(କୋଶଳ ରାଜା ସୁଷେଣଙ୍କ ବନ୍ଧୁ ହେଲେ ଜୟସେନ । ତାଙ୍କ ଝିଅ ଶକ୍ତିସେନାଙ୍କ ଶକ୍ତି ସାମର୍ଥ୍ୟ ପରୀକ୍ଷା କରିବା ପାଇଁ, ତାଙ୍କ ପାଖରେ ଏହି ସର୍ତ୍ତ ରଖିଲେ ଯେ ଗୁରୁକୁଳରୁ ଫେରୁଥିବା ତାଙ୍କ ପୁଅ କୀର୍ତ୍ତିସିଂହଙ୍କୁ କାଳୀ ମନ୍ଦିରରେ ତିନି ଦିନ ବନ୍ଦୀ କରି ସେ ରଖିବେ । ଶକ୍ତିସେନା ସେଥିରେ ସମ୍ମତ ହେଲେ । କିନ୍ତୁ ଜୟସେନ ଭୁଲ୍ କରୁଥିଲେ । ତା’ପରେ ସେ ତାଙ୍କ ଝିଅକୁ ସେମାନଙ୍କ ପୂର୍ବପୁରୁଷଙ୍କ କ୍ଷେତ୍ରରେ ଘଟିଥିବା ଘଟଣାର ବିବରଣୀ ଦେଲେ । ପୂର୍ବ ପୁରୁଷ ରାଜା ବିଚିତ୍ରବର୍ମା ଶିକାର କରି ଫେରିବା ବେଳେ କାଳୀ ମୂର୍ତ୍ତି ପାଇଲେ । ସେହି ମୂର୍ତ୍ତିଙ୍କର ପ୍ରତିଷ୍ଠା ବିଷୟରେ ଜ୍ଞାନୀମାନଙ୍କ ସହିତ, ବିଶେଷତଃ ତାଙ୍କ ବନ୍ଧୁ ଜୟସେନଙ୍କ ସହ ବିଚାର ଆଲୋଚନା କରିବାକୁ ସେ ରାଜଧାନୀ ଫେରିଗଲେ ।)
ରାଜା ବିଚିତ୍ରବର୍ମା ରାଜଧାନୀରେ ପହଁଚିବା ମାତ୍ରେ ସେ ପ୍ରଥମେ ଜୟସେନଙ୍କ ସହିତ ଦେଖା କଲେ । ଜୟସେନ ସବୁ ଶୁଣିବା ପରେ ତାଙ୍କ ମନ ଆନନ୍ଦ ଓ ଦୁଃଖ ଉଭୟରେ ପୂର୍ଣ୍ଣ ହେଲା । ତା’ପରେ ଦରବାରର ଅନ୍ୟାନ୍ୟ ଜ୍ୟୋତିଷ, ଜୟସେନ୍ ଓ ବିଚିତ୍ର ବର୍ମା ସମସ୍ତେ ମିଶି ବହୁ ସମୟ ଧରି ଆଲୋଚନା କଲେ । ଅବଶେଷରେ ଏହା ସ୍ଥିର ହେଲା ଯେ ଦେବୀ ମୂର୍ତ୍ତି ଯେଉଁଠାରେ ମିଳିଛନ୍ତି ସେହିଠାରେହିଁ ତାଙ୍କ ପାଇଁ ମନ୍ଦିର ନିର୍ମାଣ କରାହେବ । ରାଜଧାନୀକୁ ଆଣିବା ଉଚିତ୍ ହେବ ନାହିଁ । କାରଣ ଦେବୀଙ୍କ ଯୋଗୁଁ ଏବେର ରାଜପରିବାର ବିଶେଷ ଲାଭବାନ୍ ହେବେ ନାହିଁ । କିନ୍ତୁ ସେହି ପରିବାରର କେହି ଉତ୍ତର ପୁରୁଷ ଦେବୀଙ୍କ କୃପା ବଳରେ ରାଜ୍ୟ ବିସ୍ତାର କରି ନିଜକୁ ସମ୍ରାଟ ବୋଲାଇବେ । ତାଙ୍କ ଶାସନକାଳରେ ଦେବୀଙ୍କର ନାମ ବିଖ୍ୟାତ ହେବ ଏବଂ ପ୍ରତିଦିନ ତାଙ୍କର ପୂଜା ଅର୍ଚ୍ଚନା ଚାଲିଥିବ । ଦେବୀଙ୍କ ମୂର୍ତ୍ତି ସେଠାରେ ଜୀବନ୍ତ ଓ ମହିମାମୟୀ ହେବ । ଅନେକ ଉତ୍ସବ ମଧ୍ୟ ସେଠାରେ ବର୍ଷସାରା ପାଳିତ ହେବ ।
ଏସବୁ କଥା ଶୁଣିବା ପରେ ରାଜା ଜାଣି ପାରିଲେ ଯେ ସେଦିନ ରାତିରେ ତାଙ୍କର ଆନନ୍ଦ ଓ ଦୁଃଖ ଉଭୟ କାହିଁକି ହେଲା । ଏବେ ସେ ନିଜ ଦୁଃଖ ଭୁଲିଗଲେ ଓ ଖୁସି ହେଲେ ଯେ ତାଙ୍କରି ବଂଶଜାତ କୌଣସି କୀର୍ତ୍ତିମାନ ରାଜାଦ୍ୱାରା ଏସବୁ ହେବ । ତେଣୁ ସେ ସେହି ଜଙ୍ଗଲରେ ମନ୍ଦିର ନିର୍ମାଣ କରି ମୂର୍ତ୍ତି ପ୍ରତିଷ୍ଠା କଲେ । କିନ୍ତୁ ଜଙ୍ଗଲକୁ ଯାଇ ତାଙ୍କୁ ପୂଜିବା ପାଇଁ କେହି ରହିଲେ ନାହିଁ । ଏହି କାରଣରୁ ଦେବୀଙ୍କ ମୂର୍ତ୍ତି ଅପୂଜା ପ୍ରାୟ ପଡି ରହିଥାଏ । ବ୍ରାହ୍ମଣ ଜଙ୍ଗଲକୁ ପ୍ରତିଦିନ ଯିବାକୁ ଭୟ କଲେ । ଜଙ୍ଗଲରେ ତ ପୁଣି ଭୟାନକ ପଶୁମାନେବି ରହିଛନ୍ତି । ତେଣୁ ବହୁଦିନରେ ଥରେ ଅଧେ ଦେବୀ ପୂଜା ପାଆନ୍ତି । କିଛି ଦିନ ବିତିଯିବା ପରେ ଲୋକେ ସେସବୁ କଥା ପ୍ରାୟ ଭୁଲିଗଲେ । ବିଚିତ୍ରବର୍ମାଙ୍କୁ ଲାଗିଲା ଯେପରି ଏହି ସମସ୍ତ ଘଟଣା ଦୈବଲୀଳା । ସେ ମଧ୍ୟ ମନ ଭିତରେ ଶକ୍ତିଙ୍କୁ ପ୍ରଣାମ କରି ଚୁପ୍ ରହିଗଲେ ।
ଏମିତି କେତେ ବର୍ଷ ବିତିଗଲା । ଆଶ୍ଚର୍ଯ୍ୟ ହାର ସାହାଯ୍ୟରେ ସେ ସୁଚାରୁ ରୂପେ ଶାସନ ଚଳାଇଲେ, ବହୁ ଖ୍ୟାତି ଲାଭ କଲେ । ହାର ସାହାଯ୍ୟରେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରୁ ସେ ମାଟି ଖୋଳାଇ ଅନେକ ଧନରତ୍ନ ଓ ଖଣିର ସଂଧାନ ପାଇଲେ ଏବଂ ସେସବୁ ମଧ୍ୟ ପ୍ରଜାଙ୍କ ହିତରେ ସେ ଲଗାଇଲେ । କିନ୍ତୁ କ୍ରମେ ସମସ୍ତେ ଜାଣିଗଲେ ଯେ ହାରର ମହିମା ଯୋଗୁଁ ଏସବୁ ସମ୍ଭବ ହେଉଛି । ତା’ପରେ ହାରର ମହିମା ଯେତେ ଯେତେ ପ୍ରଚାରିତ ହେଲା, ରାଜାଙ୍କ ଦୁଃଖ ସେତେ ସେତେ ବଢିଲା ।