• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଉପନ୍ୟାସ»ଡାକମୁନ୍ସି
ଉପନ୍ୟାସ

ଡାକମୁନ୍ସି

suchitraBy suchitraFebruary 10, 2022No Comments9 Mins Read
Facebook Twitter Pinterest Reddit LinkedIn Tumblr Email
Odia-Short-Story-Dakamunshi
Odia-Short-Story-Dakamunshi
Share
Facebook Twitter Pinterest Reddit Email

ହରି ସିଂହ ସରକାରୀ କର୍ମରେ ବାହାଲ ହେବା ଦିନଠାରୁ ମଫସଲର ସାନ ବଡ ଅନେକ ପୋଷ୍ଟଅଫିସକୁ ବଦଳି ହୋଇ କର୍ମ ଇଞ୍ଜାମ ସେ କରି ଆସିଲେଣି । ଆଜିକୁ ଦଶବର୍ଷ ହେଲା କଟକ ସଦର ପୋଷ୍ଟଅଫିସରେ ବରାବର ରହି ସେ କର୍ମ କରୁଛନ୍ତି । ଭଲରୂପେ କର୍ମ କରିବାରୁ ସେ ପ୍ରମୋସନ ମଧ୍ୟ ପାଇଲେଣି । ବର୍ତ୍ତମାନ ସେ ହେଡ୍ପିଅନ, ଦରମା ମାସକୁ ତାଙ୍କର ନଅ ଟଙ୍କା । କଟକ ସହରରେ ତ ସବୁ ଜିନିଷ କିଣା । ନିଆଁ ଟିକକ ପାଇଁ ଦିଆସିଲିଟା ମଧ୍ୟ ନ କିଣିଲେ ନଚଳେ । ଅତି କଷ୍ଟରେ ଚଳି ସୁଦ୍ଧା ମାସକୁ ପାଂଚଟଙ୍କାରୁ ଊଣା ଖରଚ ପଡେ ନାହିଁ । କୌଣସିରୂପେ ଘରକୁ ଚାରି ଟଙ୍କା ନ ପଠାଇଲେ ନଚଳେ । ଘରେ ତାଙ୍କର ସ୍ତ୍ରୀ ଆଉ ଆଠ ବରଷର ପୁଅ ଗୋପାଳ । ମଫସଲ ଜାଗା । ଚାରିଟଙ୍କାରେ କୌଣସିରୂପେ ଟାଣଟୁଣ ହୋଇ ସେମାନେ ଚଳିଯାନ୍ତି । ସେଥିରୁ ପଇସାଏ ଊଣା ହେଲେ ଭାରି ଅଚଳ । ଗୋପାଳ ଅପର ପ୍ରାଇମେରୀ ସ୍କୁଲରେ ପଢେ । ସ୍କୁଲରେ ତା’ର ମାସକୁ ଦରମା ଦୁଇଅଣା । ସ୍କୁଲ ଦରମା ଛଡା ଆଜି ବହି ଖଣ୍ଡେ କାଲି ସ୍ଲେଟ୍ କାଗଜ ଏ ସବୁ ଜିନିଷ କିଣିବାକୁ କେବେ କେବେ କିଛି ବେଶି ଖରଚ ପଡେ । ଏପରି ଉପୁରି ଖରଚ ପଡିଗଲେ ସେ ମାସରେ ଭାରି କଷ୍ଟ । ଏହି କାରଣରୁ ଦିନେ ଦିନେ ସେ ବୁଢାକୁ ଉପାସ ମଧ୍ୟ ରହିଯିବାକୁ ହୁଏ । ବାପାଙ୍କ ମନରେ ଥାଏ ଉପାସ ହେଉ ପଛେ ମାତ୍ର ମୋ ଗୋପାଳଟି ପଢୁ ।

