• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଉପନ୍ୟାସ»କିପରି ଘର ପୋଡ଼ିଲା :
ଉପନ୍ୟାସ

କିପରି ଘର ପୋଡ଼ିଲା :

ଫକୀର ମୋହନ ସେନାପତିBy ଫକୀର ମୋହନ ସେନାପତିNovember 26, 2018No Comments4 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ଆଜି ଅନନ୍ତପୁର ଗ୍ରାମରେ ହାହାକାର ପଡ଼ିଛି । ଗଲା ଅଧରାତିରୁ ବାଘସିଂହ ଘରେ ନିଆଁ ଲାଗି ସମସ୍ତ ଘର, ଧାନ ଅମାର ପୋଡ଼ି ଛାରଖାର ହୋଇଗଲାଣି । ନିଆଁ ପାଉଁଶ ବୋଳି ହୋଇ କାଳିଆ କାଳିଆ କାନ୍ଥଗୁଡ଼ାକ ଛିଡ଼ା ହୋଇଅଛି । ଏପର୍ଯ୍ୟନ୍ତ ନିଆଁ ଲିଭି ନାହିଁ । ଘର ଭିତରେ ଚାଳ ବସିଯାଇ ଧୂ ଧୂ ହୋଇ ଜଳୁଅଛି ମୂଳିବାଉଁଶଗୁଡ଼ାକ ଫଟ୍ ଫଟ୍ କରି ଫୁଟୁଅଛି । କେଉଁଠାରେ କାନ୍ଥ ଉପରେ ବାଉଁଶ ଯୋଡ଼ାଏ, କେଉଁଠାରେ ନଡ଼ା ମେଞ୍ଚାଏ ଲାଗି ଜଳୁଅଛି । ମୋଟା ମୋଟା ଖମ୍ବଗୁଡ଼ାକ ଅଗ୍ନିସ୍ତମ୍ବ ପରି ଦିଶୁଅଛି । କବାଟରେ ନିଆଁ, ଚୌକାଠରେ ନିଆଁ, ଚାରିଆଡ଼େ ନିଆଁ । ଧାନ ଘର ଭିତରେ ନିଆଁ ପଶି ଭାରି ଧୂଆଁ ବାହାରୁଅଛି । ଜ୍ୟେଷ୍ଠମାସିଆ ଦିନ, ଚାଳ ବାଡ଼ ଶୁଖି ସବୁ ଝୁଣା ହୋଇ ରହିଥିଲା, ପାଖ ମୁହିଁବାକୁ ସାଧ୍ୟକାହାର ? ପବନ ଏତିକିବେଳେ କାହିଁ ଥିଲା । କେବଳ ଆଟୁ ଭିତରକୁ ନିଆଁ ଯାଇପାରି ନାହିଁ, କବାଟ ଧରିଲାଣି । ହଳିଆମାନେ ମାଠିଆ ମାଠିଆ ପାଣି ପକାଇ ଆଟୁ କବାଟ ପାଖକୁ ଯିବାକୁ ଚେଷ୍ଟା କରୁଅଛନ୍ତି । ଯାତ୍ରାକାଳିଆମାନେ ବାହୁଡ଼ି ଅଇଲେଣି । ଦିନ ଛ ଘଡ଼ି, ତଳେ ନିଆଁ, ଉପରେ ନିଆଁ, ଘରୁ କୁଟାକେରାଏ ବାହାରି ନାହିଁ । ଅଧରାତିରେ ନିଆଁ ଲଗିଲା, ମାଇକିନିଆମାନେ ନିଦବାଉଳାରେ ହାଉଳି ଖାଇ ଦେହଲୁଗା ଘେନି ବାହାରି ତୋଟା ମଧ୍ୟରେ ଗଛମୂଳେ ବସିଅଛନ୍ତି । ବଣ ବିରାଡ଼ି ପରି ଘରନିଆଁକୁ ଅନାଇ ଡକା ପାଡୁଛନ୍ତି । ହଳିଆ ମାନେ ଗାଈ ବଳଦ ଫିଟାଇଦେଇ ଆଗରୁ ପଳାଇଯାଥିଲେ । ସେମାନେ ଚେଷ୍ଟା କରିଥିଲେ କେତେକ ଜିନିଷ ବଞ୍ଚାଇପାରିଥାଆନ୍ତେ; ମାତ୍ର ପରପାଇଁ କେତେଜଣ ନିଆଁରେ ପଶନ୍ତି ? ଦିନ ବୁଡ଼ିଆସିଲାଣି । ବାଘସିଂହ ଘରେ ପିଲାଠାରୁ ବୁଢ଼ାଯାଏ କାହାରି ଦାନ୍ତରେ ଦାନ୍ତକାଠି ବାଜିନାହିଁ ; ପିଲାଗୁଡ଼ିଙ୍କୁ ଆଉ ବୋହୂଗୁଡ଼ାଙ୍କୁ ଝୋଲା ମାରିଗଲାଣି । ବୁଢ଼ା ପୁରୋହିତ କେଳୁ ରଥେ ଅନେକ ବୁଝାଇ ସମଝାଇ ଦାନ୍ତ ଘସାଇଲେ ଘରୁ ଗୁଡ଼, ଚୁଡ଼ା କଂସା କଂସା ତୋରାଣି ସମସ୍ତଙ୍କୁ ମୁଦାଏ ମୁଦାଏ ପିଆଇ ସାଷ୍ଟମ କରାଇଲେ । ମାଈକିନିଆ ମଧ୍ୟରେ କେହି ଖାଇଲା ବା କେହି ନ ଖାଇଲା, ବାଘସିଂହ ଘରଆଡ଼େ ଚାହିଁ ଢକଢକ କରି ଢାଳେ ପାