ଧଡ୍ ଧଡ୍ କରି କବାଟ ଠେଲି ଦୌଡା ଦୌଡି ହୋଇ ଏକା ସାଙ୍ଗରେ ଘରେ ପଶିଲେ ଦୁଇଟି ପିଲା । ଦାଣ୍ଡଘର ଟପି ଭିତରପଟ ବାରଣ୍ଡାକୁ ଆସି ସେ ଦୁହେଁ ଥପ୍ କରି ଠିଆ ହୋଇଗଲେ । ଦୁହେଁ ଜାଣିଲେ ଏମିତି ଆସିବା ଠିକ୍ ହେଲାନି । ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କ ସ୍ପିଡ୍ ଆଦୌ କମି ପାରିଲା ନାହିଁ ଓ ଦୁହେଁ ବାରଣ୍ଡାର ମଝିକୁ ଆସିଗଲେ । ଭଲ ଖବରଟିଏ ଦେବେ ବୋଲି ଆସିଥିଲେ କିନ୍ତୁ ପରିସ୍ଥିତି ଅଲଗା ହୋଇଗଲା ।
ସମୀରର ବୋଉ ଶ୍ରାଦ୍ଧର ପିଣ୍ଡ ପାଇଁ ରନ୍ଧାଯାଇଥିବା ଅନ୍ନ ହାଣ୍ଡିଟି ଧରି ଚାଲି ଆସୁଥିବା ଅବସ୍ଥାରେ ଏମାନେ ଯାଇ ସେଠାରେ ହାବୁଡି ଗଲେ । ଉଭୟପଟ ସାବଧାନ ହୋଇଗଲେ ଧକ୍କା ବାଜି ନାହିଁ । ନହେଲେ ଗରମ ଭାତ ହାଣ୍ଡି ବାଜିଥିଲେ ଅବସ୍ଥା ଅସମ୍ଭାଳ ହୋଇଥାନ୍ତା ଉଭୟପଟ ପାଇଁ । ରକ୍ଷା ହୋଇଛି । ତା’ପରେ ବୋଉ ତାଙ୍କୁ ଆଡେଇ ହୋଇ ଚାଲିଗଲେ । କିନ୍ତୁ ସମୀରର ଜେଜେମା ଏ ଅବସ୍ଥାକୁ ଏତେ ସହଜରେ ସମ୍ଭାଳି ପାରିଲେ ନାହିଁ । ମୁହଁ ଉପରୋଧ ମଧ୍ୟ ରଖିଲେ ନାହିଁ ସେ । ହଠାତ୍ ସେ ବେଶ୍ ବଡ ପାଟିରେ କହି ପକାଇଲେ –
‘କେତେଥର କହିଲିଣି ସାଙ୍ଗ ହବ ତ” ପଦାରେ । ଘରକୁ ଏ ପିଲାଙ୍କୁ ପୂରାଅ କାହିଁକି? ଆଜି ପୁଣି ଏ ଘରେ ଶ୍ରାଦ୍ଧ । କେତେ ଶୂଚିମନ୍ତ ହୋଇ ରନ୍ଧାବଢା ହୋଇ ପିଣ୍ଡ ବଢା ହେଉଛି । ଯେତକ ସବୁ ଅଘୋରୀ କଥା । ଯାହାଙ୍କୁ ରୋଷେଇ ଘର ମନା ତାଙ୍କୁ ଆଣି ଦିଅଁଙ୍କ ଘରେ ବସାଇଲେଣି ।”
ଏହା ଶୁଣି ସେ ପିଲା ଦିଓଟିଙ୍କ ମୁହଁ ଅପମାନରେ ଜଳିଗଲା । ବିଜୟ ସମୀରର ଭାରି ଭଲ ସାଙ୍ଗ । ସେ ଯେ ଆଜି ନୂଆକରି ତାଙ୍କ ଘରକୁ ଆସୁଚି ତାହା ନୁହେଁ । ବରଂ ଆଜି ତାଙ୍କର ଚତୁର୍ଥ ଶ୍ରେଣୀ କ୍ଲାସ୍ ଉଠା ପରୀକ୍ଷା ଫଳ ବାହାରିଛି । ସମୀର କେତେ ଆଗ୍ରହରେ ଆସିଥିଲା ସେ ପ୍ରଥମ ହୋଇଥିବା ଖବର ଘରେ ଦେବ । ଏଭଳି ଖବର ପାଇ ସମସ୍ତେ କେତେ ଯେ ଖୁସି ହେବେ । ଏଣେ ବିଜୟକୁ ସଙ୍ଗରେ ଆଣିଥିଲା ଯେ ସମସ୍ତିଙ୍କୁ କହିବ ଅଙ୍କ ପରୀକ୍ଷା ଦିନ ସକାଳେ ତାକୁ ବିଜୟ ଦୁଇଟି ଅଙ୍କ ବୁଝେଇ ଦେଇଥିଲା