• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଧୂସର ଦୁର୍ଗ
ଗଳ୍ପ

ଧୂସର ଦୁର୍ଗ

adminBy adminSeptember 5, 2018No Comments7 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ଚନ୍ଦ୍ରବର୍ମା ବୁଢୀକୁ ଧରି ଉଠାଇ ଦେଲେ ଓ ତା’ ହାତ ଧରି ଧିରେ ଧିରେ ଆଗକୁ ନେଇଗଲେ । କାପାଳିନୀ ଏଣେ ତେଣେ ଅନାଇ କହିଲା, “ଚନ୍ଦ୍ରବର୍ମା! ଆଗରେ ସେ ବୁଦା ଗୁଡିକଙ୍କ ସେପଟେ ଗୋଟିଏ ଗୁମ୍ଫା ଅଛି ବୋଲି ମନେ ହେଉଛି । ତମେ ଦେଖି ପାରୁଥିବ । ସେଆଡେ ଚାଲ ।”

କାପାଳିନୀର ଦୃଷ୍ଟି ପ୍ରଖର କହିବାକୁ ହେବ । ବଣବୁଦା ଆଢୁଆଳରେ ସତରେ ଗୋଟିଏ ଗୁମ୍ଫା ଥିବାର ଚନ୍ଦ୍ରବର୍ମା ଦେଖି ପାରିଲେ । ସେମାନେ ତହିଁ ଭିତରେ ସତର୍କ ଭାବରେ ପ୍ରବେଶ କଲେ । ଆଗରେ ଏକଜାତୀୟ ଉଚ୍ଚ ଘାସ ଗଛମାନ ଥିବାରୁ ବାହାରୁ ସେମାନଙ୍କୁ କେହି ଦେଖିବା ସହଜ ନଥିଲା ।

ଗୁମ୍ଫା ଭିତରେ ବେଶ୍ ପ୍ରଶସ୍ତ । ଗଛଲତା ଭେଦ କରି କିଛି ଆଲୁଅ ଭିତରେ ଆସି ପଡୁଥିଲା ।

କାପାଳିନୀ ଖଣ୍ଡିଏ ପଥରକୁ ଆଉଜି ପଡି ବସିଲା । ଚନ୍ଦ୍ରବର୍ମା ତା’ ସାମନାରେ ବସି ପଡି ତାକୁ ପଚାରିଲେ, “କାପାଳିନୀ, ପ୍ରଥମେ ଗୋଟାଏ କଥା କୁହ । ତମେ ଏଠିକି ଆସିଛ ବୋଲି ତାନ୍ତ୍ରିକ ଶଂଖୁ ଜାଣେ କି?”

କାପାଳିନୀ ହସିଲା । “ଆରେ ବାବୁ, ଶଂଖୁ ଯଦି ମୁଁ ଏତେଦୂର ଆସିଯାଇଥିବା କଥା ଜାଣନ୍ତା, ତେବେ କି ସେ ଗୋଟିଏ ମୁହୂର୍ତ୍ତ ଶାନ୍ତିରେ ଆଉ ରହି ପାରନ୍ତା? ମୋତେ ମାରି ପକାଇବା ନିମନ୍ତେ ସେ କ’ଣ ଚେଷ୍ଟା କରନ୍ତା ନାହିଁ? ମୁଁ ଗତ କାଲିଠାରୁ ଏଠାରେ ଆସି ରହିଛି । ମୋତେ ସେ ଅତିକାୟ ପକ୍ଷୀ ଦୁଇଟି ଧରିନେଇ ଯିବାକୁ ବହୁ ଚେଷ୍ଟା କରିଥିଲେ । କିନ୍ତୁ କାଳନାଗ ସେମାନଙ୍କୁ ଭୀଷଣ ଯୁଦ୍ଧ କରି ମାରି ପକାଇଛି ।”

“ତେବେ ତ ଚିନ୍ତା ନାହିଁ! ବର୍ତ୍ତମାନ ରାତି । ଜହ୍ନ ଆଲୁଅ ସାହାଯ୍ୟରେ ମୁଁ ତାନ୍ତ୍ରିକ ଶଂଖୁର ଘର କେଉଁଠି ତାହା ଠଉରାଇବାକୁ ଚେଷ୍ଟା କରେ ।” ଚନ୍ଦ୍ରବର୍ମା ଏହା କହି ଉଠି ଠିଆ ହେଲେ ।

