• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»କୃଷ୍ଣାବତାର
ଗଳ୍ପ

କୃଷ୍ଣାବତାର

Liza SBy Liza SDecember 22, 2022No Comments8 Mins Read
Facebook Twitter Pinterest Reddit LinkedIn Tumblr Email
Odia-story-Krushnabatara
Odia-story-Krushnabatara
Share
Facebook Twitter Pinterest Reddit Email

ନାରଦ ଶ୍ରୀକୃଷ୍ଣଙ୍କୁ ରୁକ୍ମିଣୀଙ୍କ ବିଷୟରେ ସମସ୍ତ ସମ୍ବାଦ ଦେବା ପରେ ଶ୍ରୀକୃଷ୍ଣ କୁଣ୍ଡୀନ ନଗରୀକୁ ଯିବା ପାଇଁ ପ୍ରସ୍ତୁତ ହେଲେ । ସେ ତାଙ୍କର ଭାଇ ବଳରାମ, ସେନାପତି ସାତ୍ୟକି ଓ ଅନ୍ୟାନ୍ୟ ଯାଦବବୀର ମାନଙ୍କୁ ଡକାଇ କହିଲେ, “ଆପଣମାନେ ଶୁଣିଲେ ତ ନାରଦ ଯାହା କହିଗଲେ? ଯେ କୌଣସି ମତେ ଆମେମାନେ ସେଠାକୁ ଯାଇ ରୁକ୍ମିଣୀକୁ ଉଦ୍ଧାର କରିବା । ଜଣେ ନିଃସହାୟ ରାଜକୁମାରୀକୁ ତା’ର ଇଚ୍ଛା ବିରୁଦ୍ଧରେ ବିବାହ ଦିଆଯାଉଛି; ପୁଣି ସେ ତା’ ମନରେ ମୋତେହିଁ ବରଣ କରିଛି ଓ ମୋତେ ନ ପାଇଲେ ସେ ଆତ୍ମହତ୍ୟା କରିବ, ଏସବୁ ଶୁଣିବା ପରେ ମୁଁ କିପରି ସ୍ଥିର ରହିବି? ଅଧିକନ୍ତୁ ତାକୁ ରକ୍ଷା କରିବାକୁ ସେ ଅନୁରୋଧ କରି କହି ପଠାଇଛି । ଆହୁରି ମଧ୍ୟ ସମସ୍ତେ ଜାଣନ୍ତି ଯେ ସେ ଲକ୍ଷ୍ମୀ ଅଂଶରେ ଜନ୍ମ ହୋଇଛି । ତେଣୁ ସାଧାରଣ କୌଣସି ମଣିଷକୁ ସେ କେବେବି ବିବାହ କରିପାରିବ ନାହିଁ । ଏବେ ଯେତେ ଡେରି ହେବ ସେତେ ବିପଦ । ବିବାହ ପୂର୍ବରୁ ଯେମିତି ହେଲେ ମଧ୍ୟ ଆମମାନଙ୍କୁ ସେଠାରେ ପହଁଚିବାକୁ ହେବ । ସେନାପତିମାନେ ଯଥାଶୀଘ୍ର ସୈନ୍ୟ ସଜ୍ଜା କରନ୍ତୁ । ସାତ୍ୟକି ଯାଦବବୀରମାନଙ୍କ ଦ୍ୱାରା ପରିବେଷ୍ଟିତ ହୋଇ ସମ୍ମୁଖରେ ରହିବେ । ବଳରାମ ମଝିରେ ରହିବେ ଓ ଶେଷରେ ଉଗ୍ରସେନ ରହିବେ । ମୁଁ ସମସ୍ତ ଅସ୍ତ୍ରଶସ୍ତ୍ର ଦ୍ୱାରା ସଜ୍ଜିତ ହୋଇ ସମ୍ମୁଖ ଭାଗରେ ରହିବି ।”

ଅନତିବିଳମ୍ବେ ଶ୍ରୀକୃଷ୍ଣଙ୍କ ଆଦେଶ ଅନୁସାରେ ସୈନ୍ୟବାହିନୀ ଓ ଯାଦବବୀରମାନେ ପ୍ରସ୍ତୁତ ରହିଲେ । ଶୁଭସୂଚକ ବାଦ୍ୟ ସବୁ ବଜାଗଲା । ଶ୍ରୀକୃଷ୍ଣ ବୀର ବେଶରେ ସଜ୍ଜିତ ହୋଇ ରଥରେ ବସିଲେ । ତା’ପରେ ଯାତ୍ରା ଆରମ୍ଭ ହେଲା ।

