• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ପାପର ଫଳ/The Result of sin
ଗଳ୍ପ

ପାପର ଫଳ/The Result of sin

suchitraBy suchitraDecember 1, 2021No Comments9 Mins Read
Facebook Twitter Pinterest Reddit LinkedIn Tumblr Email
Papara-Phala
Papara-Phala
Share
Facebook Twitter Pinterest Reddit Email

ତା’ପର ଦିନ ରାତ୍ର ପାହିବା ମାତ୍ରେ ଗଙ୍ଗା କୂଳରୁ ବିଦାୟ ନେଇ ସେମାନେ ଯମୁନା ତୀର୍ଥକୁ ବାହାରିଲେ । ରାସ୍ତାରେ ଯାଉ ଯାଉ ସଂଧ୍ୟା ହୋଇ ଆସିଲା । ଚତୁର ବ୍ୟଙ୍ଗକାର କହିଲେ – ଆରେ ବାବା ବୋଲକରା ସଂଧ୍ୟା ତ ହୋଇଯିବ । ନିକାଂଚନ ରାସ୍ତାରେ ଗତି କରିବା କଥାକୁ କଥାକାର ନା କହିଛନ୍ତି । ସେଥି ଲାଗି ମୁଁ କହୁଥିଲି କି ଆମ ଆଗରେ ଦେଖା ଯାଉ ଥିବା ସ୍ଥାନରେ ଯାଇ ପହଁଚି ଗଲେ ସେଠାରେ ଯେବେ ରହିବାର ସୁଯୋଗ ଥିବ ତାହା ହେଲେ ଆମେ ସେଠାରେ ରହି ଯିବା । ତାହା ନହେଲେ ଆମକୁ ପୁଣି କିଛି ବାଟ ଆଗକୁ ଯିବାକୁ ହେବ ।

ଅବୋଲକରା କଥାଟାକୁ ଶୁଣି ସାରି କହିଲା – ଭୁଲ୍ କଥା, ଚାଲନ୍ତୁନା । ଏହା କହି ବୋଲକରା ଡଗ ଡଗ ହୋଇ ଆଗକୁ ପାଦ ପକାଇ ଚାଲିଲା ।
ଖରା ରତ ରତ ହେଉଛି, ଆଉ ଅଳ୍ପ ସମୟ ମଧ୍ୟରେ ସୂର୍ଯ୍ୟ ଅସ୍ତ ହୋଇ ଯିବେ । ଏମାନଙ୍କ ଚଲା ପଥରେ ମନ୍ଦିର ଗୋଟିଏ ପଡିଲା । ଚତୁର କଥାକାର ଯାଇ ସେଠାରେ ପହଁଚିବା ମାତ୍ରେ ମନ୍ଦିରର କୋଠା ଘର ବାରଣ୍ଡାରେ ବସି ଥିବା କେତେକ ବୟସ୍କ ବ୍ୟକ୍ତି ସେହି ଉପଦେଷ୍ଟାଙ୍କୁ ଦେଖି ଖୁବ୍ ସମ୍ମାନ ଦେଲେ । ଠାକୁରାଣୀଙ୍କ କୋଠା ଘରେ ରହି ଯିବାକୁ ପ୍ରସ୍ତାବ ଦିଅନ୍ତେ ଲୋକ ମାନେ ଆଦର କରି କହିଲେ – ରୁହନ୍ତୁ, ଏହି ଠାରେ ଆଜି ରାତିଟା ବିତାନ୍ତୁ । ଏହା ପରେ ନିର୍ଜନ ଅରଣ୍ୟାଦିରେ ରାସ୍ତା ପଡିବ । ଚଲା ପଥରେ ଯିବାଟା ଆପଣଙ୍କ ଲାଗି ମଙ୍ଗଳ ଦାୟକ ହେବ ନାହିଁ । ଲୋକଙ୍କ କଥାରେ ଚତୁର ବ୍ୟଙ୍ଗକାର ବୋଲକରାକୁ କହିଲେ – ହେଲା ଆଜି ରାତ୍ରିକ ଏଠାରେ ଅବସ୍ଥାନ କରିବା – ତେଣୁ ତୁ ଗଣ୍ଠିଲି ପତ୍ର ଥୋଇ ଦେଇ ଗଲୁ ଗାଁ ଦୋକାନରୁ କିଛି ସଉଦା ଆଣ ।

