• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ତିନି ତାନ୍ତ୍ରିକ
ଗଳ୍ପ

ତିନି ତାନ୍ତ୍ରିକ

Liza SBy Liza SNovember 26, 2022No Comments8 Mins Read
Facebook Twitter Pinterest Reddit LinkedIn Tumblr Email
Tini Tantrika
Tini Tantrika
Share
Facebook Twitter Pinterest Reddit Email

ପିଙ୍ଗଳ ଅବନ୍ତୀ ନଗରୀକୁ ଲେଉଟି ଆସି ନିଜ ମା’ର ଦୟନୀୟ ଅବସ୍ଥା ଦେଖିଲା । କାଳବିଳମ୍ବ ନକରି ସେ ଭଲ୍ଲୁକକେତୁ ସାହାଯ୍ୟରେ ରାଜକୋଷରେ ଥିବା ନିଜର ଧନରତ୍ନ ତଥା ରାଜପ୍ରାସାଦରୁ ତା’ର ଅପହୃତ ଯାଦୁଥଳି ଉଦ୍ଧାର କରି ଆଣିଲା । ଭଲ୍ଲୁକକେତୁକୁ ପଠାଇ ଦୁଇ ବନ୍ଦୀ ଭାଇଙ୍କୁ ମଧ୍ୟ କାରାଗାରରୁ ସେ ନେଇ ଆସିଲା । ଭଲ୍ଲୁକକେତୁର ପ୍ରେତ ବାହିନୀକୁ ଲଗାଇ ସେ ନଦୀ କୂଳରେ ନିଜ ପାଇଁ ଗୋଟିଏ ବିରାଟ ମହଲ ନିର୍ମାଣ କାମ ଆରମ୍ଭ କଲା । ତା’ପରେ…

ଅନ୍ଧାର ଘୋଟି ଆସିବା ସଙ୍ଗେ ସଙ୍ଗେ ନଦୀ କୂଳରେ ଭଲ୍ଲୁକକେତୁର ପ୍ରେତପିଶାଚ ବାହିନୀ ମହଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଦେଲେ । ସେମାନଙ୍କ ସଂଖ୍ୟା ପ୍ରାୟ ହଜାରେ ଥିଲା । ଅଦ୍ଭୁତ କ୍ଷୀପ୍ରତା ସହକାରେ ସେମାନେ କାମ କରୁଥାନ୍ତି । ଆଖି ପଲକରେ ଗୋଟାଏ ଗୋଟାଏ ପ୍ରାଚୀର, କୋଠରୀ ତିଆରି ହୋଇ ଯାଉଥାଏ ।

ସେମାନେ କିନ୍ତୁ ନୀରବରେ କାମ କରୁ ନଥିଲେ । ପାଟିଗୋଳ ହୋ ହଲ୍ଲା କରୁଥିଲେ । ସେଥିରେ ଆକୃଷ୍ଟ ହୋଇ ନଗରୀର କେତେଜଣ ପ୍ରହରୀ କଥା କ’ଣ ବୁଝିବା ସକାଶେ ସେଠାରେ ଆସି ପହଁଚିଗଲେ । ଭଲ୍ଲୁକକେତୁର ଅନୁଚରମାନେ ସଙ୍ଗେ ସଙ୍ଗେ ସେମାନଙ୍କୁ ଧରିନେଇ କାମରେ ଲଗାଇଦେଲେ । ଯିଏ ଟିକିଏ ଆପତ୍ତି କଲା, ତାକୁ ସେମାନେ ପିଟି ପକାଇଲେ!

ସୂର୍ଯ୍ୟୋଦୟ ବେଳକୁ ପିଙ୍ଗଳ ମା ଓ ଭାଇ ଦୁହିଁଙ୍କୁ ଧରି ମହଲରେ ପ୍ରବେଶ କଲା । ମହଲର ଚାକଚକ୍ୟ ଓ ବିଶାଳତା ଦେଖି ପିଙ୍ଗଳ ଯେତିକି ଆନନ୍ଦିତ ହେଲା, ତା’ମା ଓ ଭାଇ ଦୁଇଜଣ ସେତିକି ବିସ୍ମିତ ହେଲେ ।

