ରାତ୍ରି ପାହି ଗଲା । ସହଳ ସହଳ ଚତୁର ବ୍ୟଙ୍ଗକାର ଶଯ୍ୟାତ୍ୟାଗ କରି ଡାକ ପକାଇଲେ ।
ଉଠ ଅବଲୋକରା ପାହିଲା ରାତି
ଯିବା ତୀର୍ଥ ଜାଣ ଚଂଚଳ ମତି ।
ଉପଦେଷ୍ଟାଙ୍କର ପାଟି ଶୁଣିବା ମାତ୍ରେ ଅବୋଲକରା ଉପଦେଷ୍ଟାଙ୍କର ସମସ୍ତ ଗଣ୍ଠିଲି ପତ୍ର କମ୍ବଳାଦି ଧରି ବାହାରି ପଡିଲା । ଏହା ପରେ ଚତୁର ବ୍ୟଙ୍ଗକାର ଆଗେ ଆଗେ ଚାଲିଲେ । ପଛେ ପଛେ ଚାଲି ଥାଏ ଅବୋଲକରା । ଏମିତି କିଛି ବାଟ ଚାଲୁ ଚାଲୁ ଉତ୍କଳ ରାଜ୍ୟ ସମାପ୍ତ ହେଲା । ଉତ୍କଳର ସୀମା ବାହାରକୁ ଯିବା ପରେ ଉପଦେଷ୍ଟାଙ୍କ ଦୃଷ୍ଟିକୁ ଏକ ରମଣୀୟ ସ୍ଥାନ ଦେଖା ଗଲା । ସ୍ଥାନଟି ନାନା ପ୍ରକାର ପୁଷ୍ପ ଫଳ ବିମଣ୍ଡିତ ବୃକ୍ଷ ଲତାରେ ପରିପୂର୍ଣ୍ଣ । ସ୍ଥାନଟି ସମ୍ପୂର୍ଣ୍ଣ ନିକାଂଚନ ଥିବାରୁ ନାନା ପ୍ରକାର ପକ୍ଷୀ ମାନଙ୍କର ଭୟ ହୀନ ବିଚରଣ ଥାଏ । ସେଠାରେ ପକ୍ଷୀ ମାନଙ୍କର ନାନା ପ୍ରକାର କଳରବ ଶୁଭୁ ଥାଏ । ଆଉ ମଧ୍ୟ ଚତୁର ବ୍ୟଙ୍ଗକାର ଦେଖିଲେ ଏପରି ଏକ ସୁଶୋଭନୀୟ ସ୍ଥାନରେ ସେହି ରାଜ୍ୟ ଜମିଦାରଙ୍କ ଦ୍ୱାରା ଏକ ସୁନ୍ଦର ଧର୍ମଶାଳା ନିର୍ମାଣ ହୋଇଛି । ଚତୁର ବ୍ୟଙ୍ଗକାର କହିଲେ – ଦେଖତ ଅବୋଲକରା ଏହି ଧର୍ମଶାଳାଟି ଖୁବ୍ ଭଲ ହୋଇଛିକିନା?