ଶିତଳା ଠାକୁରାଣୀଙ୍କ କୋଠା ଘରେ ଗଣ୍ଠିଲି ଥୋଇ ବୋଲକରା ବାହାରି ଗଲା ସଉଦା ଆଣିବାକୁ । ଇଏବି ଥିଲା ସେଦିନ ବୋଲକରା ଲାଗି ସଂପୂର୍ଣ୍ଣ ନୂଆ ଜାଗା । ପାଖ ଗ୍ରାମକୁ ଯିବା ରାସ୍ତାରେ ଦେଖିଲା ଯେ ସାତ ଗୋଟି ମନୁଷ୍ୟର ମୂର୍ତ୍ତି ପାହାଡ ଉପରେ ସ୍ଥାପନ କରା ଯାଇଛି । ତା’ର ଚତୁଃ ପାଶ୍ୱର୍ରେ ପଥର ଗୁଡାଏ ପାଚେରି ପରି ସଜ୍ଜା ଯାଇଛି । ତାହା ଦେଖି ବୋଲକରା ଖୁବ୍ ଆଶ୍ଚର୍ଯ୍ୟ ହେଲା । ୟେତ କେହି ଦେବ ଦେବୀ ନୁହଁନ୍ତି, ସେମାନଙ୍କର ପୂଜା ବିଧି ତ କାହିଁ କରା ଯାଉ ନାହିଁ, ହେଲେ ଏତେ ଯତ୍ନ ସହକାରେ ଏଗୁଡିକ ଏଠାରେ ରଖା ଯାଇଛି କାହିଁକି? ବୋଲକରା ଖୁବ୍ ଆଗ୍ରହ ହେଲା । ଏ ବିଷୟରେ ତଥ୍ୟ ମାନ ସେ ପାଇବ କିପରି, ତେଣୁ ସେ ବହୁ ଲୋକଙ୍କୁ ସେ ବିଷୟରେ ପଚାରନ୍ତେ କାହାରି ଠାରୁ ମନକୁ ପାଇବା ପରି କଥାଟିଏ ଶୁଣି ପାରିଲା ନାହିଁ । ତହୁଁ ସେ ସ୍ଥିର କଲା ସେ ଯାହା ହେଉନା କାହିଁକି ଶୀତଳା କୋଠାଘରେ ପହଁଚିବା ମାତ୍ରେ ଆଗେ ସେ ଉପଦେଷ୍ଟାଙ୍କୁ ଏ କଥା ପଚାରିବ । ସେ ସେହି କଥାର ଉତ୍ତର ନପାଇବା ଯାଏଁ କିଛିବି କରିବ ନାହିଁ । ୟା ମଧ୍ୟରେ ସଞ୍ଜ ହୋଇ ଯାଇଛି । ବୋଲକରା ଆସି କୋଠା ଘରେ ଦେଖିଲା ଚତୁର ବ୍ୟଙ୍ଗକାର ନିତ୍ୟ କର୍ମ ସାରି ମନେ ମନେ ଇଷ୍ଟ ଦେବୀଙ୍କର ନାମ ସ୍ମରଣ କରୁଛନ୍ତି । ବୋଲକରା ଯାଇ ସଉଦା ପତ୍ର ଥୋଇ ଦେଲା । ଦେଖି ଥିବା କଥାକୁ କହି ଏହା କାହିଁକି ହୋଇଛି ତା’ର ଠିକ୍ କଥା ମୋତେ ବୁଝାଇ ଦିଅ । ନହେଲେ କାର୍ଯ୍ୟ ଏହି ଠାରେ ଠପ କରି ମୁଁ ଶୋଇବି ଜାଣ । ଚତୁର ବ୍ୟଙ୍ଗକାର ହସିଲେ ଆଉ କହିଲେ –

ବସ ବୋଲକରା ମଥାକୁ ସ୍ଥିର
କହିବା ସେକଥା ଜଣା ଆମ୍ଭର
ଲଗାଅତୁ ଚୁଲା ବସାଅ ହଣ୍ଡା
କଥା ଚାଲିଥିବ ସରିବ ରନ୍ଧା ।

