• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଡାକୁ ଭୈରବ
ଗଳ୍ପ

ଡାକୁ ଭୈରବ

Liza SBy Liza SMay 16, 2022No Comments7 Mins Read
Facebook Twitter Pinterest Reddit LinkedIn Tumblr Email
Daku-Bhairab
Daku-Bhairab
Share
Facebook Twitter Pinterest Reddit Email

ନିଶା ଗରଜୁ ଥାଏ । ତେଣେ ବାହାରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମୃଦୁ ମୃଦୁ ବର୍ଷା । ବଣବୁଦା ଭିତରୁ ସାଇଁ ସାଇଁ ଶବ୍ଦ ଭାସି ଆସୁଥାଏ ତଥା ଶ୍ୱାନଶ୍ୱାପଦଙ୍କ ରଡି ସାଙ୍ଗକୁ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୋକରେ ଭୟାବହ ମୁହଁଟିମାନ ଦିଶି ଯାଉଥାଏ ।

କିନ୍ତୁ ରାଜା ବିକ୍ରମାର୍କ ତିଳେମାତ୍ର ମଧ୍ୟ ବିଚଳିତ ବୋଧ ନ କରି ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟିଗଲେ ଏବଂ ବୃକ୍ଷାରୋହଣ ପୂର୍ବକ ସେହି ଶବଟିକୁ ଉତାରି ଆଣିଲେ । ତେବେ ତାକୁ ସେ ତାଙ୍କ କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେହି ବେତାଳ କହି ଉଠିଲା, “ରାଜନ୍! ରାତ୍ରିର ଏହି ନିଃଶବ୍ଦ ଅନ୍ଧକାରରେ ବେଶ୍ ନିର୍ଭୀକ ଭାବେ ତୁମେ ନିଜ କର୍ତ୍ତବ୍ୟରେ ଆଗେଇ ଯାଉଛ । ତୁମର ଶକ୍ତି ସାମର୍ଥ୍ୟ ଦେଖି ମୁଁ ଖୁବ୍ ଆଚମ୍ବିତ ହେଉଛି । ସମ୍ଭବତଃ ତୁମର ଏପରି ଆତ୍ମ-ବିଶ୍ୱାସର କାରଣ ଧର୍ମ ଓ ନ୍ୟାୟ । ଏହାରି ବଳରେ ଶାସନ ପରିଚାଳିତ ହେଉଛି । କିନ୍ତୁ କେତେକ ଶାସକ ନ୍ୟାୟ ଓ ଧର୍ମର ଭିତିରେ ଶାସନ କରୁଥିଲେ ମଧ୍ୟ, କୌଣସି କ୍ଷେତ୍ରରେ ନିଜର ମାନସିକ ବଳହୀନତା ପ୍ରକାଶ କରି ଧର୍ମ ଓ ନ୍ୟାୟର ବିରୁଦ୍ଧାଚରଣ କରିଛନ୍ତି । ଉଦାହରଣ ସ୍ୱରୂପ ମୁଁ ତୁମକୁ ଡାକୁ ଭୈରବର କାହାଣୀ ଶୁଣାଉଛି । ଶୁଣ, ଶୁଣିଲେ ତୁମ ପଥଶ୍ରମ ଲାଘବ ହେବ ।” ଏହାପରେ ସେ ବେତାଳ ଗପିବାରେ ଲାଗିଲା ।
ବହୁଦିନ ତଳେ ମନ୍ଦାର ପ୍ରଦେଶରେ ମଣିଧ୍ୱଜ ନାମକ ଜଣେ ଶାସକ ଶାସନ କରୁଥିଲେ । ନିଜର ଧୈର୍ଯ୍ୟ, ସାହସ, ବିବେକ ଓ ନ୍ୟାୟପୂର୍ଣ୍ଣ ଶାସନ ନିମନ୍ତେ ସେ ବେଶ୍ ପ୍ରଖ୍ୟାତ ଥିଲେ । ତାଙ୍କର ଶାସନରେ କଠୋର ଦଣ୍ଡବିଧି ପ୍ରଚଳିତ ଥିଲା । ଚୋରର ହାତ କାଟି ଦିଆ ଯାଉଥିଲା । ଡାକୁକୁ ଶୂଳୀ ଦଣ୍ଡ ମିଳୁଥିଲା । ତେବେ ମଧ୍ୟ ଦେଶରେ ଡାକୁ ଉପଦ୍ରବ ସମ୍ପୂର୍ଣ୍ଣ ବନ୍ଦ ହୋଇ ନ ଥାଏ ।
କାରଣ ମନ୍ଦାର ପ୍ରଦେଶ ଓ ପଡୋଶୀ ରାଜ୍ୟ ଚମ୍ପକ ନଗରୀର ସୀମାବର୍ତ୍ତୀ ଅଂଚଳରେ ଏକ ବିରାଟ ଅରଣ୍ୟ ଥିଲା । ସେହି ଘଂଚ ଅରଣ୍ୟରେ ଆତ୍ମଗୋପନ କରି ଡାକୁମାନେ ପ୍ରଜାମାନଙ୍କୁ ଆକ୍ରମଣ କରୁଥିଲେ । ମଣିଧ୍ୱଜଙ୍କ ସୈନିକମାନେ ବହୁବାର ସେ ଡକାୟତଙ୍କୁ ଧରିବା ପାଇଁ ଚେଷ୍ଟା କରି ମଧ୍ୟ ବିଫଳ ହେଉଥିଲେ । ଘୋର ଅରଣ୍ୟରେ ସେମାନଙ୍କର ସନ୍ଧାନ କରିବା ଆଦୌ ସମ୍ଭବ ହେଉ ନ ଥିଲା ।

ଥରେ ଭୈରବ ପାଖକୁ ତା’ର ସାଥୀମାନେ ଜଣେ ମୁନିଙ୍କୁ ଧରି ଆଣିଲେ । ସେମାନେ ପ୍ରକାଶ କଲେ ଯେ, ଏହି ଛଦ୍ମବେଶୀ ମୁନି ରାଜାଙ୍କ ଗୁପ୍ତଚର ଅଟେ । କିନ୍ତୁ ଯେତେବେଳେ ଭୈରବ ସ୍ପଷ୍ଟ ରୂପେ ଜାଣିପାରିଲା ଯେ ସେ ପ୍ରକୃତରେ ଜଣେ ସାଧୁ ମହାତ୍ମା, ତାଙ୍କୁ ଅରଣ୍ୟର ଅପର ପ୍ରାନ୍ତରେ ଛାଡି ଦେବା ପାଇଁ ସେ ତା’ର ଅନୁଚରମାନଙ୍କୁ ଆଦେଶ ଦେଲା ।

ମୁନି ସେଠାରୁ ଯିବା ପାଇଁ ଅନିଚ୍ଛୁକ ହୋଇ କହିଲେ, “ପୁତ୍ର, ମୁଁ ତ ଜାଣିଶୁଣି ଅରଣ୍ୟର ଏହି ନିଘଂଚ ଅଂଚଳକୁ ଆସିଛି । ମୋର ଯୋଗ ସାଧନା ନିମନ୍ତେ ଏକାଗ୍ରତା ଓ ନିରୋଳା ପରିବେଶ ନିତାନ୍ତ ଆବଶ୍ୟକ ।

କିନ୍ତୁ ଏହା ପୂର୍ବରୁ ମୁଁ ଯେତେଥର ଯୋଗ ସାଧନାରେ ଉପବେଶନ କରିଛି, କେହି ନା କେହି ଯାତ୍ରୀଙ୍କର ଦୃଷ୍ଟି ମୋ ଉପରେ ପଡିଛି ଓ ସେମାନେ ନାନାଦି ପ୍ରଶ୍ନ ପଚାରି ମୋର ଧ୍ୟାନ ଭଙ୍ଗ କରାଇଛନ୍ତି । ଏହା ଫଳରେ ମୋର ଏକାଗ୍ରତା ନଷ୍ଟ ହୋଇଛି । ଏହି ଗୋପନ ସ୍ଥଳୀରେ ମୋ ପାଇଁ କିଛି ବନ୍ଦୋବସ୍ତ କରାଇ ଦେଲେ ମୋର ଯୋଗ ସାଧନା ସମ୍ପୂର୍ଣ୍ଣ ହୋଇ ପାରନ୍ତା ।”

