• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ପିତୃଭକ୍ତି
ଗଳ୍ପ

ପିତୃଭକ୍ତି

Liza SBy Liza SMay 21, 2022No Comments11 Mins Read
Facebook Twitter Pinterest Reddit LinkedIn Tumblr Email
pitrubhakti
pitrubhakti
Share
Facebook Twitter Pinterest Reddit Email

ସୁଦର୍ଶନର ଜିଦ୍ଖୋର୍ ସ୍ୱଭାବ ଥିଲା । ତା’ର ମନକୁ ଯାହା ଆସେ, ତାହା ସେ ତୁରନ୍ତ କରି ବସେ । ବଡ ଲୋକଙ୍କର ଉପଦେଶକୁ ସେ ମୋଟେ କାନ ଦିଏ ନାହିଁ । କିନ୍ତୁ ସେ ନିଜେ ଯାହା କରେ, ତାହା ବିଷୟରେ ପ୍ରଥମେ ଉତ୍ତମ ରୂପେ ସେ ବିଚାର କରେ । ନିଜର ନିର୍ଣ୍ଣୟ ଅନୁସାରେ ସେ କାମ କରେ । କାହାର କଥାରେ ମଧ୍ୟ ସେ କେବେବି ହେଲେ ପ୍ରଭାବିତ ହୁଏ ନାହିଁ । ତା’ର ଏପରି ବିଚାର-ପଦ୍ଧତି ଅସ୍ୱାଭାବିକ ମନେ ହେଉଥିଲେ ମଧ୍ୟ, ସେ ତା’ ଜିଦ୍ରେ ଅଟଳ ଥିଲା । ଯେ କୌଣସି ପରିସ୍ଥିତିରେ ମଧ୍ୟ ସେ ଏଥିରୁ କଦାପି ବିଚ୍ୟୁତ ହେଉ ନଥିଲା । ପୁତ୍ରର ଏପରି ଆଚରଣରେ ପିତା ପ୍ରଭାକର ଖୁବ୍ ମନଦୁଃଖ କରୁଥିଲେ ।

ପ୍ରଭାକର ବୁଦ୍ଧିମାନ ଓ ସାଂସାରିକ ଜ୍ଞାନରେ ଅତ୍ୟନ୍ତ କୁଶଳୀ ଥିଲେ । କିନ୍ତୁ ତାଙ୍କର ମଧ୍ୟ ଏପରି ଜିଦ୍ଖୋର୍ ସ୍ୱଭାବ କିଛି ପରିମାଣରେ ଥିଲା । ଲୋକେ କହୁଥିଲେ, ତାଙ୍କର ସ୍ୱଭାବ ପୁତ୍ର ଉପରେ ପ୍ରତିଫଳିତ ହୋଇଛି । ପ୍ରଭାକର କହୁଥିଲେ, “ହଁ, ମୁଁ ଏକ ଜିଦିଆ ଥିଲି, କିନ୍ତୁ ଶାଳୀନତା ଭିତରେ ଥାଇ ମୁଁ ସବୁ କରୁଥିଲି । ମୋର ତ ମୋ ପିତାଙ୍କ ପ୍ରତି ଯଥେଷ୍ଟ ଭକ୍ତିଭାବ ରହିଥିଲା । ମୋର ପିତୃଭକ୍ତି କାରଣରୁ, ମୁଁ ଆଜି ଏତେ ସୌଭାଗ୍ୟବାନ୍ ହୋଇ ପାରିଛି । ମୋ ପୁତ୍ର ମୋତେ ଅନୁସରଣ କରି, ମୋର ଅଭିଜ୍ଞତାରୁ ଲାଭ ଉଠାଇ ପାରିଲେ ଅନେକ ଉପକୃତ ହୋଇ ପାରନ୍ତା ।”

କାହାର ଅଭିଜ୍ଞତାରୁ କିଛି ଶିଖିବା ପରି ମନୋବୃତ୍ତି ସୁଦର୍ଶନର ନ ଥିଲା । ସ୍ୱ-ଅନୁଭବରୁ ସବୁକିଛି ଶିକ୍ଷା କରିହେବ, ଏହା ତା’ର ଯୁକ୍ତି ଥିଲା । ଏପରିକି ପିଲା ଦିନେ, ନିଆଁକୁ ଛୁଇଁବାକୁ ବାରଣ କଲେ ମଧ୍ୟ ସେ ତାହାକୁ ମାନି ନଥିଲା । କିନ୍ତୁ ନିଜେ ଛୁଇଁ ହାତ ପୋଡି ଯିବା ପରେ ସେ ଯାଇ ବଡମାନଙ୍କର କଥାକୁ ବିଶ୍ୱାସ କରିଥିଲା । କିଶୋର ବୟସରେ, ଗ୍ରାମ ନିକଟସ୍ଥ ହ୍ରଦରେ କୁମ୍ଭୀର ଥିବା ଶୁଣି ମଧ୍ୟ ସେ ବିଶ୍ୱାସ କଲା ନାହିଁ । ସତ୍ୟାସତ୍ୟ ଜାଣିବା ପାଇଁ ସେ ଥରେ ହ୍ରଦ ଭିତରକୁ ଡେଇଁ ପଡିଲା । ଭଗବାନଙ୍କ ଦୟାରୁ ଅତି କଷ୍ଟରେ ସେ ନିଜ ଜୀବନ ରକ୍ଷା କରି ପାରିଲା ।

