାତରେ ସେ କହି ପଠାଇଥିଲେ ।
ଏପରି କଥା ଶୁଣି ସେ ସାଆନ୍ତାଣୀ ବାବୁଙ୍କ ମୁହଁକୁ ଭଲକରି ଅନାଇଲେ, ମନରେ କଲେ ଏ ସବୁ ଡାହା ମିଛକଥା, ତିନିଦିନ ଲାଗି ଯାଇ କେଉଁଠି ମତୁଆଲାମାନଙ୍କ ସାଙ୍ଗରେ ପଡି ମଦ ଖାଇବେ, ନୋହିଲେ ତେଲଙ୍ଗାବଜାର କାହା ଓଳିରେ ପଡିବେ । କେତେ ମୁସ୍କିଲରେ ଟିକିଏ ଭଲ ବାଟକୁ ଆଣିଛି, ନଜରରୁ ଟିକେ ଉହାଡ ହେଲେ କ’ଣ ବୋଲି କ’ଣ ସେ କରି ପକାଇବେ । ତେଣୁ ସେ ଖୁବ୍ ଗୋଟାଏ ପାଟି କରି କହିଲେ, “ନାହିଁ ନାହିଁ, ତୁମେ ଭୁବନେଶ୍ୱର ଫୁବନେଶ୍ୱର କାହିଁ କୁଆଡେ ବି ଯାଇପାରିବ ନାହିଁ, ଘରେ ବସିଥାଅ ।”
ବାବୁ କହିଲେ – ହଁ, ସତ-ସତ, ଠିକ୍ କହିଲ, କୁଆଡେ ତିନିଦିନ ଯାଏଁ ଯିବି? ଆଚ୍ଛା ମୁଁ ଉଚ୍ଛୁଣି ଯାଉଛି, ଧବଳେଶ୍ୱର ମହାଦେବଙ୍କୁ ଦର୍ଶନ କରି ସଞ୍ଜ ସଞ୍ଜ ଲେଉଟି ଆସିବି ।
ସାଆନ୍ତାଣୀ – ନା-ନା, ତାହା ବି ହେବ ନାହିଁ ।
ବାବୁ – ଆଚ୍ଛା ନ ହେଲା ନାହିଁ, ଗୋଟାକେତେ ଟଙ୍କା ଦେଲ, କଟକସହର ଭିତରେ ଯେତେ ମହାଦେବ ଅଛନ୍ତି, ସେମାନଙ୍କୁ ପୂଜାକରି ବାହାରି ଆସେ ।
ସାଆନ୍ତାଣୀ – ଆଚ୍ଛା ମକ୍ରାକୁ କହ, ଗୋଟାଏ ବଗି ଡାକିଆଣୁ, ଦୁହେଁ ଯାଇ ଠାକୁର ଦର୍ଶନ କରିବା, ପୂଜା ବି ଦେବା ।
ସାଆନ୍ତାଣୀଙ୍କ ଏପରି କଥାରେ ବାବୁ ହତୋତ୍ସାହ ହୋଇ ନିଃଶ୍ୱାସଟିଏ ପକାଇ ସେଠାରୁ ତୁରନ୍ତ ଚାଲିଗଲେ । ତା’ପରେ ସେ ଗୋଟାଏ ଜାଗାରେ ବସି ଟିକିଏ ଚିନ୍ତା କଲେ । ଆରେ! ଭଲ ଫିକରଟାଏ ମନରେ ପଡିଗଲା । ବାହାବା! ଆଚ୍ଛା କଥା । “ଆଗୋ! ଶୁଣୁଛ? ମୋ ଦେହଟା ବି ଭଲ ନାହିଁ, ଏହିପରି ପରିସ୍ଥିତିରେ ବାରଆଡେ ବୁଲିଲେ ଫେର୍ କିଛି ଗୋଟାଏ ବେମାର ବାହାରି ପଡିପାରେ । ଖଡିରତ୍ନେ ଏ କଥା ବି କହିଛନ୍ତି, କୁଆଡେ ନ ଯାଇ ମହାଦେବଙ୍କୁ ଧାରଣା କଲେ ମୋର ସବୁ ରୋଗ ନିଶ୍ଚୟ ଛାଡିଯିବ ।”
ସାଆନ୍ତାଣୀ – ସେ ଧାରଣା କି ରକମ?
ବାବୁ – ରକମ କଣ କି, ଜ୍ୟୋତିଷେ କହିଛନ୍ତି; ପୂରା ପାଂଚ ପହର କାଳ-ଧର-ପାଂଚ ପହର ହେଲେ ଏତେବେଳୁ ରାତି ନ’ଟାଯାଏଁ, ଖଣ୍ଡେ ବଡ କମ୍ବଳ ଘୋଡି ହୋଇ ମୁହଁମାଡି ଲମ୍ବ ହୋଇ ଶୋଇପଡିବି । ଆଉ କିଛି କଥା ମନରେ ନ କରି ପୃଥିବୀରେ ଯେତେ ଠାକୁର ଦେବତା ଅଛନ୍ତି ସମସ୍ତଙ୍କୁ ଧ୍ୟାନ କରୁଥିବି ।
ସାଆନ୍ତାଣୀ କହିଲେ – ତାହାହେଲେ ସବୁ ଗ୍ରହ ଅବଳ କଟିଯିବ ତ?
ଏକଥା ଶୁଣି ସେ ବାବୁ ମନ ମଧ୍ୟରେ ଖୁସିଟାଏ ହୋଇ କହିଲେ – ହଁ ହଁ, ଖଡିରତ୍ନେ କହିଛନ୍ତି ବିଲକୁଲ୍ ଗ୍ରହ ଅବଳ କଟିଯିବ । ସେ ଆହୁରି ବି ଗୋଟାଏ କଥା ବାରମ୍ବାର କରି କହି ଦେଇଛନ୍ତି । ଦଶଟି ଟଙ୍କା ଠାକୁରଙ୍କ ନାମରେ ମନାସି ମୁଣ୍ଡତଳେ ଦେଇଥିବି, ମାସକ ବାଦ୍ ଦେହ ଭଲ ହୋଇଗଲେ ସେଇ ଟଙ୍କାରେ ଠାକୁରପୂଜା ଆଉ ବ୍ରାହ୍ମଣ ବୈଷ୍ଣବଙ୍କୁ ଭୋଜନ ଦିଆଯିବ ।
ସାଆନ୍ତାଣୀ – ଆଜି କ’ଣ କିଛି ଖାଇବ ନାହିଁ?
