• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଧୂଳିଆବାବା
ଗଳ୍ପ

ଧୂଳିଆବାବା

ଫକୀର ମୋହନ ସେନାପତିBy ଫକୀର ମୋହନ ସେନାପତିSeptember 5, 2018No Comments12 Mins Read
Facebook Twitter Pinterest Reddit LinkedIn Tumblr Email
Dhuliababa by Fakir Mohan Senapati
Share
Facebook Twitter Pinterest Reddit Email

ଧୂଳିଆବାବା

ଦେଗାଁର ହନୁମାନଜୀ ପ୍ରତ୍ୟକ୍ଷ ଦେବତା । ସେ ତ ଆଉ ଆଜିକାଲିକା କଳିଯୁଗର ଦେବତା ନୁହଁନ୍ତି, ସତ୍ୟଯୁଗରୁ ସେଠାରେ ସେ ବିରାଜୁଛନ୍ତି । ସେଠାକାର ମହନ୍ତ ମହାରାଜାଙ୍କ ନାମ ହନୁମାନ ଦାସ । ତାଙ୍କର ବି ଠିକ୍ ସେହିପରି ମହିମା । ବଡ ବଚନସିଦ୍ଧ ପୁରୁଷ ଥିଲେ ସେ । ଯାହାକୁ ଯାହା ସେ ଆଜ୍ଞା କରୁଥିଲେ, ତୁରନ୍ତ ତାହା ଫଳିଯାଉଥିଲା । ତେଣୁ ତାଙ୍କ ମହିମା କଥା ପୃଥିବୀଯାକ ଜାରୀ ।

ନାଗପୁର ମରହଟ୍ଟା ଫୌଜଦାର ସବୁ କଥା ଶୁଣିପାରି ତାଙ୍କୁ ଦର୍ଶନ କରିବାକୁ ଅଇଲା । ସକାଳଓଳିଆ ମହନ୍ତ ମହାରାଜ ଗୋଟାଏ କାନ୍ଥଡା ଉପରେ ବସି ଗଞ୍ଜେଇ ଟିପୁଥିଲେ । ଦୂରକୁ ଅନାଇ ଦେଲେ ଯେ ଗୋଟାଏ ଖୁବ୍ ବଡ ଦନ୍ତାହାତୀ ଉପରେ ଅମାରି କସା, ତା ଉପରେ ପାଟଛତା ଉଡୁଛି, ଫୌଜଦାର ତା ଉପରେ ବସି ଆସୁଛି । ମହନ୍ତ ମହାରାଜ ଖାଲି ଏତିକି କହିଲେ, ହଁ – ଚେଲ୍ ବାବା କାନ୍ଥଡା ଚେଲ୍! ଆଉ କଣ କାନ୍ଥଡା ସେଠି ରହିପାରେ, ଚାଲିଲା । ତେଣୁ ଆସୁଛି ହାତୀ, ଏଣୁ ଯାଉଛି କାନ୍ଥଡା, ଅଧବାଟରେ ସେମାନେ ହେଲେ ଭେଟାଭେଟି! ଫୌଜଦାର ଯିମିତି ଅନାଇ ଦେଇଛି ଆଉ କଣ ହାତୀରେ ସେ ବସିପାରେ । ଖପ୍ କରି ହାତୀରୁ ଡେଇଁପଡି ଲମ୍ ଲମ୍ ଗୋଡତଳେ ପଡିଗଲା । ମହନ୍ତ ମହାରାଜ ତାଙ୍କୁ କଲ୍ୟାଣ କଲେ, ଜୀତେରହୋ – ଜୀତେରହୋ ବଚ୍ଚା, ଉଠ – ଉଠ । ଫୌଜଦାର ଯିମିତି ଉଠିଛି, ସାଙ୍ଗେ ସାଙ୍ଗେ ତମ୍ବା ପାଟିଆରେ ବାରବାଟୀ ଜମି ଅକରା ସନନ୍ଦ କରିଦେଲା ।

