• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଉପନ୍ୟାସ»ଗାଁ ହାଲଚାଲ :
ଉପନ୍ୟାସ

ଗାଁ ହାଲଚାଲ :

ଫକୀର ମୋହନ ସେନାପତିBy ଫକୀର ମୋହନ ସେନାପତିNovember 26, 2018No Comments8 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ତାଲୁକେ ଫତେପୁର ସରଷଣ୍ତ ଗୋଟାଏ ଭାରି ବଡ଼ ତାଲୁକା । ସଦରଜମା ପାଞ୍ଚ ହଜାର ଦୁଇଶହ ଆଠ ଟଙ୍କା ଛ ଅଣା; ମଫସଲ ଅସୁଲ ଅଢ଼େଇ ପଟ । ଫାଉ ଫଉରାତ୍ ଛାଡ଼ିଦିଅ । ଏଥିରେ ପାଞ୍ଚଗୋଟି ମୌଜା –ମୌଚା ରାମଙ୍ଗ, ବାଲିଆ ହାଣ୍ତିଖାଇ ସଉତୁଣିଆ ଓ ଗୋବିନ୍ଦପୁର । ଗୋବିନ୍ଦପୁର ସବୁଠାରୁ ବଡ଼, ଊଣା ଅଧିକରେ ପାଞ୍ଚଶ ଘର ବସ୍ତି ସବୁ ଜାତିର ଲୋକ ଅଛନ୍ତି, ଗୋଟାଏ ଦୋକାନ ଅଛି, ସେ ଦୋକାନରେ ସବୁ ଜିନିଷ ମିଳେ – ଡାଲି, ଚାଉଳ, ଧୂଆଁ ପତ୍ର, ଲୁଣ, ତେଲ ଯାହା ଖୋଜ ପାଇବ; ଦୁଇ ଚାରି ପଇସାର ଘିଅ ଖୋଜିଲେ ମଧ୍ୟ ମିଳିପାରେ । ଦୋକାନୀର ତିନି ପୁରୁଷରୁ ଦଶମୂଳ ସାଇତା ଅଛି । ଦୁଇ ତିନି କୋଶରୁ ବୈଦ୍ୟମାନଙ୍କର ଡାବ ଆସେ । ଗ୍ରାମଟି ଲମ୍ବାଲମ୍ବି; କିନ୍ତୁ ସିଧାସଳଖ ନୁହେଁ; ଆଠଟଙ୍କିଆ । ଅସୁରଦୀଘିର ଉତ୍ତର ଆଉ ପଶ୍ଚିମଆଡ଼ିର ଅଧେ ମାଡ଼ିବସିଅଛି । ମଝିରେ ଗୋହିରୀ; ଦୁଇ ମାହାଲା ଘର, ମଝି ଗୋହିରୀଟା ଖୁବ୍ ଓସାରିଆ ହେଲେ ମଧ୍ୟ ଯିବାଆସିବା ବାଟ ଦଶ ବାର ହାତରୁ ବେଶି ନୁହେଁ । ବାଟ ଦୁଇପାଖ ସମସ୍ତଙ୍କ ଦୁଆର ଆଗରେ ଖତଗାଡ଼, ଖଣ୍ତେ ଖଣ୍ତେ ଖାଲି ଜାଗା ଅଛି, ସକାଳେ ସେଠାରେ ଗାଈ ବଳଦ ବନ୍ଧା ହୁଅନ୍ତି । ସ୍ଥାନେ ସ୍ଥାନେ ଖଣ୍ତେ ଖଣ୍ତେ ଶଗଡ଼ ଥୁଆ ହୋଇଛି । ଗୋହିରୀରୁ ସମସ୍ତଙ୍କ ଦୁଆରକୁ ଯିବାପାଇଁ ଅଲଗା ଅଲଗା ବାଟ ଅଛି । ଗ୍ରାମଟି ତିନି ଭାଗରେ ବିଭକ୍ତ – ସାଆନ୍ତ ସାଇ, ତନ୍ତୀ ସାଇ, ବ୍ରାହ୍ମଣ ସାଇ ।