ଅବୋଲକରା ସେହି ଧର୍ମଶାଳାଟିକୁ ଦେଖି ଖୁବ୍ ଖୁସିଟିଏ ହୋଇ ଯାଇ କହିଲା ବାଃ କି ସୁନ୍ଦର ଘର! ଆମେ ଏହି ସ୍ଥାନରେ ଦୁଇ ଚାରି ଦିନ ବିଶ୍ରାମ ନେଲେ ଭଲ ହୁଅନ୍ତା । ଚତୁର ବ୍ୟଙ୍ଗକାର ଅବୋଲକରା ଠାରୁ ଏପରି ଶୁଣିବା ପରେ କହିଲେ –
ରହ ବୋଲକରା ଶ୍ରୁତିକୁ ଶୁଣି
ସ୍ଥାନୀୟ ଦେବତା ପୂଜିବା ଏଠାରେ ଜାଣି ।
ବଡ ମନୋରମ ଅଟଇ ଏ ସ୍ଥାନ
ବସି ଲଗାଇବା ପ୍ରଭୁଙ୍କୁ ଧ୍ୟାନ ।
ଅବୋଲକରା ଗୃହ ମଧ୍ୟକୁ ପଶି ଯାଇ ପରିଷ୍କାର କରି ଆଣି ଗଣ୍ଠିଲିକୁ ଥୋଇ ଦେବା ପରେ ଚତୁର ବ୍ୟଙ୍ଗକାର ଆଦେଶ କଲେ ଯେ – ତୁ ଯା, ଯଥା ଶୀଘ୍ର ପାଖ ହାଟରୁ ଡାଲି ତଣ୍ଡୁଳ କୋଶଳା ଶାଗ ଆଉ କିଛି କଂଚା କଦଳି ଧରି ଚାଲିଆ । ମୁଁ ସ୍ନାନାଦି କାର୍ଯ୍ୟ ସମାପନ କରୁଛି । ଉପଦେଷ୍ଟାଙ୍କ ଠାରୁ ପଇସା ଓ ମୁଣା ଧରି ଅବୋଲକରା ଆଉ ମୁହୂର୍ତେ ମଧ୍ୟ କାଳ ବିଳମ୍ବ ନକରି ଶୀଘ୍ର ଶୀଘ୍ର ଚାଲି ଗଲା ପାଖରେ ଥିବା ହାଟକୁ । ହାଟରେ ପହଁଚି ସମସ୍ତ ସଉଦା କିଣି ସାରି ଧର୍ମଶାଳାକୁ ଫେରି ଆସିବା ବାଟରେ ସଂନ୍ଧ୍ୟା ହୋଇ ଗଲା । ସେଥି ଲାଗି ତରବରିଆ ଭାବରେ ଆଗକୁ ଆଗକୁ ପାଦ ପକାଉ ଥାଏ । ଏମିତି ଚାଲି ଚାଲି ଆସୁ ଆସୁ ପଥ ମଧ୍ୟରେ ତା’ର ପାଦଟା ଅଟକି ରହି ଗଲା । ସେ ଦେଖିଲା ପଥ ପାଶ୍ୱର୍ରେ ଏକ ଖୁବ୍ ମନୋରମ ପୁଷ୍କରିଣୀ । କିନ୍ତୁ ପୁଷ୍କରିଣୀ ମଧ୍ୟରେ ଖୁବ୍ ସୁନ୍ଦର ନୀଳ ପଦ୍ମ ଗୋଟିଏ ଫୁଟି ମଉଳି ଯିବାକୁ ବସି ଥାଏ । ପୁଷ୍କରିଣୀ ଚତୁଃପାଶ୍ୱର୍ରେ ମୁଗୁନି ପଥରର ପ୍ରାଚୀର । ଆଉ ପୁଷ୍କରିଣୀର ତୁଠଟି କେବଳ ଶଙ୍ଖ ମଲମଲ ପଥର ଦ୍ୱାରା ନିର୍ମାଣ ହୋଇଛି । ଚାରି ପାଶ୍ୱର୍ରେ ଖୁବ୍ ସୁଗନ୍ଧ ଯୁକ୍ତ ଫୁଲ ଗଛ ଗୁଡିଏ ଲଗା ଯାଇଛି । ସୁଲୁ ସୁଲିଆ ପବନ ବହୁଛି । ଏପରି ଏକ ମନୋରମ ସ୍ଥାନ ଆଉ କେଉଁଠାରେ ଅବୋଲକରା ଆଗରୁ ଦେଖି ନଥିଲା ।