ଭଲ୍ଲୁକକେତୁର ଅନୁଚରମାନଙ୍କ ଭିତରୁ ପିଙ୍ଗଳ ପଚାଶ ଜଣଙ୍କୁ ରଖିଲା । ଆଉ ବାକି ସମସ୍ତଙ୍କୁ ସେ ଭଲ୍ଲୁକପର୍ବତକୁ ପଠାଇଦେଲା । ସେ ପଚାଶଜଣ ପ୍ରହରୀ ରୂପେ ପ୍ରାସାଦକୁ ଜଗି ରହିଲେ । ନିଜେ ଭଲ୍ଲୁକକେତୁ ପ୍ରାସାଦ ସାମ୍ନାରେ ଖଣ୍ଡିଏ ପଥର ପକାଇ ତହିଁ ଉପରେ ମୁଖ୍ୟ ପ୍ରହରୀ ରୂପେ ରହିଥାଏ ।

ସକାଳ ହେବା ମାତ୍ରେ ତେଣେ ରାଜପ୍ରାସାଦରେ ହୁଲସ୍ତୁଲ୍ ପଡିଥାଏ । ନଗରରକ୍ଷୀମାନଙ୍କର ଯିଏ ସର୍ଦ୍ଦାର୍; ସିଏ କୌଣସି ମତେ ଭଲ୍ଲୁକକେତୁ କବଳରୁ ଖସି ପଳାଇଥାଏ । ସେ ଯାଇ ମନ୍ତ୍ରୀଙ୍କୁ କହିଲା, “ହଜୁର! ନଈ କୂଳରେ ରାତାରାତି ଗୋଟାଏ ଅଦ୍ଭୁତ ମହଲ ଠିଆ ହୋଇ ଗଲାଣି । ତା’ର ଯିଏ ମାଲିକ, ତା’ର ଅନୁଚରମାନେ ହେଲେ ପ୍ରେତ ପିଶାଚ । ଆମର ଥୋକେ ପ୍ରହରୀଙ୍କୁ ସେମାନେ ବନ୍ଦୀ କରିଛନ୍ତି ।”

ମନ୍ତ୍ରୀ ଅଟ୍ଟହାସ୍ୟ କରି କହିଲେ, “କିରେ ଟୋକା! ରାତିରେ କେତେ କଳସ ମଦ ପିଇଛୁ?”

ପ୍ରହରୀ ସର୍ଦ୍ଦାର ଗମ୍ଭୀର ଭାବରେ କହିଲା “ମନ୍ତ୍ରୀବର! ଖାଲି ଥରେ ଆପଣଙ୍କ କୋଠାର ଛାତ ଉପରକୁ ଉଠି ଯାଆନ୍ତୁ ଓ ନଈକୂଳ ଆଡେ ଦୃଷ୍ଟି ଦିଅନ୍ତୁ ।”

ମନ୍ତ୍ରୀ ତା’କଥାକୁ ତଥାପି ବି ଅବିଶ୍ୱାସ କରିବା ସତ୍ତ୍ୱେ ଥରେ ଛାତ ଉପରକୁ ଉଠିଗଲେ । ତାଙ୍କ ଆଖିରେ ସଙ୍ଗେ ସଙ୍ଗେ ପିଙ୍ଗଳର ସେହି ଚମତ୍କାର ମହଲ ପଡିଲା ।

“ଇଏତ ବଡ ତାଜୁବ୍ କଥା!” ମନ୍ତ୍ରୀ ନିଜକୁ ନିଜେ ଏତିକି କହିଛନ୍ତି, ଆଉ ଜଣେ ପ୍ରହରୀ ଦୌଡି ଆସି କହିଲା, “ହଜୁର୍! ଅବସ୍ଥା ଭାରି ସାଂଘାତିକ । ରାଜକୋଷରୁ କିଛି ଗାଏବ୍ ହୋଇ ଯାଇଛି!”

ମନ୍ତ୍ରୀ ପାଟି କରି କହିଲେ “କ’ଣ ହେଲା, ରାଜକୋଷରୁ ପୁଣି ଚୋରି! କୋଷାଧ୍ୟକ୍ଷ ଓ ରାଜକୋଷର ପ୍ରହରୀମାନଙ୍କୁ ସଙ୍ଗେ ସଙ୍ଗେ କାରାଗାରରେ ଭର୍ତ୍ତି କରିବ, ତାପରେ ଯାଇ ତଦନ୍ତ ହେବ!”

