ଦିନକର କଥା । ସମ୍ରାଟ୍ ଆକବରଙ୍କ ସଭା ଖୁବ୍ ଜୋରସୋର୍ରେ ଚାଲିଥାଏ । ସେହି ସମୟରେ ଦରବାରରେ ହଠାତ୍ ଜଣେ ପ୍ରବେଶ ହୋଇ ସମ୍ରାଟଙ୍କ ନିକଟରେ ଆପତ୍ତି କଲା ଯେ, ସାତବର୍ଷ ଧରି ମୁଁ ଗୋଟିଏ ଆମ୍ବଗଛ ଆଜ୍ଞା ରୋପଣ କରିଥିଲି । ଏଥର ସେହି ଆମ୍ବ ବୃକ୍ଷରେ ଖୁବ୍ କରି ଆମ୍ବ ହୋଇଛି । ସେହି ବୃକ୍ଷର ଫଳ ସବୁକୁ ଦେଖି ମୋର ପାଖ ପଡୋଶୀ ହଟ ନାମକ ବ୍ୟକ୍ତି କହୁଛି, ସେହି ଆମ୍ବ ବୃକ୍ଷଟି ତାହାର । ହେ ହଜୁର୍, ଏତେ ଯତ୍ନ, ଏତେ ପରିଶ୍ରମ କରି ବୃକ୍ଷଟିକୁ ବଂଚାଇ ରଖିଥିଲି, ସେଥିରେ ଫଳ ଅନେକ ହୋଇଥିବାରୁ ଲୋଭ ବଶତଃ ହଟ ମୋର ବିରୋଧ ହୋଇ ଆମ୍ବବୃକ୍ଷଟି ତା’ର ବୋଲି ଦାବି କରୁଅଛି । ଏହାର ଉଚିତ୍ ନ୍ୟାୟ ନିମନ୍ତେ ମୁଁ ଆପଣଙ୍କ ନିକଟକୁ ଆସିଛି ।
ସମ୍ରାଟ୍ ନଟଠାରୁ ଏକଥା ଶୁଣନ୍ତେ ବିରବଲଙ୍କୁ ପାଖକୁ ଡାକି କହିଲେ, ହେ ବିରବଲ ଆପଣ ଏହାର ବିଚାର କରନ୍ତୁ ।
ସମ୍ରାଟଙ୍କଠାରୁ ଆଦେଶ ପାଇବା ପରେ ବିରବଲ ନଟକୁ ପୁଣି ତାଙ୍କ ନିକଟକୁ ଡାକି ପଠାଇବାରୁ ନଟ ଆସି ବୀରବଲଙ୍କ ନିକଟରେ ହାଜର ହୋଇଗଲେ । ବିରବଲ ତାଙ୍କୁ ପଚାରିଲେ – ତୁମେ ସତ କରି କୁହ ଯେ ତୁମର କହୁଥିବା ଆମ୍ବ ଗଛ ତୁମ୍ଭର ବୋଲି ଆଉ କିଏ ପ୍ରମାଣ ଦେଇପାରିବ ।
ବିରବଲଙ୍କଠାରୁ ଏକଥା ଶୁଣି ନଟବର କହିଲା, ହଜୁର୍ । ମୋର ସେହି ଆମ୍ବଗଛ ନିଜର ବୋଲି ସେହି ବୃକ୍ଷକୁ ଦୀର୍ଘଦିନ ଧରି ଜଗୁଥିବା ମୋର ଚୌକିଦାର ପ୍ରମାଣ ଦେବ ।
ଏହାପରେ ଦୂତକୁ ପଠାଇ ହଟକୁ ଡକାଇ ଆଣିଲେ ବିରବଲ । ଦୂତ ସହିତ ହଟ ଆସି ଦରବାରରେ ହାଜର ହୋଇଯିବା ପରେ ବିରବଲ ହଟକୁ ସେହି ଆମ୍ବ ବୃକ୍ଷ କଥା ପଚାରନ୍ତେ ହଟ କହିଲା, ମୁଁ ଆଦୌ ମିଥ୍ୟା କହୁନାହିଁ ଆଜ୍ଞା । ସେହି ଆମ୍ବ ବୃକ୍ଷ ମୋର । ମୁଁ ତା’ର ଯତ୍ନ ସଦାସର୍ବଦା ନେଉଅଛି ।
ବିରବଲ ପଚାରିଲେ, ତୁମ୍ଭ ବ୍ୟତୀତ ତୁମ୍ଭର ଏହି ଆମ୍ବବୃକ୍ଷ ବୋଲି ଆଉ କିଏ ପ୍ରମାଣଦେବ ।
ହଟ କହିଲା – ମୋର ଚୌକିଦାର ଆପଣଙ୍କୁ ନିଶ୍ଚୟ ସତ୍ୟ କଥା କହିବ ।
ଏହାପରେ ହଟ ଓ ନଟକୁ ବିଦା କରି ଦେଇ ଦୂତଙ୍କୁ ପଠାଇ ବିରବଲ ଚୌକିଦାରଙ୍କୁ ଡକାଇ ଆଣି ପଚାରିଲେ, ତୁମେ ନଟକୁ ଚିହ୍ନ? ଚୌକିଦାର କହିଲା – ହଁ ଆଜ୍ଞା!
