• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଉପନ୍ୟାସ»ଖୁଣି ତଦାରଖି :
ଉପନ୍ୟାସ

ଖୁଣି ତଦାରଖି :

ଫକୀର ମୋହନ ସେନାପତିBy ଫକୀର ମୋହନ ସେନାପତିNovember 26, 2018No Comments5 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ବେଳ ଅନୁମାନରେ ପହରେ କି ଛ ଘଡ଼ି, ଆଜି ବର୍ଷା ନାହିଁ, ଗୋପୀ ସାହୁ ଦୋକାନୀ ଚିରା ଗଣ୍ଠୁଳି କଳାକନା ପରି ଗାମୁଛା ଖଣ୍ତିଏ ମୁଣ୍ତରେ ପକାଇ ଦୋକାନ ଟୋକେଇ କାନ୍ଧରେ କଞ୍ଚିଟା ହାତରେ ଧରି ଦୋକାନକୁ ଆସିଲା । ଦୋକାନ ଫିଟାଇ ମେଲା ଘରକୁ ଅନାଇଦେଲା । ଯାହା ଦେଖିଲା, ସେଥିରେ ତାକୁ ପ୍ରାୟ ଝାମ୍ ମାରିଗଲାଣି, କାଠଟି ପରି ଛିଡ଼ାହୋଇଛି, ପାଟିରେ କଥାନାହିଁ । କେବେ ଦେଖା ନାହିଁ, କେବେ ଶୁଣା ନାହିଁ, ଗୋଟିଏ ସ୍ତ୍ରୀ ଲୋକ ଚାଳକୁ ଚାହିଁ ମରିପଡ଼ିଛି, ଘରସାରା ରକ୍ତମୟ, ଖଲିପତ୍ରରେ ରକ୍ତ, ଚୁଲୀ ମୁହଁରେ ରକ୍ତ ଭାତ ହାଣ୍ତିରେ ରକ୍ତ, ପିଚକାରୀ ମାରି କାନ୍ଥ ବାଡ଼ରେ ଝୋଟି ଦେଲାପରି ହୋଇଯାଇଛି । ଗୋପୀ ଧାଇଁ ଯାଇଁ ଗାଁରେ କହିଲା । ଗାଁ ଲୋକ ଧାଇଁଲେ । ଗାଁ ଛାଟିଆ ସନ୍ତିଆ ଜେନା ଫାଣ୍ତିକୁ ଏତଲା ଦେବାକୁ ଧାଇଁଲା । ମକ୍ରାମପୁରରେ ବାଲାଗସ୍ତି ଫାଣ୍ତି ଗୋପାଳପୁରଠାରୁ ଦେଢ଼କୋଶ ଦୂର । ବେଳ ତିନିପ୍ରହର ସମୟରେ ବାଲାଦସ୍ତି ଜମିଦାର ସେଖ୍ ତୋରାବଲ୍ଲି, ବରକନ୍ଦାଜ ଫତୁ ଖାଁ ଘଟନା ସ୍ଥାନରେ ଆସି ଉପସ୍ଥିତ ହେଲେ । ସେଖ ତୋରାବଲ୍ଲି ଜଣେ ରବେୟା ହାକିମ । ଆଖ ପାଖ ଚାରିକୋଶରେ ତାଙ୍କ ନାମ ଶୁଣିଲେ ଲୋକେ ଥରନ୍ତି; ଗର୍ଭିଣୀ ଗାଈ ବାଟ ଛାଡ଼ିଦିଏ । ଜମିଦାର ସାହେବ ସରଜମନରେ ଉପସ୍ଥିତ ହୋଇ ଦାଢ଼ି ଆଉ ନାକ ଘୋଡ଼ାଇ ଲାସ୍ ମାଇନା କରିବାକୁ ଗଲେ । ଲାସ୍ ଗୋଟିଏ ସ୍ତ୍ରୀ ଲୋକ, ପାଟ ଶାଢ଼ୀ ଖଣ୍ତେ ପିନ୍ଧିଛି, ହାତରେ ବେକରେ ରୁପା ଓ ସୁନାର କେତେଖଣ୍ତ ଅଳଙ୍କାର । ପଠାଣମାନେ କୁକୁଡ଼ା ଜଭେ କଲାପରି ତାହା ବେକକଟା, ପାଖରେ ଖଣ୍ତେ ରକ୍ତବୋଳା ଖୁର ପଡ଼ିଛି, ଲାସ୍‌ଟା ଚାରି ଆଙ୍ଗୁଳି ଜିଭ କାଢ଼ିପକାଇ କାମୁଡ଼ି ଦାନ୍ତ ନିସାଡ଼ି ଦେଇଅଛି, ଚାଳକୁ ତରାଟି ଚାହିଁଅଛି, ବାଳମୁକୁଳା, ରକ୍ତରେ ଲଟପଟ, ଦୁଇପାଖରେ ଚାରି ଆଙ୍ଗୁଳ ବହଳରେ ରକ୍ତ ପଚି କାଳିଆ ପଡ଼ିଗଲାଣି, ସେଥିରୁ ଗୋଟାଏ ଉତ୍କଟ ଦୁର୍ଗନ୍ଧ ବାହାରୁ ଅଛି । ଗାଲ ଦୁଇଟା ଓଆଉପରି ଓ ପେଟଟା ଗୋଟାଏ ଓଳିଆପରି ଫୁଲଗଲାଣି । ଦେଖାଗଲା, କୌଣସି ଲୋକ ତାହା ବାଳ ଗୋଟାଏ ହାତରେ ଧରି, ମୁହଁ ଗୋଟାଏ ହାତରେ ଧରି, ଗୋଡରେ ମାଡ଼ିବସି ଖୁରରେ ତା ବେକ କାଟିଅଛି । କଟାବେଳେ ସ୍ତ୍ରୀ ଲୋକଟା ଗୋଡ଼େଇ ହେବାରୁ ଘର ଖୋଳି ହୋଇଯାଇଅଛି । ଦୁର୍ଗନ୍ଧ ଆଉ ଭୟଙ୍କର ମୂର୍ତ୍ତି ଯୋଗୁଁ ଜମିଦାର ବେଶି ବେଳ ଯାଇ ରହିପାରିଲେ ନାହିଁ । ବାହାରକୁ ବାହାରି ଆସି ଆପଣା ଜ୍ଞାନ ବଳରେ ଠିକ୍ କଲେ, ଏ ମକଦ୍ଦମା ଖୁଣୀ, ଲେକିନ୍ ଡକାୟତି ନୁହେଁ ଆଗେଜ ଡକାୟତି ହୋଇଥିଲେ ଲାସ ଦେହରେ ଅଳଙ୍କାର ଥାନ୍ତା ନାହିଁ । ଜମିଦାରଙ୍କ ହୁକୁମରେ ଦୁଇ ଜଣ ହାଡ଼ି ଲାସ୍ ଗୋଡ଼ରେ ଦଉଡ଼ି ଲଗାଇ ଘୋଷାରି ଘୋଷାରି ଆଣି ନଈ ଅତଡ଼ାରେ ପକାଈଲେ । ଘୋଷାରି ଆଣିବାବେଳେ ତାହାର ପାଟଶାଢ଼ୀ ଖଣ୍ତ ଲଙ୍ଗଳାକରି କାଢ଼ିନେବାରୁ ଲାସ୍‌ଟା ଆହୁରି ଭୟଙ୍କର ଦିଶିଲା । ସରକାରକୁ ଭେଜିବା ସକାଶେ ଲାସ ଦେହରୁ ଅଳଙ୍କାରସବୁ ବାହାର କରାଇ ଜମିଦାର ଥଳିରେ ରଖିଲେ, କେବଳ ଗୋଡର କଂସା ପାହୁଡ଼ ନ ବାହାରିବାରୁ ମେହନ୍ତରମାନେ ଲାସ୍‌ର ଦୁଇଗୋଡ଼ ଗୋଛି କୁରାଢ଼ୀରେ ହାଣୀ ପାହୁଢ଼ ବାହାର କରି ଘେନିଗଲେ ।

