ଯମୁନା ତଟରେ ଗୋପପୁର ନାମରେ ଗ୍ରାମଟିଏ ଥିଲା, ଏହା ପ୍ରାକୃତିକ ସମ୍ପଦରେ ସମୃଦ୍ଧିଶାଳୀ ଥିଲା । ଗୋପପୁରର ଅଧିକାଂଶ ବାସିନ୍ଦା ଗୋପାଳ ଥିଲେ । ଗୋପାଳନ ସେମାନଙ୍କର ଜୀବିକା ନିର୍ବାହର ପନ୍ଥା ଥିଲା । ନନ୍ଦ ସେମାନଙ୍କର ରାଜା ଥିଲେ । ରୋହିଣୀ ଓ ଯଶୋଦାଙ୍କ କୋଳରେ ରାମ ଓ କୃଷ୍ଣ ଚନ୍ଦ୍ରକଳା ପରି ବଢିବାକୁ ଲାଗିଲେ । କୃଷ୍ଣଙ୍କର ବୟସ ମାତ୍ର କେତେ ଦିନ । ମାସଟିଏ ବି ହୋଇ ନାହିଁ । କିନ୍ତୁ ତାଙ୍କର ଦିବ୍ୟ ସୌନ୍ଦର୍ଯ୍ୟରେ ଆବାଳବୃଦ୍ଧବନିତା ଆକୃଷ୍ଟ ହୋଇ ଦେଖିବାକୁ ଆସନ୍ତି । ଠିକ୍ ଏହି ସମୟରେ କଂସ ପୁତନାକୁ ପଠାଇଲା । ରାକ୍ଷସୀ ପୁତନାକୁ ଶିଶୁମାନଙ୍କୁ କ୍ଷୀରପାନ କରାଇ ସେଥିରେ ବିଷଦେଇ ହତ୍ୟା କରିବାର କାମ ଦିଆଯାଇଥାଏ । ପୁତନା ଏକ ନିର୍ଦ୍ଦୟ ରାକ୍ଷସୀ ଥିଲା ।
ନବଜାତ ଶିଶୁମାନଙ୍କୁ ଖୋଜି ଖୋଜି ପୁତନା ମାରିଲା । ଦେଖିବାକୁ ସେ ଅତ୍ୟନ୍ତ ବିକୃତ ଓ ବିଶାଳ । କିନ୍ତୁ ରାକ୍ଷସୀ ତା’ ମାୟାରେ ସେ ନିଜକୁ ଏକ ସୁନ୍ଦରୀ ଯୁବତୀରେ ରୂପାନ୍ତରିତ କଲା । ନାନା ଗ୍ରାମ ଓ ଜନପଦ ସବୁ ବୁଲି ବୁଲି ସେ ଶିଶୁମାନଙ୍କୁ ବିଷଦୁଗ୍ଧ ପାନ କରାଇ ମାରିଲା । ଅବଶେଷରେ ସେ ଗୋପପୁରରେ ନନ୍ଦରାଣୀ ଯଶୋଦାଙ୍କ ନିକଟରେ ଯାଇ ପହଁଚିଲା । ଯଶୋଦାଙ୍କ କୋଳରେ ଶିଶୁ କୃଷ୍ଣଙ୍କୁ ଦେଖି ସେ ଆଗ କିଛି ସମୟ ପାଇଁ ସ୍ତମ୍ଭିତ ହୋଇ ଠିଆ ହେଲା । ଭାବିଲା, “ଏ ତ ସାଧାରଣ ଶିଶୁ ନୁହେଁ । ସମସ୍ତିଙ୍କଠାରୁ ଭିନ୍ନ ଏହି ଶିଶୁ ନିଶ୍ଚୟ କଂସର ଶତୃ । ତାକୁ ମାଇଲେହିଁ ମୋର ଅଭିଷ୍ଟ ସିଦ୍ଧି ହେବ ।” ହାୟ ଯେଉଁ ଦିବ୍ୟ ଶିଶୁର ମଧୁର ସୌନ୍ଦର୍ଯ୍ୟ ସମସ୍ତଙ୍କୁ ମୁଗ୍ଧ କରି ଆକର୍ଷିତ କରୁଥିଲା ସେହି ଶିଶୁକୁ ହତ୍ୟା କରିବାର ଅଭିପ୍ରାୟ ନେଇହିଁ ପୁତନା ସେଠାକୁ ଆକର୍ଷିତ ହୋଇ ଆସିଲା । ମୁହଁରେ କପଟ ହସ ହସି ସେ ଆସି ଯଶୋଦାଙ୍କୁ କହିଲା, “ଦେଖ, ମୋର ଅଧିକ ଦୁଗ୍ଧ ହେବାରୁ ମୋ ପିଲା ଖାଇପାରୁନାହିଁ ତମର ନୂଆ ଜନ୍ମିଥିବା ଛୁଆଟି ଆହା କି ପତଳା ହୋଇଛି । ଦିଅ ମୁଁ ତାକୁ ଟିକେ ଦୁଗ୍ଧ ପାନ କରାଇବି ।”
ଯଶୋଦା ରାକ୍ଷସୀ ପୁତନାର କପଟ କଥାରେ ଭଳିଗଲେ । ସେ ଭାବିଲେ, “ଏତେ ସ୍ୱାସ୍ଥ୍ୟବତୀ ଜଣେ ନାରୀଠାରୁ କ୍ଷୀରପାନ କଲେ ମୋ ପୁଅର ସ୍ୱାସ୍ଥ୍ୟ କାଳେ ଭଲ ହୋଇଯିବ । ଆହା ମୋ ଶିଶୁର କି ଭାଗ୍ୟ ।” ଏକଥା ଭାବି ସେ ମହା ଆନନ୍ଦରେ ଶିଶୁକୁ ପୁତନା ହାତକୁ ବଢାଇ ଦେଲେ । ଶିଶୁର ମଙ୍ଗଳ ହେବା ଆଶାରେ ସେ ଏ କାମ କଲେ । ସେତେବେଳେ ସେ କ’ଣ ବୁଝିପାରିଥିଲେ କି ଏହି ଛଳନାମୟୀ ନିର୍ଦ୍ଦୟା ରାକ୍ଷସୀର କଥା ।ପୁତନା ତ ଆଗରୁ ବିଷ ପ୍ରୟୋଗ କରି ରଖିଥିଲା । ତେଣୁ ମନ ଆନନ୍ଦରେ କୃଷ୍ଣୁଙ୍କୁ ନେଇ ସେ ଦୁଗ୍ଧ ପାନ କରାଇଲା । କିନ୍ତୁ ଏ କ’ଣ? କ୍ଷଣକ ମଧ୍ୟରେ ସେ ଆନନ୍ଦ ତା’ର କ୍ରମେ ଅଧିକରୁ ଅଧିକତର ଯନ୍ତ୍ରଣାରେ ପରିଣତ ହେଲା । ଶିଶୁ କୃଷ୍ଣ ଦୁଗ୍ଧପାନ କରୁ କରୁ ପୁତନାର ପଂଚପ୍ରାଣ ଶୋଷଣ କରିବାକୁ ଲାଗିଲେ । ପୁତନାର ଯନ୍ତ୍ରଣା ଅଧିକରୁ ଅଧିକତର ହେଲା ଓ ତା’ର ଚିତ୍କାର ବିକଟରୁ ବିକଟତର ହେଲା । ଭୟଙ୍କର ଶବ୍ଦ ସହିତ ତା’ର ରାକ୍ଷସୀ ରୂପ ମଧ୍ୟ ପ୍ରକଟିତ ହେଲା । ସେ ସେହି ବିଭତ୍ସ ରାକ୍ଷସୀ ରୂପ ପ୍ରକଟ କରି ତଳେ ପଡିଗଲା । ସତେ ଅବା ଏକସଙ୍ଗେ ବଜ୍ରପାତ ଓ ଭୂମିକମ୍ପ ହେଲା । ସେହିଠାରେହିଁ ତା’ ଜୀବନର ଇତି ହୋଇଗଲା ।