ଶ୍ରୀକୃଷ୍ଣ ନାନା ପ୍ରକାର ଆୟୁଧରେ ସଜ୍ଜିତ ହୋଇ, ନାନା ପ୍ରକାର ବେଶ ଓ ଅଳଙ୍କାର ଧାରଣ କରି ରଥରେ ବସିଥାନ୍ତି । ଯଥା ସମୟରେ ବିରାଟ ସେନାବାହିନୀ ଓ ଯାଦବବୀରମାନଙ୍କ ସହିତ ଶ୍ରୀକୃଷ୍ଣ ଯାଇ ବିଦର୍ଭ ଦେଶରେ ପହଁଚିଲେ । ଶ୍ରୀକୃଷ୍ଣ ସୈନ୍ୟମାନଙ୍କୁ ଓ ସେନାପତିମାନଙ୍କୁ ଦୂରରେ ରଖି ସ୍ୱୟଂ ଅଳ୍ପ କେତେକ ସୈନ୍ୟ ସାଙ୍ଗରେ ଧରି କୁଣ୍ଡୀନ ନଗରୀରେ ଯାଇ ପହଁଚିଲେ । ଶ୍ରୀକୃଷ୍ଣଙ୍କୁ ଦେଖି ରୁକ୍ମିଣୀଙ୍କ ପିତା ଭୀଷ୍ମକ ତାଙ୍କ ଅନ୍ତର ମଧ୍ୟରେ ଅତ୍ୟନ୍ତ ଆନନ୍ଦିତ ହେଲେ । କିନ୍ତୁ ଅନ୍ୟମାନେ ଆଶ୍ଚର୍ଯ୍ୟ ହେଲେ କାରଣ ଶ୍ରୀକୃଷ୍ଣଙ୍କୁ ତ ବିବାହ ଉତ୍ସବ ପାଇଁ ନିମନ୍ତ୍ରଣ କରାଯାଇ ନଥିଲା! ପୁଣି ରାଜକନ୍ୟାଙ୍କର ବିବାହ, ପ୍ରଥା ଅନୁଯାୟୀ ସ୍ୱୟମ୍ବର ଦ୍ୱାରା ହୁଏ । କିନ୍ତୁ ଏଠାରେ ଅଭିଭାବକମାନଙ୍କ ଇଚ୍ଛାରେ ରୁକ୍ମିଣୀଙ୍କ ବିବାହ ହେଉଛି । ତେଣୁ ନିମନ୍ତ୍ରିତ ନ ହୋଇ ମଧ୍ୟ ଶ୍ରୀକୃଷ୍ଣ ଏଠାକୁ କିପରି ଆସିଲେ? କେହି କେହି କହିଲେ ଶିଶୁପାଳ ତ ଯେତେହେଲେ ବି ତାଙ୍କର ପିଉସୀ ପୁଅ ଭାଇ । ତେଣୁ ସେ ଆସିଛନ୍ତି । ପୁଣି କିଏ କହିଲା, “ନାଁ ଶିଶୁପାଳ ଓ ଜରାସନ୍ଧ ତ ଶ୍ରୀକୃଷ୍ଣଙ୍କ ନିଜର ଶତ୍ରୁ ପରି ଦେଖନ୍ତି । ତେଣୁ ସେ ଏଠାକୁ କିପରି ଆସିଛନ୍ତି?”

କିଏ ବା କହିଲା, “ରୁକ୍ମିଣୀଙ୍କ ବିବାହ ଅତି ସମାରୋହରେ ହେଉଛି । ତେଣୁ ଯାଦବମାନେ ଏ ସୁଯୋଗ ଛାଡି ନପାରି ଲୋଭଗ୍ରସ୍ତ ହୋଇ ଆସିଛନ୍ତି । ଏତେବଡ ଆନନ୍ଦ, ଉତ୍ସବ, ସମାରୋହ କେଉଁଠି ବା ଆଉ ଦେଖିବାକୁ ମିଳିବ?”

