• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଉପନ୍ୟାସ»ପୁଲିସ ତଦାରଖ :
ଉପନ୍ୟାସ

ପୁଲିସ ତଦାରଖ :

ଫକୀର ମୋହନ ସେନାପତିBy ଫକୀର ମୋହନ ସେନାପତିNovember 26, 2018No Comments17 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ପ୍ରତିଦିନ ଗୋବିନ୍ଦପୁରରେ ଯେପରି ରାତି ପାହେ, ଆଜି ମଧ୍ୟ ଠିକ୍ ସେହିପରି ପାହିଅଛି; କିନ୍ତୁ ସୂର୍ଯ୍ୟ ସଙ୍ଗେ ଦେଖା ନାହିଁ । ମେଘଟା ଝରଝର ଫରଫର କରୁଥିଲା ‘ସକାଳ ମେଘ ମେଘ ନୁହେଁ, ସକାଳ କୁଣିଆଁ କୁଣିଆଁ ନୁହେଁ ।’ ଆକାଶଟା ଟିକିଏ ସଫା ହୋଇଗଲାଣି, ବଛାବଛି କାମ ସରିଛି, କେହି ବିଲ ବାଡ଼ିକୁ ଯିବାକୁ ନାହିଁ । କେହି ପିଣ୍ତାରେ ବସି ବାଟଣା ବାଟୁଛି, କେହି ଗୁହାଳ କଢ଼ାରେ ଲାଗିଛି, କେହି କେହି ଝାମ୍ପିଟାଏ ମୁଣ୍ତରେ ହାତରେ ଦଉଡ଼ି ଖଣ୍ତେ ଦା’ଟାଏ ଧରି କାହାଳିଟାଏ ଓଟାରି ଓଟାରି ବାହୁଙ୍ଗିଟାଏ କାନ୍ଧରେ ପକାଇ ଘାସ କାଟିବାକୁ ବାହାରିଅଛି, କେହି ପିଢ଼ାରେ ଚଢ଼ି କଖାରୁ ଡଙ୍କ ସଳଖି ଦେଉଅଛି, ଘରେ ଲୁଣ ନଥିବାର ଶୁଣି ହରି ପୁହାଣ ବିବଧ ଯୁକ୍ତି ପଦର୍ଶନ ପୂର୍ବକ ଆପଣା ଭାର୍ଯ୍ୟାର ଅପରିମିତ ବ୍ୟୟଶୀଳତା ସାବ୍ୟସ୍ତ କରୁଅଛି । ମାଈକିନିଆମାନେ ବାସିପାଇଟିସାରି ବାଡ଼ି ପୋଖରୀକୁ ବାହାରିଲେଣି । ତନ୍ତୀସାଇଟା ଝମ୍ ଦୁମ୍, ଝସଦୁମ୍ ଶଦ୍ଦରେ ଉଚ୍ଛୁଳି ପଡ଼ିଅଛି, ତନ୍ତୀଆଣୀମାନେ ପିଣ୍ତାରେ ବସି ଖଡ଼ରଖଡ଼ର କରି ନଟେଇ ବୁଲାଇ ପକାଉଛନ୍ତି । ବେଳ ଅନ୍ଦାଜ ତିନି ଘଡ଼ିକି ଦଣ୍ତେ ଦୁଇଖଣ୍ତ ବେଶି, ଶାମ ସାହୁଘର ହଳିଆ ଗୋପାଳ ସାମଲ ଝାମ୍ପିଟିଏ ମୁଣ୍ତରେ ଦେଇ କୋଡ଼ି ଧରି ନଇଁପଡ଼ି ବିଲର ହିଡ଼ ବାନ୍ଧୁଥିଲା । ବାଟ-ପାଖିଆ ବିଲ, ସାମନ୍ତ ଘର ହଳିଆ ଘୁଷୁରିଆ ଗୋବରା ଜେନା ଘରଆଡ଼କୁ ଚଞ୍ଚଳ ଚାଲିଅଛି, ଗୋପାଳିଆ ଉପରେ ନଜର ପଡ଼ିଯିବାରୁ ତାକୁ ହାତ ଟେକି ଇଶାରା କରି ପାଖକୁ ଡାକିଲା, ମୁଁ ଗୋଟିଏ ଭାରି କାମରେ ଯାଉଛି, ଭାରି ଗୁପ୍ତ କଥା, ତୋତେ ବିଶ୍ୱାସ ପାଏ ବୋଲି କହୁଛି । “ତାହା କାନରେ ତୁନି ତୁନି କରି କହିଲା, “ବୁଝି ଖବରଦାର ! ଏ କଥା ଯେମନ୍ତ ଆଉ କାହା କାନରେ ନ ପଡେ ସାଆନ୍ତଙ୍କର ମନା ଅଛି ।” ଘୁଷୁରିଆ ଯାଉଁ ଯାଉଁ ବାଟରେ ମକର ଜେମା ପାଣକୁ ଭେଟିଲା, ତାହା କାନରେ ଉପଦେଶ ଦେଇ ଚାଲିଗଲା ତାହା ବାଦ୍ ଦନେଇ ସାହୁ, ବିନୋଦିଆ, ନଟବରିଆ, ଭୀମା ମା ଏମାନଙ୍କ ସଙ୍ଗରେ ସାକ୍ଷାତ ହେଲା, ସେମାନଙ୍କୁ ମଧ୍ୟ ସେହିପରି ତୁନି ତୁନି କହି ସେହିପରି ଗୁପ୍ତରେ ରଖିବାକୁ ଉପଦେଶ ଦେଲା । ଗୋପାଳିଆ କାମ କରିବ କଣ ସାହୁ ପାଖକୁ ଧାଇଁଲା । ହରି ସାହୁ କହିଲା ଶାମ ସାହୁକୁ; ହଟିଆ କହିଲା ନଟିଆକୁ, ଜେମା ମା କହିଲା ଶାମା ମାକୁ, ଶ୍ରୀମତୀ କହିଲା କନ୍ୟା ବୋହୂକୁ, ଗ୍ରାମ ଗୋଟାକ ଯାକ କୁହାକୁହି ହେଲେ । ସମସ୍ତଙ୍କ ତୁନି ତୁନି କଥା, ଗୋପନ ରଖିବାକୁ ସମସ୍ତଙ୍କର ଉପଦେଶ । କେହି କହିଲା, ଉଁଛୁଣି ଜମାଦାର ପହଞ୍ଚିବ, ଆଉ ଜଣେ ପ୍ରତିବାଦ କରି କହିଲା, ନାହିଁ ନାହିଁ, ଖୁଣି ମାମଲା, ଦାରୋଗା ନିଜେ ଘୋଡ଼ାରେ ଚଢ଼ି ଆସିବେ, ମାତ୍ର ଜାଣିବା ଶୁଣିବା ଲୋକମାନେ କହିଲେ, ଏ କି ତମ ଆମ ଘର କଥା ? କଟକରୁ ନିଜେ କୁମ୍ପୁନୀ ପଲଟନ ଘେନି ଆସିବ, ଗାଁ ଲୋକେ ଯେ ବନ୍ଧାଛନ୍ଦା ହେବେ, ଏହା ନିଃସନ୍ଦେହ, ସର୍ବବାଦୀସମ୍ମତ । ଦଣ୍ତକ ମଧ୍ୟରେ ଗାଁ ନିସ୍ତବ୍‌ଧ ହୋଇଗଲା । ବୋହୂଗୁଡ଼ାକ ପାଣିରେ ବୁଡ଼ିପଡ଼ି ଘରକୁ ଧାଇଁଛନ୍ତି, ଲୁଗା ଚିପୁଡ଼ିବାକୁ ବେଳନାହିଁ । ଲୁଗା ଧଡ଼ର ଧଡ଼ର ବାଜି ଗୋଡ଼ତଳେ ଝରଝର ହୋଇ ପାଣି ବୋହି ପଡୁଅଛି । ଚଞ୍ଚଳରେ ମାଠିଆ ପୂରାଇ ପାରି ନାହିଁ, ଅଧାମାଠିଆ ପାଣି ବେଶି ଦେହହିତୈଷୀମାନେ ସଭାରେ ବକୃତା କଲାପରି ଘଟର ଘଟର କରି ଭାରି ଗର୍ଜନ କରୁଅଛି । ବେତ୍ରହସ୍ତ ଅବଧାନେ ସହସା ଅନ୍ତର୍ଦ୍ଧାନ ହେବାରୁ ଚାଟ ଟୋକାଗୁଡ଼ାକ ଗୋହିରୀରେ ଭାରୀ ଗୋଳମାଳ କରି ଧାଁ ଦଉଡ଼ ଲଗାଇଅଛନ୍ତି । ଖୂଣୀ ଆସାମୀକୁ ପୁଲିସ ବାନ୍ଧି ନେଲା ପରି ଗୋଟାଏ ସାନ ପିଲାକୁ ବଡ଼ ଚାଟ ଧରି ଘେନି ଯାଇଥିଲେ । ସେହି ପଲିଟା ସମସ୍ତଙ୍କଠାରୁ ବେଶି ଧାଇଁଛି ।

