• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଉପନ୍ୟାସ»ଟାଙ୍ଗୀ ମାଉସୀ :
ଉପନ୍ୟାସ

ଟାଙ୍ଗୀ ମାଉସୀ :

ଫକୀର ମୋହନ ସେନାପତିBy ଫକୀର ମୋହନ ସେନାପତିNovember 26, 2018No Comments10 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ଆଜି ସ୍ନାନ ପୂର୍ଣ୍ଣୀମା, ଜ୍ୟେଷ୍ଠମାସିଆ ଦିନ, ଭାରୀ ଖରା, ମହାପ୍ରଭୁ ଅଣସରକୁ ଯାଇଛନ୍ତି, ଭାରୀ ଗୁଳୁଗୁଳି । ଆଜକୁ ଅଢ଼େଇ ମାସ ହେଲା ଟୋପାଏ ପାଣି ଦେଖିବାକୁ, ନାହିଁ । ପବନ ଗୁମସୁମ କରି ରହିଅଛି, ଖୁଣ୍ଟା ଗଛଗୁଡ଼ାକ ଜଗନ୍ନାଥ ମହାପ୍ରଭୁଙ୍କ ଆଗରେ ଗରୁଡ଼ଖମ୍ବ ପରି ଛିଡ଼ା ହୋଇଅଛନ୍ତି । ଆଉ ଗଛ ଥାଉ, ଅଶ୍ୱତ୍‌ଥପତ୍ର ଗୋଟିଏ ମଧ୍ୟ ଖସ କରିବାକୁ ନାହିଁ । ଦାଣ୍ତ ବାଲିଗୁଡ଼ାକରେ ମୁଠାଏ ଧାନ ପକାଇ ଦେଲେ ଚଡ଼ଚଡ଼ କରି ଖଇ ଫୁଟିଯିବ । ଗାଆଁର ବୁଲା କଳୀତିଳକୀ କୁତୀଟା ପୋଖରୀପଙ୍କରେ ପଡ଼ି ଲଟଲଟ ହେଉଅଛି, ଆଉ ଡେମ୍ଫେ ଜିଭଟା କାଢ଼ିପକାଇ ଧକାଉ ଅଛି । ପାଣିକି ଯାଉ ନାହିଁ । ପାଣିଗୁଡ଼ାକ ତାତିଯାଇଛି ନା କଣ ? ପଡ଼ିଆରେ ଗୋଟାଏ ମଧ୍ୟ ଗୋରୁ ବାଛୁରୀ ନାହାନ୍ତି; ଗଛମୂଳରେ ଶୋଇପଡ଼ି ବୈଷ୍ଠବମାନେ ମାଳ ଝୁଲି ଧରି ହରିନାମ ଭଜିଲାପରି ଆଖି ବୁଜି ପାକୁଳି କରୁଅଛନ୍ତି । ଆକାଶରେ ଗୋଟିଏ କାଉ କୋଇଲି ଉଡ଼ିବାକୁ ନାହିଁ, ପତ୍ର ମଧ୍ୟରେ ଲୁଚି ଆଁ କରି ବସିଅଛନ୍ତି । ମୁଣ୍ତଫଟା ଖରା; ଦିନ ତିନିପ୍ରହର ଗଡ଼ିଲାଣି; ତଥାପି ଆକାଶରୁ ନିଆଁ ଛିଡୁଛି ।

ହଁ ମେରା ଭାଇରେ ହୁଂ ହୁଁ
ଖବରଦାରିରେ ହୁଂ ହୁଁ
ଜୋର କରି ରେ ହୁଂ ହୁଁ;
ଡାହାଣେ ଧର ରେ ହୁଂ ହୁଁ;
ବାଁ କୁ ଛାଡ଼ି ରେ ହୁଂ ହୁଁ;
ଖଡ଼ପା ଖଡ଼ପା ଖଡ଼ପା –

