ଜଣେ ସନ୍ନ୍ୟାସୀଙ୍କର ଜଣେ ବ୍ୟକ୍ତି ଶିଷ୍ୟ ହୋଇଥିଲା । ଶିଷ୍ୟର ଘର ବାଡ଼ି, ମା‘ ବାପ, ସ୍ତ୍ରୀ, ପୁତ୍ର ସମସ୍ତେ ଥିଲେ । ଦିନେ ଗୁରୁ ଶିଷ୍ୟକୁ ଉପଦେଶ ଦେଲେ, “କେବଳ ଈଶ୍ୱର ତୁମର ଆପଣାର, ଆଉ କେହି ତୁମର ଆପଣାର ନୁହନ୍ତି ।” ଶିଷ୍ୟ କହିଲା, “ମୋ‘ ମା‘, ମୋ ସ୍ତ୍ରୀ ମୋତେ କେଡେ଼ ଭଲ ପା‘ନ୍ତି, କେତେ ଆଦର କେତେ ସ୍ନେହ କରନ୍ତି, ମୋତେ କ୍ଷଣେ ନ ଦେଖିଲେ ସେମାନଙ୍କୁ ସବୁ ଅନ୍ଧାର ଦେଖାଯାଏ । ସେମାନେ କ‘ଣ ମୋ‘ର ଆପଣାର ନୁହନ୍ତି ?’
ଗୁରୁ କହିଲେ, “ସେ ତୁମର ମନର ଭୁଲ । ମୁଁ ତୁମକୁ ଦେଖାଇ ଦେବି, କେହି ତୁମର ଆପଣାର ନୁହନ୍ତି ।“
ସନ୍ନ୍ୟାସୀ ଗୋଟିଏ ଔଷଧର ବଟିକା ବାହାର କରି ଶିଷ୍ୟକୁ ଦେଲେ । କହିଲେ, ଏଇଟିକୁ ଖାଇ ଶୋଇଯିବ । ଏ ଔଷଧର ଗୁଣ ହେଉଚି, ଯେ ଖାଇବ, ସେ ମଲାପରି ଶୋଇଯିବ । ସମସ୍ତେ ମନେ କରିବେ ଲୋକଟି ହଠାତ୍ ମରିଗଲା । କିନ୍ତୁ ତୁମର ଜ୍ଞାନ ଥିବ ଓ ସବୁ କଥା ବୁଝି ପାରିବ । ତା‘ ପରେ ମୁଁ ଯିବି ।
ଶିଷ୍ୟଟି ସେଇ କଥା କଲା । ଘରକୁ ଯାଇ ଔଷଧ ଖାଇ ଶୋଇଗଲା । ତାକୁ ହଠାତ୍ ଆସି ଶୋଇ ପଡ଼ିବା ଦେଖି ସ୍ତ୍ରୀ ମନରେ ସନ୍ଦେହ ହେଲା । କିଛି ଦେହ ଖରାପ ହେଲା କି? ସେ ଯାଇ ପଚାରିଲା, “ଏପରି ଅବେଳରେ ଶୋଇ ପଡ଼ିଲ ଯେ, କ‘ଣ ହୋଇଚି ।“
କିନ୍ତୁ କିଛି ଉତ୍ତର ନାଇଁ । ସ୍ତ୍ରୀ ବଡ଼ ଚିନ୍ତିତ ହୋଇ ପଡ଼ିଲା । ସେ ଯାଇ ଦେଖିଲା ଯେ ସ୍ୱାମୀର ଦେହରେ ଜୀବନ ନାହିଁ । ତା‘ପରେ, “କ‘ଣ ହେଲା, ମୋର ସବୁ ସରିଗଲା” କହି କାନ୍ଦ ବୋବାଳି ପକାଇଲା । ତା‘ର କାନ୍ଦ ଶୁଣି ମା ଓ ଘରର ଅନ୍ୟାନ୍ୟ ଲୋକମାନେ ଦୌଡ଼ି ଆସିଲେ । ଲୋକଟି ମରି ଯାଇଚି ଦେଖି ସମସ୍ତେ ଚିତ୍କାର କରି କାନ୍ଦିବାକୁ ଲାଗିଲେ ।
ଏହି ସମୟରେ ଜଣେ ବୃଦ୍ଧ କବିରାଜ ସେଠାରେ ଆସି ପହଞ୍ଚିଲେ । ସେ କହିଲେ, “ତୁମେ ସବୁ କାନ୍ଦୁଚ କାହିଁକି? ତୁମର କ‘ଣ ହୋଇଚି?”
ଜଣେ କହିଲା, “ପୁଅଟି ମରିଗଲା ।“
“ତା‘ର କ‘ଣ ହୋଇଥିଲା?” କବିରାଜ ପଚାରିଲେ ।
“”କ‘ଣ ହୋଇଚି, ତା‘ କେହି ବୁଝି ପାରୁ ନାହାନ୍ତି । କୁଆଡେ଼ ଯାଇଥିଲା । ଏବେ ଘରକୁ ଆସି ହଠାତ୍ ଶୋଇ ପଡ଼ିଲା । କିଛି ଦେହ ଦୁଃଖ ନାହିଁ । ଡାକିଲେ ଉତ୍ତର ଦେଲା ନାହିଁ । ଆମର ସବୁ ସରିଗଲା ।
କବିରାଜ କହିଲେ, “”ମୁଁ ଟିକିଏ ଯାଇ ତାକୁ ଦେଖି ପାରେ କି?”
ସମସ୍ତେ ଆଗ୍ରହ ସହକାରେ କବିରାଜଙ୍କୁ ଶବ ପାଖକୁ ନେଇଗଲେ । କବିରାଜଙ୍କୁ ଦେଖି ସମସ୍ତଙ୍କ କାନ୍ଦଣା ବନ୍ଦ ହୋଇଗଲା । ମା‘ ଓ ସ୍ତ୍ରୀ ମଝିରେ ମଝିରେ ଟିକିଏ କାନ୍ଦୁ ଥା‘ନ୍ତି । କବିରାଜ କ‘ଣ କରୁଛନ୍ତି, ଦେଖୁଥା‘ନ୍ତି । ଶବ ପରୀକ୍ଷା କରି କବିରାଜ କହିଲେ, “କିଛି ଶୋଚନାର କାରଣ ନାହିଁ । ମୁଁ ଏହାକୁ ବଞ୍ଚାଇ ଦେବି । ମୋ‘ ପାଖରେ ଏ ରୋଗର ଅବ୍ୟର୍ଥ ମହୌଷଧ ଅଛି । ଖାଇବାକୁ ଦେଲେ ସାଙ୍ଗେ ସାଙ୍ଗେ ସେ ଉଠି ବସିବ ।“
ଏ କଥା ଶୁଣି ସମସ୍ତେ ଖୁସି ହୋଇଗଲେ । ମା‘ ଓ ସ୍ତ୍ରୀଙ୍କର କାନ୍ଦଣା ଏକାବେଳେ ବନ୍ଦ ହୋଇଗଲା । କବିରାଜ ଗୋଟିଏ ଔଷଧର ବଟିକା ବାହାର କରି କହିଲେ, “କିନ୍ତୁ ଗୋଟିଏ କଥା ଅଛି, ଜଣେ ଏହାକୁ ପ୍ରଥମେ ଖାଇବ । ତା‘ପରେ ରୋଗୀକୁ ଖାଇବାକୁ ଦିଆଯିବ । ଔଷଧର ଏହି ନିୟମ । ଯେ ତାକୁ ପ୍ରଥମେ ଖାଇବ, ସେ କିନ୍ତୁ ମରିଯିବ । ମୁଁ ଦେଖୁଚି, ଲୋକଟିର ବହୁ ଆତ୍ମୀୟ ସ୍ୱଜନ ଅଛନ୍ତି । ଖାଇବାକୁ ଜଣେ କେହି ବାହାରିବ ନାହିଁ!”