ଘୁଷୁରିଆ ଫେରିଆସି ସାଆନ୍ତକୁ ଖବର ଦେଲା, ଗୋବରା ଜେନା ଘରେ ନାହିଁ । ସାଆନ୍ତେ ପ୍ରଥମେ ହଳିଆ ପଠାଇଲେ, ତାହା ବାଦେ ଆପେ ତନ୍ତୀସାଇ ଦୁଆର ଦୁଆର ବୁଲିଲେ, ଜଣକର ସୁଦ୍ଧା ଭେଟ ପାଇଲେ ନାହିଁ । ଆଉ ଯାହା ଦୁଆରକୁ ଯା’ନ୍ତି, ତାହାର କବାଟ କିଳା, ଘରେ କେହି ନାହିଁ । ମଙ୍ଗରାଜେ ନିତାନ୍ତ ବ୍ୟସ୍ତ ହୋଇପଡ଼ି ଘର ବାହାର ହେଉଛନ୍ତି, କାହାରି ଭେଟ ନ ପାଇ କିଛି ସ୍ଥିର କରିପାରୁ ନାହାନ୍ତି ଘୁଷୁରିଆ ହଳିଆ ଗୋଟାଏ ଠେଙ୍ଗା ଧରି ବାଡ଼ିପଟରେ କୁକୁର ତଡୁଅଛି, ଯୋଡ଼ାଏ ବିଲୁଆ କିଆବଣ ଭିତରେ ପଶି ଜଳ ଜଳ କରି ଓଳିକୁ ଚାହିଁ ତୁନି ହୋଇ ପଡ଼ିଛନ୍ତି ।

ବେଳ ଦୁଇ ପ୍ରହର ଗଡ଼ିଗଲା । ଗୋବିନ୍ଦପୁର ଗ୍ରାମ ପୂର୍ବ ମୁଣ୍ତରେ ଗୋଟାଏ ଟାଙ୍ଗଣ ଘୋଡ଼ା ଉପରେ ଏକ ବିଶାଳମୂର୍ତ୍ତି ସୁଆର ଦେଖାଗଲେ । ସୁଆରଙ୍କ ବିଶାଳ ଦାଢ଼ି ଛାତି ଘୋଡ଼ାଇ ପକାଇଛି, ଦେହରେ ଛ’କଲିଆ ଢିଲା ହାତ ଚପ୍‌କନ୍, ମୁଣ୍ତରେ ଜାମଦାନି ଲୁଗାର ବାଙ୍କ ଟୋପି, ଗୋଡ଼ରେ ଢିଲା ପାଇଜାମା । ଘୋଡ଼ା ଠକ୍ ଠକ୍ କରି ମିଠା କଦମ ଚାଲିଅଛି । ଆଗରେ ପଛରେ ପାଞ୍ଚଜଣ ଠେଙ୍ଗାସ୍କନ୍ଧ ଚୌକିଦାର ନସର ପସର ହୋଇ ଧାଇଁଛନ୍ତି । ସମସ୍ତଙ୍କ ଆଗରେ ଗୋବରା ଜେନା ଠେଙ୍ଗା କାନ୍ଧେଇ ଧାଇଁଛି । ମଙ୍ଗରାଜଙ୍କ ଦୁଆର ଆଗରେ ଗୋବରା ପଛମୁହଁ କରି ଛିଡ଼ା ହୋଇଗଲା । ସୁଆର କହିଲେ, “ଏହି ଘର ?” ଗୋବରା ହାତ ଯୋଡି କହିଲା, ‘ଖୋଦାବନ୍ଦ ।’ ସୁଆର ଘୋଡ଼ାରୁ ଓହ୍ଲାଇପଡ଼ି ‘ବିସ୍ ମିଲ୍ଲା’ କହିନିଶ୍ୱାସଟାଏ ପକାଇଲେ ।

ଘଡ଼ିକ ଉତ୍ତରେ ଗୋହିରୀ ଦାଣ୍ତରେ ଆହୁରି ଏକ ଘୋଡ଼ାସୁଆର ମୂର୍ତ୍ତି ଦେଖାଗଲା । ଘୋଡ଼ାଟି ଦଳଖିଆ ତଟୁ ବୟସ ପ୍ରବୀଣତାର ସାକ୍ଷଦେବା ନିମନ୍ତେ ଦେହର ପଞ୍ଜରା ହାଡ଼ଗୁଡ଼ାକ ଉପରକୁ ବାହାରି ପଡ଼ିଅଛି, ପଛ ଦୁଇଗୋଡ଼ ଘଷିହୋଇ ଲୋମଶୂନ୍ୟ, ଘା’ଯୁକ୍ତ ହୋଇଗଲାଣି, ଖୋଲ ପଶିଯାଇ ବଡ଼ ବଡ଼ ଆଖି ଦୁଇଟା ବାହାରି ପଡ଼ିଅଛି, ପିଠିରେ ଖୁଗରୀ, ତାହା ଉପରେ ଲାଲ ବନାତର ଚାରଜାମା । ସୁଆରଟି କିନ୍ତୁ ବିଶାଳ ଶରୀର, ପୋଷାକ ମଧ୍ୟ ବଡ଼ଲୋକ ଭଳିଆ – ମାଣିଆବନ୍ଦୀ ଚାରିଫୁଲିଆ ଧୋତି ପିନ୍ଧା, ଦେହରେ ବନ୍ଧଲଗା ଗନ୍ତା, ମୁଣ୍ତରେ ମଝିସିଆଁ ଛଫୁଲିଆ ରହୁମୀ ବନ୍ଧା । ଘୋଡ଼ା ପଛରେ ଜଣେ ଚୌକିଦାର ବାଉଁଶ ଠେଙ୍ଗା କାନ୍ଧରେ ପକାଇ ଡାହାଣ ହାତରେ ଖଣ୍ତେ ବାସଙ୍ଗ ଛଡ଼ି ଧରି ବାଡ଼ୋଉଅଛି ଏବଂ ପାଟିରେ ଟାକରା ଫୁଟାଉଅଛି । ସଇସ ପାଣଟୋକା ଖଣ୍ତେ ଝୋଟଦଉଡ଼ି ବାଗଡୋର ଲଗାଇ ଆଗରେ ଭିଡୁଅଛି । ଘୋଡ଼ାଟା ବେକ ଲମ୍ବ କରିଦେଇ ବଡ଼ କଷ୍ଟରେ ଧୀରେ ଧୀରେ ଟଳଟଳହୋଇ ଚାଲୁଅଛି । ଏହି ସୁଆର ମଧ୍ୟ ପୂର୍ବ ସୁଆରଙ୍କ ପରି ମଙ୍ଗରାଜଙ୍କ ଦୁଆର ଆଗରେ ଜଣେ ଲୋକ କାନ୍ଧରେ ଦୁଇହାତ ଭରାଦେଇ ଓହ୍ଲାଉ ଓହ୍ଲାଉ ହାମୁଡ଼ି ପଡ଼ିଗଲେ । ଉଠିପଡ଼ି ସେହି ଲୋକ ଗାଲରେ ଠୋ କରି ଚାପୁଡ଼ାଟାଏ ମାରିଲେ – ଅର୍ଥାତ୍ ଲୋକମାନେ ଜାଣନ୍ତୁ ସେହି ଲୋକର ଅସାବଧାନତା ଏହି ପତନର କାରଣ ଅଟେ, ନୋହିଲେ ଏପରି ପକ୍‌କା ସୁଆର ପଡ଼ିବାର ନୁହେଁ । ସୁଆର ଓହ୍ଲାଇଯିବା ମାତ୍ରକେ ସଇସ ପିଲା ଧରୁଁ ଧରୁଁ ଜଗନ୍ନାଥ ମହାପ୍ରଭୁଙ୍କ ରଥ ଆଗ ଶରଧା ବାଲିରେ ଭକ୍ତ ଗଡ଼ିଗଲା ପରି ଘୋଡ଼ାଟା ତିନି ଚାରି ଥର ଗଡ଼ିଯାଇ ଠିଆହେଲା । ଘୋଡ଼ାଟା ଧୂଳିରେ ଗଡୁଥିବା ସମୟରେ ସୁଆର ମଧ୍ୟ ଦାନ୍ତନିଷିଡ଼ି ଦେହର ସ୍ଥାନ ଅସ୍ଥାନରେ ଯାଦୁଗୁଡ଼ାକୁ କୁଣ୍ତେଇ ପକାଇଲେ ।