କିନ୍ତୁ ରୁକ୍ମିଣୀ ଯେତେବେଳେ ଶ୍ରୀକୃଷ୍ଣଙ୍କ ଆଗମନର ଖବର ପାଇଲେ ତାଙ୍କୁ ଲାଗିଲା ଗ୍ରୀଷ୍ମଋତୁରେ ତପ୍ତ ହୋଇଥିବା ପୃଥିବୀ ଉପରେ ଶୀତଳ ଜଳର ବର୍ଷା ପଡିଲା । ସେ ତାଙ୍କ ମନେ ମନେ ଭାବିଲେ, “ମୋର ଏ ଭୟଙ୍କର ଦୁର୍ଦ୍ଦିନରେ ଭଗବାନ୍ କୃଷ୍ଣଙ୍କୁ ଥରେ ଅନ୍ତତଃ ଦେଖିବି । ହୁଏତ ସେ ମୋର ଏ ଦୁଃଖପୂର୍ଣ୍ଣ ପରିସ୍ଥିତିକୁ ହୃଦୟଙ୍ଗମ କରି ମୋର ଉଦ୍ଧାର ପାଇଁ ଏଠାକୁ ଆସିଛନ୍ତି । ଯଦି ତାହା ହୋଇ ନଥାଏ ତେବେ ଜୀବନ ସାରା ଯାହା ନାମରେ ମୁଁ ମୋ ନିଜକୁ ସମର୍ପଣ କରିଛି ତାଙ୍କୁହିଁ ଥରେ ଆଖିରେ ଦେଖିବି ଓ ବିବାହ ବେଦୀକୁ ଯିବା ପୂର୍ବରୁ ପ୍ରାଣ ବିସର୍ଜନ ଦେବି । କାରଣ କୃଷ୍ଣାର୍ପିତ ଏ ମନ, ପ୍ରାଣ ନେଇ ମୁଁ ପୁଣି ଆଉ କାହାକୁ ଓ କିପରି ବା ବିବାହ କରିବି? ଯାହା ସେହି ଲୀଳାମୟଙ୍କ ଇଚ୍ଛା ।”
ଏଣେ ଶ୍ରୀକୃଷ୍ଣ ଚିନ୍ତା କରୁଥା’ନ୍ତି କିପରି ସୁଯୋଗ ଦେଖି ରୁକ୍ମିଣୀଙ୍କୁ ସେଠାରୁ ସେ ନେଇଯିବେ । ମନ ମଧ୍ୟରେ ସେ ନାନା କଳ୍ପନା ଜଳ୍ପନା କରୁଥା’ନ୍ତି । ସେହି କଳ୍ପନା ଭିତରେହିଁ ତାଙ୍କ ରାତି ପାହିଲା । କୁଣ୍ଡୀନ ନଗରୀ ନାନା ପ୍ରକାରର ଫୁଲ ତୋରଣରେ ସଜ୍ଜିତ । ସାରା ରାଜ୍ୟରେ ଆନନ୍ଦ ଉତ୍ସବ ଲାଗି ରହିଛି । କୃଷ୍ଣ ମଧ୍ୟ ଖୁବ୍ ସୁନ୍ଦର ବେଶଭୂଷା ପିନ୍ଧି ରଥରେ ଆରୋହଣ କରି ସେ ନଗରୀରେ ବୁଲୁଥାନ୍ତି । ନଗରୀର ପ୍ରଜାଗଣ ତାଙ୍କୁ ଦେଖି ଭାବୁଥାନ୍ତି, “ଆହା, ଏହି ସୁକୁମାର ରାଜକୁମାର ଯଦି ଆମ ରାଜକନ୍ୟା ରୁକ୍ମିଣୀଙ୍କୁ ବିବାହ କରିଥା’ନ୍ତେ, ତେବେ କି ସୁନ୍ଦର ନ ହୋଇଥା’ନ୍ତା!”

