• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଉପନ୍ୟାସ»ଗୋପୀସାହୁର ଦୋକାନ ଘର
ଉପନ୍ୟାସ

ଗୋପୀସାହୁର ଦୋକାନ ଘର

ଫକୀର ମୋହନ ସେନାପତିBy ଫକୀର ମୋହନ ସେନାପତିNovember 26, 20181 Comment10 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ବିରୂପା ନଦୀକୂଳ-ଗୋପାଳପୁର ଘାଟ, ଏହିଟି କଟକ ଯିବାର ଦାଣ୍ତ; ଲୋକମାନେ ଏହିଠାରେ ପାରି ହୁଅନ୍ତି । ଆଗେ ଗୋପାଳପୁର ଗ୍ରାମ ଏହିଠାରେ ଥିଲା, ଗଲା ଆଠ ଅଙ୍କ ଭୋଦୁଅ ଅଷ୍ଟମୀ ବଡ଼ ବଢ଼ିରେ ଭାସିଯାଇଅଛି । ଗ୍ରାମ ଗଲାଣି, ନାମ ଯାଇ ନାହିଁ । ତୁଠ ଉପରେ ଗୋଟିଏ ଭାରି ବଡ଼ ବରଗଛ । ଗଛମୂଳରେ ଗୋପୀସାହୁର ଦୋକାନ ଘର, ଘରଟି ସାତପାଞ୍ଚ । ସେଥିମଧ୍ୟରୁ ଅଧକରେ ଗୋଟିଏ କୋଠରୀ, ଅଧେ ମେଲା । ଆଗରେ ଦୁଇହାତ ଲମ୍ବ ପିଣ୍ତା । ଦୈବ ଦୁର୍ବଳେ କେହି ବାଟୋଇ ରହିଗଲେ ମେଲାରେ ରୋଷେଇ କରନ୍ତି । ଗୋପୀ ବୁଢ଼ା ହୋଇଗଲାଣି, ବିଲବାଡ଼ିକି ଆଉ ପାରେ ନାହିଁ । ଗଲା ଅଙ୍କରେ ବୁଢ଼ୀ ଚାଲିଗଲା ଦିନରୁ ତା ଅଣ୍ଟା ବସିଗଲାଣି । ପୁଅମାନେ ମଧ୍ୟ ବୁଢ଼ାକୁ ଧନ୍ଦାରେ ପକାନ୍ତି ନାହିଁ । ଗୋପୀ ତୁଚ୍ଛା ବସିବା ଲୋକ ନୁହେଁ, ବସିବାଠାରୁ କାଷିବା ଭଲ, ବରଷେ ହେଲା ଫନ୍ଦାଟାଏ ଫାନ୍ଦିଛି । ଦିନ ପ୍ରହରକବେଳେ ଚାରିଟା ମୁହଁରେ ଦେଇ ଦୋକାନକୁ ଆସେ, ସଞ୍ଜବେଳେ ଦୋକାନ ଘରେ ଲମ୍ବା ନଳୀ କୋଲପଟାଏ ପକା ଘରକୁ ଚାଲିଯାଏ । ଦୋକାନଠାରୁ ଅଧକୋଶ ଛଡ଼ା । ଦୋକାନରେ ଚାଉଳ, ଡାଲି, ଲୁଣ, ଚୁଡ଼ା, ଧୂଆଁପତ୍ର ରଖିଥାଏ । ସଞ୍ଜବେଳେ ଘରକୁ ଯିବାବେଳେ ପସରା ସବୁ ଗୋଟାଏ ଟୋକେଇରେ ଭରତି କରି ଘରୁକୁ ଘେନିଯାଏ । ଗୋପୀ ଗାଁ ଲୋକଙ୍କ ପାଖରେ କହେ, ସେ ଏଣିକି ବଡ଼ ସାହାଖର୍ଚ୍ଚୀ ହୋଇପଡ଼ିଲାଣି । ସଞ୍ଜବେଳେ ସୋରିଷେ ସୋରିଷେ ଆପୁ ନ ଖାଇଲେ ରାତିରେ ନିଦ ହୁଏ ନାହିଁ । ଆପୁ ଖାଇସାରି ଚୂଡ଼ା ଗୁଣ୍ତି ଦି’ଟା କିମ୍ବା ମୁଢ଼ିଗୁଣ୍ତ ଦି’ଟା ପାଟିରେ ନ ପକାଇଲେ ନୁହେଁ । ଧୂଆଁ ଅଭ୍ୟାସ ତ ଅଛି । ହେଲେ ଖର୍ଚ୍ଚ ନିଜ ଅର୍ଜନରୁ ଚଳାଏ । ପୁଅମାନେ ଦୋକାନ କରିବା ସକାଶେ ଯେ ଆଠଣିଟିଏ ହେଇଥିଲେ, ସେଥିରୁ ଯେ ପଇସାଏ ଅଧଲାଏ ବାହାରେ, ସେଥିରେ ଚଳିଯାଏ, ପାଣ୍ଠିରେ ହାତ ଲାଗେ ନାହିଁ ।