ଦିନେ ପୋଷ୍ଟମାଷ୍ଟର ସର୍ଭିସ୍ ବୁକ୍ ଦେଖି କହିଲେ, “ହରି ସିଂହ, ତୁମକୁ ପଂଚାବନ ବର୍ଷ ବୟସ ହୋଇଗଲା, ଏଥର ତୁମକୁ ପେନ୍ସନ୍ ନେବାକୁ ହେବ, ତେଣୁ ତୁମେ ଆଉ ଚାକିରି କରିପାରିବ ନାହିଁ ।”ଏକଥା ଶୁଣି ସେ ସିଂହଙ୍କ ମୁଣ୍ଡରେ ତ ସତେ ଯେମିତି ବଜ୍ର ଭାଙ୍ଗିପଡିଲା । କଣ କରିବେ ସେ, ସଂସାର ତାଙ୍କର ଚଳିବ କିପରି? ସଂସାର ପଛକେ ଯାହାହେଉ ଗୋପାଳର ଯେ ପଢା ବନ୍ଦ! ଗୋପାଳ ଜନ୍ମଦିନଠାରୁ ସିଂହେ ମନ ମଧ୍ୟରେ ଭାରି ଗୋଟାଏ ଉଚ୍ଚ ଆଶା ପୋଷିଛନ୍ତି – ଗୋପାଳ ମଫସଲ ପୋଷ୍ଟଅଫିସରେ ସବ୍ପୋଷ୍ଟମାଷ୍ଟର ହେବ – ଅତି ନିକୁଛରେ ଭିଲେଜ ପୋଷ୍ଟମାଷ୍ଟରଟିଏ ତ ସେ ହେବ । ମାତ୍ର ଟିକିଏ ଇଂରାଜୀ ନ ଜାଣିଲେ ଏଡେ ବଡ ଚାକିରିଟା ମିଳିବା ଭାରି ମୁସ୍କିଲ । ମଫସଲରେ ତ କୌଣସି ସୁବିଧା ନାହିଁ, ତେଣୁ ଗୋପାଳକୁ କଟକ ଆଣି ଇଂରାଜୀ ପଢାଇବାକୁ ହେବ । ଚାକିରିଟା ଗଲେ କେଡେ ବଡ ଆଶାରୁ ଏକାବେଳକେ ନିରାଶ ହେବେ ସେ । ସବୁବେଳେ ସେହି କଥା ଭାବି ଭାବି ଦେହଟା ତାଙ୍କର କଳାକାଠ ପଡିଗଲାଣି । ଦିନେ ଦିନେ ରାତିରେ ବି ତାଙ୍କୁ ଆଦୌ ନିଦ ହୁଏ ନାହିଁ, ସେହି କଥାକୁ ସେହି କଥା ଭାବି ଭାବି ତାଙ୍କ ରାତି କେମିତି ପାହିଯାଏ ।