ସେଖ ଇନାତ୍ ହୋସେନ୍ କଟକ ଜିଲ୍ଲାରେ ଜଣେ ଅଉଲ ନମ୍ବର ପୁଲିସ ଦାରୋଗା, ପାର୍ଶି ଇଲମରେ ଭାରି ମଜବୁତ୍ । ଓଡ଼ିଆ ନାଲାଏକ୍ ଇଲମ, ସେଥିସକାଶେ ସେ ଲେଖନ୍ତି ନାହିଁ, ସରକାରୀ କାଗଜରେ ପାର୍ଶି ଦସ୍ତଖତ କରନ୍ତି । ଲାଏକତୀ ହେତୁରୁ ବାର ବରଷ ହେଲା ଏକ କଲମରେ କେନ୍ଦ୍ରାପଡ଼ା ଥାନାରେ ଅଛନ୍ତି । ଗଲା ବରଷ କେବଳ ସଦର କଚେରୀ ସେରସ୍ତାଦାର ଆଉ ପେଷ୍କାରଙ୍କ ପର୍ବଣ ଫରମାସ ପହ୍ଞ୍ଚିବାରେ ବିଳମ୍ବ ହେବାରୁ ଥରେ ବଦଳି ଗୋଳମାଳ ଶୁଣା ଯାଉଥିଲା । ମୁନସି ଚକ୍ରଧର ଦାସ ମଧ୍ୟ ଜଣେ ଓଆକଫକାର ପୁଲିସ ଅମଲା । ଏହାଙ୍କ ରିପୋର୍ଟ ପଢ଼ି ମେଜେଷ୍ଟର ସାହେବ ଭାରି ଖୁସ୍ ଥିବାର ଚୌକିଦାରମାନଙ୍କଠାରୁ ସର୍ବଦା ଶୁଣାଯାଏ ।

ମଙ୍ଗରାଜଙ୍କ କଚେରୀ ମେଲାରେ ପୋଲିସ କଚେରୀ ବସିଅଛି । ଖୋଦ୍ ଦାରୋଗା ସେଖ୍ ଇନାଏତ୍ ହୋସେନ ଖଣ୍ତେ ସତରଞ୍ଜିରେ ଦାଢ଼ି ମେଲାଇ ଦେଇ ବସିଛନ୍ତି । ଆଗ ଡାହାଣପାଖରେ ମୁନସି ଚକ୍ରଧର ଦାସ ହେଁସ ଉପରେ ବିଛା ଘୋଡ଼ା ଚାରଜାମାରେ ବସିଛନ୍ତି । ଆଗରେ କୋଡ଼ିଏ ହାତ ଦୂରରେ ବରକନ୍ଦାଜ ଗୋଲାମ କାଦର ଏବଂ ପାଞ୍ଚଜଣ ଚୌକିଦାର ଛିଡ଼ା ହୋଇଅଛନ୍ତି । ରାମଚନ୍ଦ୍ର ମଙ୍ଗରାଜ ଗ୍ରେପ୍ତାର ହୋଏ ସେମାନଙ୍କ ନଜରବନ୍ଦୀରେ ମୁଣ୍ତକୁ ତଳେ ପୋତିହୋଇ ବସିଅଛନ୍ତି । ମଙ୍ଗରାଜଙ୍କ ଘର ଚାରିପିଠି ମହାସଭା ବସିଗଲାଣି, ବାହାର ମନୁଷ୍ୟ ଭିତରକୁ ଯିବାକୁ, ଭିତର ମନୁଷ୍ୟ ବାହାରକୁ ଆସିବାକୁ ହୁକୁମ ନାହିଁ । ପ୍ରଥମେ ସ୍ତ୍ରୀ ଲୋକମାନଙ୍କୁ ଏକ ତରଫ କରିଦିଆଯାଇ ଘର ଖାନତଲାସ ଆରମ୍ଭ ହେଲା । ଘରର ପ୍ରତ୍ୟେକ ସିନ୍ଦୁକ, ପେଟରା ଆଡ଼କୁର ତଲାସ ହେଲା, ଧାନ ଅମାରରେ ଲୁହା ଗଜ ମାରି ତଦାରଖ ହେଲା, ଭାତ ହାଣ୍ତି ଖୋଜାଗଲା, ଦୁଇଚାରି ଜାଗା ଚାଳ ଓଲରାଗଲା, କୌଣସି ସନ୍ଦେହୀ ମାଲ ଠିକଣା ହେଲା ନାହିଁ । କେବଳ ମଙ୍ଗରାଜଙ୍କ ପହଡ଼ଘରୁ ତିନି ଚାରି ହାତ ଲମ୍ବରେକେ ମୋଟ ଗୋଟାଏ ବାଉଁଶ ଠେଙ୍ଗା ବରାମଦ ହେଲା । ବାଡ଼ି ପଛ ଓଳିତଳେ ଗୋଠାଏ ସ୍ତ୍ରୀଲୋକର ଲାସ୍ ଖଣ୍ତେ ପୁରୁଣା ହେଁସରେ ଘୋଡ଼ାହୋଇଥିବାର ବରାମଦ ହୋଇ ଦାଣ୍ତ ଦୁଆରକୁ ଅଣାଗଲା । ସେହି ଲାସ୍ ତନ୍ତୀଆଣୀ ସାରିଆର ଥିବାର ଗୋବରା ଜେନା ସନାକ୍ତ କଲା । ଦାରୋଗା ଦାଢ଼ିରେ ହାତ ବୁଲାଇ କହିଲେ, “କେଉଁ ରାମଚନ୍ଦ୍ର ମଙ୍ଗରାଜ ! ଅବ୍ କ୍ୟା ମତଲବ୍ ହୈ-ରତନପୁର ଡୋମ ଲୋକମାନେ ମାମଲା ଇଆଦ ହୈ କି ନାହିଁ ?” ମୁନ୍‌ସି କହିଲେ, “ଏକା ମାଘରେ ଶୀତ ଗଲା ବୋଲି ମଙ୍ଗରାଜେ ମନେକରିଥିଲେ ପରା !” ଆମ୍ଭେମାନେ ଗୋପନରେ ସନ୍ଧାନ କରି ବୁଝିଲୁ, ରତନପୁର ଡୋମମାନଙ୍କୁ ଜେଲ କରାଇଦେବା ସକାଶେ ମଙ୍ଗରାଜେ ଦାରୋଗାଙ୍କୁ ହଜାରେ ଟଙ୍କା ଲାଞ୍ଚ ଯାଚିଥିଲେ; ମାତ୍ର ଫାଙ୍କି ଦେବାରୁ ଦାରୋଗା ସେହି କଥାଟା ମନେ କରାଇଦେଲେ ।

ମାମଲା ତଦାରଖି ଆରମ୍ଭ ହେଲା । ମୁନସି ଚକ୍ରଧର ଦାସ ବିଶାଳ ବସ୍ତାନି ଫିଟାଇ ସେରସ୍ତ ମେଲିଦେଲେ । ‘ବେକରେ ଦଉଡ଼ିବନ୍ଧା’ ମୁହଁରେ ସୋଲବିଣ୍ତା ଦିଆ ଚେନିବାସନର ଦୁଆତ ଆଗରେ ଥୁଆଗଲା । ପାହାଡ଼ୀ ଗୋଟାଏ ଶରକଲମ ଶିଶୁକାଠବେଣ୍ଟିଆ ଛୁରୀରେ କାଟ ଖଣ୍ତେ ସାନ କାଗଜରେ ପରୀକ୍ଷା କଲେ, “ଶ୍ରୀଗୁରୁଦେବ ଉଦ୍ଧାର କରିବେ” “ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଚରଣେ ଶରଣ” “ଶ୍ରୀବଳଦେବଜୀଉଙ୍କ ଚରଣେ ଶରଣ,” ଇତ୍ୟାଦି ଦେବାଦେବୀଙ୍କ ନାମ ଲେଖି କଚେରୀ କାମରେ ହାତ ଦେଲେ ।

ସରକାର କମ୍ପୁନୀ ବାହାଦୂର ମୁଦେଇ । ରାମଚନ୍ଦ୍ର ମଙ୍ଗରାଜ । ସା: ଗୋବିନ୍ଦପୁର । ଜି:କଟକ, ମୁଦାଲା ।

ସାରିଆ ନାମକ ତନ୍ତୀଆଣୀକୁ ବଧ କରି ତାହା ଘରୁ ନେତ ନାମକ ଗାଈ ଏକରାଶ ଏବଂ ଅନ୍ୟାନ୍ୟ ମାଲ ଲୁଟତରାଜ କରି ଆଣିଥିବାର ମୋକଦ୍ଦମା ।

