ନିଶା ଗରଜୁଥାଏ । ଏଣେ ତୁହାକୁ ତୁହା ବର୍ଷା ବି ହେଉଥାଏ । ତେଣେ ସାଇଁ ସାଇଁ ଶୀତଳ ପବନରେ ଗଛଲତା ସବୁ ଥରି ଉଠୁଥାନ୍ତି । ଶ୍ୱାନଶ୍ୱାପଦଙ୍କ ରଡି ଓ ବଜ୍ରଧ୍ୱନି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୂନର୍ବାର ସେ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ସେହି ଶବଟିକୁ ଉତାରି ଆଣିଲେ । ତେବେ ଶବଟିକୁ ସେ ତାଙ୍କ କାନ୍ଧରେ ପକାଇ ସେହି ଶୂନ୍ଶାନ୍ ଶ୍ମଶାନ ଭୂମି ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜା! ଏ ଭୟଙ୍କର ରାତିରେ ତୁମେ ଯେ ଏଠାରେ ଏଭଳି କଷ୍ଟସାଧ୍ୟ କାର୍ଯ୍ୟ ହାତକୁ ନେଇଛ, ଏହା ପଛରେ ତୁମର ଉଦ୍ଧେଶ୍ୟ କ’ଣ? ତମେ କ’ଣ କିଛି ଶକ୍ତି ବା ସିଦ୍ଧି ଚାହଁ? ମନେ ରଖ, ଶକ୍ତି ବା ସିଦ୍ଧି ଯେ ସବୁ କ୍ଷେତ୍ରରେ କାମ ଦେବ, ସେକଥା ନୁହେଁ । ତମକୁ ଗୋଟାଏ ଦୃଷ୍ଟାନ୍ତ ଦେଉଛି, ମନଦେଇ ମୋ କଥା ଶୁଣ । ଶୁଣିଲେ ଶ୍ରମଭାର ଲାଘବ ମନେ ହେବ ।”
ଏଥିଉତାରେ ସେ ବେତାଳ ଗପିଲା : ଗନ୍ଧର୍ବ ଲୋକର ଚିତ୍ରବର୍ଣ୍ଣ ନାମକ ଜଣେ ଗନ୍ଧର୍ବ ଥିଲେ । ସେ ଥରେ ଭୂଲୋକକୁ ଆସି ପୃଥିବୀର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ମନେ କଲେ ।ସେ ଆକାଶମାର୍ଗରେ ପୃଥିବୀ ଉପର ଦେଇ ଉଡି ଯାଉଁ ଯାଉଁ ଗୋଟିଏ ସୁନ୍ଦର ଉଦ୍ୟାନ ଓ ଜଳାଶୟ ଦେଖି ତହିଁ ଅବତରଣ କଲେ । ସେତେବେଳେ ସଂନ୍ଧ୍ୟା ସମୟ । ଉଦ୍ୟାନର ଗୋଟିଏ ଅଂଶରୁ ହାସ୍ୟରୋଳ ଭାସି ଆସି ତାଙ୍କ କାନରେ ପଡିବାରୁ ସେ ଦୃଷ୍ଟିପାତ କରି ଦେଖିଲେ ଦଳେ ଯୁବତୀ ସେଠାରେ ଖେଳି ବୁଲୁଛନ୍ତି ।ସେ ଅବାକ୍ ହୋଇ ସେମାନଙ୍କ ସୌନ୍ଦର୍ଯ୍ୟ ନିରୀକ୍ଷଣ କରିବାକୁ ଲାଗିଲେ । ସେମାନଙ୍କ ଭିତରେ ଜଣେ ବିଶେଷ ଭାବରେ ତାଙ୍କ ଦୃଷ୍ଟି ଆକର୍ଷଣ କଲା । ନକ୍ଷତ୍ରମାଳା ଭିତରେ ଚନ୍ଦ୍ରମା ଭଳି ଝଟକୁଥିବା ସେ ଯୁବତୀ ଉପରେ ଦୃଷ୍ଟି ନିବଦ୍ଧ ରଖି ସେ ସେମାନଙ୍କ ଆଡେ ଅଗ୍ରସର ହେଲେ ।ହଠାତ୍ ସୁରକ୍ଷୀତ ରାଜ ଉଦ୍ୟାନ ଭିତରେ ଜଣେ ଅପରିଚିତ ଯୁବକକୁ ଦେଖି ସେ ଯୁବତୀମାନେ ହତଚକିତ ହୋଇଗଲେ । ଗନ୍ଧର୍ବ ଯାଇ ସେମାନଙ୍କୁ ପ୍ରଶ୍ନ କଲେ, “ଏ ସୁନ୍ଦରୀ ଜଣକ କିଏ?”