ପ୍ରହରୀ କହିଲା “ହଜୁର୍! ସେମାନଙ୍କର ଏଥିରେ କୌଣସି ଦୋଷ ନାହିଁ । କୋଷାଗାରର ତାଲା ଯେମିତି ଥିଲା ଠିକ୍ ସେମିତି ଅଛି । କୌଣସି ଦିଗରୁ କେହି କାନ୍ଥ ମଧ୍ୟ ଖୋଳି ନାହିଁ । ତଥାପି ସମ୍ପତ୍ତି ଉଡି ଯାଇଛି । ଏହା ଭୌତିକ କାରବାର ଆଜ୍ଞା!”

“ଭୌତିକ କାରବାର? ତୋତେ ଯଥା ଶୀଘ୍ର ଭୂତ ବନାଇ ଛାଡିବି । ଚାଲ୍ ଏବେ ରାଜାଙ୍କ ପାଖକୁ!” ମନ୍ତ୍ରୀ ଏହା କହି ନିଜ ପୋଷାକ ବଦଳାଇ ସଙ୍ଗେ ସଙ୍ଗେ ରାଜପ୍ରାସାଦ ଅଭିମୁଖେ ବାହାରି ପଡିଲେ । କିନ୍ତୁ ସେ ଦାଣ୍ଡକୁ ବାହାରିଛନ୍ତି, ଆଉ ଜଣେ ପ୍ରହରୀ ଦୌଡି ଆସି କହିଲା, “ହଜୁର୍! ବଡ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଯାଇଛି । ଜୀବଦତ ଓ ଲକ୍ଷଦତ ନାମକ ଯେଉଁ ଦୁଇ ଭାଇଙ୍କୁ ବନ୍ଦୀ କରା ଯାଇଥିଲା, ସେ ଦୁହେଁ ପଳାଇଛନ୍ତି । ମାତ୍ର ତାଜୁବ୍ କଥା, କାରାଗାରର ଚାବି କେହିବି ଖୋଲି ନାହିଁ ।”

ଏଥର ମନ୍ତ୍ରୀ ଆଉ ସେ କଥାଟି ଉଡାଇ ଦେଇ ପାରିଲେ ନାହିଁ । ନଈ କୂଳରେ ରାତିରାତି ମହଲ ନିର୍ମାଣ, ରାଜକୋଷରୁ ସମ୍ପତ୍ତି ଚୋରି ଓ ସେ ଦୁଇ ବନ୍ଦୀଙ୍କ ପଳାୟନ, ଏସବୁ ପରସ୍ପର ସମ୍ପର୍କିତ ବୋଲି ତାଙ୍କର କାହିଁ ଧାରଣା ହେଲା ।

ସେ ଚିନ୍ତିତ ମନରେ ରାଜପ୍ରାସାଦ ଅଭିମୁଖେ ଚାଲିଲେ । ଜଣେ ଗୁପ୍ତଚର ଦେଇଥିବା ଗୋଟିଏ ଖବର ତାଙ୍କର ହଠାତ୍ ମନେ ପଡିଲା । ଗୁପ୍ତଚର କହିଥିଲା କି ଜୀବଦତ ଓ ଲକ୍ଷଦତର ସାନଭାଇ ପିଙ୍ଗଳ କୁଆଡେ ଜଣେ ବଡ ତାନ୍ତ୍ରିକ । ରାଜା ଯେଉଁ ଯାଦୁଥଳି ହାତ କରି ସବୁଦିନେ ନାନା କିସମର ଲୋଭନୀୟ ଖାଦ୍ୟଦ୍ରବ୍ୟମାନ ସୃଷ୍ଟି କରି ଖାଉଥିଲେ ଓ ମନହେଲେ ମନ୍ତ୍ରୀଙ୍କୁ ତହିଁରୁ ଥାଳିଏ ଅଧେ ଦେଉଥିଲେ, ସେ ଯାଦୁଥଳି କୁଆଡେ ପିଙ୍ଗଳ କୌଣସି ମହାତାନ୍ତ୍ରିକଠାରୁ ହାସଲ କରିଥିଲା ।

ମନ୍ତ୍ରୀ ଯାଇ ରାଜ-ପ୍ରାସାଦ ଭିତରେ ପହଁଚିବା ବେଳକୁ ସେଠି ବି ହୁଲ୍ସ୍ତୁଲ୍ କାଣ୍ଡ । ରାଜା ତାଙ୍କ ରୋଷେଇ ଘରର ସବୁ କର୍ମଚାରୀଙ୍କୁ ଡକାଇ ଧମକ ଦେଉଛନ୍ତି, “କିଏ ମୋ ଯାଦୁଥଳି ଚୋରାଇଛି? ସଙ୍ଗେ ସଙ୍ଗେ ମାନିଯାଅ । ନହେଲେ ସମସ୍ତେ ସବଂଶ ଶୂଳିରେ ଚଢିବ ।”