ତହିଁ ଆରଦିନ ପ୍ରାତଃକାଳରୁ ମକଦ୍ଦମା ତଦାରଖ ଆରମ୍ଭ ହେଲା, ଆଖପାଖ ପାଞ୍ଚଖଣ୍ତ ଗ୍ରାମରୁ ବରକନ୍ଦାଜ ଏବଂ ଚୌକିଦାରମାନେ ଯାଇ ଆସାମୀ ଗ୍ରେପ୍ତାରକରି ଆଣିଲେ । ଜମାଦାର ସାହେବ ବରଗଛମୂଳରେ ବସି ମକଦ୍ଦମା ତଦାରଖ କରିଅଛନ୍ତି, ତିନିଚାରିଶ ଆସାମୀ ଧରା ହୋଇ ଆସିଲେଣି ମାତ୍ର ସମସ୍ତେ ଜମା ହୋଇନାହାନ୍ତି, ତଦାରଖ ଉତ୍ତାରେ ରୋକସତ୍ ହୋଇଯାଉଛନ୍ତି । ଆସାମୀ ଧରା ହୋଇଆସିଲେ ତାକୁ ଲାସ୍ ନିକଟରେ ବସାଇ ରଖାଯାଏ, ଲାସଟା ଫୁଲି ଚାରିଗୁଣ ମୋଟା ହୋଇଗଲାଣି, ଜିଭଟା ଗୋଟିଏ ସାନ କଦଳୀ ଭଣ୍ତାପରି ଦିଶୁଛି, ଦୁର୍ଗନ୍ଧକଥା ଛାଡ଼ । ଉଲଙ୍ଗ ସ୍ତ୍ରୀ ମୂର୍ତ୍ତି ତ, ସତ, ଏହାର ଗୋଡ଼ ପାପୁଲି ନାହିଁ, ଚାଲୁଥିଲା କିପରି ? ଏଟା କି ରାକ୍ଷସୀ ? ଆସାମୀମାନଙ୍କୁ ବହୁତ ବେଳ ଯାଏ ଲାସ୍ ନିକଟରେ ବସିବାକୁ ହୁଏ, ଦୁର୍ଗନ୍ଧ ଏବଂ ତ୍ରାସରେ ଶୀଘ୍ର ଜମାଦାରଙ୍କ ନିକଟରେ ହାଜର ହୋଇଯିବାକୁ ହେଉଅଛି । ବରଗଛର ମୂଳରେ ଜମାଦାରଙ୍କ କଚେରୀ । ନଦୀ ବାଲିରେ ଦଶ ପନ୍ଦର ଗଣ୍ତା ଶାଗୁଣା ଏକାଧ୍ୟାନରେ ଅନାଇ ବସିଛନ୍ତି, କେତେଟା ଉଡ଼ି ଆସୁଛନ୍ତି, ଦଶପନ୍ଦର ଗୋଟା ବିଲୁଆ କୁକୁର ଜମା ହୋଇଗଲେଣି, ଚାରି ଛ’ଟା କୁକୁର ଗୋଟିଏ ଗୋଡ଼ର ପାପୁଲି ସକାଶେ କାମୁଡ଼ା କାମୁଡ଼ି ଲଗାଇଛନ୍ତି; କିଛି ଦୂରରେ ଆଉଗୋଟିଏ ଗୋଡ଼ ପାପୁଲିକୁ ସାତଟା ଶାଗୁଣା ଝିଙ୍କାଝଙ୍କି କରୁଥିଲେ, ଗୋଟିଏ ବିଲୁଆ ଆସି ସେମାନଙ୍କ ନିକଟରୁ ଛଡ଼ାଇ ଘେନିଗଲା, ଶାଗୁଣା ଗୁଡ଼ାକ ଅଳ୍ପ ଘୁଞ୍ଚିଯାଇ ଡେଣା ମେଲାଇ ବସିଅଛନ୍ତି । ଚାରିଜଣ ହାଡ଼ି ନାକରେ ଲୁଗା ବାନ୍ଧି ଠେଙ୍ଗା କାନ୍ଧରେ ପକାଇ କୁକୁର ଶାଗୁଣା ଘଉଡ଼ାଉଥାନ୍ତି । ଜମାଦାର ଅନେକ ଲୋକଙ୍କ ଇଜାହାର କଲମ ବନ୍ଦ କରି ପକାଇ ଦେଲେଣି ।