କାପାଳିନୀ ଚନ୍ଦ୍ରବର୍ମାକୁ ଅଟକାଇ କହିଲା, “ତମେ କ’ଣ ଅଗ୍ନିପକ୍ଷୀ କଥା ଭୁଲିଗଲ? ରାତିରେ ଯଦି ଆମେ କାହାକୁ ହେଲେ ଡରିବା କଥା, ତେବେ ସେହି ଅଗ୍ନିପକ୍ଷୀକୁ । ଯଦି କାଳନାଗ କୌଣସି ପ୍ରକାରେ ତାକୁ ମାରି ପକାଇବାକୁ ସକ୍ଷମ ହେବ, ତେବେ ଆମର ବଡ ବିପଦ କଟିଯିବ । କଳାନାଗ ତା’ ସାଧ୍ୟମତେ ନିଶ୍ଚୟ ଚେଷ୍ଟା କରିବ ।”

ଚନ୍ଦ୍ରବର୍ମା ବିସ୍ମିତ ହୋଇ ପଚାରିଲା “କାଳନାଗ କ’ଣ ତମ ସହ ଏଠାକୁ ଆସିଛି?”

କାପାଳିନୀ ପୁଣି ହସିଲା ଓ କହିଲା, “ରାଜକୁମାର! କାଳନାଗ ମୋ ଅପେକ୍ଷା ତମକୁ ଅଧିକ ଶ୍ରଦ୍ଧା କରେ ବୋଲି ମୋର ଧାରଣା । କାଳନାଗଠାରୁ ତମେ ସେ ଯାଦୁ ଗଛର ଫଳ ଖାଇବା କଥା ଶୁଣିଛ । ସେତେବେଳଠୁଁ ମୁଁ ଜାଣିଛି ଯେ ତମେ ଆସି ଏଠି ସୁରୁଖୁରୁରେ ପହଁଚିଯିବ । ତେଣୁ ତମକୁ ଏଠାରେ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇନାହିଁ ।”

କାପାଳିନୀ ଆହୁରି କିଛି କହିବାକୁ ଯାଉଥିଲା, କିନ୍ତୁ ହଠାତ୍ ସେ ଅଂଚଳ ଝଲସି ଉଠିଲା । ମନେ ହେଲା ବାହାରେ ଯେମିତି ଆଲୋକିତ ହେଇଛି ।

ଚନ୍ଦ୍ରବର୍ମା ଗୁମ୍ଫାର ଦ୍ୱାର ପାଖକୁ ଯାଇ ଅନାଇଲେ । ଅଳ୍ପ ଦୂରରେ କାଳନାଗ ଅଗ୍ନିପକ୍ଷୀ ସହ ଲଢୁଥିବାର ତାଙ୍କର ଦୃଷ୍ଟିଗୋଚର ହେଲା । ସେ ଉତ୍ତେଜିତ ହୋଇ କହିଲେ, “କାପାଳିନୀ! ମୁଁ ଯାଇ କାଳନାଗକୁ ସାହାଯ୍ୟ କରେ ।”

“ନା, ରାଜକୁମାର, ନା । ତମେ ନିଜ ଶକ୍ତି ବର୍ତ୍ତମାନଠାରୁ ଖର୍ଚ୍ଚ କରନାହିଁ । ମୋର ବିଶ୍ୱାସ, କାଳନାଗ ଅଗ୍ନିପକ୍ଷୀକୁ ଶେଷ କରିଦେବ ।” କାପାଳିନୀ ଏହା କହି ଗୁମ୍ଫା ମୁହଁ ପାଖକୁ ଆସି ଚନ୍ଦ୍ରବର୍ମାଙ୍କ ଦୃଷ୍ଟି ଅନୁସରଣ କରି ଅନାଇଲା ଓ କହିଲା, “ଅଗ୍ନିପକ୍ଷୀ ମୁଁ ଏ ଅଂଚଳରେ ଆସି ପହଁଚିଥିବା କଥା ଜାଣି ଯାଇଛି ବୋଲି ମନେ ହୁଏ । ସେ ଯଦି ଶଂଖୁକୁ ଯାଇ ସେ ଖବର ଦେଇଦେବ, ତେବେ ଅଡୁଆ ହେବ । ତେଣୁ କାଳନାଗ ତାକୁ ଶୀଘ୍ର ଶେଷ କରିଦେଲେ ମଙ୍ଗଳ ହେବ ।”