ମନ୍ତ୍ରୀଙ୍କୁ ଦେଖି ରାଜା ଆହୁରି ଚଢା ଗଳାରେ କହିଲେ, “ମନ୍ତ୍ରୀବର! ଶୂଳି ଅପେକ୍ଷା ଆହୁରି ଅଧିକ କିଛି ଭୟଙ୍କର ମୃତ୍ୟୁଦଣ୍ଡ କଥା କହିଲ! ଏ ସମସ୍ତଙ୍କୁ ବି ସେହି ରୀତିରେ ମାରିଲେ ଯାଇ ମୋ ମନରେ ସନ୍ତୋଷ ଆସିବ ।”

ମନ୍ତ୍ରୀ କହିଲେ “ମହାରାଜ! ମୋର ଧାରଣା ଆମ ଆଗରେ ପ୍ରଚଣ୍ଡ ସମସ୍ୟା ଦେଖା ଦେଇଛି । ଆମେ ଧୀରସ୍ଥିର ଭାବରେ ଉପାୟ ଚିନ୍ତା କରିବା । ଆପଣ ବୋଧହୁଏ ଶୁଣି ନାହାଁନ୍ତି, ରାତିରେ ରାଜକୋଷରୁ ଧନରତ୍ନ ସବୁ ଗାଏବ୍ ହୋଇଛି, କାରାଗାରରୁ ଦୁଇ ବନ୍ଦୀ କୁଆଡେ ପଳାଇଛନ୍ତି ଏବଂ ନଈ କୂଳରେ ଗୋଟିଏ ମହଲ ରାତାରାତି ଗଢି ଉଠିଛି । ସେ ମହଲ ପାଖକୁ ଯାଇ ଆମର ଅଧିକାଂଶ ନଗରରକ୍ଷୀ ବନ୍ଦୀ ହୋଇଛନ୍ତି ।”

ଏସବୁ କଥା ଶୁଣିବା ମାତ୍ରେ ରାଜା ହୁଙ୍କାର ଦେଇ କହିଲେ “ମହଲ? ଆମ ନଗରରକ୍ଷୀମାନେ ବନ୍ଦୀ? ଆରେ, କିଏ ଅଛ, ପ୍ରାସାଦର ପ୍ରଧାନରକ୍ଷୀକୁ ଡାକ । ସିଏ ଯାଇ ସେ ମହଲର ସବୁ ବାସିନ୍ଦାଙ୍କୁ ଯଥାଶୀଘ୍ର ବନ୍ଦୀ କରି ଆଣୁ ।”

ସମସ୍ତେ ତରତର ହୋଇ ପ୍ରଧାନରକ୍ଷୀକୁ ଡାକିବାକୁ ଦୌଡିଲେ । ମନ୍ତ୍ରୀ ହଠାତ୍ ରାଜାଙ୍କୁ ଆଉ କିଛି କହିବାର ସୁଯୋଗ ପାଇଲେ ନାହିଁ ।

ପ୍ରଧାନରକ୍ଷୀ ଆସି ରାଜାଙ୍କୁ ସଲାମ ବଜାଇ ପଚାରିଲା, “ମହାରାଜ! ମହଲର ବାସିନ୍ଦାମାନଙ୍କୁ ଗଧ ପିଠିରେ ବସାଇ ଆଣିବି?”

ରାଜା ହୁକୁମ୍ ଦେଲେ “ନା, ନା, ସେପରି କଲେ ବହୁତ ବିଳମ୍ବ ହେବ । ସେମାନଙ୍କୁ ଘୋଡାରେ ଆଣ ।”

ପ୍ରଧାନରକ୍ଷୀ ଆନନ୍ଦରେ ବାହାରିଗଲା । ଶହେ ସରିକି ସିପାହୀ ଧରି ସେ ନଈ କୂଳରେ ଯାଇ ପହଁଚିଲା ।

ଦୂରରୁ ଦେଖାଗଲା ପର୍ବତ ପ୍ରମାଣ ଭଲ୍ଲୁକକେତୁ ପିଙ୍ଗଳର ଅଟ୍ଟାଳିକାକୁ ପହରା ଦେଉଛି । ସେ ବିରାଟ କୋଠା ଏବଂ ସେ ଅଦ୍ଭୁତ ପ୍ରହରୀକୁ ଦେଖି ପ୍ରଧାନରକ୍ଷୀ ହୁଏତ ଡରିଥାନ୍ତା, କିନ୍ତୁ ସେ ନିଶାଗ୍ରସ୍ତ ଥିଲା ବୋଲି ଅବସ୍ଥାର ଭୟାବହତା ହଠାତ୍ କିଛି ବୁଝିପାରିଲା ନାହିଁ ।