କବିରାଜଙ୍କ କଥା ଶୁଣି ସମସ୍ତେ ଚୁପ୍, କାହା ମୁହଁରୁ କଥା ବାହାରୁ ନାହିଁ । କେହି ଆଗେଇ ନ ଆସିବାର ଦେଖି କବିରାଜ କହିଲେ, “ଡେରି କର ନାହିଁ । ବେଶୀ ଡେରି ହେଲେ ଔଷଧର କିଛି ଫଳ ହେବ ନାହିଁ । କିଏ ଖାଇବ, ଶୀଘ୍ର ବାହାର ।“
ତେବେ ସୁଦ୍ଧା କେହି ଆସିବାର ନ ଦେଖି କବିରାଜ ମା‘ ପାଖକୁ ଯାଇ ତା‘ ହାତରେ ଔଷଧଟି ଦେଲେ । କବିରାଜ କହିଲେ, “ମା‘ ଆଉ କାନ୍ଦ ନାହିଁ । ଏ ଔଷଧଟି ଖାଇ ଦିଅ । ତା‘ହେଲେ ପୁଅ ତୁମର ଉଠି ବସିବ ।” ମା‘ ଔଷଧ ହାତରେ ଧରି ଭାବିବାକୁ ଲାଗିଲା । ଅନେକ ଭାବି କାନ୍ଦି କାନ୍ଦି କହିଲା, “ବାବା, ମୋ‘ର ଆଉ କେତୋଟି ପୁଅ, ଝିଅ ଅଛନ୍ତି । ଏତେ ବଡ଼ ସଂସାର । ମୁଁ ଚାଲିଗଲେ କ‘ଣ ହେବ, ସେଇ କଥା ଭାବୁଚି । ସେମାନଙ୍କର କିଏ ଦେଖା ଚାହାଁ କରିବ, କିଏ ତାଙ୍କର ଯତ୍ନ ନେବ, ସେଇ କଥା କେବଳ ଭାବୁଚି ।“
କବିରାଜ ସ୍ତ୍ରୀକୁ ଡାକି ଔଷଧ ଦେଲେ । ସ୍ତ୍ରୀ ଖୁବ୍ କାନ୍ଦୁଥିଲା । ସେ ତା‘ ହାତରେ ଔଷଧ ଧରି ଭାବିବାକୁ ଲାଗିଲା । କବିରାଜ କହିଲେ, “ଏ ଔଷଧଟି ଖାଇଦିଅ, ମା‘ ଲକ୍ଷ୍ମୀ । ଜୀବନ ନ ଦେଲେ ପରା ଲୋକଟି ବଞ୍ଚି ପାରିବ ନାହିଁ । ସ୍ୱାମୀର ସ୍ତ୍ରୀଠାରୁ ବଳି କିଏ ଆପଣାର ଅଛି?”
ସ୍ତ୍ରୀ ତା‘ପରେ କାନ୍ଦି କାନ୍ଦି କହିଲା “ମୁଁ କଣ କରିବି ? ୟାଙ୍କର ତ ଯାହା ହେବାର ହେଲାଣି । ମୋ‘ର ଛୋଟ ଛୋଟ ପିଲାଗୁଡ଼ିଏ । ସେମାନଙ୍କ କଥା କିଏ ବୁଝିବ ? ସେମାନେ ବଞ୍ଚିବେ କିପରି ? ମୁଁ କେମିତି ଏ ଔଷଧ ଖାଇବି ? ମୋ‘ କପାଳରେ ଯାହା ଲେଖା ହୋଇଚି, ତା‘ ଫଳିବ । ମୁଁ କି କରିବି ଲୋ ମା‘ ?”
କବିରାଜ ଅନ୍ୟ କେହି ନୁହନ୍ତି, ସ୍ୱୟଂ ଗୁରୁ । ଶିଷ୍ୟ ଶୋଇ ରହି ସବୁ କଥା ଶୁଣୁଥିଲା । ସେ ସଂସାର କ‘ଣ, କିଏ ତା‘ର ଆପଣାର ସବୁ ବୁଝି ପାରିଲା । ତତ୍କ୍ଷଣାତ୍ ସେ ଗୁରୁଙ୍କ ସାଙ୍ଗରେ ଚାଲିଗଲା । ଗୁରୁ କହିଲେ “ତୁମର ଆପଣାର କେବଳ ଜଣେ—ଈଶ୍ୱର ।“