ତା’ର ସେ ଶବ୍ଦରେ ସାରା ଗୋପପୁର କମ୍ପି ଉଠିଲା । ସମସ୍ତେ ଯିଏ ଯାହାର କାମ ଛାଡି ଆସି ସେହି ସ୍ଥାନରେ ଏକତ୍ରିତ ହେଲେ । ସମସ୍ତଙ୍କ ମୁହଁରେ ସେହି ଗୋଟିଏ ପ୍ରଶ୍ନ, “ଶିଶୁ କୃଷ୍ଣ କାହିଁ?”କିଛି ସମୟ ପରେ ସମସ୍ତେ କୃଷ୍ଣଙ୍କୁ ଖୋଜି ଖୋଜି ଯାଇ ପୁତନା ପାଖରେ ପହଁଚି ଦେଖିଲେ ରାକ୍ଷସୀ ମରି ପଡିଅଛି ଓ ତା’ର ଛାତି ଉପରେ ଶିଶୁ କୃଷ୍ଣ ବସିଛନ୍ତି । ଏହାଦେଖି ଯଶୋଦା ଭୟରେ ଶିହରି ଉଠିଲେ ଓ ତତ୍କ୍ଷଣାତ୍ କୃଷ୍ଣଙ୍କୁ ନିଜ କୋଳକୁ ନେଲେ । ନନ୍ଦ ଓ ଅନ୍ୟ ଗୋପବାସୀଗଣ ମଧ୍ୟ ସେଠାରେ ପହଁଚି ଏଭଳି ଅଲୌକିକ ଘଟଣା ଦେଖିଲେ । ଶିଶୁଟି ବଂଚି ଯାଇଛି ବୋଲି ସେମାନେ ବହୁ ପ୍ରକାର ପୂଜା, ଯଜ୍ଞ ଆଦି କରି ଭଗବାନ୍ଙ୍କ ପାଖରେ ଅନେକ ଅନେକ କୃତଜ୍ଞତା ଜଣାଇଲେ । ସମସ୍ତେ ମିଶି ଶିଶୁ କୃଷ୍ଣଙ୍କର ଦୀର୍ଘ ଜୀବନ କାମନା କରି ତାକୁ ଆଶିର୍ବାଦ ଦେଲେ ।ବସୁଦେବ ତ ନିଜ ପୁତ୍ରମାନଙ୍କ କଥା ସଦାବେଳେ ଭାବୁଥା’ନ୍ତି । କିନ୍ତୁ ମୁହଁ ଖୋଲି ସେ କେବେବି କାହାକୁ କିଛି କହନ୍ତି ନାହିଁ । ଏସବୁ ସେ ଗୋପନରେ କରୁଥା’ନ୍ତି । କାରଣ କଂସ ଜାଣିଲେ ସର୍ବନାଶ ।
ବସୁଦେବ ଭାବୁଥା’ନ୍ତି ବଳରାମ, କୃଷ୍ଣ ଏଦୁହେଁ ତ ରାଜପୁତ୍ର । ଏପର୍ଯ୍ୟନ୍ତ ସେମାନଙ୍କର ଜନ୍ମ ପରେ ବିଧିମତ ସଂସ୍କାର ଆଦି ହୋଇନାହିଁ । ସେମାନଙ୍କର ଜାତକ, ନାମକରଣ ଓ ଅନ୍ୟାନ୍ୟ ପୂଜାବିଧି କିଛିବି କରାଯାଇ ନାହିଁ । ସେସବୁ କହିବା ପାଇଁ ସେ ଗର୍ଗ ଋଷିଙ୍କ ପାଖରେ ଯାଇ ପହଁଚିଲେ । ଗର୍ଗ ଋଷିଙ୍କୁ ସେ ଅନୁରୋଧ କରି କହିଲେ, “ମହାଶୟ, ଆପଣ ଏ କାମଟି ନ କଲେ ଆଉ କିଏ ବା କରିବ? ପିଲା ଦୁଇଟି ଆଜି ରାଜଭବନରେ ଥାଇ କେତେ ଐଶ୍ୱର୍ଯ୍ୟ ମଧ୍ୟରେ କାଳ କାଟୁଥାନ୍ତେ । କିନ୍ତୁ ବିଧିର ବ୍ୟବସ୍ଥା ଅନ୍ୟ ପ୍ରକାର । ଭାଗ୍ୟର ଏ କି ବିଡମ୍ବନା । ଏବେ ପର୍ଯ୍ୟନ୍ତ ଦୁଇ ପୁଅଙ୍କର ଜାତକ, ନାମକରଣ ଓ ପୂଜାଯଜ୍ଞ ଏସବୁ କିଛି ହୋଇନାହିଁ । ଆପଣ ଯଦି ଦୟାକରି ଏ କାର୍ଯ୍ୟଟି କରନ୍ତେ ତେବେ ମୁଁ ମୋ ନିଜକୁ ଧନ୍ୟ ମନେ କରିବି । ଏସବୁ ବିଷୟରେ ଯେପରି ଅନ୍ୟ କେହି ହେଲେ ବିନ୍ଦୁ ବିସର୍ଗ ବି ନ ଜାଣେ । ସେ ବିଶ୍ୱାସ ମୋର କେବଳ ଆପଣଙ୍କ ଉପରେହିଁ ଅଛି ।”
ଗର୍ଗ ଋଷି ତ ସେହି ସୁଯୋଗ ଅପେକ୍ଷାରେ ଥିଲେ । ତେଣୁ ସେ ଅତ୍ୟନ୍ତ ଆନନ୍ଦର ସହିତ ଏହି ପ୍ରସ୍ତାବରେ ନିଜର ସମ୍ମତି ପ୍ରଦାନ କଲେ । ଗର୍ଗ ଋଷି ତ ନିଜର ତପସ୍ୟା ବଳରେ ଜାଣିପାରିଥିଲେ ଯେ ସ୍ୱୟଂ ଭଗବାନ କୃଷ୍ଣ ରୂପରେ ଜନ୍ମ ନେଇଛନ୍ତି । ଭଗବାନ୍ଙ୍କର ଦର୍ଶନ କରିବା କେତେ ଲୋକଙ୍କ ଭାଗ୍ୟରେ ବା ଯୁଟେ । ପୁଣି ସେ ଯାଇ ଭଗବାନଙ୍କୁ ଶିଶୁ ରୂପରେ ଦେଖିବେ ଓ ତାଙ୍କରି କାମ କରିବେ । ପ୍ରଭୁଙ୍କ ଅସୀମ କୃପା ଜାଣି ସେ ତାଙ୍କ ମନେ ମନେ ଅତ୍ୟନ୍ତ ଆନନ୍ଦିତ ହୋଇ ଗୋପପୁରକୁ ଗଲେ । ସେଠାରେ ସେ ଶିଶୁ କୃଷ୍ଣ ଓ ବଳରାମଙ୍କର ନାମକରଣ କଲେ ଓ ସେମାନଙ୍କ ଲାଗି ଜାତକ ବି ପ୍ରସ୍ତୁତ କଲେ । ଏହିପରି ପରୋକ୍ଷ ଭାବରେ ଓ ଗୋପନରେ ବସୁଦେବ ତାଙ୍କ ପୁତ୍ର ଦୁହିଁଙ୍କର ଯତ୍ନ ନେଉଥା’ନ୍ତି । ନନ୍ଦ ମଧ୍ୟ କୃଷ୍ଣଙ୍କର ମଙ୍ଗଳ ପାଇଁ ଅନେକ ବ୍ରାହ୍ମଣ ଭୋଜନ ଓ ଦାନ ଧର୍ମ କରାଇଲେ । ଗୋପୀ ଗୋପାଳମାନେ ଏହି ଅଲୌକିକ ଶକ୍ତିସମ୍ପନ୍ନ ଦିବ୍ୟ ଶିଶୁକୁ ପାଇ ଖୁବ୍ ଆନନ୍ଦରେ ନାନା ଉତ୍ସବ କଲେ ।