ଅଶିଣମାସିଆ ଦିନ, ଦିନ ଯାକ ମେଘଟା ଘୋଡେଇଛି, ଦୁଇ ଦିନ ଅସରା ପାଣି ମଧ୍ୟ ହୋଇଗଲାଣି । ବର୍ଷା ପଡ଼େ ଟପର ଟପର, ବାଟଟା କାଦୁଅରେ ଚପର ଚପର, ବାଟୋଇ କେହି ନାହାନ୍ତି । ବେଳ ଆହୁରି ଦଣ୍ତେ ଅଛି, ମାତ୍ର ମେଘ ଘୋଟିଥିବାରୁ ଅନ୍ଧାର ହୋଇ ଆସିଲା ପରି ଜଣାଯାଅଛି । ଗୋପୀ ଦୋକାନକୁ ଅନାଇ କହିଲା, “ସକାଳୁ କାହା ମୁହଁ ଚାହିଁଥିଲି, ଅଧାଲାଟିକର ଧୂଆଁପତ୍ର ମଧ୍ୟ ସରିଲା ନାହିଁ ।” ଗୋପୀ ଦୋକାନକୁ ଗୋଟିଏ ଟୋକେଇରେ ପୁରାଇ ଗାମୁଛା ମୁଣ୍ତରେ ବାନ୍ଧି ପିଣ୍ତାରେ ବସିଲା; ଆକାଶକୁ ଅନାଇ ଆପେ ଆପେ କହିଲା – “ବେଳ ବୁଡିନାହିଁ । ନଦୀଘାଟକୁ ଅନାଇ ଅଛି; କେହି ବାଟୋଇ ପାରିହୋଇ ଆସିବ ପରା ! ନଦୀ ତୁଠକୁ ଏକ ଧ୍ୟାନରେ ଅନାଇ ଭଜନ ଆରମ୍ଭ କରିଅଛି -” <poem> “ଦିନ ଗଲାଟିରେ ସରି ବୃଥା କାଳ କାଟିଦେଲି ନ ଭଜି ଶ୍ରୀହରି । ଘୋଷା ।

