୍ୱିତୀୟ ଦିନ ଯେତେବେଳେ ଧୀରସିଂହ ରାଜକୁମାରୀ ସୁଲୋଚନାଙ୍କୁ ଭେଟିବାକୁ ଆସିଲେ, ସେତେବେଳେ ରାଜକୁମାରୀ ତାଙ୍କୁ ସ୍ୱାଗତ କରି କହିଲେ,”ରାଜକୁମାର, ଏ ରାଜ୍ୟର ପଶ୍ଚିମ ପ୍ରାନ୍ତରେ ଯେଉଁ ଅରଣ୍ୟ ରହିଛି, ତାହା ଭିତର ଦେଇ ନଈଟିଏ ବହିଯାଇଛି । ଯିଏ ବଣ ଭିତରକୁ ଯାଏ, ସିଏ କେବଳ ସେ ନଈହିଁ ଦେଖି ପାରେ । ବଡ ବିସ୍ମୟର କଥା ଯେ ଗତ ଦୁଇବର୍ଷ ହେବ ସେ ନଈର ଜଳ ଲାଲ୍ ଦିଶୁଛି । ଏହାର କାରଣ କ’ଣ? ଏହାହିଁ ମୋର ଦ୍ୱିତୀୟ ପ୍ରଶ୍ନ ।”
“ରାଜକୁମାରୀ, ମୋତେ ନଅଦିନ ସମୟ ଦିଅନ୍ତୁ । ମୁଁ ଏ ପ୍ରଶ୍ନର ଯଥାର୍ଥ ଉତ୍ତର ଆଣିଦେବି ।” ଏହା କହି ରାଜକୁମାର ଧୀରସିଂହ ତାଙ୍କଠୁ ବିଦାୟ ନେଲେ ଓ ପଶ୍ଚିମ ଦିଗକୁ ଘୋଡା ଛୁଟାଇ ଦେଲେ । ବଣ ଭିତରେ ପଶି ସେ ଅନେକ ଦୂର ଯିବା ପରେ ତାଙ୍କ ଆଖିରେ ନଈଟିଏ ପଡିଲା । ବାସ୍ତବିକ ସେ ନଈର ପାଣି ଲାଲ୍ ଦିଶୁଥାଏ । ଧୀରସିଂହ ନଈକୂଳେ କୂଳେ ଧୀରଗତିରେ ଘୋଡା ଚଳାଇ ଗୋଟାଏ ସରୋବର ପାଖରେ ଆସି ପହଁଚିଲେ । ସରୋବର ତଟରେ ଅନେକ ଗୁଡିଏ ଫଳପୁଷ୍ପ ଶୋଭିତ ଗଛ । ସେ ସରୋବରର ପାଣି ମଧ୍ୟ ଲାଲ୍ । ନଈଟି ସେହି ବିଶାଳ ସରୋବରରୁ ବାହାରିଛି ବୋଲି ତାଙ୍କର ଧାରଣା ହେଲା ।ସେ ଘୋଡାରୁ ଓହ୍ଲାଇପଡି, ଘୋଡାକୁ ଗୋଟାଏ ଗଛରେ ବାନ୍ଧିଦେଇ ଗଛ ମୂଳରେ ବିଶ୍ରାମ କରୁଛନ୍ତି, ତାଙ୍କ ଆଖିରେ ଗୋଟିଏ ବିଚିତ୍ର ଦୃଶ୍ୟ ପଡିଲା । ସେ ଦୃଶ୍ୟ ଦେଖି ତାଙ୍କ ଲୋମମୂଳ ଟାଙ୍କୁରି ଉଠିଲା । ସେ ଦେଖିଲେ, ସରୋବର ଉପରକୁ ଝୁଙ୍କି ହୋଇ ରହିଥିବା ଗୋଟିଏ ଗଛର ଶାଖା ପ୍ରଶାଖାରୁ ଅନେକ ଗୁଡିଏ ନାରୀ-ମୁଣ୍ଡ ଝୁଲି ରହିଛି । ସେହିସବୁ ଛିନ୍ନ ମୁଣ୍ଡରୁ ଟପ୍ ଟପ୍ ହୋଇ ରକ୍ତ ସରୋବର ଉପରେ ପଡୁଛି । ଫଳରେ ସେ ସରୋବର ରକ୍ତବର୍ଣ୍ଣ ।