ବାବୁ – ରାମ! ଋାମ! ଠାକୁର ଦେବତା ଧ୍ୟାନବେଳେ କିଛି କ’ଣ ଖା’ନ୍ତି? ଦିନଯାକ ଖାଡା ଓପାସ । ଟୋପାଏ ପାଣି ବି ନା ।
ସାଆନ୍ତାଣୀ ନିଃଶ୍ୱାସଟାଏ ପକାଇ କହିଲେ – ଆଚ୍ଛା ତେବେ ଧାରଣା ଦିଅ ।
ବାବୁ କହିଲେ – ଆଉ ଗୋଟିଏ କଥା, ଧାରଣା ଘର ମଧ୍ୟରେ ହେବ ନାହିଁ, ସେଥିପାଇଁ ପବିତ୍ର ଥାନ ଲୋଡା । ଘରେ ଆଇଁଷ ରନ୍ଧାଯାଏ – ଧୂଆଁ ବୁଲି ଅପବିତ୍ର ହୋଇଯାଇଛି । ଏହା ତ ଆଉ କୋଉ ଦେବତା କଥା ନୁହଁନ୍ତି; ହର ପାର୍ବତୀ କଥା । ଦାଣ୍ଡ ବଙ୍ଗଳା ପାଖରେ ଯେଉଁ ସାନ ଗମ୍ଭୀରି ଘର ଅଛି ସେହି ଘରଟି ପବିତ୍ର । ସେ ଘର ନିରୋଳ ହେବ । ଖୁବ୍ ସାବଧାନ୍ । ସେ ଘରେ ତିର୍ଲାଲୋକ ଛାଇ ପଡିଲେ – ପାଟି ଶୁଭିଲେ ଧ୍ୟାନ ଫଳ ମିଳିବ ନାହିଁ, ସବୁ ଅକାରଣ ହୋଇଯିବ । ସାବଧାନ୍ । ସେ ପ୍ରସ୍ତରେ କେହି ତିର୍ଲାର ଛାଇ ପଡିବ ନାହିଁ – ପାଟି ବି ଶୁଭିବ ନାହିଁ ।
ସାଆନ୍ତାଣୀ ବାବୁଙ୍କ କଷ୍ଟ କଥା ମନରେ ପକାଇ ଭାରି ମନଦୁଃଖ କରି ଘର ଭିତରକୁ ଚାଲିଗଲେ । ଠିକ୍ ସେତିକିବେଳେ ରୋଷେୟା ବ୍ରାହ୍ମଣ ଆସି ପଚାରିଲା, ‘ଆଜ୍ଞା! ଆଜି ରୋଷେଇ କଣ ହେବ?’
ସାଆନ୍ତାଣୀ – ଆଜି ବାବୁଙ୍କର ଓପାସ, ମୁଁ ଆଉ କଣ ଖାଇବି? ତେଣୁ ଆଜି ରୋଷେଇବାସ ସବୁ ବନ୍ଦ ।
ତା’ପରେ ସେ ରୋଷେୟା ବ୍ରାହ୍ମଣ ଟିକିଏ ମୁରୁକିହସା ଦେଇ ସେଠାରୁ ଚାଲିଗଲା । ମନରେ କଲା, ଆମ ସାଆନ୍ତାଣୀ ଗୋଟିଏ ବଡ ଅଦ୍ଭୁତ ସ୍ତ୍ରୀ, ସ୍ୱାମୀ ଉପରେ ତାଙ୍କର ଭକ୍ତିର କୌଣସି ସୀମା ନାହିଁ, ବାବୁ ଟିକିଏ ବାଧକି ପଡିଲେ, ଆପେ ନ ଖାଇ ନ ପିଇ ଦିନଯାକ ତାଙ୍କ ପାଖରେ ବସି ସେବା କରୁଥିବେ, ବାବୁଙ୍କର ଟିକିଏ ନିନ୍ଦାକଥା ଶୁଣିଲେ ହଠାତ୍ ସେ କାନ୍ଦି ପକାଇବେ, ଆଉ ରାଗିଲେ ତ ସେ ସମୟରେ ବାଡି ପଡୁ କି ଛାଂଚୁଣୀ ପଡୁ ଯାହା ବି ହାତରେ ପଡୁ ସେଥିରେ ତାଙ୍କୁ ବାଡେଇବାକୁ ଧାଇଁବେ – ଯାବତ ଖରାପ କଥାରେ ଗାଳିଦେବେ । ହେଲେ ସାଆନ୍ତାଣୀଟି ବଡ ଭଲ, ବଡଲୋକ ଝିଅ, ବଡଲୋକ ବୋହୂ, ତାଙ୍କ ମନ ବି ଠିକ୍ ସେଇପରି ବଡ । ମାତ୍ର ସେ ଟିକିଏ ରାଗୀ; ତେଣୁ ତାଙ୍କ ମୁହଁଟା ବଡ କଡା ।
ବାବୁ ମକ୍ରା ଚାକର ଟୋକାକୁ ଦାଣ୍ଡପଟକୁ ଡାକି ଖୁବ୍ ତୁନି ତୁନି ଖୁବ୍ ସାକୁଲେଇ ସାକୁଲେଇ କହିଲେ, “ଶୁଣ ମକରୁ, ଗୋଟାଏ କାମ ମୋ ପାଇଁ କରିବୁ ।ଏହି କମଳ ଖଣ୍ଡ ଘୋଡିହୋଇ ଗମ୍ଭୀରି ଭିତରେ କବାଟକୁ ଆଉଜି ଶୋଇଥା । ରାତି ଘଡିକ ସରିକି ମୁଁ ଲେଉଟି ଆସିବି; ସେତେବେଳଯାଏଁ ତୁ ଶୋଇଥିବୁ । ମାତ୍ର ଖବରଦାର! ସେ ଘରୁ କେବେବି ବାହାରିବୁ ନାହିଁ ।”
ମକ୍ରା – ଆଜ୍ଞା ନା; ଆଜ୍ଞା ନା; ମୁଁ କେବେବି ଏହି କାମକୁ ପାରିବି ନାହିଁ, ସାଆନ୍ତାଣୀ ଗାଳି ଦେବେ; ତଥା ଖପା ମଧ୍ୟ ହେବେ ।
ଏକଥା ଶୁଣି ବାବୁ ଖପା ହୋଇ କହିଲେ, “ପାଜି, ଦୁଷ୍ଟ, ଭୂତ । ମୋ କଥା ଶୁଣିବୁ ନାହିଁ? ତୁ ଜାଣୁ, ତୋତେ ମୁଁ ବାଡେଇ ପକାଇବି ।” ଟିକିଏ ବାଦ୍ ସେ ବାବୁ ପୁଣି କହିଲେ, “ନାହିଁରେ ମକରୁ ନାହିଁରେ, ମୁଁ ତୁଚ୍ଛା ଟାପରା କରୁଥିଲି । ଦେଖ ମକରୁ, ତୁ ତୋ କେନ୍ଦ୍ରାପଡା ମାମୁଘରକୁ ଯିବୁ ବୋଲି କହୁଥିଲୁ ପରା, ହଉ ତୁ କାଲି ଯିବୁ । ତୋତେ ମୁଁ ଚାରିଦିନ ଛୁଟି ଦେଲି, ଏଇ ନେ ଚାରିଟା ଟଙ୍କା ଖରଚ କରିବୁ, ଆଉ ମୁଁ ତୋତେ ଗୋଟାଏ ଅଙ୍ଗା କିଣିଦେବି ।”