ବହିଯାଇଅଛି ଆୟୁ ନଦୀସ୍ରୋତ ପରି ପଡିଲେ କାଳ ସାଗରେ ନ ଆସିବ ଫେରି । ବିଷୟରେ ମତ୍ତ ହୋଇ ଦିବସଶର୍ବରୀ, ଆପଣାଅର ନିଜ ଧାମ ରହିଛି ପାସୋରି । ଦୀନ ଜନେ ଦୟା କର ଦୟାମୟ ହରି ନିରନ୍ତର ତୁମ୍ଭ ନାମ ଥିବି ହୃଦେ ଧରି ।” <poem> “ଏ ଦୋକାନି – ! ରହିବାକୁ ଜାଗା ମିଳିବ ?” ଗୋପୀ ଚମକିପଡ଼ି ଅନାଇଲା ଦୋକାନ ଆଗରେ ଦୁଇଜଣ ବାଟୋଇ । ଜଥାଟି ପିନ୍ଧା, ମୁଣ୍ତରେ ଗାମୁଛାଗୁଡ଼ିଆ ପିଠିରେ ସାନ ଗୋଟାଏ ବୋକଚା, କାନ୍ଧରେ ତାଳପତ୍ର ଛତାଟିଏ, ଜଣେ ପୁରୁଷ, ତା’ ପଛାଅଟେ ଗୋଟିଏ ସ୍ତ୍ରୀ, ପାଟଶାଢ଼ୀ ଖଣ୍ତିଏ ପିନ୍ଧା, କୁମ୍ଭକର୍ଣ୍ଣ ଧଡ଼ି, ସୂତାଶାଢ଼ୀ ଖଣ୍ତିଏ ଚଉତା ହୋଇ ଉପରାଣ ପଡିଛି, ସର୍ବାଙ୍ଗ ଢଙ୍କା, କେବଳ ନାକର ଫୁଲଗୁଣା ଆଉ ନାଟମୟୂର ଦିଶିଛି । ଲୋକେ କହନ୍ତି, “ଭେକ ଥିଲେ ଭିକ ।” ଲୁଗାପଟାରୁ ଗୋପୀ ବୁଝିଗଲା ଆଣ୍ଟୁଆ ମହାଜନ । ଗୋପୀ ଚଞ୍ଚଳ ଦୋକାନ ପିଣ୍ତାରୁ ଓହ୍ଲାଇପଡ଼ି ଦୁଇଜଣଙ୍କୁ ଦୁଇଟା ଦଣ୍ତବତ ହୋଇ କହିଲା, “ଆଜ୍ଞା ଆସନ୍ତୁ, ଦୋକାନ ଉପରକୁ ଆସନ୍ତୁ, ରୋଷେଇ କରନ୍ତୁ ସବୁ ସରଞ୍ଜାମ ଅଛି, ଘରେ ଛିଣ୍ତା ପଟିଖଣ୍ତ ମେଲାଇଦେଲା । ସ୍ତ୍ରୀ ଲୋକଟି ଆଗେ ଗୋଡ଼ଧୋଇ ଓଦାଲୁଗା ପାଲଟି ପଟିରେ ଯାଇ ଚକାପାରି ବସିଲେ । ଦେହର ଅଳଙ୍କାର ଦେଖି ଗୋପୀ ‘ଆଜ୍ଞା’ ‘ସାଆନ୍ତ’ ‘ସାଆନ୍ତାଣୀ’ ଇତ୍ୟାଦି ସମ୍ବୋଧନ କଥାମାନ ପ୍ରତି କଥା ଆଗରେ ବୋଲି ଯାଉଅଛି । ଏଣେ ସ୍ତ୍ରୀ ଲୋକ ଗୋପର ଭକ୍ତି ଦେଖି ଖୁସି ହୋଇଗଲେଣି, ପଣତକାନିରୁ ଚାରିଅଣାଟିଏ ଫିଟାଇ ଗୋପ ପାଖକୁ ଫୋପାଡ଼ିଦେଇ କହିଲେ, ‘ଏ ବୁଢ଼ାପୁଅ ରୋଷେଇ ସରଞ୍ଜାମ ଦେ’ । ଗୋପ ଲଣ୍ତଭଣ୍ତ ହୋଇ ସୁଉକିଟିଏ ଉଠାଇନେଇ ଦୁଇ ହାତରେ ଲେଉଟା ଲେଉଟି କରି ଦୁଇ ତିନି ଥର ଦେଖିଲା, ତାହା ବାଦ୍ ଦୁଇ ଥର ଚୁମା ଖାଇ ଦୁଇଥର ମରେ ମାରି କୁଞ୍ଚର ତଳ କାନିରେ ବାନ୍ଧି ନାହି ପାଖରେ ଖୋସି ଦେଲା । ଗୋପ ମୁଖ ଦେଖି ଜଣାଯାଏ, ସେ ଆଉ ଥରେ ମନ ମଧ୍ୟରେ ବୋଲିଥିବ, “ଆଜି ସକାଳେ କାହା ମୁହଁ ଚାହିଥିଲି, ସଉଦା ନହେଉଣୁ ସୁଉକିଟାଏ । “ଦୋକାନ ଆରମ୍ଭ ଦିନରୁ ଏଟା ନୂଆକଥା । ଗୋପୀ ରୋଷେଇ ସରଞ୍ଜାମ ସମସ୍ତ, ଅର୍ଥାତ୍ ଚାଉଳ, ଚୋପାଳିଆ ବିରିଜାଈ; ଲୁଣ ଆଣି ଥୋଇ ଦେଇ ଆଗେ ନିଆଁ ବରିହା ଫୁଙ୍କି ଚୁଲୀ ଲଗାଇ ଦେଲା । ସ୍ତ୍ରୀ ଲୋକଟି ଭାତ ରାନ୍ଧିବାକୁ, ପୁରୁଷ ମାଠିଆ ଡେବିରି ହାତରେ ଧରି ପାଣି ଆଣିବାକୁ ବାହାରିଲେ । ସ୍ତ୍ରୀ ଲୋକଟି କହିଲେ, “ଆରେ ବୁଢ଼ାପୁଅ, ଏଠି ଦୁଧ ଘିଅ ମିଳିବ? ଦୁଧ ଘିଅ ନ ହେଲେ ମୁଁ ଖାଏ ନାହିଁ । “ଗୋପୀ କ ହିଲା ‘ଆଜ୍ଞା ସତକଥା, ସତକଥା ନ ମିଳିବାକୁ ସିନା, ଏସବୁ କଣ ଛାମୁଁ ଠା’ ବସିବା ଜିନିଷ ? ଜଳଖିଆ ପାଇଁ ଆଚ୍ଛା କାଣ୍ତିଆ ସରୁଚୂଡ଼ା ହୁଅନ୍ତା, ନିରୂତା ଗାଈଦୁଧ ହୁଅନ୍ତା, ନବାତ ନୋହିଲେ ଦକ୍ଷିଣୀ ନୂଆଗୁଡ଼ ହୁଅନ୍ତା, ଆଉ ଖନ୍ଦା ପାଇଁ ବଡ଼ ଶେଉଳ ନୋହିଲେ ବାଳିଆମାଛ, ବନ୍ତଳକଦଳୀ, ମୁଗଜାଈ, ଦୁଧଘିଅ ହୁଅନ୍ତା । କଣ କରିବି? ଅଜ୍ଞା ଏଉଟା ତ କାଙ୍ଗାଳି ଦେଶ, ଆପଣା ପଦାରବିନ୍ଦ ଧୂଳିରଜ କିପରି ମୋ କପାଳକୁ ପଡ଼ିଗଲା । ଆଜ୍ଞା ଗୋଟାକେତେ ପଇସା ଦିଅନ୍ତୁ, ଗାଁ ବୁଲି ଦେଖେ । ‘ସ୍ତ୍ରୀଲୋକଟି ପୁନର୍ବାର ଗୋଟାଏ ସୁଉକି ଫୋପାଡ଼ି ଦେଲେ । ଗୋପ ପୂର୍ବପରି କାନିରେ ବାନ୍ଧି ଗ୍ରାମକୁ ଧାଇଁଲା । ରାତି ଅଧଘଡ଼ି ସମୟରେ ଗୋପର ସାନ ପୁଅ ବୃନ୍ଦାବନ ଖଣ୍ତେ କଦଳିପତ୍ର ଠୋଲାରେ ଦୁଇ ତିନି ତୋଳା ଘିଅ, ଗୋଟାଏ ମାଟି ଠେକିରେ ମାଣେ ଅନ୍ଦାଜ ଦୁଧ, ଯୋଡ଼ାଏ ବାଇଗଣ ଦୋକାନ ପିଣ୍ତାରେ ଥୋଇ ଦେଇ କହିଲା, “‘ଆଜ୍ଞା, ବାପା ବଟେଇଦେଲା, ସେ ଅନ୍ଧାରକଣିଆ, ଆସିପାରିଲା ନାହିଁ ।’

ଦୋକାନରେ ତୃତୀୟ ଲୋକ ନାହିଁ, ସ୍ତ୍ରୀ ଲୋକଟି ଭାତ ରାନ୍ଧୁଛି, ପୁରୁଷଟି ଯୋଗାଇଦେଉଛି, ଦୁହେଁ କଥାବାର୍ତ୍ତା ଆରମ୍ଭ କଲେ ।