ଭୈରବ ସେହି ମୁନିଙ୍କ ପାଇଁ ସମସ୍ତ ପ୍ରକାରର ବନ୍ଦୋବସ୍ତ କରାଇଲା, ଯେପରି ସାଧୁ ମହାତ୍ମାଙ୍କର ତପସ୍ୟା ନିର୍ବିଘ୍ନରେ ସମାପନ ହୋଇ ପାରିବ ।

ଦିନେ ସାଧୁ ଭୈରବକୁ ନିଜ ପାଖକୁ ଡକାଇ କହିଲେ, “ପୁତ୍ର ଏବେ ତ ଗ୍ରୀଷ୍ମଋତୁ ଆଗତ-ପ୍ରାୟ । ଉଷ୍ମତାର ଆଧିକ୍ୟ ହେତୁ ମୁଁ ହିମାଳୟ ଅଂଚଳକୁ ଚାଲି ଯିବାକୁ ଇଚ୍ଛା କରୁଛି । ତୁମର ସେବା-ଯତ୍ନରେ ମୁଁ ଅତ୍ୟନ୍ତ ପ୍ରସନ୍ନ, ମାତ୍ର ତୁମର ବୃତ୍ତି ମୋତେ ଦାରୁଣ ଆଘାତ ଦେଇଛି । ପରଧନ ଅପହରଣ, ଲୁଣ୍ଠନ ଏକ ପାପ କର୍ମ ଅଟେ ।”

ସାଧୁଙ୍କର ଏଭଳି ଉପଦେଶ ଶୁଣି ଭୈରବ କହିଲା, “ମହାତ୍ମା, ମୋତେ ପ୍ରକୃତରେ ପାପ କ’ଣ, ପୂଣ୍ୟ କ’ଣ ତାହା ଜଣା ନାହିଁ । ଆମର ପୂର୍ବପୁରୁଷ ଅମଳର ପେସା ଲୁଣ୍ଠନ ଓ ଡକାୟତି । କେବଳ ଯୁଦ୍ଧ ବ୍ୟତୀତ ମୋତେ ଅନ୍ୟ କୌଣସି ବିଦ୍ୟା ମଧ୍ୟ ଜଣା ନାହିଁ । ରାଜା କ’ଣ ମୋତେ ତାଙ୍କର ସୈନ୍ୟବାହିନୀରେ ସ୍ଥାନ ଦେବେ? ଧରା ପଡିବା ମାତ୍ରେ ମୋତେ ଏକ ଡାକୁର ସଜା ମିଳିବା ସୁନିଶ୍ଚିତ । ତେଣୁ ଏ ଜୀବନରେ ନିଜକୁ ପରିବର୍ତ୍ତନ କରି ମୋତେ ଆଉ କ’ଣ ବା ଲାଭ ମିଳିବ?”