ତୁମେ ହଟକୁ ଚିହ୍ନ? ଚୌକିଦାର କହିଲା – ହଁ ଆଜ୍ଞା!
ନଟର ସେହି ଆମ୍ବ ବୃକ୍ଷ ଏକଥା ତୁମ୍ଭେ ପ୍ରମାଣ ଦେବ? ଚୌକିଦାର କହିଲା, ହଁ ଆଜ୍ଞା! ନଟଙ୍କ ତରଫରୁ ମୁଁ ସେହି ଆମ୍ବବୃକ୍ଷକୁ ଜଗୁଅଛି ।
ହଟର ସେହି ଆମ୍ବ, ବୃକ୍ଷ ଏକଥା ତୁମେ ପ୍ରମାଣ ଦେବ ।
ଚୌକିଦାର କହିଲା, ହଁ ଆଜ୍ଞା, ହଟଙ୍କର ସେହି ଆମ୍ବବୃକ୍ଷକୁ ମୁଁ ମଧ୍ୟ ଜଗୁଅଛି ।
ବିରବଲ ଏଥର ଚୌକିଦାରର କଥା ଶୁଣି ବଡ ଅଡୁଆରେ ପଡିଗଲା । ତା’ପରେ ସେ ଚୌକିଦାର ସଙ୍ଗରେ ଦୁଇଜଣ ଦୂତକୁ ପଠାଇ କହିଲେ – ତୁମ୍ଭେ ଆଜି ଯାଇ ହଟର ଘର ପାଖରେ ଗୋପନରେ ଲୁଚି ରହିବ । ଆଜି ନଟର ଘରେ ଯାହା ଯାହା ଆଲୋଚନା ହେବ ସେ କଥା ଶୁଣି, ଆସି ମୋତେ ଜଣାଇବ ।
ବିରବଲଙ୍କ ଆଦେଶ ଅନୁସାରେ ଦୂତ ଦୁହେଁ ନଟ ଓ ହଟଙ୍କ ଘରପାଖକୁ ଯାଇ ଗୋପନରେ ରହିଲେ ।
ଏହାପରେ ବିରବଲ ଚୌକିଦାରକୁ କହିଲେ, -ତୁମ୍ଭେ ପ୍ରଥମେ ଯାଇ ନଟଘରେ କହିବ ଯେ, ଆଜିରାତ୍ରିରେ ଚୋର ଆସିବ । ସେ ଆମ୍ବ ଚୋରି କରିବାକୁ ଆସିବ । ସଙ୍ଗରେ ଚୋର ଅସ୍ତ୍ର ଶସ୍ତ୍ର ଧରି ଆସିବେ । ତେଣୁ ଆଜି ରାତ୍ରିରେ ଚୋରକୁ ଖୁବ୍ ସତର୍କତାର ସହିତ ଜଗିବାକୁ ହେବ ।
ଏହାପରେ ହଟ ଗୃହରେ ଏହିକଥା ମଧ୍ୟ କହିବ । ସେମାନେ ସେହି ଚୋରପ୍ରତି ସାବଧାନ ରହିବେ ।
ତା’ପରେ ଚୌକିଦାର ପ୍ରଥମ ସମ୍ବାଦ ନଟଘରେ ଦେବାକୁ ଯାଇ ଦେଖିଲା ଘରେ କେବଳ ନଟଙ୍କର ସ୍ତ୍ରୀ ଅଛନ୍ତି । ତେଣୁ ଚୌକିଦାର ନଟଙ୍କର ସ୍ତ୍ରୀଙ୍କୁ ସେହି ସମ୍ବାଦ ଦେଇ ଚାଲିଗଲେ । ତା’ପରେ ଚୌକିଦାର ଯାଇ ହଟଙ୍କ ଗୃହରେ ପହଁଚି ଦେଖିଲେ ସେ ଘରେ ହଟ ନଥିଲେ । ତେଣୁ ସେହି ସମ୍ବାଦଟିକୁ ହଟଙ୍କ ସ୍ତ୍ରୀଙ୍କୁ କହି ଚାଲିଗଲେ ।