ଧୀରସିଂହଙ୍କ ବିସ୍ମୟର ଆଉ ସୀମା ରହିଲା ନାହିଁ । ରାଜକୁମାରୀ ସୁଲୋଚନାଙ୍କ ପ୍ରଶ୍ନ ଥିଲା ନଦୀଜଳ କାହିଁକି ଲାଲ୍ । ଏବେ ସେ ପ୍ରଶ୍ନର ଉତ୍ତର ସେ ଠିକ୍ ପାଇଗଲେ । ଏହି ରକ୍ତ କ୍ଷରଣ ଯୋଗୁଁ ଜଳ ଲାଲ୍ । କିନ୍ତୁ ରାଜକୁମାରୀଙ୍କ ପ୍ରଶ୍ନର ଉତ୍ତର ସିନା ମିଳିଲା, ହେଲେ ତାଙ୍କ ମନରେ ଉଠୁଥିବା ପ୍ରଶ୍ନର ତ ପୁଣି ଉତ୍ତର ମିଳିବା ଆବଶ୍ୟକ! କିଏ ଏହିସବୁ ହତଭାଗିନୀ ନାରୀ? କେଉଁ ନିର୍ମମ, ବର୍ବର ମଣିଷ ବା ରାକ୍ଷସ ଏମାନଙ୍କ ମୁଣ୍ଡକୁ ଏମିତି ଭାବରେ ଝୁଲାଇ ରଖିଛି?ଏହି ପ୍ରଶ୍ନ ଉପରେ ସେ ଗଭୀର ଚିନ୍ତା କରୁଛନ୍ତି, ଚାହୁଁ ଚାହୁଁ ସୂର୍ଯ୍ୟ ଅସ୍ତଗଲେ । ସୂର୍ଯ୍ୟ ଅସ୍ତ ଯିବା ମାତ୍ରେ ଗଛରୁ ଝୁଲି ରହିଥିବା ମୁଣ୍ଡମାନଙ୍କ ଭିତରୁ ଗୋଟିଏ ଖିଲି ଖିଲି ହୋଇ ହସି ଉଠିଲା ଓ ତଳେ ଜଳ ଉପରେ ପଡି ତାହା ଅଦୃଶ୍ୟ ହୋଇଗଲା । ତା’ପରେ ଆଉ ଗୋଟିଏ ମୁଣ୍ଡ ମଧ୍ୟ ସେମିତି ହସି ହସି ସରୋବର ଜଳରେ ପଡିଲା । ଏହିପରି ଭାବେ ଗୋଟିଏ ପରେ ଗୋଟିଏ ସବୁ ମୁଣ୍ଡ ଜଳରେ ପଡିବା ପରେ ଚତୁର୍ଦ୍ଦିଗ ଗୋଟାଏ ଅଦ୍ଭୁତ ଆଲୋକରେ ଉଦ୍ଭାସିତ ହୋଇ ଉଠିଲା । ସରୋବର ଭିତରୁ ଉପରକୁ ଗୋଟିଏ ମନୋରମ ପ୍ରାସାଦ ଭାସି ଉଠିଲା । ସେ ପ୍ରାସାଦର ପ୍ରବେଶ ଦ୍ୱାର ସରୋବର କୂଳକୁ ଲାଗି ଆସିଲା । ଟିକିଏ ଦ୍ୱିଧା କରି ତା’ପରେ ଧୀରସିଂହ ସେ ପ୍ରାସାଦ ଭିତରେ ପ୍ରବେଶ କରି ଦେଖିଲେ, ପ୍ରାସାଦ ଅଭ୍ୟନ୍ତରରେ ଜଣେ ରୂପସୀ ତରୁଣୀ ବସିଛନ୍ତି । ତାଙ୍କୁ ଆହୁରି ଅନେକ ତରୁଣୀ ଘେରି ବସିଛନ୍ତି । ସେ ବୁଝିଲେ, ଏହିମାନଙ୍କ ମୁଣ୍ଡ ଗଛରୁ ଝୁଲି ରହିବାର ସେ ଦେଖିଥିଲେ ।