କିନ୍ତୁ ହଁ, ସୁଦର୍ଶନର ଏପରି ଉଦ୍ଦଣ୍ଡ ସ୍ୱଭାବ ମଧ୍ୟରେ କେତେକ ଭଲଗୁଣ ବି ରହିଥିଲା । ସେହି ଗ୍ରାମରେ ମଙ୍ଗଳାନାମ୍ନୀ ଜଣେ ବିଧବା ସ୍ତ୍ରୀଲୋକର ଏକ ବିରାଟ ଘର ଥିଲା । ଅଚାନକ ରୋଗ-ଗ୍ରସ୍ତ ହୋଇ ତାର ମୃତ୍ୟୁ ଘଟିବା ପରେ, ଜଣେ ଦୂରସମ୍ପର୍କୀୟ ସେହି ଘରକୁ ବିକ୍ରି କରିଦେବା ପାଇଁ ଚାହିଁଲେ । କିନ୍ତୁ ଗ୍ରାମରେ ସେହି ଘରେ ମଙ୍ଗଳାର ଭୂତ ରହୁଥିବା କଥା ପ୍ରଚାର ହୋଇ ଯାଇଥିବାରୁ କେହିବି ସେ ଘର କିଣିବାକୁ ଆଗ୍ରହୀ ହେଲେ ନାହିଁ । ଯେତେ ଦାମ୍ କମେଇଲେ ମଧ୍ୟ କେହି ଏଥିପାଇଁ ଆଗେଇ ଆସିଲେ ନାହିଁ । ସୁଦର୍ଶନ ଏଥିରେ ମନ ବଳାଇବାରୁ ତା’ର ପିତା ତାକୁ ବାରଣ କଲେ । କିନ୍ତୁ ସୁଦର୍ଶନ ଏକାକୀ ସେ ଘରେ ତିନିରାତି ରହି ପ୍ରମାଣିତ କରାଇଦେଲା ଯେ, ଭୂତ ରହୁଥିବା ସମ୍ବାଦ ଏକ ମିଥ୍ୟା ପ୍ରଚାର । ପିତାଙ୍କୁ ରାଜି କରାଇ ସୁଦର୍ଶନ ଅତି କମ୍ ଦାମ୍ରେ ସେ ଘରଟି କିଣିନେଲା । ପ୍ରଭାକର ପୁତ୍ରର ଏପରି ବିଚକ୍ଷଣ ନିଷ୍ପତିରେ ଅତ୍ୟନ୍ତ ଆନନ୍ଦିତ ହେଲେ । କିନ୍ତୁ ଏହା ପର ଠାରୁ ସୁଦର୍ଶନ ତା’ପିତାଙ୍କ କଥାକୁ ଆଦୌ ଗୁରୁତ୍ୱ ନ ଦେଇ ନିଜ ନିଷ୍ପତିରେ ଅଟଳ ରହିଲା ।

ପ୍ରଭାକରଙ୍କର ଦଶ ଏକର ଉର୍ବର ଜମି ଥିଲା । ସେ ଅତ୍ୟନ୍ତ ଦକ୍ଷତାରେ କ୍ଷେତ କାମ କରୁଥିଲେ । ସେ ଚାହୁଁଥିଲେ ପୁତ୍ରର ସହଯୋଗରେ ଏହି ଜମି କୋଡିଏ ଏକରରେ ପରିଣତ ହେଉ ଓ ତାଙ୍କର ସମ୍ପତ୍ତି ପରିମାଣ ଯଥେଷ୍ଟ ବୃଦ୍ଧି ପାଉ ।