ସାଆନ୍ତ ସାଇରେ ଖୋଦ୍ ରାମଚନ୍ଦ୍ର ମଙ୍ଗରାଜଙ୍କ ଘର; ଏଥିପାଇଁ ଖୁବ୍ ଡାକ । ରାତି ଛ’ଘଡ଼ି ପର୍ଯ୍ୟନ୍ତ କଚେରୀ ଜାରୀ । ଦୋକାନଟା ମଧ୍ୟ ଏଇ ସାଇରେ । ରାତି ପ୍ରହରକ ସରିକି ଆଉ ସବୁ ସାଇ ତୁନିତାନ । ବ୍ରାହ୍ମଣସାହିର ପ୍ରକୃତ ନାମ ଶାସନ । ଶାସନ ଭାଗ ପାଞ୍ଚଶ ଗୋଟା ପୁଅଭାୟା ବାସ୍ତରୀ ଘର । ଶାସନ ଗୋହିରୀ ଦୁଇ ପାଖରେ ଦେଢ଼ଶ ଅନ୍ଦାଜ ନଡ଼ିଆ ଗଛ; ମୁଣ୍ତରେ ବଡ଼ ପିଣ୍ତିବନ୍ଧା ଅଛି, ସେଠାରେ ବଳଦେବ ପୂଜା ହୁଏ । ପିଣ୍ତିଠାରୁ ଦଶ ପନ୍ଦର ହାତ ଛାଡ଼ି କେତେଗୁଡ଼ିଏ ଗଜାଭଳିଆ ନଡ଼ିଆ ଗଛ, ମୂଳ ସଫାସୁତୁରା । ସେଇଟା ଗୋସାଇଁ ମାନଙ୍କ ବୈଠକଜାଗା । ନାସସୁଙ୍ଗା, ଭାଙ୍ଗ ଘୋଟା, ଯଜମାନ ଘର କଥା, ଅରଜନ କଥା ଇତ୍ୟାଦି କଥାମାନ ସେହିଠାରେ ସମାଧାନ ହୁଏ । ଦିନେ ଦିନେ ସେଠାରେ ବଡ଼ ଗୋଳମାଳ ହୁଏ; ସେଦିନ ଯଜମାନ ଘରୁ ମିଳିଥିବା ଶ୍ରାଦ୍ଧ ଚାଉଳ ବା ସଭ୍ୟ ମାନ୍ୟ ଦକ୍ଷିଣା ବାଣ୍ଟ ହେଉଥିବାରୁ ସହଜରେ ଜଣା ପଡ଼ିଯାଏ । ସେ କଳି ଶୁଣି ଲୋକମାନେ କହନ୍ତି, “ବ୍ରାହ୍ମଣ ଗୁଡ଼ାକ ଚାଉଳ ମୁଠାକ ସକାଶେ କୁକୁର ପରି କଳି କରୁଅଛନ୍ତି ।” ମାତ୍ର ଲୋକମାନଙ୍କର ଏପରି କଥାଟା ଆମ୍ଭମାନଙ୍କୁ କିଛି ସୁଖ ଲାଗେ ନାହିଁ । ତାହାର କାରଣ, ଏମାନେ ନିପଟ ମୂର୍ଖ, ଗତରକୁଢ଼ି, ବ୍ରାହ୍ମଣ କର୍ମହୀନ ହେଲେ ମଧ୍ୟ ଛତିଶ ବର୍ଣ୍ଣର ରଜା ତ! ଏମାନଙ୍କୁ କୁକୁର ସଙ୍ଗେ ତୁଳିବା କେତେବେଳେ ହେଲେ ଉଚିତ୍ ନୁହେଁ । ଉପମାଟା ମଧ୍ୟ ଭଲ ହେଲା ନାହିଁ, କାରଣ ପ୍ରେତ ଉଦ୍ଦେଶ୍ୟରେ ଉତ୍ସୁଷ୍ଟ ଓଦା ଚାଉଳ ସକାଶେ ବ୍ରାହ୍ମଣ ମାନଙ୍କ କଳି ଆଉ କୁକୁରଙ୍କ କଳି ଅଇଁଠାଭାତ ସକାଶେ । ଦେଖନ୍ତୁ, ପ୍ରେତ ଉଚ୍ଛିଷ୍ଟ ଆଉ ମନୁଷ୍ୟ ଉଚ୍ଛିଷ୍ଟ, ଓଦା ଚାଉଳ ସିଝାଚାଉଳ କଥାଟା କେତେ ଛାଡ଼ିଲା । ଆଉ କୁକୁରମାନେ କାମୁଡ଼ା କାମୁଡ଼ି ଲଗାନ୍ତି; ବ୍ରାହ୍ମଣମାନେ ବାଡ଼ିଆବାଡ଼େଇ ହୁଅନ୍ତି ସିନା, ଗୋଟାଏ ବ୍ରାହ୍ମଣ ଆଉ ଗୋଟାକୁ କାମୁଡ଼ିବାର ବା ରାମ୍ପୁଡ଼ିବାର ତ ଦେଖାନାହିଁ । ଆକାଶରେ ଶାଗୁଣା ଉଡ଼ିଲେ କେଉଁଠାରେ ମଢ଼ ପଡ଼ିଥିବାର ଯେପରି ଜଣାଯାଏ, ସେହିପରି ଦିନ ପହରକବେଳେ ଗୋସେଇଁମାନେ ଚିତା ପଇତା ହୋଇ ପଲ ପଲ ବାହାରିଲେ କେଉଁ ଗାଁରେ ମନୁଷ୍ୟ ମରିଥିବାର ଲୋକେ ଅନୁମାନ କରନ୍ତି ।