ସେଦିନ ପ୍ରାତଃକାଳରୁ ରୁକ୍ମିଣୀ ଉଠି ନିଜର ପ୍ରାତଃକୃତ୍ୟ ଶେଷ କରି ଗୌରୀ ପୂଜା ପାଇଁ ପ୍ରସ୍ତୁତ ହେଲେ । ସଖୀମାନେ ନାନା ପ୍ରକାର ସୁନ୍ଦର ଅଳଙ୍କାର ସବୁରେ କନ୍ୟାଙ୍କୁ ସଜ୍ଜିତ କରି ରାଜବଂଶର ପ୍ରଥା ଅନୁଯାୟୀ ନଗରୀ ବାହାରେ ଥିବା ଗୌରୀଦେବୀଙ୍କ ମନ୍ଦିରକୁ ନେଇଗଲେ ।ରାଜମହଲର ଅଯଥା ଆଡମ୍ବର ଓ ସାଜସଜ୍ଜା ଭିତରୁ ବାହାରି ଆସି ରୁକ୍ମିଣୀ ବାହାରେ ଟିକିଏ ନିଶ୍ୱାସ ମାରିଲେ । ଶ୍ରୀକୃଷ୍ଣଙ୍କ କଥା ଭାବି ଭାବି ସାରା ରାତି ବିତି ଯାଇଛି । ରାତି ଅନିଦ୍ରା ହେତୁ ତାଙ୍କ ଦେହ ଦୁର୍ବଳ ଲାଗୁଥାଏ । ମନ ଭିତରେ ସେହି ଗୋଟିଏ ଚିନ୍ତା, କିପରି ଥରେ କୃଷ୍ଣଙ୍କୁ ସେ ଦେଖିବେ । ପୁଣି ପର ମୁହୂର୍ତ୍ତରେ ଭାବନ୍ତି ଯଦି ତାଙ୍କ ପାଇଁ ଶ୍ରୀକୃଷ୍ଣଙ୍କୁ କଷ୍ଟ ସହିବାକୁ ପଡିବ ତେବେ ତାଙ୍କ ଜୀବନ ବୃଥା । କାରଣ ତାଙ୍କ ବିବାହ ପାଇଁ ଯେଉଁ ମହାବୀରଗଣ ଆସିଛନ୍ତି ସେମାନେ କ’ଣ କୃଷ୍ଣଙ୍କୁ ଏତେ ସହଜରେ ଛାଡିଦେବେ? ଏହିପରି ନାନା ଚିନ୍ତା ମଧ୍ୟରେ ବ୍ୟସ୍ତ ବିବ୍ରତ ହୋଇ ସେ ଦେବୀ ଗୌରୀଙ୍କ ମନ୍ଦିରରେ ଯାଇ ପହଁଚିଲେ ।

ମନ୍ଦିର ଭିତରେ ପ୍ରବେଶ କରି ସେ ପୂଜା ଆରମ୍ଭ କଲେ । ଆଜି ଯେପରି ଦେବୀ ଗୌରୀଙ୍କର ମୂର୍ତ୍ତି ତାଙ୍କ ଆଖିରେ ଭିନ୍ନ ଲାଗିଲା । ଦିବ୍ୟମାତା ଗୌରୀଙ୍କର ମହାନ୍ କୃପା ବଳରେ ସେ ନିଶ୍ଚୟ ଏ କଷ୍ଟରୁ ଉଦ୍ଧାର ହେବେ । ସେ ସର୍ବାନ୍ତଃକରଣରେ ଦେବୀ ଗୌରୀଙ୍କୁ ପ୍ରାର୍ଥନା କଲେ, “ମା, ମୁଁ ତୋତେ ପିଲାଟିଦିନରୁହିଁ ପୂଜା କରି ଆସିଛି । ତୁ ତୋର କୃପା କଣା ବିତରଣ କରିବାକୁ କେବେ ମଧ୍ୟ ପଶ୍ଚାତ୍ପଦ ହୋଇନାହୁଁ । ଆଜି ମୋ ଜୀବରେ ଏ ସଙ୍କଟ ସମୟରେ ମୋତେ ରକ୍ଷା କର । ଭଗବାନ୍ ଶ୍ରୀକୃଷ୍ଣଙ୍କ ବ୍ୟତୀତ ମୋର ଆଉ କେହି ମଧ୍ୟ ଯେପରି ସ୍ୱାମୀ ନ ହେଉ । ମୁଁ ମୋର ମନ ପ୍ରାଣ ଶରୀର ସବୁ ତାଙ୍କୁହିଁ ମନେ ମନେ ସମର୍ପଣ କରିଛି । ତୋର କୃପା ଥିଲେ ମା’ ମୁଁ ଶ୍ରୀକୃଷ୍ଣଙ୍କୁହିଁ ପତି ରୂପରେ ପାଇବି ।”ଏହିପରି ବହୁ ସମୟ ଧରି ରୁକ୍ମିଣୀ ଗୌରୀ ପୂଜା କଲେ । ତାଙ୍କର ମନେହେଲା ମା’ ଗୌରୀଙ୍କୁ ପ୍ରାର୍ଥନା କଲା ପରେ ସେ ଯେପରି କିଛି ଶକ୍ତି ପାଇଛନ୍ତି । ମନ ଭିତରୁ ଭୟ ଓ ଦୁଶ୍ଚିନ୍ତା ଦୂର ହେଲା । ସେ ଅନ୍ତର ଭିତରେ ଦୃଢ ହୋଇ ରହିଲେ । କିନ୍ତୁ ଶ୍ରୀକୃଷ୍ଣଙ୍କୁ ଦେଖିବା ପାଇଁ ମନ ତାଙ୍କର ବ୍ୟାକୁଳ ହୋଇ ଉଠିଲା ।