କିନ୍ତୁ ତା’ସିପାହୀମାନେ ଅଟକିଗଲେ ଓ କହିଲେ, “ଆଜ୍ଞା, ଆମେ ମଣିଷ ହୋଇ ଏ ରାକ୍ଷସକୁ କିପରି ସାମ୍ନା କରିବା?”

“ବୁଦ୍ଧୁମାନେ! ଏଇଟା ରାକ୍ଷସ ନୁହେଁ, ଛଦ୍ମବେଶ ପକାଇ ସେ ଆମକୁ ଯାହା ଖାଲି ଡରାଉଛି!” ଏହା କହି ପ୍ରଧାନରକ୍ଷୀ ଆଗକୁ ମାଡିଗଲେ ।

ଭଲ୍ଲୁକକେତୁ ଆଖି ବନ୍ଦ କରି ନିଶ୍ଚଳ ହୋଇ ବସିଥାଏ । ହଠାତ୍ ପ୍ରଧାନରକ୍ଷୀର ଧାରଣା ହେଲା, ସିଏ ଜୀବନ୍ତ ଜୀବ ନୁହେଁ, ଗୋଟାଏ ପଥର ମୂର୍ତ୍ତି । ସେ କ୍ଷୀପ୍ର ଗତିରେ ଆଗକୁ ମାଡିଗଲା ଏବଂ ଭଲ୍ଲୁକକେତୁ ପାଖରେ ପହଁଚି ହସି ଉଠିଲା । ସଙ୍ଗେ ସଙ୍ଗେ ଭଲ୍ଲୁକକେତୁ ଆଖି ଖୋଲି ଠିଆ ହୋଇ ପଡିଲା । ପ୍ରଧାନରକ୍ଷୀର ହସ ବନ୍ଦ ହୋଇଗଲା । ସେ ବୁଲିପଡି ପଳାଇ ଆସିବାକୁ ଚେଷ୍ଟା କଲା । କିନ୍ତୁ ଆଉ ବେଳ ହେଲା ନାହିଁ । ଭଲ୍ଲୁକକେତୁ ତା’ଗୋଡ ଦୁଇଟା ଧରିନେଲା । ତାକୁ ଶୂନ୍ୟରେ ବୁଲାଇ ନଈ ଭିତରକୁ ଛାଟି ଦେଲା । ପେଣ୍ଡୁ ଭଳି ଛିଟିକି ଆସି ପ୍ରଧାନରକ୍ଷୀ ନଈ ଗର୍ଭରେ ସିଧା ପଡିଲା ।

ସିପାହୀମାନେ ସେମାନଙ୍କ ନେତା ବଂଚିଲେ କି ନାହିଁ, ବଂଚିଲେ ବି ସନ୍ତରଣ କରି କୂଳକୁ ଆସିପାରୁଛନ୍ତି କି ନାହିଁ, ଏସବୁ ଦେଖିବାକୁ ଅପେକ୍ଷା ନକରି ସଙ୍ଗେ ସଙ୍ଗେ ଛତ୍ରଭଙ୍ଗ ଦେଲେ ।

ସେମାନଙ୍କ ଭିତରୁ କେତେଜଣ ଯାଇ ରାଜାଙ୍କୁ ସବୁ କହିଲେ । ରାଜା ଚିତ୍କାର କରି ସେମାନଙ୍କୁ ଗାଳି ଦେଲେ । “ତମେ ଗୁଡାକ ଏଡେ କାପୁରୁଷ? ଶହେ ସିପାହୀ ଗୋଟାଏ ରାକ୍ଷସକୁବି ମାରି ପାରିଲ ନାହିଁ? ସେତେବେଳେ ତମ ହାତରେ ଅସ୍ତ୍ରଶସ୍ତ୍ର ଥିଲାଟି?”