ସେମାନେ ଲକ୍ଷ୍ୟ କରି ଦେଖିଲେ, କାଳନାଗ ଓ ଅଗ୍ନିପକ୍ଷୀ ଭିତରେ ଲଢେଇ ତୁମୁଳ ହେଲାଣି । ଦୁହେଁ ପରସ୍ପରକୁ ଯଥାଶୀଘ୍ର ମାରିଦେବାକୁ ଖୁବ୍ ବ୍ୟଗ୍ର ଥିଲେ । ନିଜର ତୀକ୍ଷ୍ନ ଚଂଚୁ ସାହାଯ୍ୟରେ ଅଗ୍ନିପକ୍ଷୀ କାଳନାଗର ତିନି ମୁଣ୍ଡକୁ ଭିନ୍ନଭିନ୍ନ କରିଦେବାକୁ ଚେଷ୍ଟା କରୁଥିଲା । କାଳନାଗ ନିଜ ଲାଙ୍ଗୁଡକୁ ଅଗ୍ନିପକ୍ଷୀ ଦେହରେ ଗୁଡାଇ ତାକୁ କାବୁ କରିବାକୁ ତତ୍ପର ଥିଲା ।

ଅଗ୍ନିପକ୍ଷୀ ଦେହରୁ ଝଲକ ଝଲକ ନିଆଁ ବାହାରୁଥିଲା ଓ ସେଥିରେ କାଳନାଗର ଦେହ ସିଝି ଯାଉଥିଲା । ତେଣେ କାଳନାଗର ଗରଳ ଫୁତ୍କାରରେ ଅଗ୍ନିପକ୍ଷୀ ଯେ କୌଣସି ମୁହୂର୍ତ୍ତରେ ଅଚେତନ ହୋଇଯିବ ବୋଲି ମନେ ହେଉଥିଲା ।

ସେ ଦୃଶ୍ୟ ବଡ ଭୟଙ୍କର ଥିଲା । ଥରେ ଥରେ ମନେ ହେଉଥାଏ କାଳନାଗ ଆଉ ମୁଣ୍ଡ ଟେକି ପାରିବ ନାହିଁ । କିନ୍ତୁ ପରେ ପରେ ଦେଖାଯାଉଥାଏ ସେ ପ୍ରବଳ ବେଗରେ ବୁଲିପଡି ପକ୍ଷୀକୁ ପଛପଟରୁ ଦଂଶନ କରୁଛି । ଥରେ ଥରେ ମନେ ହେଉଥାଏ ଅତିକାୟ ପକ୍ଷୀ କହିଲା ହୋଇଗଲାଣି; ତା’ ପକ୍ଷମାନ ଦୁର୍ବଳ ହୋଇଗଲାଣି? କିନ୍ତୁ ପୁଣି ଦେଖାଯାଉଥାଏ ସେ ସତେ ଅବା ପୁନର୍ଜୀବନ ପାଇ ଶତ୍ରୁ ଉପରେ ଡେଣା ଝପଟାଇ ତାକୁ କାବୁ କରିବାକୁ ତତ୍ପର ହେଉଛି! ବେଶ୍ କିଛି ସମୟ ଯାଏଁ କାପାଳିନୀ ଓ ଚନ୍ଦ୍ରବର୍ମା ସେଆଡେ ଅନାଇ ରହିଲେ ।

ଚନ୍ଦ୍ରବର୍ମା ନିଜ ସନ୍ଦେହ ବ୍ୟକ୍ତ କରିବାକୁ ଯାଇ କହିଲେ “ଯଦି ଏ ଦୁଇଜଣଙ୍କ ଲଢେଇର ଶବ୍ଦ କୌଣସି ପ୍ରକାରେ ତାନ୍ତ୍ରିକ ଶଂଖୁ କାନରେ ଯାଇ ପଡିବ, ତେବେ ଆମ କଥା ସରିଲା!”

