• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ତ୍ୟାଗ ଓ ଭୋଗ
ଗଳ୍ପ

ତ୍ୟାଗ ଓ ଭୋଗ

Liza SBy Liza SMarch 12, 2023No Comments7 Mins Read
Facebook Twitter Pinterest Reddit LinkedIn Tumblr Email
Odia-Story-Tyaga-O-Bhoga-
Odia-Story-Tyaga-O-Bhoga-
Share
Facebook Twitter Pinterest Reddit Email

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମୃଦୁମୃଦୁ ବର୍ଷା ବି ହେଉଥାଏ । ବଣବୁଦା ଭିତରୁ ଭାସିଆସୁଥିବା ସାଇଁ ସାଇଁ ଶବ୍ଦ ତଥା ଶ୍ୱାପଦଙ୍କ ରଡି ସାଙ୍ଗକୁ ଅଶରିରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ, ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମାତ୍ର ବିଚଳିତ ବୋଧ ନ କରି ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟିଗଲେ ଏବଂ ବୃକ୍ଷାରୋହଣ ପୂର୍ବକ ଶବଟିକୁ ସେଠାରୁ ଉତାରି ଆଣିଲେ । ତେବେ ତାକୁ ସେ ତାଙ୍କ କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେହି ବେତାଳ କହିଲା, “ରାଜନ୍! ମନୁଷ୍ୟଙ୍କ ମଧ୍ୟରେ ଅନେକ ଦୁଷ୍ଟ, କପଟୀ, ଶଠ ପ୍ରକୃତିର ଲୋକ ଅଛନ୍ତି । ବିବେକୀ ମନୁଷ୍ୟ ଅସୁବିଧାରେ ପଡି ବା କୌଣସି କାର୍ଯ୍ୟ ହାସଲ ପାଇଁ ସେମାନଙ୍କ ସାହାଯ୍ୟ ଲୋଡିବା ପାଇଁ ଚାହିଁଲେ, ଖୁବ୍ ସତର୍କତା ଅବଲମ୍ବନ କରିବା ଉଚିତ୍ । ଅନ୍ୟଥା ସେମାନଙ୍କର ବାକ୍ଚାତୁର୍ଯ୍ୟ ଦ୍ୱାରା ପ୍ରଭାବିତ ହୋଇ, ପୁରୁଷ ହେଉ ବା ସ୍ତ୍ରୀ ନିଜର ସର୍ବନାଶ କରି ବସିବା କିଛି ଅସମ୍ଭବ କଥା ନୁହେଁ । ଶ୍ମଶାନର ଏହି ଘୋର ଅନ୍ଧକାର ରାତ୍ରିରେ ତୁମେ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛ । ତେଣୁ ଏପରି ଖଳବୁଦ୍ଧିସମ୍ପନ୍ନ ଲୋକଙ୍କ ଠାରୁ ଦୂରରେ ରହିବା ପାଇଁ ତୁମକୁ ସତର୍କ କରିବା ପାଇଁ ମୁଁ ମୋର ଏକ ପରମ କର୍ତ୍ତବ୍ୟ ମନେ କରୁଛି । ରାଜକୁମାରୀ ମୃଣାଳିନୀ ଓ ଶଠ ଗନ୍ଧର୍ବ କାହାଣୀ ଏବେ ଶୁଣାଉଛି । ତାହା ଶୁଣିଲେ ତୁମ ପଥକ୍ଳାନ୍ତି ଦୂର ହେବ ।”