“ହଜୁର୍! ସେ ଲୋକ ଖାଲି ରାକ୍ଷସ ନୁହେଁ, ରାକ୍ଷସ-ପିଶାଚ ହୋଇଥିବ । କୌଣସି ମଣିଷ ତା’ସହ ମୋଟେ ପାରିବେ ନାହିଁ ।” ଏହିପରି ଭାବେ ଜଣେ ଦୁଇଜଣ ପ୍ରହରୀ ରାଜାଙ୍କୁ ବୁଝାଇବାକୁ ଅନେକ ଚେଷ୍ଟା କଲେ ।

“ଅବନ୍ତୀ ରାଜାକୁ ଜଣେ ରାକ୍ଷସ-ପିଶାଚ ଆଗରେ ହାର ମାନିବାକୁ ପଡିବ ବୋଲି କହୁଛ? ଲଜ୍ଜା ନାହିଁ? ମନ୍ତ୍ରତନ୍ତ୍ରକୁ କ’ଣ ଜଣେ ରାଜା ଡରିଯିବ? ତାହାହେଲେ ରାଜ୍ୟ ଶାସନ କିପରି ସମ୍ଭବପର ହେବ? ଡାକ ସେନାପତିଙ୍କୁ ଡାକ ।”

ସେତେବେଳକୁ ସେନାପତିଙ୍କ ପାଖରେ ଜରୁରୀ ପରିସ୍ଥିତିର ସମ୍ବାଦ ଯାଇ ପହଁଚି ଯାଇଥାଏ । ସେ ପ୍ରାସାଦ ଆଡେ ଆସୁଥିଲେ । ରାଜା ଡକାଇଛନ୍ତି ଶୁଣି ଛାତି ଫୁଲାଇ ପ୍ରାସାଦ ଭିତରେ ସେ ପଶିଲେ ।

ରାଜା ପଚାରିଲେ “ସେନାପତି! ଅନେକ ଦିନ ହେଲା ଲଢେଇ କରି ନାହିଁ । ଅସ୍ତ୍ରଶସ୍ତ୍ର ସବୁ ଠିକ୍ ଅଛି ତ?”

“ମହାରାଜ! କାଳେ ଅସୀ ଗୁଡିକରେ କଳଙ୍କି ଧରିଯିବ, ସେଥିପାଇଁ ମୁଁ ସବୁଦିନେ ସୈନିକମାନଙ୍କୁ ଘାସ କାଟିବାରେ ଲଗାଇ ଦିଏ ।” ସେନାପତି ନିଜ ବୁଦ୍ଧିମତା ଯୋଗୁଁ ସଗର୍ବେ ହସିଲେ ।

“ବେଶ୍, ବେଶ୍, ବର୍ତ୍ତମାନ ସୈନ୍ୟଦଳ ଧରି ବାହାରିଯାଅ । ନଈକୂଳରେ ଜଣେ ତାନ୍ତ୍ରିକ ଗୋଟାଏ ମହଲ ବନାଇ ଆମର କେତେଜଣ ପ୍ରହରୀଙ୍କୁ ସେଠାରେ ସେ ବନ୍ଦୀ କରିଛି । ଲୋକେ ତା’ବିଷୟରେ ଆଉ ଅଧିକ କିଛି ଜାଣିବା ପୂର୍ବରୁ ତାକୁ ସବଂଶେ ବନ୍ଦୀ କରି ଆଣ ।”

“ଯାହା ହୁକୁମ୍, ମହାରାଜ! ମୁଁ ଏଥର ଚାଲିଲି । ଘଂଟାଏ ଭିତରେ ବନ୍ଦୀମାନଙ୍କୁ ଧରି ଲେଉଟି ଆସିବି ।”

ଏହା କହି ସେନାପତି ସୈନ୍ୟଦଳ ଧରି ବାହାରି ପଡିଲେ । ଯିଏ ଯେତେ ତନ୍ତ୍ରମନ୍ତ୍ର କରୁ ନା କାହିଁକି, ତାଙ୍କ ସୈନ୍ୟଦଳ ଆଗରେ ଯେ ସାମାନ୍ୟ କେଇଜଣ ମଣିଷ ସହଜରେ କାବୁ ହୋଇଯିବେ, ଏଥିରେ ତାଙ୍କର କୌଣସି ସନ୍ଦେହ ନଥିଲା ।

ନଈ କୂଳରେ ପହଁଚି ସେ ବିରାଟ ମହଲ ଦେଖି ସେନାପତି ଅବଶ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ତେବେ ସାଙ୍ଗରେ ହଜାରେ ସୈନ୍ୟଥିବା ଯୋଗୁଁ ତାଙ୍କର କାହାକୁ ଭୟ କରିବାର ଆଦୌ କାରଣ ନଥିଲା ।

