• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଚନ୍ଦ୍ରହାର
ଗଳ୍ପ

ଚନ୍ଦ୍ରହାର

Liza SBy Liza SMarch 15, 2023No Comments6 Mins Read
Facebook Twitter Pinterest Reddit LinkedIn Tumblr Email
Chandrahara
Chandrahara
Share
Facebook Twitter Pinterest Reddit Email

କମଳା ତା’ପିଲାଦିନରୁ ମାତୃହୀନା । ପିତାଙ୍କର ବିଶେଷ ରୋଜଗାର ନ ଥିଲେ ମଧ୍ୟ ଅତି ଆଦରରେ ଝିଅ କମଳାକୁ ସେ ଉଭୟ ପିତାମାତାଙ୍କ ସ୍ନେହ ଦେଇ ଲାଳନ ପାଳନ କରିଥାନ୍ତି । ଭଗବାନ ଧନ ସମ୍ପତ୍ତି ନ ଦେଇଥିଲେ ମଧ୍ୟ କମଳାକୁ ଅଶେଷ ସୌନ୍ଦର୍ଯ୍ୟ ଧନରେ ଧନୀ କରିଥାନ୍ତି । ସମସ୍ତେ କମଳାଙ୍କର ସୁନ୍ଦର ରୂପର ଭୁରିଭୁରି ପ୍ରଶଂସା କରନ୍ତି । କମଳା ଧୀରେ ଧୀରେ ଜାଣିପାରିଲେ, ସେ ପ୍ରକୃତରେ ଅପୂର୍ବ ସୁନ୍ଦରୀ । ତେଣୁ ମନ ତାଙ୍କର ସ୍ୱପ୍ନଲୋକରେ ବିଚରଣ କରିବାରେ ଲାଗିଲା । କେଉଁ ଏକ ଜମିଦାର ବା ଧନୀକ ବ୍ୟକ୍ତି, ତାଙ୍କର ଏହି ସୁନ୍ଦର ରୂପ ପାଇଁ ତାଙ୍କୁ ବିବାହ କରିବେ ଓ ସେ ଖୁବ୍ ସମ୍ଭ୍ରାନ୍ତ ମହିଳା ଭାବେ ସୁଖୀ ଜୀବନ ବିତାଇବେ, ଏହି କଳ୍ପନାରେ ତାଙ୍କ ଦିନ କଟୁଥାଏ ।କମଳାଙ୍କ ବିବାହ ପାଇଁ ଅନେକ ପ୍ରସ୍ତାବ ଆସିଲା । କିନ୍ତୁ ସବୁ ପ୍ରସ୍ତାବ ମଧ୍ୟବିତ୍ତ ପରିବାରରୁ ଆସୁଥାଏ । ତାହା ପୁଣି ଯୌତୁକ ଦାବୀ କାରଣରୁ ଭାଙ୍ଗି ଯାଉଥାଏ । ପିତାଙ୍କର ଯୌତୁକ ଦେବାର ଅସମର୍ଥତା ହେତୁ କୌଣସି ପ୍ରସ୍ତାବ ସ୍ଥିର ହୋଇ ପାରୁ ନ ଥାଏ ।