ଏଣେ ମଥୁରାରେ କଂସ ଖବର ପାଇଗଲା କି ପୁତନାକୁ ଗୋଟିଏ ଶିଶୁ ବଧ କରିଛି । ଏହାପରେ ସେ ତା’ ମନେ ମନେ ନିଶ୍ଚିତ ହୋଇଗଲା ଯେ ଏହି ଶିଶୁହିଁ ନିଶ୍ଚୟ ତା’ର ଶତୃ ନହେଲେ ପୁତନାକୁ ପୁଣି କିଏ ବା ପ୍ରାଣରେ ମାରିପାରେ? ତା’ପରେ କଂସ ତା’ର ଅନ୍ୟାନ୍ୟ ବିଶ୍ୱସ୍ତ ରାକ୍ଷସ ରାକ୍ଷସୀମାନଙ୍କୁ ଡକାଇ ସେହି ଶିଶୁ କୃଷ୍ଣଙ୍କୁ ମାରିବା ପାଇଁ ନାନା ଯୋଜନା ପ୍ରସ୍ତୁତ କଲା । ସେହି ଭୟଙ୍କର ରାକ୍ଷସମାନଙ୍କ ମଧ୍ୟରୁ ଶକଟାସୁର ଜଣେ ଥିଲା । ସେ କଂସକୁ ଖୁସି କରିବା ପାଇଁ ଆଗଭର ହୋଇ ବାହାରିଲା । ସେ କହିଲା, “ଛାର ଗୋଟାଏ ଶିଶୁକୁ ମାରିବା ପାଇଁ ଏତେ କଥା?” ମୁଁ ଶୀଘ୍ର ଯାଇ ତାକୁ ମାରିବି ଓ ଆପଣଙ୍କୁ ଶତୃଠାରୁ ନିର୍ଭୟ କରାଇବି । ଏବେ ଦେଖନ୍ତୁ ମୋର ପରାକ୍ରମ ।”
ଶକଟାସୁର ମଥୁରାପୁରର କଂସଠାରୁ ବିଦାୟ ନେଇ ବଡ ଅହଂକାର ସହିତ ଗୋପପୁରରେ ଯାଇ ପହଁଚିଲା । ସେଠାରେ ଯାଇ ସେ ଦେଖିଲା ଯେ ଗୋଟିଏ ଶଗଡ ତଳେ ଶିଶୁ କୃଷ୍ଣ ଶୋଇଛନ୍ତି, ମାତା ଯଶୋଦା ତାଙ୍କ ପୁତ୍ର କୃଷ୍ଣଙ୍କ ମୁହଁରେ ଖରା ନ ପଡିବା ପାଇଁ ଏକ ଶକଟର ଛାଇରେ ତାକୁ ଶୁଆଇ ରଖିଥା’ନ୍ତି । ଏତେ ସୁନ୍ଦର ଏକ ସୁଯୋଗ ଦେଖି ଅସୁର ନିଜ ସୂକ୍ଷ୍ମରୂପ ଧରି ସେ ଶକଟ ଭିତରେ ପଶିଲା । ଭଗବାନ୍ କୃଷ୍ଣ ଶିଶୁ ହେଲେହେଁ ଜନ୍ମରୁ ସେ ସଚେତନ ଥିଲେ । ସେ ନିଦରୁ ଉଠି ପଡି ହାତଗୋଡ ଛଟା ଛାଟି କରି ଖେଳୁ ଖେଳୁ ତାଙ୍କ ପାଦ ବାଜି ସମଗ୍ର ଶକଟଟି ତଳେ ପଡି ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଗଲା ଓ ଏହିପରି ଭାବେ ସେ ଶକଟାସୁରର ମୃତ୍ୟୁ ଘଟିଲା । ଏତେ ଟିକିଏ ଛୁଆର ପାଦ ବାଜି ଏଡେ ବଡ ଶକଟଟି ଲେଉଟି ପଡିଲା ଓ ତା’ ଦେହରୁ ରାକ୍ଷସ ବାହାରି ମରି ଶୋଇଲା । ଏସବୁ ଦେଖି ଯଶୋଦା ତ ଭୟରେ ମୂର୍ଚ୍ଛା ହୋଇଗଲେ । ତା’ପରେ ଚେତା ଫେରି ପାଇ ଯଶୋଦା ତାଙ୍କ ପୁଅକୁ ଭଲ ଅବସ୍ଥାରେ ଦେଖି କୋଳକୁ ନେଇ ପୁଅର ମଙ୍ଗଳ ପାଇଁ ମନେ ମନେ ଅନେକ ଦେବାଦେବୀଙ୍କୁ ପ୍ରାର୍ଥନା କଲେ । ଏତେ ବଡ ଏକ ରିଷ୍ଟ କଟିଯିବାରୁ ସେଥିପାଇଁ ସେ ବହୁ ପୂଜା ଯଜ୍ଞ କଲେ ।
ନନ୍ଦ ରାଜା ସେତେବେଳେ ଘରେ ନଥିଲେ । ଘରକୁ ଫେରିବା ବେଳେ ଦୂରରୁ ସେ ଦେଖିଲେ ଶଗଡଟି ଭାଙ୍ଗି କାଠଗଦା ହୋଇ ପଡିଛି । ରାକ୍ଷସ ମରି ଶୋଇଛି । ସେ ଜାଣନ୍ତି ଯେ ବେଳେ ବେଳେ ଯଶୋଦା ଶଗଡ ଛାଇରେ କୃଷ୍ଣଙ୍କୁ ଶୁଆନ୍ତି । ଏଣୁ ସେ ମଧ୍ୟ କୃଷ୍ଣଙ୍କ ପାଇଁ ବ୍ୟସ୍ତ ହୋଇ ପଡିଲେ । ସେ ସମସ୍ତିଙ୍କୁ ପଚାରିଲେ, “କୃଷ୍ଣର କ’ଣ ହେଲା, ସିଏ ବଂଚିଛି ତ?” ଗୋଟାଏ ବିପଦ ପରେ ପୁଣି ଆଉ ଗୋଟାଏ ବିପଦ । ନନ୍ଦ ବହୁତ ବ୍ୟସ୍ତ ହୋଇ ଘରକୁ ଦୌଡିଲେ । କୃଷ୍ଣ ଭଲରେ ଅଛି ଜାଣି ସେ ଅତ୍ୟନ୍ତ ଖୁସି ହେଲେ । ଖାଲି ସେତିକି ନୁହେଁ ଶିଶୁ କୃଷ୍ଣର ପାଦ ବାଜି ଯେ ଶକଟଟି ଭାଙ୍ଗି ଯାଇଛି ଓ ଅସୁର ମରିଛି ଏହି ଅଲୌକିକ ଘଟଣା ଅନୁଧ୍ୟାନ କରି ସେ ମନେ ମନେ କୃଷ୍ଣରୂପୀ ନାରାୟଣଙ୍କୁ ପ୍ରଣାମ କରୁଥିଲେ । କିନ୍ତୁ ବାହ୍ୟ ଭାବରେ ଜଣେ ସ୍ନେହମୟ ପିତାର ବାତ୍ସଲ୍ୟ ପ୍ରକାଶ କରି ସେ କୃଷ୍ଣଙ୍କୁ କୋଳକୁ ନେଇ ବହୁତ ଆଦର କଲେ । ଏଣିକି ଗୋପପୁରର ଆବାଳବୃଦ୍ଧବନିତା ଶିଶୁ କୃଷ୍ଣଙ୍କର ଯେପରି କୌଣସି ବିପଦ ନ ପଡେ ସେଥିପାଇଁ ସେମାନେ ସଜାଗ ହୋଇ ରହିଲେ ।
ଏଇଭଳି ଭାବରେ ନାନା ବିପଦ ମଧ୍ୟରେ କୃଷ୍ଣ କ୍ରମେ ବଡ ହେଉଥା’ନ୍ତି । ବର୍ଷକର ହୋଇଯିବାରୁ ସେ ଧୀରେ ଧୀରେ କାନ୍ଥବାଡ ଧରି ଚାଲି ଶିଖିଲେ । ଶିଶୁ କୃଷ୍ଣଙ୍କର ମଧୁର ବାଳଲୀଳା ଦେଖି ସମସ୍ତେ ଖୁବ୍ ମୁଗ୍ଧ ହେଉଥା’ନ୍ତି । ମାତା ଯଶୋଦା ଶିଶୁ କୃଷ୍ଣଙ୍କୁ ଦୁଧ, ଦହି, ଲବଣୀ, ଘିଅ ସବୁ ଖୁଆଉଥା’ନ୍ତି । କିନ୍ତୁ କୃଷ୍ଣ ସର୍ବଦା ଲବଣୀ ଖାଇବା ପାଇଁ ଆଗ୍ରହ ଦେଖାଇଥା’ନ୍ତି । ଗୋପୀମାନେ ଲବଣୀ ନ ଦେଲେ କୃଷ୍ଣ ସେମାନଙ୍କ ଶାଢୀର ଅଂଚଳ ଧରି ସେମାନଙ୍କ ସହିତ ବହୁତ ହଟ ଲଗାନ୍ତି । ପାଦରେ ନୁପୂର; ମଥାରେ ଛୋଟ ଛୋଟ ବାଳରେ ଚୁଟି କରାହୋଇ ତହିଁରେ ମୟୁରଚନ୍ଦ୍ରିକାଟିଏ ଖୋସା ହୋଇଥାଏ, ତାଙ୍କ ଅଙ୍ଗ ପ୍ରତ୍ୟଙ୍ଗରେ ନାନା ପ୍ରକାରର ରତ୍ନ ଅଳଙ୍କାର ଶୋଭା ପାଉଥାଏ । ସେ ମଧୁର ମୋହନ ମୂର୍ତ୍ତି ଯିଏ ଦେଖେ ସେ ତା’ ଆଖି କେବେବି ସେଠାରୁ ଫେରାଇ ପାରୁ ନଥାଏ । ଲବଣୀ ଖାଇବା ପାଇଁ ସେ ବହୁତ ଥର ହଟ ଲଗାନ୍ତି ପୁଣି ଗୋପୀମାନଙ୍କ ଅନୁରୋଧରେ ସେ ତାଙ୍କ ଗୋଡରେ ଘୁଙ୍ଗୁର ପିନ୍ଧି ଖୁବ୍ ନାଚ ବି କରନ୍ତି । ଏସବୁ ମଧୁରଲୀଳାମୃତ ପାନ କରି ସାରା ଗୋପପୁର ବେଶ୍ ଆନନ୍ଦରେ ଥାଏ ।
ଲବଣୀ ପାଇଲେ କୃଷ୍ଣ ଯେପରି ସାରା ସଂସାରକୁ ତାହା ବାଂଟିବେ । ତାଙ୍କ ହାତରୁ ଲବଣୀ ଟିକିଏ ପାଇବାକୁ କେବଳ ଯେ ଗୋପବାଳକମାନେ ଦୌଡୁଥା’ନ୍ତି ସେତିକି ନୁହେଁ ପଶୁପକ୍ଷୀମାନେ ମଧ୍ୟ ତାଙ୍କ ପାଖକୁ ଅତି ଆନନ୍ଦରେ ଦୌଡି ଆସନ୍ତି । ଲବଣୀ ଯଥେଷ୍ଟ ନ ମିଳିଲେ ସେ ଅନ୍ୟ ଗୋପବାଳକମାନଙ୍କୁ ନିଜ ସାଥିରେ ଧରି ଗୋପାଳମାନଙ୍କ ଘରେ ପଶି ଚୋରୀ କରନ୍ତି, ହାଣ୍ଡି ଭାଙ୍ଗନ୍ତି । ତେଣୁ ତାଙ୍କୁ ସମସ୍ତେ ‘ଲବଣୀ ଚୋର’ ବୋଲି ମଧ୍ୟ ଡାକିଲେ ।