ଗୌରୀ ପୂଜା ସାରି ଦେବୀ ରୁକ୍ମିଣୀ ମନ୍ଦିରରୁ ବାହାରୁଥା’ନ୍ତି । ଶ୍ରୀକୃଷ୍ଣ ସେଇଠି ତାଙ୍କୁ ପ୍ରଥମ ଥର ଦେଖିଲେ । ମନେ ହେଲା ଯେପରି ଦେବୀ ଲକ୍ଷ୍ମୀ ସାଗର ମଧ୍ୟରୁ ସଦ୍ୟ ଉତ୍ଥିତା । କିମ୍ବା ଏପରି ମନେହେଲା ଯେ ହୁଏତ ବ୍ରହ୍ମା ତାଙ୍କ ସୃଷ୍ଟି ମଧ୍ୟରୁ ସମସ୍ତ ସୌନ୍ଦର୍ଯ୍ୟର ସୀମାରେଖା ରୁକ୍ମିଣୀଙ୍କଠାରେହିଁ ରଖିଛନ୍ତି ।

ରୁକ୍ମିଣୀଙ୍କୁ ତାଙ୍କ ସଖୀମାନେ କହିଦେଲେ ଯେ ସେ ହିଁ ଶ୍ରୀକୃଷ୍ଣ । ଶ୍ରୀକୃଷ୍ଣଙ୍କୁ ଚାହିଁ ସେ ଏତେ ତନ୍ମୟ ହୋଇଗଲେ ଯେ କ’ଣ କରିବେ କିଛିବି ବୁଝିପାରିଲେ ନାହିଁ । ଆଜିପର୍ଯ୍ୟନ୍ତ ଯାହାକୁ ସେ ତାଙ୍କ ମନରେ ରଖିଛନ୍ତି, ଧ୍ୟାନ ଓ ଚିନ୍ତନ କରିଛନ୍ତି, ସେ ତାଙ୍କ ମନର କଳ୍ପନା ଅପେକ୍ଷା ଶତଗୁଣ ସୁନ୍ଦର । ସମାଧିସ୍ଥ ଯୋଗୀପରି ତାଙ୍କର ବାହ୍ୟଜ୍ଞାନ ଲୋପ ପାଇଲା । ତାଙ୍କର ଏପରି ଅବସ୍ଥା ଦେଖି ସଖୀମାନେ ବଡ ବ୍ୟସ୍ତ ହୋଇ ପଡିଲେ ।

ଶ୍ରୀକୃଷ୍ଣ ଓ ବଳରାମ ତ ପୂର୍ବରୁ ପ୍ରସ୍ତୁତ ଥିଲେ । ଶ୍ରୀକୃଷ୍ଣ ରୁକ୍ମିଣୀକୁ ଉଠାଇ ଆଣି ନିଜ ରଥରେ ବସାଇ ଦେଲେ । ଜଗିଥିବା ସୈନିକମାନେ ସେମାନଙ୍କ ଆପତ୍ତି କରନ୍ତେ ବଳରାମ ଗଛ ସବୁ ଉପାଡି ପକାଇ ସେ ସୈନ୍ୟମାନଙ୍କୁ ପିଟି ଅସ୍ତବ୍ୟସ୍ତ କଲେ । ଏହାପରେ ସେମାନେ ଛତ୍ରଭଙ୍ଗ ଦେଇ ସେଠାରୁ ପଳାଇଲେ ।

ଏମାନଙ୍କ ପାଟିଗୋଳ ଶୁଣି ନଗରୀ ବାହାରେ ଥିବା ଯାଦବ ସୈନ୍ୟମାନେ ଓ ଯାଦବ ବୀରମାନେ ସେହି ସ୍ଥାନକୁ ଆସିଲେ । ସେମାନେ ଶ୍ରୀକୃଷ୍ଣଙ୍କୁ କହିଲେ, “ଆପଣ ରୁକ୍ମିଣୀଙ୍କୁ ନେଇ ଦ୍ୱାରକା ଯା’ନ୍ତୁ ଆମେ ଏଠାରେ ଯୁଦ୍ଧ କରି ଶତ୍ରୁପକ୍ଷର ପଥରୋଧ କରିବୁ ।”

ସୈନ୍ୟମାନେ ଯାଇ ରାଜାଙ୍କୁ ଖବର ଦେଲେ, ସେଠାରୁ ରୁକ୍ମ, ଶିଶୁପାଳ ଓ ଜରାସନ୍ଧ ଇତ୍ୟାଦି ବୀରମାନେ ଯାଇ ଯାଦବବୀରମାନଙ୍କ ସହିତ ଯୁଦ୍ଧ କଲେ । ସେମାନେ କୁହାକୁହି ହେଲେ, “ଆମମାନଙ୍କ ପରି ବୀର ଯୋଦ୍ଧାମାନେ ଥାଉ ଥାଉ ସେ ଗୋପାଳ ଟୋକା କିମିତି ଏ ସାହସ କଲା?”