ପାଣିଗ୍ରାହୀ ଭାଗବାଚିକା ମିଶି ଶାସନ ଭାଗ ଜମି ପାଞ୍ଚଶ ମାଣ । ତ୍ରିକାଳ ସନ୍ଧ୍ୟାରେ ଆଶୀର୍ବାଦ କରି ଜମି ଭୋଗ ଦାଖଲ କରିବା ନିମନ୍ତେ ମରହଟ୍ଟା ସୁବାଦାର ତମ୍ବାପାତିଆ ସନନ୍ଦ ଦେଇଅଛନ୍ତି । ତ୍ରିକାଳ ବୋଇଲେ ଭୂତ, ଭବିଷ୍ୟତ, ବର୍ତ୍ତମାନ । ଭୂତ କଥା ଭୂତଙ୍କୁ ଜଣା, ଭବିଷ୍ୟତ କଥା କୌଣସି ମନୁଷ୍ୟ ଜାଣନ୍ତି ନାହିଁ, ବର୍ତ୍ତମାନ କଥା ଆମ୍ଭେମାନେ ଜାଣୁଁ । ଗୋରୁ ଗାଈ ଖୋଜିଆଣି ବାନ୍ଧିବା, ଗୁହାଳରେ ଧୂଆଁ ଦେବା, ହଳିଆକୁ ପଖାଳପାଣି ଦେବାରେ ସନ୍ଧ୍ୟାବେଳଟା ଗଡ଼ିଯାଏ, ଭୂମିଦାତାଙ୍କୁ ଆର୍ଶୀବାଦ କରିବେ କେତେବେଳେ ? କଥା ପଡିବାରୁ ଦିନେ ଭୋବନି ବାହିନୀ ପତି କହିବସିଲେ, “ଆମ୍ଭର ଭୂମି କାହିଁ ହେ, ସନ୍ଧ୍ୟାରେ ଆଶିର୍ବାଦ କରିବୁ ?” କଥାଟା ମଧ୍ୟ ନିହାତି ମିଛ ନୁହେଁ । ଶାସନ ଭାଗ ପାଞ୍ଚଶ ମାଣ ମଧ୍ୟରୁ ଦଶ ବର୍ଷ ଭିତରେ ଚାରିଶ ମାଣ ବିକା ଭଙ୍ଗା ସରିଲାଣି । ବାକି ଯେ କେତେ ମାଣ ମଙ୍ଗରାଜେ ସମ୍ଭାଳିଛନ୍ତି ବୋଲି ଅଛି । ‘ଗୋ ବ୍ରାହ୍ମଣ ହିତାୟ ଚ’ ମଙ୍ଗରାଜଙ୍ଗର ଭାରି ଯତ୍ନ । ବୁଲା ଗୋରୁଗୁଡ଼ିକ ମଙ୍ଗରାଜେ ସାବଧାନ କରି ଆପଣା ଗୋଠରେ ରଖନ୍ତି, କେହି ପାଣ ଏପରି ନା ଉଆରସୀ ଗୋରୁ ଆଣି ବକ୍‌ସିସ୍ ରୂପ କିଛି କିଛି ନେବାର ସଚରାଚର ଦାଖାଯାଏ । ବଳଦ ଛାଡ଼ି କେବଳ ଗାଈ ସଂଖ୍ୟା ତିନିଶହରୁ ଟପିଲାଣି । ଗୋମାତା ବାର ଜାଗାରେ ବୁଲି କଷ୍ଟ ପାଇବେ, ସେଥିସକାଶେ ସମ୍ଭାଳିଛନ୍ତି, ନିହାତି ବଳିପଡ଼ିଲେ ବର୍ଷକୁ ବର୍ଷ ପଠାଣ ଗୋଆଲାଙ୍କୁ ଅଧାଅଧି ଦେବାକୁ ପଡ଼େ । ସେପରି ବ୍ରାହ୍ମଣମାନଙ୍କ ଜମିଗୁଡ଼ିକ କିଣିନେଇଛନ୍ତି, ସମ୍ଭାଳି ରଖିଛନ୍ତି । ଗୋସାଇଁମାନେ ଜମି ନ ବିକି କ’ଣ କରିବେ । ଏକ ବ୍ରାହ୍ମଣିଆ ଚାଷ, ତାହା ବାଦ୍ ଚୋରଗୁଡ଼ାକ ବାଛି ବାଛି ବ୍ରାହ୍ମଣ ଜମିର ଧାନ ଚୋରି କଲେ । ମଙ୍ଗରାଜଙ୍କୁ କିଛି ଜମି ବିକିଦେଲେ ଚୋରମାନେ ଡରରେ ପାଖ ପଶିପାରନ୍ତି ନାହିଁ । ଆଉ ମଙ୍ଗରାଜେ ପାଞ୍ଚ ପାଞ୍ଚ ଟଙ୍କାରେ ପାଞ୍ଚମାଣ ଜମି କିଣିଲେ ବୋଲି କେହିକେହି କହନ୍ତି । ଏକଥାଟା ସେମାନଙ୍କର ବୁଝିବା ଭୁଲ । ଆଛା, ତୁମ୍ଭେ ଭରଣେ ବୁଣିଲେ ପାଞ୍ଚଭରଣ କାଟ ତ? ମଙ୍ଗରାଜଙ୍କ ଟଙ୍କାଟା କି ବାଞ୍ଝ ? ସେଥିରେ କଣ କଳନ୍ତର ନାହିଁ ? ଶାସନ ମଝିରେ ଶିକବୁ ପଣ୍ତିତଙ୍କ ଘର । ଏହାଙ୍କ ଜେଜେ ବିକି ଖାଡ଼ଙ୍ଗା । ପୂରା ସାତପାଦ ବ୍ୟାକରଣ ମୁହେଁ ମୁହେଁ କହିଯାଉଥିବାର ପଣ୍ତିତଙ୍କ ଠାରୁ ଶୁଣାଯାଏ । ନୈଷଧାନ୍ତ ପାଠ ତାହାଙ୍କଠାରେ ଅଟକୁ ନଥିଲା । ପଣ୍ତିତଙ୍କ ନନା ବ୍ୟାକରଣ ଶଦ୍ଦ ଓ ସନ୍ଧିଗୁଡ଼ାକ କୋଇଲି – ଗୀତ ପରି ହାକିଯାଉଥିଲେ । ସେମାନଙ୍କ ପୋଥି ସବୁ ଖଟୁଲିରେ ସାଇତା ଅଛି । ପଣ୍ତିତେ ପ୍ରତିଦିନ ପୂଜା କରନ୍ତି । ଆପେ ପଣ୍ତିତେ ମଧ୍ୟ ଜଣେ ଟାଣ ପଣ୍ତିତ । ପୋଥିରୁ ଡୋରି ନ ଫିଟାଇ ପାଞ୍ଚ ବର୍ଗ ଅଭିଯାନ କରାଯାଇପାରନ୍ତି । ପଣ୍ତିତଙ୍କ ସାଆନ୍ତବାପାଙ୍କର ମଉଳା ପୁଅ ଭାଇଙ୍କର ଭିଣୋଇର ମାଉସୀପୁଅ ଭାଇ ନବଦ୍ୱୀପ ଯାଇ ନ୍ୟାୟଶାସ୍ତ୍ର ପଢ଼ି ଆସିଥିଲେ । ସାରକଥା, ଖାଡ଼ଙ୍ଗାବଂଶ ସକାଶେ ଶାସନର ବିଦ୍ୟା କେତେବେଳେ ଛାଡ଼ ନାହିଁ । ଏହାଙ୍କ ଦାଣ୍ତ ପିଣ୍ତାରେ ଚୌପାଢ଼ୀ, ଶାସନ ପିଲାମାନେ ଦୁଇଓଳି ପଢ଼ନ୍ତି, ଏକଚାଳିଶ କର୍ମ କର୍ମାଙ୍ଗ ଷୋଳ ପଣ ଏହିଠାରେ ପଢ଼ାହୁଏ । କେହି କେହି ପିଲା ବର୍ଗେ ଦୁଇ ବର୍ଗ ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ମଧ୍ୟ ଲାଭକରନ୍ତି ।