ରତନପୁର ମୌଜା ଗୋହିରୀରେ ଗଉଡ଼ ଡାକ ଶୁଭିଲା । ଆଗରେ ଗୋଟାଏ ଡୋଲି, ପଛଲାଗି ପାଞ୍ଚଟା ଭାର ଚାଲିଅଛି । ଡୋଲିଟା ଦଶିଆ ଲୁଗାରେ ସମ୍ପୂର୍ଣ୍ଣ ଢଙ୍କା । ଗ୍ରାମରେ ପୁରୁଷ ଲୋକ ପ୍ରାୟ କେହି ନାହାନ୍ତି । ବିଲବାଡ଼ି କାମ ନ ଥିବାରୁ ବାଘସିଂହ ଭାଇମାନଙ୍କ ସହିତ କେନ୍ଦ୍ରାପଡ଼ା ବଳଦେବଙ୍କ ସ୍ନାନ ଯାତ୍ରା ଦେଖିବାକୁ ଯାଇଅଛନ୍ତି । ଗାଁ ଏମୁଣ୍ତ ସେମୁଣ୍ତ ଚହଳ ପଡ଼ିଗଲା, ସୁଆରି ଅଇଲା, ସୁଆରି ଅଇଲା ବୁଢ଼ୀ ଦରବୁଢ଼ୀ, ମାଇକିନିଆମାନେ ଧଡ଼ କରି କବାଟ ମେଲାଇଦେଇ ଗୋହିରୀକୁ ବାହାରିପଡ଼ିଲେ । ବୋହୂଗୁଡାକ କବାଟ ଦରଆଉଜା କରି ଫାଙ୍କବାଟେ ମୁହଁ ଗଳାଇ ନାକବସଣି କାଢ଼ିଦେଲେ । ଗାଁ ମାଈକିନିଆ ମଧ୍ୟରେ ଡୋଲ୍ୟାରୋହୀ ସମ୍ବନ୍ଧରେ ନାନା ତର୍କ ଉପସ୍ଥିତ ହେଲା । ପ୍ରଥମେ ଲିଙ୍ଗବିଚାର, ପରେ ବ୍ୟକ୍ତି ବିନିମୟ । କେହି କହିଲା; ନୂଆବୋହୂ କେହି କହିଲା ଜମାଦାର, କେହି କହିଲା ସାହାବ । ଜେମା ମା ଅକାଟ୍ୟ ଯୁକ୍ତି ଦେଖାଇ କହିଲା, “ଆଜି ସ୍ନାନପୂର୍ଣ୍ଣମୀ, ଜମାଦାର ସାହାବ ଘରକୁ ପରିବା ଭାର ନେଇଯା ଉଅଛନ୍ତି ।” ଡୋଲି ବାଘସିଂହ ଚଉରା ପାଖରେ ମୁହଁ ବୁଲାଇ ନ ଥିଲେ ଜେମା ମା ଅନୁମାନ ସିନ୍ଧାନ୍ତରେ ପରିଣତ ହେବାର ଖୁବ୍ ସମ୍ଭାବନା ଥିଲା । ବେହେରାମାନେ ବାଘସିଂହ ଦୁଆରେ ଡୋଲିଟା ଗୁମ୍ କରି ଥୋଇଦେଇ ଗାମିଛାରେ ମିହଁ ବିଞ୍ଚିହେଲେ, ଗମଗମ ଦେହରୁ ଝାଳ ବହିଯାଉଅଛି । ବାଁ ହାତ ପାପୁଲିରେ ମୁହଁରୁ ପୋଷ ପୋଷ ଝାଳ ପୋଛିପକାଉଅଛନ୍ତି । ଭିତରକୁ ଖବର ଗଲା, ନୂଆବୋହୂ ମାଉସୀ ଆସିଅଛନ୍ତି । ଗଲା ମକର ମାସରେ ବାଘସିଂହଙ୍କ ପୁଅ ଚନ୍ଦ୍ରମଣି ଡାଳିଯୋଡ଼ା ଫତେସିଂହଙ୍କ ଝିଅକୁ ବିଭା ହୋଇଅଛନ୍ତି । ଏହି ଡୋଲି ଯେ ସଳଖେ ଡାଳିଯୋଡ଼ାରୁ ଅଇଲା, ବିନା ବ୍ୟାଖ୍ୟାରେ ବୁଝିବାକୁ ଗ୍ରାମର ବୁଦ୍ଧିମତୀ ସ୍ତ୍ରୀ ମାନଙ୍କ ପକ୍ଷରେ ଅଖଞ୍ଜ ହେଲା ନାହିଁ । ମାଣିକ ଭଣ୍ତାରୁଣୀ ସାଆନ୍ତାଣୀମାନଙ୍କୁ ଖବର ଦେବାସକାଶେ ଭିତରକୁ ଧାଇଁଲା । ଆମ୍ଭମାନଙ୍କ ମାଣିକର ନାମ ଶୁଣିଥିବେ, ନଚେତ୍ ଶୁଣିବା ଆବଶ୍ୟକ । ଏହାକୁ ତୁଚ୍ଛା ଭଣ୍ତାରୁଣୀଟିଏ ବୋଲି ଜାଣିବେ ନାହିଁ । ଏ ବୁଦ୍ଧିରେ, ମାମଲତରେ ଗୁଣରେ ଅନେକ ପୁରୁଷଙ୍କ କାନ କାଟି ଛାଡ଼ିଦେଇପାରେ । ଗ୍ରାମର ସମସ୍ତ ଲୋକେ ଏହାକୁ ଡରିଥାନ୍ତି । ବୁଢ଼ୀ ଦରବୁଢ଼ୀ, ପର୍ଯ୍ୟନ୍ତ ଭାରି ଭାରି କଥାରେ ଏହାଠାରୁ ପରାମର୍ଶ ନେଇ କାର୍ଯ୍ୟ କରନ୍ତି । ଗୁଣବିଦ୍ୟାରେ ଏହା ଆଗରେ କେହି ଛିଡ଼ାହୋଇପାରିବ ନାହିଁ । ଗାଁର କଅଁଳା ପିଲାଙ୍କୁ ଦୃଷ୍ଟିହେଲେ ଫୁଙ୍କି ଉଡ଼ାଇଦିଏ । ଧାଇପଣରେ ଖୁବ୍ ଟାଣ-ବୋହୂଝିଅ ଦେହକୁ ଲାଗିଲେ ଉଠିଆରି ପର୍ଯ୍ୟନ୍ତ ପୁଆତି ପାଖଛଡ଼ା ହୁଏନାହିଁ । ମୂଳ ମୂଳିକା ମଧ୍ୟ ଢ଼େର୍ ଜଣା, ପର ଉପକାର କରିବାକୁ ଯେପରି ହୁମଯୁମ, ଉପରେ ପଡ଼ି କଜିଆ କରିବାକୁ ସେହିପରି ମଜବୁତ୍ । କଜିଆରେ ଲାଗିଅଛି ତ ସେଦିନ ଗାଧୁଆ ନ ହେଲା । କାହାରି ଦେହପା’କୁ ଲାଗିଲେ ତାହାକୁ ଯଦି ଦିପଦ କଅଁଳେଇ କହିଦେଇଅଛ, ନ ଖାଇ ନ ଶୋଇ ରାତିସାରା ବସି ଦେହରେ ହାତ ବୁଲାଉଥିବ । ବାହା ପୁଆଣିରେ ଡାକ ନ ଡାକ ମାଣିକ ଉପସ୍ଥିତ, କହ ନ କହ ସବୁ କାମ କରିପକାଇବ । ମାଣିକ ନ ଜାଣେ, ଏମନ୍ତ କଥା ନାହିଁ । କଟକ କଥା, ସାହେବ ଘର କଥା, ପୁରୀ ଜଗନ୍ନାଥ ମନ୍ଦିର କଥା ଇତ୍ୟାଦି କଥାମାନ ଗ୍ରାମର ସ୍ତ୍ରୀଲୋକମାନେ ମାଣିକ ମୁହଁରୁ କେବଳ ଶୁଣିବାକୁ ପାଆନ୍ତି । ମାଛ ବିନା ପୋଖରୀ ଥାଇପାରେ; ମାତ୍ର ନିନ୍ଦୁକ ଛଡ଼ା ଗାଁ ନାହିଁ । କେହି କେହି କହନ୍ତି, ମାଣିକଟା ଡବଡବୀ, ମିଛେଇ, ଆଗତ କହୀ, ଏହାର ତିନିପୁରୁଷରେ କେହି ଗାଁ ଡେଇଁ ନାହାନ୍ତି, କଟକ କଥା, ସାହେବ ଘର କଥା କାହୁଁ ଜାଣିଲା । ବାଘସିଂହ ଉଆସରେ ମାଣିକର ଭାରି ଖାତର । ସହସ୍ର ଥର କଥିତ, ଶଏ ଥର ଶ୍ରୁତ ରଜାପୁଅ, ମନ୍ତ୍ରୀପୁଅ, ସାଧବପୁଅ, କଟୁଆଳପୁଅ, ଚାରିଜଣ ମିଶି ବିଦେଶ ଯିବାକଥା, କଲରେଇ ଦେଈ କଥା, ନଈ ସେପାରି ମଙ୍ଗଳା କଥା ଇତ୍ୟାଦି କାହାଣୀମାନ ଶୁଣିବା ସକାଶେ ପ୍ରତିଦିନ ସନ୍ଧ୍ୟାବେଳେ ସାଆନ୍ତଣୀମାନଙ୍କର ଡାକରା ଆସେ । ରାମ ରାବଣ ଯୁଦ୍ଧ କଥା ମାଣିକ ମୁହେଁ ମୁହେଁ କହିଯାଏ । ଯେ କଥା ପଚାର ସେଥିର ଜବାବ ନିଶ୍ଚୟ ପାଇବ; ମାତ୍ର ଗୋଟିଏ କଥା, ସେ ଯାହା କହିବ, ତୁମ୍ଭେ ସେଥିରେ ହୁଁ ଦେଇ ଯାଉଥିବ । ଯଦି ବୋଲ ନୁହେଁ ପରା, ଆଉ ଯାଅ କାହିଁ , ସେ କଥା ଯାଉ, ‘ସ୍ୱନାମା ରମଣୀ ଧନ୍ୟା ।’ ମାଣିକକୁ ଗ୍ରାମରେ ସମସ୍ତେ ଭଲ ଜାଣନ୍ତି, ଆମ୍ଭମାନଙ୍କର ଚିହ୍ନାଦେବା ଅନାବଶ୍ୟକ ।