ବୋଲକରା ଉପଦେଷ୍ଟାଙ୍କ କଥାରେ ଖୁସି ହୋଇ ଯାଇ ରୋଷେଇ କାର୍ଯ୍ୟରେ ଲାଗି ଯାଆନ୍ତେ, ଚତୁର କଥାକାର ସେହି କଥାଟି ଆରମ୍ଭ କଲେ – ପ୍ରାଚୀନ କାଳରେ ଯାଜନଗ୍ର ନାମରେ ଏକ ରାଜ୍ୟ ଥିଲା । ସେହି ରାଜ୍ୟରେ ଜଣେ ବିଖ୍ୟାତ ସୌଦାଗର ଥିଲେ । ତାହାଙ୍କ ନାମ ଜୟ ସୌଦାଗର । ସେ ଖୁବ୍ ଧନୀ ଥିଲେ । ଅମାପ ଧନ ସମ୍ପଦ, ସେଥି ପାଇଁ ସୌଦାଗରର ପ୍ରତିପତି ଅନେକ । ଜୟ ସୌଦାଗର ବୋଇତ ନେଇ ଜାଭା ସୁମାତ୍ରା ଆଦି ବହୁ ଦୂର ସ୍ଥାନକୁ ଯାଇ ବାଣିଜ୍ୟ କରେ । ହେଲେ ଜୟ ସୌଦାଗର ଧନରେ ବଡ ହେଲେ କ’ଣ ହେବ, ଲୋକଙ୍କ ଆଖିରେ ସେ ଖୁବ୍ ଦୁର୍ଦ୍ଦାନ୍ତ ଏବଂ ଅତ୍ୟାଚାରୀ ମଧ୍ୟ ଥିଲା । ସେ ଯେଉଁ ଯେଉଁ ରାଜ୍ୟକୁ ବଣିଜ କରିବାକୁ ଯାଏ ସେହି ରାଜ୍ୟରୁ ସୁନ୍ଦରୀ ସୁନ୍ଦରୀ ଝିଅ ମାନଙ୍କୁ ଅପହରଣ କରି ଆଣି ସେମାନଙ୍କ ପ୍ରତି ଅକଥନୀୟ ପାଶବିକ ଅତ୍ୟାଚାର କରେ । ସେ ସୌଦାଗର ତାର ଜୀବନ ମଧ୍ୟରେ ଏମିତି ବହୁ ପାପ କଲା । ଏହି କାରଣରୁ ତାଙ୍କୁ ଧର୍ମ ସହିଲା ନାହିଁ । ପାପର ସୀମା ଏତେ ଅଧିକ ହୋଇ ଗଲା ଯେ ତା’ର ବଂଶ ରକ୍ଷା ନିମନ୍ତେ ପୁଅ କି ଝିଅଟିଏ ହେଲେ ନାହିଁ । ଏଥି ଯୋଗୁଁ ତାଙ୍କ ସ୍ତ୍ରୀଙ୍କ ମନରେ ଖୁବ୍ ଦୁଃଖ ହେଲା । ଆଣ୍ଠୁକୁଡି ହେବା କଥା ଶୁଣି ସେ ବିଷ ଖାଇ ଦେବାକୁ ବସନ୍ତେ ସୌଦାଗର ତାଙ୍କୁ ବହୁତ କରି ବୁଝାଇଲେ । ଆମ ଭାଗ୍ୟରେ ତ ସନ୍ତାନ ନାହାଁନ୍ତି । ତେଣିକି ଆମ ଭାଗ୍ୟରେ ଯାହା ଥିବ ସେଇଆ ଭୋଗିବା । ବିଷ ଖାଇ ମରିବା ଠାରୁ ଆଉ ବଡ ପାପ କିଛି ନାହିଁ । ତୁମେ ସେ କଥାରୁ ସର୍ବଦା ଦୂରେଇ ରୁହ । ସୌଦାଗରର ସ୍ତ୍ରୀ ଜୟ ସୌଦାଗରଙ୍କୁ କହିଲେ ତୁମେ ମୋ କଥା ମାନି ଆଉ ଗୋଟିଏ କନ୍ୟାକୁ ବିବାହ କର । ମୁଁ ତ ହିନୀ କପାଳୀ, ପୁଅ କି ଝିଅ ମୁଖ ଦେଖିବି ନାହିଁ । ହେଲେ ଆଉ ଗୋଟିଏ କନ୍ୟାକୁ ତୁମେ ବିବାହ କଲେ ତୁମର ବଂଶ ରକ୍ଷା ନିଶ୍ଚୟ ହେବ ।