ସୁଦର୍ଶନର ବିଚାରଧାରା ଅନ୍ୟ ପ୍ରକାରର ଥିଲା । କ୍ଷେତ କାମରୁ ବା କେତେ ଲାଭ ମିଳିବ? ଯେତେ ପରିଶ୍ରମ କଲେ ମଧ୍ୟ ଅବସ୍ଥା ବଦଳିବା ଆଦୌ ସମ୍ଭବ ନୁହେଁ । ସେତିକି ପରିଶ୍ରମ କୌଣସି ବ୍ୟବସାୟରେ ଖଟାଇଲେ, ଗୋଟିଏ ବର୍ଷରେ ଲକ୍ଷାଧିକ ଟଙ୍କା ଲାଭ ମିଳିବ ଓ ଜୀବନର ଧାରା ବଦଳି ଯିବ । ଦିନେ ସେ ତା’ର ପିତାଙ୍କୁ ଏକ ପରାମର୍ଶ ଦେଲା ଯେ, କିଛି ଜମି ବିକ୍ରୟ କରି ତା’କୁ ଟଙ୍କା ଦିଆଯାଉ ଓ ସେହି ମୂଳଧନରେ ସେ ସହରରେ ବ୍ୟବସାୟ କରିବ । ପିତାଙ୍କୁ ଜୋର୍ ଦେଇ ସେ କହିଲା, “କୃଷି କାମରେ ଆମର କ’ଣ ବା ଉନ୍ନତି ହେବ ଯେ? ଆମର ଆଦୌ ଆର୍ଥିକ ଉନ୍ନତି ହେବ ନାହିଁ । ମନୁଷ୍ୟ ତା’ର ଜୀବନରେ ଉନ୍ନତି କରିବା ପାଇଁ ନୂତନ ପ୍ରୟୋଗ ଗ୍ରହଣ କରିବାକୁ ପଡିବ । କିଛି ନୂତନ କରି ଦେଖାଇଲେ, ତା’ର ଜୀବନ ସାର୍ଥକ ଓ ସଫଳ ହେବ ।”
ପ୍ରଭାକର ପୁତ୍ରକୁ ବୁଝାଇଲେ, “ଆମର ପରିବାରରେ ତ କେହିବି ବ୍ୟବସାୟ କରି ନାହାଁନ୍ତି । ଆମେ ନୀତି ଓ ସାଧୁତା ଉପରେ ଅଧିକ ବିଶ୍ୱାସ ରଖୁ । ବ୍ୟବସାୟରେ ଅଧିକ ଟିକେ ଲାଭ ପାଇବା ପାଇଁ ଜଣକୁ ଛଳ କପଟ ମଧ୍ୟ କରିବାକୁ ପଡେ । ବିନା ପ୍ରତାରଣରେ ଅଧିକ ଲାଭ ମିଳିବା ଯମାରୁ ସମ୍ଭବ ନୁହେଁ । ଏପରି ନ କଲେ ବ୍ୟବସାୟରେ ସଫଳ ହେବା କାଠିକାର ପାଠ । କିନ୍ତୁ କୃଷିକାମ କଲେ ମୋର ପୂର୍ବର ଅନୁଭୂତି ତୋର କାମରେ ବହୁତ ଆସିବ । ବ୍ୟବସାୟ କ୍ଷେତ୍ରରେ ତ ଆମର କୌଣସି ମଧ୍ୟ ଅଭିଜ୍ଞତା ନାହିଁ । କୃଷି ଆମର ପରମ୍ପରାଗତ ବୃତ୍ତି । ଏଥିରେ ଲାଭ କ୍ଷତି ପ୍ରାୟ ବରାବର ରହିଥାଏ । ତେଣୁ ମୋ କଥାମାନି ଏଠାରେ ରହି କ୍ଷେତକାମ ହାତକୁ ନେଇ ମୋତେ ସାହାଯ୍ୟ କର । ମୋର ଯାହା କହିବାର ଥିଲା ଖୋଲାମନରେ ମୁଁ ତାହା କହିଦେଲି ।”

ସୁଦର୍ଶନ ତା’ ପିତାଙ୍କ କଥାକୁ ହସରେ ଉଡେଇ ଦେଇ କହିଲା, “ଆବଶ୍ୟକତା ପଡିଲେ, ବ୍ୟବସାୟ ନିମନ୍ତେ ଯାହା ସବୁ ଶିଖିବାର କଥା ତାହା ମୁଁ ଶିଖିନେବି । ଏଥିରେ ସଫଳତା ପାଇବା ପାଇଁ ମୁଁ ସବୁ ପ୍ରକାରର ଚେଷ୍ଟା କରିବି । ଆପଣଙ୍କର ଅନୁଭୂତିରୁ ଲାଭ ଉଠାଇବାର ଆବଶ୍ୟକତା ମୋର ନାହିଁ । ଏପରିକି କୃଷି କାମରେ ମଧ୍ୟ ମୁଁ ଆପଣଙ୍କର ଅନୁଭୂତି କାମରେ ଲଗାଇ ନ ଥାନ୍ତି । ବ୍ୟବସାୟ ସମ୍ବନ୍ଧରେ ଆପଣଙ୍କର କିଛି ଜ୍ଞାନ ନାହିଁ । ତେଣୁ ଏପରି ଅଯଥା ପରାମର୍ଶ ନ ଦେଇ ନୀରବ ରହନ୍ତୁ ।”

ସୁଦର୍ଶନକୁ ତା’ର ମାତା ସମର୍ଥନ କଲେ । ପୁତ୍ର ଏପରି ବେଖାତିର କରିବାରୁ ପ୍ରଭାକର ବହୁତ ମନଦୁଃଖ କଲେ । ସେ ମନେ କଲେ ତାଙ୍କ ପ୍ରତି ପୁତ୍ରର କୌଣସି ସମ୍ମାନ ନାହିଁ । ସେ ଜମି ବିକ୍ରି କରିବାକୁ ଚାହୁଁ ନ ଥିଲେ । ଅଧିକ ପାଞ୍ଚ ଏକର ଜମି କିଣିବା ପାଇଁ ସେ ଯେଉଁ ଅର୍ଥ ଜମା ରଖିଥିଲେ, ତାହା ସେ ତାଙ୍କ ପୁତ୍ର ହାତକୁ ବଢାଇ ଦେଲେ ।

ସୁଦର୍ଶନ ବ୍ୟବସାୟ ଆରମ୍ଭ କଲା । ପ୍ରଥମେ ପ୍ରଥମେ ତ ଭଲ ଲାଭ ମିଳିଲା । କିନ୍ତୁ ପରେ ଏହି ଲାଭ ବଜାୟ ରଖିବା ପାଇଁ ତାକୁ ଅନୀତି ମାର୍ଗରେ ଚାଲିବାକୁ ହେଲା । ମିଛ କହିବା, ଅନ୍ୟ କାହାକୁ ଠକିବା ତା’ର ଯେପରି ନିତିଦିନିଆ ଅଭ୍ୟାସ ହୋଇଗଲା । କିନ୍ତୁ ଏକ ବର୍ଷ ପରେ ସେ ତା’ର ପିତାଙ୍କୁ ନେଇ ତିନିଗୁଣ ଲାଭ ଦେଲା ।

