• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଉପନ୍ୟାସ»ଗୋବରା ଜେନା :
ଉପନ୍ୟାସ

ଗୋବରା ଜେନା :

ଫକୀର ମୋହନ ସେନାପତିBy ଫକୀର ମୋହନ ସେନାପତିNovember 26, 2018No Comments3 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ତନ୍ତୀସାହିକୁ ଚାରିଶ ପାଞ୍ଚାଶ କଦମ ଦୂର ବିଲ ମଝିରେ ଡମସାଇ । ଏଟା ଅଲଗା ମୌଜା ନୁହେଁ, ଗୋବିନ୍ଦ ସାମିଲ । ସେଠାରେ ଦଶଘର ଡମ ଆଉ ଗୋବରା ଜେନା ଚୌକିଦାର ଘର । ଗୋବରା ଜେନା ନିଜ ମୌଜାରେ ଚୌକିଦାର; ତା’ର ଦେଢ଼ମାଣ ଚୌକିଆ ଜାୟଗିରି ଅଛି, ଏ ସିବାୟ ଫି ଘରୁ ଧାନକଟା ସମୟରେ ଗୋଟାଏ ଲେଖାଏଁ ହଳା ପାଏ । ଜେନା ମଜବୁର ଆପଣା କାମରେ ଖୁବ୍ ହୁସିଆର । ତାହା ଯୋଗେ ଗ୍ରାମରେ ଚୋରି ଚପାଟି ହୁଏ ନାହିଁ । ଫି ବରଷ ଗ୍ରାମ ମଧ୍ୟରେ ଚାରି ପାଞ୍ଚନମ୍ବର ସୀନ୍ଧିହୁଏ ସତ୍ୟ; କିନ୍ତୁ ଜେନା ମଜବୁରର କିଛି ଦୋଷ ନାହିଁ; କାରଣ ସେହି ସବୁ ଚୋରି ରାତିରେ ଜେନା ପୁଅ ଜାତିଆଣ କାମରେ ଚାରିପାଞ୍ଚକୋଶ ଦୂରବର୍ତ୍ତୀ ଗ୍ରାମକୁ ଯାଇଥାଏ । ଚୌକିଦାର ସାରାରାତି ଗ୍ରାମରେ ପହରା ଦିଏ; ମାତ୍ର ସେ ଏପରି ହୁସିଆରରେ ପହରା ଦିଏ; ଯେ, ସେ କଥା କେହି କେତେବେଳେ ଜାଣିପାରନ୍ତିନାହିଁ । ପାଟିକରି ପହରା ଦେଲେ ତୁଣ୍ତଶୁଣି ଚୋରଯେ ପଳାଇଯିବେ । ପୁରୁଣା ପୋଲିସ ଭାରି ଲାଞ୍ଚଖିଆ ଥିଲେ, ଏପରି ଗୋଟାଏ ପ୍ରବାଦ ଅଛି । ସତ ମିଛ ଜଗନ୍ନାଥ ଜାଣନ୍ତି । ଲୋକମାନଙ୍କ ପାଟିରେ କିଏ ହାତଦେବ ? ବାଘ ମଣିଷ ଖାଏ – ସବୁବାଘ ଗୁଡ଼ାକ ମଣିଷଖିଆ ? ସାଧୁସଚରିତ୍ର ବାଘ କି ଦୁନିଆରେ ନାହାନ୍ତି ? ଆମମାନଙ୍କ ଜେନାପୁଅ ସେହିପରି ଜଣେ ସାଧୁ ସଚ୍ଚରିତ୍ର ଲୋକ । ଆପଣାର ହକ୍ ଅର୍ଥାତ୍ ବାର୍ଷିକ ହଳା, ବାହାପୁଆଣିରେ ଖଦୀ ମୂର୍ତ୍ତି ଏ, ଉପରି ବରଠାରୁ ଚୌକିଆ ରୋସମ ଟଙ୍କାଟିଏ, ଆଉ ମଲାମରୁଡ଼ିରେ ଭାତିଆ ବାବଦକୁ କିଛି ଖର୍ଚ୍ଚ ପିଢ଼ାରୁ ଲାଉ କଖାରୁଟାଏ ଛଡ଼ା କାହାଠାରୁ କିଛି ଲାଞ୍ଚ ରିସପତ୍ ଛୁଏଁ ନାହିଁ । ଆଉ ଚୋରି, ସାପକାମୁଡ଼ା, ଜଳଡୁବିମାମଲା ପଡ଼ିଲେ ପୋଲିସରେ ଏତଲା ଖର୍ଚ୍ଚ । ଟଙ୍କାଟିଏ, ସେ ତ ଆଇନ୍ ରେ ଅଛି, ସେଥିରେ ଚୌକିଆର କଣ ଇଲାକା ? ବରଞ୍ଚ ଗୋବର୍ଦ୍ଧନ ଭାରୀ ଦୟାଳୁ ଲୋକ, କେହି ଗରିବ ଉପରେ ମାମଲା ପଡିଲେ କଂସାଖଣ୍ଟି ଢାଳଟୋ ନେଇ କାମ ତୁଲାଇନିଏ । ମାସକୁ ଥରେ ପୋଲିସରେ ରିପୋର୍ଟ ଦେବାକୁ ଯିବାବେଳେ ଗ୍ରାମରୁ କଦଳୀ କାନ୍ଦିଟା, ଲାଉ, କଖାରୁ ପୁଞ୍ଜାଏ ମୁନ୍ସି ଜମାଦାର ବରକନ୍ଦାଜ ସକାଶେ ନେବାରେ ତ ସୁବାମତି କଥା । କାମ ଝଞ୍ଜଟ ହେତୁରୁ ଜେନାପୁଅ ରାତିଓଳିଟା ଘରୁଭାତ ଖାଇପାରେ ନାହିଁ । ପାଳିକରି ଗାଁ ଲୋକଙ୍କ ଘରୁଖାଏ ଯାହାଘରୁ ଯେଉଁଦିନ ଖାଇବାର ବେଳ ଥାଉଁ ଥାଉଁ ମୁଠାଏ ଚାଉଳ ପକାଇବା ସକାଶେ କହିଯାଏ । ଖଞ୍ଜ ଅଖଞ୍ଜରେ ଭାତ ହେଇନପାରିଲେ ଜେନାପୁଅ ସେଦିନ ରାତିରେ ତାହା ଘର ପହରା କାମରେ ଢିଲା କରିଦିଏ । ଚୋରମାନେ ତକ୍ଷଣେ ଏ କଥା ଜାଣିପାରି ସେଦିନ ରାତିରେ ତାହା ପିଢ଼ା ବା ବାଡ଼ିରୁ ଫଳ କଦଳୀଟା କିମ୍ବା ବିଲରୁଧାନ ଚୋରି କରି ଘେନିଯାଆନ୍ତି କିମ୍ବା କିଛି ନ ପାଇଲେ ତାହା ଦାଣ୍ତ ଦୁଆର ଖୁମ୍ବାଟା ଭାଙ୍ଗି ଦେଇଯାଅନ୍ତି । ଗୋବର୍ଦ୍ଧନ ଗାଁରେ ଭାତ ଖାଇସାରି ଆପଣା ଘର ପର୍ଯ୍ୟନ୍ତ, ‘ଗାଁଲୋକେ ହୁସିଆର୍, ଘରବାଲେ ଖବରଦାର, ପାଟିକରି ଡାକ ଦିଏ । ଚେଇଁଥିବା ପିଲା ମାନେ ସେ ଡାକଶୁଣି ଶୋଇପଡ଼ନ୍ତି । ତାହା ବାଦ୍ ସେ ଗାଁରେ ସାରା ରାତି ପହରା ଦିଏ, ଏ କଥା କାହାକୁଜଣା ପଡ଼େନାହିଁ । ଗୋବରା ଜେନାକୁ ଗୋଟା ପାଣ ମଧ୍ୟରେ ଗଣିବ ନାହିଁ । ହଜାରେ ପାଞ୍ଚଶ ଗଣିଦେବାର ଲୋକ । ଧାନ ପାଞ୍ଚ ସାତ ଭରଣ ମଧ୍ୟ ଘରେ ସାଇତି ଅଛି । ଯେ ଯେଡ଼େ ହୁସିଆର ହେବ, ଆପଦ ବିପଦ କାହାରିକୁ ଛାଡ଼ିନାହିଁ । ଥରେ ଗୋଟାଏ ଚୋର ମାମଲା ତାହା ଉପରେ ଝୁଙ୍କିଥିଲା । ଶୁଣିବାରେ ଅଢ଼େଇଶ ଟଙ୍କା ମୁନିସ୍‌କୁ ପେଲିଦେଇ ଖଲାସ ପାଇଲା । ସେ ମାମଲାର ହାଲ ଏହିକି, ମାଖନପୁରି ମୌଜାର ଭୁବନିଶା’ ତେଲୀ ମହାଜନ ଘର ଡକାଇତି ମୋକଦ୍ଦମାରେ ଆଠ ଜଣ ଡକାଇତ ଗ୍ରେପ୍ତାର ହୋଇଥିଲେ । ଗୋବରା ଜେନା ସହ୍ଲାରେ ସେହି ଡକାଇତି ହୋଇଥିବାର ଏବଂ ଆହୁରି ଦଶ ପନ୍ଦର ନମ୍ବର ଚୋରିରେ ତାହାର ସହ୍ଲାଥିବାର ଏବଂ ଚୋରାମାଲ ସବୁ ତାହାଦ୍ୱାରା ବିକ୍ରି ହୋଇଥିବାର ଆସାମୀମାନଙ୍କ ମଧ୍ୟରେ ଦିକଡ଼ିଆ ପାଣ ପ୍ରକାଶ କଲା; ମାତ୍ର ଆଉ ଆଉ ଆସାମୀ ମାନେ ଏ କଥା ଅସ୍ୱୀକାର କରିବାରୁ ଗୋବରା ଦେହକୁ ଆଞ୍ଚ ଲାଗିଲା ନାହିଁ । ଗୋବରା ଜେନାଙ୍କ ଯୋଗ୍ୟତାରେ ମଙ୍ଗରାଜେ ତାହା ଉପରେ ଭାରିଖୁସି । ସେ ସକାଳ ସଞ୍ଜବେଳେ ମଙ୍ଗରାଜଙ୍କ କଚେରୀରେ ହାଜର ଥାଏ । ଅଧରାତିବେଳେ ଗୋବରା ଓ ମଙ୍ଗରାଜ ନିରୋଳାରେ ବସିଥିବାର ଲୋକ ଦେଖିଛନ୍ତି । ଫତେପୁର ସରଷଣ୍ତ ତାଲୁକାରେ ଅନେକ ପାଣଙ୍କ ଘର ଅଛି । ସେମାନେ ଚୋରି, ଡକାୟତି, ରାହାଜାନୀ ବ୍ୟବସାୟୀଥିବାର ଲୋକେ ସନ୍ଦେହ କରନ୍ତି । ପୁଲିସ ଏବଂ ଜେଲଖାନା ସହିତ ଘନିଷ୍ଠ ସମ୍ବନ୍ଧ ଏହି ସନ୍ଦେହର କାରଣ ଅଟେ । ଗୋବର୍ଦ୍ଧନର ଗୋଟିଏ ମହତ୍ ଗୁଣ, କୌଣସି ପାଣ ଜେଲ୍ ଗଲେ ତାହାର ଅସହାୟ ପିଲା ବାଳକଙ୍କୁ ଚଳାଏ ଏବଂ ମଙ୍ଗରାଜଙ୍କ ଖମାରରୁ ଦାନ ଦିଆଦିଏ; ମାତ୍ର ନିନ୍ଦୁକ ଲୋକର ନିନ୍ଦାକଥା କାହିଁ ଛାଡ଼ ନାହିଁ; ଲୋକମାନେ ଗୋବର୍ଦ୍ଧନର ଏହି ସଦ୍‌ଗୁଣର ଅନ୍ୟ ପ୍ରକାର ଅର୍ଥ କରନ୍ତି । ସେଥି ସଙ୍ଗେ ମଙ୍ଗରାଜଙ୍କ ଦାତବ୍ୟତା ଉଲ୍ଲେଖ କରିବା ମଧ୍ୟ ଗୋଟିଏ ଭାରି ଖରାପ କଥା ଅଟେ ।

Share. Facebook Twitter Pinterest LinkedIn Tumblr Reddit Email
Previous Articleଭଗିଆ ଆଉ ସାରିଆ :
Next Article ଅସୁର ଦୀଘି :
ଫକୀର ମୋହନ ସେନାପତି

Related Posts

ଡାକମୁନ୍ସି

February 10, 2022

ଉପସଂହାର

November 26, 2018

ଅପୂର୍ବ ମିଳନ :

November 26, 2018

ବାବାଜୀ ଲଳିତା ଦାସ :

November 26, 2018

ମଙ୍ଗରାଜ ଘରର ହାଲଚାଲ :

November 26, 2018

ଖୁଣି ତଦାରଖି :

November 26, 2018
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.