ସଂନ୍ଧ୍ୟା ହେବାରୁ ନଟ ବାହାରୁ ଫେରି ଆସି ଘରେ ପହଁଚିବାରୁ ନଟର ସ୍ତ୍ରୀ ଚୌକିଦାର କହିଯାଇଥିବା ସମ୍ବାଦଟିକୁ କହି ଦେବାରୁ ନଟ କହିଲା – ଆସନ୍ତୁ ଚୋର, ସେଠାକୁ ଅନ୍ଧାରରେ କିଏ ଯାଉଛି? ସେଠାକୁ ଗଲେ ତ ନିଜ ଜୀବନ ପ୍ରତି ବିପଦ ଅଛି । ସତରେ କ’ଣ ଆମ୍ବବୃକ୍ଷ ଆମର । ଅନ୍ଧାରରେ ବାଡି ବୁଲାଉଛି । ଯଦି ଭାଗ୍ୟବଳରୁ ଗଛଟା ଆମର ହୋଇଯିବ ତାହା ହେଲେ ଆମେ ମାଗଣାରେ ମାଗଣାରେ ଗଛଟିଏ ପାଇଗଲେ ବୋଲି ଜାଣିବା । ଦେଖ ଯଦି ଚୋରମାନେ ଆସିବେ ସେ ସିନା ଆମ୍ବଗୁଡିକ ନେଇଯିବେହେଲେ ଗଛଟା ତ ଆମର ହୋଇ ରହିଯିବ । ନଟ ଓ ତାଙ୍କ ସ୍ତ୍ରୀ ଯେତେବେଳେ ଏପରି ଆଲୋଚନା କଲେ ସେତେବେଳେ ଗୋପନରେ ଥାଇ ଦୂତ ସବୁକଥା ଶୁଣୁଥିଲା । ସବୁ କଥା ଶୁଣି ସାରିବା ପରେ ସେ ବିରବଲଙ୍କ ଘରକୁ ପଳାଇ ଆସିଲା ।
ଯେମିତି ସେଦିନ ସଂନ୍ଧ୍ୟା ହେଲା ହଟ ମଧ୍ୟ କୁଆଡେ ଯାଇଥିଲା ସିଆଡୁ ଫେରି ଆସି ଗୃହରେ ପହଁଚିବାରୁ ହଟର ସ୍ତ୍ରୀ ମଧ୍ୟ ହଟକୁ ଚୌକିଦାର ଯାହା ଯାହା ସବୁ କହିଥିଲା ସେ କଥା ସମସ୍ତ କହିବାରୁ ହଟ ଖୁବ୍ ବ୍ୟତିବ୍ୟସ୍ତ ହୋଇ ପଡି ସଂଗେ ସଂଗେ ଆମ୍ବ ବୃକ୍ଷ ନିକଟକୁ ଯିବା ଲାଗି ସଜ ହୋଇଗଲା । ଏହା ଦେଖି ହଟର ସ୍ତ୍ରୀ କହିଲା – ତୁମେ କିଛି ଖାଇକରି ଯାଅ । ହଟ କହିଲା – ଆଉ ଖାଇବି କ’ଣ ଚୋର କ’ଣ ମୋତେ ଅପେକ୍ଷା କରି ଚୋରି କରିବ । ମୋତେ ଆଉ ଖାଇବାକୁ ସମୟ ନାହିଁ । ୟେ ମୋର ସାତବର୍ଷର ରକ୍ତବୁହା ପରିଶ୍ରମ ପରା । ସବୁଶ୍ରମ ମୋର ବ୍ୟର୍ଥ ହୋଇଯିବ । ତମେ ତ ଜାଣିଛ ସେହି ଆମ୍ବ ବୃକ୍ଷକୁ ପରା ନିଜର ସନ୍ତାନମାନଙ୍କ ପରି ସ୍ନେହ କରୁଥିଲି । କେତେ ସ୍ନେହ କରି ବଢାଇଥିଲି, ଏଭଳି ସମୟରେ ମୁଁ ପୁଣି ଘରେ ଚୋରଙ୍କୁ ଭୟ କରି ଲୁଚି ବସିବି । ଏହା କହି ହଟ ବାଡିଖଣ୍ଡିକ ଧରି ଘରୁ ବାହାରି ଚାଲିଗଲା ।
ବାହାରେ ବିରବଲଙ୍କର ଦୂତ ଲୁଚି ବସି ହଟଙ୍କ ଗୃହରେ ଯାହା ଯାହା ଆଲୋଚନା ହେଲା ତାହା ସେ ଆସି ବିରବଲଙ୍କ ନିକଟରେ ପ୍ରକାଶ କଲା ।
