ଆଉ ଦିନକର କଥା । ସେଦିନ ସମ୍ରାଟ୍ ଆକବରଙ୍କ ଦରବାର ପାରିଷଦ ଓ ଅନ୍ୟ ସଭ୍ୟମାନଙ୍କ ଦ୍ୱାରା ପୂରି ଉଠୁଥାଏ । ପରସ୍ପରଙ୍କ ଆଳାପ ଆଲୋଚନା ଦ୍ୱାରା କେହି କାହାରି କଥା ଶୁଣି ପାରୁନଥାନ୍ତି । ସମ୍ରାଟଙ୍କର ନିଜର ଅତି ପ୍ରିୟ ବିରବଲଙ୍କ ସହିତ ଅନ୍ୟ ଆଠଜଣ ପଣ୍ଡିତ ମଧ୍ୟ ଦରବାରରେ ନିଜ ନିଜ ଆସନରେ ବସି ଢୋଳେଇବାରେ ବ୍ୟସ୍ତ । ସେପରି ଅବସରରେ ସମ୍ରାଟ୍ ନିଜର ଆସନ ପରିତ୍ୟାଗ କରି ଦଣ୍ଡାୟମାନ ହେଲେ ଏବଂ ବିରବଲଙ୍କୁ ଚାହିଁ ତାଙ୍କୁ ଆଦେଶଦେଲେ ଯେ ବିରବଲ, ମୋର ଆପଣଙ୍କ ଉତ୍ତରରେ ଢେର ବିଶ୍ୱାସ ଥିବାରୁ ଆଜି ମୁଁ ତୁମ ଉପରେ ଏକ ବିରାଟ ଦାୟିତ୍ୱ ଦେବାକୁ ଚାହେଁ ।
ବିରବଲ କହିଲେ – ସମ୍ରାଟ୍ ଙ୍କ ଆଜ୍ଞାକୁ ମୁଁ ଶିର ପାତି ଗ୍ରହଣ କରୁଛି । ଏବେ ଆପଣ ମୋତେ କେଉଁ ଦାୟିତ୍ୱ ଦେବାକୁ ଚାହାଁନ୍ତି ତାହା ଯଥାଶୀଘ୍ର ପ୍ରକାଶ କରନ୍ତୁ ।
ଏହାପରେ ସମ୍ରାଟ୍ କହିଲେ – ଦେଖ ବୀରବଲ୍! ମୁଁ ଆପଣଙ୍କୁ ମାତ୍ର ଚାରିଦିନ ଲାଗି ଦାୟିତ୍ୱ ଦେବି । ଆଉ ତୁମେ ମଧ୍ୟ ମୋର ସେହି ଦାୟିତ୍ୱ ବହନ କରି ମୋତେ ଧନ୍ୟ କରି ଦିଅନ୍ତୁ ।
ବିରବଲ ଅତି ଚତୁରତାର ସହିତ ସମ୍ରାଟଙ୍କୁ କହିଲେ – ସମ୍ରାଟ ଆଉ ବିଳମ୍ବ କାହିଁକି? ଶୁଭସ୍ୟ ଶୀଘ୍ରମ୍ ।
ଏତକ କହି ବିରବଲ ନୀରବ ରହନ୍ତେ ସମ୍ରାଟ୍ ହସି ହସି କହିଲେ – ହେ ବିରବଲ! ତୁମ୍ଭଙ୍କୁ ମୁଁ ଆଜି ତୁମ ଉପରେ ଗୋଟିଏ ଗୁରୁଦାୟିତ୍ୱ ଦେଉଅଛି । ଆଉ ତୁମେ ମଧ୍ୟ ବାଧ୍ୟ ହୋଇ ମୋର ଦାୟିତ୍ୱକୁ ଉତ୍ତମ ଭାବରେ ବହନ କରି ନିଜର କାମ ସମାପ୍ତ କଲେ ବୋଲି ପ୍ରମାଣିତ କରନ୍ତୁ ।
ବିରବଲ କହିଲେ – ତାହା ହେଉ, ମୋତେ କେଉଁ କାର୍ଯ୍ୟ କରିବାକୁ ହେବ । ତାହା ଦୟାକରି ପ୍ରକାଶ କରନ୍ତୁ ।