ଏପରି ପରିସ୍ଥିତିରେ, ସହରରେ ଚାକିରୀ କରୁଥିବା କିଶୋର କମଳାଙ୍କୁ ଦେଖି ଖୁବ୍ ପସନ୍ଦ କଲେ । ତାଙ୍କର ମଧ୍ୟ ପିଲାଦିନରୁ ପିତାମାତାଙ୍କର ଦେହାନ୍ତ ଘଟିଥିଲା । ବିନା ଯୌତୁକରେ ସେ କମଳାଙ୍କୁ ବିବାହ କରିବାକୁ ରାଜି ଥିଲେ । ଏସବୁ ଦେଖି ସମ୍ପର୍କୀୟମାନେ କମଳାଙ୍କ ଭାଗ୍ୟର ପ୍ରଶଂସା କଲେ । କିନ୍ତୁ କମଳା ନିରାଶ ହେଲେ । କାରଣ ତାଙ୍କର ଉଚ୍ଚାଭିଳାଷ ଓ ଏଇ ବିବାହ ମଧ୍ୟରେ ଆକାଶ-ପାତାଳ ପ୍ରଭେଦ ଥିଲା ।ସହରରେ କିଶୋରଙ୍କର ନିଜ ଘର ଥାଏ । ବିବାହ ପରେ ସେ ଦୁହେଁ ସେଠାରେ ରହିବା ପାଇଁ ଆସିଲେ । କିଶୋର ତାଙ୍କ ପତ୍ନୀଙ୍କୁ ଖୁବ୍ ଭଲ ପାଉଥାନ୍ତି । ଖାଇବା ପିଇବା ସେ କେଉଁଥିରେ କିଛିବି ଅଭାବ କରନ୍ତି ନାହିଁ । କିନ୍ତୁ କମଳାଙ୍କର ମନ ସବୁବେଳେ ଉଦାସ ଥାଏ । ରେଶମୀ ଶାଢୀ, ବିଭିନ୍ନ ଦାମୀ ଗହଣାର ସ୍ୱପ୍ନ ତାଙ୍କୁ ଘାରୁଥାଏ ।ଥରେ କିଶୋରଙ୍କର ଜଣେ ସମ୍ପର୍କୀୟ ଏକ ବିଭାଘର ନିମନ୍ତ୍ରଣ ଦେବାପାଇଁ ଆସିଲେ । ଏହି ବ୍ୟକ୍ତି ଅଭାବ ସମୟରେ କିଶୋରଙ୍କୁ ବହୁତ ସାହାଯ୍ୟ କରିଥିଲେ । ତେଣୁ କିଶୋର ତାଙ୍କ ନିମନ୍ତ୍ରଣ ସ୍ୱୀକାର କରି କମଳାଙ୍କୁ କହିଲେ, “ଆମେ ଏଇ ଉତ୍ସବରେ ଯୋଗ ଦେବାପାଇଁ ନିଶ୍ଚୟ ତାଙ୍କ ଗ୍ରାମକୁ ଯିବା ।” କମଳା କିନ୍ତୁ ଏଥିରେ ବିଶେଷ ଉତ୍ସାହ ଦେଖାଇଲେ ନାହିଁ ।ସେ କହିଲେ, “କେଉଁ ମୁହଁରେ ମତେ ତାଙ୍କ ଘରକୁ ଯିବାପାଇଁ କହୁଛ? ମୋର ଗଳାରେ ସୁନାହାରଟିଏ ନାହିଁ । ପିନ୍ଧିବା ପାଇଁ ଭଲ ଶାଢୀ ଖଣ୍ଡେ ନାହିଁ । ସମସ୍ତେ ମୋତେ ଦେଖି ସେଠାରେ ଉପହାସ କରିବେ । ସମସ୍ତଙ୍କ ଆଗରେ ମୋର ମୁହଁ ତଳକୁ ହେବ । ତୁମର ଇଚ୍ଛା ଥିଲେ ଯାଅ । ହେଲେ ମୋ ଯିବାର ନାମ ଧର ନାହିଁ ।”