ଦୋକାନୀ ଗୋପୀସାହୁ ବୁଢ଼ା ଇଜାହାର ଦେଲା, “ଆଜ୍ଞା ମୋହର ତିନି କାଳଗଲାଣି, କାଳେ ଅଛି, ମୁଁ କି ଏବୟସରେ ମିଛ କହିବି ? ଆଜି ଏକାଦଶୀ, ଦାନ୍ତରେ ତିରଣ ଦେଇ ନାହିଁ, ଏହି ବିଷ୍ଣୁ ବୃକ୍ଷମୂଳରେ ସତ୍ୟ କହୁଛି, ମୁଁ ଏ ମାମଲା କଥା କିଛି ଜାଣେ ନାହିଁ, ଛ’ ମାସ ହେଲା ଘରେ ବାଧିକି ପଡ଼ିଛି, ଦୋକାନକୁ ଆସିନାହିଁ ।”

ନାଉରିଆ ଚାନ୍ଦିଆ ବେହେରା ଇଜାହାର ଦେଲା, “ବରଷା ଆଉ ତୋଫାନ ହେବାରୁ କେହି ନଈ ପାର ହେଉନାହାନ୍ତି, ସେ ଚାରିଦିନ ହେଲା ନଈକୂଳକୁ ଆସିନାହିଁ ।” ଏହିପରି ଗ୍ରାମର ଅନେକ ଲୋକଙ୍କଠାରୁ ଇଜାହାର ନିଆଗଲା ।