ମକରୁ ଆଉ କିଛି କଥା ନ କହି କମ୍ବଳ ଘୋଡିହୋଇ ସେ ଗମ୍ଭୀରି ଭିତରେ ଧାରଣା ଦେଇ ଶୋଇଲା ।
ଏଣେ ସାଆନ୍ତାଣୀଙ୍କ ମନରେ ଆଦୌ ସୁଖ ନାହିଁ । ଗାଧୋଇ ଆସି ଆପଣା ଶୋଇବା ଘରେ ଖଣ୍ଡେ ଆସନ ପାରି ବସିଲେ । ଯେତେ ଠାକୁର ଦେବତାଙ୍କ ନାମ ତାଙ୍କ ମନରେ ପଡିଲା, ବାବୁଙ୍କ ଗ୍ରହ ଅବଳ ଶାନ୍ତିପାଇଁ ପ୍ରାର୍ଥନା କଲେ । ତା’ସାଙ୍ଗକୁ ଧବଳେଶ୍ୱରଙ୍କୁ ସହସ୍ର କୁମ୍ଭ ପଂଚାମୃତ ବି ମାନିଲେ । “ହେ ମା କଟକଚଣ୍ଡୀ! କାଳିଗଳିର କାଳୀ ଠାକୁରାଣୀ! ବାବୁଙ୍କ ଦେହ ଭଲ ହୋଇଯାଉ; ମୁଁ ସେ ଦୁହିଁଙ୍କୁ ଦୁଇଖଣ୍ଡ କଳାକସ୍ତା ଶାଢି; ଯୋଡାଏ କଳା ବୋଦା ବଳି ଦେବି ।” ଏହିପରି ଠାକୁର ଦେବତାଙ୍କୁ ଡାକୁ ଡାକୁ ଦିନ ତିନପହର ବିତିଗଲାଣି । ମନରେ କଲେ; ଧ୍ୟାନରୁ ଉଠି ତାଙ୍କ ସ୍ୱାମୀ କଣ ଖାଇବେ? ଅନ୍ନ ତ ଛୁଇଁବେ ନାହିଁ; କେବଳ ଫଳାହାର କରିବେ । ତେଣୁ ସାଆନ୍ତାଣୀ ପାଚିଲା କଦଳୀ, ନଡିଆ, ଛେନା, ଦୁଧ, ଦହି ସବୁ ସଜିଲ କରି ଘରେ ଥୋଇଦେଲେ । ଥରକୁ ଥର ସେ ବାହାର ଛାଇକୁ ଅନାଉଛନ୍ତି, ଆଉ ମାତ୍ର ଦିନ ଦୁଇଘଡି ଅଛି – ମଝି ବାହାର ଖରା ଚାଳି ଉପରକୁ ଉଠିଗଲାଣି । ହାତରେ ଆଉ କିଛି ପାଇଟି ନାହିଁ, ତେଣୁ ସାଆନ୍ତାଣୀ ଖାଲି ଘର ବାହାରେ ନହର ପହର ହେଉଛନ୍ତି । ସଂନ୍ଧ୍ୟା ହୋଇ ଆସିଲା, ତା’ପରେ ସେ ସାଆନ୍ତାଣୀ ଧୀରେ ଧୀରେ ଗମ୍ଭୀରି ଦୁଆର ପାଖକୁ ଗଲେ । ବାବୁ କହିଛନ୍ତି, ତିର୍ଲାଲୋକ ଛାଇ ପଡିବ ନାହିଁ । ତଳେ ଚାରିପାଖକୁ ଅନାଇଲେ, ନାହିଁ ତ ଛାଇ ପଡି ନାହିଁ ! କାଳେ ପାଟିରୁ କଥା ବାହାରି ପଡିବ, ଆପଣା ପଣତକାନି ପାଟିରେ ଜାକିଦେଲେ, ଅଳ୍ପ ଟିକିଏ କବାଟ ମେଲେଇ ଦେଲେ, ଦେଖିଲେ ଘର ଭିତରଟା ଭଲ ଦିଶୁ ନାହିଁ, ଅନ୍ଧାରିଆ, ବାବୁ ସ୍ଥିର ହୋଇ ଧ୍ୟାନରେ ପଡିଛନ୍ତି । “ହାୟ! ହାୟ! ବାବୁଙ୍କୁ ଏସବୁ କେତେ ବାଧୁଥିବ? ହେ ଠାକୁର ଦେବତାମାନେ! ମୋ’ ବାବୁଙ୍କୁ ଭଲ କରିଦିଅ । ଦେବତାମାନେ ସତ ଅଛନ୍ତି, ଦୁଃଖୀର ଗୁହାରି ଶୁଣନ୍ତି, ମୁଁ କେତେ ପ୍ରାର୍ଥନା କଲି, ବାବୁଙ୍କ ନିଶାଖିଆ ଛଡାଇଦେଲେ । ମା’ କାଳୀ ଠାକୁରାଣୀ! ବାବୁଙ୍କ ଦେହ ଭଲ କରିଦିଅ । ଗୋଟାଏ “କାଳିଆ ବୋଦା, ଆଉ ଗୋଟାଏ କାଳିଆ କୁକୁଡା ବଳି ଦେବି ।” ଏହା କହି ସେ ସାଆନ୍ତାଣୀ ଭୂଇଁରେ ମୁଣ୍ଡ ଲଗାଇ ଠାକୁର ଦେବତାଙ୍କୁ ଢେର୍ ଥର ଜୁହାର କଲେ ।
ତହିଁବାଦେ ସେ ସାଆନ୍ତାଣୀ ଅଳ୍ପ ଦୁଆର ମେଲାକରି ଭିତରକୁ ଯେମିତି ଗୋଡ ବଢେଇ ଦେଇଛନ୍ତି, ସେ ଦେଖିଲେ ତା’ଭିତରଟା ଖୁବ୍ ଅନ୍ଧାରିଆ – କମ୍ବଳ ଭଲ ଦିଶୁ ନାହିଁ, ଏକାବେଳକେ ବାବୁଙ୍କ ମୁଣ୍ଡରେ ଗୋଡ ପଡିଗଲା ତାଙ୍କର । ସେହି କ୍ଷଣି ସେ ହଠାତ୍ ତାଙ୍କ ଜିଭ କାମୁଡି ପଛକୁ ନେଉଟି ପଡିଲେ, ଓ କାନ୍ଦି ପକାଇଲେ, ‘ହାୟ! ମୁଁ କେଡେ ଅପରାଧ କଲି ।’ ହାତ ଯୋଡି ବାବୁଙ୍କ ଉଦ୍ଧେଶ୍ୟରେ, ଠାକୁର ଦେବତାଙ୍କ ଉଦ୍ଧେଶ୍ୟରେ ଢେର୍ ଥର କ୍ଷମା ମାଗିଲେ । ତହିଁ ଉତାରେ ଧୀରେ ଧୀରେ ଭଲକରି ଅନାଇ ସେ ଭିତରକୁ ଗଲେ । ବାବୁଙ୍କ ଦୁଇ ଗୋଡ ତିନି ତିନିଥର ମୁଣ୍ଡରେ ଲଗାଇ ମାସାଆନ୍ତାଣୀ ଜୁହାର କଲେ । ଜୁହାର କଲାବେଳେ କମ୍ବଳ ଗୋଟାଯାକ ଖାଲି ଥରିଯାଉଥାଏ । ଜୁହାରବେଳେ ବାବୁଙ୍କ ଗୋଡରୁ , ସାଆନ୍ତାଣୀଙ୍କ ହାତକୁ ଝାଳ ଲାଗିଲା । ତା’ପରେ ଏସବୁ ଦେଖି ସାଆନ୍ତାଣୀ ମନେ ମନେ ହେଲେ ‘ହାୟ! ହାୟ! ବାବୁ ଝାଳରେ ପୁରାପୁରି ବୁଡିଗଲେଣି ।’ ଏହା ଭାବି ସେ ସାଆନ୍ତାଣୀ ତାଙ୍କ ପଣତ କାନିରେ ବାବୁଙ୍କ ଗୋଡ ପିଠି ଭଲକରି ପୋଛିଦେଲେ । ମୁହଁ ପୋଛିବାକୁ ଯାଇ ସେ ଦେଖିଲେ, ତାଙ୍କ ମୁଛ ହାତକୁ ଲାଗିଲା ନାହିଁ । ‘ଏଁ- ଏ କଅଣ? ବାବୁଙ୍କ ମୁଛ ନାହିଁ ।’ ଦୁଇଥର ଅଣ୍ଡାଳିଲେ, ତିନିଥର ଅଣ୍ଡାଳିଲେ, ‘ନାହିଁ ତ-ମୁଛ କାହିଁ?’ ତେଣୁ ଭାରି ସନ୍ଦେହ ହେଲା ସାଆନ୍ତାଣୀଙ୍କର, କବାଟଟା ଭଲକରି ମେଲାଇ ଦେଇ ସେ ଅନାଇଲେ, କମ୍ବଳଟା ଟାଣି ପକାଇଲେ । ଭାରି ରାଗିଯାଇ ପଛକୁ ଡେଇଁପଡି ପାଟିଟାଏ କରି କହିଲେ, “ଡାଙ୍କୁଣୀଖିଆ- ଅଳପାଇସିଆ – ନଈସୁଆ, କିରେ ମକ୍ରା, ତୁ ଏଠି କିଆଁ ପଡିଛୁ ରେ?” ମକ୍ରା ଏବେ ଆଉ କ’ଣ କହିବ? ଖାଲି ଚୋରଟି ପରି ହାତ ଯୋଡି କାନ୍ଥକୁ ଆଉଜି ତୁନିହୋଇ ଛିଡା ହୋଇଛି । ଏଣେ ସାଆନ୍ତାଣୀ ଘଡିଏ ଯାଏଁ ଗର୍ଜନ କରି ଥକି ପଡିଲେଣି । ତାହାବାଦେ ସେ ମନରେ ବିଚାର କଲେ – ନାହିଁ ନାହିଁ, ଗୋଳମାଳ କଲେ ଯମା ଭଲ ହେବ ନାହିଁ । ଅସଲ କଥାଟା କ’ଣ ଆଗ ବୁଝିବାକୁ ହେବ । ମକ୍ରାକୁ ସଲାରେ ରଖିବାକୁ ହେବ । ତା’ପରେ ସେ ସାଆନ୍ତାଣୀ ଧୀରେ ଧୀରେ କଅଁଳେଇ କଅଁଳେଇ କହିଲେ, “ଆରେ ମକରୁ! ତୁ ମାମୁଘରକୁ ଯିବୁ ବୋଲି ପରା କହୁଥିଲୁ? ଯା- କାଲି ଯିବୁ । ଏଇ ନେ ଚାରିଟା ଟଙ୍କା, ବାଟ ଖରଚ କରିବୁ, ଖଜା କିଣି ଖାଇବୁ । କାଲି ତୋତେ ଗୋଟାଏ ମାଣିଆବନ୍ଦି ଯଥା ଦେବି, ପିନ୍ଧିବୁ । ଉଛୁଣି କିଛି ବି ପାଟି କର ନା – ଯା, ରୋଷେଇଘର କଣରେ ତୁନି ହୋଇ ବସିଥିବୁ ।”
ମକ୍ରା ମନରେ କରିଥିଲା, କାଳେ ସାଆନ୍ତାଣୀ ତାକୁ ବାଡେଇ ପକେଇବେ । ଏ’ କ’ଣ, ନଗଦ ସାଙ୍ଗେ ସାଙ୍ଗେ ଚାରିଟା ଟଙ୍କା, ପୁଣି ଯୋଡାଏ ଲୁଗା ମିଳିବ । ଏଥର ମନରେ ଆନନ୍ଦଟା ଆଉ ସମ୍ଭାଳି ପାରୁ ନାହିଁ ସେ ମକ୍ରା । ସାଆନ୍ତଙ୍କ ଟଙ୍କା ପୁଞ୍ଜାକ ଅଂଟିରେ ଖୋଷିଥିଲା, ସେସବୁକୁ କାଢି ଏ ଟଙ୍କା ସାଙ୍ଗରେ ମିଳେଇ ଦୁଇଥର ତିନିଥର ଗଣିଲା । ଆଠଟଙ୍କା ଭଲକରି ଅଂଟିରେ ଖୋଷି ରୋଷେଇଘର କଣରେ ଯାଇ ସେ ଲୁଚିଲା । ଆଉ ୟାଡେ ସାଆନ୍ତାଣୀ ଗମ୍ଭୀରି ଭିତରେ ମକ୍ରା ଜାଗାରେ ଧାରଣା ଦେଇ ପଡିରହିଲେ ।
ରାତି ପହରକ ସରିକି ସେ ଚନ୍ଦ୍ରମଣିବାବୁ ତୁନି ତୁନି ଆସି ସେ ଗମ୍ଭୀରି ଦୁଆରେ ପହଁଚିଗଲେ, ପୂରା ନିଶା, ଚାଲିବାବେଳେ ତାଙ୍କ ଗୋଡ ଟଳିଯାଉଛି, କଥା ଖନି ବାଜୁଛି, ତା’ପରେ ଧଡକରି ସେ କବାଟଟା ମେଲେଇ ଦେଲେ । ଦେଖିଲେ ମକ୍ରା ଧାରଣା ଦେଇ ପଡିଛି । ତେଣୁ ସେ ବାବୁ ଭାରି ଖୁସିଟାଏ ହୋଇ ନାଚି ନାଚି ଗୀତ ଆରମ୍ଭ କଲେ
‘ବାବାବା ମଜାଦାର!