ସ୍ତ୍ରୀଙ୍କର କଥା ମାନି ଜୟ ସୌଦାଗର ଗୋଟି ଗୋଟି କରି ସାତ ବିବାହ କଲେ । ଛଅ ସ୍ତ୍ରୀଙ୍କର କିଛିବି ସନ୍ତାନ ସନ୍ତତି ହେଲେ ନାହିଁ । ସପ୍ତମ ସ୍ତ୍ରୀ ଥିଲେ ମଳୟ ଦେଶର କନ୍ୟା । ଆଗ ଛଅ ରାଣୀଙ୍କ ଠାରୁ ତାଙ୍କର ଆଚାର ଆଚରଣ ଭିନ୍ନ ପ୍ରକାର ଥିଲା । ଦେବ ସ୍ଥାନୀୟ ଦେବତାଙ୍କ ଠାରେ ଥିଲା ତାଙ୍କର ଅସୀମ ଭକ୍ତି । ଆଉ ମଧ୍ୟ ପିଲାଟି ଦିନରୁ ସାନ ଭାରିଜା ମା’ ଦୁର୍ଗାଙ୍କର ପୂଜା କରୁ ଥିଲା । ବିବାହ ଆଗରୁ କନ୍ୟା ଯେତେବେଳେ ମା’ ଦୁର୍ଗାଙ୍କୁ ଆତୁର ହୋଇ ଡାକିଲା – ମା’ ଦୁର୍ଗା ତା’ ଭକ୍ତିରେ ଉଭା ହେଲେ । କନ୍ୟାକୁ କହିଲେ – ଝିଅଲୋ ତୋର ଏଥର ବିଭାଘର ହେବ । ଯିଏ ତୋର ସ୍ୱାମୀ ହେବେ ସେ ତୋତେ ସପ୍ତମ ବିବାହ କରିବେ । ହେଲେ ମା’ ତୋ ଭାଗ୍ୟରେ ଅଛି ସେମିତି ଏକ ପାପୀ ସୌଦାଗରକୁ ବିବାହ କରିବୁ । ତୋର ଯେ ଭକ୍ତି ଆଉ ଧର୍ମ ବଳ ଅଛି, ସେଥି ଲାଗି ସେହି ଆଣ୍ଠୁକୁଡା ସୌଦାଗର ଗୃହକୁ ଗଲେ ତୋର ନିଶ୍ଚୟ କନ୍ୟା ଗୋଟିଏ ହେବ । ହେଲେ ପାପୀ କୁଳରେ କେଉଁ ପୁଣ୍ୟର ଆବିର୍ଭାବ ହୁଏ । ତେଣୁ ତୋ ଭାଗ୍ୟରେ ମଧ୍ୟ ତାହା ଲେଖା ହୋଇଛି । ଧର୍ମ ବଳରୁ ତୁ ସିନା ନିଃସନ୍ତାନ ହେବୁ ନାହିଁ ହେଲେ ତୋର ଯେ କନ୍ୟା ହେବ, ପର ପୁରୁଷର ସ୍ୱଭାବ ଗୁଣର ହେବ । କନ୍ୟାଟିଏ ହେବ । ବାପର ଔରସର ଯେଉଁ ପୁଅ ମାନେ ହେବେ ସେମାନେ ସବୁ ହୁଣ୍ଡା ହେବେ ।

ମାଆଙ୍କ ଠାରୁ ଏ କଥା ଶୁଣିବା ପରେ କନ୍ୟା କହିଲା ମା’ ତୁମେ ମୋତେ ଏପରି ବ୍ୟଭିଚାରିଣୀ ଅସତୀ କରାଅ ନାହିଁ, ବରଂ ତମେ ମୋତେ ମୋର ସ୍ୱାମୀଙ୍କର ଔରସରୁ ହୁଣ୍ଡା ପୁଅ ଦିଅ କିନ୍ତୁ ମୋତେ ପର ପୁରୁଷର କଥା କୁହ ନାହିଁ । ଏହା ପରେ ଦେବୀ ତଥାସ୍ତୁ କହି ସେଠାରୁ ଅନ୍ତର୍ଦ୍ଧାନ ହୋଇ ଗଲେ । ତା’ପରେ ସୌଦାଗରଙ୍କର ସାନ କନ୍ୟା ମଳୟାବତୀ ଆଡୁ ଗୋଟି ଗୋଟି ହୋଇ ସାତ ଗୋଟି ପୁତ୍ର ସନ୍ତାନ ଜନ୍ମ ହେଲେ । ମଳୟାବତୀର ପୁଅ ମାନେ ସମସ୍ତେ ସମସ୍ତଙ୍କ ଠାରୁ ଗୋଟିଏ ଗୋଟିଏ ବର୍ଷର ସାନ ବଡ ହେଲେ । ସମସ୍ତଙ୍କର ବୟସ ବଢିଲା । ବୟସ ବଢିବା ସହିତ ନିଜର ହୁଣ୍ଡା ଗୁଣରେ ମଧ୍ୟ ସେହି ପରି ବଦମାସି କଲେ । ପ୍ରତି ଦିନ ବାହାରୁ ଝଗଡା ଆଣି ଘରେ ପୂରାଇଲେ । ଘରୁ ଧନ ନେଇ ବାହାରେ ଦେଲେ । ରାସ୍ତା ଘାଟରେ ଯେଉଁ ଝିଅ ବୋହୂକୁ ଦେଖିଲେ ସେମାନଙ୍କୁ ଉଲଗ୍ନ କରି ତାଙ୍କର ଇଜ୍ଜତ ନେଲେ । ଯିଏ ପ୍ରତିବାଦ କଲେ ସେମାନଙ୍କୁ ମାଡ ମାରି ଶାସନ କଲେ ।