କାପାଳିନୀ ଉତ୍ତର ଦେଲା “ନା, ନା, ସେ ଭୟ ନାହିଁ । ଅଗ୍ନିପକ୍ଷୀ ଏଠାରେ ଥିବା ଯାଏଁ ନିଜର କୌଣସି ବିପଦର ସମ୍ଭାବନା ନାହିଁ ବୋଲି ଜାଣି ଶଙ୍ଖୁ ତା’ର ବେଶ୍ ଆରାମ୍ରେ ଶୋଇଥାଏ । ତା’ର ନିଦ ଅତ୍ୟନ୍ତ ଗାଢ । ଅନ୍ଧକାର ହେବା ମାତ୍ରେ ସେ ଶୋଇଯାଏ – ସୂର୍ଯ୍ୟୋଦୟର କିଛି ସମୟ ପରେ ଯାଇ ସେ ଉଠେ । ତା’ କଥା ମୁଁ ବେଶ୍ ଭଲ ଭାବରେ ଜାଣେ । ଚିନ୍ତା ନାହିଁ ।”

ସେତିକିବେଳେ ଅଗ୍ନିପକ୍ଷୀର ତୀକ୍ଷ୍ନ ଚିତ୍କାର ଶୁଭିଲା । ମନେହେଲା, ତାହାହିଁ ତା’ର ଅନ୍ତିମ ଚିତ୍କାର । କାପାଳିନୀ ଓ ଚନ୍ଦ୍ରବର୍ମା ସେଆଡେ ଅନାଇ ଦେଖିଲେ, ତା’ର ମୁଣ୍ଡ ଗୋଟାଏ ପଟକୁ ଢଳି ପଡିଛି ।

ଅଗ୍ନିପକ୍ଷୀର କଣ୍ଠରେ କାଳନାଗ ଗୁଡେଇ ହୋଇ ରହିଥିଲା । ଅଗ୍ନିପକ୍ଷୀ ପୁରାପୁରି ନିଶ୍ଚେଷ୍ଟ ହୋଇଯିବା ପରେ କାଳନାଗ ତାକୁ ଛାଡିଦେଲା, କିନ୍ତୁ ସଙ୍ଗେ ସଙ୍ଗେ ନିଜେ ନିସ୍ତେଜ ହୋଇ ତା’ପାଖରେ ସେ ପଡି ରହିଲା ।

“ଜୟ କାଳନାଗର ଜୟ! ବୀର ନାଗର ଜୟ!” ନିଜ ହିତାକାଂକ୍ଷୀ କାଳନାଗର ଜୟରେ ଖୁସି ହୋଇ ଚନ୍ଦ୍ରବର୍ମା ପାଟି କରି ଏହା କହି ଗୁମ୍ଫାରୁ ବାହାରି ତା’ ଆଡେ ଦୌଡିଗଲେ । କାପାଳିନୀ ମଧ୍ୟ ନିଜର ସମସ୍ତ ଶକ୍ତି ଖଟାଇ ଚନ୍ଦ୍ରବର୍ମାଙ୍କ ପଛେ ପଛେ ଦୌଡିଲେ ।

ଯେତେବେଳେ ଚନ୍ଦ୍ରବର୍ମା ଓ କାପାଳିନୀ ଯାଇ କାଳନାଗ ପାଖରେ ପହଁଚିଲେ, ସେତେବେଳେ ସେ ନିଷ୍ପାଣ–ପ୍ରାୟ ହୋଇ ପଡିଥିଲା । ଦେହର ଅନେକ ସ୍ଥାନରୁ ତା’ର ରକ୍ତ ବାହାରୁଥିଲା ।

ଚନ୍ଦ୍ରବର୍ମା ଓ କାପାଳିନୀ ପାଖକୁ ଆସିବାର ଦେଖି କାଳନାଗ ନିଜ ଅବସ୍ଥା କଥା ଭୁଲିଯାଇ ଉତ୍ସାହରେ ତିନିମୁଣ୍ଡ ଉପରକୁ ଉଠାଇଲା । ଚନ୍ଦ୍ରବର୍ମା ତା’ ପାଖକୁ ଦୌଡିଯାଇ ତାକୁ ଆଉଁସି ଦେଲେ । ଅଗ୍ନିପକ୍ଷୀର ଦେହରୁ ବାହାରିଥିବା ନିଆଁ ଯୋଗୁଁ କାଳନାଗର ଦେହ କଳା ପଡି ଯାଇଥାଏ ।

ନିଜ ସେବକର ସେ ଅବସ୍ଥା ଦେଖି ଦୁଃଖରେ କାପାଳିନୀର କଣ୍ଠ ପ୍ରାୟ ରୁଦ୍ଧ ହୋଇ ଆସିଲା । ସେ କହିଲା, “କାଳନାଗ! ତୋ କଷଣ ଏଣିକି ଶେଷ ହେବ । ଶଙ୍ଖୁ ପାଖରୁ ସେ ଅପୂର୍ବ ଶକ୍ତିପୂର୍ଣ୍ଣ ଶଙ୍ଖଟି ମୋ ହସ୍ତଗତ ହେବା ମାତ୍ରେ ମୁଁ ତୋତେ ତୋ’ ମଣିଷ ରୂପ ଫେରାଇ ଦେବି । ତେଣିକି ସ୍ୱାଧୀନ ହୋଇ ଯେଣେ ଇଚ୍ଛା ତୁ ତେଣେ ଯିବୁ ।”

କାପାଳିନୀର କଥା ଶୁଣି ଚନ୍ଦ୍ରବର୍ମା ଚେତି ଉଠିଲେ । ଶଙ୍ଖୁ ଘରେ ପଶି କାମ ହାସଲ କରିବା କଥା ସେ ପ୍ରାୟ ପାଶୋରି ଦେଇଥିଲେ । ସେ କହିଲେ, “କାପାଳିନୀ! ସୂର୍ଯ୍ୟୋଦୟ ପାଇଁ ଆଉ ଅଧିକ ବିଳମ୍ବ ନାହିଁ । ମୁଁ ତାନ୍ତ୍ରିକ ଶଙ୍ଖୁ ଘର ଆଡେ ଚାଲିଲି ।”

କାପାଳିନୀ କହିଲା “ନା, ଚନ୍ଦ୍ରବର୍ମା, ବର୍ତ୍ତମାନ ତମେ ତାନ୍ତ୍ରିକ ଶଙ୍ଖୁର ମନ୍ତ୍ରପୁରୀ ଭିତରକୁ ଯିବା ଉଚିତ୍ ହେବ ନାହିଁ । ମୁଁ ତା’କୁ ଦମନ କରିବା ନିମନ୍ତେ ଗୋଟାଏ ଉପାୟ ପାଂଚୁଛି । ଥୟ ଧର ।”

ଚନ୍ଦ୍ରବର୍ମା ପଚାରିଲେ “ସେ ଉପାୟଟି କ’ଣ, କାପାଳିନୀ?”

କାପାଳିନୀ କହିଲା “ପ୍ରତିଦିନ ସୂର୍ଯ୍ୟୋଦୟ ବେଳେ ଶଙ୍ଖୁ ଅଳ୍ପ ଦୂରରେ ଥିବା ଖଣ୍ଡିଏ ଶିଳା ଉପରେ ଠିଆ ହୋଇ ଚାରିଦିଗକୁ ଅନାଇ ମନ୍ତ୍ରପାଠ କରେ । ସେ ଶିଳାଖଣ୍ଡ ବିଶେଷ ପ୍ରଶସ୍ତ ନୁହେଁ । ତା’ ସାମନାରେ ଅତ୍ୟନ୍ତ ଗଭୀରରେ ଗୋଟିଏ ଜଳସ୍ରୋତ ଅଛି । ଯଦି ତମେ ତାକୁ ସେ ଶିଳାରୁ ତଳକୁ ଟଳାଇଦେଇ ପାରିବ, ତେବେ ସେ ଗହୀର ଜଳସ୍ରୋତରେ ପଡି ସେ ନିଶ୍ଚିହ୍ନ ହୋଇଯିବ ।”

ଚନ୍ଦ୍ରବର୍ମା ଅଧୀର ହୋଇ ପଚାରିଲେ “କାପାଳିନୀ! ତମ ପ୍ରସ୍ତାବଟି ଟିକିଏ ବିସ୍ତୃତ ଭାବରେ କୁହ । ବର୍ତ୍ତମାନ ଆଉ ଅଧିକ ସମୟ ନାହିଁ ।”