ବିରବଲ ରାଜପଥରେ ଚାଲିଛନ୍ତି । ସେତେବେଳକୁ ଖରା ନଇଁ ଆସୁଥାଏ । ବିରବଲ ଦେଖୁଛନ୍ତି ଅନ୍ଧାର ହୋଇଯିବ । ସମ୍ରାଟ୍ ଙ୍କ ଦେଇଥିବା ଦିବସ ମଧ୍ୟରୁ ଗୋଟିଏ ଦିବସ ଅତିବାହିତ ହୋଇଯିବ । ଏହାଦ୍ୱାରା ବିରବଲଙ୍କ କାର୍ଯ୍ୟର ଅଧୋଗତି ହେବ ।
ସମ୍ରାଟଙ୍କ ଆଦେଶ ଅଛି ଚାରିଦିନ ମଧ୍ୟରେ ଚାରିଜଣ ମୂର୍ଖଲୋକଙ୍କୁ ନେଇ ତାଙ୍କ ନିକଟରେ ହାଜର କରିବେ । ଆଜି ଦିବସରେ ତାଙ୍କ ଲାଗି ଅତି କମ୍ରେ ଗୋଟିଏ ମୂର୍ଖର ଯୋଗାଡ ହେବା ଦରକାର ।
ବିରବଲ ଏହିପରି ଚିନ୍ତାର ଭଉଁରୀ ମଧ୍ୟରେ ଖେଳୁଥିବା ବେଳେ ବିରବଲଙ୍କର ଆଖି ଗୋଟିଏ ଲୋକ ଉପରେ ପଡିଲା । ସେତେବେଳେ ବିରବଲ ଯାହା ଦେଖିଲେ, ତାହା ଦେଖି ସେ ତାଜୁବ୍ ହୋଇଗଲେ । କାରଣ ସେହି ପଥଚଲା ଲୋକଟି ଖୁବ୍ ତରତରରେ ଚାଲୁଥିଲା । ତା’ର ମୁଣ୍ଡ ଉପରେ ଗୋଟିଏ ବଡ ଥାଳି ଥିଲା । ବିରବଲ ଭାବିଲେ ଏ ନିଶ୍ଚୟ ଜଣେ ବୋକା ଲୋକ ହୋଇଥିବେ । ତେଣୁ ବିରବଲଙ୍କ ନିମନ୍ତେ ସେହି ଲୋକଟି ଧରାପଡିବା ଅତ୍ୟନ୍ତ ଜରୁରୀ ।
ଏହାପରେ ସେହି ଲୋକଟିକୁ ଧରିବା ନିମନ୍ତେ ବିରବଲ ଖୁବ୍ ଜୋର୍ରେ ଧାଇଁବାକୁ ଆରମ୍ଭ କଲେ । ବହୁ ସମୟ ତାଙ୍କୁ ଦୌଡିବାକୁ ପଡିଲା । ଯାହାହେଉ ଅଣ ନିଃଶ୍ୱାସୀ ହୋଇ ବିରବଲ ଦୌଡି ଦୌଡି ଯାଇ ସେହି ଲୋକଟିର ପାଖରେ ପହଁଚି ତାକୁ ଅଟକାଇ ଦେଲେ ।
ସେ ଲୋକଟିକୁ ପଚାରିଲେ, ହଇ ହୋ! ତୁମ୍ଭର ବେଗ ଏତେ ପ୍ରଖର କାହିଁକି? ଧୀରେ ଧୀରେ ଚାଲିବାର କ’ଣ ତୁମର ଅଭ୍ୟାସ ନାହିଁ । ତୁମକୁଧରିବା ଲାଗି ମୁଁ ଯେ ବେଦମ୍ ହୋଇଗଲିଣି । କହିବ କି ଏତେ ଶୀଘ୍ର ଚାଲିବାର ତୁମର କାରଣ କ’ଣ?
ବିରବଲଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଲୋକଟି ବେଶ୍ ସୁଖଭୋଗ ମନେ କରୁଥିଲା । ସେ ଆନନ୍ଦରେ କହିଲା – ଶୁଣିବେ ଆପଣେ, ମୋର ଯେ ସ୍ତ୍ରୀ ଥିଲା ମୁଁ ତାକୁ ବହୁତ ଭଲ ପାଉଥିଲି । ଖୁସିର କଥା ଏଇ କେତେ ଦିନ ହେଲା ମୋତେ ଛାଡି ଚାଲିଗଲା ଓ ତା’ର ଖୁସିରେ ସେ ଅନ୍ୟକୁ ବିବାହ କରିଛି । ତା’ଠାରୁ ଅଧିକ ଖୁସିର କଥା ହେଲା ତା’ର ବିବାହର ପର ଘଟଣାରେ ତା’ର ଏବେ ଗୋଟିଏ ଖୁବ୍ ସୁନ୍ଦର ପୁଅ ହେଇଛି । ମୋର ତ ସେ ସ୍ତ୍ରୀ ଥିଲା ତା’ର ପୁଅ ହୋଇଥିବା ଆନନ୍ଦରେ ମୁଁ ବହୁତ ଖୁସି ହୋଇଯାଇଛି । ଦେଖୁ ନାହାଁନ୍ତି ଚାଲିରେ ମୋର ପାଦ ଭୂମିରେ ଲାଗୁନାହିଁ । ମୁଁ ମୋର ପୂର୍ବସ୍ତ୍ରୀର ପୁଅ ହୋଇଥିବାର ସୁଖରେ ଏବେ ସ୍ଥିର କରି ସାରିଛି ମିଠା ବାଂଟିବି । ଏଥି ସହିତ ସ୍ତ୍ରୀ ଲାଗି ଶାଢି, ବ୍ଲାଉଜ୍, ସାୟା ଓ ତା’ର ସ୍ୱାମୀଙ୍କ ଲାଗି ଶାନ୍ତିପୁର ଯୋଡ ମଧ୍ୟ ଯୋଗାଡ କରିଛି । ଏତିକି ଯଦି ମୁଁ ଠିକ୍ ସମୟରେ ପହଁଚାଇ ଦେବି, ସେ ସ୍ୱାମୀ ସ୍ତ୍ରୀ ଦୁଇଜଣ କେତେ ଆନନ୍ଦ ହେବେ କହିଲେ?
ଏତେବେଳଯାଏଁ ବିରବଲ ସେହି ଲୋକଟିର କଥାକୁ ମନଦେଇ ଶୁଣୁଥିଲେ । ମନେ ମନେ ଖୁବ୍ ହସିଲେ, ଆଉ ମଧ୍ୟ ଚିନ୍ତା କଲେ ଏପରି ଲୋକକୁ ସଂସାରରେ ଜଣେ ଉତ୍ତମ ମୂର୍ଖ ଲୋକ ବୋଲି ନିଜ ବିଚାରକୁ ଆଣିବେ ନାହିଁ କାହିଁକି? ତେଣୁ ମୋତେ ଏହି ଲୋକକୁ ସମ୍ରାଟ୍ ଙ୍କ କହିବାନୁସାରେ ତାଙ୍କ ଦରବାରକୁ ନେବା କଥା । ଏହାପରେ ସେହି ବ୍ୟକ୍ତିଙ୍କୁ ବିରବଲ ନିଜର ପରିଚୟ ଦେଇ କହିଲେ, ହେ ମହାଭାଗ! ମୁଁ ତୁମ ସହିତ ଏତେ ସମୟ ଯାଏଁ କଥାରେ ମାତି ଯାଇଥିଲି । ତୁମ୍ଭର କଥାଗୁଡିକ ମଧ୍ୟ ତୁମ୍ଭର କହୁଥିବା ସମୟରେ ମୁଁ ମଧ୍ୟ ତୁମ ପରି ପରମ ସନ୍ତୋଷରେ ଶୁଣୁଥିଲି । ଏଥର ତୁମେ ମୋର ପରିଚୟ ବାବଦରେ ଜାଣ ଯେ, ମୁଁ ସମ୍ରାଟ୍ ଆକବରଙ୍କ ଦରବାରରେ ନବରତ୍ନଙ୍କ ମଧ୍ୟରୁ ଜଣେ ପଣ୍ଡିତ । ମୋର ନାମ ବିରବଲ । କ’ଣ ମୋର ପରିଚୟ କେବେ ଆଗରୁ ଜାଣିଥିଲ!