ଏଥୁ ଅନ୍ତେ ସୌଦାଗର ଯାହା ନିଜ ମନରେ ଚିନ୍ତା କରି ଥିଲେ ପୁତ୍ରମାନେ ତା’ର ବିପରୀତ କଥା କଲେ । ପରିଶେଷରେ ସୌଦାଗର ବୁଢା ଏହି କଥା ଚିନ୍ତା କରି ହୀନ ବଳ ହୋଇ ପଡି ମରି ଗଲେ । ବୁଢା ସୌଦାଗର ମରି ଯିବାରୁ ସଉତୁଣୀ ମାନେ ନିଜ ନିଜ ମଧ୍ୟରେ ଝଗଡା ଲାଗିଲେ । କାହାରି କଥା କାହାରି ମନକୁ ପାଇଲା ନାହିଁ । ସେମାନେ ଏକତା ହୋଇ ସାନ ଉପରେ ଇମିତି ଅଦଉତି ସାଧିଲେ ଯେ ସାନ ଭାରିଜା ମଳୟାବତୀ ନିଜର ସ୍ୱାମୀ ଗୃହ ଛାଡି ଚାଲି ଗଲେ । ଏହା ପରେ ଛଅ ବୋହୂ ଯାକ ସ୍ୱାମୀଙ୍କର ସମ୍ପତିକୁ ଭାଗ କରି ନିଜର ସୁଖରେ ନିଜେ ରହିଲେ । ଯାହାର ଯେତେବେଳେ ଇଚ୍ଛା ହେଲା ସେତେବେଳେ ସେ ପର ପୁରୁଷ କଲା । ସୌଦାଗରର ସାନ ଭାରିଜା ମଳୟାବତୀ ସେ ଘରୁ ଚାଲି ଗଲେ ।