ଏହି ମହନ୍ତ ଗାଦିରେ ବସିଥିଲେ – ବାରଶ ବାର ବରଷ ବାର ମାସ ବାର ଦିନ । ସେ ତ ଥିଲେ ଇଚ୍ଛାମୟ ପୁରୁଷ, ଆଉ ପୃଥିବୀରେ ରହିବାକୁ ତାଙ୍କର ମନ ବଳିଲା ନାହିଁ । ଅଯୋଧ୍ୟାକୁ ଖବର ଗଲା । ହନୁମାନ ଗାଦିରୁ ଜଣେ ଚେଲା ଆସିଲେ । ୟାଙ୍କ ହାତରେ ଗାଦି ଦେଇ ସେ ସ୍ୱର୍ଗକୁ ଚାଲିଗଲେ । ଏ ଚେଲାଙ୍କ ନାମ ମର୍କଟ ଦାସ ମହନ୍ତ ମହାରାଜ । ଗାଦିର ମହିମା – ଏ ମହନ୍ତ ବି ଠିକ୍ ସେହିପରି । ୟାଙ୍କ ସମୟରେ ପଡିଲା ଫିରିଙ୍ଗୀ ଅମଳ ଜାରୀ । ସବୁ ଶୁଣି କଟକ ସାହେବ କହିଲା, କ୍ୟା – ହିନ୍ଦୁ ଫକିରଟା ଖଜଣା ନ ଦେଇ କେଉଁ ଏତେଗୁଡାଏ ଜମି ମାହାଳିଆ ଖାଏଗା? ବୋଲାଓ ଉସ୍କୁ ହାମ୍ ଦେଖେଙ୍ଗା । ପରବାନା ପାଇ ମହନ୍ତ ଘୋଡାରେ ଚଢି ବାହାରିଲେ । ଆଗରେ ତାଙ୍କର ବାନା ବୈରଖ ଉଡୁଛି, ହରିବୋଲ ବି ପଡୁଛି, କୀର୍ତନ ଲାଗିଛି, ଯାଇ ବିଜେ ହୋଇଗଲେ ମହାନଦୀ କୂଳରେ । ଭୋଦୁଅ ମାସିଆ ଦିନ – ମହାନଦୀ ଏକୂଳ ସେକୂଳ ଖାଉଛି । ବର୍ଷା ତୋଫାନ ବୋଲେ ମୁହିଁ – ନାଉରି କହିଲା, ନାଆ ଫିଟାଇବି ନାହିଁ । ପାରି ହେଉଛନ୍ତି କିମିତି? ମହନ୍ତ ମହାରାଜ ଆଜ୍ଞା କଲେ, ପରବା ନାହିଁ । ତାଙ୍କ କାଖରେ ଯେଉଁ ବାଘଛାଲ ଥିଲା, ତାକୁ ସେ ପାଣିରେ ପାରି ଦେଲେ – ଆପେ ବିଜେ ହୋଇଗଲେ, ଅଧିକାରୀ ଟହଲିଆ ସୁଆର ଚଳିବା ଭଳି ଲୋକଙ୍କୁ ପାଖରେ ବସାଇ ନେଲେ । ଜଣେ ଛତିଆ ମହନ୍ତଙ୍କ ମୁଣ୍ଡ ଉପରେ ପାଟଛତି ଟେକିଥାଏ । ଦୁଇ ଜଣ ବାହିଆ ଛାଲ ବାହି ଯାଉଥାନ୍ତି । ଏଣେ ମହାନଦୀ ଆରକୂଳରେ ସାହେବ ରାଉଟି ପକାଇ ବସିଥିଲା । ଦୂରବୀନରେ ଚାହିଁଦେଲା, ପାଖ ଲୋକଙ୍କୁ ପଚାରିଲା, ଏ କ୍ୟା? ତହୁଁ ଲୋକେ କହିଲେ, ହିନ୍ଦୁ ଫକିର ବିଜେ ହୋଇ ଆସୁଛନ୍ତି । ଏସବୁ ଦେଖି ସେ ସାହେବ ଆଉ କଣ ଚୌକିରେ ବସିବ – ସିଧା ନଈକୂଳକୁ ଧାଇଁ ଆଇଲା । ମୁଣ୍ଡରୁ ଟୋପି ତଳେ ରଖି ସେ ତିନି ସଲାମ କଲା । କହିଲା – ଯାଓ ଫକିର! ତୁମାରା ଜମିନ ବାହାଲ ।

ଏ ମହନ୍ତ ଦେଢହଜାର ବର୍ଷ ଗାଦିରେ ବସିଥିଲେ । ତାଙ୍କର ଉତାରେ ସେ ଗାଦିରେ ବସିଲେ ଜମ୍ବୁବାନ ମହନ୍ତ ମହାରାଜ । ସେ ମନ୍ଦିର ପଛପଟରେ ଯେଉଁ ଦି ଫାଙ୍କୁଡିଆ ବୁଢା ସାହାଡା ଗଛ ଦେଖୁଛ, ଏଟା କଣ ଜାଣ? ମହନ୍ତ ଦିନେ ସାହାଡା ଦାନ୍ତକାଠିରେ ଦାନ୍ତ ଘଷୁଥିଲେ । କାଠିଖଣ୍ଡ ଦାନ୍ତରେ ଚିରି ଜିଭ ଛେଲିପକାଇ ଦୁଇ ଖଣ୍ଡ କାଠି ଯୋଡି ମାଟିରେ ପୋତିଦେଲେ । ତା ଉପରେ ଯେମିତି ସେ ଟୋପାଏ ପାଣି ପକାଇଛନ୍ତି, ସିମିତି ତାହା ଗଜେଇ ଗଲା । ଏଇଟା ହେଉଛି ସେଇ ଗଛ । ବର୍ତ୍ତମାନ ମହନ୍ତଙ୍କ ନାମ ବାନ୍ଦର ଦାସ ମହନ୍ତ ମହାରାଜ । ଏପରି ପୁରୁଷ କାହିଁ ଦେଖା ନାହିଁ, ନ ଥିବ ବୋଧେ । ପଂଚହତା ମର୍ଦ, ଗାଲ ଓଠ ଛାତିରେ ଲାଗିଯାଇଛି, ବେକ ଦିଶେ ନାହିଁ । ବାହୁ ଆଉ ଲୋକଙ୍କ ଜଙ୍ଘ ପରି, ମୋଟା ପେଟଟି ଗୋଟିଏ ଦଶନୌତିଆ ଘୁମ । ଅଜଣା ଲୋକ ତାଙ୍କୁ ହଠାତ୍ ଦେଖି କହିବେ, ମହନ୍ତ ଲଙ୍ଗଳା । ନାହିଁ ନାହିଁ – ଚାଖଣ୍ଡେ ଚୌଡା ଦେଢ ହାତ ଲମ୍ବ ଖଣ୍ଡେ କନା କୌପୀନ ସେ ମାରିଥାଆନ୍ତି । ଜଙ୍ଘକୁ ଜଙ୍ଘ ଲାଗିଯାଇଛି – ପେଟଟି ତାଙ୍କର ଝୁଲିପଡିଛି, ତେଣୁ କୌପୀନ ଦିଶେ ନାହିଁ । ଏ ମହନ୍ତଙ୍କର ବି ମହିମା ଅପାର । ସେ ମନ୍ଦିରରେ ଏତେ ଖଟ ପଲଙ୍କ, ହେଲେ ସେ କୋଉଥିରେ ବି ଶୋଇବେ ନାହିଁ, ସବୁବେଳେ ଖାଲି ସେ ଧୂଳିରେ ଗଡୁଥାନ୍ତି । ଏଣୁ ତାଙ୍କ ଦେହଯାକ ଧୂଳିଧୂସର । ତାଛଡା ସେ କେବେ ବି ସ୍ନାନ କରନ୍ତି ନାହିଁ, ପାଣି ମଧ୍ୟ ଛୁଅନ୍ତି ନାହିଁ । ଏଥିପାଇଁ ଲୋକମାନେ ସେ ମହନ୍ତ ମହାରାଜଙ୍କୁ ଧୂଳିଆବାବା ବୋଲି ଡାକନ୍ତି । ମନ୍ଦିରରେ ଏତେ ଧନଦୌଲତ, ଏତେ ପିଠା ଖଜା, ହେଲେ ସେ ମହନ୍ତ ସେସବୁ କିଛି ବି ଛୁଇଁବେ ନାହିଁ । ଦଶ ସେର ନିରୁତା ଦୁଧ ଆଉଟି ଆଉଟି ପାଂଚ ସେର ରହିବ – ଅଳତା ଫଡା ପରି ତା’ଉପରେ ସର ପଡିବ – ଦି’ପହର ଧୂପରେ ଠାକୁରଙ୍କ କତିରେ ତାହାହିଁ ଭୋଗ ଲାଗେ – ସେ ମହନ୍ତ ମହାରାଜ କେବଳ ସେତିକି ସେବା କରନ୍ତି । ଆଉ ତୋଳାଏ ଆପୁ, ପାଏ ଗଞ୍ଜେଇ ଖଞ୍ଜା । ଦିନରାତି ତାଙ୍କ ହାତରୁ ଗଞ୍ଜେଇ ଚିଲମ ମୋଟେ ଛୁଟଣ ନ ଥାଏ । ତେଣୁ ତାଙ୍କ ଆଖି ଯୋଡିକ ସାନ ସାନ ସିନ୍ଦୂରବିନ୍ଦୁ ପରି ଲାଲ । ସବୁବେଳେ ସେ ଖାଲି ମିଞ୍ଜିମିଞ୍ଜି କରି ଚାହାଁନ୍ତି । ତାଙ୍କ ଗଞ୍ଜେଇ ଚିଲମଟା ହାତେ ଲମ୍ବ । ଦଶ ପନ୍ଦର ଜଣ ଭଗତ-ଚେଲା ସବୁବେଳେ ତାଙ୍କୁ ବେଢି ବସିଥାନ୍ତି । ଗଞ୍ଜେଇଟିପା କାମ ପାଂଚ ଛ’ଜଣଙ୍କ ହାତରେ ଲାଗିଥାଏ । ମନ୍ଦିରରୁ ପ୍ରସାଦ ସେବାକରି ସବୁବେଳେ ଏମାନେ ପାଖରେ ହାଜର ।