ସ୍ତ୍ରୀ -ଶୁଣିଲୁରେ ଗୋବିନ୍ଦ ! ଶୁଣିଲୁତ,କାନ ଲଗେଇ ଶୁଣିଲୁତ, ମତେ ସମସ୍ତେ ସାଆନ୍ତାଣୀ କହୁଥିଲେ, ଯେଉଁଠିକି ଯିବ ସମସ୍ତେ ସାଆନ୍ତାଣୀ କହିବେ, ତତେ ସାଆନ୍ତ କିଏ କହୁଥିଲା ? ଆରେ ଚାଲ, କଟକ ଚାଲ, ତତେ କଣ କରିଦେବି ଦେଖିବୁ, ତତେ ଚାରିଦିନ ହେଲା ବୁଝେଇ ବୁଝେଇ ଥକିଲିଣି ।”

ଗୋବିନ୍ଦା – ନା ଚମ୍ପା ସାଆନ୍ତାଣୀ, ଚାଲ ଆମ ଗାଁକୁ ଯିବା, ସେଇଠି ରହିବା, ବିଲବାଡ଼ି କିଣିବା, ଚାଷ କରିବା, ହଳିଆ ରଖିବା ।

ଚମ୍ପା – ଆରେ, ସତେ ଲୋକେ ଯାହା କହନ୍ତି,
‘ଅତି ନିଉଁଛଣା ଅନ୍ଧାର ରାତି, ଅତି ନିଉଁଛଣା ଭଣ୍ତାରି ଜାତି ।’
ବିଲବାଡ଼ି କ’ଣ ହବ ରେ ? ଆରେ ଯାହା ସାଙ୍ଗରେ ଆଣିଛି, ଶହେ ବରଷ, ଦି’ଶ ବରଷ ବସି ଖାଇଲେ ତ ସରିବ ନାହିଁ ।

ଗୋବିନ୍ଦା – ନା ସେ କଥା ହବ ନାହିଁ, ମୁଁ ଗାଁକୁ ଯିବି, ଘରୁ ଢେର ଦିନ ହେଲା ଖବର ପାଇ ନାହିଁ, ମୋ ମନ କେମିତି ଗୁଡ଼େପୁଡ଼େଇ ହେଉଛି, ନୋହିଲେ, ମୁଁ ଯାଏଁ, ତୁମର ଯାହା ମନ କର ।

ଚମ୍ପା – ଭାଗ ? ଭାଗ କଣ ? ଭାଇ ଭାଗ କଣ ? ଆରେ ଯାହା କହନ୍ତି –
‘ପଡ଼ୋଶୁଣୀ ପିଠା ଦେଖି ରବାଇ ଖବାଇ, ଘଷିଫଡାରେ ଗୁଡ ଲଗାଇ ଭଡ଼ ଭଡ଼ ଚୋବାଇ ।’
ଧନ ସେଠି ଥିଲା ମୋର – ଏଠି ବି ମୋର । ମୁଁ କଣ ଚୋରିକରି ଆଣିଛି? ସାତଦିନ ହେଲା ବରଷା ନାହିଁ, କାଦୁଅ ନାହିଁ, ଏ ଗାଁ, ସେ ଗାଁ, ୟା ଓଳି, ତା ଓଳି ବୁଲେଇ ବୁଲେଇ ମାରିଲାଣି । କହିଲୁ, ସାଆନ୍ତ ପହଡ଼ ଘର କଣରେ ତିନି ଜାଗାରେ ସୁନାଟଙ୍କା, କଳା ଟଙ୍କା, ସୁନା ଗହଣା ସବୁ ପୋତା ହୋଇଥିଲା, କିଏ ପୋତିଥିଲା ? ନିଶୂନ ରାତିରେ ମୁଁ ଗାତ ଖୋଳେ, ସାଆନ୍ତ ମୁଁ ଦୁହେଁ ପୋତୁଁ । ତୁ କଣ ଜାଣିଥିଲୁ ? ଏସବୁ ମୋର ନା ଆଉ କାହାର? ଗୋବିନ୍ଦ – ଟଙ୍କା ତ ପୋତିଥିଲ, ସବୁ କରିଥିଲ, କଞ୍ଚି ନ ପାଇଥିଲେ କିଛି ପାଇଥାନ୍ତ କି ? କଞ୍ଚି ଆଣିବା ବୁଦ୍ଧି କିଏ କାଢ଼ିଲା ?

ଚମ୍ପା – ‘ଏହିକି ଏତେ ନା – ମୁଦି ନାହିଁ ଗୋଡ଼ କଚାଡୁ କେତେ ? ବଡ଼ ବୁଦ୍ଧିଟାଏ କାଢ଼ିଲା ରେ ! ମତେ ଆଉ ବୁଦ୍ଧି ଆସନ୍ତା ନାହିଁ । ଦେଖୁଛି, ସେ ଦିନ ସାଆନ୍ତଙ୍କ ପଛେ ପଛେ ତତଲା ବାଲିରେ ଦୁଇକୋଶ ବାଟ ଧାଇଁ ଗୋଡ଼ରେ ଫୋଟକା ବାହାରି ପଡ଼ିଡିଲା, କାନ୍ଦି କାନ୍ଦି ତୋଟି ବସିଗଲା, କହୁଛି କଣ ନା, ବୁଦ୍ଧି କହିଲି । ‘ବୁଦ୍ଧିରେ ବୁଦ୍ଧିନା – ବଳେଇପଡ଼ି ଯାଇଛି କୁଦି ?’ ଆଚ୍ଛା କହିଲୁ, ମୁଁ ସେ ରାଣ୍ତୀ ବ୍ରାହ୍ମଣୀ ସାଙ୍ଗରେ ବସି ରାତିଏ ରହି ତା ଘର ଜମିର ସନନ୍ଦ ଆଡ଼ଖୁର ଭିତରୁ ଘେନିଆସିଲି, ସେ ବୁଦ୍ଧି ତୁ କହିଦେଇଥିଲୁ ?