ବେଳ ବୁଡ଼ିଆସିଲାଣି, ଗ୍ରାମରେ ଆଉ କେହି ଲୋକନାହାନ୍ତି, ସମସ୍ତଙ୍କ ଠାରୁ ତଦାରଖି ସରିଲାଣି, ମକଦ୍ଦମା କାଲି ପର୍ଯ୍ୟନ୍ତ ରଖାଯିବ କି ଆଜି ଖତମ କରାଯିବ, ଜମାଦାର ବରକାନ୍ଦାଜ ଦୁଇଜଣବସି ବିଚାର କରୁଅଛନ୍ତି, ଏହିସମୟରେ ଗଛଡାଳରୁ ଗୋଟାଏ ଶଙ୍ଖଚିଲ ପୋଖରୀପାଣି କରିଦେବାରୁ ଜମାଦାରଙ୍କ ଦାଢ଼ିର ଅଧା ଅଧି ଧଳା ହୋଇଗଲା । ତୋବା ତୋବା କହି ଜମାଦାର ଉଠିପଡ଼ିଲେ । ଚିଲମାନଙ୍କୁ ଅନାଇ କମବକ୍ତ, ବେକୁବ୍, ହାରାମ୍‌ଜାଦା ବୋଲି କ୍ରୋଧରେ ଗାଳିଦେବାକୁ ଲାଗିଲେ । ଚୌକିଦାରମାନେ ମଧ୍ୟ ଗାଳିଦେଇ ଚିଲମାନଙ୍କୁ ଟେକାମାରିବାକୁ ଲାଗିଲେ । ଜମାଦାରଙ୍କ ଲମ୍ବାଦାଢ଼ି ପରିଷ୍କାର କରିବାକୁ ତିନି ବଦନା ପାଣି ଲାଗିଲା ।

ଜମାଦାର ମାମଲା ଖତମ୍ କରିବାକୁ ବସି ଲୋକମାନଙ୍କୁ କହିଲେ, “ଦେଖ ଏହି ଲୋକ କିଏ ଜଣା ନାହିଁ, ବୋଧ ହୁଏ ଯାତ୍ରୀ । ଏହାକୁ ଖୁଣୀ କରିନାହିଁ, ସାପକାଟି ।” ଗୋପୀସାହୁ ଦୋକାନୀ ଆଗକୁ ଆସି ସାକ୍ଷଦେଲା, “ଧର୍ମାବତାର, ଏଠାରେ ସାପର ଭାରି ଉପଦ୍ରବ, ନଈବଢ଼ିରେ କାହୁଁ ଭାସିଆସି ହଜାର ହଜାର ସାପ ଏଠି ଅଛନ୍ତି, ସାପ ଭୟରେ ଗ୍ରାମ ଭାଙ୍ଗିଗଲା, ମୁଁ କାଲି ଦୋକାନକୁ ଆସିଥିଲି, ଗୋଟାଏ ଲମ୍ବ କୋଳଥିଆ ନାଗ ବୁଲୁଥିଲା, ମୁଁ ଭୟରେ ପଳାଇଲି ।”

ଛାଟିଆମୁଟରୁ ମଳିକ କହିଲା, “ଧର୍ମାବତାର ! ଏଠେଇଁ ଅନେକ ସାପ, ମୁଁ ସେଦିନ ହଜୁରକୁ ଏଇବାଟେ ଯାଉଥିଲି, ଏହିଗଛମୂଳରେ ପନ୍ଦରଟା ନାଗସାପ ଶୋଇଥିଲେ, ମୁଁ ଦେଖି ପଳାଇଲି ।”

ଗତ ପରଦିନ ରାତ୍ରୀରେ ସ୍ତ୍ରୀ ଲୋକଟା ଘର ମଧ୍ୟରେ ଶୋଇଥିବା ସମୟରେ ଦୁଆରେ ଗୋଟାଏ ତମ୍ପସାପ ବୁଲୁଥିବା ବିଷୟରେ ମୁଗପୁର ମୌଜାର ଛାଟିଆ ଧପଟ ସିଂ ସାକ୍ଷ୍ୟ ଦେଲା ।