ସ୍ଥାନଟି ଅବୋଲକରାକୁ ଖୁବ୍ ଭଲ ଲାଗିଲାରୁ ଅବୋଲକରା ପୁଷ୍କରିଣୀ ପାଖକୁ ଯାଇ ଦେଖିଲା ଯେ, ତୁଠର ଅନତୀ ଦୂରରେ ଶଙ୍ଖ ମଲ ମଲ ପଥରରେ ନିର୍ମିତ ଚଉତରା ଉପରେ ଏକ ସୁନ୍ଦରୀ ଉଲଗ୍ନା ନାରୀର ମୂର୍ତ୍ତି ରହିଛି । ଆଉ ମୂର୍ତ୍ତିର ପାଶ୍ୱର୍କୁ ଲାଗି ରହିଥିବା ଫଳକରେ ଲେଖା ଯାଇଛି –
“ନାରୀଣାଂ ମାୟାବିନୀଶ୍ଚ ନାରୀ ମାୟା ଦେବେ ଅଗୋଚର ।” ପୁଣି ଲେଖା ଯାଇଛି “ମୂର୍ତ୍ତିକୁ ସ୍ପର୍ଶ କରନ୍ତୁ ନାହିଁ, ବିପଦ” ।
ଏହା ଦେଖି ଅବୋଲକରା ବିଚଳିତ, ଅସ୍ଥିର ହୋଇ ଏହାର କାରଣ ଜାଣିବା ନିମନ୍ତେ ସେ ଉପଦେଷ୍ଟାଙ୍କ ପାଖକୁ ଧାଇଁବାକୁ ଲାଗିଲା ।
ଅବଲୋକରା ଧଇଁ ସଇଁ ହୋଇ ଆସି ଠିଆ ହେବାରୁ ଚତୁର ବ୍ୟଙ୍ଗକାର ପଚାରିଲେ – କ’ଣ ହେଲାକିରେ ବୋଲକରା, ଦୀର୍ଘ ନିଃଶ୍ୱାସ ନେଉଛୁ । ଅବୋଲକରା କହିଲା – ଆଶ୍ଚର୍ଯ୍ୟ, ସବୁ ଆଶ୍ଚର୍ଯ୍ୟ । ଏଡେ ସୁନ୍ଦର ପୁଷ୍କରିଣୀ, ଜଳ ଅମୃତ ପ୍ରାୟ । ଶଙ୍ଖ ମଲମଲ ପଥରରେ ତୁଠ ପାବଚ୍ଛ । ସେଥିରେ ପୁଣି ସୁନ୍ଦରୀ ସ୍ତ୍ରୀର ଉଲଗ୍ନ ମୂର୍ତ୍ତି । ପୁଣି ତାକୁ ସ୍ପର୍ଶ କରିବାକୁ ମନା । ଏମିତି ହେବାର କାରଣ କ’ଣ ଚତୁର ବ୍ୟଙ୍ଗକାର । ଚତୁର ବ୍ୟଙ୍ଗକାର କହିଲେ – ବ୍ୟସ୍ତ ହୁଅ ନାହିଁ । ନିତ୍ୟ କର୍ମତ ସାରିଲଣି । ଅଳ୍ପ ଗଣ୍ଡିଏ ରୋଷେଇ କରି ଦେବା । ତା’ପରେ ଖାଇ ପିଇ ଦେଇ ଫାଙ୍କାରେ ବସି ଯିବା ଆଉ ମୁଁ ଏହାର କାରଣ ଗୋଟି ଗୋଟି କରି ତୋତେ କହି ଦେବି । ଖିଆ ପିଆ କାମ ସରି ଯିବାରୁ ଚତୁର ବ୍ୟଙ୍ଗକାର କହିଲେ ଏବେ –
ବସ ଅବୋଲକରା ମନକୁ ଧରି
କହିବା କଥାତା କେଡେ ସୁନ୍ଦରୀ
ଉଲଗ୍ନା କାମିନୀ ଛାଡି ଯାମିନୀ
ଉଭା ହୋଇ ଅଛି ଦିବସ ଜାଣି ।
ଅଳକା ପୁର ନାମରେ ଏକ ରାଜ୍ୟ ଥିଲା । ସେହି ରାଜ୍ୟକୁ ଶାସନ କରୁ ଥିଲେ ରାଜା ଅମର୍ତ୍ୟ ସେନ । ରାଜା ଅମର୍ତ୍ୟ ସେନ ଥିଲେ ଜଣେ ଧାର୍ମିକ, ନ୍ୟାୟବନ୍ତ ଓ ପ୍ରଜା ପାଳକ । ପ୍ରଜା ତଥା ଦେଶ ବିଦେଶରୁ ଆସୁଥିବା ଲୋକ ମାନଙ୍କ ରହିବାର ସୁବିଧା ନିମନ୍ତେ ସେ ଏକ ସୁନ୍ଦର ଧର୍ମଶାଳା ନିର୍ମାଣ କଲେ । ସ୍ନାନାଦି କାର୍ଯ୍ୟ ସମାପନ ନିମନ୍ତେ ପାଖ ଦେଶରେ ଏକ ସୁନ୍ଦର ପୁଷ୍କରିଣୀ ଖନନ ମଧ୍ୟ କଲେ । ପୁଷ୍କରିଣୀର ସୌନ୍ଦର୍ଯ୍ୟତା ନିମନ୍ତେ ଚାରି ପାଶ୍ୱର୍ରେ ନାନା ପ୍ରକାର ପୁଷ୍ପ ଫଳର ବୃକ୍ଷ ଲଗାଇଲେ ।
ଦିନକର କଥା ରାଜା ଅମର୍ତ୍ୟ ସେନ ଇଣ୍ଡିଆ ଭ୍ରମଣରେ ଯାଇ ସୁବର୍ଣ୍ଣାନନ୍ଦ ନାମକ ଏକ ରାଜ୍ୟରେ ପହଁଚିଲେ । ସେ ରାଜ୍ୟରେ ରାଜାଙ୍କର ଏକ କନ୍ୟା ଥିଲା । କନ୍ୟାର ଅପୂର୍ବ ସୁନ୍ଦର ରୂପ ଦେଖି ରାଜା ମୋହିତ ହୋଇ ପଡିଲେ । ଏହା ଛଡା ରାଜ କନ୍ୟାର ନାମ ଥିଲା ମାୟାବତୀ । କନ୍ୟାଙ୍କର ନାମ ଯେପରି କାର୍ଯ୍ୟ ମଧ୍ୟ ଠିକ୍ ସେହି ପରି ଥିଲା । ରାଜ କୁମାରୀ ମାୟାବତୀ କିଛି ମାୟା କରିବା ଜାଣି ଥିଲେ । ପଶୁ ପକ୍ଷୀ ମନୁଷ୍ୟ ଏପରି ସେ ଯାହାଙ୍କ ପ୍ରତି ଆକୃଷ୍ଟ ହୁଅନ୍ତି ତାହାଙ୍କୁ ନିଜର ମନ୍ତ୍ର ବଳରେ ମାୟାରେ ବଶୀଭୂତ କରି ରଖନ୍ତି । ପ୍ରତି ଦିନ ସେ ନୂଆ ନୂଆ ପୁରୁଷଙ୍କୁ ନିଜ ମାୟାରେ ବଶୀଭୂତ କରନ୍ତି । ରାତ୍ର ହେଲେ ତାଙ୍କ ସହିତ ରତି କ୍ରୀଡା କରନ୍ତି । ପୁଣି ସକାଳ ହେଲେ ସେହି ପୁରୁଷ ଜଣଙ୍କର ମୃତ୍ୟୁର ଶରୀର ବାହାରକୁ ଆସେ । ଏପରି କାହିଁକି ହୁଏ, ରାଜ କୁମାରୀ ଅନ୍ୟାୟ ଭାବରେ କାହିଁକିବା ସେ ପୁରୁଷର ମରଣ ଦେଖନ୍ତି, ତାହା ହେଉଛି ଏକ ବିସ୍ମୟର କଥା । ସେ କଥା ହେଲା ରାଜ କୁମାରୀ ସିନା ପ୍ରତିଦିନ ନୂଆ ନୂଆ ପୁରୁଷକୁ ନିଜର ବଶ୍ୟ କରି ନିଜର ମନୋ କାମନା ପୂରଣ କରନ୍ତି, ହେଲେ ଆଉ ଏକ ମାୟା ନାମକ ରାକ୍ଷାସ ପ୍ରତିଦିନ ରାଜ କନ୍ୟାଙ୍କ ପାଖକୁ ଆସେ । ରାଜ କୁମାରୀ ଯେଉଁ ପୁରୁଷ ମାନଙ୍କ ସହିତ ରାତ୍ରିରେ ରତିକ୍ରୀଡା କରି ସାରି ଲୁଚାଇ ରଖନ୍ତି । ମାୟା ରାକ୍ଷାସ କିନ୍ତୁ ମନୁଷ୍ୟ ମାନଙ୍କର ଗନ୍ଧ କୌଣସି ପ୍ରକାରେ ଜାଣି ପାରି ରାଜ କୁମାରୀଙ୍କ ଅନ୍ତଃପୁରେ ଖୋଜି ଖୋଜି ସେ ମନୁଷ୍ୟକୁ ହିଂସାପରାୟଣତା ହୋଇ ମାରି ଦିଏ । ତାପରେ ରାଜ କୁମାରୀଙ୍କ ସହିତ ରତି କ୍ରୀଡା କରି ସାରି ଚାଲି ଯାଏ ।