ଏଭଳି କଥା ଶୁଣି କିଶୋର ଆଉ କିଛିବି ନ କହି ଚୁପ୍ ରହିଲେ । ମାଲିକଙ୍କ ପାଖରୁ କିଛି ଟଙ୍କା କରଜ ଆଣି ଖଣ୍ଡେ ଭଲ ଶାଢୀ କିଣିଲେ । ନୀଳ ରଙ୍ଗର ସେହି ଚମତ୍କାର ଶାଢୀ ସହିତ ମଲ୍ଲୀଫୁଲର ମାଳାଟିଏ କିଣି ଘରକୁ ଫେରିଲେ ।ସେ ସବୁ ପତ୍ନୀଙ୍କ ହାତରେ ଦେଇ ସେ ସ୍ନେହରେ କହିଲେ, “କମଳା, କୌଣସି ଆଭୂଷଣ, ତୁମର ସୌନ୍ଦର୍ଯ୍ୟର ସରି ହେବ ନାହିଁ । ହଁ ମୁଁ ମାନୁଛି, କୌଣସି ଶୁଭକାମରେ ବିନା ଆଭୂଷଣରେ ଯିବା ମଧ୍ୟ ଠିକ୍ ନୁହେଁ । ତୁମେ ଗୋଟିଏ କାମ କର । ଆମ ପଡୋଶୀ ଘର, ଭଉଣୀ ଚନ୍ଦ୍ରକାନ୍ତାଙ୍କର ଅନେକ ସୁନା ଗହଣା ରହିଛି । ଆମେ ତ ଦୁଇ ତିନିଦିନ ମଧ୍ୟରେ ସେଠାରୁ ଫେରି ଆସିବା । ତେଣୁ, ତୁମେ ତାଙ୍କଠାରୁ ସୁନାହାରଟିଏ ମାଗି ଆଣି ପିନ୍ଧିବ, ଆମେ ଆସିଲେ ତାଙ୍କୁ ତାଙ୍କ ଜିନିଷ ଫେରାଇଦେବା ।”କମଳାର, ଆନ୍ତରିକ ଇଚ୍ଛା ନ ଥିଲେ ମଧ୍ୟ ଚନ୍ଦ୍ରକାନ୍ତାଙ୍କୁ ଉଧାର ସୂତ୍ରରେ ସେ ସୁନାହାର ମାଗିଲେ । ଚନ୍ଦ୍ରକାନ୍ତା ନିଜର ଗହଣାବାକ୍ସ ଖୋଲି, କମଳାକୁ ନିଜ ପସନ୍ଦର ହାରଟିଏ ବାଛି ନେବାକୁ କହିଲେ । କମଳାଙ୍କୁ ଚନ୍ଦ୍ରହାର ଖୁବ୍ ପସନ୍ଦ ହେଲା । ଦୁଇ ତିନି ଦିନ ପରେ ଫେରାଇବେ ବୋଲି କଥା ଦେଇ ସେ ହାରଟି ଆଣିଲେ ।ତିନିଘଂଟାର ଯାତ୍ରା ପରେ ସେମାନେ ବନ୍ଧୁଘରେ ଯାଇ ପହଁଚିଲେ । ପରଦିନ, ବିବାହ ଅନୁଷ୍ଠିତ ହେଲା । ସକାଳୁ, କମଳା ସ୍ନାନ କରି ନୂଆ ଶାଢୀ ପିନ୍ଧିଲେ ଓ ମାଗି ଆଣିଥିବା ସୁନାହାର ବେକରେ ପକେଇଲେ । ମଲ୍ଲୀଫୁଲର ମାଳାରେ ନିଜ ଜୁଡାକୁ ବେଶ୍ ସୁନ୍ଦର ଭାବେ ସଜେଇଲେ । ସହଜେ ତ ସେ ଖୁବ୍ ସୁନ୍ଦରୀ, ଏହି ସବୁ ବେଶ ଆଭୂଷଣ ତାଙ୍କ ସୌନ୍ଦର୍ଯ୍ୟକୁ ବହୁଗୁଣିତ କଲା । ବିବାହ ଉତ୍ସବକୁ ଆସୁଥିବା ସବୁ ଲୋକଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ କମଳା ଥିଲେ । ଏହା ଜାଣିପାରି, କମଳାଙ୍କର ଖୁସିର ସୀମା ଆଉ ରହୁ ନ ଥାଏ ।