ପଶ୍ଚିମ ସାହାଲା ତନ୍ତୀ ସାହିରେ ତନ୍ତୀ ଦେଢ଼ଶ ଘର, ଏହି ସାହିର ଗୋହରୀଟା ସଫାସୁତୁରା, ଖତଗାଡ଼, ଗୋବରଗଦା କିଛିନାହିଁ ଆପଣ ମନେକଲେଣି, ଏଠାରେ ପାଞ୍ଚ ଆଇନ ଜାରି ଅଛି । ମିଉନିସିପାଲିଟିର ଶଗଡ଼ ଆସି ଅଳିଆ ସବୁ ଉଠାଇ ନେଇଯାଏ । ଆପଣଙ୍କୁ ସାବଧାନ କରିଦେଉଛୁଁ, ଆମ୍ଭମାନଙ୍କଠାରୁ ନ ଶୁଣି କୌଣସି କଥା ସିଦ୍ଧାନ୍ତ କରିପକାଇବେ ନାହିଁ । ଅନେକ ଅନୁସନ୍ଧାନ, ଅନେକ ପ୍ରମାଣ ସଂଗ୍ରହ କରି ଆମ୍ଭମାନଙ୍କୁ ଲେଖିବାକୁ ହୁଏ । ଆପଣ ମାନଙ୍କର ଏପରି ଭ୍ରମ ଅପନୋଦନ ନିମନ୍ତେ ଆମ୍ଭମାନଙ୍କର ଏତେ ପରିଶ୍ରମ, ନୋହିଲେ ପ୍ରୟୋଜନ କ”ଣ ? ପୁଣି ଏଣୁ ତେଣୁ ଗୁଡ଼ାଏ ଲେଖିପକାଇବା ଆମ୍ଭମାନଙ୍କ ଅଭ୍ୟାସର ବୀପରୀତ । ଆକଟ୍ୟ ପ୍ରମାଣ ନ ପାଇଲେ କିମ୍ବା ଯାହା ନ୍ୟାୟଶାସ୍ତ୍ରସଙ୍ଗତ ନୁହେଁ, ଏମାନଙ୍କ କଥାଗୁଡାକ ଆମ୍ଭେମାନେ ଶୁଣୁନାହୁଁ । ଯାହା ଲେଖିବୁ, ସେ କଥାଗୁଡ଼ିକ ନ୍ୟାୟଶାସ୍ତ୍ର ଅନୁସାରେ ପ୍ରମାଣ କରାଇ ଦେବୁଁ, ଆପଣଙ୍କର ପାଟି ଫିଟାଇବା ବାଟ ନଥିବ । ଦେଖନ୍ତୁ ପ୍ରମାଣ ପ୍ରୟୋଗ ନିମନ୍ତେ ନ୍ୟାୟଶାସ୍ତ୍ର କହନ୍ତି, “ପର୍ବତୋବହ୍ନିମାନ୍ ଧୂମାତ୍” ଅର୍ଥାତ୍ ପର୍ବତରୁ ଧୂଆଁ ବାହାରୁଛି କିପାଁ ? ନା, ଭିତରେ ନିଆଁ ଅଛି । ମହାନଦୀର ପାଣି ବଢ଼ିଆସୁଛି । ଦେଖିଲେ ଜାଣିବ, ଉପରେ ଭାରି ବର୍ଷା ହୋଇଗଲାଣି । କାର୍ଯ୍ୟକାରଣର ଗୋଟିଏ ଏମନ୍ତ ନିତ୍ୟ ସମ୍ବନ୍ଧ ଅଛି । ‘ନ କାର୍ଯ୍ୟଂ କାରଣଂ ବିନା’ କାରଣ ନ ଥିଲେ କାର୍ଯ୍ୟ ହୁଏ ନାହିଁ । ଏଠାରେ ନଦୀ ବୃଦ୍ଧିର କାରଣ ହେଲା ବୃଷ୍ଟି । ସେହିପରି ଆମ୍ଭେମାନେ ଅକାଟ୍ୟ ଯୁକ୍ତି ଦେଖାଇ ପ୍ରମାଣ କରିଦେଇପାରୁ ଗୋଚର ସହିତ ଗୋରୁର ନିତ୍ୟ ସମ୍ବନ୍ଧ ଅଛି । କାରଣ ଅଭାବ ହେଲେ କାର୍ଯ୍ୟର ଅଭାବ ହେବ, ଏ କଥା ଆପଣ ଅବଶ୍ୟ ସ୍ୱୀକାର କରିବେ ।