ଏପରି ସୁନ୍ଦରୀ ରାଜ କୁମାରୀ ମାୟାବତୀଙ୍କୁ ରାଜା ଅମର୍ତ୍ୟ ସେନ ଦେଖିବା ପରେ ତାକୁ ନିଜର ରାଣୀ କରିବା ନିମନ୍ତେ ଇଚ୍ଛା କଲେ । କିନ୍ତୁ ମାୟାବତୀ ହେଉଛି କାମାତୁରା ରମଣୀ । ସେ ନିତି ନିତି ନୂଆ ପୁରୁଷ ମାନଙ୍କ ସହିତ ରତି କ୍ରୀଡା କରିବାକୁ ବ୍ୟାକୁଳ । ସେଥି ଲାଗି ରାଜ କୁମାରୀଙ୍କର ବିଭାଘରକୁ ସେ ନିଜେହିଁ ବନ୍ଦ କରି ରଖି ଥିଲେ । ରାଜା ଅମର୍ତ୍ୟ ସେନ ସେଠାରେ ପହଁଚିବା ପରେ ଏ ସମସ୍ତ କଥା ଜାଣି ପାରିଲେ । ହେଲେ ଉପାୟ କିଛି ନାହିଁ । ସବୁ ପୁରୁଷଙ୍କ ପରି ସେ ମଧ୍ୟ ସେଦିନ ରାଜ କୁମାରୀଙ୍କର ମାୟାରେ ମୋହିତ ହୋଇ ପଡିଲେ । ସେଦିନ ରାଜା ଅମର୍ତ୍ୟ ସେନକୁ ପାଖରେ ପାଇ ମାୟାବତୀ ଖୁବ୍ ଆନନ୍ଦ । ଆନନ୍ଦରେ ଖୁବ୍ ମତୁଆଲା ହୋଇ ସେ ତା’ର ପ୍ରିୟ ସଖୀ ମାନଙ୍କୁ ସଙ୍ଗରେ ନେଇ ଅନ୍ତଃ ପୁରରେ ନାନା ପ୍ରକାର ଖେଳ କୌତୁକ କରାଇଲେ । ନିଜେ ମଧ୍ୟ ଉଲଗ୍ନ ହୋଇ ନୃତ୍ୟ କରି କରି ସେଦିନ ମୋହିତ ହୋଇ ପଡିବାରୁ ରାଜା ଅମର୍ତ୍ୟ ସେନ ଖୁବ୍ କୌଶଳ କରି ସେ ସ୍ଥାନ ପରିତ୍ୟାଗ କରି ସେଠାରୁ ପଳାଇ ଆସିଲେ ।
ହେଲେ ରାଜା ସେହି ରାଜ କୁମାରୀଙ୍କ ରୂପରେ ବିମୋହିତ ହୋଇ ପଡି ଥାଆନ୍ତି । ପୁଣି ରାଜା ଗୋଜା, ସେଥିରେ ଯାହା ବୁଝି ଥାଆନ୍ତି ତାହା ପରିବର୍ତ୍ତନ ହେବା ମଧ୍ୟ ଅସମ୍ଭବ । ତା’ପରେ ସେ ରାଜ କୁମାରୀଙ୍କୁ ସବୁ ଦିନକୁ ପାଇବା ପାଇଁ ଉପାୟ ଖୋଜିବାକୁ ଲାଗିଲେ । ଏହି ସମୟରେ ରାଜାଙ୍କ ସହିତ ଜଣେ ସନ୍ନ୍ୟାସୀଙ୍କର ଦେଖା ହେଲା । ରାଜା ସନ୍ନ୍ୟାସୀଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ରାଜ କୁମାରୀ ମାୟାବତୀଙ୍କ ବିଷୟରେ ସମସ୍ତ କଥା କହିଲେ । ସନ୍ନ୍ୟାସୀ ମଧ୍ୟ ରାଜାଙ୍କର ମନୋବାଂଛା ପୂରଣ ହେବା ନିମନ୍ତେ ରାଜାଙ୍କୁ ଗୋଟିଏ ସର୍ବ ଶୁଭ କବଚ ପ୍ରଦାନ କଲେ । ସେହି କବଚ ପିନ୍ଧି ରାଜା ରାଜ କୁମାରୀଙ୍କ ଅନ୍ତଃ ପୁରକୁ ଗମନ କଲେ । ଯେମିତିକି ସେ ରାକ୍ଷାସ ରାଜାଙ୍କୁ ଦେଖିବା ମାତ୍ରେ ସେ ସ୍ଥାନ ପରିତ୍ୟାଗ କରି ପଳାଇ ଯିବ । ରାଜା କହିଲେ –