ବିବାହର ପରଦିନ ପତିପତ୍ନୀ ସହର ଫେରିଆସିଲେ । ଚନ୍ଦ୍ରକାନ୍ତାଙ୍କ ଚନ୍ଦ୍ରହାର ଫେରାଇଦେବା ପାଇଁ କମଳା ନିଜ ବାକ୍ସ ଖୋଲିଲେ । ମାତ୍ର ହାରଟି ନ ପାଇ ସେ ଅଚାନକ ଚିତ୍କାର କରି ଉଠିଲେ । କମଳା ମନେ ପକେଇଲେ, ବିବାହ ଉତ୍ସବରେ, ସଂନ୍ଧ୍ୟା ସମୟରେ ସେ ହାରଟି ବେକରୁ କାଢି ବାକ୍ସରେ ରଖି ଚାବି ପକାଇଥିଲେ । କିନ୍ତୁ ସେ ହାରଟି ଏବେ ମିଳୁନାହିଁ ।କିଶୋର ତାଙ୍କ ପତ୍ନୀଙ୍କ ଏଭଳି ଚିତ୍କାର ଶୁଣି ଘଟଣା କ’ଣ ବୁଝିଲେ । ସେ କମଳାଙ୍କୁ ସାନ୍ତ୍ୱନା ଦେଇ କହିଲେ, “ବିବାହ ଉତ୍ସବରେ ଯୋଗ ଦେବାପାଇଁ ଆସିଥିବା ଏତେ ଲୋକଙ୍କ ମଧ୍ୟରୁ କିଏ ଏ ଚୋରି କରିଛି ତାହା ଜାଣିବାର କିଛି ଉପାୟ ନାହିଁ । ଏବେ ଆମେ ଚନ୍ଦ୍ରକାନ୍ତାଙ୍କୁ କ’ଣ କହିବା? ସେ କ’ଣ ବିଶ୍ୱାସ କରିବେ ଯେ ତାଙ୍କ ହାରଟି ପ୍ରକୃତରେ ଚୋରୀ ହୋଇଯାଇଛି? ବରଂ ସେ ଆମକୁ ଠକ, ଧପ୍ପାବାଜ ବୋଲି କହିବେ । ଏବେ ଆମ ଆଗରେ ଗୋଟିଏ ମାତ୍ର ସମାଧାନ ଅଛି । ତାହା ହେଉଛି ଆମେ ଚୁପ୍ଚାପ୍ ଠିକ୍ ସେହିପରି ହାରଟିଏ କିଣି ତାଙ୍କୁ ଫେରାଇଦେବା । ଯେମିତି ଆଉ କେହି ବାହାର ଲୋକ ଏ କଥା ଜାଣି ପାରିବେ ନାହିଁ ।”