ତାଙ୍କ ଲୀଳାର କୌଣସି ଅନ୍ତ ନାହିଁ । ସେ ଲୀଳାର ମାଧୁରୀ ଗୋପବାସୀଙ୍କ ହୃଦୟକୁ ପ୍ରତିକ୍ଷଣରେ ପ୍ଳାବିତ କରୁଥାଏ । ସେ ନୁପୂର ପିନ୍ଧି ନାଚନ୍ତି, ମୟୁରମାନେ ମଧ୍ୟ ତାଙ୍କ ସହ ତାଳ ଦେଇ ନାଚନ୍ତି । ସେ ପଶୁପକ୍ଷୀମାନଙ୍କ ମଧ୍ୟରେ ନିର୍ଭୟରେ ଖେଳି ବୁଲନ୍ତି । ସେମାନେ କିଛି ନ ବୁଝିଲେ ମଧ୍ୟ ଜଗତକର୍ତ୍ତା ନାରାୟଣଙ୍କୁ ଏତେ ପାଖରେ ପାଇ ଦିବ୍ୟ ଉଲ୍ଲାସରେ ନାଚି ଉଠନ୍ତି । ଗୋପବାଳକମାନେ ତ କ୍ଷଣକ ପାଇଁ ତାଙ୍କୁ ଛାଡନ୍ତି ନାହିଁ । ଗୋପୀମାନଙ୍କ ଘରେ ପଶି ହାଣ୍ଡି ଭାଙ୍ଗି ଲବଣୀ ଆଣି ବାଂଟି ଦିଅନ୍ତି ତଥାପି ମଧ୍ୟ ସେମାନେ ତାଙ୍କ ଉପରେ ଆଦୌ ରାଗି ପାରନ୍ତି ନାହିଁ । କେତେବେଳେ ବା ସାଧାରଣ ଶିଶୁ ପରି ସେ କାନ୍ଦନ୍ତି, କେତେବେଳେ ବା ହସନ୍ତି, ଆଉ ପୁଣି କେତେବେଳେ ନାନା ହଟ ଲଗାଇ ଗୋପୀଗୋପାଳଙ୍କୁ ବ୍ୟତିବ୍ୟସ୍ତ କରନ୍ତି । କିନ୍ତୁ ତଥାପି ସେ ସମସ୍ତିଙ୍କର ପ୍ରିୟ ।
କୃଷ୍ଣ ଯେତେ ଯେତେ ବଡ ହେଲେ ତାଙ୍କର ଦୁଷ୍ଟାମି ମଧ୍ୟ ଦିନକୁ ଦିନ ସେତେ ସେତେ ବଢିଲା । କିନ୍ତୁ ତଥାପି ବି ସେ ସମସ୍ତିଙ୍କର ପ୍ରାଣପ୍ରିୟ କୃଷ୍ଣ ଯାହାକୁ ଦିନେ ନ ଦେଖିଲେ ସାରା ଗୋପପୁର ପାଗଳ ହୋଇ ଯାଉଥିଲା । ତାଙ୍କର କାର୍ଯ୍ୟ ଏକ ସାଧାରଣ ବାଳକର କାର୍ଯ୍ୟ ନଥିଲା । ତାଙ୍କ ଅଲୌକିକ ଶକ୍ତି, ଦିବ୍ୟ ତେଜ- ଓ ମଧୁର ଲୀଳା, ଏସବୁ ସମଗ୍ର ଗୋପପୁରକୁ ଅତି ନିବିଡ ଭାବରେ ଆକୃଷ୍ଟ କରି ରଖିଥାଏ । ବାଳକ କୃଷ୍ଣ ଯେପରି ସମସ୍ତିଙ୍କର ଜୀବନ ଥିଲେ, ଠିକ୍ ସେହିପରି ସେ ସମସ୍ତିଙ୍କର ପ୍ରିୟାଦପି ପ୍ରିୟ ମଧ୍ୟ ଥିଲେ ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। କିଛି କାହାଣୀରେ କିଛି ମାତ୍ରାରେ ସତ୍ୟତା ଥିଲେ ମଧ୍ୟ ତାହା ମନଗଢା କଥା ଦ୍ୱାରା ବର୍ଣ୍ଣିତ ଏବଂ ବଢ଼େଇ ଚଢେଇ ଲିଖିତ । ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।