ସାଧୁ ମହାତ୍ମା ଭୈରବର ସଦ୍ବୁଦ୍ଧି ଉଦୟ ନିମନ୍ତେ ବହୁ ଚେଷ୍ଟା କଲେ, କିନ୍ତୁ ସେଥିରେ ସେ ବିଫଳ ହେବାରୁ ଭୈରବକୁ ସେ କହିଲେ, “ପୁତ୍ର, ଯାହା ଉଚିତ୍ କଥା, ତାହା ମୁଁ ତୁମକୁ ଜଣାଇଲି । ଏବେ ତୁମର ଇଚ୍ଛା । କିନ୍ତୁ ମୋର ସେବାର ପ୍ରତିଦାନ ମୁଁ ତୁମକୁ ଦେବାପାଇଁ ଚାହୁଁଛି । ମୁଁ ତୁମକୁ ଗୋଟିଏ ମନ୍ତ୍ର ଶିକ୍ଷା ଦେବି । ତାହା ଜପ କରିବା ମାତ୍ରେ ତୁମେ ଏକ ଶିଶୁ ହୋଇଯିବ । ଏହାଦ୍ୱାରା ତୁମେ ନିଜର ଜୀବନ-କାଳ ପୁନଶ୍ଚ ପ୍ରଥମରୁ ଆରମ୍ଭ କରି ପାରିବାର ଯଥେଷ୍ଟ ସୁଯୋଗ ପାଇ ପାରିବ । କିନ୍ତୁ ହଁ, ତୁମେ ପୁଣି ଥରେ ଭୈରବ ହେବା ପାଇଁ ଚାହିଁଲେ ଆଉ ହୋଇ ପାରିବ ନାହିଁ । ଆବଶ୍ୟକତା ପଡିଲେ ଏହି ମନ୍ତ୍ର ବଳରେ ତୁମେ ଏକ ନୂତନ ଜୀବନ ଆରମ୍ଭ କରିପାର ।” ମୁନି ମନ୍ତ୍ର ଶିକ୍ଷା ଦେଇ ସେ ସ୍ଥାନ ପରିତ୍ୟାଗ କଲେ ।

ଥରେ ଚମ୍ପକ ନଗରୀର ରାଜାଙ୍କ ଧନର ଆବଶ୍ୟକତା ପଡିଲା । ସେ ମଣିଧ୍ୱଜଙ୍କ ଠାରୁ ଆର୍ଥିକ ସହାୟତା ଲୋଡିଲେ । ମଣିଧ୍ୱଜ ବଳିଷ୍ଠ, ଯୁଦ୍ଧ ନିପୁଣ ବଚ୍ଛା ବଚ୍ଛା ସୈନିକଙ୍କ ହସ୍ତରେ ସେହି ଧନରାଶି ଚମ୍ପକ ନଗରୀ ପଠାଇଲେ । କିନ୍ତୁ ତାହା ଚମ୍ପକ ନଗରୀରେ ପହଁଚି ପାରିଲା ନାହିଁ । ଏପରିକି ସୈନିକମାନଙ୍କର କ’ଣ ଦୂରବସ୍ଥା ହେଲା, ତାହା ମଧ୍ୟ ଜାଣି ହେଲାନାହିଁ । ମଣିଧ୍ୱଜ ଧାରଣା କରିନେଲେ ଯେ, ଏହା ନିଶ୍ଚୟ ଅରଣ୍ୟ ନିବାସୀ ଡକାୟତର କୁକର୍ମ । ତେଣୁ ସେ ଆଉ କାଳ ବିଳମ୍ବ ନ କରି ନିଜ ନେତୃତ୍ୱରେ ଏକ ବିଶାଳ ସୈନ୍ୟବାହିନୀ ନେଇ ସେହି ଅରଣ୍ୟର ଅଭ୍ୟନ୍ତର ପ୍ରଦେଶକୁ ଘେରାଉ କଲେ । ଡାକୁ ଭୈରବ ଧରା ପଡିଲା । ରାଜା ତାକୁ ଧନରାଶି ଓ ସୈନିକଙ୍କ ସମ୍ବନ୍ଧରେ ପଚାରିବାରୁ, ସେ ଏ ବିଷୟରେ କିଛି ଜାଣି ନାହିଁ ବୋଲି କହିଲା । କିନ୍ତୁ ସେ ଯେ ଜଣେ ଡାକୁ, ତାହା ସେ ସ୍ୱୀକାର କଲା ।

ମଣିଧ୍ୱଜ ଭୈରବର ଉକ୍ତିକୁ ମୋଟେ ବିଶ୍ୱାସ କଲେ ନାହିଁ । ତାକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ପାଇଁ ସେ ଆଦେଶ ଦେଲେ । କାରଣ ସେ ଜଣେ ଡାକୁ ଓ ଡାକୁମାନଙ୍କର ଗୋପନୀୟ ଆଡ୍ଡାରୁ ସେ ଧରା ପଡିଥିଲା । ଏକ ସପ୍ତାହ ପରେ ରାଜାଙ୍କ ଆଦେଶ କାର୍ଯ୍ୟକାରୀ ହେବ ଜାଣିପାରି ଭୈରବ ଅତ୍ୟନ୍ତ ଦୁଃଖିତ ହୋଇ ପଡିଲା । କାରାଗାର ମଧ୍ୟରେ ବନ୍ଦୀ ଥିବା ଅବସ୍ଥାରେ ସେ ବହୁ ଚିନ୍ତା କରି ଶେଷରେ ସାଧୁଙ୍କର ସେହି ମନ୍ତ୍ରଟିକୁ ପ୍ରୟୋଗ କରିବା ପାଇଁ ସ୍ଥିର କଲା ।