କିଶୋର ବାହାରକୁ ଯାଇ କିଛି ସମୟ ପରେ ଘରକୁ ଫେରି ପତ୍ନୀଙ୍କୁ କହିଲେ, “ମାଲିକଙ୍କଠାରୁ କିଛି କରଜ ଏବଂ ଆମର ଏ ଘରଟି ବନ୍ଧା ଦେଇ ମୁଁ କିଛି ଟଙ୍କା ଆଣିଛି । ଏଇ ଟଙ୍କାରେ ଆମେ ଠିକ୍ ସେହିପରି ଚନ୍ଦ୍ରହାର କିଣିଦେବା ।” ଏଥିଉତାରେ ସେ ପତିପତ୍ନୀ ଅନେକ ଦୋକାନ ଖୋଜିବା ପରେ, ଯାଇ ଠିକ୍ ସେଇ ଗଢଣର ଚନ୍ଦ୍ରହାର ଗୋଟିଏ ଦୋକାନରେ ମିଳିଲା ।ସେହିଦିନ ସଂନ୍ଧ୍ୟାରେ କମଳା, ଚନ୍ଦ୍ରକାନ୍ତଙ୍କୁ ତାଙ୍କ ଚନ୍ଦ୍ରହାର ଫେରାଇ ଦେଲେ । ଏହାପରେ କମଳା ନିଜ ଘରର ଚାକରାଣୀକୁ କାମରୁ ବାହାର କରି, ନିଜେ ସବୁ ଘରକାମ କଲେ । ଘର ପଛରେ ଥିବା ଛୋଟ ବାଡିରେ ପନିପରିବା ଗଛ ସବୁ ଲଗେଇଲେ । ଝାଡୁ ତିଆରି କରି ଦୋକାନକୁ ତାହା ବିକିବା ପାଇଁ ପଠାଇଲେ । ପତି ଏ ସବୁ କାମରେ ପତ୍ନୀଙ୍କୁ ସାହାଯ୍ୟ କରନ୍ତି । ଏହିପରି କମଳା, ସାଧ୍ୟ ମୁତାବକ ଅର୍ଥ ସଂଚୟରେ ଲାଗିପଡିଲେ ।ଚାହୁଁ ଚାହୁଁ ପାଂଚବର୍ଷ ବିତିଗଲା । ଅଧିକ ଶାରିରୀକ ପରିଶ୍ରମ ହେତୁ, କମଳାର ଚେହେରାର କାନ୍ତି ମଳିନ ନ ପଡିଲେ ମଧ୍ୟ ତାଙ୍କର ଶରୀରର କୋମଳତା ନଷ୍ଟ ହୋଇଗଲା । ସମୟ ଥିଲା ଯେତେବେଳେ ସେ ଘଂଟା ଘଂଟା ଦର୍ପଣ ଆଗରେ ବସି ନିଜ ସୁନ୍ଦର ଚେହେରା ଦେଖୁଥିଲେ । କିନ୍ତୁ ଏବେ ସେ ବିଷୟରେ ଭାବିବା ପାଇଁ ତାଙ୍କର ସମୟ ନାହିଁ । ଜୀବନ ପ୍ରତି ମଧ୍ୟ ତାଙ୍କର କୌଣସି ଉଦାସ ବା ଅସନ୍ତୋଷ ଭାବ ଏବେ ଆଉ ନାହିଁ ।

ଦିନେ କମଳା, ନିଜର ସଂଚିତ ଅର୍ଥକୁ ବାକ୍ସରୁ କାଢି ଗଣି ବସିଲେ । ତା’ପରେ ଖୁସିରେ ସେ ଚିତ୍କାର କରି ଉଠିଲେ । କାରଣ ଚନ୍ଦ୍ରହାର କିଣିବା ସମୟରେ, ସେମାନେ କରିଥିବା କରଜ ଶୁଝିପାରିବା ପରି ଅର୍ଥ ଏବେ ତାଙ୍କ ପାଖରେ ଅଛି । ଘରକୁ ମଧ୍ୟ ବନ୍ଧକରୁ ମୁକୁଳେଇ ପାରିବେ ।ଘରକୁ ଫେରି କିଶୋର ଏ ଖୁସୀଖବର ଶୁଣି ପତ୍ନୀଙ୍କୁ କହିଲେ, “କମଳା, ସୁଝିବାଠାରୁ ବଳି ସୁଖ ଆଉ କିଛି ନାହିଁ । ଏହି ଖୁସୀର ଅବସରରେ ମୁଁ ତୁମକୁ ଗୋଟିଏ ସତକଥା କହୁଛି । ବିଶ୍ୱାସ କରୁଛି ତୁମେ ମୋତେ ମୋଟେ ଭୁଲ୍ ବୁଝିବ ନାହିଁ । ସେହି ସମୟରେ, ତୁମକୁ ଏହି ବାସ୍ତବତା ବୁଝେଇବା ପାଇଁ ମୁଁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥାନ୍ତି । ତେଣୁ ମୁଁ ଏହି ଉପାୟ କରିଥିଲି ।”କମଳା ଆତୁର ହୋଇ ଜାଣିବାକୁ ଚାହିଁଲେ, ପ୍ରକୃତ ସତ୍ୟଟି କ’ଣ?“ପ୍ରକୃତରେ ଚନ୍ଦ୍ରହାର କେହିବି ଚୋରୀ କରି ନାହାଁନ୍ତି । ସଂନ୍ଧ୍ୟା ସମୟରେ ତୁମେ ହାରଟି ରଖି ଚାଲିଯିବା ପରେ, ମୁଁ ତାହା ଲୁଚାଇ ଦେଲି । ସହରକୁ ଫେରିବା ପରେ, ତାହା ନେଇ ମୁଁ ମୋର ଜଣେ ବନ୍ଧୁଙ୍କର ଗହଣା ଦୋକାନରେ ରଖି ଆସିଲି । ତୁମ ସମ୍ମୁଖରେ, ହାରଟି କିଣିବାର ଏକ ନାଟକ କରିଥିଲି । ପ୍ରକୃତରେ ଆମ ଘର ମଧ୍ୟ ବନ୍ଧକ ରହିନାହିଁ, କିମ୍ବା ମୁଁ କରଜ ଟଙ୍କା ଆଣିନାହିଁ । ତୁମକୁ ଏକ ଶିକ୍ଷା ଦେବାପାଇଁ ମୁଁ ଏପରି କରିଥିଲି । ଏବେ ତୁମେ ଏହି ଟଙ୍କା ନେଇ ନିଜର ମନପସନ୍ଦର ଗହଣା କିଣିଆଣ?” ଏହିପରି ଭାବେ କିଶୋର ସବୁ ରହସ୍ୟ ଖୋଲିଦେଲେ ।