ଦିନକର କଥା ସେହି ଦେଶର ରାଜ କନ୍ୟା ବନ ବିହାରରେ ଯାଇ ଥାଆନ୍ତି । ସାଙ୍ଗରେ ଯାଇ ଥିବା ସହଚରୀ ମାନଙ୍କ ସହିତ ପୁଷ୍ପ ଝରଣା ନିକଟରେ ମନ ଆନନ୍ଦରେ ଖେଳ ଖେଳୁଥିବା ବେଳେ ଗୋଟିଏ ମହାବଳ ବାଘ ପାଣି ପିଇବାକୁ ଝରଣା ଦିଗରେ ଆସି ସେ ରାଜ କନ୍ୟାଙ୍କୁ ଆକ୍ରମଣ କଲା । ସେତେବେଳେ ମଳୟାବତୀର ହୁଣ୍ଡା ସାତ ପୁଅ ସେହି ବନରେ ପହଁଚି ଥାଆନ୍ତି । ସେମାନେ ରାଜ କୁମାରୀଙ୍କୁ ବାଘ ଆକ୍ରମଣ କରିବା ଦେଖି ସାନ ପୁଅ ଧାଇଁ ଯାଇ ବାଘକୁ ଅତର୍କିତ ଆକ୍ରମଣ କରି ମାରି ଦେଲା । ବାଘ ଆଗରୁ ରାଜ କୁମାରୀ ବଂଚି ଗଲାରୁ ରାଜ କୁମାରୀ ସାତ ଭାଇଙ୍କୁ ସଙ୍ଗରେ ଧରି ରାଜ ଉଆସକୁ ଗଲା । ସେ ଦେଶର ରାଜା ନିଜର ଉଆସରେ ହୁଣ୍ଡା ମାନଙ୍କୁ ଦେଖି ରାଜ କୁମାରୀଙ୍କୁ ପଚାରନ୍ତେ ରାଜ କୁମାରୀ ତାଙ୍କ ପିତାଙ୍କ ଆଗରେ ବନରେ ଘଟିଥିବା ସମସ୍ତ କଥାକୁ ଗୋଟି ଗୋଟି କରି ବର୍ଣ୍ଣନା କରନ୍ତେ ରାଜା ଖୁବ୍ ଖୁସି ହୋଇ ଗଲେ । ସେମାନଙ୍କ ଠାରୁ ସେମାନଙ୍କର ବଂଶର ପରିଚୟ ବୁଝି ଜାଣିଲେ ଯେ ସେମାନେ ସମସ୍ତେ ଜୟ ସୌଦାଗରଙ୍କର ପୁଅ । ସେଥି ପାଇଁ ସେହି ସାତ ଭାଇଙ୍କୁ ରାଜ ଉଆସରେ ଆତିଥ୍ୟ ଦେବାକୁ ରାଜା ତାଙ୍କ ମନ୍ତ୍ରୀଙ୍କୁ ଆଦେଶ ଦେଇ ରାଜ କନ୍ୟାକୁ ନିଜ ଉଆସକୁ ଡାକି ନେଇ ଚାଲି ଗଲେ ।

ଉଆସକୁ ନେଇ କନ୍ୟା ଠାରୁ ସମସ୍ତ ସତ କଥା ଜାଣି ସାରି କହିଲେ – ତୁ ତ ମା’ ମୋର ପୁଅ ଆଉ ଝିଅ ମଧ୍ୟ । ମୋ ଅନ୍ତେ ଏ ରାଜ୍ୟ, ଏ ପ୍ରଜା, ଏ ସିଂହାସନ ସବୁ ତୋର । ତୋର ଇଚ୍ଛାରେ ମୋର ଇଚ୍ଛା । ତୁ ଯେତେବେଳେ ସେମାନଙ୍କୁ ରାଜ ଉଆସକୁ ଡାକି ଆଣିଛୁ, ଏଣିକି ତୋର ମତାମତକୁ ମୁଁ ଅପେକ୍ଷା କରିଛି । ରାଜାଙ୍କର ମନର କଥାକୁ ରାଜ କନ୍ୟା ଠିକ୍ ଭାବରେ ଚିହ୍ନି ପାରି ଥିଲା । ସେ କହିଲା ଆପଣଙ୍କର ଯେବେ ଇଚ୍ଛା ହେଉଛି ତାହା ହେଲେ ମୋତେ ସେ ସୌଦାଗରର ସାନ ପୁଅକୁ ବିଭା କରି ଦେବ । କନ୍ୟାର ଇଚ୍ଛା ଜାଣି ରାଜା ସାତ ଭାଇ ମାନଙ୍କୁ ଡାକି ନିଜର କନ୍ୟାର ବିଭାଘର ପ୍ରସ୍ତାବ ଦିଅନ୍ତେ ଅନ୍ୟ ଛଅ ଭାଇ ମାନେ କହିଲେ ରାଜ କନ୍ୟା ଆମ ଛଅ ଭାଇଙ୍କୁ ଆଗ ବିଭା ହେବେ । ତା’ପରେ ଯାଇ ସେ ସାନ ଭାଇଙ୍କୁ ବିଭା ହେବେ । ତାହା ନହେଲେ ଏହି ବିବାହ କେବେ ସମ୍ଭବ ନୁହେଁ ।