ଭଲ୍ଲୁକକେତୁ ଆଖି ବୁଜି ବସିଥିଲା । ସେନାପତିଙ୍କର ମନେ ହେଲା, ସେ ଗୋଟାଏ ବିରାଟ ବଣମଣିଷ ଛଡା ଆଉ କିଛିବି ନୁହେଁ । ସେ ଯାଇ ପାଖରେ ପହଁଚିଗଲେ ଓ ବଲମ ଉଂଚାଇ କହିଲେ, “ହଇରେ ବଣମଣିଷ, ଶୋଇଛୁ ନା ଚେଇଁଛୁ!”

ଭଲ୍ଲୁକକେତୁ ଆଖି ପିଛୁଳାକେ ସେନାପତିଙ୍କୁ ଧରି ପକାଇଲା । ତାଙ୍କ ହାତରୁ ବଲମ୍ ଖସି ପଡିଲା । ଭଲ୍ଲୁକକେତୁ ତାଙ୍କୁ ନିଜେ ବସିଥିବା ପଥର ଉପରେ ପକାଇ ତାଙ୍କ ଉପରେ ବସି ପଡିଲା ।

ବାସ! ସେ ଦୃଶ୍ୟ ଦେଖି ସୈନ୍ୟବାହିନୀ ତଟସ୍ଥ ହୋଇ ରହିଗଲେ । ଭଲ୍ଲୁକକେତୁର ସାମାନ୍ୟ ଇଙ୍ଗିତରେ ତା’ର ଅନୁଚରମାନେ ସେ ସୈନ୍ୟଦଳ ଆଡକୁ ମାଡିଗଲେ । ସୈନ୍ୟମାନେ ପ୍ରାଣ ବିକଳରେ ପଳାଇଗଲେ ।

ରାଜା ସବୁ ଶୁଣି ଗାଲରେ ହାତ ଦେଇ ବସି ରହିଲେ । ଖିଆପିଆ ସୁଧାବି ସେ ଆଉ କଲେ ନାହିଁ । ଦୁଇଘଂଟା ପରେ ପୁଣି ମନ୍ତ୍ରୀ ଆସିଲେ । ରାଜା ଉଦାସ ଭାବରେ ତାଙ୍କୁ ଅନାଇ କହିଲେ, “ମନ୍ତ୍ରୀବର! ତମେ, ସେନାପତି, ସୈନ୍ୟଦଳ, ସମସ୍ତେ ଏ ନୂଆ ରାଜାକୁ ସ୍ୱୀକାର କରିନିଅ । ତାହାହେଲେ ଚାକିରୀ ରହିଯିବ । କିନ୍ତୁ ମୋ କଥା ଅଲଗା । ମୁଁ ରାଜା । ମୁଁ ତ ଆଉ ପ୍ରଜା ହୋଇ ରହିପାରିବି ନାହିଁ! ରହିଲେ ବି ମୋତେ ସେ ରଖାଇ ଦେବ ନାହିଁ । ରାତିହେଲେ ମୁଁ ସପରିବାରେ ରାଜ୍ୟ ଛାଡି ଚାଲିଯିବି । ମୋତେ ସେ ଦିଗରେ ଯେତିକି ପାରିବ ସାହାଯ୍ୟ କର ।”

ଏହିକଥାରେ ମନ୍ତ୍ରୀ ହସିଲେ ।

ରାଜା ବ୍ୟଥିତ କଣ୍ଠରେ ପ୍ରଶ୍ନ କଲେ “ତମେ ହସୁଛ?”

ମନ୍ତ୍ରୀ କହିଲେ “ମହାରାଜ! ଆପଣଙ୍କୁ ରାଜ୍ୟ ଛାଡି ଯିବାକୁ ପଡିବ ନାହିଁ । ଏ ଦୁଇଘଂଟା ଧରି ମୁଁ କ’ଣ କରୁଥିଲି ବୋଲି ଭାବୁଛନ୍ତି? ମୁଁ ଯାଇ ତାନ୍ତ୍ରିକ ପିଙ୍ଗଳକୁ ଭେଟି ସାରିଲିଣି । ଭାରି ଭଲ ପିଲା ସେ । ମହାରାଜ! ଆପଣ ହେଇ ସେଦିନ ମୋତେ ଆମ ଜେମାଙ୍କ ନିମନ୍ତେ ବରପାତ୍ର ଯୋଗାଡ କରିବାକୁ କହୁଥିଲେ । ମୁଁ ଭାବୁଛି, ପିଙ୍ଗଳଠୁଁ ଆମେ ଆଉ ଭଲ ପାତ୍ର ପାଇବା ନାହିଁ । ଆପଣଙ୍କ ପରେ ଆପଣଙ୍କର ଏକମାତ୍ର ଉତ୍ତରାଧିକାରୀ ଯିଏ ହେବ, ସିଏ ବୁଦ୍ଧିମାନ ଓ ସାହସୀ ହେବା ଦରକାର । ପିଙ୍ଗଳଠି ସେ ସବୁ ଗୁଣ ଅଛି ।”