ସିଂହଙ୍କ ଉପରେ ପୋଷ୍ଟମାଷ୍ଟରବାବୁଙ୍କର ଭାରି ମେହରବାନି । ବସାରେ ମୁକରର ଚାକର ଥିଲେ ମଧ୍ୟ ସରକାରୀ କାମ ସାରି ସଞ୍ଜବେଳେ ସିଂହେ ବାବୁଙ୍କ ବସାରେ ଦୁଇ ଚାରିଟା କାମଦାମ କରିଦେଇ ଆସନ୍ତି । ସଞ୍ଜବେଳେ ଗୋଟାଏ ଆରାମ ଚୌକିରେ ପଡି ବାବୁ ଇଂରାଜୀ ଖବରକାଗଜ ପଢିବାବେଳେ ସିଂହେ ଯେଉଁ ମିଠା କଡା ଗୁଡାଖୁ ଚିଲମେ ସାଜି ଦିଅନ୍ତି, ସେପରି କେହି ବି ଜାଣେ ନାହିଁ । ଦିନେ ସଞ୍ଜବେଳେ ସିଂହେ ଭଲ କରି ଗୁଡାଖୁ ଚିଲମେ ସାଜି ଆଣି ଭଲକରି ଚିଲମଟା ଫୁଙ୍କିଦେଲେ । ବାବୁଙ୍କ ମୁହଁରୁ ଇଞ୍ଜିନ୍ ପାଇପରୁ ଧୂଆଁ ବାହାରିଲା ପରି ଧୂଆଁଗୁଡାକ ଭକ ଭକ କରି ବାହାରୁଛି, ଟିକିଏ ଟିକିଏ ଆଖିବୁଜି ଆସିଲାଣି ବାବୁଙ୍କର । ସିଂହେ ବୁଝିନେଲେ ଯେ, ଏଇଟା ହିଁ ଠିକ୍ ସମୟ । ତେଣୁ ସିଂହେ ସେ ବାବୁଙ୍କ ଗୋଡତଳେ ଦଣ୍ଡବତ ହୋଇ ହାତଯୋଡି ଖୁବ୍ ଭକ୍ତିରେ, ଖୁବ୍ ବିନୟରେ, ଖୁବ୍ ଧୀରେ, ଖୁବ୍ ମିଠା କଥାରେ ଆପଣାର ସମସ୍ତ ଦୁଃଖ ହାଲ ଚୁମ୍ବକରେ ଜଣାଇଲେ । ଗୋପାଳ ସମ୍ବନ୍ଧରେ ତାଙ୍କର ଯେଉଁ ଉଚ୍ଚ ଆଶା, ତାହା ମଧ୍ୟ ଜଣାଇବାକୁ ସିଂହେ ପାସୋରିଲେ ନାହିଁ । ଏଣେ ବାବୁ ସେହିପରି ନୟନ ମୁଦ୍ରିତାବସ୍ଥା – ଧୀର ଗମ୍ଭୀର ଭାବରେ ସେ କହିଲେ, “ଆଚ୍ଛା, ଦରଖାସ୍ତ ଖଣ୍ଡେ ଲେଖିଆଣ ।”ବାବୁଙ୍କର ସାହସ ଥିଲା, କାରଣ ପୋଷ୍ଟେଲ ଇନ୍ସପେକ୍ଟର ବା ସୁପରିଂଟେଣ୍ଡେଂଟ୍ ବାବୁମାନେ ଆସିଲେ ସେହି ପୋଷ୍ଟମାଷ୍ଟରବାବୁଙ୍କ ବସାରେ ରହନ୍ତି । ଉପର ହାକିମମାନଙ୍କ ମନସ୍ତୁଷ୍ଟି ପାଇଁ ଖାଦ୍ୟପେୟ ବିଷୟରେ ଯେପରି ଆୟୋଜନ ହେବାର ଉଚିତ, ସେଥିରେ ମୋଟେ ତ୍ରୁଟି ହୁଏ ନାହିଁ । ସେ ରାତ୍ରରେ ପୋଷ୍ଟମାଷ୍ଟର ବାବୁ ‘ହରିସିଂ’ ‘ହରିସିଂ’ କରି ଦଶଥର ପାଟି କରୁଥିବାର ଶୁଣାଯାଏ । ହରି ସିଂହେ ତ ପୁରୁଣା ଲୋକ, ଢେର୍ ଢେର୍ ହାକିମହୁକୁମା ଅମଳ କଲେଣି । କାହାର କି ରକମ ମିଜାଜ, କିଏ କୋଉଥିରେ ଖୁସି ତାହା ତ ସେ ଠିକ୍ ଜାଣନ୍ତି । ସେଦିନ ଅଧରାତିଯାଏଁ ସିଂହଙ୍କୁ ସେ ବାବୁଙ୍କ ବସାରେ ରହିବାକୁ ହୁଏ । କାରଣ ଓଡିଶାର କଦର୍ଯ୍ୟ ହାଓୟା ହେତୁରୁ ଯଦି କେହି ବାବୁ ହଠାତ୍ ପୀଡିତ ହୋଇ ବାନ୍ତିଫାନ୍ତି କରିପକାଇଲେ ହରି ସିଂହେ ସୋଡା, କାଗେଜିଲେମ୍ବୁ ପ୍ରଭୃତି ହାଜର କରାଇ ଉକ୍ତ ବାବୁଙ୍କୁ ସମ୍ଭାଳି ନିଅନ୍ତି । ବାବୁମାନେ ଆରାମରେ ଶୟନ କଲା ଉତାରେ ସିଂହେ ଅଧରାତିରେ ନିଜ ବସାକୁ ଯାଇ ଆପଣା ପାଇଁ ରୋଷେଇ କରନ୍ତି । ଏହି ସୂତ୍ରରେ ସିଂହେ ଉପରବାଲା ହାକିମମାନଙ୍କଠାରେ ବେଶ୍ ପରିଚିତ ।