ମଦ ଗଞ୍ଜା ଗୁଣ ଯେ ଜାଣେ ସେଇ ତ ସମଜଦାର ।’
“ଉଠ ଭାଇ ମକ୍ରୁ! ସାବାସ୍ ବାବା ମକ୍ରୁ! ମେରି ଦୋସ୍ତ ମକ୍ରାମ୍ । ଶୁଣ ମକ୍ରା, ଉଠ, ଉଠ । ଏଥର କୋଉଁ ଶଳା, ଶାଳୀକୁ ଡରରେ? ମକ୍ରା! ଆଜିକା ମଜା କଥା ମୁଁ ବା ତତେ ଆଉ କ’ଣ କହିବି? ତୋ ସାଆନ୍ତାଣୀ ପୋଇଲୀଟା, ଦି’ମାସ ହେଲା ମୋତେ ଅଟକାଇଛି – ପାଟି ପଡିଯାଇଥିଲା – ଦି’ ମାସର ମଜା ଏକା ଦିନକେ ଫତେ । ଆରେ ସେ କ’ଣ ଆଜିକା କଥା? ତା’ ସାଙ୍ଗରେ ମୋର ପରା ଦୀର୍ଘ ତିନି ବରଷର ଦୋସ୍ତି, ପ୍ରୀତି । ସେଇ ଯେ ଗୋପାଳବାବୁ ଦୁଆରକୁ ନାଚିବାକୁ ଆସିଥିଲା, ସେଇଦିନୁ ତ ତା’ର ମୋର ଦୋସ୍ତି । ସାବାସ୍ । ମଜେଦାର୍! ତା’ ନାମ କ’ଣ ଜାଣୁ? ତୋ ସାଆନ୍ତାଣୀ ନାମଟା ହେଲା, ସୁଲ ଚୂନା । ସୁଲ କ’ଣ ନା, ପୋଖରୀରେ ହୁଏ, ଚୂନା ଚକୁଳି ପିଠା ହୁଏ । ଛି, ଛି, ଛି! କି ଅପରିଛନିଆ ନାମ । ମାତ୍ର ତା’ ନାମ ଉସ୍-ମାନ୍-ତା-ରା! ବାହାବା ମଜେଦାର! ଜିତେ ରହ ମେରି ଉସ୍ମାନ୍ ତାରା । ନାମଟା ଯିମିତିକା, ତା’ର ଗୁଣ ବି ଠିକ୍ ସେଇ ରକମ । ଗୁଣ ତ ଗୁଣ ଉସମାନ ତାରା – କ୍ୟା ମଜେଦାର । ଦେଖ ତ ମକ୍ରାମ୍, ତା’ର କେତେ ବୁଦ୍ଧି, କେତେ ମେହେରବାନି, ପୁରୁଣା ଦୋସ୍ତି ସେ ଭୁଲିପାରି ନାହିଁ । କାଲି ଆସି ଯିମିତି ସେ କଟକରେ ଗୋଡ ଦେଇଛି, ମୋତେ ପରା ସେ ଡାକି ପଠାଇଛି । ମୁଁ ତ ତାକୁ ଦେଖି ନିଧି ପାଇଗଲି, ସେ ତ ଆନନ୍ଦରେ ହସି ହସି ଢଳି ପଡିଲା । ମୁଁ ବିଛଣାରେ ବସିଛି କି ନା ଲାଗିଲା ମାଲର ଧୁମ୍ । ସବୁ ଠିକ୍ ଠାକ୍ ସଜିଲ୍ କରି ସେ ରଖିଛି । ଟିପା ଗଞ୍ଜେଇ – ମଦତ ହୁକା – ମେରୁ, ସବୁ ଠିକ୍ । ଆଗ ଫିଟିଲା ମାଲ ବୋତାଲ । ସେଗୁଡିକ ଆସ୍କା କି ରମ୍ ନୁହେଁ; ଅସଲ ବିଲାତୀ ନମ୍ବର ଉଆନ । ତୁ ଯେବେ ସେଥିରୁ ଗ୍ଲାସେ ଟାଣି ଦିଅନ୍ତୁ ନା, ଦେଖନ୍ତୁ ସେଥିରେ କି ମଜା । ଆମେ ଦି’ଜଣ ସଙ୍ଗେ ସଙ୍ଗେ ବୋତଲ ଖାଲି କରିଦେଲୁଁ । ଖାଲି – ର – ତୁଚ୍ଛା – ର, ହେଲେ ସେଥିରେ ଟୋପାଏ ବି ପାଣି ନାହିଁ । ତୋ ସାଆନ୍ତାଣୀ ରୋଜ ନିଜେ ତିଆରି କରେ ପୁରି, ସରଭଜା, କ୍ଷୀରୀ । ଆରେ ଛି! ସେଗୁଡାକ ତ ବିରାଡି ଖାଏ । ସେ ଯେ କରି ରଖିଥିଲା ଲୁଣିଆ ବୁଟ-ଭଜା – ଶୁକୁଆପୋଡା, ମାଲ ସାଙ୍ଗକୁ ମଜାଦାର; ତେଣୁ ମୁଁ ସେଠାରେ ପେଟେ ମାରିଦେଲି । ଦେ ମଜାଦାର! ତୋ ସାଆନ୍ତାଣୀକୁ ଚିତାଦେଇ ମୁଁ କିମିତିକା ଦଶଟଙ୍କା ମାରି ନେଇଥିଲି । ସେସବୁ ମଉଜ ଜାଗାକୁ ତୁଚ୍ଛା ହାତରେ କ’ଣ କେହି କେବେ ଯାଏ? ତା’ ଆଗରେ ମୁଁ ଟଙ୍କା ଯେମିତି ଥୋଇଦେଇଛି, ଟିକିଏ ଚାହିଁଦେଇ ସେ ଆଗ ତା ମୁହଁ ମୋଡିଦେଲା । କିନ୍ତୁ ମୁଁ ତ ଖୁବ୍ ହୁସିଆର ମଣିଷ, ତୋ ସାଆନ୍ତଣୀ ପରି କ’ଣ ହେଣ୍ଡା? ତେଣୁ ମୁଁ ଠିକ୍ ବୁଝିପାରିଲି, ତାର ଆଦୌ ପସନ୍ଦ ହେଲା ନାହିଁ । କିମିତି ପସନ୍ଦ ହେବରେ? ଦିନେ ରାତିରେ ମଜୁରା କଲେ ସେ ଶହ ଶହ ପାଏ । ଏଣୁ ମୁଁ ତାକୁ କହିଆସିଛି କାଲି ଶହେ ଟଙ୍କା ଦେବି । ତା’ପରେ ସେ ହସି ହସି କହିଲା, ‘ଟଙ୍କା କ’ଣ ହେବ? ତୁମେ କିନ୍ତୁ ନିଶ୍ଚୟ ଆସିବ ।’ ସତ ସତ, ସେ କ’ଣ ଟଙ୍କା ଚାହେଁ? ଚାହେଁ ଖାଲି ମୌଜ । ସେ ଟଙ୍କା ଚାହେଁ ନାହିଁ, ତା’ର କ’ଣ ଟଙ୍କାର ଅଭାବ? ହେଲେ ମୁଁ କ’ଣ ଅସତ୍ୟା ହେବି? ଜବାବ୍ ଦେଇଛି ତ, ଟଙ୍କା ବି ନିଶ୍ଚୟ ଦେବି । କାହିଁକିନା କଥାରେ ପରା ଅଛି ‘ମରଦ କି ବାତ୍ ହାତୀକା ଦାନ୍ତ ।’ କାଲି ଟଙ୍କା ଶହେ କୋଉଠୁ ଆଣିବି ଜାଣୁ? ହୋ ହୋ । ବଡ ମଜା । ତୋ ସାଆନ୍ତାଣୀ ନାଟବନ୍ଦି ଟଙ୍କା ସେହି ସିନ୍ଦୁକରେ ରଖିଛି । ଗୋଟାଏ ଲୁହାକଂଟାରେ ସିନ୍ଦୁକଟା ଫିଟାଇ ପକାଇ ଆଚ୍ଛାକରି ଚିତା ଦେବି । ଦି’ ତିନିଥର ତ ଟଙ୍କା ନେଲିଣି । ହେଲେ ତୋ ସାଆନ୍ତାଣୀ ବୋପା, କି ତା’ ଗୋସେଇଁବୋପା ବି ଏହି ଚୋରିର ଟେର ସୁଧା ବି ପାଇପାରିବ ନାହିଁ । ସିନ୍ଦୁକରେ ଢେର୍ ଟଙ୍କା ସେ ରଖିଛି, ମୋ’ ହାତରେ ସେତକ ପଡିଗଲେ ନା କଟକର ଫାଙ୍କେ ମଉଜରେ ସେସବୁକୁ ମୁଁ ଭସାଇ ଦିଅନ୍ତି । ତୋ ସାଆନ୍ତାଣୀ ଯଦି ଗିଲାସେ ମଦ ଟାଣି ଦିଅନ୍ତା, ତାହେଲେ ଯାଇ ସେ ବୁଝନ୍ତା କେଡେ ମଉଜ । ହେଲେ ସେ ମଉଜ ଠିକ୍ ବୁଝିଛି ଉସ୍-ମାନ୍-ତାରା । ଏଇଟା ତ କାଠ ମୂର୍ତ୍ତିଟାଏ! ଆଜି ମାଲ ସାଙ୍ଗରେ ପେଟେ ଚାଟ୍ ପକେଇଛି । ତୋ ସାଆନ୍ତାଣୀ ବାପ ଶଳା ବି ତା’ସାତ ଜନ୍ମରେ ଏସବୁ କେବେବି ଦେଖି ନ ଥିବ ।
ଠିକ୍ ଏତିକିବେଳେ ସାଆନ୍ତାଣୀ ସେ କମଳ ଖଣ୍ଡକ ପାଂଚହାତ ଦୂରକୁ ଫୋପାଡିଦେଇ ଡେଇଁ ପଡିଲେ । ତା’ପରେ ଭାରି ଗୋଟାଏ ଗର୍ଜନ କରି ସେ କହିଲେ, “କ’ଣ କହିଲୁ, କ’ଣ କହିଲୁ ମଦୁଆ, ଯୋଗିନୀଖିଆ । ମୋ ବାପ ତୋ ଶଳା । ଦିନଯାକ ଯାଇ କେଉଁଠି ପଡୁଥିଲୁ ରେ? ହୁଁ କ’ଣ – ଉସ୍ମାନ ତାରା?”
ଏଣେ ସେ ବାବୁ ତ ଡରରେ ଛାନିଆ ହୋଇଗଲେଣି, ତେଣୁ ସେ ଚଂଚଳ କହି ପକାଇଲେ, “ନା – ନା, ମୁଁ କାହିଁ ଯାଇ ନାହିଁ, ଟିକିଏ ବାହାରକୁ ପ୍ରସାବ କରିବାକୁ ଯାଇଥିଲି – ତୁମ ରାଣ, ତୁମ ମୁଣ୍ଡ ଛୁଉଁଛି ।”
ସାଆନ୍ତାଣୀ ତ କ୍ରୋଧରେ ଅଜ୍ଞାନ । ତେଣୁ ସେ କହିଲେ, “ହଁ ରେ ମୋ ମୁଣ୍ଡ ଛୁଇଁ, ମୋ ମରିବାକୁ ତ ତୁ ଚାହିଁଛୁ?”
ଘରେ ଗୋଟିଏ ଛାଂଚୁଣୀ ପଡିଥିଲା; ସେଇଟା ଧରି ସୂଲଚନା ଦେ ପ୍ରହାର – ପ୍ରହାର – ମୁଣ୍ଡରେ, ପିଠିରେ, ହାତରେ ଯେଉଁଠି ବାଜୁ । ଶେଷରେ ସେ ବାବୁ ଆଉ ସମ୍ଭାଳି ପାରିଲେ ନାହିଁ, ଦେ ଦୌଡ! ନିଶା ଝୁଙ୍କରେ ଗୋଡ ଦିଟା ତାଙ୍କର ଖାଲି ଟଳମଳ ହେଉଛି । ଦୁଲଦାଲ ହୋଇ ତେଣୁ ସେ ପଡିଗଲେ । ତା’ ଉପରେ ବି ପାଣି ଅସରା ପରି ଛାଂଚୁଣୀ ପଡୁଛି ।
ସାଆନ୍ତାଣୀ ଥକିଯିବାରୁ ସେ ଘର ଭିତରକୁ ଯାଇ ଭୂଇଁରେ ଲଥ୍ କରି ଶୋଇ ପଡିଲେ । ଆକୁଳ ହୋଇ କାନ୍ଦୁଛନ୍ତି । କାନ୍ଦୁ କାନ୍ଦୁ ଯେତେ ଠାକୁର ଦେବତା ମନରେ ପଡିଲେ, ସମସ୍ତଙ୍କୁ ଡାକି ସାଆନ୍ତାଣୀ କ୍ଷମା ମାଗିଲେ, “ହେ ଠାକୁର ଦେବତାମାନେ! ମୋତେ କ୍ଷମାକର, ମୋ ଦେବତା ସ୍ୱାମୀକୁ ମୁଁ ଆଜି ବାଡେଇଛି, ବଡ ଅପରାଧ କରିଛି, ତେଣୁ ମୋ ଦୋଷ କ୍ଷମାକର, ଆଉ ମୋ ସ୍ୱାମୀକୁ ସୁବୁଦ୍ଧି ଦିଅ ।” ରାତି ପାହିଗଲାଣି । ସାଆନ୍ତାଣୀଙ୍କ ରାଗଟା ବି ଧିରେ ଧିରେ ଚାଲିଗଲାଣି, ତେଣୁ ଧୀରେ ଧୀରେ ଯାଇ ସେ ଦେଖିଲେ, ବାବୁ ଠା ଭୂଇଁରେ ପଡିଛନ୍ତି । ତାଙ୍କଠୁଁ ନିଶା ଛାଡିଗଲାଣି, ସକାଳେ ଶୀତଳ ପବନ ଲାଗି ତାଙ୍କୁ ଭାରି ନିଦଟାଏ ହୋଇଛି । ଘଡଘଡ କରି ତାଙ୍କ ନାକ ଡାକୁଛି । ସାଆନ୍ତାଣୀ ଅନାଇ ଦେଖିଲେ, ପିଠି ହାତ ଗୋଡ ଜାଗା ଜାଗା ଛାଂଚୁଣୀମାଡରେ ଫୁଲିଯାଇଛି । ଗୋଟାଏ ଗୋଟାଏ ଜାଗାରେ ରକ୍ତ ବି ବୋହି ଶୁଖିଗଲାଣି । ଏ ସବୁ ଦେଖି ସେ ସାଆନ୍ତାଣୀ ଭାରି ଆକୁଳରେ କାନ୍ଦିଲେ – “ହାୟ ! ମୁଁ ଏ କ’ଣ କଲି । ସ୍ୱାମୀ ଦେବତାଙ୍କୁ ଛାଂଚୁଣୀରେ ବାଡେଇଲି । ହାୟ ! ହାୟ ! ମୋ ଦଶା କ’ଣ ହେବ?” ଆଉ ଥରେ ଡାକିଲେ – “ଠାକୁର ଦେବତାମାନେ! ମୋ ଦୋଷ କ୍ଷମା କର ।” ଝରଝର ହୋଇ ଦୁଇଆଖିରୁ ଦୁଇଧାର ବହୁଛି । ତା’ପରେ ସେ ସାଆନ୍ତାଣୀ ଗିନାଏ ରାଶିମାଲପା ଆଣି ବାବୁଙ୍କ ଫୁଲା ଜାଗାମାନଙ୍କରେ ଧୀରେ ଧୀରେ ଘଷିଦେଲେ ଆଉ ଗିନାଏ ମାଲପା ଆଣି ଦେହଯାକ ଲଗାଇ ଦେଲେ । ଦିନ ଦୁଇଘଡିସରିକି ବାବୁଙ୍କ ନିଦ ଭାଙ୍ଗିଲା । ଟିକିଏ ଅନାଇଦେଲେ, ଦେଖିଲେ ସାଆନ୍ତାଣୀ ତାଙ୍କ ପାଖରେ ବସିଛନ୍ତି । ତେଣୁ ଏ ବାବୁଙ୍କ ମନରେ ଭାରି ଗୋଟାଏ ଡର ପଶିଗଲା, କେଜାଣି ଆଉଥରେ ବା ସେ ଛାଂଚୁଣୀରେ ବାଡେଇ ପକେଇବେ । ଆଉ ନିଦ ତ ନାହିଁ, ଯାହା ଆଖି ବୁଜି ସେ ତୁଛାକୁ ଘାଲେଇ ପଡିଥାନ୍ତି । ଆଉଥରେ ଧୀରେ ଧୀରେ ଅନାଇ ବାବୁ ଦେଖିଲେ, ସାଆନ୍ତାଣୀଙ୍କ ମୁହଁରେ ଆଉ ସେ ରାଗର ଚିହ୍ନ ନାହିଁ । ଦୁଇ ଆଖିରୁ ତାଙ୍କର ଦୁଇଟା ଧାରା ବହିଯାଉଛି, ଧୀରେ ଧୀରେ ଗୋଡରେ ତେଲ ଘଷି ଦେଉଛନ୍ତି । ଏଥର ସେ ସାଆନ୍ତାଣୀ ଠିକ୍ ବୁଝିପାରିଲେ ଯେ, ବାବୁଙ୍କର ନିଦ ଭାଙ୍ଗିଲାଣି । ଏଣୁ ଚାରିମାଠିଆ ଜଳ ଅଣାଇ ତାଙ୍କ ଶୋଇବା ଜାଗାରେ ଥୋଇଲେ – ବାବୁଙ୍କ ହାତ ଧରି ଉଠାଇ ବସାଇଲେ । ମୁଣ୍ଡରେ ଦେହରେ ତାଙ୍କର ଜଳ ଢାଳି ଭଲକରି ତାଙ୍କୁ ସ୍ନାନ କରାଇଦେଲେ । ବାବୁଙ୍କର ନିଶୋର ଖେଉରିରେ ଦେହଟା ଖାଲି ଜଳୁଥିଲା, ତେଣୁ ଜଳ ପଡି ବଡ ଆରାମ୍ ଲାଗୁଥାଏ ବାବୁଙ୍କୁ । ଏଣେ ଏ ବାବୁ ଆଖି ବୁଜି ଠାକୁରଟି ପରି ଧୀର ହୋଇ ବସିଥାନ୍ତି । ସାଆନ୍ତାଣୀ ଶୁଖିଲା ଲୁଗା ପିନ୍ଧାଇ ଦେଲେ । ରୋଷେୟା ଭାତ ପରଷିଗଲା । ସାଆନ୍ତାଣୀ ବଳେଇ ବଳେଇ ଦି’ଟା ଭୋଜନ କରାଇଲେ; ତହିଁବାଦେ ଭଲକରି ଶେଯଟା ପାରି ବାବୁଙ୍କୁ ସୂଲଚନା ଶୁଆଇ ଦେଲେ । କାଲିଠାରୁ ସାଆନ୍ତାଣୀଙ୍କର ଓପାସ୍, ଆଜି ବି ଜଳସ୍ପର୍ଶ ନାହିଁ । ସ୍ୱାମୀଙ୍କ ଗୋଡତଳେ ବସି ହାତ ବୁଲାଉଛନ୍ତି । ଦିନଯାକ ଆଖିରୁ ପାଣି ଶୁଖିବାକୁ ନାହିଁ ତାଙ୍କର । ସେ ସାଆନ୍ତାଣୀ ମନ ମଧ୍ୟରେ ଖାଲି ଠାକୁର ଦେବତାଙ୍କୁ ଡାକୁଛନ୍ତି, “ହେ ପ୍ରଭୁ! ମୋ ଦୋଷ କ୍ଷମାକର, ମୋ ସ୍ୱାମୀଙ୍କୁ ସୁବୁଦ୍ଧି ଦିଅ ।” ଦିନଯାକ ସ୍ୱାମୀ ସ୍ତ୍ରୀ କାହାରି ମୁହଁରୁ କିଛି ବି କଥା ବାହାରି ନାହିଁ, ଘରେ ଚାକର ଚାକରାଣୀ ମଧ୍ୟ ସମସ୍ତେ ତୁନିତାନି । ସ୍ୱାମୀ ସ୍ତ୍ରୀ କେହି କାହାରି ମୁହଁକୁ ଲାଜରେ ଆଉ ଭରସି କରି ଚାହିଁ ପାରୁନାହାଁନ୍ତି । ପରସ୍ପର ଦୁହେଁ ଆପଣା ଆପଣାକୁ ଅପରାଧୀ ମଣି ମନତୁଷ୍ଟି ପାଇଁ ସାଧ୍ୟାନୁସାରେ ଚେଷ୍ଟା କରୁଥାନ୍ତି । ବାବୁଙ୍କ ମନ ମଧ୍ୟରେ ପ୍ରତିଜ୍ଞା, ଆଜିଠାରୁ ସବୁ ନିଶା ଗୋରକ୍ତ, ବିଷ୍ଠା ।