ନାରୀଣାଂ ମାୟାବିନୀ ଶ୍ଚ ନାରୀ ମାୟା ଅଗୋଚର ।
ଜଗତରେ ଯେଉଁମାନେ ସୁନ୍ଦରୀ କନ୍ୟା କାମଶିଳା ସେମାନେ ମାୟାବିନୀ ଭାବରେ ପରିଚିତ । ସେଥି ପାଇଁ କହନ୍ତି ନାରୀ ମାୟା ଦେବେ ଅଗୋଚର । ସ୍ଥାନୀୟ ଦେବତା ମାନେ ମଧ୍ୟ ନାରୀ ମାନଙ୍କର ମାୟାକୁ ଜାଣି ପାରନ୍ତି ନାହିଁ । ସନ୍ନ୍ୟାସୀ କହିଲେ – ସେ ସବୁକୁ ତୁମେ ଆଉ ଭୟ କର ନାହିଁ । ଏ ଯେଉଁ କବଚକୁ ବାହୁରେ ଧାରଣ କରିବ, ସେହି ହେବ ତୁମର ରକ୍ଷା କବଚ । କବଚର ଶକ୍ତି ଏପରିଯେ ସମସ୍ତ କଥା ତୁମକୁ ପୂର୍ବରୁ ଜଣା ପଡି ଯିବ । ସନ୍ନ୍ୟାସୀଙ୍କ ଠାରୁ କବଚ ନେଇ ସାରି ରାଜା ଯାଇ ରାଜ କନ୍ୟା ମାୟାବତୀଙ୍କ ପାଖରେ ପହଁଚି ଗଲେ । ରାତ୍ରରେ ରାଜା ରାଜ କନ୍ୟାଙ୍କ ଅନ୍ତଃ ପୁରରେ ସାହାସର ସହିତ ରାତ୍ର ଯାପନ କଲେ । ରାତ୍ରି ପାହି ସକାଳ ହେଲା । ମାୟାବତୀ ଯେତେବେଳେ ରାଜାଙ୍କର ଶବକୁ ବାହାରକୁ ବାହାର କରି ଦେବାକୁ ଉଦ୍ୟତ ହୁଅନ୍ତେ ଦେଖିଲେ ରାଜା ଖୁବ୍ ଆନନ୍ଦର ସହିତ ଅଛନ୍ତି । ଏହା ଦେଖି ରାଜ କନ୍ୟା ମାୟାବତୀ ବିସ୍ମୟ ହୋଇ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ରାଜାଙ୍କର ସମ୍ମୁଖରେ ନୃତ୍ୟାରମ୍ଭ କରି ଦେଲେ । ମାୟାବତୀଙ୍କର ଏପରି ଉଲଗ୍ନ ରୂପକୁ ଦେଖି ରାଜା ଅମର୍ତ୍ୟ ସେନ ଆଉ ବିଳମ୍ବ ନକରି ସଙ୍ଗେ ସଙ୍ଗେ ରତି କ୍ରୀଡା ଆରମ୍ଭ କରି ଦେଲେ । ଏ କଥା ରାକ୍ଷାସ ଜାଣି ପାରି ରାଜାଙ୍କୁ ମାରି ଦେବା ନିମନ୍ତେ ଶତ ଚେଷ୍ଟା କଲା ସିନା ହେଲେ ପରାଜୟୀ ହେବାର ଜାଣି ସେ ରାକ୍ଷାସ ସେହି ସ୍ଥାନ ପରିତ୍ୟାଗ କରି ଚାଲି ଗଲା ।