ହରି ସିଂହଙ୍କ ଦରଖାସ୍ତ ପିଠିରେ ପୋଷ୍ଟମାଷ୍ଟରବାବୁ ଭଲରୂପେ ସୁପାରିସ୍ କରି ସଦରକୁ ପଠାଇଦେଲେ । ଅଳ୍ପଦିନ ମଧ୍ୟରେ ଏକ୍ଷ୍ଟେନସନ୍ ହୁକୁମ୍ ପହଁଚିଲା । ଏଥର ସେ ସିଂହେ ତ ମହାଖୁସି, ତେଣୁ ଏହି ଖୁସି ଖବରଟା ସେ ତାଙ୍କ ଗାଁକୁ ଲେଖି ପଠାଇଲେ । ବର୍ତ୍ତମାନ ସର୍ବସ୍ୱ ଲୋକ ଉପସ୍ଥିତ ସୁଖ ବା ଦୁଃଖରେ ବିମୋହିତ ହୋଇପଡିଥାନ୍ତି । ଭବିଷ୍ୟତ-ବିଧାତା ତାଙ୍କ ପାଇଁ କଣ ବିଧାନ କରୁଛନ୍ତି, ତେଣିକି ଥରେ ହେଲେ ଅନାଇବା ଦରକାର ବୋଲି ସେ ଆଦୌ ମଣନ୍ତି ନାହିଁ । ହେଲେ ସିଂହଙ୍କର ଏତେ ବଡ ଆନନ୍ଦଟା ପାଣିଫୋଟକା ପରି ଫାଟିଗଲା । କାହିଁକିନା ତାଙ୍କ ଘରୁ ଚିଠି ଆସିଲା, ଗୋପାଳମାଆର ସନ୍ନିପାତ ରୋଗ, ଜୀବନର ଆଶା ହିଁ ନାହିଁ । ସିଂହେ ପୋଷ୍ଟମାଷ୍ଟରବାବୁଙ୍କୁ ଚିଠି ଖଣ୍ଡ ଦେଖାଇଲେ । ସେ ବାବୁ ତ ବଡ ଦୟାଳୁ ଲୋକ, ତେଣୁ ସେ ତତ୍କ୍ଷଣାତ୍ ସିଂହେଙ୍କୁ ଛୁଟି ଦେଲେ । ତା’ପରେ ସିଂହେ ଏକ ନିଃଶ୍ୱାସରେ ଘରକୁ ଧାଇଁଲେ, ଘରେ ପହଁଚି ସେ ଯାହା ବି ଦେଖିଲେ, ସେଥିରେ ତାଙ୍କ ଆଖିର ଜ୍ୟୋତି ହଜିଗଲା । ଜଗତଟା ଯେମନ୍ତ ଅନ୍ଧକାରମୟ ହୋଇଗଲା ତାଙ୍କପାଇଁ । ବୁଢୀର କଥା ପ୍ରାୟ ଶେଷ ହେଲାଣି । ସ୍ୱାମୀଙ୍କୁ କ୍ଷୀଣଦୃଷ୍ଟିରେ ସେ ଟିକେ ଭଲକରି ଅନାଇଲେ, ଦୁଇହାତ ଅଳ୍ପ ଉଠାଇ ତାଙ୍କୁ ଦଣ୍ଡବତ କଲେ, ସ୍ୱାମୀଙ୍କ ଗୋଡଧୂଳି ନେବାକୁ ଠାରିଲେ । ସତେ ଯେମିତି ସେହି ଧୂଳିଟିକକ ପାଇଁ ସେ ଅନାଇ ରହିଥିଲେ? ସବୁ ଶେଷ ହେଲା; ସିଂହଙ୍କର ପ୍ରକୃତ ଗୃହ ଭଗ୍ନ ହେଲା । ସେ ଘରର ମାଲମତା ଦୁଇ ଖଣ୍ଡ ବିକି ପୁଅ ଗୋପାଳକୁ ଧରି ହରି ସିଂହେ କଟକ ପଳାଇ ଆସିଲେ ।

ଗୋପାଳ ମାଇନର ପଢେ । ସିଂହଙ୍କର ବର୍ତ୍ତମାନ ଭାରି କଷ୍ଟ, ପେନ୍ସନ୍ ହୋଇଗଲାଣି, ଭାରି ଅଚଳ । ଘରେ ତାଙ୍କର ନୋଟା, କଂସା ଯାହା କିଛି ବି ଦୁଇଖଣ୍ଡ ଥିଲା ସେସବୁ ବିକାବିକି କରି ସେମାନେ ଖାଉଛନ୍ତି, ଚାକିରିରେ ଥିବାବେଳେ ହରି ସିଂହ ଅତି କଷ୍ଟରେ ମାସକୁ ଦୁଇ ଚାରିଅଣା ସଂଚି ସେଭିଂସ ବେଙ୍କରେ ଯାହା କିଛି ବି ରଖିଥିଲେ, ସେସବୁ ତ ସିଂହେ ଗୋପାଳର ମାଇନର ପଢା ପଛରେ ସାରିଲେ । ସିଂହଙ୍କର ପ୍ରବଳ ଆଶା, ଗୋପାଳ ପାସ୍ କଲେ ସବୁ କଷ୍ଟ ତାଙ୍କର ମେଂଟିବ । ଗୋପାଳ ମଧ୍ୟ କେତେଥର ଭରସା ଦେଇ ତା’ ବାପାଙ୍କୁ କହିଲାଣି, “ବାପା, ଧାର କରଜା କରି ମୋତେ ପଢାଅ, ଚାକିରି କଲେ ମୁଁ ସବୁ ଶୁଝିଦେବି ।”