ଆଗ ଆଗ ମହନ୍ତ ମହାରାଜଙ୍କ ମହିମା କଥା ତ ଦେଶ ଲୋକଙ୍କୁ ଜଣା । ପୁଣି ସେ ସବୁକଥା ଭୁର୍ଜପତ୍ରରେ ଦେବନାଗର ଅକ୍ଷରରେ ରକ୍ତଚନ୍ଦନରେ ଲେଖା ହୋଇ ଦେଉଙ୍କ ସିଂହାସନ ତଳେ ଅଛି । ଏ ଧୂଳିଆବାବା ସେସବୁ ପଢିଆସି ବିଶ୍ୱାସୀ ଭକ୍ତମାନଙ୍କ ପାଖରେ ଗୋପନରେ କହନ୍ତି । ତଥାପି ମଧ୍ୟ କେହି କେହି ଅବିଶ୍ୱାସୀ ଭକ୍ତ ଲୋକଙ୍କ ପାଖରେ ସେସବୁ ପ୍ରକାଶ କରି ପକାଏ ।

ଧୂଳିଆବାବା ସବୁଦିନେ ଚେଲାମାନଙ୍କ ଆଗରେ କହନ୍ତି, ଏହି ପୁରୀରେ ଯେଉଁ ଜଗନ୍ନାଥ ଦେଉଳ ଦେଖୁଛ, ତାହା ତିଆରି ହେଲା ବାଦ ତା’ର ପ୍ରତିଷ୍ଠାକୁ ଅଯୋଧ୍ୟାରୁ ହଜାରେ ଆଠ ମୂରତି ସାଧୁ-ମହନ୍ତ ଭୋଜି ଖାଇବାକୁ ଆସିଥିଲେ । ଏ ବି ସେମାନଙ୍କ ମଧ୍ୟରେ ଆସିଥିଲେ । କେବଳ ଚେଲାମାନଙ୍କ ଭକ୍ତି ଏଡି ନ ପାରି ସେ ଏଠାରେ ରହିଯାଇଛନ୍ତି – ଆଉ ଏ ମିଛୁଆ ଦେଶଟା ତାଙ୍କୁ ଭଲ ଲାଗୁ ନାହିଁ । ଅଯୋଧ୍ୟା ହନୁମାନ ଗାଦିକୁ ଫେରିଯିବେ । ଏପରି କଥା ଶୁଣି ପ୍ରସାଦସେବାକାରୀ ଚେଲାମାନେ ମହନ୍ତଙ୍କ ଗୋଡତଳେ ପଡି ଖାଲି ଗଡନ୍ତି । ସେମାନଙ୍କ ଉପରେ କୃପା କରି ଧୂଳିଆବାବା ଏହିଠାରେ ରହିଯାଇଛନ୍ତି । ଏପରି ଘଟଣା ଶହକୁ ଶହ ଥର ହୋଇଗଲାଣି ।