ଜରାସନ୍ଧ ରାଗିଯାଇ କହିଲା, “ଆମର ଏତେ ବଡ ଯୋଜନାକୁ ମୁହୂର୍ତ୍ତକ ମଧ୍ୟରେ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିଦେଲା ଟୋକା ଖଣ୍ଡେ? ମୁଁ ଏବେ ତା’ର ପଛେ ପଛେ ଯାଇ ଦ୍ୱାରକା ଆକ୍ରମଣ କରି ତାକୁ ମାରିବି । ଯିଏ ମୋ ସହିତ ଆସିବାକୁ ଚାହଁ ଆସ । ସେ ତା’ର ଦୁର୍ଗ ସମୁଦ୍ର ମଧ୍ୟରେ କରିଛି । କିନ୍ତୁ ମୁଁ ତା’ର ସେ ଦୁର୍ଗକୁ ଧ୍ୱସ୍ତ ବିଧ୍ୱସ୍ତ କରି ରୁକ୍ମିଣୀକୁ ପୁଣି ଫେରାଇ ନେଇ ଆସିବି ।”

ଜରାସନ୍ଧର ଏହି କଥା ଶୁଣି ଶିଶୁପାଳ କହିଲା, “ଆପଣମାନେ ରହନ୍ତୁ, ମୁଁ ଯାଏ । ମୁଁ ତ ଅପମାନିତ ହୋଇଛି । ମହା ଉତ୍ସାହରେ ବିବାହ କରିବାକୁ ଆସି ଏପରି ଏକ ଦୁର୍ଦ୍ଦଶା ଘଟିଲା । ଶ୍ରୀକୃଷ୍ଣ ଯେତେ ଯାହା ଅତ୍ୟାଚାର ଓ ଅନାଚାର କରୁଛି । ସେସବୁକୁ ଆଉ ସହ୍ୟ କରାଯିବ ନାହିଁ । ଏବେ ମୋତେ ଛାଡିଦିଅ ମୁଁ ଯାଇ ସେହି ଧୂର୍ତ୍ତ କୃଷ୍ଣ ସହିତ ଯୁଦ୍ଧ କରିବି ଓ ତାକୁ ଉଚିତ୍ ଶାସ୍ତି ଦେବି ।”

ଏହିପରି ନାନା ପ୍ରକାର ଉତ୍ତେଜକ ବାଣୀ ସବୁ କହି କହି ସେମାନେ ଯାଦବବୀରଙ୍କ ସହ ଯୁଦ୍ଧ କଲେ । ଘମାଘୋଟ ଯୁଦ୍ଧ ଲାଗିଗଲା । ଯାଦବବୀରମାନେ ସାତ୍ୟକି ଓ ବଳରାମଙ୍କୁ ନେଇ ସତ୍ରୁପକ୍ଷ ସହିତ ଲଢିଲେ । କେହି କାହାକୁ କମ୍ ନୁହଁନ୍ତି ବିଶେଷତଃ ପୃଥିବୀର ଯେତେବଡ ବୀର ହେଉନା କାହିଁକି ବଳରାମଙ୍କ ହଳକୁ ସାମ୍ନା କରିବା ତା’ ପକ୍ଷରେ ଦୁଃସାଧ୍ୟ । କେଉଁଠି ଗଦା ଯୁଦ୍ଧ ତ, କେଉଁଠି ତରବାରୀରେ ଯୁଦ୍ଧ, କେଉଁଠି ବା ହାତାହାତି ଯୁଦ୍ଧ । ଅନେକ ସମୟ ଧରି ଭୀଷଣ ଯୁଦ୍ଧ ହେଲା । ଏଣେ ଏପରି ଭୟଙ୍କର ଯୁଦ୍ଧ ଚାଲିଥିବା ବେଳେ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ତାଙ୍କ ରଥରେ ବସାଇ ଦୂରକୁ ଦୂରକୁ ଚାଲି ଯାଉଥିଲେ । ସେଥିରେ ତାଙ୍କୁ ବାଧା ଦେବାକୁ କେହିବି ନଥିଲେ ।