ସୁତରାଂ ତନ୍ତୀସାଇରେ ଗୋବରଗଦା ଅଭାବର କାରଣ ଗୋରୁର ଅଭାବ ଅର୍ଥାତ୍ ତନ୍ତୀ ସାଇରେ ଗୋରୁ ନାହିଁ ; ସୁତରାଂ ଗୋବର ନାହିଁ । ଆପଣମାନଙ୍କ ମନରେ ଆଉ ଗୋଟାଏ ଭାରି ଖଟ୍‌କା ଲାଗିପାରେ । ଗୋରୁଗୁଡ଼ାକ ବାଘ ଭାଲୁ ନୁହନ୍ତି ଯେ ବଣରେ ରହିବେ, ଏମାନେ ଗ୍ରାମ୍ୟ ପଶୁ, ଗ୍ରାମରେ ରହିବା ଏମାନଙ୍କର ସ୍ୱଭାବ । ଯେଉଁଠାରେ ପାଣି, ସେହିଠାରେ ମାଛ, ସେହିପରି ଗ୍ରାମରେ ଗ୍ରାମ୍ୟ ପଶୁ ଏଟା ଧରାବନ୍ଧା କଥା । ତନ୍ତୀସାଇ ଗୋଟିଏ ଗ୍ରାମ, ତେବେ ଗ୍ରାମ୍ୟ ପଶୁ ନାହାଁନ୍ତି କି ସକାଶେ? ଆମ୍ଭେମାନେ ପରମେଶ୍ୱରଙ୍କ ସୃଷ୍ଟି କୌଶଳରେ ଅନେକ ବ୍ୟଭିଚାର ଦେଖିବାକୁ ପାଉ, ହୁଏତ ତାହାଙ୍କର କାର୍ଯ୍ୟରେ ଗଫଲତି ନହୁଏ, ଢିଲା । ଦେଖନ୍ତୁ, ପଶୁ କହ, ପକ୍ଷୀ କହ, କୀଟ ବୋଲ, ପତଙ୍ଗ ବୋଲ, ସବୁ ଜାତିରେ ଅଣ୍ତିରା ମାଈ ଅଛନ୍ତି । ସେଥି ମଧ୍ୟରେ ତ ଗୋଟାଏ ଗୋଟାଏ ହିଞ୍ଜଳ ଦେଖାଯାଏ । ସେହିପରି ତନ୍ତୀସାହି ଗ୍ରାମ ହେଲେ ମଧ୍ୟ ଏଥିରେ ଗ୍ରାମ୍ୟ ପଶୁ କିହିଁ । ପଶୁ ସମ୍ବନ୍ଧରେ ଏଟା ହିଞ୍ଜଳ, ଅର୍ଥାତ୍ ଏଠାରେ ବନ୍ୟ ପଶୁ ବାଘ, ଭାଲୁ କିମ୍ବା ଗ୍ରାମ୍ୟ ପଶୁ ଗାଈ ଗୋରୁ କେହି ନାହାଁନ୍ତି । ତାହାର ମଧ୍ୟ କାରଣ ଥାଇପାରେ । କାରଣ ବିନା କାର୍ଯ୍ୟ ନାହିଁ, ଏହା ନ୍ୟାୟଶାସ୍ତ୍ରର ସୂତ୍ର ଅଟେ । ବ୍ୟାକରଣ ରଚକମାନେ ସୂତ୍ର ଠିକ୍ କରି ନପାରିଲେ ନିପାତନସିଦ୍ଧ ବୋଲି ଗୋଟିଏ କଥା କହି କାର୍ଯ୍ୟ ସାରିଦିଅନ୍ତି । ମାତ୍ର ଏହା ଏକ ପ୍ରକାର ଠକ ପଣିଆ । ତାହା ଆମ୍ଭମାନଙ୍କ ହାତରେ ହେବ ନାହିଁ । ସେକଥା ଥାଉ । ତନ୍ତୀସାଇରେ ଗୋରୁ କ୍ୟାଁ ନାହିଁ, ତାହାର କାରଣ ବୁଝନ୍ତୁ । ବାଇବେଲରେ ଲେଖାଅଛି ‘ଜଣେ ସେବକ ଦୁଇଜଣ ସାଆନ୍ତଙ୍କର ସେବା କରିପାରେ ନାହିଁ ।’ ସଚରାଚର ଦେଖାଯାଏ, ଶାସ୍ତ୍ରକାରମାନେ ଠିକେ ଠିକେ ଦୁଇ କଥା କହି କାର୍ଯ୍ୟ ସାରି ବସନ୍ତି । ଟୀକାକାର ନଥିଲେ ମୂଳଗ୍ରନ୍ଥ ବୁଝିବା ନିତାନ୍ତ କଠିନ । ମଲ୍ଲୀନାଥ, ମଥୁରାନାଥ, ଶ୍ରୀଧର ବାଖ୍ୟା କରିଦେଇ ନ ଥିଲେ ରଘୁବଂଶ ନ୍ୟାୟ, ଭାଗବତ ପରି ଗ୍ରନ୍ଥମାନ ଆଜିଯାଏ ଡୋରି ଭିଡ଼ାହୋଇ ପଡ଼ିଥାନ୍ତା, ସେହିପରି ଆମ୍ଭେମାନେ ବାଇବେଲର ବ୍ୟାଖ୍ୟା କରି ନ ଦେଲେ ବୁଝିବା ସହଜ ନୁହେଁ । ଆପଣ ନହୁଏ ଟାଣି ଟୁଣି ଏକପ୍ରକାର ପାଠ ଲଗାଇଯିବେ; ମାତ୍ର ସମସ୍ତଙ୍କ ହାତରେ ତ ସବୁ କଥା ହୁଏ ନାହିଁ । ବାଇବେଲ ସୂତ୍ରର ଅର୍ଥ ଏହି କି, ଜଣେ ମନୁଷ୍ୟ ଏକ ସମୟରେ ଦୁଇ କାର୍ଯ୍ୟ କରିପାରେ ନାହିଁ, ଅର୍ଥାତ୍ ଲୁଗାବୁଣାରେ ତନ୍ତୀ ମାନଙ୍କର ଦିନ ଯାଏ, ଚାଷ କରିବରକୁ ବେଳ ନାହିଁ ? ଚାଷ ଯଦି ନ କଲେ ବଳଦ ଦରକାର କଣ ? ବଳଦ ନ ଥିଲେ ଗୋବର କାହୁଁ ଆସିବ? ଗୋବର ଅଭାବରୁ ଖତଗଦା ନଥିବାରୁ ଦାଣ୍ତ ସଫା ।