ସେ ମହନ୍ତଙ୍କର ଧନଦୌଲତ ଅମାପ । ଗାଈ, ମଇଁଷି ପଲକୁ ପଲ । ଧାନ ଟଙ୍କାର ସୀମା ନାହିଁ । ଆୟ ଢେର୍ । ଆୟ ମଧ୍ୟରୁ ଗୋଟିଏ ବିଶେଷ ଆୟ ଏହି, ଦେଶ ମଧ୍ୟରେ ମାଲିମକଦ୍ଦମା ଉପସ୍ଥିତ ହେଲେ ମୁଦେଇ-ମୁଦାଲା ଦୁଇ ପକ୍ଷ ପ୍ରଭୁଙ୍କ ପାଖରେ ମନାସି ଯାନ୍ତି, ମାମଲା ଡିଗ୍ରୀ ହେଲେ କିଏ କେତେ ଟଙ୍କା ଦେବେ । ପାଞ୍ଜିଆ ସେସବୁ ଲେଖି ରଖେ । ଯାହାର ମାମଲା ଡିଗ୍ରୀ ହୁଏ ଜଣେ ସାଧୁଙ୍କୁ ପଠାଇ ତା’ଠାରୁ ଟଙ୍କା ଅସୁଲ କରାଯାଏ ।

ରାମସାଉ ଶାମସାଉ ଦୁଇ ଭାଇ । ଭାଇଭାଗ ବଂଟୁଆରା ପାଇଁ କଟକ ଅଦାଲତରେ ମକଦ୍ଦମା ଦାଏର ହେଲା । ରାମସାଉ ପ୍ରଭୁଙ୍କଠାରେ ମନାସିଗଲା, ମାମଲା ଡିଗ୍ରୀ ହେଲେ କେତେ ଟଙ୍କା ଦେବ, ତେଣୁ ପାଞ୍ଜିଆ ପାଖରେ ସେ ଲେଖିଦେଇଗଲା । ମାତ୍ର ଶାମସାଉ ସେଠାକୁ କଦାପି ଆସେ ନାହିଁ । ବୁଝୁ-ବୁଝୁ, ଶାମା କିଆଁ ଅଇଲା ନାହିଁ । ଜଣେ ଚେଲା ବୁଝିଆସି ଜଣାଇଲା, “ପ୍ରଭୁ! କଣ କହିବି – କହିବାକୁ ମୋତେ ଡର ମାଡୁଛି – ଆଜ୍ଞା, ସେ ଶାମାର ଏଡେ ବହପ, ପାଂଚଜଣଙ୍କ ଆଗରେ ସେ ସାଫ୍ ଫିଟେଇ କହିଲା, ଏ ଘୋର କଳିକାଳରେ ମହନ୍ତଙ୍କ କରାମତ କାହିଁ ଯେ ମୁଁ ମନାସିବାକୁ ଯିବି?” ମହନ୍ତ ତ ସେତେବେଳେ ଗଞ୍ଜେଇ ଭିଡୁଥିଲେ । ଏକଥା ଶୁଣି ସେ ଅତ୍ୟନ୍ତ ରାଗରେ ଓ ଖୁବ୍ ବଳରେ ଚିଲମଟା ଭିଡି ନେଲେ – ଫଳରେ ଦପ୍କରି ତାହା ଜଳିଉଠିଲା । ମହନ୍ତ ଅଳ୍ପ ଅଳ୍ପ ଭକ୍ ଭକ୍ କରି ପାଟିରୁ ଧୂଆଁ ଛାଡୁଥାନ୍ତି । ତା’ପରେ ସେ ଚିପି ଚିପି କରି କଥାଟା କହିଲେ, “ଦେଖ ଚେଲାମାନେ, ଆମେ ହୁକୁମ୍ କରିବୁଁ, ଏହି ଚିଲମ ନିଆଁ କଥା କହିବ ।” ଏକଥା ଶୁଣି ଚେଲାମାନଙ୍କର ତ ଆନନ୍ଦର ଆଉ ସୀମା ନାହିଁ । ସେମାନଙ୍କର ଦୃଢବିଶ୍ୱାସ, ମହନ୍ତଙ୍କ ଆଜ୍ଞା କଦାଚିତ୍ ମେଂଟଣ ହେବାର ନୁହେଁ । ସେହିଦିନ ମଧ୍ୟରେ ଦେଶଯାକ ହାଟ ହୋଇଗଲା, “ଧୂଳିଆବାବାଙ୍କୁ ପ୍ରଭୁଙ୍କର ସ୍ୱପ୍ନ ହୋଇଛି, ସେ ସିଦ୍ଧପୁରୁଷ ହୋଇଗଲେଣି, ଏଥର ତାଙ୍କ ଗଞ୍ଜେଇ ଚିଲମ କଥା କହିବ ।” ଥୋକେ ଚେଲା ପ୍ରକାଶ କଲେ “ନାହିଁ ନାହିଁ – ଚିଲମ ନୁହେଁ, ଚିଲମ ନିଆଁ କଥା କହୁଛନ୍ତି – ଦଶଜଣଙ୍କୁ ଆଜ୍ଞା ହେଲା, ସେ ନିଜେ ବି ଶୁଣିଆସିଲା ।” ଆଉ ସେ ଯାଏ କାହିଁ? ତହିଁ ଆର ଦିନ ସକାଳୁ ସଞ୍ଜଯାଏଁ ସେଠାକୁ ଶହକୁ ଶହ ଲୋକ ଧାଇଁଛନ୍ତି । କାହାକୁ ବେମାରି ଛାଡୁ ନାହିଁ, କାହାର ବଳଦ ହଜିଛି ମିଳୁ ନାହିଁ, କାହାର ମାମଲା ଦାଏର ଅଛି ଡିଗ୍ରୀ ହେଉ । ଢେର୍ ଢେର୍ ତିରିଲା ପା’ପୂଜା ପଠାଇଛନ୍ତି, ସେମାନଙ୍କର ପୁଅ ହେଉ ନାହିଁ, ଚିଲମ ପ୍ରଭୁ ବର ଦିଅନ୍ତୁ । ଲୋକେ ପାଦପୂଜା ଟଙ୍କା ଅଧୁଲି ସୁକୀ ମହନ୍ତଙ୍କ ପାଦତଳେ ଦେଇ ଅଧ୍ୟା ପଡିଛନ୍ତି ।