ଡୋଲି ମଝି ଦାଣ୍ତରେ ଯାଉଥିବାବେଳେ ମାଣିକ ପଛରେ ଥିବା ଭଣ୍ତାରୀ ସାଙ୍ଗରେ କଥାବାର୍ତ୍ତା କରି ଓଲଟା ବୁଝିଗଲା, ତାହା ବାଦ୍ ବାଘସିଂହଙ୍କ ଦାଣ୍ତଦୁଆର ପାଟିକରି ଉଆସ ଭିତରକୁ ଧାଇଁଲା । “ବଡ଼ ସାଆନ୍ତାଣୀଏ ସାନ ସାଆନ୍ତାଣୀଏ, ମଝିଆଁ ସାଆନ୍ତାଣୀଏ, ଧାଇଁ ଆସନ୍ତୁ, କେଉଁଠାରେ ଅଛନ୍ତି ? ଡାଳିଯୋଡ଼ାରୁ ସମୁନ୍ଧୁଣୀଙ୍କ ସୁଆରି ଆସି ଓଳିଏ ହେଲା ଦାଣ୍ତଦୁଆରେ ବସିଲାଣି । ସମୁନ୍ଧୁଣୀଙ୍କ ଆସିବା କଥା ମୁଁ ଚାରିଦିନ ହେଲା ଶୁଣଲିଣି, ଆପଣମାନଙ୍କୁ କହିବାକୁ ଭୁଲିଯାଇଅଛି । ସେ କାଲିଠାରୁ ଡାଳିଯୋଡ଼ାରୁ ବାହାରିଲେଣି, ମୁଁ କହୁଛି କହ, ଏତେ ଡେରି କ୍ୟାଁ ହେଲା ? ଡାଳିଯୋଡ଼ାରୁ ଆସିବା ବାଟ ପାଖରେ ଯେ ବଡ଼ ପୋଖରୀଟିଏ ଅଛି, ସେହିଠାରେ ଗାଧୁଆ ପାଧୁଆ କରିବା ବିଳମ୍ବ ହୋଇଗଲା ।” ବାଘସିଂହ ଘର ଚାରି ଯାଆ ଏକ ଜାଗାହୋଇ ପରସ୍ପର ମୁହଁ ଚୁହାଁଚୁହିଁ ହେଲେ । ସେଥିରେ ଅର୍ଥ ଅଭ୍ୟାଗତା ଅନାହୂତା ସମୁନ୍ଧୁଣୀ ସମ୍ବନ୍ଧରେ କର୍ତ୍ତବ୍ୟ ନିରୂପଣ; ମାତ୍ର ମାଣିକ ଏକାବେଳେ ମୀମାଂସା କରିଦେଲା, “ଶୀଘ୍ର ଯାଇ ସମୁନ୍ଧୁଣୀଙ୍କୁ ପାଛୋଟି ଆଣନ୍ତୁ ।”