“ଆଚ୍ଛା ହେଉ, ପାଖକୁ ଆସ । କହୁଛି ।” କାପାଳିନୀ ଏହା କହି ଚନ୍ଦ୍ରବର୍ମାଙ୍କୁ ଗୋପନରେ କିଛି କହିଲା ଏବଂ ତା’ପରେ ଚେତାବନୀ ଶୁଣାଇ ଦେଲା: “ସାବଧାନ, ଏଥିରେ ଟିକିଏ ଏପଟ ସେପଟ ହେଲେ ସବୁକିଛି ଭଣ୍ଡୁର ହୋଇଯିବ ।”

ଚନ୍ଦ୍ରବର୍ମା ନୀରବରେ ଛିଡା ହୋଇ କିଛି ଚିନ୍ତା କଲେ । ତା’ପରେ ସେ ପାଖରେ ଥିବା ଗୋଟିଏ ଉଚ୍ଚ ବୃକ୍ଷ ଆରୋହଣ କରି ପୂର୍ବ ଦିଗକୁ ଦୃଷ୍ଟିପାତ କଲେ । ତା’ପରେ ବୃକ୍ଷରୁ ଓହ୍ଲାଇ ଆସି କାପାଳିନୀ ପାଖକୁ ଯାଇ କହିଲେ, “କାପାଳିନୀ! ସୂର୍ଯ୍ୟୋଦୟ ନିମନ୍ତେ ବିଶେଷ ବିଳମ୍ବ ନାହିଁ । ବର୍ତ୍ତମାନ ଆମେ ଯାହା କରିବାର କଥା, ସେ ଦିଗରେ ପଦକ୍ଷେପ ନେବା ଉଚିତ । ତମେ ଓ କାଳନାଗ ଗୁମ୍ଫା ଭିତରକୁ ଯାଇ ସେଠାରେ ଟିକେ ବିଶ୍ରାମ ନିଅ ।”

ଚନ୍ଦ୍ରବର୍ମା ଏହାପରେ ପାଖରେ ଥିବା ଅନ୍ୟ ଗୋଟିଏ ବୃକ୍ଷ ଉପରକୁ ଚଢିଗଲେ ଓ ତରବାରୀ ବାହାର କରି ଗୋଟିଏ ପ୍ରକାର ଟାଣ ଲତା କାଟି ତହିଁରେ ଖଣ୍ଡିଏ ଲମ୍ବ ଦଉଡି ପ୍ରସ୍ତୁତ କଲେ । ସେ ଲତାତକ କାନ୍ଧରେ ପକାଇ ସେ ତରତର ହୋଇ ଗୋଟିଏ ପାହାଡ ଆରୋହଣ କଲେ ।

ପାହାଡ ଉପରେ ଥିବା ଖଣ୍ଡିଏ ପଥର ଦେହରେ ଚନ୍ଦ୍ରବର୍ମା ସେ ଲତା–ଦଉଡିର ଗୋଟିଏ ସ୍ଥାନକୁ ବାନ୍ଧିଦେଲେ ଓ ଅନ୍ୟ ପ୍ରାନ୍ତକୁ ତଳକୁ ଛାଟିଦେଲେ । ସେହି ପଥର ଉପରେ ଠିଆ ହୋଇ ତାନ୍ତ୍ରିକ ଶଙ୍ଖୁ ସକାଳେ ମଂତ୍ରୋଚାରଣ କରିଥାଏ ।

ଏ କାମ ଶେଷ କରି ଚନ୍ଦ୍ରବର୍ମା ଗୁମ୍ଫା ପାଖକୁ ଲେଉଟି ଆସିଲେ । ଗୁମ୍ଫା ପାଖରେ କାପାଳିନୀ ଉତ୍କଣ୍ଠା ସହକାରେ ଅପେକ୍ଷା କରିଥାଏ । ଚନ୍ଦ୍ରବର୍ମାକୁ ଦେଖିବା ମାତ୍ରେ ସେ କେଇପାଦ ଅଗ୍ରସର ହୋଇ ପଚାରିଲା, “ଚନ୍ଦ୍ରବର୍ମା! ଆମ ଆୟୋଜନ ଠିକ୍ ଭାବରେ ହୋଇଛି ତ?”