ପୁତ୍ରର ଏପରି ସଫଳତାରେ ପ୍ରସନ୍ନ ହୋଇ ପ୍ରଭାକର କହିଲେ, “ପ୍ରକୃତରେ ତୁମେ ଏବେ ବଡ ଯୋଗ୍ୟ ହୋଇ ଯାଇଛି । ମୁଁ ତୁମକୁ ଭୁଲ୍ ବୁଝିଥିଲି । ଏବେ ଯଦି ତୁମେ ଚାହିଁବ, ତେବେ ମୁଁ ମୋର ସମସ୍ତ ଭୂସମ୍ପତ୍ତି ବିକ୍ରୟ କରିଦେଇ ତୁମର ବ୍ୟବସାୟରେ ଭାଗୀଦାର ହେବି ।”

ପିତାଙ୍କର ଏପରି କଥାରେ ସୁଦର୍ଶନ ଆଦୌ ଖୁସି ହେଲା ନାହିଁ । ଓଲଟି ସେ ରାଗିଯାଇ ନିଜ ପିତାଙ୍କୁ କହିଲା, “ଲୋକମାନଙ୍କୁ ଏତେ ଉପଦେଶ ଦେଉଛନ୍ତି, ନୀତିବାଣୀ ଶୁଣାଉଛନ୍ତି, କିନ୍ତୁ ଏବେ ମୁଁ ଠିକ୍ ବୁଝି ପାରୁଛି ଯେ, ଆପଣଙ୍କ ଦୃଷ୍ଟିରେ ଧନ ହିଁ ସବୁକିଛି । ଅନୀତି, ଛଳକପଟ, ଅସତ୍ୟ ମନୁଷ୍ୟକୁ ଧନ ଦେଇ ପାରେ କିନ୍ତୁ ସଂତୃପ୍ତି ନୁହେଁ । ଏହା ମୁଁ ମୋର ଅନୁଭୂତିରୁ ଜାଣି ସାରିଲିଣି । ନୀତି ଓ ସତ୍ମାର୍ଗରେ ପରିଚାଳିତ ହୋଇ ମୁଁ ଏକବର୍ଷ ବ୍ୟବସାୟ କରିବି । ଏଥିରେ ଯଦି ମୋତେ ଲାଭ ମିଳିବ, ତେବେ ବ୍ୟବସାୟ କରିବାରେ ମୋର କୌଣସି ଆପତ୍ତି ନାହିଁ । ନଚେତ୍ ଏହି ବାଟ ଛାଡିଦେଇ ମୁଁ କୃଷି କାର୍ଯ୍ୟରେ ମନଦେବି । କିନ୍ତୁ ସେଥିରେ ଆପଣଙ୍କୁ ଭାଗୀଦାର କରିବାର କୌଣସି ପ୍ରଶ୍ନହିଁ ଉଠୁନାହିଁ ।”

ପୁତ୍ରର ଏପରି କଟୁ କଥା ପ୍ରଭାକରଙ୍କୁ ବେଶ୍ ଆଘାତ ଦେଲା । ସେ ତାଙ୍କ ପତ୍ନୀଙ୍କ ଆଗରେ କ୍ଷୋଭ ପ୍ରକଟ କରି କହିଲେ ଯେ, ପୁତ୍ରଠାରେ ତିଳେ ମାତ୍ର ପିତୃଭକ୍ତି ନାହିଁ ।

ବର୍ଷ ପୁରା ନ ହେଉଣୁ ସୁଦର୍ଶନ ବ୍ୟବସାୟରେ ତା’ର ସମସ୍ତ ମୂଳଧନ ହରାଇଲା । କ୍ଷତିଭାର ସମ୍ଭାଳି ନ ପାରି ବ୍ୟବସାୟ ପରିବର୍ତ୍ତେ ସେ କ୍ଷେତ କାମ କରିବାକୁ ବାହାରିଲା ।

ପ୍ରଭାକର ତା’ ପୁତ୍ରର ଏପରି ନିଷ୍ପତିରେ ଅତ୍ୟନ୍ତ ଖୁସି ହେଲେ ଓ ତାଙ୍କ ପଦ୍ଧତି ଅନୁସାରେ ଚାଷ କରିବା ପାଇଁ ପରାମର୍ଶ ଦେଲେ । କିନ୍ତୁ ସୁଦର୍ଶନ କହିଲା ସେ ଧାନ କ୍ଷେତରେ ତମାଖୁ ଚାଷ କରିବ । ଆମ୍ବଗଛ କାଟିଦେଇ ନଡିଆ ଚାରା ଲଗାଇବ । ପ୍ରଭାକର କହିଲେ ଯେ ଗଛ କାଟିବା ପରିବର୍ତ୍ତେ ନୂତନ ଜମି କିଣି ଗଛ ଲଗାଇଲେ ବହୁତ ଭଲ ହେବ । କିନ୍ତୁ ସୁଦର୍ଶନ ତା’ ପିତାଙ୍କ ଉପଦେଶ ମୋଟେ ଗ୍ରହଣ କଲେ ନାହିଁ ।