ଇତିମଧ୍ୟରେ ଜଣେ ଗୁପ୍ତଚର ଯାଇ ରୁକ୍ମକୁ କହିଲା, “ଯୁବରାଜ, ଆମ ରାଜକୁମାରୀଙ୍କୁ ଯେଉଁ ରାଜପୁତ୍ର ନେଇ ଚାଲିଗଲେ ତାଙ୍କୁ ତ ଆଉ ଯୁଦ୍ଧରେ ପାଇବା ନାହିଁ! ଯୁଦ୍ଧ ତ ତାଙ୍କ ସୈନ୍ୟମାନଙ୍କ ସହିତ ହେଉଛି । ରାଜକୁମାରୀ ଏହି ସମୟ ମଧ୍ୟରେ ବହୁ ଦୂରକୁ ଚାଲିଗଲେଣି । ଏଣେ ବୃଥାରେ ଯୁଦ୍ଧ କରି କରି ଦୁଇପକ୍ଷର ସୈନ୍ୟମାନେ ଅନ୍ୟଥା ପ୍ରାଣ ଦେଉଛନ୍ତି ।”

ଏଣେ ରୁକ୍ମ ଏ ଖବର ପାଇ ତା’ର ସୈନ୍ୟ ଧରି ଯୁଦ୍ଧକ୍ଷେତ୍ରକୁ ଗଲା । ସେ ଘୋଷଣା କରି କହିଲା, “ସେ କୃଷ୍ଣ ଆମକୁ ଏତେ ବଡ ଅପମାନ ଦେଲା, ମୁଁ ତାକୁ ନ ମାରିଲେ ଆଉ ରାଜଧାନୀକୁ ଫେରିବି ନାହିଁ ।” ଏସବୁ ଗୋଳମାଳ ମଧ୍ୟରେ ରାଜା ଭୀଷ୍ମକ କିନ୍ତୁ ମନେ ମନେ ଖୁବ୍ ଖୁସି ଯଦିଓ ବାହାରେ ତାହା ସେ କାହାରିକୁ ମଧ୍ୟ ଦେଖାଉ ନଥାନ୍ତି ଏ ପରିସ୍ଥିତିରେ ସମସ୍ତେ ଯୁଦ୍ଧକୁ ଚାଲିଯିବା ପରେ ରାଜା ଭୀଷ୍ମକ ଭଗବାନ୍ଙ୍କୁ ମନେ ମନେ ପ୍ରାର୍ଥନା କରି କହିଲେ, “ପ୍ରଭୁ, ମୁଁ ଜାଣିଥିଲି ଯେ ମୋ ଝିଅ କୃଷ୍ଣଙ୍କୁ ପାଇନଥିଲେ ମୁଁ ଆଉ ତାକୁ ଜୀବିତ ପାଇ ନଥା’ନ୍ତି । ମୋ ଝିଅ ରୁକ୍ମିଣୀ ପାଇଁ ମୋ ମନ ଭିତରେ ମୁଁ ଶ୍ରୀକୃଷ୍ଣଙ୍କ ବ୍ୟତୀତ ଆଉ କାହାକୁ ମୋଟେ ଆଣିନାହିଁ । ପ୍ରଭୁ ତମରି କଳା ନେଇ ତମରି କୃପାରୁ ମୋ ଝିଅର ଜନ୍ମ । ତା’ର ସେ ଜନ୍ମ ସାର୍ଥକ ହେଉ । ସେମାନଙ୍କ ଯାତ୍ରା ଶୁଭ ହେଉ । ତଥା ସେମାନଙ୍କ ବୈବାହିକ ଜୀବନ ସଫଳ ହେଉ ।”

ରୁକ୍ମ ଖୁବ୍ ଜୋର୍ରେ ରଥ ଚଳାଇ ଶ୍ରୀକୃଷ୍ଣଙ୍କ ରଥ ନିକଟରେ ଯାଇ ପହଁଚିଲା ଓ ତାଙ୍କୁ କହିଲା, “ରେ ପାପୀ, ଅନ୍ୟର ବାଗ୍ଦତା ପତ୍ନୀକୁ ଅପହରଣ କରିନେଉଛୁ? ଏହା କ’ଣ ଜଣେ ବୀରପୁରୁଷ ପକ୍ଷରେ ଶୋଭା ଦିଶୁଛି । ନିଜ ପ୍ରାଣ ପ୍ରତି ତୋର ଯଦି ଟିକେବି ମମତା ଥାଏ ତେବେ ରୁକ୍ମିଣୀକୁ ଛାଡିଦେ । ନହେଲେ ଯୁଦ୍ଧ କରିବାକୁ ବାହାରି ଆସ ।”