ଗୁହା ତଲାସ ହେଲା – ବରକନ୍ଦାଜ ଚୌକିଦାରମାନେ ଗ୍ରାମଯାକ ବୁଲିଆସି ଖବର ଦେଲେ, ଗ୍ରାମରେ ପୁରୁଷ ଲୋକ ଜଣେ ନାହିଁ, କବାଟ ଫାଙ୍କରୁ ସ୍ତ୍ରୀଲୋକମାନେ ଯେ ଜବାବ ଦେଲେ, ସେଥିରୁ ଜଣାଗଲା, ଆଠପଣ ଲୋକ ଯାଇଛନ୍ତି କୁଣିଆ ଘରକୁ, ଚାରିପଣ ଗୋରୁ ଖୋଜି, ଦୁଇପଣ ଜଗନ୍ନାଥ ଦର୍ଶନକୁ, ଦୁଇପଣ ପଡ଼ିଛନ୍ତି ବାଧିକି । କେବଳ ଦୁଇପଣ ଭଲ ଲୋକ ଭିନ୍ନ ଲୋକ ଗ୍ରାମବାସୀ ଗୁହା ଆପଣାର କର୍ତ୍ତବ୍ୟ ବୁଝି ଆପେ ହଜାର ହୋଇଗଲେ । ଗ୍ରାମର ଲୋକ ହାଜର ନ ହେବାରୁ ଦାରୋଗା ଖପା ହୋଇ ବରକନ୍ଦାଜମାନଙ୍କୁ ଉଲ୍ଲୁ, ଗଧା, ବେକୁଫ୍, ନାଲାଏକ୍ ଇତ୍ୟାଦି ସମ୍ବୋଧନ କରିବାରୁ ଗ୍ରାମଯାକ ହୁରି ହାଲର ପଡ଼ିଗଲା । ଯମକୁ ଫାଙ୍କିଦେଇ ଦୁଇ ତିନିଦିନ ରହିଯାଇପାରେ; ମାତ୍ର ପୁଲିସ୍‌କୁ ଫାଙ୍କିଦେବ କିଏ ? ପୁରୁଷ ଲୋକଗୁଡ଼ିକ ସଳଖ ଘରୁ ବାହାରି ଆସିଲେ । ଦୁଇଦିନ ପର୍ଯ୍ୟନ୍ତ ବତ୍ରିଶ ଜଣ ଗୁହାଙ୍କ ଜବାନବନ୍ଦୀ ଗ୍ରହଣ କରାଗଲା । ପ୍ରଥମ ଦିନରେ ଦୁଇ ଜଣ ଚୌକିଦାର ହମରାଏ ଲାସ୍ ମାଇନା ସକାଶେ ଚାଲାଣ ଦିଆଗଲା । ମୁନସି ସାହେବ ଜେଲକାନା କଏଦୀ ତୟାରି ଅଢ଼େଇ ଦିସ୍ତା ହରିତାଳି କାଗଜରେ ଜମାନବନ୍ଦି କଲମବନ୍ଦ କରି ପକାଇଲେ । ଆପଣ ଜାଣିବା ନିମନ୍ତେ ସେଥିରୁ କେତେ ଜଣ ସାକ୍ଷୀଙ୍କ ଜମାନବନ୍ଦି ଏଠାରେ ପ୍ରକାଶ କରୁଅଛୁଁ –

୧ ନମ୍ବର ଗୁହା ତରଫ ସରକାର କୁମ୍ପୁନୀ ବାହାଦୂର, “ମୋ ନାମ ଗୋବରା, ବାପର ନାମ ଗୁଡ଼ିଆ ଜେନା, ମୁତୋଫ ଜାତିର ପାଣ, ବୟସ ୪୫ ବର୍ଷ, ପେଶା-ଗ୍ରାମରେ ଚୌକିଦାର । ସା ଗୋବିନ୍ଦପୁର । ପ୍ର – ବାଲୁବିଶ । ଜିଲ୍ଲା – କଟକ ।

ମୁଁ ମୌଜା ମଜକୁର ଚୌକିଆ, ସାରାରାତି ଗ୍ରାମରେ ଠିଆ ପହରା ଦିଏ । ଗଲା ରାତିରେ ପହରା ଦେବା ସମୟରେ ଅଧରାତି ଅନ୍ଦାଜ ସାରିଆ ତନ୍ତୀଆଣୀ “ମାରିପକାଇଲା ମାରିପକାଇଲା” ବୋଲି ମଙ୍ଗରାଜ ବାଡ଼ି ପଛଆଡ଼େ ହୁରି ପକାଉଥାଏ, ମୁଁ ଶୁଣିଅଛି । ତାକୁ କେହି ବାଉଁଶ ବାଡ଼ିରେ ମାଇଲା ପରି ଜଣାଯାଉଥାଏ ।”

ସୁଆଲରେ ଜବାବ ଦେଲା, “ନା, ମୁଁ ସେ ସମୟରେ ମଙ୍ଗରାଜଙ୍କୁ ଦେଖି ନାହିଁ ।” ପୁନର୍ବାର କହିଲା, ” ହଁ ହଁ ତାଙ୍କ ପାଟି ଶୁଣିଅଛି । ଏହିଗାଈ ସାରିଆର ଏହାର ନାମ ନେତ । ଆଜିକୁ ମାସେ ହେଲା ମଙ୍ଗରାଜଙ୍କ ଅଗଣାରେ ବନ୍ଧାହେବାର ଦେଖୁଅଛି । କିପରି ଏଠାକୁ ଆସିଲା ଜାଣେନାହିଁ ।” ପୁନର୍ବାର କହିଲା, “ମଙ୍ଗରାଜେ ବାନ୍ଧି ଆଣିଛନ୍ତି ।”

ଏ ବାଡ଼ି ସନ୍ତକ ଗୋବରା ଜେନାର ସହି । ୨ ନମ୍ବର ଗୁହା-ସନା ରଣା ପ୍ରଥମେ ହାଜର ହୋଇ କୌଣସି କଥା ଜାଣି ନ ଥିବାର ପ୍ରକାଶ କଲା । ଦାରୋଗା ସାହେବ ଭାରି ଖପ୍‌ପା ହୋଇ ତାହାକୁ ଚାଟଶାଳୀ ବୁଲାଇ ଆଣିବା ସକାଶେ ହୁକୁମ ଦେବାରେ ସେ ଦୁଇଜଣ ବରକନ୍ଦାଜ ହେପାଜତରେ ଅଧଘଣ୍ଟା ବାଦ୍ ମୁକୁଳା ବାଳ, ଧୂଳିଆ ଦେହ, ପିଠି, ହାତ ଗାଲରେ ମାଡ଼ର ଦାଗ ସହିତ ହାଜର ହୋଇ କହିଲା, “ହଜୁର,ମୁଁ ସବୁ ସତ କହିବି । ମୋ ନାମ ସନା ରଣା, ବାପର ନାମ ବନା ରଣା, ଜାତି ମାଳୀ, ବୟସ ତିରିଶ, ପେଷା – ଗ୍ରାମଦେବୀଙ୍କ ପୂଜା ଆଉ ଚାଷ । ସା-ଗୋବିନ୍ଦପୁର । ପ୍ର – ବାଲୁବିଶ । ଜି – କଟକ ।