ବାଘସିଂହଙ୍କ ଦାଣ୍ତଦୁଆର କବାଟ ଫାଙ୍କରୁ ଫୁଲଗୁଣା ବସଣି ସହିତ ଦୁଇ ତିନିଗୋଟି ନାସିକା ଦୃଷ୍ଟ ହେଲା । ମାଉସୀ ଡୋଲିରୁ ଓହ୍ଲାଇ ପଡ଼ି ଗୁମ୍ ଗୁମ୍ କରି ଭିତରକୁ ପଶିଗଲେ । ‘ସମୁନ୍ଧୁଣୀ ସମୁନ୍ଧୁଣୀ’ କହି ପୂର୍ବୋକ୍ତ ବସଣିଧାରିଣୀମାନଙ୍କୁ ପରସ୍ତେ କୁଣ୍ଢାଇଗଲେ । ଗୃହାଧିଷ୍ଠାତ୍ରୀ ସାଆନ୍ତାଣୀମାନେ ନୀରବରେ ହସି ହସି ସମୁନ୍ଧୁଣୀ ହାତଧରି ଭିତରକୁ ଘେନିଗଲେ । ସମୁନ୍ଧୁଣୀଙ୍କ ଅଭ୍ୟର୍ଥନା ବିଷୟରେ ମାଣିକର ଉଦ୍‌ଯୋଗ ଅନୁଷ୍ଠାନ ବେଶି । ସେ ଆଗେ ଆଗେ ଚଞ୍ଚଳ ଧାଇଁଯାଇ ବାଘସିଂହ ପହୁଡ଼ ଘର ଆଗମେଲାରେ ଗୋଟିଏ ଚାରିହାତ ଲମ୍ବା ପୁରୁଣା ଖରଡ ପକାଇ ଦେଲା । ମାଉସୀ ସେଥିରେ ବସିପଡ଼ି ଚାରି ସମୁନ୍ଧୁଣୀଙ୍କ ହାତଧରି ପାଖରେ ବସାଇଲେ । ପାଞ୍ଚଟା ଭାର ମଝି ଅଗଣାରେ ଥୁଆଗଲା । ଭାରର ଡାବ – ପାଚିଲା ଆମ୍ବ ଏକଭାର, ବଡ଼ ବଡ଼ ଯୋଡ଼ାଏ ଖଜା ପଣସ ଏକ ଭାର, ପାଚିଲା କଞ୍ଚା କଦଳୀ ଦୁଇ ପୁଞ୍ଜା ସହିତ ଏକ ଭାର, ପିଠାଉ ପାଣିରେ ଧଉଳା କଦଳୀ ପତ୍ରରେ ମୁହଁ ବନ୍ଧା ବଡ଼ ବଡ଼ ଚାରି ହାଣ୍ତିକୁ ଦୁଇ ଭାର ଗାଏ । ଗାଁ ମାଇକିନିଆମାନେ ଦେଖିବାକୁ ଧାଇଁଲେ, ରେବତୀ, ଶୁକୁରୀ, ଶଂକ୍‌ରି, ମାଳିଆ, ଜେମା ମା, ଭୀମା, ମାଉସୀ, ହଗୁରାମା, ସୋରୀ, ମେଙ୍କୀ, କନକ, ନେତଜେଜୀ, ସବୀ, କମଳୀ, ପଦିଅପା, ଶାମାବୋହୂ, ନଳିତ, ବିଷ୍କା, ସୁମିତ୍ରା, ଗଉଡ଼ ଘର କନିଆ ବୋହୂ; କେହି ପିଲା କାଖେଇ, କେହି ପିଲା ହାତ ଧରି ଚଲାଇ, କେହି ଜଣକ ପଛରେ, କେହି ଏକାକିନୀ ଧାଇଁ ଅଛନ୍ତି । ସୁମିତ୍ରାଘର ଲିପୁଥିଲା, ଛୂଞ୍ଚ ପାଣି ହାତ ଧୋଇବାକୁ ବେଳନାହିଁ, ସାପ ଫଣା ପରି ହାତଟି ଟେକିଅଛି । ବାଘସିଂ ଅଗଣା ପୂରିଗଲା । ଦେବୀ ପ୍ରତିମା ଦେଖିଲାପରି ମାଇକିନିଆମାନେ ଏକ ଧ୍ୟାନରେ ମାଉସୀଙ୍କ ରୂପମାଧୁରି ଅନୁଭବ କରୁଅଛନ୍ତି ; କିନ୍ତୁ ବନିଆ, ବଙ୍କିଆ, କାଳିଆ, ବନମାଳିଆ, ଗୋପାଳିଆ, ରାମିଆ, ଉମେଶିଆ, କାଶୀ, ଦୈତାରୀ ପ୍ରଭୃତି ଗ୍ରାମର ଦୁଷ୍ଟପିଲା ଗୁଡ଼ାକ ମାଉସୀଙ୍କ ସୌନ୍ଦର୍ଯ୍ୟ ଦର୍ଶନ ବିଷୟରେ ମନ ଯୋଗ ନକରି ବିରାଡ଼ି ଶୁଖୁଆ ଖାଳେଇକୁ ଅନେଇଲାପରି ବାହାରେ ଥୁଆ ହୋଇଥିବା ପାଚିଲା କଦଳୀ, ପାଚିଲା ଆମ୍ବକୁ ଅନେଇ ରହିଛନ୍ତି । ଏହା ଯେ ସଭ୍ୟତାର ଏକ ନୀତିଶାସ୍ତ୍ର ବିରୁଦ୍ଧ କାର୍ଯ୍ୟ ସେଥିରେ ସନ୍ଦେହ ନାହିଁ । ଆଉ ସେମାନଙ୍କର ବୃତ୍ତରେଖାକ୍ରମ ଗତିରେ ଯେପରି ସଙ୍କୋଚଭାବ ଧାରଣ କରି ଆସୁଥିଲା, ବୁଦ୍ଧିମତୀ ମାଣିକ ସେଥରେ ପ୍ରଚ୍ଛନ୍ନ ଅସଦାଭିପ୍ରାୟ ହୃଦୟଙ୍ଗମ କରି ଈଷତ୍ ତର୍ଜନ ପୂର୍ବକ ଡାହାଣ ହାତ ହଲାଇ ସେମାନଙ୍କୁ ଅପସାରିତ କରିଦେଇ ନ ଥିଲେ, ଗୋଟାଏ ଲୁଟତରାଜ ମାମଲା ଉକୁ ହେବାର ଖୁବ୍ ସମ୍ଭାବନା ଥିଲା ।