ମୁଣ୍ଡ ଉପରେ କରଜ-ବୋଝ ନ ଥିବାର ଜାଣି, କମଳା ପ୍ରଥମେ ଖୁସିରେ ବିଭୋର ହୋଇଗଲେ । ତା’ପରେ ସେ ତାଙ୍କ ପତିଙ୍କ ଦୁଇହାତକୁ ଧରି ପକେଇ କହିଲେ, “ସେତେବେଳେ ମୁଁ ନିର୍ବୋଧ ଥିଲି । ନିଜ ସୌନ୍ଦର୍ଯ୍ୟର ଅହଙ୍କାରରେ ଅନ୍ଧ ଥିଲି । ଭଗବାନଙ୍କ ପ୍ରଦତ୍ତ ଏହି ସୌନ୍ଦର୍ଯ୍ୟ, ଶାରିରୀକ ଶ୍ରମ ଦ୍ୱାରା ଅଧିକ ସୁସ୍ଥ ଓ ଦୀର୍ଘସ୍ଥାୟୀ ରହିବ । ସେଥିପାଇଁ ଦାମୀ ଶାଢୀ ଚକଚକିଆ ଗହଣାର କ’ଣ ବା ଦରକାର? ଆମେ ଏହି ଅର୍ଥରେ ଗୋଟିଏ ଛୋଟ ନଡିଆ ବଗିଚା କିଣିବା । ତୁମେ ସାହୁକାରଙ୍କ ଚାକିରୀ ଛାଡି, ନଡିଆ ବଗିଚାର ଦେଖାଶୁଣା କରିବ, କିଛି ସ୍ୱାଧୀନ ବ୍ୟବସାୟ କରିବ । ମୁଁ ବି ଅବଶ୍ୟ ସେଥିରେ ତୁମକୁ ସାହାଯ୍ୟ କରିବି । ଭବିଷ୍ୟତରେ ଆମର ପରିବାର ବଢିଲେ, ଖର୍ଚ୍ଚ ମଧ୍ୟ ବଢିଯିବ” କମଳା ଏତିକି କହି ଲାଜେଇ ଗଲେ ।କିଶୋର, ଗହଣା ଓ ଶାଢୀ ପ୍ରତି ଲୋଭାସକ୍ତା କମଳା ଓ ଏବର କମଳାଙ୍କୁ ତୁଳନା କରି ଆକାଶ-ପାତାଳ ପ୍ରଭେଦ ଅନୁଭବ କଲେ । ମନେକଲେ, ସତେ କି କମଳାଙ୍କର ଏକ ନୂତନ ଜନ୍ମ ହୋଇଛି ।

Latest New Story New odia story Odia New story
Share. Facebook Twitter Pinterest LinkedIn Tumblr Reddit Email
Previous Articleମହାଭାରତ
Next Article ଅଭିନବ ବିବାହ
Liza S

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.