ତାଙ୍କ ଉପରେ ଆଖି ପଡିବାରୁ ସେ ତରୁଣୀମାନଙ୍କର ନେତ୍ରୀ ତାଙ୍କୁ ସ୍ୱାଗତ କଲେ ଓ ନାନା ଫଳମୂଳ ଦେଇ ତାଙ୍କ କ୍ଷୁଧା ତୃଷ୍ଣା ନିବାରଣ କଲେ । ଧୀରସିଂହ ତାଙ୍କୁ ଧନ୍ୟବାଦ ଦେଇ ପଚାରିଲେ,”ଉଉଣୀ! ତୁମମାନଙ୍କର ପରିଚୟ କ’ଣ? ତୁମମାନଙ୍କର ଏଭଳି ଅଦ୍ଭୁତ ଅବସ୍ଥା ଦେଖି ମୁଁ ବିମୂଢ ପାଲଟି ଗଲିଣି ।”ତରୁଣୀମାନଙ୍କ ଆଖିରୁ ଅଶ୍ରୁଧାରା ବହିଗଲା । ସେମାନଙ୍କ ନେତ୍ରୀ କହିଲେ,”ତୁମେ ଯେତେବେଳେ ମୋତେ ଭଉଣୀ ବୋଲି ସମ୍ବୋଧନ କରିଛ, ସେତେବେଳେ ଆମେ ତୁମକୁ ସବୁକଥା କହିବା ଉଚିତ୍ । କିନ୍ତୁ ଆମ ଉପରେ ଏପରି ଅଭିଶାପ ରହିଛି ଯେ ସେ କଥା କହିବାକୁ ଆରମ୍ଭ କରିବା ମାତ୍ରେ ଆମ୍ଭମାନଙ୍କ ମୁଣ୍ଡ ଛିଡିଯାଇ ପୁଣି ବୃକ୍ଷରେ ଓହଳିବ । ଦେହତକ ସରୋବର ଭିତରେ ଅଦୃଶ୍ୟ ହୋଇଯିବ ।”ଧୀରସିଂହ ପଚାରିଲେ”ତେବେ କ’ଣ ମୁଁ ଏ ପ୍ରଶ୍ନର ଉତ୍ତର କେବେ ମଧ୍ୟ ପାଇବି ନାହିଁ?”
“ଆମେ ଖାଲି ଏତିକି କହିପାରୁ ଯେ ତୁମେ ଯଦି ଧୈର୍ଯ୍ୟ ଧରି ସରୋବର କୂଳେ କୂଳେ ଯିବ, ତେବେ ହୁଏତ ଏଭଳି କାହାକୁ ଭେଟିବ, ଯିଏ କି ସବୁ କହିପାରିବେ ।” ତରୁଣୀମାନଙ୍କ ନେତ୍ରୀ ଏତକ କହିସାରିବା ବେଳକୁ ଭୀଷଣ ଶବ୍ଦ ଶୁଭିଲା । ସତେ ଅବା ସେ ପ୍ରାସାଦ ଭାଙ୍ଗି ପଡିବ । ଧୀରସିଂହ କିଛି ଦେଖିପାରିଲେ ନାହିଁ । ସେ କୂଳକୁ ଦୌଡି ଆସି ସରୋବର ଭିତରକୁ ଅନାଇ ଦେଖିଲେ, ପ୍ରାସାଦ ଅଦୃଶ୍ୟ ହୋଇଗଲାଣି । ଗଛର ଶାଖା ପ୍ରଶାଖାରେ ପୁଣି ସେ ନାରୀ ମୁଣ୍ଡମାନ ଝୁଲି ରହିଛନ୍ତି ।ଧୀରସିଂହ ସେଠାରେ ପ୍ରଭାତ ହେବାଯାଏଁ ଅପେକ୍ଷା କଲେ । ତା’ପରେ ପୁଣି ଘୋଡା ଚଢି ସେ ସରୋବର କୂଳେ କୂଳେ ଅଗ୍ରସର ହେଲେ । ବିପରୀତ ଦିଗରେ ପହଁଚିବା ବେଳକୁ ତାଙ୍କ ଆଖିରେ ଗୋଟିଏ ଗୁମ୍ଫା ଦେଖା ଦେଲା । ଘୋଡାରୁ ଓହ୍ଲାଇ ସେ ଧୀରେ ଧୀରେ ଗୁମ୍ଫା ଭିତରେ ପ୍ରବେଶ କରି ଦେଖିଲେ, ଜଣେ ଋଷି ଧ୍ୟାନରେ ବସିଛନ୍ତି । ଧୀରସିଂହ ଯାଇ ସେ ଋଷିଙ୍କୁ ନୀରବରେ ପ୍ରଣାମ କଲେ । ଋଷି ଏହା ଜାଣି ପାରି ଆଖି ଖୋଲି ତାଙ୍କୁ ଅନାଇ ପଚାରିଲେ,”ଏ ବଣକୁ କାହିଁକି ଆସିଛ ବତ୍ସ?”