ବୋହୂମାଉସୀ ମୁଣ୍ତରେ ମା ମଙ୍ଗଳା ପରି ମୁଣ୍ତାଏ ସିନ୍ଦୂର, ଆଖିରେ କଜ୍ଜ୍ୱଳ, ନାକରେ ଗୁଣା, ତାପରେ ନାଟ ମୟୂର, ବାଁ ପୁଡ଼ାରେ ବସଣି, ଦୁଇ କାନରେ ବଡ଼ ବଡ଼ ଦୁଇଟା କାପ, ବେକରେ ଚାପସରୀ, ତା ତଳେ ପାଟ ସୂତାରେ ଗୁନ୍ଥାମାଳେ କୁରୁଜାତକ, ବାହୁରେ ବିଦ, ହାତରେ ପଇଞ୍ଚି, ତାହା ଉପରେ କଟା, ତାହା ଉପରେ ଚୂଡ଼ି, ହାତ ପାଞ୍ଚ ଆଙ୍ଗୁଳିରେ ରୂପା ଛାପମୂଦି, ସାତ ଗୋଟା ଗୋଡ଼ରେ ଚବିଶପଳ ଓଜନରେ ଦୁଇଟା କଂସା ବାଙ୍କ, ଗୋଡ଼ ଦଶ ଆଙ୍ଗୁଳିରେ ଝୁଣ୍ଟିଆ । ମୁଣ୍ତରେ ଦଶବାର କୋରାପାଟ ଥୋପରେ ବିଶାଳ ଜୁଡ଼ା, ତାହା ଉପରେ ତିନିଟା ବେଙ୍ଗପାଟିଆରେ ତିନିକେରା ଶିକୁଳିଲଗା ଗୋଜିକାଠି ଖୋସା, କୁମ୍ଭକର୍ଣ୍ଣୀଧଡ଼ି ଷୋଳ ହାତି ବରମ ପୁରୀ ପାଟଶାଢ଼ୀ ପିନ୍ଧା, ଗାଲରେ ଗାଲେ ପାନ ଡାଳିଯୋଡ଼ା ଫତେସିଂହ ଘର ବେଶ ଚଳ, ପୂର୍ବରୁ କାନରେ ଶୁଣାଥିଲା, ବର୍ତ୍ତମାନ ଆଖିର ଅଳଙ୍କାର ବିଭବ ଦେଖି ଗାଁ ମାଈକିନିଆମାନେ ବୁଝିଗଲେ, ହଁ, ଘରପରି ଘରଟାଏ ।