ମହନ୍ତ ମହାରାଜା ଆଜ୍ଞା କଲେ, “ଉଠ ଉଠ ବାବାମାନେ! ଆଜି ଆମେ କିଛି ବି କହିବୁ ନାହିଁ । ଏହି ଯେ ଆମ୍ଭ ଗଞ୍ଜେଇ ଚିଲମରେ ଅଗ୍ନି ଦେଖୁଛ, ସେଥିରେ ଧୁନି ଥାପନା ହେବ । ସେହି ଧୁନିରେ ଅଗ୍ନିଦେବତା ବିଜେ କରିବେ; ତା’ପରେ ସମସ୍ତଙ୍କ ଗୁହାରି ଶୁଣି ସେ ବର ଦେବେ । ଆସନ୍ତା ଅଗିରାପୂନେଇଁ ଦିନ ଅଗ୍ନିଦେବତା ସ୍ୱର୍ଗରୁ ବିଜେ ହୋଇ ପୃଥିବୀରେ ଭ୍ରମଣ କରିବେ । ଆମ୍ଭକୁ ସେ ସ୍ୱପ୍ନରେ ଆଜ୍ଞା କରିଛନ୍ତି, ଆମ୍ଭେ ଧୁନି ଥାପି ତାଙ୍କୁ ବିଜେ କରାଇ ରଖିବୁ । ଯାହାର ଯାହା ଗୁହାରି ଥିବ, ପୂଜା ଦେଇ ତାଙ୍କୁ ଜଣାଇଲେ ତତ୍କ୍ଷଣାତ୍ ସେହି ବର ତାକୁ ମିଳିଯିବ ।” ଏହିପରି ଭାବେ ସେ ମହନ୍ତ ପୂଜାର ବିଧାନ ସମସ୍ତଙ୍କୁ ଶୁଣାଇ ଦେଲେ । ଧୁନିରେ ଶଏ ଆଠ ଆହୁତି ଦିଆଯିବ; ସେଥିସକାଶେ ଖଣ୍ଡିଏ ନବବସ୍ତ୍ର, ପାଂଚ ପା’ ଘିଅ, ପଂଚୁବର୍ଣ୍ଣି ଭୋଗ, ପଂଚୁବର୍ଣ୍ଣି ପୁଷ୍ପ, ଗାଦି ପୂଜା ଦକ୍ଷିଣା ଯାହାର ଯାହା ଶକ୍ୟ; କିନ୍ତୁ ତାହା ପାଂଚ ସୁକାରୁ ଆଦୌ ଊଣା ନୁହେଁ ।

ଅଗିରା ପୂର୍ଣ୍ଣିମା ଅଧରାତିଠାରୁ ଧୁନି ପୂଜା ଆରମ୍ଭ ହେଲା । ମହନ୍ତ ମହାରାଜ ଆହୁତି ଦେବାରୁ ଅଗ୍ନିଦେବତା ବିଜେ ହୋଇଗଲେ । ଧୂ-ଧୂ ହୋଇ ସେ ଖାଲି ଜଳୁଛନ୍ତି । ଯାହାର ଯାହା ପ୍ରାର୍ଥନା, ହାତ ଯୋଡି ଜଣାଇଲେ ଧୁନି ଭିତରୁ ଅଗ୍ନିଦେବତା ଗମ୍ଭୀର ସ୍ୱରରେ “ହୁଁ-ନା ହେବ” ଏହିପରି ଆଜ୍ଞା କରୁଛନ୍ତି । ପ୍ରତ୍ୟକ୍ଷରେ ପୁଣି ଅବିଶ୍ୱାସ କ’ଣ? ଲୋକମାନେ ଏକଥା ଶୁଣି ତାଟକା, ଭକ୍ତିରେ ଖାଲି ଭୂଇଁରେ ପଡି ଗଡିଯାଉଛନ୍ତି । ହରିଧ୍ୱନିରେ ସେ ମଠ ଏକ ରକମ ଉଛୁଳି ପଡୁଛି ।

ଶ୍ୟାମ ସାଉ ସବୁ କଥା ଶୁଣିଲା । ଘର ମଧ୍ୟରେ ଡକାପାରି ମୁଣ୍ଡ ବାଡେଇ ହେଉଛି । ଲୋକମାନେ ଧୁନି ପୂଜା କରି ବର ଘେନି ଯାଉଛନ୍ତି । ରାମାଭାଇ ବି ପୂଜା ଦେଇ ବର ପାଇବ, ତାହେଲେ ତ ମୋହର ସର୍ବନାଶ ହେବ । ଇଜମାଲି ଧନ ଊଣା ନୁହେଁ, ଲକ୍ଷକରୁ ବଳିପଡିବ । ସବୁ ରାମାଭାଇ ଘେନିଯିବ । ମହନ୍ତ ମହାରାଜ ଖପା ହୋଇ ଆଜ୍ଞା କରିଛନ୍ତି, “ଆଚ୍ଛା ସେ ତେଲୀ ଟୋକାକୁ ଦେଖିବୁ ।” ଏ କଥା ଶୁଣିଲାବେଳୁ ସେ ଶାମାର ଫକାସି ଉଡିଲାଣି । କଣ କରିବ, ଭାଳୁ ଭାଳୁ ତାକୁ ଗୋଟିଏ ବୁଦ୍ଧି ଦିଶିଗଲା । ତା’ପରେ ମହନ୍ତ ମହାରାଜଙ୍କ ଗଞ୍ଜେଇ ପ୍ରସାଦ ସେବକମାନଙ୍କୁ ଯାଇଁ ସେ ଧଇଲା । କାହାକୁ ଦଶ, କାହାକୁ ପାଂଚ ଦେଇ ସମସ୍ତଙ୍କ ଗୋଡତଳେ ସେ ପଡିଲା । ସମସ୍ତେ ଅଭୟ ଦେଇ ମହନ୍ତଙ୍କ ଗୋଡତଳେ ପଡିବାକୁ ଶ୍ୟାମ ସାଉକୁ ଉପଦେଶ ଦେଲେ ।

