‘ହରିନାଥ’ନାମକ ଜଣେ ଚିତ୍ରକର ଆଗ୍ରା ସହରରେ ବାସ କରୁଥିଲେ । ସେ ତାଙ୍କର ଜୀବିକାକୁ ନେଇ ଖୁବ୍ ଖୁସିଥିଲେ ଏବଂ ଯାହା କିଛି ରୋଜଗାର କରୁଥିଲେ, ସେଥିରେ ସେ ଖୁସିରେ ଚଳି ଯାଉଥିଲେ । କିନ୍ତୁ ତାଙ୍କର ଗୋଟିଏ ଦୋଷ ଥିଲା ଯେ, ସେ ଗୋଟିଏ ଚିତ୍ର କରିବାପାଇଁ ବହୁତ ସମୟ ନେଉଥିଲେ । ତେଣୁ ସେ ଅଧିକ ଧନ ରୋଜଗାର କରିପାରୁନଥିଲେ । ଯେତିକି ଧନ ରୋଜଗାର କରୁଥିଲେ ତାହା ତାଙ୍କର ଚିତ୍ରପାଇଁ ବିଭିନ୍ନ ସାମଗ୍ରୀ କିଣିବାରେ ବ୍ୟୟ ହୋଇଯାଉଥିଲା ।
ଦିନେ ସେ ବଜାରକୁ ଯିବା ସମୟରେ ଜଣେ ଧନୀ ବ୍ୟକ୍ତିଙ୍କ ଘର ଦେଖି ତାଙ୍କୁ ଦେଖା କରିବାକୁ ଇଚ୍ଛା ପ୍ରକାଶ କଲେ । ସେ ଜାଣି ନଥାନ୍ତି ଯେ, ଧନୀ ବ୍ୟକ୍ତି ଜଣକ ଜଣେ କୃପଣ ବ୍ୟକ୍ତି । ହରିନାଥ ଧନୀବ୍ୟକ୍ତିଙ୍କୁ ତାଙ୍କର ଏକ ଚିତ୍ର ଆଙ୍କିବା ପାଇଁ ରାଜି କରାଇଲେ ହରିନାଥ ମନେ ମନେ ଭାବିଥାଆନ୍ତି, ଧନୀ ବ୍ୟକ୍ତି ତାଙ୍କର ଚିତ୍ର ଦେଖିବା ପରେ ଖୁସି ହେବେ ତେଣୁ ତାଙ୍କୁ ଦେଖାଇବା ପାଇଁ ବାହାରିଲେ । ଧନୀ ବ୍ୟକ୍ତି କିନ୍ତୁ ସଂଗେ ସଂଗେ ସେହି ଚିତ୍ରରୁ ଦୋଷ ବାହାର କଲେ । ଧନୀ ବ୍ୟକ୍ତି କହିଲେ, ତୁମେ ଏପରି ଚିତ୍ର ଆଙ୍କିଛ ଯେ, ମୁଁ ଜଣେ ଯୁବକ ପରି ଦେଖାଯାଉଛି । ତେଣୁ ମୁଁ ତୁମକୁ ତୁମର ପାଉଣା ଦେଇ ପାରିବି ନାହିଁ ।”
ଧନୀ ବ୍ୟକ୍ତିଙ୍କ କଥା ଶୁଣି ହରିନାଥ କହିଲେ, “ମହାଶୟ! ମୁଁ ଚିତ୍ରଟିକୁ ପୂର୍ଣ୍ଣ ରୂପ ଦେଇ ନାହିଁ । ମୁଁ ତୁମକୁ ଯେଉଁ ଚିତ୍ରଟି ଦେଖାଇଲି ଏହା ପ୍ରାରମ୍ଭିକ ଅବସ୍ଥା । ମୁଁ ଆସନ୍ତା କାଲି ଆପଣଙ୍କର ଅବିକଳ ଚିତ୍ର ଆଙ୍କି ଆଣିବି ।” ଏହାକହି ହରିନାଥ ଧନୀ ବ୍ୟକ୍ତିଙ୍କ ଠାରୁ ବିଦାୟ ନେଲେ । ପରଦିନ ଚିତ୍ର ଆଙ୍କି ଧନୀ ବ୍ୟକ୍ତିଙ୍କ ଘରେ ପହଁଚିଗଲେ । ଧନୀ ବ୍ୟକ୍ତି ପୁଣି ଥରେ ମଧ୍ୟ ଚିତ୍ରର ଦୋଷଗୁଣ ବାହାର କଲେ ଏବଂ ହରିନାଥଙ୍କୁ ପାଉଣା ଦେବାକୁ ମନା କଲେ । ଧନୀ ବ୍ୟକ୍ତି ଯେମିତି ପୁଣି ଥରେ ମନା କଲେ, ହରିନାଥ ତାଙ୍କୁ ଆଉ କିଛି ନକହି ମନମାରି ଫେରି ଆସିଲେ । ମନେ ମନେ ଠିକ୍ କଲେ ବିରବଲଙ୍କ ନିକଟକୁ ଯାଇ ସବୁ କଥା କହିବେ । ଏହା ସ୍ଥିର କରି ବିରବଲଙ୍କ ପାଖରେ ଯାଇ ପହଁଚିଲେ ଏବଂ ସମସ୍ତ ଘଟଣା ବର୍ଣ୍ଣନା କଲେ ।