ପ୍ରଭାକରଙ୍କର ପତ୍ନୀ ମଧ୍ୟ ପୁତ୍ରର ଏପରି ଯୋଜନାକୁ ଆଦୌ ସମର୍ଥନ କଲେ ନାହିଁ । ସେ ନିଜ ପତିଙ୍କୁ କହିଲେ, “ଏପରି କଲେ ଆମର ସର୍ବନାଶ ସୁନିଶ୍ଚିତ ଅଟେ । କିନ୍ତୁ ପୁତ୍ରର ମନରେ ଆମେ କୌଣସି ପ୍ରକାର ଦୁଃଖ ଦେବା ନାହିଁ । ତେଣିକି ଆମ ଭାଗ୍ୟରେ ଯାହାବି କିଛି ଲେଖାଥିବ ତା’ ଘଟିବ ।”

ମାତ୍ର ପତ୍ନୀଙ୍କ କଥା ପ୍ରଭାକର କଦାପି ମାନିଲେ ନାହିଁ । ପୁତ୍ରକୁ ବୁଝାଇବା ପାଇଁ ସେ ଅନେକ ଚେଷ୍ଟା କଲେ, କିନ୍ତୁ ସୁଦର୍ଶନ ତା’ର ଜିଦ୍ରେ ସେମିତି ଅଟଳ ରହିଲା । ଶେଷରେ ପ୍ରଭାକର କହିଲେ, “ମୁଁ ବଂଚିଥିବା ଯାଏଁ, ମୋର ଇଚ୍ଛା ଯାହା ହେବ, ମୁଁ ତାହା ହିଁ କରିବି । ତୋର ଜିଦି ପୂରଣ ପାଇଁ ତୁ ତୋ ନିଜ ଚେଷ୍ଟାରେ ଜମି କିଣି ଗଛ ଲଗାଇପାରୁ ।”

ଅବିଳମ୍ବେ ସୁଦର୍ଶନ ଗ୍ରାମର ଅନ୍ୟ ଏକ ସମ୍ପନ୍ନ କୃଷକ ସହିତ ଯୋଗାଯୋଗ କଲା । ଏହି କୃଷକ ଶହେ ଏକର ଉର୍ବର ଜମିର ଅଧିକାରୀ ଥିଲେ । ପଦ୍ମା ତାଙ୍କର ଏକମାତ୍ର କନ୍ୟା । ସୁଦର୍ଶନର ଚେହେରାରେ ମୁଗ୍ଧ ହୋଇ, ପଦ୍ମା ତାକୁ ବିବାହ କରିବା ପାଇଁ ଜିଦ୍ ଧରିଲା । ପ୍ରକାଶ ସୁଦର୍ଶନକୁ ଦଶ ଏକର ଜମି ଉପହାର ଦେବା ପାଇଁ କହି ସର୍ତ୍ତ ରଖିଲେ ଯେ, “ଏହି ଦଶ ଏକର ଜମି ବଦଳରେ ମୋର କନ୍ୟାକୁ ବିବାହ କରିବାକୁ ପଡିବ ।”

ଏହା ଏକ ଉତ୍ତମ ପ୍ରସ୍ତାବ । କିନ୍ତୁ ଏଥିରେ ଏକ ଅସୁବିଧା ଥିଲା ଯେ, ପ୍ରଭାକର ଓ ପ୍ରକାଶ ମଧ୍ୟରେ ଶତ୍ରୁତା ରହିଥିଲା । ଏପରିକି ଦୁହେଁ ଦୁହିଁଙ୍କ ସହିତ କଥାବାର୍ତ୍ତା ମଧ୍ୟ କରୁ ନ ଥିଲେ । ତେଣୁ ପ୍ରକାଶ ସୁଦର୍ଶନକୁ ଏ କଥା କହିଲେ ଯେ, “ଯଦି ତୁମେ ମୋର କନ୍ୟାକୁ ବିବାହ କରିବ, ତେବେ ତୁମକୁ ତୁମ ନିଜ ବାପା ମାଙ୍କ ଠାରୁ ଦୂରରେ ରହିବାକୁ ପଡିବ ।”

ସୁଦର୍ଶନ ପ୍ରକାଶର ସର୍ତ୍ତ ସମ୍ବନ୍ଧରେ ପିତାମାତାଙ୍କୁ ଜଣାଇଲା ।

ଏହି ବିଷୟ ଜାଣି ସୁଦର୍ଶନର ମା ଚିନ୍ତାଗ୍ରସ୍ତ ହୋଇ ପଡିଲେ । ପୁତ୍ରକୁ ବିବାହ କରାଇ ବୋହୂଟିଏ ଘରକୁ ଆଣିବାର ସୁଖ କଳ୍ପନାରେ ସେ ବିଭୋର୍ ଥିଲେ । କିନ୍ତୁ ପୁତ୍ରର ଏପରି କଥା ଶୁଣି ତାଙ୍କ ସ୍ୱପ୍ନର ମହଲ ହଠାତ୍ ଭାଙ୍ଗିଗଲା । ଅନ୍ୟ କିଛି ଉପାୟ ନ ପାଇ ଶେଷରେ ସେ ଗୋପାଳ ସ୍ୱାମୀଙ୍କ ଘରକୁ ଯାଇ ତାଙ୍କୁ ନିଜର ଦୁଃଖ ଜଣାଇଲେ ।