ବେଳ ଛ’ଘଡି । ସେବକମାନେ ମହନ୍ତଙ୍କୁ ବେଢି ବସିଛନ୍ତି । ମହନ୍ତ ଧୂଳିଟାରେ ବସି ଗଞ୍ଜେଇ ଭିଡୁଛନ୍ତି, ତେଣୁ ସେ ଜାଗାଟା ଧୂଆଁମୟ । ଶ୍ୟାମ ସାଉର ଛାତି ଦାଉଁ ଦାଉଁ ପଡୁଛି । ଡରି ଡରି ସେ ଯାଇ ମୁଠାଏ ଟଙ୍କା ପ୍ରଭୁଙ୍କ ପାଦପୂଜା ପାଇଁ ଝଣ କରି ମହନ୍ତଙ୍କ ପାଦତଳକୁ ଫୋପାଡି ଦେଇ ଲମ୍ବ ଲମ୍ବ ହୋଇ ସେ ତାଙ୍କ ଗୋଡତଳେ ପଡିଗଲା । “ପ୍ରଭୁ! ମୁଁ ପିଲା, ମୁଁ ମହାପାପୀ, ମୋ ଅପରାଧ କ୍ଷମା କରନ୍ତୁ ।” ଏଣେ ମହନ୍ତ ଆଖିବୁଜି ବସି ଗଞ୍ଜେଇ ଭିଡୁଛନ୍ତି, କିଛି ଆଜ୍ଞା ହେଲା ନାହିଁ । ସମସ୍ତ ସେବକ ଏକାବେଳକେ ମହନ୍ତ ମହାରାଜଙ୍କ ଗୋଡତଳେ ପଡି ପ୍ରାର୍ଥନା କଲେ – “ହେ ମହାପ୍ରଭୁ! ଆମ୍ଭେମାନେ ମହାପାପିଷ୍ଠ, ଅପରାଧୀ । ପ୍ରଭୁ କ୍ଷମା ନ କଲେ ଆଉ କିଏ ଜଗତରେ ଅଛି?” ଦୟାମୟ ପ୍ରଭୁ ଏକାବେଳକେ ଆଜ୍ଞା କଲେ, “ଯାଓ ବେଟା, ପୂଜା ଲେଆଓ ।” ଏସବୁ ଦେଖି ଶ୍ୟାମ ସାଉର ଆନନ୍ଦର ଆଉ ସୀମା ନାହିଁ, ପୂଜା ଆୟୋଜନରେ ସେ ଖାଲି ଧାଇଁଛି । ଯେଡେ ମହାଜନ, ପୂଜା ଆୟୋଜନ ବି ଠିକ୍ ସେହିପରି । ଘିଅ ପାଂଚ ପାଆ ଜାଗାରେ ପାଂଚ ସେର, ଆଉ ଆଉ ସରଞ୍ଜାମ ତା ମାଫିକେ । ସମସ୍ତେ ଖଣ୍ଡେ ଖଣ୍ଡେ ସୂତା ଶାଢି ଆହୁତି ଦିଅନ୍ତି । ଶ୍ୟାମସାଉ କୁମ୍ଭକର୍ଣ୍ଣୀ କିନାରି ସଚ୍ଚା ଜରିମୁହୁଣ୍ଡା ଖଣ୍ଡେ ବରମପୁରୀ ପାଟଶାଢି ଆହୁତି ଦେବାଲାଗି ଆଣିଛି । ଶ୍ୟାମସାଉର ଭାରି ବଡ ପୂଜା ହେବ, ଗାଁରେ ବି ସେ ଦୁଇ ଭାଇ ବଡ ଟାଣୁଆ ମହାଜନ । ଅଗ୍ନିଦେବ ତାକୁ ବର ଦେବେ, ସେହିକଥା ଶୁଣିବାପାଇଁ ଆଖପାଖ ପାଂଚଖଣ୍ଡ ଗାଁରୁ ମଣିଷ ସେଠାକୁ ଧାଇଁଛନ୍ତି । ଊଣାଅଧିକ ପାଂଚ ଶହ ଲୋକ ଜମା ହୋଇ ଗଲେଣି । ବେଢା ଭିତରେ ଆଉ ଜାଗା ନାହିଁ ।