ସମ୍ରାଟଙ୍କ ନବରତ୍ନ ପଣ୍ଡିତଙ୍କ ମଧ୍ୟରୁ ଏ ହେଉଛନ୍ତି ଶ୍ରେଷ୍ଠ ପଣ୍ଡିତ ବିରବଲ । ତାଙ୍କୁ ସିନା କେହି ନେତ୍ରରେ ଦେଖି ନଥାଆନ୍ତି, ହେଲେ ସମସ୍ତେ ଜାଣନ୍ତି, ଯେ ସମ୍ରାଟ୍ ଆକବରଙ୍କ ଆଖ ପାଖ ପଣ୍ଡିତ ହେଉଛନ୍ତି ବିରବଲ । ବିରବଲଙ୍କ ନାମ ବିରବଲଙ୍କ ମୁଖରୁ ଶୁଣିବା ମାତ୍ରେ ଲୋକଟି ବିରବଲଙ୍କ ପାଦତଳେ ପଡିଗଲା । ଆଉ କହିଲା – ହଜୁର୍ ମୁଁ ଆପଣଙ୍କୁ ଆଗରୁ କେବେ ଦେଖିନଥିଲି କିମ୍ବା ଜାଣି ନଥିଲି । ସେଥିଯୋଗୁଁ ମୁଁ ଆପଣଙ୍କୁ ଉପଯୁକ୍ତ ସମ୍ମାନ ଦେଇ ପାରିନଥିଲି । ଏଥିଲାଗି ମୋର ଦୋଷ ମାଫ୍ କରିଦେବେ ହଜୁର୍ । ବିରବଲ କହିଲେ – ଠିକ୍ ଅଛି । ଏହା କ’ଣ ତୁମ୍ଭର ଭୁଲ୍ । ଏବେ ମୁଁ ତୁମକୁ କହିଯାଉଛି ଯେ ତୁମ୍ଭେ ତୁମ୍ଭ ସ୍ତ୍ରୀଙ୍କ ମିଠା, ଶାଢି, ଶଙ୍ଖା ଆଉତାଙ୍କ ସ୍ୱାମୀଙ୍କ ଲାଗି ନେଉଥିବା ଶାନ୍ତିପୁରୀ ଯୋଡ ନେବା ଆଗରୁ ଆଗ ସମ୍ରାଟଙ୍କୁ ଯାଇ ସାକ୍ଷାତ କରି ଆସିବାକୁ ହେବ ।
ବିରବଲଙ୍କ ମୁଖରୁ ସମ୍ରାଟଙ୍କୁ ସାକ୍ଷାତ କରିବା କଥା ଶୁଣି ଲୋକଟା ହଡବଡେଇ ଗଲା । ତା’ଛଡା ୟେ ସମ୍ରାଟ୍ ଆକବର, ଏଭଳି ସମ୍ରାଟଙ୍କର ଆଦେଶ ନ ମାନିବା ଯେପରି ଅସୁବିଧା ସେହିପରି ସମ୍ରାଟଙ୍କ ଦଣ୍ଡ ମଧ୍ୟ ଖୁବ୍ କଠୋର । ପୁଣି ସମ୍ବାଦ ଦେଉଥିବା ବ୍ୟକ୍ତି