ହରି ସିଂହଙ୍କର ଆର୍ତ ପ୍ରାର୍ଥନା ଦୀନବନ୍ଧୁ ପ୍ରଭୁ ଭଗବାନ ଶୁଣିଲେ । ଗୋପାଳ ମାଇନର୍ ପାସ୍ କଲା । ଏଥିରେ ସେ ସିଂହଙ୍କର ଆନନ୍ଦର ଆଉ ସୀମା ନାହିଁ । ସେହି ପୁରୁଣା ମାଷ୍ଟରବାବୁ ଅଛନ୍ତି । ସିଂହେ ତାଙ୍କୁ ଧରି ବହୁତ ନିବେଦନ କଲେ । ତାଛଡା ଉପର ହାକିମମାନଙ୍କର ମଧ୍ୟ ହରି ସିଂହଙ୍କ ଉପରେ କିଛିଟା ଅନୁଗ୍ରହ ଥିଲା । ତେଣୁ ସେ ଗୋପାଳ ଏକାବେଳକେ ମଫସଲ ମକ୍ରାମପୁର ପୋଷ୍ଟଅଫିସରେ ସବ୍ପୋଷ୍ଟମାଷ୍ଟର ଭାବେ ନିଯୁକ୍ତ ହେଲେ, ବେତନ ତାଙ୍କର ମାସକୁ କୋଡିଏ ଟଙ୍କା । ବର୍ତ୍ତମାନ ସଦର ପୋଷ୍ଟଅଫିସରେ ଚାରିମାସ କାମ ଶିଖି ସେ ମଫସଲ ଯିବେ ।

ହରି ସିଂହଙ୍କର ଆନନ୍ଦର ଆଉ ସୀମା ନାହିଁ । ତେଣୁ ସେ ଖାଲି ଅନବରତ ପ୍ରଭୁଙ୍କୁ ଅନାଇ ମୁଣ୍ଡିଆ ମାରି ମାରି ଜଣାଉଛନ୍ତି, “ଧନ୍ୟ ପ୍ରଭୁ ତୁମ୍ଭର କରୁଣା, ଏତେଦିନକେ ଯାଇ ଏ ଦୁଃଖୀର ଗୁହାରି ଟିକେ ଶୁଣିଲ ।”ଚାକିରି ଖବର ଆସିବା ଦିନ ରାତିରେ ବୁଢା ସିଂହେ ନିରୋଳାରେ ବସି ଢେର୍ କାନ୍ଦିଲେ । ହାୟ! ଆଜି ବୁଢୀ ଥିଲେ କେତେ ଆନନ୍ଦଟାଏ ସେ ହୁଅନ୍ତେ । ତାଙ୍କ ଗୋପାଳ ହାକିମି ଚାକିରି ପାଇଲା, ଏକଥା ଶୁଣି ସେ ଆନନ୍ଦ ଉତ୍ସବରେ ଖାଲି ଗଡି ଯାଉଥାନ୍ତେ । ହାୟ! ଅଭାଗୀ କପାଳରେ ବୋଧେ ଏସବୁ ଦେଖିବାକୁ ନାହିଁ । ହେଉ, ହେଉ, ଗୋପାଳ ତ ହାକିମ ହେଲା । ପ୍ରଭୁ ଏଥର ଗୋପାଳଟିକୁ ରକ୍ଷା କରନ୍ତୁ ।

ଗୋପାଳ ପ୍ରଥମ ମାସ ଦରମାଟା ପାଇ ବୁଢା ହାତରେ ଦେଲେ । ଏସବୁ ଦେଖି ସେ ବୁଢାର ଆନନ୍ଦ କହିଲେ ନ ସରେ । ଯେମିତିକି ଗୋଡ ତାଙ୍କର ତଳେ ମୋଟେ ପଡୁ ନାହିଁ । ପୁଅ ହାକିମ, ଏତେଗୁଡାଏ ଟଙ୍କା ମାସକ ମଧ୍ୟରେ ସେ ଆଣିଲା । ତେଣୁ ସେହି ଟଙ୍କାଗୁଡାକୁ ଚାରି ପାଂଚଥର ଗଣି ସିଂହେ ନିଜ ଅଂଟାରେ ବାନ୍ଧି ଶୋଇଲେ । ତା’ଆରଦିନ ସକାଳେ ସିଂହେ ଲଣ୍ଡଭଣ୍ଡ ହୋଇ ଧାଇଁଲେ ସିଧା ବଜାରକୁ । ଜୁତା, କୁରୁତା, ଲୁଗା – ଯାହା ଯାହା ଦରକାର, ସେସବୁ କିଣାଗଲା । ଗୋପାଳ ଯେ ହାକିମ ହେଲାଣି, ସେ କ’ଣ ଆଉ ଯାହିତାହି ଲୁଗା ପିନ୍ଧିବ? କଥାରେ ଅଛି ପରା ଭେକ ଦେଖି ସିନା ଭିକ! ତେଣୁ ସେହିପରି ପୋଷାକ ବି ଲୋଡା ।