ସେଠାକାର ରାଜ୍ୟମାନଙ୍କ ମଧ୍ୟରେ ନାଗ ରାଜ୍ୟ ତାଙ୍କର ପଡୋଶୀ ରାଜ୍ୟ ଥିଲା । ଏବଂ ଏହି ଦୁଇ ରାଜ୍ୟ ମଧ୍ୟରେ ଥିବା ଜଙ୍ଗଲରେହିଁ ଦେବୀ ମୂର୍ତ୍ତିଙ୍କର ପ୍ରତିଷ୍ଠା ହୋଇଥିଲା ।
କାମ୍ବୋଜ ଅନ୍ୟ ଏକ ପଡୋଶୀ ରାଜ୍ୟ । ଚକ୍ରାଦିତ୍ୟ ତା’ର ରାଜା ଥିଲେ । ସେ ଜଣେ ବହୁତ ଭଲ ରାଜା ଥିଲେ, କିନ୍ତୁ ସେ ଅସମର୍ଥ ଥିଲେ । ତାଙ୍କ ଶାସନ କାଳ ମଧ୍ୟରେ ପ୍ରଜା ବହୁତ କଷ୍ଟ ସହୁଥିଲେ । ସେମାନେ ସର୍ବଦା କୋଶଳ ରାଜ୍ୟର ପ୍ରଜାଙ୍କ ସୁଖ ସନ୍ତୋଷ ଦେଖି କୋଶଳରେ ବସବାସ କରିବାକୁ ଚାହିଁଲେ ଓ ଅନେକେ ସେଠାକୁ ମଧ୍ୟ ପଳାଇ ଆସିଲେ । ଦୟାଳୁ ବିଚିତ୍ରବର୍ମା ସେହିସବୁ ଶରଣାର୍ଥୀମାନଙ୍କୁ ସ୍ଥାନ ଦେଲେ ଓ ସେମାନଙ୍କର ସୁଖ ସ୍ୱାଚ୍ଛନ୍ଦ୍ୟରେ ରହିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କଲେ ।
ସମୟ ବିତିଗଲା । ବିଚିତ୍ରବର୍ମା ଓ ଚକ୍ରାଦିତ୍ୟ ଦୁହେଁ ବୃଦ୍ଧ ହୋଇଗଲେ । ବିଚିତ୍ରବର୍ମାଙ୍କ ଜ୍ୟେଷ୍ଠପୁତ୍ର ଜୟବର୍ମା କୋଶଳ ଦେଶର ସିଂହାସନରେ ବସିଲେ । ଚକ୍ରାଦିତ୍ୟଙ୍କ ପୁତ୍ର ମଧ୍ୟ ସିଂହାସନରେ ବସିବା କଥା । କିନ୍ତୁ ସେ ମଧ୍ୟ ତାଙ୍କ ପିତାଙ୍କ ପରି ଅସମର୍ଥ ଥିଲେ । ତେଣୁ ତାଙ୍କର ଦ୍ୱିତୀୟ ପୁତ୍ର ବରୁଣଦତ ନିଜର ପିତା ଓ ଜ୍ୟେଷ୍ଠ ଭ୍ରାତାଙ୍କୁ ବନ୍ଦୀ କରି ନିଜେ ସିଂହାସନରେ ବସିଲେ । କର୍ମଚାରୀଗଣ ନାନା ପ୍ରକାର ଅନ୍ୟାୟ କରି ଧନ ଅର୍ଜନ କରୁଥିଲେ । ରାଜା ଅସମର୍ଥ ହେଲେ ବା ଦୁଷ୍ଟ ପ୍ରକୃତିର ହେଲେ ପ୍ରଜାଙ୍କର ଅବସ୍ଥା ଯାହା ହୁଏ ତାହା ହେଲା । ପ୍ରଜାମାନେ ଅତ୍ୟାଚାରିତ ହେଲେ । ରାଜକର୍ମଚାରୀ ଗଣଙ୍କର ଉତ୍କୋଚ ଗ୍ରହଣ କରିବା ଏକ ଅଭ୍ୟାସ ହୋଇଗଲା । ଏହିଭଳି ଭାବରେ ସେ ରାଜ୍ୟରେ ହାହାକାର ପଡିଗଲା । କିନ୍ତୁ କାହାର କିଛି କରିବାର ନଥିଲା । ସେମାନେ ଭାବିପାରିଲେ ନାହିଁ ଯେ ଏପରି ପରିବର୍ତ୍ତନ ଦ୍ୱାରା ସେମାନଙ୍କର ଭଲ ହେବ ନା ଖରାପ ହେବ ।
ବିଚିତ୍ରବର୍ମାଙ୍କ ପୁତ୍ର ଜୟବର୍ମା ବହୁତ ଭଲ ମଣିଷ ଥିଲେ କିନ୍ତୁ ବିଳାସ ବ୍ୟସନ ପ୍ରତି ସେ ସଦା ସର୍ବଦା ଆକୃଷ୍ଟ ଥିଲେ ।ସେ ନାନା ପ୍ରକାର କଳା କୌଶଳରେ ପୂର୍ଣ୍ଣ ବିଳାସ ମନ୍ଦିର ମାନ ନିର୍ମାଣ କରାଇଲେ । ଦେଶବିଦେଶରୁ ଆସିଥିବା ନର୍ତ୍ତକୀମାନଙ୍କର ନୃତ୍ୟ ଦେଖି ଓ ଗୀତ ଶୁଣି ସମୟ ବିତାଉଥିଲେ । ସେମାନଙ୍କୁ ବହୁମୂଲ୍ୟର ପୁରସ୍କାର ଦେଉଥିଲେ । ଏହି ସବୁଥିରେ ଅଧିକ ସମୟ ଦେବାରୁ ଶାସନରେ ଅବହେଳା ଦେଖାଦେଲା । ସେ ନିଜର କର୍ତ୍ତବ୍ୟ ଭୁଲିଗଲେ । ନିଜର ରାଜଧର୍ମ ମଧ୍ୟ ଭୁଲିଗଲେ । ତେଣୁ କୁହାଯିବ ତାଙ୍କର ଅଧୋଗତି ହେଲା । ପୁତ୍ରର ଏପରି ଅବସ୍ଥା ଦେଖି ତାଙ୍କ ପିତା ଅତ୍ୟନ୍ତ ଦୁଃଖିତ ହେଲେ । ପ୍ରଜାମାନେ ମଧ୍ୟ ଦୁର୍ନାମ ରଟାଇଲେ ।
ଏସବୁ ଘଟଣା ଶୁଣି କାମ୍ବୋଜର ରାଜା ବରୁଣଦତ, କନକଲତା ନାମକ ଜଣେ ସୁନ୍ଦରୀ ନର୍ତ୍ତକୀକୁ ତାଙ୍କ ପାଖକୁ ପଠାଇଲେ । ଉଦ୍ଧେଶ୍ୟ ଥିଲା କନକଲତା ନିଜ ନୃତ୍ୟ ଦ୍ୱାରା ରାଜାଙ୍କୁ ମୁଗ୍ଧ କରି ପୂର୍ବୋକ୍ତ ଅପୂର୍ବ ହାରଟି ହାସଲ କରି ଆଣି ବରୁଣଦତଙ୍କୁ ଦେବ ଏବଂ ବହୁମୂଲ୍ୟର ପୁରସ୍କାର ପାଇବ ।କିନ୍ତୁ ବରୁଣଦତ ଜାଣି ନଥିଲେ କି ବୃଦ୍ଧ ରାଜା ବିଚିତ୍ରବର୍ମା ପୁତ୍ରକୁ ସିଂହାସନରେ ବସାଇଲେ ମଧ୍ୟ, ପୁତ୍ରର ବିଳାସବ୍ୟସନ ପ୍ରତି ଅତୀଶୟ ଦୁର୍ବଳତା ଜାଣି, ସେ ନିଜେ ଶାସନର ଅନେକ କାର୍ଯ୍ୟ କରୁଥିଲେ ଓ ଏକ ବଡ ଗୁପ୍ତଚର ଦଳ ଗଠନ କରି ବରାବର ଖବର ସଂଗ୍ରହ କରୁଥିଲେ । ପୁତ୍ର ରାଜା ହେବା ପରଠାରୁ ସେହି ବିଚିତ୍ର ହାରଟି ତାଙ୍କ ଗଳାରେ ରହିଛି । ବୃଦ୍ଧ ରାଜା ପୁତ୍ରର ଚାଲିଚଲଣ ଉପରେ ଖୁବ୍ ସଜାଗ ଥିଲେ ଓ ହାରଟି ଯେପରି ଶତ୍ରୁ ହାତକୁ ନଯାଏ ସେଥିପ୍ରତି ସେ ବହୁତ ଧ୍ୟାନ ଦେଉଥିଲେ । କାରଣ ହାରଟି ଅନ୍ୟ ରାଜା ହାତକୁ ଗଲେ ତାଙ୍କ ରାଜ୍ୟ ତଳିତଳାନ୍ତ ହୋଇଯିବ, ଏଥିରେ କୌଣସି ପ୍ରକାର ସନ୍ଦେହ ନାହିଁ ।
କନକଲତା କୋଶଳ ରାଜ୍ୟକୁ ପ୍ରବେଶ କରିବା ମାତ୍ରେ ବୃଦ୍ଧରାଜା ଗୁପ୍ତଚରଙ୍କ ଦ୍ୱାରା ଖବର ପାଇଗଲେ କେଉଁ କାରଣରୁ ସେ ଏଠାକୁ ଆସିଛି । ଏସବୁ କଥା ଜାଣିବା ପରେ ସେ ବଡ ଚିନ୍ତିତ ହୋଇ ପଡିଲେ ଓ ଜୟସେନଙ୍କ ସହିତ ଏ ବିଷୟରେ ଆଲୋଚନା କଲେ । ଦୁଇ ଜଣ ମିଶି ନାନା ପ୍ରକାରର ଯୋଜନା କଲେ । ଠିକ୍ ସେହିଭଳି ଆଉ ଏକ ହାର ବନାଇଲେ । ଜଣେ ବିଶ୍ୱାସୀ ଲୋକକୁ ଏ ଦାୟିତ୍ୱ ଦିଆଗଲା । ସେ ଅସଲି ହାରଟି ନେଇ ଆସି ନକଲି ହାରଟି ତାଙ୍କ ବେକରେ ପକାଇଲା ।ପରଦିନ ନୃତ୍ୟ ଗୀତରେ ମୁଗ୍ଧ ରାଜା ଯେତେବେଳେ ନିଜ ଅକ୍ତିଆରରେ ନଥିଲେ, ସେହି ସୁଯୋଗରେ କନକଲତା ରାଜାଙ୍କ ଠାରୁ ହାରଟି କୌଣସି ମତେ ପୁରସ୍କାର ସ୍ୱରୂପ ମାଗିନେବା ପରେ ସେ ରାଜ୍ୟ ଛାଡି ସେ ତୁରନ୍ତ ସେଠାରୁ ପଳାଇଗଲା । କନକଲତାର ଷଡଯନ୍ତ୍ର ଜାଣିବା ପରେ ଜୟବର୍ମା ତାଙ୍କ ବୃଦ୍ଧପିତାଙ୍କ ପାଖକୁ ତତ୍କ୍ଷଣାତ୍ ଦୌଡିଲେ ।ସେତେବେଳେ ବିଚିତ୍ରବର୍ମା ତ ଜୟସେନ୍ଙ୍କ ସହ ସତରଞ୍ଜ ଖେଳୁଥିଲେ । ଜୟବର୍ମା ସବୁକଥା କହିଲେ । ସେ କହିଲେ ଯେମିତି ହେଉ ପଛେ ସେ ହାରଟିକୁ ମୋତେ ଉଦ୍ଧାର କରିବାକୁ ହେବ ।