ମନ୍ଦିରବେଢା ପାଚେରିଲଗା ଧାଡିଏ ଘର ଅଛି । ଗୋଟାଏ ଘରେ ମେଳା ମଉଛବରେ ପିଠାଖଜା ତିଆରି ହୁଏ । ତା ପାଖଟା ସରଘର । ସେହି ପିଠାତିଆରି ଘରେ ଧୁନି ଥାପନା ହୋଇଛନ୍ତି । ରାତି ଅନ୍ଦାଜ ଛ’ଘଡି ସମୟରେ ମହନ୍ତ ମହାରାଜ ମନ୍ଦିର ପାଖ ଗମ୍ଭୀରିରୁ ବାହାରିଲେ । ଆଜି ପ୍ରଭୁଙ୍କ ମନରେ ଭାରି ଆନନ୍ଦ । କାହିଁକିନା ଇଏ ଅନେକ ଟଙ୍କା ରୋଜଗାର ମାମଲା । ତୋଳାଏ ଆପୁ ଉପରେ ସଞ୍ଜବେଳେ ଆହୁରି ତୋଳାଏ ପକାଇଛନ୍ତି । ଗଞ୍ଜେଇ ବି ବେଶି କରି ଭିଡିଛନ୍ତି । ତେଣୁ ଚାଲିଲାବେଳେ ଗୋଡ ତାଙ୍କର ଟଳିଯାଉଛି, ଏହି କାରଣରୁ ଚାରିଜଣ ଚେଲା ତାଙ୍କୁ ଧରାଧରି କରି ନେଉଛନ୍ତି । ମହନ୍ତବାବୁଙ୍କୁ ଦର୍ଶନ କରି ସମସ୍ତ ଦେଖଣାହାରୀ ହରିବୋଲ ପକାଇ ଗୋଡତଳେ ପଡିଗଲେ । ପୂଜା ଆରମ୍ଭ ହେଲା । ପାଂଚ ସେର ଘିଅ ଆହୁତି, ଖୁବ୍ ମୋଟା ମୋଟା ଢେର୍ ଗୁଡାଏ କାଠ ଧୁନିରେ ଲଦିଦେଲେ । ଆହୁତି ପାଇ ଚାରିହାତ ଉଚ୍ଚ ଶିଖା ଟେକି ନିଆଁ ଧୂ ଧୂ ଜଳୁଛି । ଘର ଭିତରେ ମହନ୍ତ ଏକାକୀ । ପ୍ରଭୁଙ୍କର ସେହିପରି ମହିମା, ନୋହିଲେ ନିଆଁ ତେଜରେ ଆଉ କିଏସେ ପଶିପାରିବ? ଶ୍ୟାମସାଉ ବେକରେ ପଟକା ପକାଇ ହାତ ଯୋଡି ଦୁଆରବନ୍ଧ ବାହାରେ ଛିଡା ହୋଇ ଧୁନି ମହାପ୍ରଭୁଙ୍କୁ ଅନାଇ ପ୍ରାର୍ଥନା କରୁଛି । ମହନ୍ତ ଆଖି ବୁଜି ଖୁବ୍ ପାଟିକରି ପ୍ରାର୍ଥନା କଲେ, ‘ଧୁନିଜୀ! ଶାମା ବେଟାକୁ ବର ଦିଅ – ବର ଦିଅ – ବର ଦିଅ, ତା ମାମଲା ଫତେ ହେଉ ।” ଧୁନି କିଛି ଜବାବ୍ ଦେଲେ ନାହିଁ । ମହନ୍ତ ଆପଣାର କରାମତ ଲୋକଙ୍କୁ ଦେଖେଇବା ପାଇଁ ଛିଡା ହୋଇଗଲେ । ହାତରେ ଯେଉଁ ଦଶସେରିଆ ଲୁହାଚିମୁଟା ଥିଲା, ଖୁବ୍ ବଳରେ ପାହାରେ ବାଡେଇଲେ । ଭୁସ୍ କରି ଭାରି ଗୋଟାଏ ଶବ୍ଦ ହେଲା । ଶ୍ୟାମସାଉ ହଠାତ୍  ଚମକିପଡି ଅନାଇଲା, ଘର ଭିତରେ ଛାତିଏ ଗହୀର ଗୋଟାଏ ଗାତ । ଗାତ ଅଧାଅଧି ପୂରି ନିଆଁ ଜଳୁଛି, ତା ମଧ୍ୟରେ ଦୁଇଜଣ ଲୋକ ଭାରି ଗୋଟାଏ ଧରାପରା ଲାଗିଛନ୍ତି । ଶ୍ୟାମ ପ୍ରଥମରେ କିଛି ବି ବୁଝିପାରିଲା ନାହିଁ । ମୁହୂର୍ତ୍ତକ ବାଦ୍ ଭକ୍ତିବଳରେ ସେ ବୁଝିଗଲା, ଧୁନିଦେବତା ଦେହ ଧରି ବିରାଜମାନ ହୋଇଗଲେଣି, ମହନ୍ତଙ୍କ ସଙ୍ଗରେ କୋଳାକୋଳି କରୁଛନ୍ତି । ତାହାର ଭାଗ୍ୟ ଫିଟିଲା, ଏଥର ତାକୁ ନିଶ୍ଚୟ ବର ମିଳିଯିବ । ମୁହୂର୍ତ୍ତକ ମଧ୍ୟରେ ଏତେ କଥା ସେ ବୁଝିନେଲା । ଖୁବ୍ ପାଟି କରି ହରିବୋଲ ପକାଇ ସେ କହିଲା, ଧୁନି ଦେବତା ରୂପ ଧରି ବିଜେ ହେଲେଣି । ଏକଥା ଶୁଣି ସେଠାରେ ଯେତେ ଲୋକ ଥିଲେ, ଆନନ୍ଦରେ ହରିବୋଲ ପକାଉଛନ୍ତି । ମନ୍ଦିରରୁ ଘଂଟା କାହାଳୀ ଝାଞ୍ଜ ବାଜୁଛି । ସମୁଦ୍ର ଗର୍ଜନ ପରି ଶବ୍ଦ ଉଠୁଛି । ଅଗ୍ନିଦେବତାଙ୍କୁ ଦର୍ଶନ କରିବାକୁ ଲୋକେ ଧାଇଁଲେ । ଗୋଟିଏ ବୋଲି ଦୁଆର, ଘର ଭିତରଟା ଧୂଆଁରେ ପୂରିଛି । ଦୁଆର ପାଖରେ ଧରାପରା ହୋଇ କେତେ ଲୋକ ମଡାଦଳାରେ ଆଣ୍ଠୁଗଣ୍ଠି ଛିଡି ଘାଇଲା ହୋଇଗଲେଣି ।