ମାଉସୀ ବସିପଡ଼ି କହିଲେ, ‘ମୋ ଝିଆରୀ କାହିଁ ? ମୋ ଝିଆରୀ କାହିଁ ? ମୋ ଝିଅରୀକୁ ଦେଖିବି । ଆହା ! ମା ଛେଉଣ୍ତିଟି ଶୁଖିଯିବଣି !’ ସାନ ଖୁଡ଼ୀ ଶାଶୁ ନୂଆ ବୋହୁଟିଏ ଘେନି ଆସିଲେ । ବୋହୂଟି ଦେଢ଼ହାତ ଓଢ଼ଣା ପକାଇ ଅଳ୍ପ ନଇଁ ନଇଁ ଆସି ମାଉସୀ ଗୋଡ଼ତଳେ ଲଠ କରି ମୁଣ୍ତିଆଟିଏ ମାଇଲା । ମାଉସୀ ଝିଆରୀକୁ କୁଣ୍ଢାଇ ପକାଇ ବାହୁନି ବସିଲେ । ‘ଆରେ ମୋଝିଅରେ, ତୋତେ ନ ଦେଖି ଅନ୍ଧ ହୋଇଯାଇଥିଲି । ଆରେ ମୋ ଚନ୍ଦ୍ର ଉଦିଆରେ, ମୋଘର ଅନ୍ଧାର କରି ଆସିଛୁ, ଆରେ ମୋ କଳାମାଣିକରେ । ‘ମାଉସୀ ବାହୁନି ଅଥୟ ହୋଇ ଗଲେଣି, ଦୁଇ ଆଖିରୁ ଝର ଝର କରି ପାଣି ବୋହି ପଡୁଛି । ବଡ଼ ସମୁନ୍ଧୁଣୀ କୁଣ୍ଢାଇ ପକାଇ ଆପଣା ପଣତ କାନିରେ ପୋଛିଦେଲେ ଏବଂ ଅନେକ ପ୍ରକାର ବୁଝାଇ ସୁଝାଇ ତୁନି କରାଇଲେ । ମାଉସୀ କହିଲେ, “କଣ କହୁଛ ସମୁନ୍ଧୁଣୀ, ଝିଅ ଆସିଲା ଦିନୁ ଅନ୍ନ ଜଳ ପିତା କରିଦେଲାଣି । ଖାଲି ଦାଣ୍ତକୁ ଚାହିଁ ବସିଥାଏ, ଏଣୁ ଲୋକଟିଏ ଗଲେ ପଚାରେ, ବାକଟିଏ ଗଲେ ପଚାରେ ।”

ଝିଆରୀତ ନୂଆ ପାଟି ଶୁଣି ଏବଂ ବାହୁନା ଦେଖି ତାଟକା ହୋଇଗଲାଣି । ମାଉସୀ ମୁହଁ ଦେଖିବାପାଇଁ ଟିକିଏ ଓଢ଼ଣା ଟେକୁଥିଲା । ଚତୁରୀ ମାଉସୀ ଝିଆରୀର ଅଭିପ୍ରାୟ ସହଜରେ ବୁଝିପାରି ଓଢ଼ଣା ଟାଣିଦେଇ କହିଲେ, “ଆରେ ମୋ ଲାଜକୁଳୀ ବଦନରେ, ଆରେ ମୋ ଲାଜକୁଳି ଲତାରେ, ତୋରତ କିଏ ଲାଜ ଶିଖାଇବରେ, ସମୁନ୍ଧୁଣୀ କଣ କହିବି, ଏହା ମାର ଏଇପରି ଲାଜ ଥିଲା, ବୁଢ଼ୀ ହୋଇମଲା, ଶାଶୁମାନଙ୍କ ଆଗରେ ପାଖିଫିଟାଇ ଚାହିଁନାହିଁ, ଓଢ଼ଣା ଟେକିନାହିଁ । ଶାଶୁ ସାଙ୍ଗରେ ଭଟ ଭଟ ଲଗାଇବ ପଛକେ, ଖୁଡ଼ୀଶାଶୁମାନଙ୍କୁ ଗାଳିଦେବ ପଛକେ ସେହି ଓଢ଼ଣା ଭିତରୁ । ଧାନ ପେଟରୁ କଣ ବାଳୁଙ୍ଗା ବାହାରିବ ? ତୁଳସୀ ମଞ୍ଜିରୁ କଣ ବିଛୁଆତି ହେବ ? ତିରିଲା ଝିଅ ହୋଇ ଯେବେ ଲାଜ ନ ହେଲା, ଧିକ ତା ଜୀବନ, ଛାଡ଼ ତା କଥା।” ଝିଆରୀ ତ ମାଉସୀ କଥା ଶୁଣି ଆହୁରି ଢାଙ୍କି ଢୁଙ୍କି ହୋଇ ବେଙ୍ଗୁଲି ପରି ବସିଲା । ଟାଙ୍ଗୀରେ ତାହାର ଗୋଟାଏ ମାଉସୀ ଘର ଥିବାର ସେ ଥରେ ଶୁଣିଥିଲା । ସେ ତା ମାଆର ଖୁଡୁତା ଝିଅ ଭଉଣୀ । ମନରେ ବୁଝିଲା, ଏ ସେହି ମାଉସୀ ।