ଏକଦା ମଣିକଣ୍ଠ ନାମକ ଜଣେ ଗନ୍ଧର୍ବଙ୍କ ମନରେ ଭୂ-ଲୋକଭ୍ରମଣର ବାସନା ଜାଗିଲା । ଏକ ପୂର୍ଣ୍ଣମୀ ରଜନୀରେ ସେ ଆକାଶ ମାର୍ଗରୁ ଭୂ–ଲୋକରେ ଆସି ଅବତରଣ କଲେ । ଏହି ସମୟରେ ବିଦେହ ରାଜକୁମାରୀ ମୃଣାଳିନୀ, ନିଜର ସହଚରୀମାନଙ୍କ ସହିତ ଉଦ୍ୟାନରେ ବିଚରଣ କରୁଥିଲେ । ରାଜକୁମାରୀଙ୍କ ସୌନ୍ଦର୍ଯ୍ୟ ସେ ଗନ୍ଧର୍ବଙ୍କୁ ଅତ୍ୟନ୍ତ ବିମୋହିତ କଲା ।ନିଜକୁ ନିୟନ୍ତ୍ରିତ କରି ନ ପାରି ସେ ରାଜକୁମାରୀଙ୍କ ପାଖକୁ ଯାଇ ତାଙ୍କୁ ପଚାରିଲେ, “ହେ ସୁନ୍ଦରୀ, ତୁମର ପରିଚୟ?”ତାଙ୍କ କଥାରେ ମୃଣାଳିନୀ ବିସ୍ମିତ ହୋଇ କହିଲେ, “ମୁଁ ବିଦେହ ରାଜକୁମାରୀ ମୃଣାଳିନୀ । ଏହି ଉଦ୍ୟାନରେ ଅନ୍ୟ କାହାରି ପ୍ରବେଶ ଅସମ୍ଭବ ସ୍ଥଳେ, ତୁମେ ଏଠାକୁ କିପରି ଆସିଲ?”ଉତ୍ତର ଆସିଲା – “ମୁଁ ଜଣେ ଗନ୍ଧର୍ବ । ମୋର ନାମ ମଣିକଣ୍ଠ । ଆକାଶ ମାର୍ଗରେ ବିହାର କରୁଥିବା ସମୟରେ, ତୁମର ସୌନ୍ଦର୍ଯ୍ୟ ଦ୍ୱାରା ଆକର୍ଷିତ ହୋଇ ଏଠାରେ ମୁଁ ଅବତରଣ କରିଛି ।”ରାଜକୁମାରୀ ଏହା ଶୁଣି ଭୀତତ୍ରସ୍ତା ହୋଇ କହିଲେ, “ଆପଣ ଏଠାରୁ ତୁରନ୍ତ ଅପସରି ଯାଆନ୍ତୁ । ନଚେତ୍ ସିପାହୀଙ୍କ ଦୃଷ୍ଟିରେ ପଡିଲେ ସେମାନେ ଆପଣଙ୍କୁ ବନ୍ଦୀ କରିଦେବେ ।””ମୁଁ ଗନ୍ଧର୍ବ ଅଟେ । ମୋର ଅନେକ ଅଦ୍ଭୁତ ଶକ୍ତି ରହିଛି । ତୁମେ ଏହା ଜାଣନାହିଁ । ତେଣୁ ବିବ୍ରତ ହେଉଛ । ଏପରି କହି ମଣିକଣ୍ଠ ଶୂନ୍ୟରେ ନିଜର ଦୁଇହାତ ବୁଲାଇଲେ ।”ପର ମୁହୂର୍ତ୍ତରେ ସଖୀବୃନ୍ଦ ଓ ସିପାହୀମାନେ ଅଚେତ୍ ହୋଇ ପଡିଗଲେ । ରାଜକୁମାରୀ ସ୍ମିତହସି କହିଲେ, “ବାଃ ସତରେ ଖୁବ୍ ଅଦ୍ଭୁତ!”