ତତ୍ ପରଦିନ ପ୍ରଭାତ ସମୟରେ ବନ୍ଦୀଗୃହ ଅଧିପତି ସୈନିକଙ୍କ ସହିତ ଆସି ଦ୍ୱାର ଖୋଲିଲେ । ନିଦ୍ରିତ ଭୈରବକୁ ଉଠାଇବା ପାଇଁ ସେ ହାତ ମାରିବା ବେଳକୁ ଦେଖିଲେ ଏକ ନବଜାତ ଶିଶୁ ସେହି ବିଛଣା ଭିତରେ ଅଛି । ଏସବୁ ଘଟଣା ଦେଖି ତାଙ୍କର ଆଶ୍ଚର୍ଯ୍ୟର ଆଉ ସୀମା ରହିଲା ନାହିଁ । କାରଣ ଦ୍ୱାର ଯଥାବତ୍ ବନ୍ଦ ଥିଲା । ଭିତରୁ କେହି ବାହାରକୁ ଯିବା ପାଇଁ କିମ୍ବା ବାହାରୁ ଭିତରକୁ ଆସିବା ପାଇଁ ଅନ୍ୟ କୌଣସି ମାର୍ଗ ନ ଥିଲା । ସେ ଶିଶୁଟିକୁ ହାତରେ ଧରି ତାକୁ ଭଲ ଭାବରେ ଦେଖିଲେ । ଭୈରବ ପରି ତା’ର ଗାଲରେ ବି ଏକ କଳାଦାଗ ଥିଲା । ଶିଶୁର ଚେହେରା ସହିତ ଭୈରବର ସମ୍ପୂର୍ଣ୍ଣ ସାମଞ୍ଜସ୍ୟ ଥିଲା ।

ସ୍ୱୟଂ ଭୈରବ ଶିଶୁ ରୂପରେ ପରିବର୍ତ୍ତିତ ହୋଇ ଯାଇଥିବା ସମ୍ବନ୍ଧରେ ସେ ନିଃସନ୍ଦେହ ହେଲେ । ରାଜାଙ୍କ ଆଦେଶରେ ଭୈରବ ଫାଶୀ ଦଣ୍ଡ ପାଇବା କଥା । ତେବେ ତା’ ବଦଳରେ ଏହି ଶିଶୁ ସେହି ଦଣ୍ଡ ପାଇବ କି ନାହିଁ ତାହା ସେ ସ୍ଥିର କରି ପାରିଲେ ନାହିଁ । ରାଜା ମଣିଧ୍ୱଜଙ୍କ ଦରବାରରେ ସେହି ଶିଶୁଟିକୁ ସଙ୍ଗରେ ଧରି ସେ ପହଁଚିଲେ । ସମସ୍ତ ବିଷୟ ସେ ସବିଶଦ ବର୍ଣ୍ଣନା କଲେ । ମଣିଧ୍ୱଜ ଏହି ଆଚମ୍ବିତ ଘଟଣା ସମ୍ପର୍କରେ ସଭାସଦଙ୍କର ମତାମତ ଲୋଡିଲେ ।