ଶ୍ରୀକୃଷ୍ଣ ରଥରେ ବସି ରହି ଧନୁଧରି ରୁକ୍ମ ଉପରେ ବାଣ ଛାଡିଲେ । ତଦ୍ୱାରା ରୁକ୍ମ ଅଚେତ୍ ହୋଇ ପଡିଲା । ଅନ୍ୟ କେତେକ ମିତ୍ର ରାଜା ଆସି ତାକୁ ସଚେତ୍ କରାଇଲେ ଓ ସମସ୍ତେ ମିଶି ଶ୍ରୀକୃଷ୍ଣଙ୍କ ସହିତ ଯୁଦ୍ଧ କଲେ । ଶ୍ରୀକୃଷ୍ଣଙ୍କ ବାଣରେ ରୁକ୍ମର ରଥ ଭାଙ୍ଗିଗଲା ଓ ସାରଥି ବି ମରିଗଲା । ତା’ପରେ ସେ ନିଜେ ପୁଣି ବାଣ ମାଡରେ ବେହୋସ ହୋଇଗଲା । ସେତେବେଳେ ରୁକ୍ମିଣୀ ଶ୍ରୀକୃଷ୍ଣଙ୍କୁ ତାଙ୍କ ଭାଇଙ୍କର ଜୀବନଦାନ ଦେବାକୁ ଅନୁରୋଧ କଲେ । ଶ୍ରୀକୃଷ୍ଣ ସେହିଠାରେ ଯୁଦ୍ଧ ବନ୍ଦ କଲେ । ସେତେବେଳକୁ ଅଚେତ୍ ରୁକ୍ମକୁ ନେଇ ଅନ୍ୟମାନେ ଛତ୍ରଭଙ୍ଗ ଦେଲେଣି । ଶ୍ରୀକୃଷ୍ଣ ଓ ରୁକ୍ମିଣୀ ଦ୍ୱାରକା ଆଡକୁ ତୀବ୍ର ଗତିରେ ଆଗେଇଲେ ।

ଏସବୁ ବିବାହ ବିଭ୍ରାଟ ନଗରୀର ଲୋକେ ତଟସ୍ଥ ହୋଇ ଦେଖୁଥା’ନ୍ତି । ଯେପରି ଭାବରେ ରୁକ୍ମିଣୀ ଶ୍ରୀକୃଷ୍ଣଙ୍କ ସହ ରଥାଋଢା ହୋଇ ସମସ୍ତ କଟକଣା ଲଙ୍ଘନ କରି ପଳାଇଗଲେ, ଯେପରି ଭାବରେ ଯାଦବ ବୀରମାନେ ତୁମୁଳ ଯୁଦ୍ଧ କରି ଶିଶୁପାଳ ଓ ରୁକ୍ମଙ୍କ ପକ୍ଷର ସୈନ୍ୟମାନଙ୍କର ପ୍ରତିରୋଧ କଲେ ଓ ସେମାନଙ୍କୁ ଶ୍ରୀକୃଷ୍ଣଙ୍କ ରଥର ଅନୁଧାବନ କରିବାକୁ ଦେଲେ ନାହିଁ, ସେସବୁ ସେମାନଙ୍କୁ ନାଟକୀୟ ଲାଗୁଥାଏ । ସେମାନେ ମନେ ମନେ ଶ୍ରୀକୃଷ୍ଣ ଓ ରୁକ୍ମିଣୀଙ୍କ ଜୟଗାନ କରୁଥାନ୍ତି ।କ୍ରମେ କୋଳାହଳ ଶାନ୍ତ ହୋଇ ଆସିଲା । ନଗରୀବାସୀମାନେ ବୁଝିଲେ, ରୁକ୍ମିଣୀ ନିରାପଦରେ ଦ୍ୱାରକାରେ ଯାଇ ପହଁଚିଛନ୍ତି ।

Newc Odia Story Odia New story Odia Story Krushnabatara
Share. Facebook Twitter Pinterest LinkedIn Tumblr Reddit Email
Previous Articleମହାରାଜାଙ୍କ କଳା
Next Article ଯଥାର୍ଥ ଚିକିତ୍ସା
Liza S

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.