ଓ ସେଇ ଦିଟି ଅଙ୍କ ହିଁ ପରୀକ୍ଷାରେ ପଡିଥିଲା । କେବଳ ସେଥିପାଇଁ ସେ ଅଙ୍କରେ ବେଶି ମାର୍କ ପାଇଛି । ବିଜୟର ସାହାଯ୍ୟ ପାଇଁ ସେ ଆଜି ଫାଷ୍ଟ ହୋଇ ପାରିଛି । ତେଣୁ ତାଙ୍କ ଘରେ ବିଜୟକୁ ସମ୍ମାନ ଦେବା ଥିଲା ସମୀରର ବଡ ଇଚ୍ଛା । ହେଲେ ଏତେ ବଡ ଆଗ୍ରହରେ କିଏ ପାଣି ପକେଇ ଦେଲା । ସମୀରକୁ ତା ନିଜ ପାଇଁ ଯେତେ ନୁହେଁ ବରଂ ବିଜୟ ପାଇଁ ତାକୁ ଭାରି ଖରାପ ଲାଗିଲା ।
ତାଙ୍କ ଘର ସାମ୍ନା ରାସ୍ତା ଆରପଟେ ଗୋଟେ ବସ୍ତି ଅଂଚଳ । ନାଁ ତା”ର ଶାନ୍ତି ପଲ୍ଲୀ । ଏ ପାଖର ସବୁ ଗରିବ ଲୋକେ ପ୍ରାୟ ରୁହନ୍ତି ସେଇଠି । ପ୍ରାୟ ରିକ୍ସାବାଲା । କେହି କେହି ରଡ୍ ବେଣ୍ଡିଂ କରନ୍ତି, ଟ୍ରଲି ଟାଣନ୍ତି ନ ହେଲେ ମୂଲିଆ ଶ୍ରେଣୀର ଲୋକ । ସେଠାରେ ଅଧିକାଂଶଙ୍କ ପିଲାଏ ମୂର୍ଖ । ବିଜୟ କିନ୍ତୁ ସମୀର ସାଙ୍ଗରେ ସାଥି ହୋଇ ଏପର୍ଯ୍ୟନ୍ତ ସ୍କୁଲ୍ ଗଲାଣି । ପାଠ ବି ପଢିଲାଣି । ପରିସ୍ଥିତି ଏମିତି ଗମ୍ଭୀର ହୋଇଗଲା ଯେ ବିଜୟ ଧୀରେ ଧୀରେ କେତେବେଳେ ସେଠୁ ବାହାରି ଚାଲିଯାଇଛି କେହି ବି ତାହା ଜାଣିପାରି ନାହାଁନ୍ତି । ସମୀର ଚୁପ୍ଚାପ୍ ଯାଇ ତା ଖଟ ଉପରେ ଶୋଇ ପଡିଲା । କିଛି ବେଳ ଗଲାପରେ। ଏଣେ ଖାଇବାକୁ ଡାକିଲେ ବୋଉ ।
ତା ବୋଉ କଥା ଶୁଣି ସମୀର ଧୀରସ୍ଥିର ଭାବରେ ଉତ୍ତର ଦେଲା’ମୁଁ ଖାଇବିନି, ମତେ ଭୋକ ନାହିଁ ।” ମାତ୍ର ତା ବୋଉ ଏଥିରୁ ଠିକ୍ ଜାଣି ପାରିଲେ ଯେ, ସେ ବହୁତ କାନ୍ଦିଚି । ଉଠାଇ ବସାଇଲେ ତାକୁ । କହିଲେ –’ଜେଜେମା କିଛି ବି ଜାଣି ନାହାଁନ୍ତି । କହିଦେଲେ ତ କଣ କରିବା? ବୁଢୀ ମଣିଷ ।”‘ହଁ, ହଁ, ବୁଢୀ ମଣିଷ । ତାଙ୍କ ଘରେ ବି ତ ବୁଢୀ ମଣିଷ ଅଛନ୍ତି । କାହିଁ କେବେ ସେମାନେ ମତେ ଏମିତି ବ୍ୟବହାର କରିଛନ୍ତି?” ସମୀର ପୁଣି ସେଇ କଥା ମନେ ପକାଇ କାନ୍ଦି ପକାଇଲା । କାହିଁକିନା ସମୀର ମଧ୍ୟ ବେଳେବେଳେ ବିଜୟର ଘରକୁ ଖେଳିବାକୁ ଯାଏ ।