ରାଜାଙ୍କର ଶକ୍ତି ନିକଟରେ ରାକ୍ଷସର ପରାଜୟ ଦେଖି ମାୟାବତୀ ଭାବିଲେଯେ ଏତେ ଦିନ ପରେ ସେ ତାଙ୍କର ମନ ଲାଖି ପୁରୁଷଟିଏ ପାଇଲେ । ରାକ୍ଷାସ ପ୍ରତି ତାଙ୍କର ଭୟ ନଥିବାରୁ ସେ ରାଜା ଅମର୍ତ୍ୟ ସେନଙ୍କୁ ବିବାହ କଲେ ଏବଂ ନିଜର ମାୟା ବଳରେ ରାଜାଙ୍କର ମନ ମୋହିତ କରି ନିଜ ପାଖରେ ତାଙ୍କୁ ରଖିଲେ । ଏହା ପରେ ରାଜା ନିଜର ରାଜ୍ୟ, ପ୍ରଜାଦିଙ୍କୁ ଭୁଲି ରାଜ କୁମାରୀ ମାୟାବତୀଙ୍କ ମାୟାରେ ପଡି ତାରି ପାଖାର ରହି ଗଲେ । ଏଥୁ ଅନ୍ତେ ମାୟାବତୀର କୁ ଅଭ୍ୟାସ ମଧ୍ୟ ଥିଲା । ସେ ଗୋଟିଏ ପୁରୁଷରେ କେବେ ସନ୍ତୁଷ୍ଟ ହୁଅନ୍ତି ନାହିଁ । ସେଥି ଲାଗି ରାଜ କୁମାରୀ ରାଜାଙ୍କର ଭ୍ରମଣ କିମ୍ବା ସ୍ନାନ କାଳକୁ ନିରୂପଣ କରି ନୂଆ ନୂଆ ପୁରୁଷ ମାନଙ୍କ ସହିତ ରତି କ୍ରୀଡା କରନ୍ତି । ଏକଥା ନିଜର କବଚ ବଳରେ ରାଜା ଜାଣି ପାରୁ ଥିଲେ ହେଲେ କ’ଣ ହେବ, ମାୟାବତୀଙ୍କର ମାୟାରେ ପୁଣି ସେସବୁକୁ ଭୁଲି ଯାଆନ୍ତି ।
ଏପଟେ ନିଜ ରାଜ୍ୟରେ ରାଜା ନାହାଁନ୍ତି । ରାଜାଙ୍କର ଅନୁପସ୍ଥିତ ଯୋଗୁଁ ରାଜ୍ୟରେ ନାନା ପ୍ରକାର ବିଶୃଙ୍ଖଳା ଦେଖା ଦେଲା । ଏଥିରେ ବ୍ୟସ୍ତ ହୋଇ ରାଣୀ ରାଜ୍ୟରୁ ସୈନ୍ୟ ମାନଙ୍କୁ ପଠାଇ ମନ୍ତ୍ରୀଙ୍କ ଦ୍ୱାରା ମାୟାବତୀଙ୍କୁ ପ୍ରଭାବିତ କରି ରାଜାଙ୍କ ସହିତ ନିଜର ରାଜ୍ୟକୁ ଫେରାଇ ଆଣିଲେ । ରାଜ ନଅରରେ ରାଣୀଙ୍କର ଥିଲା ବିଳାଶ ପୁର । ସେହି ପୁରରେ ନେଇ ମାୟାବତୀଙ୍କର ରହିବାର ବ୍ୟବସ୍ଥା ରାଜା ନିଜେ କରାଇ ଦେଲେ । କୁକୁର ଲାଙ୍ଗୁଡକୁ ଯେତେ ନଳରେ ପୂରାଇଲେ ସେ ଯୋଉ ବଙ୍କାକୁ ସେହି ବଙ୍କା । ଏଣେ ରାଣୀ ମାୟାବତୀ କୋଉ ତାଙ୍କର ପ୍ରକୃତି ଛାଡି ପାରୁ ଛନ୍ତି, ଯେତେ ବେଳେ ରାଣୀଙ୍କର ବିଳାଶପୁର ନିରୋଳା ହୋଇ ଯାଏ ମାୟାବତୀ ରାଜ୍ୟର ମନ୍ତ୍ରୀ ପୁଅ, ସେନାପତିଙ୍କ ପୁଅ କିମ୍ବା ରାଜ୍ୟର ଯୋଦ୍ଧା ସୈନ୍ୟ ମାନଙ୍କୁ ମାୟାରେ ବଶ କରି ତାଙ୍କ ସହିତ ରତି କ୍ରୀଡା କରନ୍ତି ।