ରାଜକୁମାରୀଙ୍କ ପ୍ରଶଂସାରେ ଆନନ୍ଦିତ ହୋଇ ମଣିକଣ୍ଠ କହିଲେ, “ସୁନ୍ଦରୀ, ମୋର ଏହି ଆକସ୍ମିକ ଅଭିପ୍ରାୟ ପ୍ରକାଶରେ ତୁମେ ଆଉ କ୍ଷୁବ୍ଧ ହେବନାହିଁ ତ? ମୁଁ ତୁମକୁ ବିବାହ କରିବାକୁ ଇଚ୍ଛା କରୁଛି । ଏହି ଆନ୍ତରିକ କାମନା ପ୍ରକାଶ ନ କରି ମୁଁ ଆଉ ରହିପାରିଲି ନାହିଁ ।”ମୃଣାଳିନୀ, ମଣିକଣ୍ଠଙ୍କୁ ନିରେଖି ଚାହିଁଲେ । ଶିର ଅବନତ କରି ସେ କହିଲେ, “ମୋର ପିତାଶ୍ରୀ ମଧ୍ୟ ଦୀର୍ଘକାଳରୁ ମୋର ବିବାହ ପାଇଁ ଉଦ୍ୟମ କରିଆସୁଛନ୍ତି । କିନ୍ତୁ ଏ ଯାବତ୍ କେହି ଯୋଗ୍ୟ ବର ଉପଲବ୍ଧ ହୋଇନାହାଁନ୍ତି । ଏବେ ଆପଣଙ୍କୁ ମୁଁ ମୋର ପତି ରୂପେ ମନୋନୟନ କରୁଛି । କିନ୍ତୁ ବିବାହ ପୂର୍ବରୁ ଆପଣଙ୍କୁ ଏକ କଠିନତମ କାର୍ଯ୍ୟ ସାଧନ କରିବା ପାଇଁ ପଡିବ ।”

ମଣିକଣ୍ଠ ଉତ୍ସୁକ ହୋଇ ପଚାରିଲେ, “କେଉଁ କାର୍ଯ୍ୟ?” “ବୀର ସେନ, ଆମ ପଡୋଶୀ ଦେଶର ଶାସକ । ସେ ମୋତେ ବିବାହ କରିବା ପାଇଁ ଲାଳାୟିତ । କିନ୍ତୁ ମୋର ହୃଦୟରେ ତାଙ୍କ ପାଇଁ ଟିକିଏ ହେଲେ ବି ସ୍ଥାନ ନାହିଁ । ଯେହେତୁ ସେ ଆମଠାରୁ ଢେର୍ ବଳଶାଳୀ, ସେ ଯୁଦ୍ଧ ଦ୍ୱାରା ହେଉପଛେ, ମତେ ହାସଲ କରିବା ପାଇଁ ଚେଷ୍ଟା କରିବେ । ତେଣୁ ଆପଣ ଯଦି ତାଙ୍କୁ ପରାସ୍ତ କରିପାରିବେ, ମୁଁ ନିଷ୍କପଟ ହୃଦୟରେ ଆପଣଙ୍କୁ ବିବାହ କରିବା ପାଇଁ ସମ୍ମତ ହେବି ।””ଏହା ତ ମୋର ବାମହାତର ଖେଳ । ମୁଁ ଏବେ ନିଜ ଲୋକକୁ ପ୍ରତ୍ୟାବର୍ତ୍ତନ କରି ରାଜା ଚିତ୍ରବର୍ଣ୍ଣଙ୍କ ସହ ପରାମର୍ଶ କରି ଫେରି ଆସୁଛି ।” ଏପରି କହି ମଣିକଣ୍ଠ ଅଦୃଶ୍ୟ ହୋଇଗଲେ ।ମଣିକଣ୍ଠ ଭୂ–ଲୋକର ଏକ କନ୍ୟାକୁ ବିବାହ କରିବା ପାଇଁ ଇଚ୍ଛୁକ, ଏହି ସମ୍ବାଦ ଚିତ୍ରବର୍ଣ୍ଣଙ୍କ ମନରେ ଭୟଙ୍କର କ୍ରୋଧ ସୃଷ୍ଟି କଲା । ସେ ତାଙ୍କୁ କଠୋରତମ ଶାସ୍ତି ଦେବା ପାଇଁ ଚିନ୍ତା କରୁଥିବା ସମୟରେ ଅନ୍ୟ ଏକ ସତ୍ୟ ତାଙ୍କ ସମ୍ମୁଖରେ ଉଦ୍ଘାଟିତ ହେଲା । ତାହା ଚିତ୍ରବର୍ଣ୍ଣଙ୍କ କନ୍ୟା କାନ୍ତିମୟୀ, ମଣିକଣ୍ଠଙ୍କୁ ଭଲପାଏ ଓ ବିବାହ କରିବାର ସ୍ୱପ୍ନରେ ଦିନ କାଟୁଛି ।”