ତହୁଁ ଜଣେ ଯୁବତୀ କହିଲେ, “ସେ ହେଉଛନ୍ତି ଏ ପୂର୍ଣ୍ଣଚନ୍ଦ୍ରପୁର ରାଜ୍ୟର ରାଜକୁମାରୀ ପ୍ରିୟଦର୍ଶିନୀ ।””ଆଃ, କି ଅପୂର୍ବ ସୁନ୍ଦରୀ! ଇଏ ସିନା ମୋ ଭଳି ଜଣେ ଗନ୍ଧର୍ବଙ୍କୁ ବିବାହ କଲେ ଠିକ୍ ହେବ । ତାହେଲେ ଯାଇ ମୁଁ ଏହାଙ୍କୁ ଗନ୍ଧର୍ବ ଲୋକକୁ ନେଇଯିବି ।” ଏହା କହି ସେ ରାଜକୁମାରୀଙ୍କ ହାତ ଧରି ଟାଣିଲେ ।ରାଜକୁମାରୀ ଓ ତାଙ୍କ ପରିଚାରିକାମାନେ ଚିତ୍କାର କରି ଉଠିଲେ । ଉଦ୍ୟାନ ବାହାରେ ଜଗି ରହିଥିବା ଜଣେ ଦେହରକ୍ଷୀ ତୁରନ୍ତ ଦୌଡି ଆସି ନିଜ ତରବାରୀ ବାହାର କଲା । ତାହା ଦେଖି ସେ ଗନ୍ଧର୍ବ ହସିଲେ ଓ କହିଲେ, “ମୂର୍ଖ! ମୁଁ ଜଣେ ଗନ୍ଧର୍ବ । ମୋ ଶକ୍ତି ତୋତେ ଜଣା ନାହିଁ । ମୁଁ ଯଦି ଅପମାନ ବୋଧ କରି ଅଭିଶାପ ଦେବି, ତେବେ ତୁ ଏହିକ୍ଷଣି ସବୁଦିନ ଲାଗି ପଙ୍ଗୁ ହୋଇଯିବୁ ।”ସିପାହୀ କହିଲା “ରାଜକୁମାରୀଙ୍କୁ ରକ୍ଷା କରିବା ମୋର କର୍ତ୍ତବ୍ୟ । ଯେଉଁ ବିପଦ ଆସୁ ନା କାହିଁକି, ଜୀବନ ଥିବା ଯାଏଁ ମୁଁ ମୋ କର୍ତ୍ତବ୍ୟ କରିବି । ତୁମେ ତାଙ୍କୁ ଛାଡିଦିଅ ।”କିନ୍ତୁ ଗନ୍ଧର୍ବ ଅଟ୍ଟହାସ୍ୟ କରି ରାଜକୁମାରୀଙ୍କୁ ଟାଣି ଟାଣି ନେଇଯିବାକୁ ଉଦ୍ୟମ କରିବାରୁ ସିପାହୀ ତା’ ତରବାରୀ ଉଂଚାଇଲା ।