ଦୁଇମାସ ଗଲା, ଚାରିମାସ ଗଲା, ଛ’ ମାସ ବି ଗଲାଣି । ସାଇପଡିଶା, ଜ୍ଞାତି ବନ୍ଧୁ-ବାନ୍ଧବମାନେ ଦେଖିଲେ, ଚନ୍ଦ୍ରମଣିବାବୁଙ୍କ ଘରେ ରୋଜ ସକାଳେ ଯେ ଦୁଇ ଜଣଙ୍କ ମଧ୍ୟରେ ଭଟ୍ ଭଟ୍ ଲାଗିଥାଏ, ସେସବୁ ଆଉ କିଛି ଶୁଣାଶୁଣି ନାହିଁ । ଦୁଇଜଣ ଏକ ଜାଗାରେ ବସି ହସି ଖୁସି କଥାବାର୍ତ୍ତା କରନ୍ତି, କିତାବ ପଢନ୍ତି । ଉତ୍କଳ ସାହିତ୍ୟ, ମୁକୁର, ଦୀପିକା ଖବରକାଗଜ ପଢନ୍ତି । ବାବୁ ହେଣ୍ଡ୍ନୋଟ୍ରେ ଢେର୍ ଟଙ୍କା ଦେଣା କରି ପକାଇଥିଲେ, ବର୍ଷଟା ଭିତରେ ଅଧାଅଧି ଶୁଝିଗଲାଣି । ବାବୁ ଘରୁ ବାହାରନ୍ତି ନାହିଁ । କେଉଁ ଜାଗାରୁ ନାଟ ତାମସାର ନିମନ୍ତ୍ରଣ ଆସିଲେ ସାଆନ୍ତାଣୀ ହେଂଟାରିଲେ, ପେଲାପେଲି କଲେ ବି ବାହାରୁ ନାହାଁନ୍ତି । ଦିନେ ଦିନେ ସଞ୍ଜବେଳେ ଦୁଇଜଣ ବଗିଟିରେ ବସି ସହରଯାକ ବୁଲି ଆସନ୍ତି ।
ସହର ଲୋକେ ସାଙ୍ଗସୁଙ୍ଗା ବାବୁମାନେ ଏସବୁ ଦେଖିଶୁଣି ବଡ ଆଶ୍ଚର୍ଯ୍ୟ । ଆରେ କଥା କ’ଣ? ବାବୁଙ୍କ ବାପେ ଜମିଦାର ଶ୍ୟାମ ପଟ୍ଟନାୟକେ ମାଷ୍ଟର ରଖି ବାବୁଙ୍କୁ ପଢାଇଥିଲେ । ସ୍କୁଲରେ ବି ସେ ପଢୁଥାନ୍ତି । ଏତେ ପଢିଲେ କ’ଣ ହେଲା? ବଦ୍ସଙ୍ଗରେ ପଡି ଭାରି ନିଶାଖୋର ହୋଇଗଲେ ସେ । କେବଳ ଦିନ ରାତି ସେ ବଦ୍ଖିଆଲି, ଚରିତ୍ର ଏକାବେଳେ ଗଲା, ରାତିଯାକ ମନ୍ଦଜାଗାମାନଙ୍କରେ ବୁଲାବୁଲି, ଯେତେ ମତୁଆଲା ମନ୍ଦ ଲୋକ ସେସବୁ ତାଙ୍କର ସାଙ୍ଗ । ଭଲ ଲୋକେ ପାଂଚଜଣ କହିଲେ, ‘ପୁଅ ବିଭାହେଲେ ତା’ର ଚରିତ୍ର ନିଶ୍ଚୟ ବଦଳିଯିବ ।’ ରାମକୃଷ୍ଣ ମହାନ୍ତିଙ୍କର ଗୋଟିଏ ଝିଅ, ସେ ପରମା ସୁନ୍ଦରୀ, ଖୁବ୍ ଗୁଣବତୀ । ଜମିଦାରବାବୁ ତାକୁ ବୋହୂ କରି ଆଣିଲେ । ତେବେ ବି ସେ ପୁଅ ମୋଟେ ସୁଧୁରିଲା ନାହିଁ, ଘରୁ ମାଲମତା ନଗଦ ଟଙ୍କା ଚୋରି କରି ସେ ଉଡାଏ, ଦେଣା ପାଂଚଟଙ୍କା ନେଇ କୋଡିଏ ଟଙ୍କାର ହେଣ୍ଡ୍ନୋଟ୍ ଲେଖିଦିଏ । ଏଣେ ଘର କଥା, ଜମିଦାରୀ କଥା କିଛି ବି ସେ ବୁଝିବାକୁ ନାହିଁ । ଜମିଦାରବାବୁ ଦେଖିଲେ ଆଉ ହେବ ନାହିଁ, କୁଳାଙ୍ଗାରଟା ଏ ବିଶାଳ ସମ୍ପତ୍ତି ସବୁ ଉଡାଇ ଦେବ । ବୋହୂ ଶ୍ରୀମତୀ ସୁଲୋଚନା ଦେଈ ନାମରେ ଚଳାଚଳ ସମସ୍ତ ସମ୍ପତ୍ତି ଲେଖିଦେଇ ଯାଇଛନ୍ତି । ବାପା ଯେତେ ବୁଝାଇଥିଲେ, ଶ୍ୱଶୁରେ ଆସି ଯେତେ ବୁଝାଇଥିଲେ, କାହିଁରେ କିଛି ହୋଇ ନ ଥିଲା । ହଠାତ୍ ରାତିକ ଭିତରେ ଏଡେ ଭଲ ଲୋକ ସେ ପାଲଟିଗଲେ କିପରି? ଗୋପୀବାବୁ ଜଣେ ମସ୍କରିଆ ଭଳିଆ ଲୋକ, ହସି ହସି ସେ କହିଲେ, “ସେଦିନ ରାତିରେ ସାଆନ୍ତାଣୀ ଯେ ଅର୍ଦ୍ଦାଳିଆ ଛାଂଚୁଣୀ ବୃଷ୍ଟି କରିଥିଲେ ଏଇଟା ତାହାରି ଫଳ । ନିଶା, ବଦଖିଆଲ ଯେତେ ଉତ୍କଟ ରୋଗ, ଛାଂଚୁଣୀ ପ୍ରହାର ଔଷଧରେ ସବୁ ଛାଡେ ।”
ଏହା ଛଡା ଶ୍ୟାମଘନବାବୁ ହସି ହସି କହିଲେ, “କାହିଁ ବୈଦ୍ୟଶାସ୍ତ୍ର, ଡାକ୍ତରୀ କିତାବ କାହିଁରେ ଏ ରୋଗକୁ ଔଷଧର ତ ବ୍ୟବସ୍ଥା ନାହିଁ?”
ଗୋପୀବାବୁ କହିଲେ, “ଆରେ ତୁମେ ବୁଝିଲ ନାହିଁ, ଏଇଟା ହେଲା ସାଆନ୍ତାଣୀଙ୍କର ଆବିଷ୍କାର ।
ଗାଳ୍ପିକ – ଫକୀରମୋହନ ସେନାପତି