ଗୋପାଳସ୍ୱାମୀ ଜଣେ ତାନ୍ତ୍ରିକ । ତାଙ୍କ ପାଖରେ ଅନେକ ଜଡିବୁଟି ଥାଏ । ତାହାର ପ୍ରୟୋଗ କରି ସେ ଜଣେ ଲୋକର ମନ ପରିବର୍ତ୍ତନ କରି ପାରନ୍ତି ବୋଲି ଅନେକଙ୍କର ଧାରଣା ଥାଏ । ଏହି ଜଡିବୁଟି ପାଇଁ ତାଙ୍କ ପାଖକୁ ଲାଗ୍ଲାଗ୍ ଦୁଇଦିନ ଆସିବାକୁ ପଡିବ । ଗୋପାଳସ୍ୱାମୀ ସବୁ ଶୁଣି ସାରିବା ପରେ ସୁଦର୍ଶନର ମା’ଙ୍କୁ କହିଲେ, “କଥାରେ ଅଛି; କର୍ମାନୁସାରେ ଫଳ । ତୁମ ନିଜ କନ୍ୟାକୁ ବିବାହ ପରେ ଅନ୍ୟତ୍ର ପରିବାର ବସାଇବା ପାଇଁ ତୁମେ ମଧ୍ୟ ପରାମର୍ଶ ଦେଇଥିଲ । ଏବେ ତୁମ ସେହି କନ୍ୟାର ଶାଶୁ ଶ୍ୱଶୁରଙ୍କର ନିଃଶ୍ୱାସ ତମ ଉପରେ ପଡିବାକୁ ଯାଉଛି । ପ୍ରଥମେ ନିଜର ସ୍ୱଭାବରେ ପରିବର୍ତ୍ତନ ଆଣ । ନିଜର କନ୍ୟାକୁ ଉଚିତ୍ ମାର୍ଗ ଦେଖାଅ । ତାର ଶାଶୁ, ଶ୍ୱଶୁର ସନ୍ତୁଷ୍ଟ ହେବା ପରେ ଯାଇ ତୁମର ମଙ୍ଗଳ ହେବ ।”

ସୁଦର୍ଶନର ମା’ ଖୁବ୍ ଚତୁରତାର ସହିତ ପ୍ରସଙ୍ଗ ବଦଳେଇ କହିଲେ “ମହାଶୟ, ମୁଁ ଏହି ବିଷୟରେ କଥା ହେବା ପାଇଁ ଆସି ନାହିଁ । ସୁଦର୍ଶନ ହୃଦୟରେ ପିତୃଭକ୍ତିର ଭାବ ସଂଚାର କରିବା ପାଇଁ ତା ମନରେ ପିତାଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନଭାବ ବଢାଇବା ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ।”

ଗୋପାଳସ୍ୱାମୀ ପୁନଶ୍ଚ ସାବଧାନ କରାଇ ଦେଇ କହିଲେ “ଠିକ୍ ଅଛି, ମୋ ଦ୍ୱାରା ଯାହା ହୋଇ ପାରିବ ମୁଁ ତାହା କରିବି । କିନ୍ତୁ ନିଜ କନ୍ୟା ବିଷୟରେ ଯାହା କହିଲି ତାହା ଆଦୌ ଭୁଲିବ ନାହିଁ । କନ୍ୟାର ମନ ନ ବଦଳିବା ଯାଏଁ ପୁତ୍ରର ମନ ବଦଳିବା ମୋଟେ ସମ୍ଭବପର ନୁହେଁ ।”

ସୁଦର୍ଶନର ମା’ ତାଙ୍କର ସେ ଚେତାବନୀ ପ୍ରତି ଆଦୌ କୌଣସି ଗୁରୁତ୍ୱ ନ ଦେଇ କହିଲେ, “ମୋ ପୁତ୍ରର ମନ ପରିବର୍ତ୍ତନ ପାଇଁ ଏଠାକୁ ଦୁଇଦିନ ଆସିବାକୁ ପଡିବ । ଏଇ କଥା ତ? ତୁମ କଥାନୁସାରେ ଦ୍ୱିତୀୟ ଦିନ ଜଡିବୁଟିର ପ୍ରଭାବ କାମ କରିବ । ତେଣୁ ପ୍ରଥମ ଦିନ ତା’ ସାମ୍ନାରେ ତାର ପିତାଙ୍କୁ ଖୁବ୍ ଗାଳି ଦେବ । ତା’ହେଲେ ସେ ଆପେ ଦ୍ୱିତୀୟ ଦିନ ଏଠାରେ ଆସି ପହଁଚିବ ।”

ଗୋପାଳସ୍ୱାମୀ କହିଲେ “ମୁଁ ଯାହା କହିବି, ତା’ର ବୁଦ୍ଧି ଅନୁସାରେ ଫଳ ମିଳିବ । ଏବେ ତୁମେ ଏଠୁ ଯାଇପାର ।”

ଗୃହକୁ ଫେରି ସୁଦର୍ଶନର ମା’ ତାଙ୍କ ସ୍ୱାମୀଙ୍କୁ ସବୁକଥା ଜଣାଇ କହିଲେ, “ତୁମେ ନିଶ୍ଚିନ୍ତ ରହ । ସବୁ ମନୋମାଳିନ୍ୟ ତୁଟିଯିବ ।”