ସୁପ୍ରସିଦ୍ଧ ବଣିକ ପ୍ରମୋଦଗୁପ୍ତ କହିଲେ, “ମହାରାଜ, ଏହି ଶିଶୁଟି ଯେ ଭୈରବ, ଏହା ତ ନିଃସନ୍ଦେହ ଅଟେ । ମନ୍ଦାର ପ୍ରଦେଶର ଦୁର୍ଭେଦ୍ୟ କାରଗାର ଟପି କେହି ବାହାରକୁ ଯିବା ସମ୍ଭବ ନୁହେଁ । ମନ୍ତ୍ରତନ୍ତ୍ର ବଳରେ ଦଣ୍ଡରୁ ମୁକ୍ତି ପାଇବା ପାଇଁ ଏହା ସେ ଭୈରବର ଏକ କୌଶଳ । ମୁକ୍ତି ପାଇଯିବା ମାତ୍ରେ ସେ ପୁଣି ଡାକୁ ଭୈରବରେ ପରିଣତ ହୋଇଯିବ । ତେଣୁ ଭୈରବକୁ ମିଳିଥିବା ଦଣ୍ଡ, ଏହି ଶିଶୁକୁ ବିନା ଦ୍ୱିଧାରେ ପ୍ରଦାନ କରାଯାଉ । ଆପଣ ଏହାକୁ ଦୟା ପ୍ରଦର୍ଶନ କଲେ ଏହି ଅପରାଧୀ ଏହିପରି ଅପରାଧ ବାରମ୍ବାର କରି ଚାଲିବ ଓ ମନ୍ତ୍ରତନ୍ତ୍ର ବଳରେ ଅତି ସହଜରେ ପୁଣି ଖସିଯିବ । ଦେଶ ପାଇଁ ଏକ ଘୋର୍ ଆତଙ୍କରେ ସେ ପରିଣତ ହେବ । ଏହାକୁ ଛାଡି ଦେବା ଅର୍ଥ ଦେଶର ଆଇନ୍ କାନୁନକୁ ଉପହାସ କରିବା । ତେଣୁ ଆପଣ ନିଜ ମନ ଭିତରୁ ଦୟାର ଭାବ ସମ୍ପୂର୍ଣ୍ଣ ପରିତ୍ୟାଗ କରନ୍ତୁ । ଆଉ ଏହାକୁ ଅବିଳମ୍ବେ ଫାଶୀ ଦଣ୍ଡରେ ଦଣ୍ଡିତ କରନ୍ତୁ ।”

ମଣିଧ୍ୱଜ ତାଙ୍କ ପରାମର୍ଶ ସମ୍ବନ୍ଧରେ କିଛି ସମୟ ପାଇଁ ଚିନ୍ତା କଲେ । ଶେଷରେ ସେ ଏହା ଘୋଷଣା କଲେ ଯେ, “ଏହି ଶିଶୁକୁ କୌଣସି ବି ଦଣ୍ଡ ମିଳିବ ନାହିଁ ।” ଏହାପରେ ସେହି ଶିଶୁଟିକୁ ଅନ୍ତଃପୁରରେ ଲାଳନପାଳନ କରିବା ପାଇଁ ସେ ନିର୍ଦେଶ ଦେଲେ ।

ବେତାଳ ତା’ର କାହାଣୀଟି ଶୁଣାଇବା ପରେ ରାଜା ବିକ୍ରମାର୍କଙ୍କୁ ସେ ପ୍ରଶ୍ନ କଲା, “ରାଜନ୍! ମଣିଧ୍ୱଜଙ୍କ ନ୍ୟାୟ-ନିର୍ଣ୍ଣୟ ସମ୍ବନ୍ଧରେ ମୋର କାହିଁ ଟିକେ ସନ୍ଦେହ ଜାତ ହେଉଛି । ସମସ୍ତେ ତ ଏକମତ ଥିଲେ ଯେ, ସେହି ଶିଶୁ ଭୈରବ ବ୍ୟତୀତ ଅନ୍ୟ କେହିବି ନୁହେଁ । କେବଳ ରୂପ ବଦଳିଗଲେ ଯେ ଜଣେ ଡକାୟତକୁ ଦଣ୍ଡରୁ ମୁକ୍ତି ମିଳିବା କ’ଣ ଉଚିତ୍? ତା’ ସହିତ ରାଜା ଶିଶୁଟିକୁ ଅନ୍ତଃପୁରରେ ଆଶ୍ରୟ ଦେଲେ । ଏହାର ଅର୍ଥ ହେଉଛି, ଜଣେ ଡାକୁକୁ ରାଜକୀୟ ସତ୍କାର ମିଳିଲା । ଶିଶୁ ପ୍ରତି ରାଜାଙ୍କ ମନରେ ଏପରି କରୁଣା ଭାବ ଜାତ ହେବାରୁ ସେ ତାଙ୍କ ରାଜ-କର୍ତ୍ତବ୍ୟରୁ ବିଚ୍ୟୁତ ହୋଇଛନ୍ତି । ରାଜ୍ୟର ଦଣ୍ଡ-ବ୍ୟବସ୍ଥାକୁ ଉପହାସ କରିଛନ୍ତି । ଏହାର ସମାଧାନ ଜାଣି ମଧ୍ୟ ନୀରବ ରହିଲେ ତୁମର ମସ୍ତକ ଶତଧା ବିଦୀର୍ଣ୍ଣ ହେବ ।”