ସାନ ଭାଇକୁ ବିବାହ କରିବାକୁ ଇଚ୍ଛା କରିଥିବା ରାଜ କନ୍ୟା ଏବେ ବଡ ଅଡୁଆରେ ପଡି ଗଲା । ରାଜ କନ୍ୟା କହିଲା ତାହା ହେଲେ ଠିକ୍ ଅଛି ମୁଁ ତୁମ ସାତ ଭାଇଙ୍କୁ ନିଶ୍ଚୟ ବିଭା ହେବି । ସେଥି ଲାଗି ମୋର ତୁମ୍ଭ ମାନଙ୍କ ନିମନ୍ତେ ଗୋଟିଏ ନିୟମ ରହିବ । ସେହି ନିୟମ ହେଲା ତମେ ମାନେ ଜଣ ଜଣ କରି ଗୋଟିଏ ଲେଖା ମାସ ମୋର ଉଆସକୁ ଆସିବ । ରାଜାଙ୍କର ସେହି ଗୋଟିଏ ବୋଲି ଝିଅ । ଏହି ଗୋଟିଏ କନ୍ୟା ବ୍ୟତୀତ ରାଜାଙ୍କର ଆଉ ନଅଟା ଅଛି ନା ଛଅଟା ଅଛି । ରାଜା ମଧ୍ୟ ନିଜର ଗେହ୍ଲା କନ୍ୟାର କଥାରେ ରାଜି ହୋଇ ଗଲେ । ଏହା ପରେ ଖୁବ୍ ଜାକ ଜମକରେ ରାଜ କନ୍ୟାର ବିଭାଘର କରାଇ କନ୍ୟାର ଚଉଠି ରାତି ପୂର୍ବରୁ ଦେହ ତ୍ୟାଗ କଲେ ।

ରାଜାଙ୍କର ବିଧି ବିଧାନ ଅନୁସାରେ ରାଜ କନ୍ୟା ରାଜ ଗାଦିରେ ବସି ଅନୁମତି ଦିଅନ୍ତେ ରାଜାଙ୍କର ଅନ୍ତେଷ୍ଟି କ୍ରିୟା ସମାପନ ହେଲା । ଏଥୁ ଅନ୍ତେ ରାଜ କନ୍ୟାଙ୍କର ଚଉଠି ରାତି । ବିଧି ଅନୁସାରେ ରାଜ କନ୍ୟା ସାନ ଭାଇଙ୍କୁ ବିବାହ କରି ପରେ ଅନ୍ୟ ଭାଇ ମାନଙ୍କୁ ବିବାହ କରି ଥିଲେ । ସେହି କାରଣରୁ ସାନ ଭାଇ ଯେତେବେଳେ ମଧୁ ଶଯ୍ୟା ଗୃହକୁ ଯାଆନ୍ତି, ଅନ୍ୟ ଭାଇ ମାନେ ଜୋର୍ କରି ମଧୁ ଶଯ୍ୟା ଗୃହରେ ପଶି କହିଲେ ଆମେ ସମସ୍ତେ ତୁମକୁ ବିବାହ କରିଛୁ । ସେଥି ଲାଗି ସମସ୍ତଙ୍କ ଲାଗି ଆଜି ମଧୁ ଶଯ୍ୟା ହେବ । ଆମେ ସମସ୍ତେ ସାଥି ହୋଇ ଏହି ମଧୁ ଶଯ୍ୟା ରାତ୍ରିକୁ ଉପଭୋଗ କରିବୁ । ଏହା ଦେଖି ରାଜ କନ୍ୟା ଅବାକ୍ । ଏମାନେ ଗୋଟିଏ ଗୋଟିଏ ଗଜମୂର୍ଖ ବୋଲି ସେ ଜାଣିଯାଇ ପ୍ରହରୀ ମାନଙ୍କୁ ଡକାଇ ଆଦେଶ ଦେଲେ ଯେ ଏମାନଙ୍କୁ ଖୁବ୍ ମାଡ ମାରି ଏହି ରାଜ ଉଆସରୁ ବାହାର କରି ଦେଇ ରାଜ୍ୟରୁ ମଧ୍ୟ ଏମାନଙ୍କୁ ବାହାର କରି ଦେବ ।