ଗୋବିନ୍ଦ ଆଉ କିଛି ନ କହି ରୁଷି ଆସି ପିଣ୍ତାରେ ବସିଲେ । ଚମ୍ପା ମଧ୍ୟ ତୁନି । ଏକ ଚାହାଳୀର ପାଠ, ଏକ ଅବଧାନର ଚାଟ, ଚତୁର ଚତୁରା କଥା, କେହି କାହାକୁ ଉଣା ନୁହେଁ, ସହଜରେ କିଏ ପଛଘୁଞ୍ଚା ଦେବ ? ଦୁଇଜଣଙ୍କୁ ଦୁଇଜଣ ଚିହ୍ନନ୍ତି । ଚମ୍ପାର ଭାବନା, ଯଦି ଗୋବିନ୍ଦା ଘରକୁ ଯାଏ, ଟଙ୍କା ସୁନା ଗୁଡ଼ାକ ତା ହାତରୁ ଯାଇ ଭଣ୍ତାରୀ ଘରେ ପଶେ, ପୁନର୍ବାର ହାତପୈଠ ହେବା ସହଜ ନୁହେଁ ! ପୁଣି ଗୋବିନ୍ଦାର ମା ଓ ଭାର୍ଯ୍ୟା କଥା ମଧ୍ୟ ତା ମନରେ ପଡ଼ିଲା । ଏଣେ ଗୋବିନ୍ଦାର ଭାବନା, ଚମ୍ପା କଟକ ସହରରେ ପଶିଲେ ତାକୁ ଆୟତ୍ତ ରଖିବା ସହଜ ହେବ ନାହିଁ । ଅଇଣ୍ଠା ଖାଈ କୁକ୍‌କୁରୀ ଆଉ ଖଣ୍ତିଏ ଅଇଣ୍ଠା ପତ୍ର ସମ୍ମୁଖରେ ଦେଖିଲେ ପୂର୍ବପତ୍ର ଗୋଡ଼ରେ ଦଳିଦେଇଯାଏ । ବିପରୀତମୁଖ ଦୁଇ ବଳ ସମାନ ହେଲେ ଦୁହେଁ ସ୍ୱ ସ୍ୱ ସ୍ଥାନରେ ସ୍ଥିର ହୋଇ ରହନ୍ତି ।

ରାତ୍ର ଅନ୍ଦାଜ ପାଞ୍ଚ ଘଡ଼ି କି ଛ ଘଡ଼ି, ଭାତ ଡାଲି ପ୍ରସ୍ତୁତ ହୋଇଗଲାଣି, ଚମ୍ପା ଅଳ୍ପକାଳ ଛିଡ଼ା ହୋଇ କଣ ଭାବିଲା, ପାଖକୁ ଆସି ସାକୁଲେଇ କହିଲା, “ଦେଖ୍ ଗୋବିନ୍ଦା, ତୁ ତ କହୁଛୁ ନଈ ଆରପାରି ଚାରିକୋଶ ବାଟରେ ତୋ ଘର । ହଉ ଚାଲ, କଟକ ଚାଲ, ମୁଁ କିଛି ଟଙ୍କା ଦେବି, ତୁ ଘରେ ଦେଇଯିବୁ । ତୁ ଯଦି ମୋ କଥା ନ ଶୁଣୁ, ଟଙ୍କା ତ ଟଙ୍କା, ସୁନା ତ ସୁନା, କାଣି କଉଡ଼ି ଧୋଇ ପାଣି ଟୋପାଏ, ! ଆ, ଆ ବଡ଼ ଭୋକ ଲାଗିଗଲାଣି, ଖାଇବା ଆ ।’ ଗୋବିନ୍ଦା ମଧ୍ୟ ଭୋକରେ କାଉଳି ହେଲା, ବୋଧହୁଏ ସେ ଏଥିରେ ଅଧା ରାଜି ହୋଇ ଉଠ ଉଠ ହେଉଥିଲା; ମାତ୍ର ଅନ୍ଧାରରେ ଚମ୍ପାକୁ ତ ଦିଶୁ ନାହିଁ, କିଛି ଜବାବ ନ ପାଇ ସେ ଭାରି ଖପା ହୋଇ କହିଲା, “ମଲା ଯା ପୋଇଲାଙ୍କୁ ସାଆନ୍ତ କହିଲେ ମୁଣ୍ତରେ ଚଢ଼ନ୍ତି । ଯା ମ ଯା, ଖାଇଲୁ, ନ ଖାଇଲୁ, ଖାଇଲୁ ନାହିଁ ନାହିଁ ।” ଗୋବିନ୍ଦା ଉଠୁଥିଲା, ପୁନର୍ବାର ବସିପଡ଼ି ଚମ୍ପାକୁ ତରାଟିମରାଟି ଚାହିଁଲା । ପାଞ୍ଚିଲା, ହଁ, ମୁଁ ପୋଇଲା, ତୁ ସାଆନ୍ତାଣୀ; ମାତ୍ର ପାଟି ଫିଟାଇ କିଛି କହିଲା ନାହିଁ । ଗୋବିନ୍ଦା ଆପଣାର କେଡ଼େ ସୌଭାଗ୍ୟ ସ୍ୱପ୍ନ ଦେଖୁଥିଲା, କେତେ ବିଲବାଡ଼ି, କେତେ ବଳଦ ହଳିଆ, କେତେ ଦୁହାଁଳଗାଈ ଘରେ ବନ୍ଧା, କେତେ ଖାତକ ଟଙ୍କାକରଜ ନେବାକୁ ଆସି ଦୁଆରେ ବସିଛନ୍ତି, ସବୁଥିରୁ ଏକାବେଳକେ ନିରାଶ । ଦିନ ଯାକ ପାଣି କାଦୁଅରେ ବୁଲିବୁଲି ଥକା, ତା’ ଉପରେ ଭୋକ ! ଗୋବିନ୍ଦା ଏତେବେଳେ ଯାଏ ମନର ଦୁଃଖରେ ବସି ଭାବୁଥିଲା । ବର୍ତ୍ତମାନ ଚମ୍ପା ପୋଇଲା’ କହିବାରୁ ତାଳୁରେ ବିଛା କାମୁଡ଼ିଲାପରି ସର୍ବାଙ୍ଗ ଜଳୁଅଛି, କିଛି କହିପାରୁ ନାହିଁ । ସେ ଜାଣେ ତା’ପରି ଦୁଇଜଣ ଲୋକ ବଳରେ ଚମ୍ପା ସାଙ୍ଗରେ ପାରିବେ ନାହିଁ । ସେ କେତେ ଥର ମଙ୍ଗରାଜ ଘର ଭେଣ୍ତିଆ ହଳିଆମାନଙ୍କୁ ବାଡ଼େଇଥିବାର ନିଜ ଆଖିରେ ଦେଖିଛି । ତୁମ ମଧ୍ୟରେ ନିଆଁ ପରି ତା ମନ ଭିତରେ ପୋଡ଼ି ପକାଉଛି ।