ଜମାଦାର ସମସ୍ତଙ୍କର ସାକ୍ଷ୍ୟ କଲମ ବନ୍ଦ କରି ଗୋଟିଏ ପଶ୍ଚିମା ଭିକାରୁଣୀ ଯାତ୍ରୀ ଗ୍ରାମର ଭିକ୍ଷା କରି ଖାଉଥିବା ଓ ତାହାକୁ ଗତ ପରଦିନ ରାତ୍ରିରେ ଗୋପାଳପୁର ମୌଜାରେ ସାପକାଟି ହୋଇଥିବା ଓ ଲାସ ଦେହରେ ସାପକାମୁଡ଼ା ଚିହ୍ନ ଜାହେର ଥିବା ଏବଂ ଏହାର ମୁତ୍ୟୁ ବିଷୟରେ ଅନ୍ୟ ପ୍ରକାର ସକ୍ କିମ୍ବା ଦାବିଦାବା ନ ଥିବା ଏକ ରିପୋର୍ଟ କେନ୍ଦ୍ରାପଡ଼ା ଥାନା ଦାରୋଗା ନିକଟକୁ ପଠାଇ ମାମଲା ଖତମ୍ କଲେ । ଦାରୋଗା ଏବଂ ମୁନ୍‌ସଙ୍କ ରୋସମ୍ ସହିତ ରିପୋର୍ଟ ପୁଲସ୍ ଥାନାକୁ ପଠାଗଲା । ଜମାଦାରଙ୍କ ହୁକୁମ ଅନୁସାରେ ଚାରି ଜଣ ହାଡ଼ି ଲାସ୍ ବେକରେ ଦଉଡ଼ି ଲଗାଇ ଭିଡ଼ି ଭିଡ଼ି ନେଇ ନଦୀରେ ଭସାଇଦେଲେ । ନାଉରି ଚାନ୍ଦିଆ ବେହେରା ଦେଖିଲା ଲାସ୍‌ଟା ନଦୀରେ ଭାସି ଯାଉଁ ଯାଉଁ ଯେଉଁଠାରେ ବାଟୋଇକୁ କୁମ୍ଭୀର ଧରିଥିଲା, ଠିକ୍ ସେହି ସ୍ଥାନରେ ତାକୁ ଗୋଟାଏ କୁମ୍ଭୀର ଧରି ଘେନିଗଲା । ଜମାଦାର ଡଙ୍ଗା ପାର ହେଉଁ ହେଉଁ ବରକନ୍ଦାଜ କହିଲା, “ଦେଖ, ଏଡ଼େ ମାମଲାଟାରେ ଦୁଇଶ ମଧ୍ୟ ପୂରା ହେଲା ନାହିଁ ।” “ବରକନ୍ଦାଜ କହିଲା, “ଖୋଦା ମାଲିକ, ଯୋ ହୁକୁମ ହୁଆ ।” ଗୋପୀ ସାହୁ ସେହିଦିନଠାରୁ ଆଉ ଦୋକାନକୁ ଯାଇନାହିଁ, କାର୍ତ୍ତିକ ତିନିଦିନିଆ ଲଗାଣରେ ଘର ପଡ଼ିଗଲା, ସେ ବାଟଟା ମଧ୍ୟ ପଡ଼ିଗଲା । ଚାନ୍ଦିଆ ବେହେରା ଅଧକୋଶେ ତଳକୁ ହରିପୁର ପାଖରେ ନାଆ ପକାଇଲାଣି । ରାତି ତ ରାତି, ଦିନରେ ମଧ୍ୟ ଭୟରେ ସେଠାକୁ କେହି ଯା’ନ୍ତି ନାହିଁ । ସେହି ବରଗଛରେ ଗୋଟାଏ ବଡ ପେତୁଣୀ ବସି ଡାଳ ଦୋହଲାଏ, ମଧ୍ୟ ସେହି ପେତୁଣୀଟା ଖରାବେଳେ ନଦୀ ବାଲି ଉଡ଼ାଇ ଖେଳୁଥିବାର ଅନେକ ଲୋକ ଦେଖିଲେଣି । ଗୋପାଳପୁର ତୋଠର ଆଉ ନାମ ନାହିଁ, ଲୋକେ କହନ୍ତି ପେତୁଣୀପଦା ।

Share. Facebook Twitter Pinterest LinkedIn Tumblr Reddit Email
Previous Articleକର୍ମଫଳ :
Next Article ମଙ୍ଗରାଜ ଘରର ହାଲଚାଲ :
ଫକୀର ମୋହନ ସେନାପତି

Related Posts

ଡାକମୁନ୍ସି

February 10, 2022

ଉପସଂହାର

November 26, 2018

ଅପୂର୍ବ ମିଳନ :

November 26, 2018

ବାବାଜୀ ଲଳିତା ଦାସ :

November 26, 2018

ମଙ୍ଗରାଜ ଘରର ହାଲଚାଲ :

November 26, 2018

କର୍ମଫଳ :

November 26, 2018
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.