ଧୀରସିଂହ ସବୁ କହିଗଲେ । ଋଷି କହିଲେ,”ତମେ ଯେଉଁ ତରୁଣୀ ସହ କଥାବାର୍ତ୍ତା କଲ, ତା’ ନାମ ସୁନନ୍ଦିନୀ । ଗୋଟାଏ କ୍ରୁର ଯାଦୁକର ତାକୁ ପିଲାଟିବେଳରୁ ଆଣି ନିଜ ପାଖରେ ରଖିଥିଲା । ସେ ଯାଦୁକରର ନାମ ଅଗ୍ନିକୁମ୍ଭ । ବାସ୍ତବିକ ସେ ଏ ଯୁଗର ସବୁଠାରୁ ବଡ ଐନ୍ଦ୍ରଜାଲିକ । ସୁନନ୍ଦିନୀକୁ ସେ ତା’ର ଜଣେ ବନ୍ଧୁ ଯାଦୁକର ସହ ବିଭା ଦେବାକୁ ଇଚ୍ଛା କରୁଥିଲା । କିନ୍ତୁ ସୁନନ୍ଦିନୀ ତା’ ମନେ ମନେ ସେ ଆଉ ଜଣେ ଯୁବକକୁ ପସନ୍ଦ କରୁଥିଲା । ତେଣୁ ସେ ଅଗ୍ନିକୁମ୍ଭର ପ୍ରସ୍ତାବରେ ସମ୍ମତ ନ ହେବାରୁ ଅଗ୍ନିକୁମ୍ଭ ତାକୁ ଓ ତା’ ସଖୀମାନଙ୍କୁ ନିଜ ଯାଦୁବଳରେ ସେହି ଭୀଷଣ ଅବସ୍ଥାରେ ରଖିଛି ।”ଧୀରସିଂହ ପ୍ରଶ୍ନ କଲେ”ତେବେ ଏଭଳି ଅବସ୍ଥାରୁ ସେ ତରୁଣୀମାନଙ୍କୁ ରକ୍ଷା କରିବାର ଉପାୟ?”ଋଷି କହିଲେ”ସେ ଯାଦୁକରକୁ ଦମନ କରିବା ଏତେ ସହଜ ନୁହେଁ, କିନ୍ତୁ ତାହା ଅସମ୍ଭବ ମଧ୍ୟ ନୁହେଁ । ଯାଦୁବିଦ୍ୟାରେ ସେ ପ୍ରାୟ ସମସ୍ତଙ୍କୁ ଟପିଯିବ । କିନ୍ତୁ ଯିଏ ଯୌଗିକ ଶକ୍ତିର ଅଧିକାରୀ ହୋଇଥିବ, ସେ ସେଭଳି କ୍ରୁର ଯାଦୁକରର ଇନ୍ଦ୍ରଜାଲରେ କେବେବି କାବୁ ହେବ ନାହିଁ ।”
ଧୀରସିଂହ ଦୀର୍ଘନିଃଶ୍ୱାସ ତ୍ୟାଗ କରି କହିଲେ,”ମହାଭାଗ! ମୋର ସାହସ ଅଛି, ଶକ୍ତି ଅଛି, କିନ୍ତୁ ଯୌଗିକ ଶକ୍ତି ନାହିଁ । ମୋ ଜୀବନ ବିପନ୍ନ କରି ମୁଁ କିନ୍ତୁ ସେ ତରୁଣୀମାନଙ୍କୁ ଏଭଳି ଭୀଷଣ ଅବସ୍ଥାରୁ ମୁକ୍ତ କରିବାକୁ ଯଥାସାଧ୍ୟ ଚେଷ୍ଟା କରିବି ।”ଏହା ଶୁଣି ସେ ଋଷିଙ୍କ ମୁହଁରେ ହସ ଫୁଟିଲା । ସେ କହିଲେ,”ବତ୍ସ, ତୁମର କୌଣସି ସ୍ୱାର୍ଥ ନଥାଇ ତୁମେ ଏ କାମ କରିବାକୁ ଯାଉଛ । ମୁଁ ତୁମକୁ ସେ ଯୌଗିକ ଶକ୍ତି ଦେବି । ତମକୁ ଏପରି ଏକ ମନ୍ତ୍ର ଶିଖାଇ ଦେଉଛି, ଯାହା ତୁମେ ଇଶ୍ୱରଙ୍କୁ ପ୍ରାର୍ଥନା କରି ଉଚ୍ଚାରଣ କରିବା ମାତ୍ରେ ତୁମ ଆଗରେ ଥିବା ଯେ କୌଣସି ପ୍ରତିବନ୍ଧକ ଦୂର ହୋଇଯିବ । ତୁମକୁ ସେ ଯେ କୌଣସି ବିପଦରୁ ମଧ୍ୟ ରକ୍ଷା କରିବ । ତୁମ ସଂକଳ୍ପ ସିଦ୍ଧି ହେବାଯାଏଁ ଏ ଶକ୍ତି ତୁମର ସହାୟତା କରୁଥିବ ।” ଏହା କହି ସେ ଋଷି ଧୀରସିଂହଙ୍କୁ ମନ୍ତ୍ରଟିଏ ଶିଖାଇ ଦେଲେ । ଧୀରସିଂହ ସେହି ମନ୍ତ୍ରଟି ଶିଖିଯିବା ପରେ ଋଷି ତାଙ୍କୁ ତାଙ୍କ ଘୋଡାଟି ସେଇଠି ରଖି ଚାଲି ଚାଲି ଯାଇ ଅଗ୍ନିକୁମ୍ଭ ଥିବା ନଗରରେ ପହଁଚିବାକୁ ଗୋଟାଏ ଗୋପନ ପଥ ବତାଇ ଦେଲେ ।
ଧୀରସିଂହ ସେ ଋଷିଙ୍କୁ ବହୁତ ଧନ୍ୟବାଦ ଜଣାଇ ଓ ତାଙ୍କୁ ପ୍ରଣାମ କରି ତାଙ୍କଠାରୁ ବିଦାୟ ନେଲେ । ଋଷି କହିଲେ,”ବତ୍ସ, ତୁମେ କେତେବେଳେ ମଧ୍ୟ ଭୟଭୀତ ହେବ ନାହିଁ । ମନେରଖ, ତମକୁ ଯେଉଁ ମନ୍ତ୍ର ଶିଖାଇଦେଲି, ତାହାର ଗୁଣ ବହୁତ । କିନ୍ତୁ ସେ ମନ୍ତ୍ର କେବଳ ଗୋଟିଏ ସର୍ତ୍ତରେ କାମ କରିବ – ମନ୍ତ୍ର ବୋଲିବା ଲୋକ ସର୍ବଦା ନିଜ ସାହସରେ ଅଟଳ ରହିଥିବ ଏବଂ ତା’ର ଉଦ୍ଧେଶ୍ୟ ଭଲ ହୋଇଥିବ । ତୁମ ଭିତରେ ଏ ଉଭୟ ଗୁଣ ରହିଛି ।”
ସେ ପଥ ନିବିଡ ବଣ ଭିତର ଦେଇ ଯାଇଥାଏ । ତାହା ପୁଣି ବାଘ ଭାଲୁମାନଙ୍କ ଅଂଚଳ । ଧୀରସିଂହଙ୍କୁ ଦେଖି ପକାଇ କେତୋଟି ବାଘ ତାଙ୍କ ଆଡେ ମାଡି ଆସିଲେ । ଧୀରସିଂହ ଭୀତ ନହୋଇ ଋଷି ଶିଖାଇଥିବା ମନ୍ତ୍ରଟି ବୋଲିବା ମାତ୍ରେ ସେମାନେ ହଠାତ୍ ରହିଗଲେ ଓ ଛତ୍ରଭଙ୍ଗ ଦେଲେ । ଅଳ୍ପଦୂର ଅଗ୍ରସର ହେବା ପରେ ଗୋଟିଏ ପର୍ବତ ଉପରେ ଅବସ୍ଥିତ ଅଗ୍ନିକୁମ୍ଭର ନଗର ତାଙ୍କ ଆଖିରେ ପଡିଲା । ସେ ପର୍ବତର ପାଦ ଦେଶରେ ପହଁଚିବା ମାତ୍ରେ ତେଣେ ଅଗ୍ନିକୁମ୍ଭ ତା’ ଯାଦୁଦୃଷ୍ଟିରେ ସେ ଆସୁଥିବାର ଦେଖି ପାରିଲା ଓ ତାଙ୍କ ଉଦ୍ଧେଶ୍ୟ ମଧ୍ୟ ବୁଝିପାରିଲା । ସଙ୍ଗେ ସଙ୍ଗେ ସେ ତା’ ଇନ୍ଦ୍ରଜାଲ ବଳରେ ସୁନନ୍ଦିନୀ ଓ ତାଙ୍କ ସଖୀମାନଙ୍କ ଭଳି ଦିଶୁଥିବା ଦଳେ ତରୁଣୀ ସୃଷ୍ଟି କଲା । ସେମାନେ ହଠାତ୍ ଧୀରସିଂହଙ୍କ ଆଗରେ ଯାଇ ପହଁଚିଗଲେ । ଧୀରସିଂହ ଆଶ୍ଚର୍ଯ୍ୟ ହୋଇ ପଚାରିଲେ,”ତୁମମାନଙ୍କୁ ତ ସରୋବର ପାଖରେ ଅଭିଶପ୍ତ ଅବସ୍ଥାରେ ଦେଖି ଆସିଲି । ଏଠାରେ କିପରି ପହଁଚିଲ?”