ଗନ୍ଧର୍ବ ଅଭିଶାପ ଦେଲା “ତୁ ପଙ୍ଗୁ ହୋଇ ଯା!” କିନ୍ତୁ ସେ ସିପାହୀର ଆଦୌ କିଛିବି ହେଲା ନାହିଁ । ସେ ସିପାହୀ ତା’ ତରବାରୀ ଦ୍ୱାରା ଗନ୍ଧର୍ବଙ୍କୁ ଆଘାତ କରିବାକୁ ଚେଷ୍ଟା କଲା । ମାତ୍ର ଠିକ୍ ଆଘାତ ବସିବା ପୂର୍ବରୁହିଁ ଗନ୍ଧର୍ବ ସେଠାରୁ କୁଆଡେ ଅଦୃଶ୍ୟ ହୋଇଗଲେ ।ନିଜ ଅଭିଶାପ ବ୍ୟର୍ଥ ହେବାର ଦେଖି ସେ ଖୁବ୍ ଆଶ୍ଚର୍ଯ୍ୟ ହେଲେ । ତେବେ ସେକଥା ଭୁଲିଯାଇ ସେ ପୃଥିବୀର ନାନା ଦୃଶ୍ୟ ଉପଭୋଗ କରୁ କରୁ ସେ ଯାଇ ଗୋଟିଏ ବଣ ଭିତରେ ପଶିଲେ । ବଣ ଭିତରେ ଗୋଟିଏ ଗୁମ୍ଫା ଭିତରୁ କିଛି ଅପୂର୍ବ ଦ୍ୟୁତି ବାହାରୁଥିବାର ଦେଖି ସେ କୌତୁହଳୀ ହୋଇ ତହିଁ ଭିତରକୁ ଉଙ୍କିମାରି ଦେଖିଲେ ଗୁମ୍ଫାର ଶେଷ ପ୍ରାନ୍ତରେ ଖଣ୍ଡିଏ ମଣି ଝଟକୁଛି । “ଏହାକୁ ନେଇଯାଇ ମୁଁ ଗନ୍ଧର୍ବରାଜାଙ୍କୁ ଦେବି ।” ଏହା ଭାବି ସେ ସେହି ଗୁମ୍ଫା ଭିତରେ ପଶୁଛନ୍ତି, ଠିକ୍ ସେହି ସମୟରେ ବାହାରୁ କିଏ ଜଣେ ଗର୍ଜନ କରି ପଚାରିଲେ, “କିଏ ସେ ମୋ ଗୁମ୍ଫାରେ ପ୍ରବେଶ କରୁଛି?”ଏହା ଶୁଣି ସେ ଗନ୍ଧର୍ବ ପଛକୁ ଅନାଇ ଦେଖିଲେ, ଗୋଟାଏ ରାକ୍ଷସ ବସି ଆରାମ୍ କରୁଛି ।ଗନ୍ଧର୍ବ କହିଲେ “ମୁଁ ଜଣେ ଗନ୍ଧର୍ବ । ଗୁମ୍ଫା ଭିତରେ ଝଟକୁଥିବା ସେ ମଣି ମୋର ଦୃଷ୍ଟି ଆକର୍ଷଣ କଲା । ତେଣୁ ମୁଁ ତାକୁ ଆଣିବାକୁ ଭିତରକୁ ଯାଉଛି ।”
ତା’କଥା ଶୁଣି ରାକ୍ଷସ କହିଲା “ବାଃ, କେଡେ ଆସ୍ପର୍ଦ୍ଧ! ସେ ମଣି ମୋର । ମୁଁ ବହୁ ପ୍ରକାର ମଣିନାଗଙ୍କୁ ତୁଷ୍ଟ କରି ତାହା ଆଣି ରଖିଛି । ତୋତେ ଲଜ୍ଜା ନାହିଁ, ତୁ ତାକୁ ପୁଣି ଚୋରି କରିବାକୁ ପଶୁଥିଲୁ?””