ଏଣେ ଗୋପାଳବାବୁ ଅଫିସରେ ପାଂଚଜଣ ବାବୁଙ୍କ ସାଙ୍ଗରେ ବସି ଇଂରାଜୀ ଲେଖନ୍ତି । ବାବୁମାନଙ୍କ ସହିତ ସବୁବେଳେ ତାଙ୍କର କାରବାର । ତେଣୁ ସମସ୍ତେ ତାଙ୍କୁ ଡାକନ୍ତି ‘ଡାକମୁନ୍ସିବାବୁ’, ପୁରା ନାମ ତାଙ୍କର ଗୋପାଳଚନ୍ଦ୍ର ସିଂହ । ଏଣେ ବସାରେ ଆସି ସେ ଦେଖନ୍ତି କଣ ନା ବୁଢାଟା ଧୂଳିଆ ଲୁଗା ଖଣ୍ଡେ ପିନ୍ଧି କାମରେ ଲାଗିଛି; ଗୋପାଳ କିମିତି ଭଲ କରି ଦି’ଟା ଖାଇବ – ଗୋପାଳ ଗାଧୋଇଗଲା, ଓଦା ଲୁଗା ଶୁଖି ନାହିଁ – ପିଲାଟା କାମ କରି କରି ଧନ୍ଦିଗଲାଣି, ଏହି ସମସ୍ତ ଚିନ୍ତା ଦିନରାତି କରୁଥାନ୍ତି ହରି ସିଂହ । ଆଗେ ବୁଢା ସିଂହେ ବେଳେ ବେଳେ ହରିନାମ କରୁଥିଲେ, କିଛି କିଛି ଧର୍ମକର୍ମ ବି ସେ କରୁଥିଲେ, କିନ୍ତୁ ସେ ଏବେ ଗୋପାଳବାବୁଙ୍କ ପାଇଁ ସେସବୁ କିଛି ଭୁଲିଗଲେଣି । ବୋଧହୁଏ, ହରି ଏସବୁ ଦେଖି ଏ ବୁଢା ଉପରେ ଖପା ହୋଇଗଲେଣି । ତେଣୁ ହରି ଧମକାଇ କହିଲେ, ‘ଆରେ ନିର୍ବୋଧ, ଏ କଣ ରେ! ଆଚ୍ଛା ବୁଝିବୁ!’

ଏଣିକି ସେ ଗୋପାଳବାବୁଙ୍କର ବି ଭାବ କିଛି କିଛି ବଦଳିଗଲାଣି । ଏବେ ବାପକୁ ଦେଖିଲେ ମିଛଟାରେ ହେଲେ ବି ସେ ଖାଲି ରଗ ରଗ ସିଂ ସିଂ ହୁଅନ୍ତି । ଏଟା ମୂର୍ଖ, ଇଂରାଜୀ ଜାଣେ ନାହିଁ – ମୂଲିଆ – ମଳିଆ ଲୁଗା ପିନ୍ଧିଥାଏ; ଏଟାକୁ ପୁଣି ମୁଁ ବାପ ବୋଲି ଡାକିବି, ଏକଥା ଶୁଣିଲେ ଲୋକେ ମୋତେ କଣ କହିବେ! ସେଦିନ ଶିକ୍ଷିତା କେତେଜଣ ସ୍ତ୍ରୀଲୋକ ସେମିଜ ପିନ୍ଧି ପୋଷାକ ପିନ୍ଧି ଠିଆ ହୋଇଥିଲେ – ଏ ବୁଢାଟା ଦେହରେ କୁରୁତା ନାହିଁ, ସେତେବେଳେ ସେମାନଙ୍କ ଆଗ ଦେଇ ଏ ଚାଲିଗଲା । କି ଲଜ୍ଜା, କି ଲଜ୍ଜା! ଏଟାକୁ ବସାରୁ ନ ତଡିଲେ ଆଉ ମୋର ଇଜ୍ଜତ ରହିବ ନାହିଁ!