ସବୁ ବିଷୟ ଶୁଣିସାରିବା ପରେ ବିରବଲ ଧନୀ ବ୍ୟକ୍ତିଙ୍କୁ ତାଙ୍କ ଘରକୁ ଡକାଇଲେ । ପୂର୍ବରୁ ହରିନାଥ ଆସି ସେଠାରେ ପହଁଚି ସାରିଥାଆନ୍ତି । ଚିତ୍ରଟି ଗୋଟିଏ କୋଣରେ ରଖାଯାଇଥାଏ । ଚିତ୍ରଟି ପୂରା ଅବିକଳ ଧନୀ ବ୍ୟକ୍ତିଙ୍କ ମୁଖମଣ୍ଡଳ ସହିତ ମିଶିଯାଉଥାଏ । ବିରବଲ ଧନୀ ବ୍ୟକ୍ତିଙ୍କୁ ପଚାରିଲେ, “ମହାଶୟ! ଏହି ଛବିଟି ଆପଣଙ୍କର? ଧନୀ ବ୍ୟକ୍ତି ‘ହଁ’ ମାରିଲେ ସତ କିନ୍ତୁ କହିଲେ, ଛବିଟି ଜୀବନ୍ତ ହୋଇନାହିଁ । ଧନୀ ବ୍ୟକ୍ତିଙ୍କ କଥା ଶୁଣି ହରିନାଥ କହିଲେ, “ଆଜ୍ଞା! ମୁଁ ଦୁଇ ଦୁଇଥର ଛବି ଆଙ୍କି ସାରିଲିଣି, ହେଲେ ଏ ବ୍ୟକ୍ତି ସବୁ ସମୟରେ ଦୋଷ ଗୁଣ ବାହାର କରୁଛନ୍ତି । ତେଣୁ ମୁଁ ପ୍ରତିଶ୍ରୁତି ଦେଉଛି ଆସନ୍ତାକାଲି ପୁଣିଥରେ ଏହାଙ୍କର ଅବିକଳ ଛବି ଆଙ୍କି ନେଇ ଆସିବି ।”
ହରିନାଥଙ୍କର କଥା ଶୁଣି ଧନୀବ୍ୟକ୍ତି ଭାବିଲେ, “ଏତେ କମ୍ ସମୟ ମଧ୍ୟରେ ଚିତ୍ର ଆଙ୍କିଲେ ମୁଁ ସହଜରେ ଦୋଷ ବାହାର କରିପାରିବି ଏବଂ ତାକୁ ପାଉଣା ଦେବାକୁ ପଡିବ ନାହିଁ ।” ଏହାଭାବି ପରଦିନ ଧନୀ ବ୍ୟକ୍ତି ବିରବଲଙ୍କ ଘରେ ଯାଇ ପହଁଚିଗଲେ । ଧନୀ ବ୍ୟକ୍ତିଙ୍କର ଅବିକଳ ପ୍ରତିଛବି ଘର କୋଣରେ ଥୁଆ ହୋଇଥାଏ । ପ୍ରତିଛବିଟିକୁ ଏକ କପଡାରେ ଘୋଡାଯାଇଥାଏ । ବିରବଲ ଧନୀ ବ୍ୟକ୍ତିଙ୍କୁ ନେଇ ଚିତ୍ର ସାମ୍ନାରେ ଠିଆ କରେଇଲେ । ଏହାପରେ ଚିତ୍ର ଉପରୁ କପଡାଟିକୁ କାଢିଦେଲେ । ଧନୀ ବ୍ୟକ୍ତି ଚିତ୍ର ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସେ ନିଜ ଆଖିକୁ ମଧ୍ୟ ବିଶ୍ୱାସ କରିପାରିଲେ ନାହିଁ । ଧନୀ ବ୍ୟକ୍ତି ପୁଣି ଚାଲାକିରେ କହିଲେ, “ଏହା ତ’ ଚିତ୍ର ନୁହେଁ । ଏହା ଗୋଟିଏ ଦର୍ପଣରେ ମୋର ପ୍ରତିଛବି । ଧନୀ ବ୍ୟକ୍ତିଙ୍କ କଥା ଶୁଣି ବିରବଲ କହିଲେ, “ହରିନାଥ ତୁମକୁ କଥା ଦେଇଥିଲେ ତୁମର ଜୀବନ୍ତ ପ୍ରତିଛବି ଆଙ୍କିବା ପାଇଁ । ଏହା ତ’ ସେ କରି ଦେଖାଇ ଦେଇଛନ୍ତି । ତୁମେ ଯେହେତୁ ଏହି ଛବିରୁ କୌଣସି ଦୋଷ ଗୁଣ ବାହାର କରିପାରୁନ ସେଥିପାଇଁ ତୁମକୁ ଏକ ହଜାର ସ୍ୱର୍ଣ୍ଣ ମୁଦ୍ରା ଦେବାକୁ ପଡିବ । ବିଚରା କୃପଣ ଧନୀ ବ୍ୟକ୍ତି ଜଣକ ଆଉ କିଛି ନକହି ହରିନାଥଙ୍କୁ ଏକ ହଜାର ସ୍ୱର୍ଣ୍ଣମୁଦ୍ରା ଦେଲେ ।