ମୁହଁ ସମ୍ଭାଳି କଥା କହ ରାକ୍ଷସ । ତୁ ମୋତେ ଅପମାନ ଦେଉଛୁ, ତୋର ଏଡେ ସାହସ? ଜାଣୁ ମୋର ଶକ୍ତି କେତେ?” ଏହା କହି ଗନ୍ଧର୍ବ ସେ ମଣି ଆଡକୁ ଅଗ୍ରସର ହେଲେ ।ଏସବୁ ଘଟଣା ଦେଖି ସେ ରାକ୍ଷସ ଉଠି ପଡି ତାଙ୍କ ଆଡେ ମାଡିଗଲା । ଏହାପରେ ସେ ଗନ୍ଧର୍ବ ଅଭିଶାପ ଦେଲେ, “ତୁ ଗୋଟାଏ ମାଟି ପିତୁଳାରେ ପରିଣତ ହୋଇ ଯା!” ହେଲେ ସେ ରାକ୍ଷସର କିନ୍ତୁ କିଛି ହେଲା ନାହିଁ । ସେ ଗନ୍ଧର୍ବଙ୍କୁ ଧରି ପକାଇବାକୁ ବସିବା ମାତ୍ରେ ଗନ୍ଧର୍ବ ଅଦୃଶ୍ୟ ହୋଇ ପଳାଇ ଗଲେ ।ଗନ୍ଧର୍ବ ଏଥର ଆହୁରି ଆଶ୍ଚର୍ଯ୍ୟ ହେଲେ । ତାଙ୍କ ଅଭିଶାପ-ଶକ୍ତି ପୃଥିବୀରେ କିପରି କାମ କରୁନାହିଁ? ସେ ଏହିକଥା ଭାବି ଭାବି ବିମର୍ଷ ବୋଧ କଲେ ଓ ନିଜକୁ କହିଲେ, “ବିଧାତା ସମସ୍ତଙ୍କ ଗର୍ବ ଖର୍ବ କରନ୍ତି । ମୋର ଗର୍ବ ବି ଖର୍ବ ହେଲା!” ଏତିକିବେଳେ ଗୋଟିଏ ଗଛ ମୂଳରେ ଜଣେ ବୃଦ୍ଧ ପଥିକ ପଡିଯାଇ ମୁନ୍ଦିଏ ପାଣି ମାଗୁଥିବାର ସେ ଶୁଣିଲେ । ସେ ଏଣେ ତେଣେ ଅନାଇଲେ । କିନ୍ତୁ ଆଖପାଖରେ ପାଣି ନଥିଲା । ସେ ବୃଦ୍ଧଙ୍କୁ ସାହାଯ୍ୟ କରିବା ପାଇଁ ବ୍ୟାକୁଳ ଭାବରେ ପାଣି ସନ୍ଧାନରେ କିଛି ବାଟ ଦୌଡିଯାଇ ଦେଖିଲେ ଜଣେ ତପସ୍ୱୀ ଗୋଟିଏ ବାଘଛାଲ ଉପରେ ଧ୍ୟାନସ୍ଥ ହୋଇ ବସିଛନ୍ତି । ତାଙ୍କ କମଣ୍ଡଳୁରେ ଜଳ ଅଛି । ସେ କହିଲେ, “ତପସ୍ୱୀ ମହାଶୟ! ଆପଣଙ୍କ କମଣ୍ଡଳୁରୁ ପାଣି ନେଇ ଜଣେ ପିପାସାର୍ତ ପଥିକଙ୍କୁ ଦେଇପାରେ?”