ତେଣୁ ଚିତ୍ରବର୍ଣ୍ଣ ମଣିକଣ୍ଠଙ୍କୁ କହିଲେ, “ଗନ୍ଧର୍ବ ଓ ମାନବଙ୍କ ମଧ୍ୟରେ ସମ୍ବନ୍ଧ ସ୍ଥାପିତ ହେବା ଅନୁଚିତ୍ । ତେଣୁ ମୋ କନ୍ୟାର ମନସ୍କାମନା ପୂରଣ କରି ତୁମେ ତାକୁ ବିବାହ କର ।”କିନ୍ତୁ ମଣିକଣ୍ଠ ଏହା ଗ୍ରହଣ କଲେ ନାହିଁ । ମୃଣାଳିନୀଙ୍କୁ ବିବାହ କରିବାର ଜିଦ୍ରେ ସେ ଅଟଳ ରହିଲେ । ସେ ସ୍ପଷ୍ଟ ଜଣାଇଦେଲେ ଯେ ତାଙ୍କର ନିଷ୍ପତିରେ ପରିବର୍ତ୍ତନର ପ୍ରଶ୍ନ ହିଁ ଉଠୁନାହିଁ ।ଚିତ୍ରବର୍ଣ୍ଣ କ୍ରୋଧିତ ହୋଇ ଅଭିଶାପ ଦେଲେ । “ଯଦି ଏହା ତୁମର ଶେଷକଥା ତେବେ ଏହି ଗନ୍ଧର୍ବଲୋକରେ ତୁମପାଇଁ କୌଣସି ସ୍ଥାନ ନାହିଁ । ଏବେଠାରୁ ତୁମକୁ ଭୂ–ଲୋକରେ ବାସ କରିବା ପାଇଁ ପଡିବ । ଏହି କ୍ଷଣଠାରୁ ତୁମର ସକଳ ଅଦ୍ଭୁତ ଶକ୍ତି ବ୍ୟର୍ଥ ହୋଇଯିବ ।”ମଣିକଣ୍ଠ ନିଜର ଶାପଗ୍ରସ୍ତ ଜୀବନ ପାଇଁ କ୍ଷୋଭ ପ୍ରକାଶ ନ କରି ଭୂଲୋକ ଫେରି ଆସିଲେ । ମୃଣାଳିନୀ ପିତା ଚନ୍ଦ୍ରକେତୁଙ୍କୁ ମଣିକଣ୍ଠଙ୍କ ସମସ୍ତ ବୃତାନ୍ତ କହିସାରିଥିଲେ । ତେଣୁ ରାଜା ମଣିକଣ୍ଠଙ୍କର ସ୍ୱାଗତ କଲେ । ମଣିକଣ୍ଠ ଅଭିଶାପ ବିଷୟ ମୃଣାଳିନୀଙ୍କୁ କହିବାରୁ ସେ ପ୍ରଶ୍ନ କଲେ, “ଅଦ୍ଭୁତ ଶକ୍ତିର ଅଭାବରେ କଣ ବୀରସେନଙ୍କୁ ପରାଜିତ କରାଯାଇପାରିବ?”ମଣିକଣ୍ଠ ପୌରୁଷଭରା ସ୍ୱରରେ ଘୋଷଣା କଲେ “ମୋର ସମସ୍ତ ଅଦ୍ଭୁତ ଶକ୍ତି ଚାଲିଯାଇଥିଲେ ମଧ୍ୟ, ମୁଁ ଅପାର ପରାକ୍ରମୀ ଅଟେ । ତୁମକୁ ବିବାହ କରିବା ପାଇଁ ମୁଁ ମୋର ଜୀବନ ସୁଧା ପଣରେ ଲଗେଇଦେବାକୁ ପଛାଇବି ନାହିଁ । ମୁଁ ଯୁଦ୍ଧ କରି ନିଶ୍ଚୟ ସେହି ବୀରସେନର ସର୍ବନାଶ କରିବି ।”

ଗୋଟିଏ ମାସ ମଧ୍ୟରେ ଯୁଦ୍ଧର ପ୍ରସ୍ତୁତି ହୋଇଗଲା । ଚନ୍ଦ୍ରକେତୁଙ୍କ ସୈନ୍ୟବାହିନୀର ସେନାପତି ରୂପେ ମଣିକଣ୍ଠ ନିଯୁକ୍ତ ହୋଇ ଯୁଦ୍ଧଯାତ୍ରା ଆରମ୍ଭ କଲେ । ବୀରସେନ ମଧ୍ୟ ଜଣେ ଶକ୍ତିଶାଳୀ ରାଜା । ତେଣୁ ମଣିକଣ୍ଠ ଓ ତାଙ୍କ ମଧ୍ୟରେ ଘମାଘୋଟ ଲଢେଇ ଚାଲିଲା । ଯୁଦ୍ଧ ସମୟରେ ବୀରସେନଙ୍କ ନିକ୍ଷେପିତ ଏକ ବର୍ଚ୍ଛା ମଣିକଣ୍ଠଙ୍କ ଶରୀର ଠିକ୍ ଭେଦ କରିବା ପାଇଁ ଯାଉଥିବା ବେଳେ, ଜଣେ ସୈନିକ ବିଜୁଳି ବେଗରେ ସେଠାରେ ପହଁଚିଗଲେ ଓ ବର୍ଚ୍ଛା ସୈନିକଙ୍କ କାନ୍ଧରେ ଆଘାତ କଲା । ମଣିକଣ୍ଠ ସେହି ସୈନିକଙ୍କୁ ଦେଖି ମନେକଲେ ଯେପରି ଆଗରୁ ତାଙ୍କୁ ସେ କେଉଁଠି ଦେଖିଛନ୍ତି ।ଭୟଙ୍କର ଉତ୍ତେଜିତ ହୋଇ ମଣିକଣ୍ଠ ରଥରୁ ବଛା ବଛା ତୀର ବାହାର କରି ବୀରସେନଙ୍କ ଉପରେ ବର୍ଷା କରିବାରେ ଲାଗିଲେ । ଗୋଟିଏ ତୀର ବୀରସେନଙ୍କ ବକ୍ଷଭେଦ କଲା । ସେ ଆର୍ତନାଦ କରି ରଥ ଉପରୁ ଖସିପଡିଲେ । ରାଜାଙ୍କର ଏପରି ଦୁର୍ଦ୍ଦଶାଦେଖି ସୈନ୍ୟଗଣ ଭୟଭୀତ ହୋଇ ଇତସ୍ତତଃ ହୋଇଗଲେ ଓ ଯୁଦ୍ଧ କ୍ଷେତ୍ରରୁ ପଳାୟନ କଲେ ।

ମଣିକଣ୍ଠ ରଥରୁ ଅବତରଣ କରି, ତାଙ୍କ ପ୍ରାଣରକ୍ଷା କରିଥିବା ସେ ସୈନିକକୁ ଖୋଜିବାରେ ଲାଗିଲେ । ଆହତ ସୈନିକଙ୍କ ଏକ ଶିବିରରେ ଅଚେତ୍ ଅବସ୍ଥାରେ ତାଙ୍କର ସନ୍ଧାନ ପାଇଲେ । ତାଙ୍କୁ ଦେଖି ମଣିକଣ୍ଠ ହତବମ୍ବ ହୋଇଗଲେ । କାରଣ ସେ ଗନ୍ଧର୍ବରାଜ କନ୍ୟା କାନ୍ତିମୟୀ ଥିଲେ । ଏକ ସୈନିକ ବେଶରେ ସେ ତାଙ୍କର ପ୍ରାଣରକ୍ଷା କରିଛନ୍ତି ।ମଣିକଣ୍ଠ ବହୁ ସେବାଯତ୍ନ କରି କାନ୍ତିମୟୀଙ୍କୁ ଚେତା ଫେରାଇ ଆଣିଲେ । ଆଖି ଖୋଲୁ ଖୋଲୁ ସମ୍ମୁଖରେ ମଣିକଣ୍ଠଙ୍କୁ ଦେଖି କାନ୍ତିମୟୀ ତଳକୁ ମୁଣ୍ଡ କରିଦେଲେ । ମଣିକଣ୍ଠ ଆବେଗରେ କହିଲେ, “କାନ୍ତିମୟୀ ତୁମେ ଏ କଣ କଲ? ଯେଉଁ ବ୍ୟକ୍ତି ତୁମର ଭଲ ପାଇବାକୁ ପଦାଘାତ କରି, ତୁମକୁ ଅସ୍ୱୀକାର କରିଛି ତାର ପ୍ରାଣରକ୍ଷା ପାଇଁ ତୁମେ ଶେଷକୁ ନିଜର ଜୀବନ ବାଜି ଲଗେଇଦେଲ?”କାନ୍ତିମୟୀ କ୍ଷୀଣ ସ୍ୱରରେ କହିଲେ, “ତୁମ ବିନା ସେହି ଲୋକରେ ରହି ମୁଁ ବା କେଉଁ ମାନସିକ ଶାନ୍ତି ଲାଭ କରିଥାନ୍ତି । ଏଠାରେ ଅନ୍ତତଃ ତୁମକୁ ଦର୍ଶନ କରିବାର ସୁଯୋଗ ଟିକକ ତ ମିଳିବ । ତୁମର ଜୀବନ ରକ୍ଷା କରିବାରେ ସମର୍ଥ ହେଲି, ଏହା ମୋ ପାଇଁ ସବୁଠାରୁ ବଡକଥା । ତ୍ୟାଗରେ ଯେଉଁ ସୁଖ ମିଳେ, ତାହା ସ୍ୱାର୍ଥରେ ବା କାହିଁ? ଯାଅ, ମୃଣାଳିନୀଙ୍କୁ ବିବାହ କରି ସୁଖକର ଜୀବନଯାପନ କର ।”