ଚମ୍ପା ଦୁଇ ପତ୍ର ଭାତ ବାଢ଼ି ମଝିରେ ଗାଡ଼ କରିଦେଇ ଡାଲି ବାଢ଼ି ଦେଲା, ବୃନ୍ଦାବନ ଯେ ଦୁଧ ଠେକିଏ ଦେଉଥିଲା, ସେତକ ବାହାରକୁ ଥରେ ଅନାଇଦେଇ ଆପଣା ଭାତରେ ଢାଳିଦେଲା । ଗୋବିନ୍ଦା ଅନ୍ଧାରେ ବସି ଦେଖୁଛି । ଦୁଧ ଢଳା ଦେଖି ତା ଦେହରେ ନିଆଁ ଢାଳି ହେଲାପରି ଜଣାଗଲା । ମନରେ କଲା, ଦୁଧ ଟିକିକରେ ତ ଏହା’ଟଙ୍କା ସୁନା କଥା ତ ଅଛି ।

ଚମ୍ପା ଡାକିଦେଲା, “ହୋଇ ତୋ ଭାତ ରହିଲା, ଖା ବା ନ ଖା, ମୁଁ ଏତେ ଗୋଡ଼ ଧରିପାରେ ନାହିଁ ।” ଚମ୍ପା ଓଦା ହାତଟା ମୁହଁରେ ବୁଲାଇଦେଇ ଠୁଙ୍ଗା ହୋଇ ଭାତପତ୍ର ପାଖରେ ବସି ବଡ଼ ବଡ଼ ଗୁଣ୍ତା ସୁଡ଼ ସୁଡ଼ ଶବ୍ଦରେ ଦଣ୍ତକ ମଧ୍ୟରେ ପତ୍ର ଖାଲି କରିଦେଲା । ଚୁଲିମୁହଁ ପାଖରେ ମୁହଁଟା ଧୋଇପକାଇ ପୁନର୍ବାର ଥରେ ବାହାରକୁ ଅନାଇ ଡାକିଲା, “ଆରେ ଆ, ଭାତ ଖାଆ ।” ଉତ୍ତର ନାହିଁ, ଖପା ହୋଇ କହିଲା, “ଆରେ ୟାକୁ କହନ୍ତି, ସୁଖ ଭାତ ତୋଟି କୁଣ୍ତାଇ ହେବା ।” ଜଳନ୍ତା ନିଆଁରେ କୁଟା ପକାଇଲାପରି ଗୋବିନ୍ଦକୁ ଏ କଥା ଜଣାଗଲା । ତାହା ବାଦ୍ ଚମ୍ପା ପଟି ଖଣ୍ତିକ ଉପରେ ଗଣ୍ଠିରା ଲୁଗାରୁ ଅଧେ ମେଲାଇ ଦେଇ ଗଣ୍ତିରାଟି ସାବଧାନରେ ବେକତଳେ ପର୍ଯ୍ୟନ୍ତ ଦେଇ ଚିତ୍ ହୋଇ ଶୋଇପଡ଼ିଲା । ଗୋବିନ୍ଦା ସେହି ପିଣ୍ତାରେ ବସି ଭାବୁଛି । ସେ ବର୍ତ୍ତମାନ ଭଲ କରି ବୁଝିଲାଣି, ସାପୁଣୀ ମୁଣ୍ତରୁ ମଣି ନେବା ସହଜ ନୁହେଁ । ଆମ୍ଭେମାନେ ଗୋବିନ୍ଦପୁର ଲୋକଙ୍କଠାରୁ ଯେପରି ଶୁଣିଛୁ, ସେଥିରୁ ଅନୁମାନ କରୁଅଛୁଁ । ଗୋବିନ୍ଦାର ଆଉ ଅଧିକ କିଛି ପ୍ରତ୍ୟାଶା ଥିଲା । ସ୍ତ୍ରୀଠାରୁ ମର୍ଯ୍ୟାଦା, ପ୍ରେମ, ଭକ୍ତି ଆନୁଗତ୍ୟ ପ୍ରତ୍ୟାଶା କରିବା ପୁରୁଷଜାତିର ସ୍ୱଭାବ । ଚମ୍ପାର ଆଚରଣରୁ ଜଣାଯାଏ, ତାହାର ଇଚ୍ଛା ଭଲ ପାଏ ତ ଭଲ ପାଏଁ; ହେଲେ ତୁ ଯେଉଁ ଭଣ୍ତାରୀ, ସେହି ଭଣ୍ତାରୀ । ଗୋବିନ୍ଦା ଏହି ଅବସ୍ଥାରେ କେତେବେଳେ ଯାଏ ବସିଲାଣି, ସେ ଜାଣେ ନାହିଁ ।