ପ୍ରହରୀ ମାନେ ରାଜ କନ୍ୟାଙ୍କର ଆଦେଶ ମାନି ମୂର୍ଖ ଭାଇ ମାନଙ୍କୁ ବହୁତ ମାଡ ମାରି ରାଜ୍ୟର ବାହାରେ ଛାଡି ଦେଲେ । ତା’ପରେ ରାଜ କନ୍ୟା ନିଜ ରାଜ୍ୟର ମନ୍ତ୍ରୀ ପୁଅକୁ ଡକାଇ ତାଙ୍କୁ ବିଭା ହେଲେ । ଏଥୁ ଅନ୍ତେ ରାଜ କନ୍ୟାଙ୍କ ଦ୍ୱାରା ରାଜ୍ୟରୁ ତଡା ଖାଇ ଅରଣ୍ୟ ମଧ୍ୟରେ ଚାଲୁ ଥିବା ସମୟରେ ଚିନ୍ତା କରୁ ଥାଆନ୍ତି ଯେ ସେମାନେ କିପରି ସେ ରାଜ କନ୍ୟାଙ୍କୁ ପାନେ ଦେବେ । ସମସ୍ତଙ୍କ ମନରେ ସିନା ଏପରି ପ୍ରତିଶୋଧ ନେବାର ଚିନ୍ତା ଥିଲା ହେଲେ ସେମାନେ କେଉଁ ଉପାୟରେ ତାହା କରିବେ ଚିନ୍ତା କରି ପାରୁ ନଥାନ୍ତି । ଏହି ପରି ଭାବି ଭାବି ଅରଣ୍ୟ ମଧ୍ୟରେ ଯାଉ ଯାଉ ସେମାନେ ସାତ ଭାଇ ଯାଇ ଜଣେ ଋଷିଙ୍କ ଆଶ୍ରମରେ ପହଁଚି ଗଲେ । ପୂର୍ବରୁ ରାଜ କନ୍ୟାଙ୍କ ସହିତ ଯାହା ଯାହା ଘଟିଥିଲା ସେମାନେ ସେ ଋଷିଙ୍କ ଆଗରେ ସମସ୍ତ ଖୋଲି କରି କହିଲେ ।

ଋଷି କିନ୍ତୁ ସେତେବେଳେ ତପସ୍ୟାରେ ବସି ଥାଆନ୍ତି । ସାତ ଭାଇ ଯାକ ଯେତେ କଥା କହିଲେ ଋଷିଙ୍କ ଆଡୁ କୌଣସି ପ୍ରତିକ୍ରିୟା ନ ହେବା ଦେଖି ମୂର୍ଖ ସାତ ଭାଇ ଯାକ ଶେଷରେ ଚିନ୍ତା କଲେ ଯେ ଋଷିଙ୍କୁ ଉଠାଇ ନେଇ ଆମେ ରାଜ ଦରବାରକୁ ନେଇ ଯିବା । ରାଜ ଦରବାରରେ ପହଁଚିଲେ ବଳେ ବଳେ ଋଷିଙ୍କର ଧ୍ୟାନ ଭଗ୍ନ ହେବ । ମୂର୍ଖ ସାତ ଭାଇ ଯାକ ତାହାହିଁ କଲେ । ଋଷିଙ୍କୁ ତପସ୍ୟା ଆସନରୁ ଉଠାଇ ଆଣିବା ହେତୁ ଋଷିଙ୍କର ଧ୍ୟାନ ଭଗ୍ନ ହେଲା । ଋଷି ଏମାନଙ୍କର ଅତ୍ୟାଚାରରେ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ଅଭିଶାପ ଦେଲେ । ସାତ ଭାଇ ଯାକ ପଥର ପାଲଟି ଗଲେ । ଋଷିଙ୍କ ଠାରୁ ରାଜ କନ୍ୟା ଏପରି ସମ୍ବାଦ ଶୁଣି ନିଜର ସ୍ୱାମୀ ହୋଇଥିବା କାରଣରୁ ସେମାନଙ୍କ ଚତୁଃ ପାଶ୍ୱର୍ରେ ପଥରର ବେଢା ନିର୍ମାଣ କରି ଦେଲେ । ଚତୁର ବ୍ୟଙ୍ଗକାର କଥା ଶେଷ କରି କହିଲେ –

ହୋଇଲା ଠପ ଶୁଣିଲୁ ଗପ
ଏବେ ବଢା ବଢି କର
ଖାଇବା ଗଣ୍ଡେ ଶୋଇବା ଚାଣ୍ଡେ
ସକାଳକୁ ଥୟ କର
ରହିଛି ବାଛି ଅନେକ କିଛି
ତୀର୍ଥ ସରି ନାହିଁ ପରା
ଉଠ ବୋଲକରା ବସ ବୋଲକରା
କଥା ହେଲା ଆମ ସାରା ।

Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleଯୋଗିନୀ/Yogini
Next Article ମନ୍ତ୍ର ରାକ୍ଷସ କଥା/Mantra Rakhyasa Katha
suchitra

Related Posts

ଆତିଥ୍ୟ

March 31, 2023

ନିରକ୍ଷର ସେନାପତି

March 30, 2023

ନୂତନ ଦଣ୍ଡ

March 29, 2023

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.