ତପସ୍ୱୀ ତାଙ୍କ ଆଖି ଖୋଲି ଭୀଷଣ କ୍ରୁଦ୍ଧ ହୋଇ କହିଲେ, “ମୂଢ! ଦଶବର୍ଷରେ ଥରେ ଏପରି ଯୋଗ ପଡିଥିଲା, ଯେତେବେଳେକି ମୁଁ ମୋ ତପସ୍ୟାରେ ସିଦ୍ଧି ଲାଭ କରିଥାନ୍ତି ଆଉ ତା’ପରେ ମୁଁ ମୋ ଶତ୍ରୁ ଉପରେ ବିଜୟ ଲାଭ କରିଥାନ୍ତି । ତୁ ମୋ ତପସ୍ୟା ଭାଙ୍ଗିଦେଲୁ । ଏଣୁ ତୋତେ ମୁଁ ଅଭିଶାପ ଦେଉଛି, ତୁ ଏହି ମୁହୂର୍ତ୍ତରେହିଁ ମୂକ ହୋଇ ଯା!” ଏହା କହି ସେ ତପସ୍ୱୀ ନିଜ କମଣ୍ଡଳୁରୁ ପାଣି ମୁନ୍ଦିଏ ବାହାର କରି ଗନ୍ଧର୍ବ ଉପରକୁ ତାହା ଛାଟିଦେଲେ ।ଗନ୍ଧର୍ବ କହିଲେ, “ତୁ ଶିଳା ବନିଯାଇ ଦଶବର୍ଷକାଳ ଏହିଠାରେହିଁ ସେମିତି ପଡି ରହିଥା ।”ଚାହୁଁ ଚାହୁଁ ସଙ୍ଗେ ସଙ୍ଗେ ସେ ତପସ୍ୱୀ ଜଣକ ଶିଳା ବନିଗଲେ । ତା’ପରେ ଗନ୍ଧର୍ବ ପାଣି ନେଇ ସେହି ପଥିକଙ୍କୁ ଦେଲେ ।ଟିକିଏ ଚୁପ୍ ରହି ବେତାଳ ପୁଣି ପ୍ରଶ୍ନ କଲା: “ରାଜା! ଗନ୍ଧର୍ବମାନଙ୍କର ତ ଅନେକ ଆଶ୍ଚର୍ଯ୍ୟ ଶକ୍ତି ଥାଏ । ଅଥଚ ଏ କ୍ଷେତ୍ରରେ ଗନ୍ଧର୍ବଙ୍କ ଅଭିଶାପ ଶକ୍ତି ସାମାନ୍ୟ ସିପାହୀ ତଥା ରାକ୍ଷସ ଉପରେ ଆଦୌ କାମ କଲା ନାହିଁ, ଅଥଚ ତପସ୍ୱୀଙ୍କ ଉପରେ କାମ କଲା । ତପସ୍ୱୀଙ୍କ ଅଭିଶାପ ତାଙ୍କ ଉପରେ କାମ କଲା ନାହିଁ । ଏହା ଏକ ବିସ୍ମୟକର କଥା ନୁହେଁ କି? ଏପରି କାହିଁକି ହେଲା? ପାରିଲେ ମୋ ପ୍ରଶ୍ନର ଉତ୍ତର ଦିଅ । ଆଉ ଉତ୍ତର ଦେବାର ଶକ୍ତି ଥିବା ସତ୍ତ୍ୱେ ମଧ୍ୟ ଯଦି ତୁମେ ନିରୁତ୍ତର ରହିବ, ତେବେ ତମ ଶୀର ସ୍କନ୍ଧଚ୍ୟୁତ ହେବ ।”
ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନକରି ରାଜା ବିକ୍ରମାର୍କ ଅତିଶୀଘ୍ର ଉତ୍ତର ଦେଲେ, “ପ୍ରାଣୀକୁ ଖାଲି ତା’ର ବ୍ୟକ୍ତିଗତ ବଳ ରକ୍ଷା କରେ ନାହିଁ, ତା’ର ଆଦର୍ଶ, ତା’ର ବ୍ରତ, ତା’ର ଅଧ୍ୟବସାୟର ସ୍ୱତନ୍ତ୍ର ଶକ୍ତି ଥାଏ । ସେ ଶକ୍ତି ପ୍ରାଣର ସହାୟତା କରେ । ଏକଥା ସତ୍ୟ ଯେ ଗନ୍ଧର୍ବ ମାନଙ୍କର କେତେକ ଅସାଧାରଣ ଶକ୍ତି ଥାଏ । କିନ୍ତୁ ଅଭିଶାପର କଥା ଅଲଗା । ଅଭିଶାପ ଫଳିବାକୁ ହେଲେ ଦୁଇଟି ସର୍ତ୍ତ ପୂରଣ ହେବା ନିତାନ୍ତ ଦରକାର । ଯିଏ ଅଭିଶାପ ଦେବ, ସିଏ ବାସ୍ତବରେ କ୍ଷୁବ୍ଧ ହୋଇଥିବ; ତା’ ପ୍ରତି ଅନ୍ୟାୟ କରା ହୋଇଥିବ । ଯାହା ପ୍ରତି ଅଭିଶାପ ଦିଆ ହେବ, ସେ କିଛି ଅନ୍ୟାୟ କରିଥିବ । ସିପାହୀର ସହାୟତା କରୁଥିଲା ତା’ର ନିଜର ଆଦର୍ଶ । ରାଜକୁମାରୀଙ୍କୁ ରକ୍ଷା କରିବାକୁ ସେ ନିଜର ବ୍ରତ ବୋଲି ମନେ କରୁଥିଲା । ତା’ର ସେହି ନିଷ୍ଠାହିଁ ଶକ୍ତି ରୂପେ ତାକୁ ରକ୍ଷା କଲା । ରାକ୍ଷସ ମଣିଟି କାହାଠୁଁ ଛଡାଇ ଆଣି ନଥିଲା; ସେ ମଣିନାଗକୁ ସନ୍ତୁଷ୍ଟ କରି ତାହା ଆଣିଥିଲା । ତେଣୁ କହିବାକୁ ଗଲେ ଏକ ପ୍ରକାର ସାଧନା ଦ୍ୱାରାହିଁ ସେ ତାହା ପାଇଥିଲା । ଉଭୟ କ୍ଷେତ୍ରରେ ଗନ୍ଧର୍ବ କେବଳ ସ୍ୱାର୍ଥଚଳିତ ହୋଇ କାମ କରୁଥିଲେ । ତେଣୁ ତାଙ୍କ ଶକ୍ତି ଅକାମୀ ହୋଇଗଲା । ମାତ୍ର ତୃତୀୟ କ୍ଷେତ୍ରରେ ସେ ନିଜେ ନମ୍ର ଭାବରେ, ଜଣେ ତୃଷାତୁର ପଥିକକୁ ବଂଚାଇବା ନିମନ୍ତେ କାମ କରିବା ଫଳରେ ତାଙ୍କ ଶକ୍ତି ପ୍ରଖର ହୋଇ ଉଠିଲା । ତେଣେ ସେ ତପସ୍ୱୀ ଶତ୍ରୁର ବିନାଶ ଭଳି ଗୋଟାଏ ସ୍ୱାର୍ଥପର କାରଣରୁ ତପସ୍ୟା କରୁଥିଲେ, କୌଣସି ମହତ୍ ଉଦ୍ଧେଶ୍ୟ ପୂରଣ ପାଇଁ ନୁହେଁ । ତେଣୁ ତପସ୍ୱୀଙ୍କ ଶାପ କାର୍ଯ୍ୟକାରୀ ହେଲା ନାହିଁ ।”ରାଜାଙ୍କ ମୌନଭଙ୍ଗ ହେବା ମାତ୍ରେ ଶବ ସହ ଶବସ୍ଥିତ ବେତାଳ ବି ତାଙ୍କ କାନ୍ଧରୁ ଖସି ପୁନର୍ବାର ସେ ବୃକ୍ଷ ଡାଳରେ ଯାଇ ଝୁଲି ପଡିଲା ।