ହେଉଛନ୍ତି ସ୍ୱୟଂ ସମ୍ରାଟଙ୍କର ଅତି ପାଖଲୋକ । ଏଣୁ କଥାକୁ ନ ମାନିବ ବା କିପରି? ତହୁଁ ସେ ବିରବଲଙ୍କୁ ପ୍ରଣାମ ଜଣାଇ କହିଲା – ଛାମୁଙ୍କ ଆଜ୍ଞା ଶିରୋଧାର୍ଯ୍ୟ ।
ଏହାପରେ ବିରବଲ ସେହି ଲୋକଟିକୁ ଛାଡି ଦେଲେ । ତା’ପରେ ଆଗକୁ ଚାଲିଲେ । ଏବେ ସନ୍ଧ୍ୟାହୋଇଯିବା ପ୍ରାୟ । ବିରବଲଙ୍କର ଚିନ୍ତା ପ୍ରଥମଦିନ ଗୋଟିଏ ମୂର୍ଖକୁ ଚିହ୍ନଟ କରି ପାରିଛି, ଏଥର ଦ୍ୱିତୀୟ ମୂର୍ଖ ଲୋକର ସଂଧାନ ଦରକାର । ଏପରି ଚିନ୍ତା ମନ ମଧ୍ୟରେ କରୁଥିବା ଅବସ୍ଥାରେ ବିରବଲ ଆଗକୁ ଚାଲିଲେ ।
ବିରବଲ ସେ ସ୍ଥାନ ପରିତ୍ୟାଗ କରି କିଛି ପଥ ଆଗକୁ ଯାଇଛନ୍ତି, ଲୋକଟା ସନ୍ଧ୍ୟା ହୋଇଯିବା ଆଶଙ୍କାରେ ବସିଥିବା ଘୋଡାଟିକୁ ଖୁବ୍ ଜୋର୍ରେ ଚାବୁକ ମାରି କହୁଛି, ଚାଲ ଶାଲା, ଏକ ମଠୁଆଟା କିରେ ।
ବିରବଲ ଦେଖିଲେ, ଲୋକଟା ମୁଣ୍ଡ ଉପରେ ଶକତ କରି ଗୋଚ୍ଛାଏ ଘାସକୁ ବାନ୍ଧି ମୁଣ୍ଡରେ ମୁଣ୍ଡାଇଛି । ତା’ପରେ ସେ ଘୋଡା ଉପରେ ବସି ଘୋଡାକୁ ଶୀଘ୍ର ଦଉଡିବାର ଲାଗି ବାଡୋଉଛି ।
ଲୋକଟାର ଏପରି ଅବସ୍ଥା ଦେଖି ବିରବଲ ଭାବିଲେ, ମୋ ବିଚାରରେ ଏ ଲୋକଟା ଗୋଟାଏ ଗଜମୂର୍ଖ । ଏହା ଭାବି ବିରବଲ ଲୋକଟାକୁ ପଥ ମଧ୍ୟରେ ଅଟକାଇ ଦେଇ କହିଲେ – ମୁଁ ବିରବଲ! ମୋତେ ଚିହ୍ନିଛ କି?