ବିକ୍ରମାର୍କ କହିଲେ, “ମଣିଧ୍ୱଜଙ୍କ ବିଚାର ସମ୍ପୂର୍ଣ୍ଣ ନ୍ୟାୟ ସମ୍ମତ ଅଟେ । ଶିଶୁ ରୂପୀ ଭୈରବ ନିରପରାଧୀ ଅଟେ । ଭୈରବ ରାଜାଙ୍କ ସମ୍ପଦ ଅପହରଣ କରିଥିବା ଅଭିଯୋଗକୁ ସ୍ୱୀକାର କରି ନାହିଁ । ତା’ର ଗୋପନୀୟ ଆଡ୍ଡାରୁ ମଧ୍ୟ ସେହି ସମ୍ପଦ ଉଦ୍ଧାର କରାଯାଇ ନାହିଁ । ରାଜା ଭୈରବର ଅପରାଧର କୌଣସି ବି ପ୍ରମାଣ ପାଇ ନ ଥିଲେ । ତା’ ସହିତ ସେ ଲକ୍ଷ୍ୟ କଲେ ଯେ, ଭୈରବ ତା’ର ପାପୀ ଜୀବନକୁ ପରିତ୍ୟାଗ କରି ଏକ ନୂତନ ଜୀବନର ଶୁଭାରମ୍ଭ କରିବା ପାଇଁ ପ୍ରଚେଷ୍ଟା କରିଛି । ମନ୍ତ୍ର ପ୍ରଦାନ କରିଥିବା ସାଧୁ ଆରମ୍ଭରୁ ସତ୍ମାର୍ଗରେ ଜୀବନ ପରିଚାଳିତ କରିବା ପାଇଁ ତାକୁ ସେ ଏପରି ଏକ ସୁଯୋଗ ଦେଇଥିଲେ । ଶିଶୁରୂପୀ ଭୈରବ, ପୂର୍ବ ଭୈରବର କର୍ମ ଓ ଜୀବନ ସମ୍ବନ୍ଧରେ ସମ୍ପୂର୍ଣ୍ଣ ଅଜ୍ଞାତ । ତେଣୁ ଏହା ନିଃସନ୍ଦେହ ଯେ ରାଜା ମଣିଧ୍ୱଜଙ୍କ ନ୍ୟାୟ-ନିର୍ଣ୍ଣୟରେ ଆଦୌ ଯମାରୁ କୌଣସି ତ୍ରୁଟି ନାହିଁ ।”

ଏହିପରି ଭାବେ ସେ ରାଜାଙ୍କର ମୌନଭଙ୍ଗ କରାଇବାରେ ସଫଳ ହୋଇ ଶବ ଓ ଶବସ୍ଥିତ ବେତାଳ ରାଜାଙ୍କର କାନ୍ଧରୁ ଖସି ପୁନର୍ବାର ବୃକ୍ଷ ଡାଳରେ ଯାଇ ଝୁଲି ପଡିଲା ।

New odia story Odia Gapa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleବିଜୟ ରହସ୍ୟ
Next Article ବୁଦ୍ଧି ଓ ସିଦ୍ଧି
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.