ଘୋର ଅନ୍ଧକାର ରାତ୍ର, ମଣିଷ ନିଜ ଦେହ ଦେଖିପାରିବ ନାହିଁ । ସଁ ସାଁ କରି ଦକ୍ଷିଣା ପବନ ବାଡ଼ୋଉଛି, ତୁହାକୁ ତୁହା ବରଷା, ବରଗଛଟା ଗୋଟାଏ ଅନ୍ଧକାର ଗଦା ପରି ଛିଡ଼ା ହୋଇ ଦୋହଲି ଦୋହଲି ଗୋଟାଏ କେମନ୍ତ ଆତଙ୍କଜନକ ଶବ୍ଦ କରୁଅଛି । ଗୁଡ଼ାଏ ବାଦୁଡ଼ି ସାନାସାନ ଅନ୍ଧକାର ଖଣ୍ତପରି ଚାରିଆଡୁ ଉଡ଼ି ସେହି ଅନ୍ଧକାର ଗଦାରେ ଝୁଲିପଡ଼ିଛନ୍ତି, ପୁଣି କେତେ ଖଣ୍ତ ଅନ୍ଧକାର ପରି ବାହାରି ଆକାଶରେ ଉଡ଼ିଯାଉଛନ୍ତି, କିଚ୍ କଚ୍ ଶବ୍ଦ କରି ବରଫଳ ଖାଉଅଛନ୍ତି, ଟପ୍ ଟପ୍ ବରଫଳ ତଳେ ପଡୁଛି, ଚତୁର୍ଦ୍ଦିଗରେ ପୈଶାଚିକ ଶବ୍ଦ, ଘର ମଧ୍ୟରେ ଚମ୍ପାର ଅନୁନାସିକ ଶବ୍ଦ ଆହୁରି ଭୟଙ୍କର ଶୁଭ ଅଛି । ସେହି ଅନ୍ଧକାର ଗଦାତଳେ ଦୁଇଟା ପଶୁର ଖେଁ ଖେଁ କାମୁଡ଼ା କାମୁଡ଼ି ଶବ୍ଦ ଶୁଣି ଗୋବିନ୍ଦା ଚମକିପଡ଼ି ଅନାଇଲା । ଘର ମଧ୍ୟରେ ଜଳୁ ଥିବା ଦୀପର କେତୋଟି ମାତ୍ର ଲୋହିତ କିରଣରେଖା ନିସ୍ତେଜଭାବରେ ସେହି ଅନ୍ଧାର ତଳେ ପଡ଼ିଅଛି । ଗୋବିନ୍ଦା ଭଲ କରି ଅନାଇ ଦେଖିଲା, ଦୁଇଟା ବିଲୁଆ ବରଫଳ ଖାଉ ଖାଉ କଳିଲାଗିଲା; ଗୋଟାଏ ବିଲୁଆ ଆରଟାକୁ ତଡିଦେଇ ଆପେ ସମସ୍ତ ଫଳ ଅଧିକାର କରି ବସିଲା । ଗୋବିନ୍ଦା ବିଲୁଆର କାର୍ଯ୍ୟ ଦେଖି କଣ ବୁଝିଲା, କଣ ମନରେ ପାଞ୍ଚିଲା, ଉଠିବସି ଚାରିଆଡ଼କୁ ସାବଧାନରେ ଅନାଇଲା । ଧୀରେ, ଅତି ଧୀରେ ଉଠିଯାଇ ଚମ୍ପାର ଗୋଡ଼ଠାରୁ ମୁଣ୍ତ ଯାଏ ଅନାଇଲା । ଠଣାରେ ମୁଠି ରଖିଦେଇଥିଲା, ଧୀରେ ଧୀରେ ଆଣି ସେଥିରୁ କ’ଣ ଫିଟାଇ ଅଣ୍ଟାରେ ଭଲ କରି ଲୁଗା ଭିଡ଼ି ଦେଇ ସେହି ପଦାର୍ଥଟା ଦୃଢ଼ ରୂପେ ଧରିଲା, ଧୀରେ ଧୀରେ ଯାଇ ଚମ୍ପାକୁ ଏକ ଧ୍ୟାନରେ ଅନାଇଲା । ଭୂମି ଉପରେ ପଡ଼ି ନିଦ୍ରିତା ଶୂକରୀକୁ ବଣ ମଧ୍ୟରୁ କେନ୍ଦୁଆ ଯେପରି ଅନାଏ, ସେହିପରି ଏକ ଧ୍ୟାନରେ ଚାହିଁଅଛି ତାହାର ଆଖି ଦୁଇଟା ଜଳୁଅଛି, ଡାହାଣ ହାତରେ ଦୃଢ଼ କରି କଣ ଧରିଅଛି; ଏତେ ସାବଧାନ, ଏତେ ଧୀର ଯେ, ନିଃଶ୍ୱାସଟା ମଧ୍ୟ ବଳରେ ପକାଉ ନାହିଁ । ଡାହାଣ ଗୋଡ଼କୁ ଆଗକୁ ପକାଇବା ମାତ୍ରେ ଗୋଟିଏ ଜ୍ୟୋତି ଚକ୍ ଚକ୍ କରି ଚମ୍ପା ଉପର ଦେଇ କନ୍ଥାରେ ବୁଲିଗଲା, ଗୋବିନ୍ଦ ଚମକିପଡ଼ି ଏକାବେଳକେ ପିଣ୍ତାତଳକୁ ଓହ୍ଲାଇ ପଡ଼ିଲା । ଚତୁର୍ଦ୍ଦିଗକୁ ସାବଧାନରେ ଅନାଇଲା, କାହିଁ କିଛି ନାହିଁ, କେବଳ ପୂର୍ବପରି ଚତୁର୍ଦ୍ଦିଗରେ ଘୋର ପୈଶାଚିକ ଶବ୍ଦ, ଗଛତଳ ଡାଳରୁ କେତେ ଖଣ୍ତ ଅନ୍ଧାର ଫଡ଼ ଫଡ଼ ହୋଇ ଉଡ଼ି ପଳାଇଲେ, ବିଲୁଆଟା ଚରୁଥିଲା, ପଳାଇଗଲା । ତାହା ହସ୍ତରେ ଥିବା ପଦାର୍ଥ ବିଶେଷରେ ଆଲୁଅ ପଡ଼ି ଚକ୍ ଚକ୍ ଦିଶିଲା । ଗୋବିନ୍ଦା ସମସ୍ତ ବୁଝିପାରିଲା ପୂର୍ବଠାରୁ ଅଧିକ ସାହସ ବାନ୍ଧି ଧୀରେ ଧୀରେ ଗୋଡ଼ ପକାଇ ଘର ମଧ୍ୟକୁ ଗଲା । ଶୁକରୀ ଉପରେ କେନ୍ଦୁଆ ଯେପରି ଝାମ୍ପି ପଡ଼େ, ସେହିପରି ଚମ୍ପା ଉପରକୁ ଝାମ୍ପି ପଡ଼ିଲା । ଠିକ୍ ସେ ସମୟରେ ଦୀପଟା ପୋଡ଼ିଯାଇ ଦପ୍ କରି ଜଳିଉଠି ଲିଭିଯିବାରୁ କିଛି ଦିଶିଲା ନାହିଁ । ଘର ମଧ୍ୟ ଉତ୍କଟ ଗଁ ଗଁ ଶବ୍ଦ ଗୋଡ଼ ହାତ ବାଡ଼େଇବା ଶବ୍ଦ ଶୁଭି ନିସ୍ତବଧ୍ ହୋଇଗଲା । ସେହି ଶବ୍ଦ ଶୁଣି ବିଲୁଆ ଧଡ଼ପଡ଼ ହୋଇ ପଳାଇଗଲା । ଗଛଟାରୁ ଅନ୍ଧକାରଖଣ୍ତ ବୁଣିଗଲା ପରି ବାଦୁଡ଼ିଗୁଡ଼ା କର୍କଶ ଡେଣା ଶବ୍ଦ କରି ଉଡ଼ିବାକୁ ଲାଗିଲେ । ଏହି ସମୟରେ ଗୋଟାଏ ପ୍ରବଳ ଝଞ୍ଜା ପବନ ଆସି ଗଛର ଡାଳମାନଙ୍କୁ ଦୋକାନ ଘରକୁ କଡ଼କରି ଦେହଲାଇଦେଲା । ମୁହୂର୍ତ୍ତକ ସକାଶେ ସେଠାରେ ଅଦୃଶ୍ୟ ଅନ୍ଧକାର ମଧ୍ୟରେ ପ୍ରଳୟ ଉପସ୍ଥିତ ହେଲାପରି ଜଣାଗଲା ।

Share. Facebook Twitter Pinterest LinkedIn Tumblr Reddit Email
Previous Articleକଟକ ସେସନ୍ ଜଜକୋର୍ଟ :
Next Article କର୍ମଫଳ :
ଫକୀର ମୋହନ ସେନାପତି

Related Posts

ଡାକମୁନ୍ସି

February 10, 2022

ଉପସଂହାର

November 26, 2018

ଅପୂର୍ବ ମିଳନ :

November 26, 2018

ବାବାଜୀ ଲଳିତା ଦାସ :

November 26, 2018

ମଙ୍ଗରାଜ ଘରର ହାଲଚାଲ :

November 26, 2018

ଖୁଣି ତଦାରଖି :

November 26, 2018
View 1 Comment

1 Comment

  1. ନରେନ୍ଦ୍ର ନାଥ ପଟ୍ଟନାୟକ on October 13, 2020 1:32 am

    ବାସ୍ତବରେ ଖୁବ୍ ସୁନ୍ଦର ପ୍ରୟାସ – ଏହି ସମ୍ପ୍ରୋୟୋଗର ପରିକଳ୍ପନା! ଧନ୍ୟବାଦ ନ ଦେଇ ରହି ପାରୁ ନାହିଁ। ଓଡ଼ିଆ ଭାଷା ତଥା ଲିପିର ସୁରକ୍ଷା ଦିଗରେ ଏହା ଏକ ଅଦ୍ଵିତୀୟ ପଦକ୍ଷେପ ସାବ୍ୟସ୍ତ ହେବ – ଏ ଦିଗରେ ତିଳେମାତ୍ର ସନ୍ଦେହ ନାହିଁ।

    Reply

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.