ରାଜା ଚିନ୍ତିତ ଭାବରେ କହିଲେ, “କିନ୍ତୁ ପିଙ୍ଗଳ ତ ଜାତିରେ…”

“ମହାରାଜ! ଥରେ ଆପଣଙ୍କ ଜାମାତା ହୋଇଗଲେ କାହା ଜିଭରେ ହାଡ ଅଛି ଯେ ସେ ତା’ଜାତି କଥା ଉଠାଇବ? ରାଜାଙ୍କ ଜାମାତା, ପୁଣି ଭାବି-ରାଜା, ତାହାହିଁ ପିଙ୍ଗଳର ସବୁଠାରୁ ବଡ ପରିଚୟ । ତା’ଛଡା, ମହାରାଜ, ସେ ଯାଦୁଥଳି କଥା ମନେ ପକାନ୍ତୁ । ପିଙ୍ଗଳ ସେ ଖଣ୍ଡିକ ଆପଣଙ୍କ ଜିମା ରଖିବାକୁ ପ୍ରସ୍ତୁତ ।”

“ସତେ?” ଏହା କହିବା ବେଳେ ରାଜାଙ୍କ ମୁହଁରେ ଫୁଲ ଫୁଟିଲା । ସେ ମନ୍ତ୍ରୀଙ୍କୁ କୁଣ୍ଢାଇ ପକାଇ କହିଲେ, “ମନ୍ତ୍ରୀବର! ଆଉ ବିଳମ୍ବ କାହିଁକି? ଆମ ଜ୍ୟୋତିଷଙ୍କୁ କୁହ, ସେ କେଇଘଂଟା ଭିତରେ ତିଥି ବନାଇ ଦେବେ!”

ମନ୍ତ୍ରୀ ଆଶ୍ୱାସନା ଦେଇ କହିଲେ “ମହାରାଜ! ବ୍ୟସ୍ତ କାହିଁକି? ଆପଣଙ୍କ ଏକମାତ୍ର ସନ୍ତାନର ବିବାହ ବଡ ଧୁମ୍ଧାମ୍ରେ କରିବା । ଯାଦୁଥଳି ମୁଁ ଆଜି ଆଣି ଦେବି ।”

ତାହାହିଁ ହେଲା । ଏକ ସପ୍ତାହ ପରେ ଧୁମ୍ଧାମ୍ରେ ପିଙ୍ଗଳ ସହ ରାଜକନ୍ୟାଙ୍କ ପରିଣୟ ହେଲା । ପିଙ୍ଗଳ ଯେପରି ବୁଦ୍ଧିମାନ, ସାହସୀ ଓ ଭଦ୍ର, ରାଜକନ୍ୟା ମଧ୍ୟ ଠିକ୍ ସେହିପରି ମୃଦୁଭାଷିଣୀ, ସୁନ୍ଦରୀ ଓ ନମ୍ର ଥିଲେ । ପିଙ୍ଗଳ ମନ୍ତ୍ର ପଢି ପଦ୍ମପାଦଙ୍କୁ ସ୍ମରଣ କଲା । ସେ ଆସି ବରକନ୍ୟାଙ୍କୁ ଆଶୀର୍ବାଦ କଲେ ।

ଯଥା ସମୟରେ ପିଙ୍ଗଳ ଅବନ୍ତୀର ରାଜା ହେଲା ।

New odia story Odia Latest Story Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleମିତ୍ରତାର ମୂଲ୍ୟ
Next Article ମହତ୍ତ୍ୱ ପରୀକ୍ଷା
Liza S

Related Posts

ଆତିଥ୍ୟ

March 31, 2023

ନିରକ୍ଷର ସେନାପତି

March 30, 2023

ନୂତନ ଦଣ୍ଡ

March 29, 2023

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.