ସୁନନ୍ଦିନୀ ଆଗକୁ ଆସି କହିଲେ,”ତୁମେ ଆମକୁ ଶାପମୁକ୍ତ କରିବା ନିମନ୍ତେ ଆସୁଥିବାର ଦେଖି ଯାଦୁକର ଆମକୁ ଆପେ ଆପେ ମୁକ୍ତି ଦେଲେ । ଏବେ ଆମର ଆଉ କୌଣସି ଅସୁବିଧା ନାହିଁ । ଆସ, ଏ ପାନୀୟ ପାନ କର ।” ଏହା କହି ସୁନନ୍ଦିନୀ ବୋଲି ଭ୍ରମ ସୃଷ୍ଟି କରୁଥିବା ସେ ମାୟା କନ୍ୟା ଧୀରସିଂହଙ୍କୁ ପାନୀୟଥିବା ସୁବର୍ଣ୍ଣପାତ୍ର ବଢାଇଦେଲା । ଧୀରସିଂହଙ୍କୁ ତ ବାସ୍ତବିକ ଶୋଷ ଲାଗୁଥିଲା । ସେ ପାନୀୟତକ ପିଇଦେଲେ । ଫଳରେ ସେ ସଙ୍ଗେ ସଙ୍ଗେ ନିଜ ଚେତା ହରାଇ ପଡିଗଲେ । ମାୟା କନ୍ୟାମାନେ ଅଦୃଶ୍ୟ ହୋଇଗଲେ । ଅଗ୍ନିକୁମ୍ଭର ଅନୁଚରମାନେ ଆସି ଧୀରସିଂହଙ୍କୁ ଉଠାଇ ନେଇଗଲେ । ଅଗ୍ନିକୁମ୍ଭ ଆଦେଶ ଦେଲା”ଏହାକୁ ଆଗ୍ନେୟ ଭୂଗର୍ଭକୁ ନିକ୍ଷେପ କର ।” ତା’ ଅନୁଚରମାନେ ଧୀରସିଂହଙ୍କୁ ନେଇଯାଇ ବିଶାଳ କୂଅ ଭଳି ଗୋଟିଏ ଗର୍ତକୁ ନିକ୍ଷେପ କଲେ । ସେ କୂଅ ଭିତରେ ପାଣି ଥାଏ । ଏହା ଭିତରେ ଦାଉ ଦାଉ ହୋଇ ଅଗ୍ନି ବି ଜଳୁଥିଲା । ଭାଗ୍ୟକୁ ଠିକ୍ ଖସୁଥିବା ଅବସ୍ଥାରେହିଁ ଧୀରସିଂହଙ୍କ ଚେତା ଫେରି ଆସିଲା ଓ ସେ ମନ୍ତ୍ରଟି ମନେ ପକାଇଲେ । ତତ୍କ୍ଷଣାତ୍ ତାଙ୍କୁ ଯେପରି କେହି ଉପରକୁ ଫୋପାଡିଦେଲା । ସେ କୂଅ ବାହାରକୁ କୁଦି ପଡି ଦୌଡିଲେ । କିନ୍ତୁ ଅଗ୍ନିକୁମ୍ଭର ଅନୁଚରମାନେ ତାଙ୍କୁ ଧରି ପକାଇ ଅଗ୍ନିକୁମ୍ଭ ପାଖକୁ ନେଇଗଲେ । ସେ ତାଙ୍କୁ କାରାଗାରରେ ନିକ୍ଷେପ କଲା ।