“ମୁଁ ସାରିଆକୁ ଚିହ୍ନେ, କିପରି ମଲା ଜାଣେ ନାହିଁ । ଆଜକୁ ଅନ୍ଦାଜ ବରଷେ କି ଦେଢ଼ ବରଷ ହେବ ସକାଳ ଓଳି ମଙ୍ଗରାଜେ ମୋତେ ଜଣେ ହଳିଆ ହାତରେ ତୋଟା ମଧ୍ୟରେ ନିରୋଳାରେ କହିଲେ; ଦେଖ୍ ସନା, ତୋତେ ମୁଁ କହୁଛି, ତୁ ଗୋଟାଏ କାର୍ଯ୍ୟ କରିବୁ । ମୁଁ ଯାହା କହୁଛି, ସେ କାମଟା କରିଦେଲେ ତୋତେ ଭଲ ଗହୀର ଜମି ଦୁଇମାଣ ଚଷିବାକୁ ଦେବି, ଆଉ ଦୁଇଟଙ୍କା ଖଜାଖାଇବାକୁ ଦେବି । ପଚାରିଲି ‘କଣ କରିବି ?’ ସାଆନ୍ତେ କହିଲେ, ଏହି ଯେ ଭଗିଆ ତନ୍ତୀ ଅଛି – ତା ମାଇପ ଯେ ସାରିଆ, ସେଟା ବାଞ୍ଝ । ପୁଅ ହେବାପାଇଁ ପ୍ରତିଦିନ ବୁଢ଼ୀମଙ୍ଗଳାଙ୍କ ପାଖରେ ମୁଣ୍ତିଆ ମାରେ । ତୁ ଯାଇ ତାକୁ କହିବୁ, ଠାକୁରାଣୀ ସ୍ୱପ୍ନରେ କହିଛନ୍ତି, ତୁ ପୂଜା ଦେ, ଠାକୁରାଣୀ ତୋ ସାଙ୍ଗରେ ଆପେ କଥା କହିବେ, ଆଉ ତୋତେ ପୁଅ ଦେବେ । ମୁଁ ଯାଇ ଦୁଇ ତିନି ଥର ଭଗିଆକୁ ଆଉ ସାରିଆକୁ ସାଆନ୍ତେଙ୍କ କହିବା ମାଫିକେ କହିଲି, ସେମାନେ ଭଲକରି ଶୁଣିଲେ, ମାତ୍ର କିଛି ଜବାବ ଦେଲେନାହିଁ । ଦିନେ ଉପର ଓଳି ଭଗିଆ ମୋତେ ତା ଦୁଆରକୁ ଡାକି ଘେନିଗଲା, କିପରି ପୂଜା ହେବ, କି ଦ୍ରବ୍ୟ ଲୋଡ଼ା, କେତେ ଖରଚ ହେବ, ସବୁ କଥା ପଚାରିଲା । ମୁଁ ତାକୁ ସବୁ ବୁଝାଇଦେଲି । ପୂଜାଦ୍ରବ୍ୟ କିଣିବା ସକାଶେ ତା ପାଖରୁ ଦଶ ଅଣା ଦୁଇ ପାହି ପଇସା ଆଣିଲି । ଦିନେ ଶନିବାର ସଞ୍ଜବାଦ ମୁଁ ମଙ୍ଗରାଜେ ଆଉ ଜଗା ଭଣ୍ତାରୀ, କୋଡ଼ି ଧରି ହଳିଆ ଚାରିଜଣ, ମଙ୍ଗଳାଙ୍କ ନିକଟକୁ ଗଲୁ । ମଙ୍ଗରାଜ କହିବା ଅନୁସାରେ ଠାକୁରାଣୀଙ୍କ ସ୍ଥାନ ତଳୁ ପଛ ଦିଗକୁ ଗୋଟାଏ ବଡ ଗାଡ଼ ଖୋଳାଗଲା । ଗାଡ଼ ମଧ୍ୟରେ ଜଗା ଭଣ୍ତାରୀ ଲୁଚିରହିଲା । ଗାଡ଼ମୁଁହ ଡାଳପତ୍ରରେ ଲୁଚାଇଦିଆଗଲା । ମୁଁ ସକାଳୁ ଖବର ଦେଇ ସାରିଆ ଆଉ ଭଗିଆକୁ ଉପାସ ରଖାଇଥିଲି, ଅଧରାତିବେଳେ ଗ୍ରାମ ନିଶୋର ହେବାରେ ସେମାନଙ୍କୁ ଡାକିଆଣିପୂଜା କଲି, ଭୋଗ ଲଗାଇ ଠାକୁରାଣୀଙ୍କୁ ଅନେକ ଜଣାଣ କଲି । ମୋ କହିବା ଅନୁସାରେ ସାରିଆ ଏବଂ ଭଗିଆ ବେକରେ ଲୁଗା ପକାଇ ମୁହଁମାଡ଼ି ଠାକୁରାଣୀ ଆଗରେ ଧାରଣା ପଡ଼ିଥାନ୍ତି । ମୁଁ ଆହୁରି ଜଣାଣ କରି କହିଲି, ‘ମା ମଙ୍ଗଳା ! ସାରିଆକୁ ଆପେ ବର ଦିଅ, ସେ ଅନେକ ଦିନହେଲା ତୁମର ସେବା କରୁଅଛି, ଅନେକ ଲୋକଙ୍କୁ ବର ଦେଲଣି, ଏମାନଙ୍କୁ ବର ଦିଅ । ‘ଜଗା ଗାଡ଼ ଭିତରୁ ଜବାବ ଦେଲା, ‘ଆଲୋ ସାରିଆ, ତୁ ଅନେକ ଦିନ ହେଲ ମୋର ପୂଜା କରୁଛୁ, ପ୍ରତିଦିନ ଗାଧୋଇ ଯିବାବେଳେ ମୋତେ ଜୁହାର ହେଇ ଯାଉ, ପାଣି ଚଳାଏ ଦେଉ, ମୁଁ ସେ ପାଣି ପାଏ, ତୋତେ ବର ଦେଉଛି, ତୋର ତିନିଗୋଟି ପୁତ୍ର ହେବ, ଆଉ ତୋହର ଢେର ଟଙ୍କା ସୁନା ହେବ, ତୁ ମୋହର ଦେଉଳ ତୋଲାଇଦେ । କାଲି ବଡ଼ି ସକାଳେ ଅଧୁଆ ମୁଁହରେ ଦୁଏ ପ୍ରାଣୀ ତନ୍ତୀତୋଠକୁ ଆସିବ, ମୋ ପୂଜା ମନ୍ଦାର ଫୁଲ ଯେଉଁଠାରେ ପଡ଼ିଥିବ ତା ତଳେ ଖୋଳିବୁ, ଯାହା ପାଇବୁ ଘରେ ନେଇ ରଖିବୁ, ପ୍ରତିଦିନ ପୂଜା କରିବୁ, ତୋତେ ସେହିପରି ଥଳି ଥଳି ଦେବି । ମୋ ଆଜ୍ଞା ନ ମାନିଲେ ଭଗିଆ ବେକ ମୋଡ଼ିଦେବି । ‘ସାରିଆ ଭଗିଆ ଦୁଇ ଜଣ ଶୁଣି ଡରରେ ଥରୁଥାନ୍ତି, କିଛି କଥା କହିପାରିଲେ ନାହିଁ । ମୁଁ ପୂଜା ସାରି ସେମାନଙ୍କୁ କିଛି ଭୋଗ ଦେଇ ଘରେ ଛାଡ଼ିଆସିଲି, ବାକି ଭୋଗକୁ ବାନ୍ଧିଲି । ମୁଁ ସେମାନଙ୍କୁ ଛାଡ଼ିଆସିବା ବାଦ୍ ଜଗା ହସି ହସି ଗାଡ଼ରୁ ବାହାରି ଆସିଲା ! ଆମେ ଦୁଇ ଜଣ ସାଆନ୍ତେ ଦେଇଥିବା ଗୋଟିଏ ମୋହର ତୋଠ ପାଖରେ ପୋତି ତାହା ଉପରେ ମନ୍ଦାରଫୁଲ ଥୋଇଦେଇ ଘରକୁ ଗଲୁଁ । ତହିଁ ଆରଦିନ ମୁଁ ଭଗି ଦୁଆରକୁ ଯାଇଥିଲି । ମୋତେ ଦେଖି ସେ ଦୁଇଜଣ କାନ୍ଦଣୁ ମାନ୍ଦୁଣୁ ହୋଇ କହିଲେ, ମୋ କହିବା ଅନୁସାରେ ଦେଉଳ କିପରି ତୋଳାଇବୁ ବୁଦ୍ଧି କହିଦିଅ । ‘ମୋ କହିବା ଅନୁସାରେ ତାହାର ଜମି ‘ଛମାଣ ଆଠଗୁଣ୍ଠ’ ମଙ୍ଗରାଜଙ୍କ ପାଖରେ ବନ୍ଧକ ଦେଇ ଟଙ୍କା ନେଲେ । ସରକାରରୁ ଜମାଦାର ଆସି ଭଗିଆ ଘର ଭାଙ୍ଗିଲେ, ଜମାଦାର ଛିଡ଼ା ହୋଇଥାଏ; ତାହାର ସବୁ ଜିନିଷ ବୋହି ଘେନିଗଲେ । ଘର ଭଙ୍ଗାଗଲା ଦିନଠାରୁ ଭଗିଆ ବାୟା ହୋଇ ଗାଁରେ ବୁଲୁଛି, ସାରିଆ ସାତ ଆଠ ଦିନ ହେଲା ମଙ୍ଗରାଜଙ୍କ ବାଡ଼ି ଦୁଆରେ ବସି କାନ୍ଦୁଥିବାର ମୁଁ ଶୁଣିଅଛି ।”

ସୁଆଲରେ ଜବାବ ଦେଲା – “ମଙ୍ଗରାଜେ ଭଗିଆକୁ ଟଙ୍କା ଦେଲେ ମୁଁ ଜାଣେ ନାହିଁ, କେବଳ ତମସୁକ ରେଜଷ୍ଟ୍ରୀ କରିବା ସକାଶେ କଟକକୁ ଘେନିଯାଇଥିବା ସମୟରେ ସାରିଆ ସକାଶେ ଯୋଡିଏ ଶଗଡ଼ ଅନ୍ଦାଜ ପଥର ମଙ୍ଗରାଜେ ମଙ୍ଗଳାଙ୍କ ନିକଟରେ ପକାଇଅଛନ୍ତି । ମଙ୍ଗରାଜେ ସେହିଦିନ ମୋତେ ଚାରିଅଣା ପଇସା ଦେଇଥିଲେ, ଆଉ କିଛି ଦେଇ ନାହାନ୍ତି । ମୁଁ ଡରରେ ମାଗେ ନାହିଁ । ମୁଁ ଆଉ କିଛି ଜାଣେ ନାହିଁ ।”

୩ ନମ୍ବର ଗୁହା – ମୋ ନାମ ମରୁଆ, ବାପର ନାମ ଲକ୍ଷ୍ମଣ ତିହାଡ଼ି, ଜାତି ବ୍ରାହ୍ମଣ, ବୟସ ଜଣା ନାହିଁ । ସା:ହାଲ ଗୋବିନ୍ଦପୁର ଜି:କଟକ ।