ଦିନେ ଡାକମୁନ୍ସିବାବୁ ତାଙ୍କ ବାପକୁ କହିଦେଲେ, “ଦେଖ, ତୁମେ ମୋର କିଛି ବି ଉପକାର କରି ନାହଁ । ତେଣିକି ଇଚ୍ଛା ହେଲେ ବସାରେ ରହ, ନୋହିଲେ ଏଠାରୁ ଚାଲିଯାଅ । ଆଉ ଦେଖ, ବାବୁମାନେ ଆମ ଦୁଆରକୁ ଆସିଲେ ତୁମେ ଏ ଘରୁ କଦାପି ମଧ୍ୟ ବାହାରିବ ନାହିଁ ।”ଗୋପାଳର ଏପରି କଥା ଶୁଣି ସେ ବୁଢାର କାନମୁଣ୍ଡା ଖାଲି ଭାଁ ଭାଁ କଲା, ତେଣୁ ସେ ଗୁମ୍ ହୋଇ ବସିପଡିଲେ । ଏବେ ସେ ବା କାହାକୁ କହିବେ ନିଜ ପୁଅ କଥା? କଥାରେ କହନ୍ତି ନାହିଁ ଅଜାଗା ଘା’ ଦେଖି ହୁଏ ନାହିଁ, କି କାହାକୁ ଦେଖାଇ ବି ହୁଏ ନାହିଁ । ଯାହାକୁ ବା ସେ ବୁଢା ତା ମନର କଥା କହନ୍ତା, ସେ ତ ଚାଲି ଯାଇଛି । ଏହି କଥା ଭାବୁ ଭାବୁ ବୁଢାର ହଠାତ୍ ବୁଢୀ କଥା ମନରେ ପଡିଲା; ତେଣୁ ସେ ଢେର୍ କାନ୍ଦିଲା, ଚାରିଆଡକୁ ଅନାଇଲା, ଦେଖିଲା କେହି ବି ତା’ର ସାହା ଭରସା ନାହିଁ । ବୁଢା ଦୁଃଖବେଳେ ବୁଢୀ କଥା ମନ ପକାଏ, ମାତ୍ର ସୁଖବେଳେ ସେ କାହାରିକୁ ବି ମନ ପକାଏନାହିଁ । ବୁଢା ପୁଣି ଭାବିଲା କାଳେ ତା’ପୁଅର କିଛି ଅମଙ୍ଗଳ ହେବ, ଏକଥା ଭାବି ସେ ତା’ମୁହଁ ପୋଛିଲା ଆଉ କାନ୍ଦିଲା ନାହିଁ ।

ଗୋପାଳବାବୁ କାଲି ସକାଳେ ମଫସଲର କାମ ଜାଗାକୁ ଯିବେ, ହେଲେ ସେ ବୁଢାକୁ ଏହା ଜଣାଇ ନାହାଁନ୍ତି । ସକାଳୁ ଉଠିଲେ । ଅବଜ୍ଞା ଭାବରେ କହିଲେ, “ଏ ବାବା, ମୁଁ ମଫସଲ ବାହାରିଲି । ଏହି ଜିନିଷପତ୍ର ସବୁ ଘେନିଆସ । କେତେ ବା ଜିନିଷ? ମାତ୍ର ଖବରଦାର, ମୂଲିଆ କରିବ ନାହିଁ; କଲେ ସେକଥା ତୁମେ ତୁମର ବୁଝିବ, ମୁଁ କିନ୍ତୁ ସେଥିଲାଗି ପଇସାଟିଏ ବି ଦେବି ନାହିଁ ।”ଏତିକି କହିସାରି ସେ ବାବୁ ପୋଷାକ ପିନ୍ଧି କାଖରେ ଛତା ଜାକି ବାଡି ଘୂରାଇ ଘୂରାଇ ଚାଲିଗଲେ । ଏ ବୁଢା ଏବେ କରିବ କଣ? ସବୁ ଜିନିଷ ରୁଣ୍ଡାଇ ପୁଣ୍ଡାଇ ଗୋଟିଏ ଗଣ୍ଠିରି ବାନ୍ଧି ତାକୁ ସେ ମୁଣ୍ଡାଇଲା । ଚାଲିପାରୁ ନାହିଁ, କାହିଁକିନା ଦେହରେ ତା’ର ଆଉ ବଳ ନାହିଁ, ଆଖିରୁ ବେଳେ ବେଳେ ପାଣି ବହିପଡୁଛି ତାର, ଦଶ ଜାଗା ବସି ଉଠି ସଞ୍ଜସରିକି ସେ ବୁଢା ଯାଇ ମକ୍ରାମପୁରରେ ପହଁଚିଲା । ଡେରି ହେବାରୁ ବାବୁ ଫଜିତଟାଏ କଲେ, ଏଣେ ଏ ବୁଢା ଗୁମ୍ ହୋଇ ବସି ତାର ଥକା ମେଂଟାଉଥାଏ ।