ଏମିତି କିଛି ଦିନ ଅତିବାହିତ ହେବା ପରେ ରାଜ୍ୟରେ ପାଟ ରାଣୀ ରତ୍ନାବତୀଙ୍କ କାନରେ ଏ ସମ୍ବାଦ ପଡିଲା । ରାଣୀ ମଧ୍ୟ ବହୁ ବାର ପରୀକ୍ଷା କରି ଦେଖିଲେ ରାଜ କୁମାରୀ ମାୟାବତୀ ଚରିତ୍ର ହୀନା । ବହୁ କାମ ବାତୁଳି ଝିଅ ମାୟାବତୀଙ୍କର ଏପରି ନୀତିଗତି ପାଟରାଣୀଙ୍କର ମନକୁ ଚିନ୍ତା ଗ୍ରସ୍ତ କରି ପକାଇଲା । ତହୁଁ ସେ ରାଜାଙ୍କୁ କହିଲେ – ରାଜ କନ୍ୟା ମାୟାବତୀ ସାଧାରଣ କନ୍ୟା ନୁହେଁ । ତା’ର ସେହି ରୂପ ଲାଗି ଛାମୁଁଙ୍କ ସହିତ ଛାମୁଁଙ୍କର ରାଜ୍ୟକୁ ମଧ୍ୟ ନଷ୍ଟ ଭ୍ରଷ୍ଟ କରି ଦେବ । ଯଥା ଶୀଘ୍ର ରାଜ କନ୍ୟା ମାୟାବତୀଙ୍କୁ ଶୁଳିରେ ବସାଇ ମାରି ଦେବା ଦରକାର । ଏହା ପରେ ରାଜା ବହୁ ଚେଷ୍ଟା କଲେ କିନ୍ତୁ ମାୟାବତୀର କାମ ଭାବକୁ ଦମନ କରି ପାରିଲେ ନାହିଁ । ଏଥୁ ଅନ୍ତେ ପାଟରାଣୀ ତାଙ୍କ ରାଜା ତଥା ରାଜ୍ୟର ମଙ୍ଗଳ ନିମନ୍ତେ ଶିବଙ୍କର ପୂଜା କଲେ ।
ଦିନକର କଥା ରାଜ କନ୍ୟା ମାୟାବତୀ ନିଜର ମାୟା ବଳରେ ରାଜାଙ୍କୁ କାମ କ୍ରୀଡାରେ ମୋହିତ କଲା । ରାଜା ମଧ୍ୟ ସେଥିରେ ମୋହିତ ହୋଇ ପଡିଲେ । ଏହି ଅବସରରେ ରାଜ କନ୍ୟା ମାୟାବତୀ ରାଜାଙ୍କର ତଂଟି ଚିପି ମାରି ଦେବାକୁ ଉଦ୍ୟତ ହୁଅନ୍ତେ ରାଣୀଙ୍କର ପୂଜାରେ ସନ୍ତୁଷ୍ଟ ହୋଇ ସ୍ୱୟଂ ଶିବ ନିଜେ ଆସି ସେଠାରେ ଉପସ୍ଥିତ ହୋଇ ମାୟାବତୀଙ୍କୁ ପଥର କରି ଦେଲେ । ଏହା ପରେ ରାଜା ସେହି ରାଜ କନ୍ୟା ମାୟାବତୀଙ୍କର ପଥର ମୂର୍ତ୍ତିକୁ ପୁଷ୍କରିଣୀର ପାବଚ୍ଛ ନିକଟରେ ସ୍ଥାପନ କରି ସନ୍ନ୍ୟାସୀଙ୍କର କହିଥିବା ବିପଦ ବିଷୟରେ ସାବଧାନ କରାଇ ଲେଖି ଦେଲେ । ଉପଦେଷ୍ଟାଙ୍କ ଠାରୁ ସମସ୍ତ ବୃତାନ୍ତ ଶୁଣିବା ପରେ ବୋଲକରା କହିଲା ଏପରି କଥା ତାହା ହେଲେ ଏଥର ଆପଣ ଶୟନ କରନ୍ତୁ ।
ଚତୁର ବ୍ୟଙ୍ଗକାର ରାଜ କନ୍ୟା ମାୟାବତୀଙ୍କର କଥା କହି ସାରିବା ପରେ ସେଠାରେ ଶୟନ କରନ୍ତେ ବୋଲକରା ବସି ବସି ସେହି ଉପଦେଷ୍ଟାଙ୍କର ପାଦ ମଂଚାଳନ କଲା ।