ବିଚିତ୍ରବର୍ମା ସବୁକଥା ଶୁଣି ଦୀର୍ଘଶ୍ୱାସ ପକାଇ ତାଙ୍କ ପୁତ୍ରଙ୍କୁ କହିଲେ, ”ଅବଶ୍ୟ, ସେହି ହାର ଆମ ବଂଶଜ ବ୍ୟତୀତ ଅନ୍ୟ କାହା ପାଖରେ ରହିଲେ ତା’ର ମହିମା ନଷ୍ଟ ହୋଇଯିବ । ତେଣୁ ସବୁଠାରୁ ଭଲ ହେବ ଯେ ଆମେ ସେ ବିଷୟ ଭୁଲିଯିବା; କାରଣ ହାରଟି କେଉଁଠି ହଜିଯାଇ ନାହିଁ । ତମେ ଜଣେ ଯୁବକ । ରାଜା ହେଉ ହେଉ ଯଦି ସର୍ବଦା ବିଳାସ ବ୍ୟସନରେ ମାତି ରହିବ, ତେବେ ତ ତୁମର ଶାସନ କିପରି ଚାଲିବ ଏଥିରୁ ସ୍ପଷ୍ଟ ଅନୁମାନ କରି ହେଉଛି । ପୁଣି ତୁମର ଦୁର୍ବଳତା ଦେଖି ପଡୋଶୀ ରାଜ୍ୟମାନେ ମଧ୍ୟ ଆକ୍ରମଣ କରି ରାଜ୍ୟ ଦଖଲ କରିବେ ।”
ତାଙ୍କ କଥା ଶୁଣି ଜୟବର୍ମା ଓ ଜୟସେନ ଉଭୟ ଆଶ୍ଚର୍ଯ୍ୟ ହେଲେ । ପିତାଙ୍କ କଥା ଶୁଣି ସେ ଆଶ୍ଚର୍ଯ୍ୟ ହେଲେ ମଧ୍ୟ ହାରପାଇଁ ବହୁତ ଦୁଃଖିତ ଜଣାଗଲେ । ବିଚିତ୍ରବର୍ମା ପୁତ୍ରଙ୍କୁ ସଚେତନ କରାଇ କହିଲେ, ”କଳାପ୍ରିୟ ରାଜାମାନେ ନିଜର କଳାଭିମାନ ପାଇଁ ଶିଳ୍ପୀମାନଙ୍କୁ ଅବଶ୍ୟ ସନ୍ତୁଷ୍ଟ କରିବା ଉଚିତ୍ । କିନ୍ତୁ ସେମାନଙ୍କ ପଛରେ ପାଗଳା ହେବା ଆଦୌ ଉଚିତ୍ ନୁହେଁ । ଜଣେ ଭଲ ରାଜା ତା’ର ସମସ୍ତ ଦୃଷ୍ଟି କେବଳ ପ୍ରଜାଙ୍କ ଭଲମନ୍ଦ ଉପରେହିଁ ରଖିବା ଉଚିତ୍; ବିଳାସ ବ୍ୟସନ ପଛରେ ପାଗଳ ହେବା ଏକ ପ୍ରକାର ମୂର୍ଖତା । ତେଣୁ ଉତ୍ତମ ରାଜା ଭାବରେ ଖ୍ୟାତି କରିବା ଏତେ ସହଜ ନୁହେଁ ।”
ଏହାପରେ ଜୟବର୍ମା ଦୁଃଖିତ ଓ ଲଜ୍ଜିତ ହୋଇ ସେଠାରୁ ଚାଲିଗଲେ । ସେ ଚାଲିଯିବା ପରେ ଜୟସେନଙ୍କୁ ବିଚିତ୍ରବର୍ମା କହିଲେ, ”ତମେ ହୁଏତ ଭାବୁଥିବ ଯେ ମୁଁ କାହିଁକି ମିଥ୍ୟା କଥା କହିଲି? କିନ୍ତୁ କୁହତ, ଜୟବର୍ମାଠାରୁ ସେହି ହାର ଆଣିବା ପାଇଁ ଆମେ କାହିଁକି ଆତୁରତା ଦେଖାଇଲେ?”