ସୁଆଲରେ ଜବାବ ଦେଲା ସାରିଆ କି ରୋଗରେ ମଲା ମୋତେ ଜଣାନାହିଁ । ଆଜକୁ ଆଠ ଦିନ ହେଲା ଆମ ବାଡ଼ି ଦୁଆରେ ବସିଥିଲା । ଦିନରାତି ଏକଜାଗାରେ ବସିଥାଏ ଯାହାକୁ ଦେଖେ ଡକାପାଡ଼େ “ମୋ ଛମାଣ ଆଠଗୁଣ୍ଠ, ମୋ ଛମାଣ ଆଠଗୁଣ୍ଠ, ମୋ ନେତ, ମୋ ନେତ” – ଏତିକି କହି ଡକାପାଡ଼ିଥାଏ । ସାଆନ୍ତାଣୀକୁ ହେଖିଲେ ଗୋଡ଼ତଳେ ପଡ଼ି ଗଡ଼େ କାନ୍ଦେ । ସାଆନ୍ତାଣୀ ମଧ୍ୟ କାନ୍ଦନ୍ତି । ଚମ୍ପା ତାକୁ ତିନିଥର ଛାଞ୍ଚୁଣୀ ମାରି ତଡ଼ିଦେଲା । ସେ ଗଲା ନାହିଁ । ସେ ଆଠଦିନ ହେଲା କିଛି ଖାଇନାହିଁ । ସାଆନ୍ତାଣୀ ଆପଣା ଭାତ ଖଣ୍ତେ କଦଳୀ ପତ୍ରରେ ତା ପାଖରେ ଥୋଇଦିଅନ୍ତି, ସେ ଖାଏ ନାହିଁ । ଭାତ କୁକୁର ନୋହିଲେ ଘାଈ ଖାଇଯାଏ । କେବେ କେବେ ସାଆନ୍ତାଣୀ ବସି କୁହାବୋଲା କଲେ ଦୁଇଗୁଣ୍ତା ଗୁଣ୍ତାଏ ଖାଏ । ସାଆନ୍ତାଣୀ ମଧ୍ୟ ସାତଦିନ ହେଲା ଖାଇନାହାନ୍ତି । ଖାଇବାକୁ କହିଲେ ସେ ଅଧିକ କାନ୍ଦନ୍ତି । ସେଥିସକାଶେ ମୁଁ କିଛି କହେ ନାହିଁ । ସପ୍ତମୀ ଦିନ ଏକବାର ରାତି ବୁଢ଼ୀମଙ୍ଗଳାଠାକୁ ଯାଉଥିଲେ, ତେତିକିବେଳେ ସାରିଆ ପାଟି କରିବାରୁ ହବିଷ ଭାତ ତା ପାଖରେ ବସାଇଦେଲେ । ସେତିକିବେଳୁ ସାଆନ୍ତାଣୀ ଘରକୁ ଆସି ଯେ ପଡିଅଛନ୍ତି, ସେ ପଡ଼ିଛନ୍ତି । ଗଲା ଅଷ୍ଟମୀ ଦିନ ତାଙ୍କର କାଳ ହେଲା ।’ ସୁଆଲରେ ଜବାବ ଦେଲା, ‘ସାଆନ୍ତାଣୀଙ୍କର କି ବେମାର ହୋଇଥିଲା, ଜାଣେ ନାହିଁ । ସ୍ନାନପୂର୍ଣ୍ଣମୀ ଆଠ ଦଶ ଦିନ ଆଗରୁ ତାଙ୍କୁ ଅଳ୍ପ ବେମାରୀ ଧରିଥିଲା । ସ୍ନାନପୂର୍ଣ୍ଣମୀ ଦିନ ଚମ୍ପା କୁଆଡ଼େ ସୁଆରି ଚଢ଼ିଯାଉଥିଲା, ହସି ହସି ଆସି କଣ କହିଲା । ସେହିଦିନୁ ସାଆନ୍ତଣୀଙ୍କର ବେମାରୀ ବଢ଼ିଅଛି, ରାତିରେ କିଛି ଖାଆନ୍ତି ନାହିଁ, ଦିନବେଳେ ଖିଆ ମଧ୍ୟ ସେହିପରି, ସବୁବେଳେ କାନ୍ଦନ୍ତି । ସାରିଆ ଜମି ଛାଡ଼ିଦେବା ସକାଶେ ସାଆନ୍ତଙ୍କ ଗୋଡ଼ତଳେ ପଡି ଢେର କହିଲେ । ସାଆନ୍ତେ ଶୁଣିଲେ ନାହିଁ । ଚମ୍ପା ଖପା ହେବାରୁ ସାଆନ୍ତାଣୀ ଆଉ କହିଲେ ନାହିଁ, ଅନ୍ନ ଛାଡ଼ିଦେଲେ । ମୁକୁନ୍ଦ ବଇଦ ପାଖରୁ ତାଙ୍କ ବେମାରୀ ସକାଶେ ଔଷଧ ଆଣି ଦେଇଥିଲା । ସେ ଔଷଧ ଖାଇଲେ ନାହିଁ, ମୁଣ୍ତରେ ମାରି ଥୋଇଦେଲେ ।”

ସୁଆଲରେ ଜବାବ ଦେଲା – “ମୁଁ, ମୁଁ ଆଜକୁ ଦଶବରଷ ହେଲା ଏହି ଘରେ ଅଛି । ମୋ ବାପଘର ବ୍ରାହ୍ମଣ ଶାସନରେ ଥିଲା । ମୋ ସ୍ୱାମୀର ନାମ ଟାଗନାଥ ତିହଡି । ଶୁଣିଛି, ବିଭାବେଳେ ମୋର ସାତବରଷ ବୟସ ହୋଇଥିଲା, ସ୍ୱାମୀର ବୟସ ହୋଇଥିଲା ତିନିକୋଡ଼ି ଚାରି ବରଷ । ମୋ ସ୍ୱାମୀ ତାଙ୍କ ଜମି ବିକି ମୋ ବାପାଙ୍କୁ ଆଠ କୋଡ଼ି ଟଙ୍କା ଦେଇଥିଲେ । ବିଭାବେଳେ ମୋ ସ୍ୱାମୀର ଶ୍ୱାସ ବେମାରୀ ଥିଲା । ସେହି ବେମାରୀରେ ସେ ମଲେ । ମୋ ସ୍ୱାମୀଘରେ ଆଉ କେହି ନଥିଲେ । ନନା ଯାଇ ତାଙ୍କ ଜମି ବାଡ଼ି ବିକିଦେଇ ମୋତେ ଘରକୁ ଘେନି ଆସିଲେ । ନନାଙ୍କ ଘରେ ପାଞ୍ଚ ସାତ ବରଷ ରହିଲିଣି । ଗ୍ରାମରେ ଲଳିତା ଦାସ ବାବାଜି ଥିଲେ । ମୁଁ ତାଙ୍କ ପାଖକୁ ଚୈତନ୍ୟ ଚରିତାମୃତ ଶୁଣିବାକୁ ଯିବାରୁ ଭାଇମାନେ କଳି ଲଗାଇଲେ । ମୁଁ ବୃନ୍ଦାବନ ଯିବା ସକାଶେ ବାବାଜି ସାଂଗରେ ଦିନେ ରାତିରେ ପଳାଇ ଆସି କଟକ ତେଲଂଗା ବଜାରରେ ଥିଲି । ସାଆନ୍ତ ମାମଲା କରିବା ସକାଶେ କଟକ ଯାଇଥିଲେ । ତାଙ୍କ ସାଂଗରେ ଆସି ଏହି ଘରେ ଅଛି ।”
ଠାଏ ଏ ମୁଦି ସନ୍ତକ ମରୁଆର ସହି ।

୪ ନମ୍ବର ଗୁହା – “ମୋ ନାମ ବାଇଧର ମହାନ୍ତି, ବାପର ନାମ ଡମ୍ବରୁଧର ମହାନ୍ତି, ଜାତି କରଣ, ବୟସ ୫୬ ବରଷ, ସା:କନକପୁର, ପ୍ର:ଝଙ୍କଡ, ଜି:କଟକ । ଆଜକୁ କୋଡ଼ିଏ ବରଷ ହେଲା ମୁଁ ଏହି ଫତେପୁର ସରଷଣ୍ଢ ତାଲୁକାରେ ଗୁମାସ୍ତା ଅଛି । ପ୍ରଥମେ ମେଦିନୀପୁରର କେରାମତ୍ ଅଲି ଜମିଦାର ରାମଚନ୍ଦ୍ର ମଙ୍ଗରାଜେ କଣ୍ଟବନ୍ଧକ ସୂତ୍ରେ ଏହି ଜମିଦାରୀ ପାଇଅଛନ୍ତି ।

(ଦାରୋଗା ଗୁହାଙ୍କୁ ଢେର ସୁଆଲ କଲେ, ଗୁହା ମଧ୍ୟ ଢେର ଜବାବ ଦେଲେ । ସେ ସମସ୍ତ ଛାଡ଼ିଦେଇ ଆମ୍ଭେମାନେ ଗୁହା ଜବାବର ସାର ସାର କେତୋଟି କଥା ବାଛି ଲେଖୁଅଛୁ ।)