ସେ କାରାଗାରର ରକ୍ଷୀ ଜଣେ ଯୁବକ । ରାତିରେ ସବୁ ନିସ୍ତବ୍ଧ ହେବା ପରେ ଯୁବକ ତାଙ୍କୁ ଚୁପି ଚୁପି ପଚାରିଲା,”ଆପଣ କ’ଣ ସୁନନ୍ଦିନୀଙ୍କୁ ମୁକ୍ତ କରିବା ନିମନ୍ତେ ଏ ଅଭିଯାନରେ ବାହାରିଥିଲେ?”ଧୀରସିଂହ ଆପଣା ଉତ୍ତର ରଖିଲେ”ହଁ” ।ଯୁବକ ତାଙ୍କୁ କହିଲେ,”ମୋ ନାମ କୁମାରସିଂହ । ସୁନନ୍ଦିନୀଙ୍କ ଆଜି ଏ ଅବସ୍ଥା ଯୋଗୁଁ କେବଳ ମୁ ହିଁ ଦାୟୀ । ସେ ମୋତେ ବିଭା ହେବାକୁ ଚାହୁଁଥିଲେ । ସେ ତାଙ୍କ ସଖୀମାନଙ୍କ ସହଯୋଗରେ ଏଠାରୁ ପଳାଇ ଯିବାକୁ ଉଦ୍ୟମ କରୁଥିଲେ । ମାତ୍ର ଧରା ପଡିଗଲେ । ଯାଦୁକରର ଶତବାର ଧମକ ସତ୍ତ୍ୱେ ସେ କେବଳ ମୋତେହିଁ ବିଭା ହେବାକୁ ଚାହୁଁଥିଲେ ବୋଲି ଏକଥା ତାକୁ ସେ ମୋଟେ କହି ନାହାଁନ୍ତି । କହି ଦେଇଥିଲେ ମୋ ପ୍ରାଣ ବି ଯାଇସାରନ୍ତାଣି କିମ୍ବା ମୁଁ ବି କୌଣସି ଭୀଷଣ ଦଣ୍ଡ ଭୋଗୁଥାନ୍ତି ।”ଧୀରସିଂହ ପଚାରିଲେ”ବର୍ତ୍ତମାନ କ’ଣ କରାଯାଇ ପାରେ?”କୁମାରସିଂହ କହିଲେ”ଯଦି ଏ ବୃକ୍ଷମାନେ ପ୍ରାଣ ଫେରିପାଆନ୍ତେ!”ଧୀରସିଂହ ମନ୍ତବ୍ୟ ଦେଲେ”ବୃକ୍ଷମାନେ ପ୍ରାଣ ଫେରିପାଇବେ – ପାଗଳଙ୍କ ଭଳି କ’ଣ କହୁଛ!”କୁମାରସିଂହ ବୁଝାଇଦେଲେ”ବନ୍ଧୁ! ଏମାନେ ସାଧାରଣ ବୃକ୍ଷ ନୁହଁନ୍ତି । ଏମାନେ ଯାଦୁକର ବିରୁଦ୍ଧରେ ଭିନ୍ନ ଭିନ୍ନ ସମୟରେ କିଛି ନା କିଛି କରିଥିବା ହେତୁ ସେ ଏମାନଙ୍କୁ ବୃକ୍ଷରେ ପରିବର୍ତ୍ତିତ କରି ରଖିଛି ।” ତା’ପରେ ସେ ସେହି କାରାଗାରର ଦ୍ୱାର ଫିଟାଇ ଦେଲେ । ଧୀରସିଂହ ବାହାରି ଆସି ଈଶ୍ୱରଙ୍କୁ ପ୍ରାର୍ଥନା କରି ମନ୍ତ୍ରଟି ପଢି ସେସବୁ ବୃକ୍ଷମାନଙ୍କ ଉପରେ ପାଣି ଛିଟିକାଇ ଦେଲେ । ସଙ୍ଗେ ସଙ୍ଗେ ସେମାନେ ମଣିଷରେ ପରିଣତ ହେଲେ । ଧୀରସିଂହ ଓ କୁମାରସିଂହ ସେମାନଙ୍କୁ ନେତୃତ୍ୱ ଦେଇ ଅଗ୍ନିକୁମ୍ଭର ନଗର ଆଡେ ମାଡିଗଲେ ।