“ଆଜି ପର୍ଯ୍ୟନ୍ତ କ’ଣ ତୁମେ ତୁମ ପୁତ୍ରର ସ୍ୱଭାବ ବୁଝି ପାରୁ ନ ଥିଲ? ତା ମନରେ ପିତା ପ୍ରତି ଟିକେ ହେଲେ ବି ସମ୍ମାନ ନାହିଁ । ତୁମେ ତ ସବୁବେଳେ ପୁତ୍ରକୁ ସମର୍ଥନ କରି ଆସିଛ । ଏବେ ପୁତ୍ରର ଔଦ୍ଧତ୍ୟ ସୀମା ଟପିବାକୁ ବସିଲା ବେଳକୁ ତୁମର ବୁଦ୍ଧି କାମ କରୁଛି । କାରଣ ଏବେ ପୁଅବୋହୁ ପାଖରେ ରହିବେ ନାହିଁ ।” ଏଭଳି କେତେ କଥା କହି ପ୍ରଭାକର ବିରକ୍ତିରେ ତାଙ୍କ ପତ୍ନୀଙ୍କୁ କଡା କଥା ଶୁଣାଇଲେ ।

ପତ୍ନୀ ମଧ୍ୟ ଦବି ନ ଯାଇ କହିଲେ, “ପରିବାରର ମଙ୍ଗଳ ପାଇଁ ମୁଁ ଗୋପାଳସ୍ୱାମୀଙ୍କ ନିକଟକୁ ଯିବା କଥା ଚିନ୍ତା କଲି । ତୁମେ କ’ଣ ଏକଥା ଭାବି ପାରିଥିଲ?” ଏହାପରେ ପତିପତ୍ନୀ ପରସ୍ପର ଆଲୋଚନା କରି ପୁତ୍ରକୁ ଡାକି କହିଲେ, “ଆଜିଯାଏଁ ତୋର ସମସ୍ତ ଇଚ୍ଛା ଆମେ ପୂରଣ କରି ଆସିଛୁ । ବିବାହ ସମ୍ବନ୍ଧରେ ତୋର ମତକୁ ମଧ୍ୟ ଆମେ ଏଡାଇ ଦେବୁ ନାହିଁ । ଆଜି ଗୋପାଳସ୍ୱାମୀଙ୍କ ପାଖକୁ ଯିବା । ସେ ତୋର ମାମୁଁ ସମ୍ପର୍କୀୟ ହେବେ । ତାଙ୍କଠାରୁ ଆଶୀର୍ବାଦ ପାଇବା ପରେ ଆମେ ଯାହା କରିବା ।”

ଅତି ସ୍ନେହରେ ମାତା ପିତା ଏପରି କହିବାରୁ ସୁଦର୍ଶନ ରାଜି ହୋଇ ଗୋପାଳସ୍ୱାମୀଙ୍କ ଘରକୁ ଗଲେ । ସୁଦର୍ଶନ ସହିତ ଆଲୋଚନା କରି ସେ ସବୁ ବିଷୟ ଶୁଣିବା ପରେ କହିଲେ, “ତୁମ ମା’ ନିଜ କନ୍ୟା ମନରେ ଯେଉଁ ଦୁର୍ବୁଦ୍ଧିର ମଞ୍ଜି ପୋତିଥିଲେ ତା’ର ଫଳ ଏବେ ସେ ପାଉଛନ୍ତି । ଏପରି ସ୍ତ୍ରୀଲୋକ ଭାଗ୍ୟରେ ବୋହୂ ରଖିବାର ସୌଭାଗ୍ୟ ଲେଖା ନାହିଁ । ତେଣୁ ଅନ୍ୟତ୍ର ପରିବାର ବସାଇବା ନିଷ୍ପତି ନେଇ ତୁମେ ଠିକ୍ କରିଛ । ଏବେ ତୁମ ପିତାଙ୍କ କଥା ବିଚାର କର । ସେ କିପରି ସାରା ଗ୍ରାମଲୋକ ତାହା ଭଲଭାବେ ଜାଣନ୍ତି । ଏପରି ପିତାର ପୁତ୍ର ହୋଇ ମଧ୍ୟ ତୁମ ଭିତରେ ଏତେ ବଡପଣ, ମହତ୍ପଣିଆ ରହିଛି ତାହା ଦେଖି ଆମେ ଭାରି ଆଶ୍ଚର୍ଯ୍ୟ ହେଉଛୁ । ବୃଦ୍ଧାବସ୍ଥାରେ ସେପରି ଲୋକ ତୁମ ପରି ଉତ୍ତମ ସେବା ପାଇବାକୁ ଯୋଗ୍ୟ ନୁହେଁ । ତୁମ ମନରେ ଭଗବାନ ସଦ୍ବୁଦ୍ଧି ଦେଇ ଥିବାରୁ ତୁମେ ଏପରି ଉତ୍ତମ ନିର୍ଣ୍ଣୟ ଗ୍ରହଣ କରିବାକୁ ସକ୍ଷମ ହୋଇ ପାରିଲ ।” ଏହିପରି ବିଭିନ୍ନ ପ୍ରକାର କଥା କହି ଗୋପାଳସ୍ୱାମୀ ପ୍ରଭାକରଙ୍କର ନିନ୍ଦାଗାନ କଲେ ।