ବିରବଲଙ୍କର ନାଁଟି ଶୁଣିବା ମାତ୍ରେ ଲୋକଟା ଚମକି ପଡି କହିଲା – ପ୍ରଣାମ ହଜୁର୍! ସନ୍ଧ୍ୟା ହୋଇ ଆସୁଛି ତ । ସେଥିପାଇଁ ତର ତର ହୋଇ ପଡିଛି ଗୃହକୁ ଫେରିଯିବା ଲାଗି ।
ବିରବଲ କହିଲେ – ହଁ ହଁ କାହିଁକି ନୁହଁ? ସନ୍ଧ୍ୟା ହୋଇଯିବ, ଘରେ ତୁମକୁ ତୁମର ପିଲାମାନେ ଚାହିଁ ବସିଥିବେ । ହେଲେ ମୋର କିନ୍ତୁ ତୁମଠାରୁ ଗୋଟିଏ ନୂଆ କଥା ଶିଖିବାକୁ ହେଲା ।
ଲୋକଟା ଆଶ୍ଚର୍ଯ୍ୟ ହୋଇଯାଇ କହିଲା – ହଜୁର୍! ଆମେ କେତେକର ଲୋକ । ଆମ୍ଭେମାନେ ତ ସଦାସର୍ବଦା ଆପଣଙ୍କ ଇଙ୍ଗିତକୁ ଅପେକ୍ଷା କରିଥାଉ । ଆପଣମାନେ ଯାହା କହିଥାଆନ୍ତି ତାହା ଆମମାନଙ୍କ ଲାଗି ହିତ ମନେ କରି ପାଳନ କରିଥାଉ । ହେଲେ ଆମେମାନେ ତ ଗଜମୂର୍ଖ । ଆପଣ …
ବିରବଲ କହିଲେ – ତାହା ହେଲେ ମୁଁ ତୁମକୁ ଗୋଟିଏ ପ୍ରଶ୍ନ ପଚାରୁଛି, ତାହାର କାରଣ ମୋତେ କୁହ ।
ଲୋକଟି କହିଲା – ଆପଣ କ’ଣ ପଚାରିବେ, ଏବେ ମୋତେ ପଚାରନ୍ତୁ ଜାଣିଥିଲେ ତାହାର କାରଣ ଆପଣଙ୍କୁ କହିଦେବି ।
ବିରବଲ କହିଲେ – ତୁମେ ତ ଘୋଡା ଉପରେ ବସି ଗୃହକୁ ଫେରୁଛ । ତେବେ ଘାସ ଗୋଛାଟାକୁ ଘୋଡା ଉପରେ ନ ରଖି ନିଜ ମୁଣ୍ଡରେ ମୁଣ୍ଡେଇ ଯାଉଛ କାହିଁକି?
ଲୋକଟି କହିଲା – ଏହାର ଉତ୍ତର ତ ଖୁବ୍ ସାଧାରଣ ପଣ୍ଡିତେ, ଦେଖନ୍ତୁ ଘୋଡାଟି ମୋର ବର୍ତ୍ତମାନ ଗର୍ଭବତୀ । ଏପରି ଅବସ୍ଥାରେ ତା’ର ଶରୀର ଅସୁସ୍ଥ ପ୍ରାୟ । ମୁଁ ସିନା ନିଷ୍ଠୁର ହୋଇ ତା’ର ପିଠିରେ ବସି ଗୃହକୁ ଫେରୁଅଛି, ଅବସ୍ଥାରେ ପଡିବାରୁ ତାହା କରିବାକୁ ବାଧ୍ୟ ହେଉଛି । ତେବେ ଜାଣି ଜାଣି ବୋଝ ଉପରେ ନଳିତାବିଡା କିପରି ଲଦି ଥା’ନ୍ତି କହିଲେ । ସେ ବରଂ ମୋତେ ତା’ର ବୋଝ ଭାବରେ ଗ୍ରହଣ କରି ମୋତେ ନେଇ ଚାଲୁ । କିନ୍ତୁ ଏହି ଘାସ ଗୋଛାକ ତା’ର ପିଠି ଉପରେ ଲଦି ଦେଲେ ତାହାକୁ ତ ସେ ବୋହିବ । ଏଥିରେ ତାକୁ ନିଶ୍ଚୟ କଷ୍ଟ ହେବନା, ଏଥିଯୋଗୁଁ ସେହି ଘାସ ଗୋଛାଟିକୁ ଘୋଡା ଉପରେ ନଲଦି ମୁଁ ନିଜେ ଲଦି କରି ନେଉଅଛି ।
ଏଥର ଲୋକଟାର ମନ ମଧ୍ୟରୁ ଅସଲ କଥାଟିକୁ ବିରବଲ ଜାଣିପାରି ଠିକ୍ କଲେ, ଏ ହେଉଛି ସଂସାର ମଧ୍ୟରେ ଦ୍ୱିତୀୟ ମୂର୍ଖ । ତେଣୁ ତାଙ୍କୁ ମଧ୍ୟ ସମ୍ରାଟଙ୍କ ଆଦେଶ ହୋଇଛି ବୋଲି କହିଦେବା । ସେ ଯାଇ ସେହି ଘାସ ଗୋଛାକୁ ମୁଣ୍ଡାଇ କରି ରାଜସଭାରେ ଉପଯୁକ୍ତ ସମୟରେ ହାଜର ହେବ ।
ଏହା ପରେ ସେହି ଲୋକଟିକୁ ବିରବଲଙ୍କର ଭାବିଥିବାର କଥାକୁ କହି ବିରବଲ ସେ ସ୍ଥାନ ଛାଡି ଚାଲିଗଲେ ।
ଏବେ ତା’ପରଦିନ ଦରବାର ଚାଲିଥିବାର ସମୟରେ ଏହି ଦୁଇ ମୂର୍ଖ ତରବର ହୋଇ ମନ ମଧ୍ୟରେ ଖୁବ୍ ଭୟ ରଖି ଯାଇ ସମ୍ରାଟଙ୍କର ରାଜଦରବାରରେ ପଁହଚି ଯାଇ ସମ୍ରାଟଙ୍କୁ ପ୍ରଣାମ ଜଣାଇ ଠିଆ ହୋଇ ରହିଲେ । ସେହି ସଭାରେ ବିରବଲ ମଧ୍ୟ ଉପସ୍ଥିତ ଥା’ନ୍ତି । ସମ୍ରାଟ୍ ସେମାନଙ୍କର ଅବସ୍ଥା ଦେଖି ସେମାନଙ୍କୁ ପ୍ରକୃତ କାରଣ ପଚାରନ୍ତେ, ସେ ସମସ୍ତ କଥାକୁ ଗୋଟି ଗୋଟି କରି ବର୍ଣ୍ଣନା କରନ୍ତେ ରାଜଦରବାରରେ ଥିବା ସମସ୍ତ ପାରିଷଦଗଣ ଠୋ ଠୋ ହୋଇ ହସିବାକୁ ଲାଗିଲେ । ସମସ୍ତଙ୍କ ମୁଖରେ ଖାଲି ଶୁଣାଗଲା ଯେ, ଆରେ ଏ ଦୁଇଟା ତ ଏ ସଂସାରର ପରମ ମୂର୍ଖ ।
ସମ୍ରାଟ୍ ଏଥର ସଂସାରରେ ଏପରି ମୂର୍ଖ ଦୁଇଜଣଙ୍କୁ ଦେଖିବା ପରେ ବିରବଲଙ୍କ ଆଡେ ଚାହିଁ କହିଲେ – ତୁମ୍ଭଙ୍କୁ ଆଦେଶ ହୋଇଥିଲା ଯେ ତୁମ୍ଭେ ଚାରିଜଣ ମୂର୍ଖ ଆଣି ମୋ ପାଖରେ ପହଁଚାଇବ । ହେଲେ ଦୁଇଜଣ ମୂର୍ଖକୁ ଦେଇପାରିଛ ହେଲେ ଆଉ ଦୁଇଜଣ ମୂର୍ଖ କୁଆଡେ ଗଲେ?