ଅଗ୍ନିକୁମ୍ଭର ନିଦ ତୁଟିଗଲା । ସେ ଅବସ୍ଥା ବୁଝିପାରି ଚତୁର୍ଦ୍ଦିଗ ଅନ୍ଧକାର କରିଦେଲା । ପାହାଡ ଭୀଷଣ ଭାବରେ ଥରିବାକୁ ଲାଗିଲା । ଏଣେ ଧୀରସିଂହଙ୍କ ବାହିନୀ ଭୟାତୁର ହେଲେ । କିନ୍ତୁ ଧୀରସିଂହ ପୁଣି ମନ୍ତ୍ର ପଢି ପାହାଡ ସ୍ଥିର କରିଦେଲେଓ ଅନ୍ଧକାର ଦୂର କରିଦେଲେ । ତା’ପରେ ସେ ଅଗ୍ନିକୁମ୍ଭର ନଗର ଆଡେ ପୁଣି ଅଗ୍ରସର ହେବାକୁ ଆରମ୍ଭ କରିବା ମାତ୍ରେ ଅଗ୍ନିକୁମ୍ଭ ଅବସ୍ଥା ଅସମ୍ଭାଳ ଜାଣି ହଠାତ୍ ମେଘମାଳା ଭିତରକୁ କୁଦିପଡି ଲୁଚିଗଲା । ତା’ ଅନୁଚରମାନଙ୍କୁ ବି ସେ ସାଥିରେ ନେଇଗଲା ।କିନ୍ତୁ ଧୀରସିଂହ ସେ ମେଘମାଳା ଆଡେ ଅନାଇ ମନ୍ତ୍ର ଉଚ୍ଚାରଣ ପୂର୍ବକ କହିଲେ,”ମେଘତକ ବର୍ଷା ହେଇଯାଉ!”ବର୍ଷା ହେବା ସଙ୍ଗେ ସଙ୍ଗେ ମେଘ ଭିତରେ ଲୁଚି ରହିଥିବା ଯାଦୁକର ଓ ତା’ ଅନୁଚରମାନେ ପଡିଲେ ତ ପଡିଲେ, ବିଲ୍କୁଲ୍ ସେ ଆଗ୍ନେୟ ଭୂଗର୍ଭ ଭିତରେ ପଡିଲେ ଓ ଚିରଦିନ ପାଇଁ ଭୂପୃଷ୍ଠରୁ ଲୁଚିଗଲେ ।ଧୀରସିଂହ କୁମାରସିଂହଙ୍କୁ ନେଇ ସୁନନ୍ଦିନୀଙ୍କ ପାଖରେ ପହଁଚାଇ ଦେଲେ ଓ ସେ ଦୁହିଁଙ୍କ ବିବାହ ଉପରେ ନିଜେ ପୌରାହିତ୍ୟ କଲେ । କହିବା ବାହୁଲ୍ୟ, ଯାଦୁକରର ମୃତ୍ୟୁ ସଙ୍ଗେ ସଙ୍ଗେ ତା’ର ମାୟା ଶକ୍ତି ସମ୍ପୂର୍ଣ୍ଣ ରୂପେ ଲୋପ ପାଇଗଲା । ତରୁଣୀମାନେ ସମସ୍ତେ ତା’ ଇନ୍ଦ୍ରଜାଲରୁ ମୁକ୍ତ ହେଲେ ।
ଏହାପରେ ଧୀରସିଂହ କୌଶାମ୍ବୀ ଫେରିଗଲେ ଓ ରାଜକନ୍ୟା ସୁଲୋଚନାଙ୍କ ଦ୍ୱିତୀୟ ପ୍ରଶ୍ନର ଉତ୍ତର ଦେଲେ ।“ଆର୍ଯ୍ୟ! ତୁମ ଉତ୍ତର ଠିକ୍ । ସଙ୍ଗେ ସଙ୍ଗେ ତୁମ ଯୋଗୁଁ ସେ ତରୁଣୀମାନେ ମୁକ୍ତି ପାଇଥିବାର ସମ୍ବାଦ ମଧ୍ୟ ଠିକ୍ । ବଣ ଭିତରେ ସେ ନଈ ପାଣି ଆଉ ଏଣିକି ଲାଲ୍ ଦିଶୁନାହିଁ ।”