ତା’ପରଦିନ ଦରବାରରେ ପ୍ରାରମ୍ଭିକ ଅବସ୍ଥାରେ ଏହି ବିଚାର ଚୁଡାନ୍ତ ହେବା କଥା ବିରବଲ ଘୋଷଣା କରିଥିଲେ । ସେଥିପାଇଁ ନଟ ଓ ହଟ ଦୁହେଁ ସମାନ ସମୟରେ ଆସି ଦରବାରରେ ଉପସ୍ଥିତ ହୋଇ ବାଦ୍ଶାହାଙ୍କୁ ପ୍ରଥମରେ ଓ ବିରବଲଙ୍କୁ ଦ୍ୱିତୀୟରେ ପ୍ରଣାମ କରନ୍ତେ ବିରବଲ କହିଲେ – ନଟ ଓ ହଟ ତୁମମାନଙ୍କର ବିଚାରର ଫଳ ଏବେ ମୁଁ ଦରବାରରେ ଘୋଷଣା କରିବି । ତାହାକୁ ତୁମ୍ଭେ ଦୁହେଁ ମନ ଦେଇ ଶ୍ରବଣ କର । ତା’ପରେ ବିରବଲ କହିଲେ – ତୁମ ଦୁଇଜଣଙ୍କର ସେହି ଆମ୍ବବୃକ୍ଷ ଉପରେ ସମାନ ଅଧିକାର ଅଛି । ତେଣୁ ତୁମ ଦୁଇଜଣଙ୍କର ସେହି ଗଛ ପ୍ରାପ୍ୟ ହେବା କଥା, ଏହା ବ୍ୟତୀତ ସେହି ବୃକ୍ଷ ଯେବେ ରହେ ତାହା ହେଲେ ତୁମ୍ଭ ଦୁହିଁଙ୍କ ମଧ୍ୟରେ ସଦା ସର୍ବଦା ଏହିପରି କଳହ ଲାଗି ରହିବ । ତେଣୁ ଆମ୍ଭ ବିଚାରରେ ଆମ୍ବ ବୃକ୍ଷଟିକୁ ମୂଳରୁ ହାଣି ଦିଆଯାଉ । ହାଣିବା ପରେ ଗଛର ଡାଳ ପତ୍ରକୁ ଦୁ ହିଁଙ୍କ ମଧ୍ୟରେ ସମାନ ଭାବରେ ବାଂଟି ଦିଆଯାଉ । ଏହା ଉପରେ ତୁମ୍ଭମାନଙ୍କର ଆଉ କିଛି ଅଭିଯୋଗ ଅଛି କି?
ବିରବଲଙ୍କ ମୁଖରୁ ଏକଥା ଶୁଣି ନଟ ହସ୍ତ ଯୋଡି କହିଲା – ଆପଣ ଧର୍ମ ଅବତାର । ଆପଣଙ୍କର ନ୍ୟାୟ ଉଚିତ୍ ଅଟେ । ତେଣୁ ଆପଣଙ୍କ ନ୍ୟାୟକୁ ମୁଁ ମାନି ନେଉଅଛି ।
ଏହାପରେ ହଟ ନିଜର ମତବ୍ୟକ୍ତ କରି କହିଲା, ହଜୁର୍! ଆପଣ ତ ଧର୍ମ ଅବତାର । ମୁଁ କିନ୍ତୁ ସେହି ବୃକ୍ଷଟିର ହାଣିବାର ସପକ୍ଷରେ ନୁହେଁ । ଫଳନ୍ତି ବୃକ୍ଷଟିକୁ କାଟି ଦେଲେ ନିଶ୍ଚୟ ପାପ ହେବ । ମୁଁ ମଧ୍ୟ ଆଜିଠାରୁ ସେହି ବୃକ୍ଷଟି ମୋର ବୋଲି ଦାବି କରିବି ନାହିଁ । ବରଂ ନଟ ବୃକ୍ଷଟିର ମାଲିକ ହେଉ ।
ବିରବଲ ହଟର କଥା ଶୁଣି ଖୁବ୍ ଖୁସି ହୋଇଯାଇ କହିଲେ, ମୁଁ କେବଳ ନଟକୁ ପରୀକ୍ଷା କରୁଥିଲି । ଏଥର ବିଚାର ଶେଷ ହେଲା । ଏହି ବିଚାରରେ ନଟକୁ ବନ୍ଦୀ ଜୀବନ କଟାଇବାକୁ ଆଦେଶ କରାଗଲା ।
ବିରବଲଙ୍କ ବିଚାରରେ ଉଚିତ୍ ନ୍ୟାୟ ଦେଖି ହଟ ଆଶ୍ଚର୍ଯ୍ୟ ହୋଇଯାଇ କାନ୍ଦି ପକାଇ ବିରବଲଙ୍କୁ ଆନନ୍ଦରେ ଆଲିଙ୍ଗନ କରି କାନ୍ଦିବାକୁ ଲାଗିଲା ।