ବାବୁ ସକାଳ-ସଞ୍ଜ ଅଫିସକୁ ଯା’ନ୍ତି, ବୁଢାଟା ମୁହଁ ବୁଜି ବସାରେ କାମ ପାଇଟିରେ ସେମିତି ଲାଗିଥାଏ । ବାପପୁଅ ଦୁଇଜଣ ଏକ ଜାଗାରେ ବସି ଦିପଦ ସୁଖଦୁଃଖ କଥା ହେବାର କେହି କେବେ ବି ଦେଖି ନାହିଁ । ଡାକମୁନ୍ସି ହେଲେ ମଫସଲର ଗୋଟାଏ ହାକିମ । କେତେ ଲୋକ ନୀତି ଆସି ତାଙ୍କୁ ଦଣ୍ଡବତ କରିଯାଉଛନ୍ତି, ହେଲେ ଏ ମୂର୍ଖ ବୁଢାଟା କ’ଣ ଜାଣେ ଯେ ତା ସାଙ୍ଗରେ କିଏ କଥା କହିବେ?

ବୁଢା ଦେହରେ ସେ ମଫସଲର ପାଣି ମୋଟେ ଚଳିଲା ନାହିଁ. ତେଣୁ ଜର ହେଲେ ସେ ଖାଲି ଖୁଁ ଖୁଁ କରି କାଶେ, ଆଉ ସେହି କାଶଟା ରାତିକି ରାତି ବେଶି ହୁଏ । ବାବୁ ଶୋଇବାରେ ହରକତ ହେଲେ ପିଅନକୁ ହୁକୁମ୍ ଦିଅନ୍ତି “ସେ ବୁଢାଟାକୁ କିଆବାଡରେ ଫୋପାଡି ଦେଇଆସ ।”ସେ ପିଅନଟା ତ ମୂର୍ଖ, ଇଂରାଜୀ ପଢି ନାହିଁ, ମାତ୍ର ତାର ଗୋଟାଏ ଦେଶୀ ହୃଦୟ ଅଛି । ତେଣୁ ସେ ବିଚାର କଲା – “କଣ ଏ? ବୁଢା ରୋଗୀଟିକୁ କିଆବାଡରେ ଶୁଆଇ ଦେବି?”ଦିନେ ସେ ବୁଢାର ଭାରି ଜର । ତିନି ଦିନ ସେ ଖାଇ ନାହିଁ, ଅଧରାତି । ଅନ୍ଧାର । ତେଣୁ ଥଣ୍ଡା ପାଇ ସେ ବୁଢାର କାଶ ବଳି ପଡିଲା । ବାବୁ ତ ଭାରି ଖପା! ବୁଢା ଛାତିରେ ଦୁଇଟା ଇଂରାଜୀ ଘୂଷି ମାରିଲେ, ତା’ପରେ ତାର ବିଛଣାପତ୍ର ବାହାରକୁ ଫୋପାଡିଦେଲେ । ବୁଢା ଗାଁକୁ ପଳାଇଲା ।

ପାଖରେ ଥିବା ଖୁବ୍ ଭଲ ଲୋକଙ୍କଠାରୁ ଶୁଣାଯାଇଛି, ଗୋପାଳବାବୁଙ୍କ ମନ ସେହିଦିନଠାରୁ ବଡ ଖୁସି । ଆଉ ଏଣେ ଏ ବୁଢା ତା ଗାଁକୁ ଆସି ତାହାର ଯେଉଁ ଦୁଇ ମାଣ ଜମି ଥିଲା, ତାକୁ ସେ ଭାଗରେ ଲଗାଇ ଦେଲା । ଘରେ ବସି ସେ ଧାନ ପାଏ । ପେନ୍ସନ୍ ଟଙ୍କାରେ ଲୁଗାପଟା, ଲୁଣତେଲ ଖର୍ଚ୍ଚ ତାର ଚଳେ । କାଶ ହେଲା ଦିନଠୁଁ ସେ ବୁଢା ଟିକିଏ ଟିକିଏ ଅଫିମ ଧରିଛି । ସବୁ ଖର୍ଚ୍ଚ ତା’ର ଚଳେ । ଘରଠାରେ ପିଣ୍ଡାରେ ବସି ସେ ହରିନାମ କରେ । ଉଛୁଣି ସେ ବାପପୁଅ ଦୁହେଁ ଖୁସି । ପରର ସୁଖ ଦେଖି ପାଠକ ମହାଶୟ ଖୁସି ହୁଅ ।

                                                                                                                                                   ଗାଳ୍ପିକ – ଫକୀରମୋହନ ସେନାପତି
Fakir Mohan Senapati Story Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleବିରେଇ ବିଶାଳ/Birei Bishala
Next Article ସୁନାବୋହୂ
suchitra

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.