ଆଜିକାଲି ଊଣାଇଶ ଶହ ସମ୍ବତ୍ସରେ ବିଜ୍ଞାନଶାସ୍ତ୍ରର ଖୁବ୍ ମର୍ଯ୍ୟାଦା; କାରଣ ଏହି ଶାସ୍ତ୍ର ସବୁ ଉନ୍ନତିର ମୂଳ ଅଟେ । ଦେଖନ୍ତୁ, ଇଂରେଜମାନେ କେଡ଼େ ଗୋରା ଆଉ ଓଡ଼ିଆ ମାନଙ୍କ ଦେହ କାଳିଆ । ସେଥିର କାରଣ, ସେମାନେ ବିଜ୍ଞାନ ଶାସ୍ତ୍ର ପଢ଼ିଅଛନ୍ତି; ଓଡ଼ିଆ ମାନେ ଜାଣନ୍ତି ନାହିଁ । ଆମ୍ଭେମାନେ ହାଲ ବିଜ୍ଞାନର ଚର୍ଚ୍ଚା ଆରମ୍ଭ କରିଅଛୁଁ । ବର୍ତ୍ତମାନ ପ୍ରସଙ୍ଗଟା ଆମ୍ଭେମାନେ ସେହି ଶାସ୍ତ୍ର ଅନୁସାରେ ପ୍ରମାଣ କରିଦେଇପାରୁଁ । ଆପଣ ପାଠରେ ମନ ଦେଉନ୍ତୁ, ବିଜ୍ଞାନଶାସ୍ତ୍ର ଯେ କେଡ଼େ ଠିକ୍, ତାହା ବୁଝିପାରିବେ । ଉକ୍ତ ଶାସ୍ତ୍ରର ସୂତ୍ର ଏକ-ଏକ ସ୍ଥାନରେ ଦୁଇ ଗୋଟି ବସ୍ତୁ ରହି ନପାରେ । ଆପଣଙ୍କ ଦୁଧ ପିଆ ଗିନାରେ ପାଣି ରହେ ତ ? ଏ କଥା ବୋଲିବେ, ସେଥିପାଇଁ ଭକ୍ତ ସୂତ୍ର ବ୍ୟାଖ୍ୟା ଆବଶ୍ୟକ, ଅର୍ଥାତ୍ ଗୋଟିଏ ସ୍ଥାନରେ ଏକ ସମୟରେ ଦୁଇଗୋଟି ପଦାର୍ଥ ରହି ନପାରେ । ଗିନାରେ ଦୁଧ ପୂର୍ଣ୍ଣ ଥିଲେ ଆଉ ପାଣି ରହି ପାରିବ ନାହିଁ । ଲୁଗାବୁଣା ସକାଶେ ବାହାର ଭିତର ଦୁଇ ଜାଗା ଦରକାର । ଘର ଭିତରେ ଲୁଗା ବୁଣାଯାଏ; ଲୁଣ୍ତି କାଟିବା, ତାଗୀ କରିବା ଇତ୍ୟାଦି କର୍ମ ବାହାରେ ହୁଏ । ସୁତରାଂ ତାସଣ ଜାଗାରେ ଗୋବରଗଦା ରହିବା ନିତାନ୍ତ ଅସମ୍ଭବ । ଆଉ ସ୍ତ୍ରୀ ପୁରୁଷ ମିଳିତ ନହେଲେ ଲୁଗା ପ୍ରସ୍ତୁତ ହୋଇପାରେ ନାହିଁ । ସୂତାରେ ତୋରାଣି ଦେବା, ନେଟଇ ବା ଚରଖିରେ ଚଢ଼ାଇବା, ନଳି ବଳିବା ଏସବୁ ତନ୍ତୀଆଣୀମାନଙ୍କର କାର୍ଯ୍ୟ । ଗାଈ ବଳଦ ଦାଣ୍ତରୁ ଖୋଜିଆଣି ବାନ୍ଧିବାକୁ ସେମାନଙ୍କର ବେଳ କାହିଁ ଇତ୍ୟାଦି ଆହୁରି ମଧ୍ୟ କାରଣ ଅଛି; ମାତ୍ର କଥା ବଢ଼େଇ ଲେଖିବା ଆମ୍ଭମାନଙ୍କର ଦେହରେ ଚଳେନାହିଁ, ସେଥିପାଇଁ ଠିକେ ଠିକେ ସବୁକଥା ଲେଖି ପକାଉଁ ।

by ଫକିର ମୋହନ ସେନାପତି

Share. Facebook Twitter Pinterest LinkedIn Tumblr Reddit Email
Previous Articleଜମିଦାର ସେଖ୍ ଦିଲବାର୍ ମିଆଁ :
Next Article ଭଗିଆ ଆଉ ସାରିଆ :
ଫକୀର ମୋହନ ସେନାପତି

Related Posts

ଡାକମୁନ୍ସି

February 10, 2022

ଉପସଂହାର

November 26, 2018

ଅପୂର୍ବ ମିଳନ :

November 26, 2018

ବାବାଜୀ ଲଳିତା ଦାସ :

November 26, 2018

ମଙ୍ଗରାଜ ଘରର ହାଲଚାଲ :

November 26, 2018

ଖୁଣି ତଦାରଖି :

November 26, 2018
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.