ଏହାପରେ ସମ୍ରାଟଙ୍କୁ ଚାହିଁ ବିରବଲ କହିଲେ – ଛାମୁ, ଆପଣଙ୍କୁ ତ ମୋତେ ଆଉ ଦୁଇଜଣ ମୂର୍ଖ ଦେବା କଥା । ଦୁଇଜଣଙ୍କୁ ପଠାଇବା ପରେଆଉ ଦୁଇଜଣ ମୂର୍ଖ ଦେଖିବାକୁ ଆପଣ ବର୍ତ୍ତମାନ ବ୍ୟଗ୍ର ହୋଇ ପଡିଛନ୍ତି । ହେଲେ ମୁଁ ଯଦି ସେହି ଦୁଇଜଣ ମୂର୍ଖଙ୍କ ନିମନ୍ତେ ତୁଣ୍ଡ ଖୋଲିବି ତାହା ହେଲେ ଆପଣ ମୋର ମୁଣ୍ଡ ରଖିବେ ତ? କାରଣ ଆଉ ଦୁଇଜଣ ମୂର୍ଖ ଏହି ଦରବାରରେ ଉପସ୍ଥିତ ଅଛନ୍ତି ।
ବିରବଲ ସମ୍ରାଟଙ୍କୁ ଏହା କହନ୍ତେ ସମ୍ରାଟ୍ ତାଙ୍କୁ ଅଭୟ ବର ପ୍ରଦାନ କରି କହିଲେ – ଶୁଣ ବୀରବଲ! ଯେଉଁ କଥା ସତ୍ୟତାର ପ୍ରମାଣ ନେଇପାରେ ସେଥିପାଇଁ ଦୋଷୀକୁ ଦଣ୍ଡ ଦେବା କଥା ମୋ ବିଚାରର ବାହାରେ, ତେଣୁ ତୁମେ ମୋତେ ଆଉ ଦୁଇଜଣ ମୂର୍ଖକୁ ଦେଇ ନିଜର କର୍ତ୍ତବ୍ୟ ସମାପ୍ତ କର ।
ସମ୍ରାଟଙ୍କଠାରୁ ଅଭୟବର ପାଇ ସାରିବାପରେ ବିରବଲ ସମ୍ରାଟଙ୍କ ଆଗରେ ନତମସ୍ତକ ପୂର୍ବକ କହିଲେ – ଆଜ୍ଞା ମୁଁ ହେଉଛି ହତଭାଗ୍ୟ ତୃତୀୟ ମୂର୍ଖ । ଆଉ ଏହି ମୂର୍ଖମାନଙ୍କୁ ଯେ ଆଣି ଆପଣଙ୍କ ସମ୍ମୁଖରେ ଦଣ୍ଡାୟମାନ କରାଇଛି, ସେ ହେଉଛି ଏ ଦରବାରରେ ଚତୁର୍ଥ ମୂର୍ଖ ।
ବିରବଲଙ୍କଠାରୁ ଏକଥା ଶୁଣିବା ମାତ୍ରେ ସମସ୍ତେ ଚାତକପ୍ରାୟ ସମ୍ରାଟଙ୍କ ମୁଖକୁ ଚାହିଁ ରହିଥିଲେ । ସମ୍ରାଟ୍ ଯେତେବେଳେ ବିରବଲଙ୍କଠାରୁ ଏକଥା ଶୁଣିଲେ ସେତେବେଳେ ସେ କିଛି ସମୟ ଲାଗି ନୀରବ ରହିଗଲେ । ତା’ପରେ ଠୋ ଠୋ ହୋଇ ହସିବାକୁ ଆରମ୍ଭ କରିଦିଅନ୍ତେ ସଭାରେ ବସିଥିବା ଅନ୍ୟ ପାରିଷଦବର୍ଗ ଏହାପରେ ଠୋ ଠୋ ହୋଇ ହସିଲେ ।
ତା’ପରେ ସମ୍ରାଟ୍ ଆକବର ସିଂହାସନରୁ ଓହ୍ଲାଇ ଆସି ବିରବଲଙ୍କୁ ନିଜର ମନମୁତାବକ ପୁରସ୍କାର ଦେଇ ବିଦାୟ ଦେଲେ ।