ପହରେ ବିତିଗଲାଣି । ଲୋକେ ନାଚିକୁଦି ହରିବୋଲ ଦେଇ ହାଲିଆ ହୋଇ ପଡିଲେଣି । ଏ କ’ଣ? ମଡାପୋଡାର ଉତ୍କଟ ଗନ୍ଧ । ଲୋକ ନାକରେ ଲୁଗା ଜାକୁଛନ୍ତି । କେତେଜଣ ଜଣାଶୁଣା ଲୋକ ଦୁଆର ପାଖକୁ ଯାଇ ଭଲକରି ଅନାଇଲେ – ଆରେ ମହନ୍ତ ମହାରାଜ ପୋଡି ମଲେଣିରେ! ବାଜେ ଲୋକେ ବୁଝିଲେ, ଅଗ୍ନିଦେବତା ବିଜେ ହୋଇ ମହନ୍ତବାବାଙ୍କୁ ଖାଇଗଲେଣି – କାଳେ ଧାଇଁଆସି ଆଉ ସମସ୍ତଙ୍କୁ ଖାଇଯିବେ । ପଳା – ପଳା – ପଳା! ଏହା ଶୁଣି ପଡିଉଠି ଗୋଟାକ ଉପରେ ଗୋଟାଏ ପଡି ଧାଇଁଛନ୍ତି । ଶେଷକୁ ମନ୍ଦିରର ପୂଜାହାରୀ ଟହଲିଆ ଚାକରମାନେ ବି ଛାଡି ପଳାଇଲେଣି । ଦଣ୍ଡକ ମଧ୍ୟରେ ଏଡେ ମନ୍ଦିରଟା ନିଶୂନ ହୋଇଗଲା । ଖାଲି ଯାହା ସେ ଧୁନି ଘରୁ ପଡ୍ପଡ୍ ଶବ୍ଦ ଶୁଭୁଛି, ତହିଁରୁ ଦୁର୍ଗନ୍ଧ ମଧ୍ୟ ବାହାରୁଛି ।

ଦେଗାଁ ପାଖରୁ ଗୋପାଳପୁର ସରକାରୀ ଥାନା ପୂରା ଅଢେଇକୋଶ ବାଟ । ସକାଳୁ ସକାଳୁ ସେଠାରେ ଖବର ପହଁଚିଗଲା । ଦାରୋଗା ସାହେବ ପାଂଚ ଛ’ ଜଣ ବରକନ୍ଦାଜ, ଆଠ ଦଶ ଚୌକିଦାର ଧରି ଧାଇଁଲେ । (ଢେର୍ ଦିନ ତଳ କଥା । ସେତେବେଳେ ତ ଆଉ କନେଷ୍ଟବଳ ନ ଥିଲେ ।) ଦାରୋଗା ପହଁଚି ଦେଖିଲେ, ମନ୍ଦିର ତ ମନ୍ଦିର, ସେ ଗାଁ ଗୋଟାରେ ଜଣେ ମଣିଷ ହେଲେ ବି ନାହିଁ । ସମସ୍ତଙ୍କ ଘରେ ତାଟି କବାଟ ବନ୍ଦ ।

ଚଉକିଆମାନେ ବହୁତ ଡକାହକା କରିବାରେ ଭିତରୁ ମାଇକିନିଆମାନେ ଜବାବ ଦେଲେ, ପୁରୁଷ କେହି ବି ଘରେ ନାହିଁ । କେହି ଯାଇଛି ଗୋରୁ ଖୋଜି, କେହି ଯାଇଛି କୁଣିଆଘର, କେହି ଜାତିଆଣ ଭୋଜି ଖାଇ, ଢେର୍ ଲୋକ ଯାଇଛନ୍ତି କଟକ ମାମଲାରେ । ବହୁତ ଖୋଜ ତଲାସରେ ମନ୍ଦିର ପୂଜାହାରୀ ଆଉ କେତେଜଣ ଚାକର ବାହାରିଲେ । ଦାରୋଗା ସରଜମିନ ତଦାରଖ କରି ବୁଝିଲେ ଯେ, ସର ଘର ଭିତରୁ ଧୁନି ମଝିଯାଏ ମନୁଷ୍ୟ ଗୋଟାଏ ଗଳିଯିବା ଭଳି ବିଳ ଖୋଳାଯାଇଛି । ଧୁନି ତଳେ ଅଢେଇ ଅଢେଇ ହାତ ଲମ୍ବ ଚଉଡା, ଅଢେଇ ହାତ ଗହୀର ଗୋଟାଏ ଗହିଡା ଖୋଳା ହୋଇଛି । ତା’ ଉପରେ ଚାଖଣ୍ଡେ ମୋଟା ମାତ୍ର ମାଟି ଅଛି । ସେହି ମାଟି ଉପରେ ଧୁନି ଜଳେ । ସେ ଘର ଭିତରୁ ବିଳ ବାଟରେ ମଣିଷ ଗଳି ଆସି ଧୁନି ତଳେ ବସିଥାଏ, ମହନ୍ତ କିଛି ପଚାରିଲେ ଲୋକଟା ଭିତରୁ ଜବାବ ଦିଏ । ଘଟଣା ରାତ୍ରରେ ଗଞ୍ଜୋଡ ଚେଲା ଧୁନି ତଳେ ବସିଥିଲା, ତା ନାମ ହୁଣ୍ଡା ଦାସ । ସେଦିନ ମହନ୍ତଙ୍କର ଭାରି ନିଶାରେ ଜ୍ଞାନ ଲୋପ ହୋଇଥିଲା । ଲାସ ଭାରି ମଣିଷ । ଭାରୀ ଚିମୁଟାରେ ଖୁବ୍ ବଳରେ ପାହାରେ ମାରିବାରୁ ଉପର ମାଟି ଆଉ ନିଆଁ ସବୁ ଗାତରେ ପଡିଗଲା । ଫଳରେ ଦୁଇଟା ଲୋକ ଧରାପରା ହୋଇ ପୋଡି ମଲେ । ବାହାରେ ବଡ ଗୋଳମାଳ ହେଉଥିବାରୁ ସେମାନଙ୍କ ଆକୁଳ ଚିତ୍କାର କେହି ମଧ୍ୟ ଶୁଣିପାରିଲେ ନାହିଁ ।

ଦାରୋଗା ସାହେବ ରିପୋର୍ଟ ଲେଖି ମଇନା ସକାଶେ ସେ ଅଧାପୋଡା ଲାସଯୋଡାକ ସହରକୁ ପଠାଇଦେଲେ ।

odia story by fakir mohan senapati
Share. Facebook Twitter Pinterest LinkedIn Tumblr Reddit Email
Previous Articleଗାରୁଡି ମନ୍ତ୍ର
Next Article ଡାକମୁନ୍ସି
ଫକୀର ମୋହନ ସେନାପତି

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.