ଅଧିକ ସମୟ ଆଉ ଧୈର୍ଯ୍ୟ ରଖି ନ ପାରି ସୁଦର୍ଶନ କହିଲା, “ଆପଣଙ୍କୁ ଏତେ କଥାରୁ କ’ଣ ମିଳିବ? ଆଶୀର୍ବାଦ ପାଇଁ ମା’ ଓ ବାପା ଏଠାକୁ ପଠାଇଛନ୍ତି ।”

ଗୋପାଳସ୍ୱାମୀ କହିଲେ “ତୁମର ବାପାଙ୍କୁ କ’ଣ ମାଲୁମ ଅଛି କେଉଁ ଶୁଭ ମୁହୂର୍ତ୍ତରେ ଆଶୀର୍ବାଦ ମିଳି ପାରିବ । ସେ ଗୋଟାଏ ଅତ୍ୟନ୍ତ ବୋକା ଲୋକ । କାଲିକୁ ଶୁଭ ବେଳା ଅଛି । କାଲି ଆସିଲେ ଆଶୀର୍ବାଦ ମିଳିବ ।”

ସୁଦର୍ଶନ ଗୃହକୁ ଫେରି ପିତାମାତାଙ୍କୁ ସବୁ ଜଣାଇ କହିଲେ, “ମୋର ନିଜର ଆତ୍ମ ସମ୍ମାନ ଅଛି । ମୋର ଇଚ୍ଛା ଅନୁସାରେ ମୁଁ ନିଷ୍ପତି ନେବି । ମୋର ପିତାମାତାଙ୍କ ପ୍ରତି ମୋର ସମ୍ମାନ, ଆଦର ରହିଛି । ଗୋପାଳସ୍ୱାମୀ ମା’ଙ୍କୁ କେତେ କଥା କହି ସମାଲୋଚନା କଲେ । ପୁଣି ବାପାଙ୍କୁ ଦୋଷ ଦେଇ ଗାଳି କଲେ । ମୁଁ ତାହା ସହ୍ୟ କରି ପାରିଲି ନାହିଁ । ଏପରି ବ୍ୟକ୍ତି ପାଖରୁ ମୋର ଆଶୀର୍ବାଦ ଲୋଡା ନାହିଁ । ମୋତେ ସେଠାକୁ ଯିବାପାଇଁ ଆଉ କେବେବି କହିବେ ନାହିଁ କି ନିଜେ ବି ଭବିଷ୍ୟତରେ ଆଉ କେବେବି ତାଙ୍କ ଦୁଆର ମାଡିବେ ନାହିଁ ।” ସୁଦର୍ଶନ ଆବେଗରେ ଆସି ଏତେ କଥା କହିଯିବା ପରେ ପୁତ୍ର ହୃଦୟରେ ସ୍ନେହଭାବକୁ ପ୍ରଭାକର ଠିକ୍ ବୁଝି ପାରିଲେ । ତେଣୁ ତାଙ୍କ ମନରେ ଥିବା ସମସ୍ତ ବିଷାଦଭାବ କୁଆଡେ ଦୂରେଇଗଲା ।

କିନ୍ତୁ ଏବେ ଗୋପାଳସ୍ୱାମୀଙ୍କ କଥା ପାଳନ କରି ନିଜର ସ୍ତ୍ରୀଙ୍କର ସ୍ୱଭାବରେ ପରିବର୍ତ୍ତନ ଆଣିବାକୁ ଚାହିଁଲେ । ଦୁହେଁ ସତ୍ ମାର୍ଗରେ ପରିଚାଳିତ ହେଲେ ପରିବାରର ମଙ୍ଗଳ ହେବ, ଏହି ସତ୍ୟ ସେ ବୁଝି ପାରିଲେ, ଉଭୟେ କନ୍ୟାକୁ ତା’ର କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ବନ୍ଧରେ ବୁଝାଇ ପୁନଶ୍ଚ ତାକୁ ତା’ ଶାଶୁ, ଶ୍ୱଶୁରଙ୍କ ନିକଟକୁ ପଠାଇ ଦେଲେ । ସେମାନଙ୍କର ପରିବାର ମଧ୍ୟ ହସଖୁସିରେ ଭରିଗଲା ।

ସୁଦର୍ଶନ ମନରେ ପିତୃଭକ୍ତି ଯଥାବତ୍ ରହିଲା । ସେ ପିତାଙ୍କ ପରାମର୍ଶରେ ନିଜର ଜୀବନକୁ ପରିଚାଳିତ କଲା । ପରିବାରରେ ସନ୍ତୋଷ ଓ ସଂତୃପ୍ତି ଭରିଗଲା । ବିବାହ ପରେ ସେ ନିଜ ସ୍ତ୍ରୀକୁ ପିତା, ମାତାଙ୍କ ସେବା କରିବା ପାଇଁ ଅନୁପ୍ରାଣିତ କଲା । ଫଳରେ ସୁଦର୍ଶନର ଗୁଣ ଗ୍ରାମରେ ବିକଶିତ ହେଲା ।

New odia story Odia Gapa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleସହନ ଶକ୍ତିର ରହସ୍ୟ
Next Article ପିତୃଭକ୍ତି
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.