ତାହା ବାଦ୍ ବୋହୂମାଉସୀ ହସି ହସି ସମୁନ୍ଧୁଣୀମାନଙ୍କ ସହିତ କଥାବାର୍ତ୍ତା କଲେ, ସମୁନ୍ଧୁଣୀ ସମୁନ୍ଧୁଣୀ କଥା, ହସକୌତୁକ କଥା, ଟାପରା ଟାପୁରୀ କଥା ଢେର ହେଲା । ଆପଣଙ୍କର ସେ ସମସ୍ତ କଥା ଶୁଣିବାକୁ ଇଚ୍ଛା ଥାଇପାରେ; ମାତ୍ର ଭଲ ଲୋକଘର ବୋହୂ ଭୁଆସୁଣୀ କଥା ପ୍ରକାଶ କରିବାକୁ ଆମ୍ଭେମାନେ ନିତାନ୍ତ ନାରାଜ । ତେବେ ଆପଣ ଯଦି ଶୁଣିବାକୁ ନିତାନ୍ତ ଇଚ୍ଛା କରନ୍ତି; ଆଉ ଯାହା କହିଲେ କୌଣସି ଦୋଷ ନାହିଁ, ତେତିକି କଥା କହିପାରୁ । ବୋହୂମାଉସୀ କହିଲେ —
“ଏ ବରଷ ଭାରି ଯୋଗ ପଡ଼ିଛି, ସମସ୍ତେ ବଳଦେବ ଯାତ ଦେଖିବାକୁ ଧାଇଁଛନ୍ତି, ଆମ ଗାଁ ତ ଶୂନଶାନ । ମୁଁ କହିବି, ଆଚ୍ଛା, ବେଳ ପଡ଼ିଲା, ଦିଅଁ ଦେଖା, ସମୁନ୍ଧୁଣୀ ଭେଟ ଏକ ସାଙ୍ଗରେ ହୋଇଯିବ । ଝିଆରିଟି କେମନ୍ତ ଅଛି ଦେଖିବି । ସମସ୍ତଙ୍କୁ ଦେଣ୍ଟରେଇ ହେଣ୍ଟରେଇ ଘରୁ କାଢ଼ିଲି । ଆମର ସେମାନେ ଆଉ ଭିଣୋଇ ସାଆନ୍ତ ଗୋଟାଏ ଗୋଟାଏ ଘୋଡ଼ାରେ ଚଢ଼ି ଦାଣ୍ତେ ଦାଣ୍ତେ ଆଗରେ ଯାଇ ତୋଟାରେ ବସିଛନ୍ତି । ଭଣ୍ତାରୀ ଗଉଡ଼ ସମସ୍ତେ ସେମାନଙ୍କ ସାଙ୍ଗରେ । ମୁଁ କହିଲି ଝିଅଟିକୁ ନ ଦେଖି ଯିବି ନାହି । ଏକାବାହାରି ଆସିଲି । କାଲି ଦର୍ଶନସାରି ସମସ୍ତେ ଏହିବାଟେ ବାହୁଡ଼ିବା । ବାଟରେ ଶୁଣିଲି ସମୁନ୍ଧିମାନେ ଯାତ ଦେଖି ଯାଇଛନ୍ତି, ଭଲ ହେଲା, ସମସ୍ତେ ସାଙ୍ଗ ହୋଇ ଆସିବା । ଦେଖ ସମୁନ୍ଧୁଣୀ ତୁମ୍ଭମାନଙ୍କ ସଙ୍ଗରେ ଦୁଃଖ ସୁଖ କଥା, ହସକୌତୁକ କଥା କିଛି ହୋଇପାରିଲା ନାହିଁ । ଫେରିବାବେଳେ ଏହିଠାରେ ଚାରିଦିନ ରହିଯିବ । ଭିଣୋଇ ସାଆନ୍ତେ କହୁଥିଲେ, କେବଳ ଦିନେ ରହିବେ । ଦେଖିବଟି ଭଲା, କିପରି ଚାରିଦିନ ନ ରହିବେ, ଅଣ୍ଟିରେ ହାତ ପୁରାଇଦେବିପରା । ଝିଆରୀ ମୁଣ୍ତରେ ହାତ ବୁଲାଇ କହିଲେ, “ମା’ରେ, ଝିଅରେ, ଆହା ! ପିଲାଲୋକ, କେଜାଣି ଚିହ୍ନିପାରିବୁ ନାହିଁ, ଢେର ଦିନ ହେଲା ଦେଖିନାହୁଁ, ମୁଁ ଫେରି ଆସେ ନିରୋଳାରେ ବସି ଢେର କଥା କହିବି ।” କାନରେ ତୁନି ତୁନି କହିଲେ, “ତୋ ଲାଗି ଯାତ୍ରାରୁ ଢେର ଜିନିଷ ଆଣିବି ।”

ବୋହୂମାଉସୀ ବାଡ଼ି ଆଡ଼କୁ ଯିବାକୁ ଇଚ୍ଛାକରି ଠିଆ ହୋଇ କହିଲେ, “ଦେଖ ସମୁନ୍ଧୁଣୀ ମୁଁ ପଦା ଆଡ଼େ ଗଲେ ସ୍ନାନ କରେ, ଚାରିଥର ଯିବି ପଛେ ଚାରିଥର ସ୍ନାନ । ଘର ପଛକୁ ଗଲେ ଲୋଟାଏ ପାଣି । ଆଚାରେ ଲକ୍ଷ୍ମୀ, ବିଚାରେ ପଣ୍ତିତ ।” ଏହା କହି ଦାଣ୍ତ ଦୁଆର ଡୋଲି ପାଖକୁ ଗୁମ୍ ଗୁମ୍ କରି ବାହାରିଗଲେ । ସାଙ୍ଗ ଭଣ୍ତାରୀ ପୂର୍ବରୁ ଢାଳଟିଏ ଧରି ଛିଡ଼ାହୋଇଥିଲା । ବୋହୂମାଉସୀ ପାଣି ପଡ଼ିଯିବା ଭୟରେ ଲୋଟା ମୁହଁରେ ହାତ ଘୋଡ଼ାଇ ବାଡ଼ି ଦୁଆରକୁ ବାହାରିଗଲେ । ବାଘସିଂହ ଘର ପୋଇଲୀ ମୃତୁରୀମା ଓଳିତଳ ଦେଖାଇଦେଇ ବାଡ଼ିଦୁଆରେ ଛିଡ଼ାହେଲା । ବୋହୂମାଉସୀ ତାକୁ ଅନାଇ କହିଲେ, “ଦେଖ ସକାଳୁ ମୋତେ ପୀଡ଼ା ହେଲାଣି, କଣ କରିବି, ଚାରିଆଡ଼େ ଲୋକ । ପୁରୁଷ ହେଉ ସ୍ତ୍ରୀ ହେଉ, କେହି ଅନାଇଲେ ମୁଁ ବସିପାରେ ନାହିଁ ।” ମୁତୁରୀମା କହିଲା, ” ନାହିଁ ନାହିଁ, ଏଠାରେ କେହି ନାହାନ୍ତି, ଆପଣ ଯାଆନ୍ତୁ । ଆପଣ ଯାଆନ୍ତୁ” ଏହା କହି ଘର ମଧ୍ୟକୁ ଆସି ବାଡ଼ି ଦୁଆର ଆଉଜାଇ ଦେଲା ।