ଗୁହାର ଜବାବ – ‘ମଙ୍ଗରାଜେ ଘରୁ କିଛି ଟଙ୍କା ଦେଇ ଜମିଦାରୀ କିଣି ନାହାନ୍ତି, ଜମିଦାରୀ ଅସୁଲ କରି ନେଇ ଜମିଦାର ଦିଲଦାର ମିଆଁକୁ ଦେଲେ । ଦୁସରା କିସ୍ତି ଟଙ୍କା ଅସୁଲ କରିଦେଇ ମେଦିନୀପୁର ଗଲେ, ମୁଁ ସାଙ୍ଗରେ ଗଲି, ଜମିଦାରଙ୍କୁ କହିଲେ, “ପୁରୁଣା ଜମିଦାର ବାଘସିଂହ ବଂଶ ମେଳି ଲଗାଇବାରୁ ଖଜଣା ଅସୁଲ ହେଲାନାହିଁ, କଣ ହେବ ? କାଲି ନାଟବନ୍ଦି ।” ମଙ୍ଗରାଜେ ତମସୁକ ଲେଖାଇନେଇ ଖଜଣା ଟଙ୍କା କରଜ ଦେଲେ । ଏଣେ ଜମିଦାର କରଜ କରିଅଛନ୍ତି ବୋଲି ପ୍ରଜାମାନଙ୍କଠାରୁ କଳନ୍ତର ନିଅନ୍ତି । ପ୍ରତି କିସ୍ତିରେ ଏହିପରି ହୁଏ । ଶେଷଥର ମଙ୍ଗରାଜେ ମୁସାହେବମାନଙ୍କୁ ଅନେକ ଲାଞ୍ଚ ଦେଇ ଅସଲ ସୁଧ ତିରିଶ ହଜାର ଟଙ୍କାରେ ତମସୁକ ଲେଖାଇନେଲେ । ଦିଲୁମିଆଁ ନିଶାରେ ପଡ଼ିଥିବା ସମୟରେ ତମସୁକ ଦସ୍ତଖତ କରିଦେଲେ । ମଙ୍ଗରାଜେ ଆଉ ମେଦିନୀପୁର ନ ଯାଇ କଟକରେ ମାମଲା କରି ଜମିଦାରୀ ଦଖଲ କରିଗଲେ ।”

ସୁଆଲରେ ଜବାବ ଦେଲା, “ହଁ ଭଗିଆ ତନ୍ତୀଠାରୁ ଛମାଣ ଆଠଗୁଣ୍ଠ ଜମି କଣ୍ଟ କବଲା କରିନେଇଥିଲେ । କବଲାରେ ଦେଢ଼ଶଟଙ୍କା ଲେଖାଅଛି । ତମସୁକ ଲେଖାଇ, ମାମଲା ଖରଚ ଇତ୍ୟାଦି ସେଥିରେ କେତେଟଙ୍କା ଖରଚ ପଡ଼ିଅଛି, ପାଞ୍ଜି ଦେଖିଲେ କହିବି – (ଗୁହା ପାଞ୍ଜି ଦେଖି କହିଲା) ଗାଏ ଟ ୩୪.୮ ଅଣା, ୧୭.୮ ଅଣା ।”

ଗୁହା କହିଲା – ‘ହଁ ସାଆନ୍ତେ ଭଗିଆ ନାମରେ କଟକ ଅଦାଲତରେ ନାଲିଶ କରିଥିଲେ । ମକଦ୍ଦମାର ଏତଲାନାମା, ଡିଗ୍ରୀଧାରୀ ପରୁଆନା, ନିଲାମି ଇସ୍ତାହାର ସବୁ ମୋ ପାଖରେ ଅଛି, ଭଗିଆକୁ କିଛି ଦିଆଯାଇ ନାହିଁ । ଅଦାଲତର ପିଆଦା ଆସି ସାଆନ୍ତଙ୍କଠାରୁ ବକ୍‌ସିସ ନେଇ ମୋ ପାଖରୁ ରସିଦ ଲେଖାଇନେଇ ଚାଲିଯାଏ । ସାରିଆ କିପରି ମଲା, ମୁଁ ଜାଣେ ନାହିଁ । ଏହି ଗାଈଟା ଭଗିଆର ।
“(ସ୍ୱାକ୍ଷର) ବାଇଧର ମହାନ୍ତି ।

୫ ନମ୍ବର ଗୁହା – ‘ମୋ ନାମ ଚମ୍ପା, ବାପର ନାମ ଜଣା ନାହିଁ, ଜାତି ଏହି ଘର ମନୁଷ୍ୟ, ସା। ଗୋବିନ୍ଦପୁର ଜି। କଟକ । ମୁଁ ସାରିଆକୁ ଚିହ୍ନେନାହିଁ, ତା ଘର ଏ ଗାଁରେ ନୁହେଁ, ସେ ଆମ ଦୁଆରେ ମରିନାହିଁ, ଆଉ କୁଆଡ଼େ ମରିଯାଇ ଆମ ଦୁଆରେ ପଡ଼ିଥିଲା, ତାକୁ ଜର ହୋଇଥିଲା, ମରିଗଲା । ଆମ ସାଆନ୍ତ ତାକୁ କିଛି କହିନାହାନ୍ତି । ସାଆନ୍ତ ବଡ଼ ଭଲଲୋକ, ହଲିଲା ପାଣିରେ ଗୋଡ଼ ଦିଅନ୍ତି ନାହିଁ । ସାଆନ୍ତାଣୀଙ୍କୁ ଜର ହୋଇଥିଲା, ସେ ମରିଗଲେ । ତାଙ୍କପାଇଁ ମୁଁ ଭାତଖାଉନାହିଁ । ଢେର କାନ୍ଦୁଛି । (ଗୁହା କାନ୍ଦିବସିଲା, ଦାରୋଗା ଧମକ୍ ଦେବାରୁ ତୁନି ହେଲା) ଏଇ ଗାଈଟା ଆମର ଘର ବାଛୁରୀ, (ପୁନର୍ବାର କହିଲା) ସାରିଆକୁ ଟଙ୍କା ଦେଇ କିଣିଛୁ ।”
ଠାଏ ମୁଦି ସନ୍ତକ ଚମ୍ପାର ସହି

ଅଧିକ ରାତି ହେବାରୁ କଚେରୀ ବନ୍ଦ ହେଲା । ଦାରୋଗା, ମୁନ୍‌ସି, ଚୌକିଦାର, ଗୋବରା ଜେନା ଅନେକ ରାତି ପର୍ଯ୍ୟନ୍ତ ବସି ପରାମର୍ଶ କଲେ । ଉପଯୁକ୍ତ ଗୁହା ଠିକଣା କରାଯାଉ ତହିଁ ପରଦିନ ପୁନର୍ବାର ସାକ୍ଷୀ ଜମାନବନ୍ଦୀ ଆରମ୍ଭ ହେଲା ।

୬ ନମ୍ବର ସାକ୍ଷୀ – “ମୋ ନାମ ବନା ଜେନା, ବାପର ନାମ ଦନା ଜେନା, ଜାତି ପାଣ, ବୟସ ୧୮, ପେଷା ହଳିଆଗିରୀ । ସା। ମକ୍ରାମ ପୁର । ପ୍ର ବାଲୁବିଶି ଗି କଟକ – ମୁଁ ସାରିଆକୁ ଚିହ୍ନେ, ତା ଦୁଆରକୁ ଢେର ଥର ଯାଇଛି । ତା ଘର ସଉତୁଣିଆ ମୌଜା ବ୍ରାହ୍ମଣ ସାହିରେ, ନା ନା, ପାଣ ସାଇରେ (ପୁନର୍ବାର କହିଲା) ନା ନା, ଏହି ଗ୍ରାମରେ ରାମଚନ୍ଦ୍ର ମଙ୍ଗରାକ ଆଜକୁ ଆଠଦିନ ହେଲା ତାହାକୁ ଧରିଆଣି ବାଡ଼େଇଥିଲେ । ଏହି ବାଉଁଶବାଡ଼ିରେ ବାଡ଼ଉଥିଲେ । (ସାକ୍ଷୀ ବାଡ଼ି ଦେଖାଇଦେଲା) ଗଲା ଦ୍ୱାଦଶ ଦିନ ଅଧରାତି ବେଳେ ରାମଚନ୍ଦ୍ର ମଙ୍ଗରାଜ ବାଡ଼ଉଥିଲେ; ଦେଖିଅଛି । ସାରିଆ ପିଠିରେ କୋଡ଼ିଏ ପାହାର ବାଡ଼େଇଲେ । ମୁଁ ସାଉଘର ଗୋରୁ ଖୋଜି ଆସିଥିଲି । ମୋ ଘର ଏଠାକୁ ଦୁଇ କୋଶ ବାଟ । ସାଆନ୍ତଙ୍କ ସାଙ୍ଗରେ ମୋର ତରକାର ନାହିଁ । ଗୋବରା ଜେନା ଚୌକିଆ ମୋ ଭିଣୋଇ ନୁହେଁ ।
ଏ ବାଡ଼ି ସନ୍ତକ ବନା ଜେନାର ସହି ।