ସମୀର କହିଲା, “ଜାଣିଚୁ ବୋଉ! ମ୍ୟୁନ୍ସିପାଲ୍ଟିବାଲା ରାସ୍ତା ଉପରୁ’କ୍ୟାବିନ୍ ସବୁ ଉଠେଇ ଦେଇଚି ଯେ ତେଣୁ ତା ବାପାଙ୍କର ଦୋକାନଟି ବି ଉଠି ଯାଇଛି । ଧାର କରଜ କରି ସେମାନେ କେତେ ଦିନ ହେଲାଣି ଚଳିଲେ । କାଲିଠୁ ତାଙ୍କ ଘରେ ରନ୍ଧା ହୋଇନି । ମୋ ଟିଫିନରୁ ତାକୁ ଅଧା ଦେଇଥିଲି, ସେ କାନ୍ଦି ପକେଇଲା । ଆଜି ତାକୁ ମୁଁ ଡାକି ଆଣିଥିଲି ସେ ଆମ ଘରେ ଖାଇବ । ତାକୁ ଖାଇବାକୁ ନ ଦେଇ ଘରୁ ବାହାର କରିଦେଲ? କଣ ନା ସେ ବ୍ରାହ୍ମଣ ନୁହଁ । ସେ ବ୍ରାହ୍ମଣ ନୁହେଁ ବୋଲି ତାକୁ କଣ ଭୋକ ହୁଏନି? ଖାଲି ମତେ ଭୋକ ହୁଏ? ତାର ଆହୁରି ଦିଟା କୁନି କୁନି ଭଉଣୀ ବି ଅଛନ୍ତି । ତାଙ୍କୁ ଭୋକ ହଉନି ଖାଲି ମତେ ଭୋକ ହଉଛି? ମୁଁ ଖାଇବିନି ତୁ ଯା-“
ତା ମୁଣ୍ଡକୁ ଆଉଁଷୁ ଥିବା ବୋଉଙ୍କ ହାତ ହଠାତ୍ ସ୍ଥିର ହୋଇଗଲା । ସମୀର ଦେଖିଲା ବାପା ଠିଆ ହୋଇଛନ୍ତି କବାଟ ପାଖରେ । କଥାଟାକୁ ଘୋଡାଇ ପକାଇବା ପାଇଁ ବୋଉ ବାପାଙ୍କୁ ଚାହିଁ କହିଲେ –
‘ପୁରୋହିତେ ତ ଖାଇ ସାରି ଗଲେଣି । ତୁମ ପାଇଁ ପରା ସେଣେ ଭାତ ବଢା ହୋଇଛି ।”
ଏହା ଶୁଣି ସମୀରର ବାପା କହିଲେ,’ହଁ, ସବୁ ଶୁଣିଲିଣି । ସବୁ ରଖିଦେଇଥାଅ । ମୁଁ ଆସିଲେ ଖାଇବି । ବିଜୟ ଘରର ସମସ୍ତିଙ୍କ ପାଇଁ ଆମର ଯାହା ଯାହା ବି ରନ୍ଧା ହୋଇଛି ଟିଫିନ୍ କ୍ୟାରିୟରରେ ପୂରାଅ । ସେମାନଙ୍କୁ ସମସ୍ତିଙ୍କୁ ଡାକି ଆଣିଥାନ୍ତି ଏଇଲେ ଆମ ଶ୍ରାଦ୍ଧରେ ନିମନ୍ତ୍ରିତ ଅତିଥି କରି । କିନ୍ତୁ ସେମାନେ ଆସିବେନି ତୁମ ଘରକୁ । ତା ଛଡା ଏ ଘରର ବୁଢୀ ମଣିଷଙ୍କୁ ଅସନ୍ତୁଷ୍ଟ କରିବା ମୋର ଆଦୌ ଇଚ୍ଛା ନୁହେଁ । ଯାଅ ବାଢ । ଆଆରେ ସମୀର ଆମେ ଆସିଲେ ଖାଇବା ।”
ତା”ପରେ ଆଲମାରୀ ଖୋଲି କିଛି ଟଙ୍କା କାଢିଲେ ବାପା । ଏସବୁ ଦେଖି ସେ ସମୀରର ମନ ଭାରି ଖୁସି ହୋଇଗଲା । ମହା ସମାରୋହରେ ବାପ ପୁଅ ଟିଫିନ୍ କ୍ୟାରିୟରମାନ ବ୍ୟାଗ୍ରେ ପୂରାଇ ଚାଲିଲେ ବିଜୟଙ୍କ ଘର ଆଡକୁ ।
ବାପା ବୁଝାଉଥାନ୍ତି । “ଆମେ କାହାକୁ କଣ ଦଉଚେ ସେ ବଡ କଥା ନୁହେଁ । ଆମେ ଅନ୍ୟର ସୁଖ ଦୁଃଖରେ କେତେ ଭାଗିଦାର ହୋଇ ପାରୁଚେ ତାହାହିଁ ହେଉଚି ଗୁରୁତ୍ୱପୂର୍ଣ୍ଣ କଥା – ଚାଲ ଯିବା ତୋ ସାଙ୍ଗ ଘରକୁ ଦେଖି ଆସିବି ତା ଜେଜେମାଙ୍କୁ ।”
ଏହା ଶୁଣି ସମୀର ବାଟ କଢାଇଲା ଆଗକୁ ।