ଅନ୍ଧାର ହୋଇଆସିଲାଣି, ବୋହୂମାଉସୀ କହିଲେ, ‘ମୁଁ ଆଉ ରହିପାରିବି ନାହିଁ, ସେମାନେ ବାଟ ଚାହିଁ ବସିଥିବେ । “ସମୁନ୍ଧୁଣୀମାନେ କିଛି ଖାଇବାକୁ କହିଲେ । ବୋହୂ ମାଉସୀ ଜିଭ କାମୁଡି ପକାଇ କହିଲେ,” ରାମ-ରାମ-ରାମ ! କଣ କହିଲ ସମୁନ୍ଧୁଣୀ, କଣ କହିଲ ? ଏ ଘରେ ଝିଅ ଦେଇଛି, ପାଣି ଛୁଇଁବି? ବିଦାବେଳେ ବୋହୂମାଉସୀ ସମୁନ୍ଧୁଣୀମାନଙ୍କୁ କୁଣ୍ଢାଇ ପକାଇ କହିଲେ — <poem> ଦେଉନ୍ତୁ ମେଲାଣି ଯାଉଛି ସଙ୍ଗାତ, ମନଟି ରଖିଲ ବାନ୍ଧି, ଦିନ ରାତି ସିନା ସରିବ ନାହିଁଟି, ସକେଇ ସକେଇ କାନ୍ଦି ।”

ଡୋଲି ଗାଁରୁ ବାହାରି ବିଲବାଟ ଅନ୍ଧାରରେ ମିଶିଗଲା । ଏଣେ ସାମନ୍ତ ମାନଙ୍କୁ ଦେଖାଇବା ସକାଶେ ଭାରସବୁ ରଖାଇ ଦିଆଗଲା । ବୋହୂମାଉସୀ ବିଦାୟ ହୋଇଗଲା ବାଦ ତାଙ୍କ ରୂପ ଗୁଣ ବିଷୟରେ ଢେର ସମାଲୋଚନା ହେଲା । ସମସ୍ତେ ପ୍ରଶଂସା କଲେ, କେହି ରୂପର, କେହି ଗୁଣର, କେହି ଅଳଙ୍କାରର, କେହି ପାଚିଲା କଦଳୀର; ମାତ୍ର ମାଣିକ କହିଲା, ‘ହେଲା ହଁ, ବଡ଼ଲୋକ ଘର, ରୂପଟା ଏକା ସେ ରୂପ ନୁହେଁ, ଛାମୁଦାନ୍ତ ଦିଟା ବାହାଡ଼ା, ଗାଲ ଦୁଇଟା ଉଆଉ ଫଡ଼ାପରି । “ହଗୁରା ମା କହିଲା, କଥାଟାରେ ତାର ମିଠା ନାହିଁ, ଠୋସ୍ ଠୋସ୍ ।” ମୁତୁରୀମା କହିଲା, ଚାଲିଟା ଧସ୍ ଧସ୍ । “ଶଂକ୍ରୀ କହିଲା,” ହଁ ହଁ ହସଟା ଫସ୍ ଫସ୍ । “ଶୁକ୍ରୀ କହିଲା,” ଚାହାଣିଟା କସ୍ ମସ୍ ।” ମୁହୂର୍ତ୍ତ ମଧ୍ୟରେ ‘ଏକୋହି ଗୁଣରେ ଦୋଷ ସନ୍ନିପାତ’ ହୋଇଗଲା । ନୂଆବୋହୂକୁ ମାଉସୀ ସମ୍ବନ୍ଧରେ ଅନେକ ପ୍ରଶ୍ନ କରାଗଲା, ମାତ୍ର ସେ ଏତିକି କହିଲା – “ଟାଙ୍ଗୀ ମାଉସୀ ।”

Share. Facebook Twitter Pinterest LinkedIn Tumblr Reddit Email
Previous Articleବାଘସିଂହ ବଂଶ :
Next Article କିପରି ଘର ପୋଡ଼ିଲା :
ଫକୀର ମୋହନ ସେନାପତି

Related Posts

ଡାକମୁନ୍ସି

February 10, 2022

ଉପସଂହାର

November 26, 2018

ଅପୂର୍ବ ମିଳନ :

November 26, 2018

ବାବାଜୀ ଲଳିତା ଦାସ :

November 26, 2018

ମଙ୍ଗରାଜ ଘରର ହାଲଚାଲ :

November 26, 2018

ଖୁଣି ତଦାରଖି :

November 26, 2018
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.