୭ ନମ୍ବର ଗୁହା – ‘ମୋ ନାମ ଧକେଇ ଜେନା, ବାପର ନାମ ନାଙ୍ଗୁଡ଼ ଜେନା, ଜାତି ପାଣ, ବୟସ ଜଣା ନାହିଁ, ପେଷା ହଳିଆଗିରୀ, ସା ରାଇପୁର । ପ୍ର ବାଲୁବିଶି ଜି କଟକ ।

ଗଲା ନବମୀ ଦିନ ଅଧରାତି ବେଳେ ମୁଦଲା ରାମଚନ୍ଦ୍ର ମଙ୍ଗରାଜ ଏହି ବାଉଁଶ ବାଡ଼ିରେ ସାରିଆକୁ ବାଡ଼ୋଉଥିଲେ, ମୁଁ ଦେଖିଅଛି । ମୁଁ ଲୁଣ କିଣିବାକୁ ଦୋକାନକୁ ଆସିଥିଲି । ରାତି ହୋଇଯିବାରୁ ଦୋକାନ ପିଣ୍ତାରେ ଶୋଇଥିଲି । ଗୁମ୍‌ଗୁମ୍ ଶଦ୍ଦ ଶୁଭିବାରୁ ମୁଁ ଦୋକାନ ଚାଳ ଉପରେ ଚଢ଼ି ଅନାଇଲି, ଦିଶୁଥିଲା । ମୁଁ ଏହି ଗାଈକୁ ଚିହ୍ନେ, ନିଜେ ଢ଼େର ଥର ଦୁହିଁଛି । ଏ ଗାଈର ନାମ ବଉଳା । ଏ ଗାଈ ଭଗିଆ ତନ୍ତୀର । ରାମଚନ୍ଦ୍ର ତା ଘରୁ ଚୋରି କରି ଆଣିଛନ୍ତି ।

ମୁଦାଲାର ସୁଆଲରେ ଜବାବ ଦେଲା -“ଗୋବରା ଜେନା ମୋ ମାଉସୀ ପୁଅ ଭାଇ ନୁହେଁ । ସେ ମୋତେ ଡାକିଆଣି ନାହିଁ । ମୁଁ ଗୁହାଇ ଦେବା ସକାଶେ ଆପଣା ଇଛାରେ ଆସିଅଛି । ସେ ମୋତେ ଖାଇବାକୁ ଦିଏନାହିଁ । ମୁଁ ଘରୁ ଚୂଡ଼ା ଚାଉଳ ବାନ୍ଧି ଆଣିଅଛି । ନବମୀ ଆଜକୁ କୋଡ଼ିଏ କି ବାଇଶ ଦିନ ହେଲା ଗଲାଣି । ଆଜି ତିଥି କଣ ମୋତେ ଜଣାନାହିଁ ।
ଏହି ବାଡ଼ି ସନ୍ତକ ଧକେଇ ଜେନାର ସହି ।

୮ ନମ୍ବର ଗୁହା -” ମୋ ନାମ ଖତି ଚନ୍ଦ, ବାପର ନାମ ନିତା ଚନ୍ଦ । ଜାତି ତନ୍ତୀ, ବୟସ ୨୮, ପେଷା ଲୁଗାବୁଣା । ସା – ଗୋବିନ୍ଦପୁର । ଜି – କଟକ । ଏ ଗାଈ ଭଗିଆର ଜାଣେ । ଭଗିଆ ମୋ ପଡ଼ିଶା । ଯେଉଁ ଦିନ ସରକାରୀ ଜମାଦାର ଆସି ଭଗିଆର ଘର ଭଙ୍ଗାଇ ଦେଲେ, ସେଦିନ ମଙ୍ଗରାଜେ ଗାଈ ବାନ୍ଧିଆଣି ଉଆସରେ ରଖିଅଛନ୍ତି । କି ସକାଶେ ଗାଈ ବାନ୍ଧିଆଣିଲେ ମୋତେ ଜଣାନାହିଁ । ମଙ୍ଗରାଜଙ୍କର ହଳିଆମାନେ ଯାଇ ଘର ଭାଙ୍ଗି ପକାଇଲେ, ଘରର ସବୁ ଜିନିଷ ବୋହି ଆଣିଲେ । ଭଗିଆ, ସାରିଆ ଦୁଇଜଣ ଡକାପାତି ଦାଣ୍ତରେ ଗଡୁଥାନ୍ତି । ସରକାରୀ ଜମାଦାର ଆସିଥିବାରୁ ଆମ୍ଭେମାନେ କବାଟ କିଳିଦେଇ ଜଳାରେ ଅନାଇଥାଏ । ଚୌକିଆ ଗୋବରା ଜେନା ମୋତେ ଡାକୁଥାଏ । ମୁଁ ଜବାବ ଦେଲି ନାହିଁ । ମୋ ଭାରିଯା ଜବାବ ଦେଲା, ମୁଁ ଘରେ ନଥିବାର କହିଲା ।”
( ) – ଏ ଡଙ୍ଗି ସନ୍ତକ ଖତୁ ଚନ୍ଦର ସହି ।

ଜବାବ ଆସାମୀ ରାମଚନ୍ଦ୍ର ମଙ୍ଗରାଜ ପିତାର ନାମ ଧନୀ ନାୟକ, ଜାତି ଖଣ୍ତାୟତ, ବୟସ ୫୨, ପେଷା ଜମିଦାରୀ । ଗୋବିନ୍ଦପୁର । ଜି – କଟକ ।

ଜବାବ ଦେଲା- “ନୁଁ ସାରିଆକୁ ମାରିନାହିଁ । ଭଗିଆ ମୋପାଖରୁ ଟଙ୍କା କରଜ ନେଇଥିଲା, ନାଲିସ କରି ତା ‘ଛମାଣ ଆଠଗୁଣ୍ଠ’ ଜମି ଡିଗ୍ରୀ କରି ନେଇଅଛି, ମୋକଦ୍ଦମା ଖର୍ଚ୍ଚାକୁ ତାହାର ଗାଈ ନେଇଅଛି ।”
(ସ୍ୱାକ୍ଷର) ରାମଚନ୍ଦ୍ର ମଙ୍ଗରାଜ

ଠିକ୍ ଏହି ସମୟରେ ଗୋଟାଏ ବାୟା ସେଠାରେ ପହଞ୍ଚିଲା । ଅଣ୍ଟାରେ ଖଣ୍ତେ ଛିଣ୍ତାକନା ଗୁଡ଼ାଇଛି, ମୁଣ୍ତବାଳ ମୁକୁଳା, ଦେହ ଯାକ ଧୂଳି କାଦୁଅ, ହାତରେ ଗୋଟିଏ ବାଇଜି ହାଣ୍ତି ଧରିଅଛି, ଖୁବ୍ ନାଚିଲା, ସାରିଆ ସାରିଆ ବୋଲି ଗୀତ ଗାଇଲା । ତାକୁ ଦେଖି ଗାଁ ଲୋକମାନେ ହାହାକାର କରି କହିଲେ, “ଆରେ ଭଗିଆ, ତୋ କପାଳରେ ଏହା ଥିଲା ।” ମଙ୍ଗରାଜଙ୍କ ଉପରେ ନଜର ପଡ଼ିଯିବାରୁ ବାୟା ତାକୁ କାମୁଡ଼ିବାକୁ ଧାଇଁଲା । ଚଉକିଆମାନେ ତାକୁ ଧରିପକାଇଲେ; ସମ୍ଭାଳି ନପାରି ଦାରୋଗାଙ୍କ ଅନୁସାରେ ବାନ୍ଧି ପକାଇଲେ ।

ଦାରୋଗା ମାମଲା ତଦାରଖି ଖତମ କଲେ; ବତ୍ରିଶ ଜଣ ଗୁହାର ଜମାନବନ୍ଦୀ ହୋଇଥିଲା । ସେଥିମଧ୍ୟରୁ ଚାରିଜଣ ଗୁହାଙ୍କୁ ବାହାଲ ରଖି ଆଉ ଆଉ ଲୋକମାନଙ୍କୁ ରୋକସାତ୍ ଦେଲେ ।

Share. Facebook Twitter Pinterest LinkedIn Tumblr Reddit Email
Previous Articleସାଆନ୍ତାଣି :
Next Article ଆସାମୀ ଚଲାଣି :
ଫକୀର ମୋହନ ସେନାପତି

Related Posts

ଡାକମୁନ୍ସି

February 10, 2022

ଉପସଂହାର

November 26, 2018

ଅପୂର୍ବ ମିଳନ :

November 26, 2018

ବାବାଜୀ ଲଳିତା ଦାସ :

November 26, 2018

ମଙ୍ଗରାଜ ଘରର ହାଲଚାଲ :

November 26, 2018

ଖୁଣି ତଦାରଖି :

November 26, 2018
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.