ଜୟସେନ୍ କିଛି କହିଲେ ନାହିଁ । ବିଚିତ୍ରବର୍ମା ପୁଣି କହିଲେ, ”ଯଦି ଜୟବର୍ମାର ଗଳାରେ ସେହି ହାର ଥା’ନ୍ତା ତ ସେହି ନର୍ତ୍ତକୀର ପ୍ରକୃତ ଉଦ୍ଧେଶ୍ୟ ସେ ଠିକ୍ ଜାଣି ପାରିଥା’ନ୍ତା । ତେଣୁ ନର୍ତ୍ତକୀ ତାକୁ ଠକିପାରି ନଥା’ନ୍ତା ବା ହାର ନେଇଯାଇ ପାରି ନଥା’ନ୍ତା । ଏକଥା କାମ୍ବୋଜ ରାଜା ଜାଣି ମଧ୍ୟ କିପରି ଏଭଳି ଯୋଜନା କଲେ? ଆମେ ଯେଉଁ ନକଲି ହାର ଦେଲେ ତାହା କେଉଁଥିପାଇଁ? ନିଜର ଦୁର୍ବଳ ମନ ଓ ସ୍ଥିତିର ବିମୂଢଭାବ ମଧ୍ୟରେ, ସେ ଉଚ୍ଚସ୍ତରର ଜିନିଷର ମହିମା ମନେ ରଖି ପାରେ ନାହିଁ । ନିଜର ଦୁର୍ବଳତା ଯୋଗୁଁ ସେ ଅତିଭୌତିକ ଶକ୍ତି ସବୁର କ୍ରିୟା ବିଷୟ ବୁଝିପାରନ୍ତି ନାହିଁ । ବରୁଣଦତ ମୂର୍ଖ, କିନ୍ତୁ ଏ ସତ୍ୟ ସେ ଜାଣେ । ତେଣୁ ସେ କନକଲତା ଦ୍ୱାରା ହାର ଅପହରଣ କରିବାକୁ ଚେଷ୍ଟା କରିଥିଲା । କ’ଣ ମୁଁ ଠିକ୍ କଥା କହୁଛି ନା ନାହିଁ?”
ଜୟସେନ ତାଙ୍କ ମଥା ହଲାଇଲେ ଓ ମୌନ ରହିଲେ । ବିଚିତ୍ରବର୍ମା ଅଳ୍ପ ହସି କହିଲେ, ”ମୁଁ ଜାଣେ ଯେ ଜୟବର୍ମା ପ୍ରତି ମୋ’ଠାରୁ ତୁମର ବାତ୍ସଲ୍ୟଭାବ ଅଧିକ ଅଛି । ତୁମେ ହୁଏତ ଭାବୁଛ ଯେ ଏବେ ଜୟବର୍ମାର ଯଥେଷ୍ଟ ପ୍ରାୟଶ୍ଚିତ ହେଲାଣି । ସେ ଭବିଷ୍ୟତରେ ଅଧିକ ସଜାଗ ରହିବ, ତେଣୁ ତାକୁ ହାର ଫେରାଇଦେବା ଉଚିତ୍ । କିନ୍ତୁ ଏପରି ପରିସ୍ଥିତିରେ ଦୁର୍ବଳ ସ୍ୱଭାବର ମଣିଷ ନିଜକୁ ସଂଶୋଧନ କରିବା ପରିବର୍ତ୍ତେ ଅନ୍ୟପ୍ରକାର ହୋଇଯାଏ । ଏବେ ବରୁଣଦତ ନକଲି ହାର କଥା ଜାଣିଯିବା ପରେ ପ୍ରତିଶୋଧ ପରାୟଣ ହୋଇ ଉଠିବ ଓ ସେ ହାର ପାଇବା ପାଇଁ ନାନା ପ୍ରକାର ହୀନ ଉପାୟ ଅବଲମ୍ବନ କରିବ । ଜୟବର୍ମା ଓ ବରୁଣଦତ ଭାବିବେ ଯେ ହାର ଶକ୍ତିହୀନ ହୋଇ ଯାଇଛି । ଏବେ ରହିଲା ହାର କଥା ।”