ମଣିକଣ୍ଠ ନିଜ ଅନ୍ତରର ସହ କୃତଜ୍ଞତା ଜଣେଇ ସେଠାରୁ ବିଦାୟ ଆଣି ମୃଣାଳିନୀଙ୍କ ପାଖରେ ଆସି ପହଁଚିଲେ । ବୀରସେନଙ୍କ ବିପର୍ଯ୍ୟୟ ପାଇଁ, ରାଜା ଚନ୍ଦ୍ରକେତୁ ମଣିକଣ୍ଠଙ୍କୁ ଅଭିନନ୍ଦନ ଜଣାଇଲେ । ମୃଣାଳିନୀ ଅତ୍ୟନ୍ତ ଆନନ୍ଦିତ ହୋଇ କହିଲେ, “ଆମର ବିବାହ ସମ୍ପନ୍ନ ହୋଇଗଲା ଜାଣ । କିନ୍ତୁ ବିବାହ ପରେ ମୋର ଅନ୍ୟଏକ ଇଚ୍ଛା ଆପଣଙ୍କୁ ପୂରଣ କରିବାକୁ ପଡିବ ।”ମଣିକଣ୍ଠ ପ୍ରଶ୍ନ କଲେ, “କ’ଣ ତାହା?””ଆପଣଙ୍କ ବାହୁବଳ, ପରାକ୍ରମ ଓ ଅମିତ ସାହସ ନିକଟରେ, ମୋର ଇଚ୍ଛା ଦୁରୂହ ନୁହେଁ । ଆମ ଆଖପାଖ ସମସ୍ତ ପଡୋଶୀ ରାଜ୍ୟ ଉପରେ ବିଜୟ ପ୍ରାପ୍ତ କରି ଆପଣ ଚକ୍ରବର୍ତ୍ତୀ ହୁଅନ୍ତୁ । ଏହା ହିଁ ମୋର ଅଭିଳାଷ । ତେବେ ଯାଇ ମୁଁ ମହାରାଣୀ ବୋଲାଇ ସମସ୍ତଙ୍କର ଆଦରଣୀୟା ହୋଇ ପାରିବି ।”ମଣିକଣ୍ଠଙ୍କୁ ଏହି ପ୍ରସ୍ତାବ ଅତି ଗର୍ବିତ ମନେହେଲା । ସେ ତତ୍କ୍ଷଣାତ୍ ପ୍ରତିକ୍ରିୟା ପ୍ରକାଶ କରି କହିଲେ, “କ୍ଷମା କରିବେ ରାଜକୁମାରୀ, ମୁଁ ତୁମକୁ ବିବାହ କରିବାକୁ ଇଚ୍ଛୁକ ନୁହେଁ ।” ତା’ପରେ ମଣିକଣ୍ଠ ସଙ୍ଗେ ସଙ୍ଗେ ସେ ସ୍ଥାନ ପରିତ୍ୟାଗ କଲେ ।

ବେତାଳ ରାଜା ବିକ୍ରମାର୍କଙ୍କୁ ଏହି କାହାଣୀଟି ଶୁଣାଇବା ପରେ ପ୍ରଶ୍ନ କଲା, “ରାଜନ୍, ଶେଷ ମୁହୂର୍ତ୍ତରେ ମଣିକଣ୍ଠଙ୍କ ଆଚରଣ କିଛି ବିଚିତ୍ର ମନେହେଉନାହିଁ କି? ଉଦ୍ୟାନରେ ସଖୀମାନଙ୍କ ବିଚରଣ କରୁଥିବା ରାଜକୁମାରୀ ମୃଣାଳିନୀଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ, ଗନ୍ଧର୍ବ ମଣିକଣ୍ଠ ତତ୍କ୍ଷଣାତ୍ ବିବାହ ଅଭିଳାଷ ବ୍ୟକ୍ତ କରିଥିଲେ । ଏଥିପାଇଁ ସେ ଗନ୍ଧର୍ବ ରାଜକୁମାରୀଙ୍କ ନିଃସ୍ୱାର୍ଥ ଭଲପାଇବାକୁ ମଧ୍ୟ ପ୍ରତ୍ୟାଖ୍ୟାନ କଲେ । ଶାପଗ୍ରସ୍ତ ହୋଇ ନିଜର ମନ୍ତ୍ରଶକ୍ତି ହରାଇ ବସିଲେ । କିନ୍ତୁ ଏତେ ସବୁ ପରେ ଶେଷ ମୁହୂର୍ତ୍ତରେ, ବିବାହ ପାଇଁ ନାସ୍ତି କରିବା ଓ ରାଜକୁମାରୀଙ୍କ ପ୍ରତିକ୍ରିୟା ଶୁଣିବା ପାଇଁ ଅପେକ୍ଷା ନ କରି ସେ ସ୍ଥାନ ପରିତ୍ୟାଗ କରିବା, କଣ ଶଠତା । ପ୍ରତାରଣା ନୁହେଁ? ମୋର ଏହି ସନ୍ଦେହର ସମାଧାନ ଜାଣି ମଧ୍ୟ ତୁମେ ନିରୁତ୍ତର ରହିଲେ ତୁମର ଶିର ଶତଧା ବିଦୀର୍ଣ୍ଣ ହେବ ।”

ବିକ୍ରମାର୍କ ଅବିଳମ୍ବେ କହିଲେ, “ରାଜକୁମାରୀ ମୃଣାଳିନୀଙ୍କ ପାଇଁ ମଣିକଣ୍ଠ ଅନେକ ତ୍ୟାଗ ସ୍ୱୀକାର କଲେ । ତାଙ୍କୁ ବିବାହ କରିବା ପାଇଁ ସେ ତାଙ୍କ ଜୀବନ ରକ୍ଷା କରିଥିବା ଗନ୍ଧର୍ବ ରାଜକୁମାରୀ କାନ୍ତିମୟୀଙ୍କୁ ମଧ୍ୟ ପ୍ରତ୍ୟାଖ୍ୟାନ କଲେ । କିନ୍ତୁ ମୃଣାଳିନୀ ଖୁବ୍ ଉଚ୍ଚାଭିଳାଷିଣୀ ଥିଲେ । ଯାହାର ମାନବତା ପ୍ରତି କୌଣସି ଶ୍ରଦ୍ଧା ନ ଥାଏ, ଖାଲି ନିଜ ସ୍ୱାର୍ଥ – ସାଧନ ପାଇଁ ଆତ୍ମକୈନ୍ଦ୍ରିକ ଜୀବନ ବଂଚୁଥାଏ, କେବଳ ସେହିଁ ଏପରି ରକ୍ତପାତ ବିନିମୟରେ ମହାରାଣୀ ହେବାର ସ୍ୱପ୍ନ ଦେଖିପାରେ । ମଣିକଣ୍ଠ ଏହା ବୁଝିବାରେ ଆଦୌ ବିଳମ୍ବ କରି ନାହାଁନ୍ତି । କାନ୍ତିମୟୀଙ୍କ ତ୍ୟାଗ ସମ୍ମୁଖରେ ମୃଣାଳିନୀଙ୍କ ଭୋଗ ଲାଳସା ଯେ କେତେ ଘୃଣ୍ୟ, ତାହା ଅନୁଭବ କରି ସେ ବିବାହକୁ ଏଡାଇ ଦେଲେ । ତେଣୁ ତାଙ୍କର ଏହି ନିର୍ଣ୍ଣୟ ପ୍ରକୃତରେ ବିବେକୀର କାର୍ଯ୍ୟ, ପ୍ରତାରଣା ନୁହେଁ ।”ଏହିପରି ରାଜାଙ୍କର ମୌନତା ଭଗ୍ନ କରିବାରେ ସଫଳ ହୋଇ ଶବ ସହ ଶବସ୍ଥିତ ସେ ବେତାଳ ମଧ୍ୟ ତାଙ୍କ କାନ୍ଧରୁ ଖସି ପୁନର୍ବାର ସେ ବୃକ୍ଷ ଡାଳରେ ଯାଇ ଝୁଲିପଡିଲା ।

New odia story Odia New story Tyaga O Bhoga Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleରାଜବୈଦ୍ୟଙ୍କ ଚିକିତ୍ସା
Next Article ସମ୍ରାଟ ଅଶୋକ
Liza S

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.