ଚନ୍ଦ୍ରବର୍ମା କହିଲେ “ସେକଥା କିପରି କହିବି? ଦଉଡିର ଗୋଟିଏ ପ୍ରାନ୍ତ ମୁଁ ଶିଳା ଦେହରେ ବାନ୍ଧି ଦେଇଛି, ଅନ୍ୟ ପ୍ରାନ୍ତଟି ତଳକୁ ଫୋପାଡି ଦେଇଛି ।”

କାପାଳିନୀ କହିଲା “ବର୍ତ୍ତମାନ ତେବେ ଅପେକ୍ଷା କରିବା କଥା । ଯେଉଁ ମୁହୂର୍ତ୍ତରେ ଶଙ୍ଖୁ ସେ ପାହାଡ ଚଢି ଶିଳାଖଣ୍ଡ ଉପରେ ଛିଡା ହେବ, ସେହି ମୁହୂର୍ତ୍ତରେ ତଳେ ଝୁଲୁଥିବା ଦଉଡିର ପ୍ରାନ୍ତ ଦେଶରେ ଗୋଟାଏ ଟାଣ ଦେବାକୁ ହେବ । ଶିଳାଖଣ୍ଡ ସହ ତାନ୍ତ୍ରିକ ଶଙ୍ଖୁ ଆସି ଅତଳ ସ୍ରୋତଗର୍ଭରେ ପଡିବ ।”

ସେ ଏତକ କହିସାରିବା ବେଳକୁ ଶଙ୍ଖୁ ପାହାଡ ଚଢୁଥିବାର ଦେଖାଗଲା । କାପାଳିନୀ ତା’ କଣ୍ଠସ୍ୱର ନିମ୍ନ କରି ଚନ୍ଦ୍ରବର୍ମାଙ୍କୁ କହିଲା, “ହେଇ ଦେଖ । ବର୍ତ୍ତମାନ ସାହସ ସଂଚୟ କର । ଟିକିଏ ହେଳା କଲେ ସୁଯୋଗ ଚାଲିଯିବ ।” ଚନ୍ଦ୍ରବର୍ମା ପାହାଡ ଉପରକୁ ଅନାଇଲେ । ତାନ୍ତ୍ରିକ ଶଙ୍ଖୁ ତାଙ୍କ ଆଖିକୁ ଭୟଙ୍କର ଦିଶୁଥାଏ । ଗୋଟିଏ ମୁହୂର୍ତ୍ତ ପାଇଁ ସେ ଶଙ୍କିଗଲେ । କିନ୍ତୁ ସଙ୍ଗେ ସଙ୍ଗେ ପୁଣି ଦମ୍ବ ବାନ୍ଧିଲେ ।

ଶଙ୍ଖୁ ଯେମିତି ଯାଇ ଶିଳାଖଣ୍ଡ ଉପରେ ଠିଆ ହୋଇ ପୂର୍ବ ଦିଗକୁ ଅନାଇ ନିଜ ମନ୍ତ୍ରଦଣ୍ଡ ଉଂଚାଇଛି, ଚନ୍ଦ୍ରବର୍ମା ସେମିତି ଦଉଡିରେ ଅତ୍ୟନ୍ତ ଜୋରେ ଟାଣ ଦେଲେ । ଶିଳାଖଣ୍ଡ ଦୋହଲି ଗଲା । ତାନ୍ତ୍ରିକ ଶଙ୍ଖୁ ହାତରୁ ତା’ ମନ୍ତ୍ରଦଣ୍ଡ ଛିଟିକି ଯାଇ ଅଦୂରରେ ଥିବା ତା’ ମନ୍ତ୍ର ଗୃହ ଦେହରେ ବାଜିଲା । ସଙ୍ଗେ ସଙ୍ଗେ ସେ ପୁରା ଘରଟି ଉତ୍ପାଟିତ ହୋଇ ସ୍ରୋତ ଗର୍ଭରେ ପଡିଲା । “ଧୋକା! ଧୋକା!” ବୋଲି ଚିତ୍କାର କରି ତାନ୍ତ୍ରିକ ଶଙ୍ଖୁ ମଧ୍ୟ ଶିଳାଖଣ୍ଡ ସହ ତଳକୁ ଖସି ପଡି କୁଆଡେ ଅଦୃଶ୍ୟ ହୋଇଗଲା ।

Share. Facebook Twitter Pinterest LinkedIn Tumblr Reddit Email
Previous Articleକୁହୁକ ହାଣ୍ଡି
Next Article ଗରିବର ଭଗବାନ
admin

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.