ସେ ବିଷୟରେ ମୁଁ ସବୁ ସ୍ଥିର କରିସାରିଛି । ଏକଥା ସତ ଯେ ଆମ ବଂଶରେ ଜଣେ ମହାନ ବ୍ୟକ୍ତି ଜନ୍ମହେବେ । ତାଙ୍କରି ସକାଶେ ମୁଁ ହାର ଯୋଗୁଁ ଯେତେ ସମ୍ପତ୍ତି ପାଇଛି, ସବୁ ଗଚ୍ଛିତ କରି ରଖିଛି ।” ରାଜାଙ୍କର ଏଭଳି ରାଜନୀତି ଓ ଦୂରଦୃଷ୍ଟି ଦେଖି ଜୟସେନ୍ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଉଥିଲେ ଓ କେବଳ ମଥା ହଲାଇ ସ୍ୱୀକୃତି ଦେଉଥିଲେ ।ଜୟବର୍ମା ବିଶ୍ୱାସ କଲେ ଯେ ହାରର ମହିମା ନଷ୍ଟ ହୋଇଗଲା । ବରୁଣଦତ ମଧ୍ୟ ସେହି ଖବର ପାଇ ବଡ ଦୁଃଖିତ ହେଲେ, ଯାହା ହେବାର ଥିଲା ହୋଇଗଲା; ଏଣିକି ଜୟବର୍ମାଙ୍କ ମନରେ ପରିବର୍ତ୍ତନ ଦେଖା ଦେଲା । ସେ କେବଳ ପ୍ରଜାଙ୍କ ପ୍ରତିନିଧି ଭାବରେ ରାଜ୍ୟ ଶାସନ କଲେ ଓ ବିଳାସବ୍ୟସନ ପ୍ରତି ସମ୍ପୂର୍ଣ୍ଣ ନିରାସକ୍ତ ରହିଲେ । ପ୍ରଜାମାନେ ମଧ୍ୟ ରାଜାଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ଦେଖାଇଲେ ।
ବୃଦ୍ଧରାଜା ବିଚିତ୍ରବର୍ମା ପୁତ୍ରର ଏଭଳି ପରିବର୍ତ୍ତନରେ ଅତି ମାତ୍ରାରେ ଖୁସି ହେଲେ । କିଛି ବର୍ଷ ପରେ ତାଙ୍କର ମୃତ୍ୟୁ ହେଲା । କିଛିଦିନ ପରେ ଜୟସେନଙ୍କର ମଧ୍ୟ ମୃତ୍ୟୁ ହେଲା । କିନ୍ତୁ ସେ ତାଙ୍କ ମୃତ୍ୟୁ ପୂର୍ବରୁ ଜୟବର୍ମାଙ୍କୁ ପୂର୍ବଘଟଣା ସବୁକିଛି କହିଲେ । ତା’ପରେ ସେ କହିଲେ, ”ପୁତ୍ର, ତୁମର ପରିବର୍ତ୍ତନ ଦେଖି ମୁଁ ମହାରାଜାଙ୍କୁ ହାରଟି ତୁମକୁ ଦେବାପାଇଁ ଅନୁରୋଧ କରିଥିଲି । ମୋ ଅନୁରୋଧ କିନ୍ତୁ ସେ ରଖିଲେ ନାହିଁ । ସେ କହିଲେ, ”ମୋର ଏବେ ମଧ୍ୟ ବିଶ୍ୱାସ ହେଉନାହିଁ ସେ ହାରର ଦଶା କଣ ହେବ । ହାରର ମହାନତା ଯଦି ଜୟବର୍ମା ବୁଝିପାରିଥା’ନ୍ତା ତେବେ ମୁଁ ତାକୁ ଦେଇ ନଥା’ନ୍ତି କାହିଁକି? ସେ ହାରର ପ୍ରକୃତ ମାଲିକ ଜୟବର୍ମାର ପୁତ୍ର ଅଥବା ନାତି । ହାର ତ ମୋହରି ବଂଶରେ ହିଁ ରହିବ । ଅନ୍ୟର ହାତକୁ ତ ତାହା ଯିବ ନାହିଁ । ସେ ମୋତେ ମଧ୍ୟ କହିଲେ ନାହିଁ ଯେ ସେ କେଉଁଠି ହାରକୁ ଲୁଚାଇ ରଖିଛନ୍ତି । ସେ ମୋ ଦ୍ୱାରା ଏକ ପତ୍ର ତୁମ ପାଖକୁ ଲେଖିଥିଲେ ଓ କହିଥିଲେ ଯେ ତାଙ୍କ ମୃତ୍ୟୁ ପରେ ସେ ପତ୍ର ତୁମକୁ ଦେବାକୁ । ଏବେ ନିଅ ଏହି ପତ୍ର ।” ତା’ପରେ ସେ ହାତୀଦାନ୍ତର ଏକ ପେଡି ରାଜା ଜୟବର୍ମାଙ୍କ ହାତରେ ଦେଲେ । ପତ୍ରଟି ତାହାରି ମଧ୍ୟରେ ଥିଲା ।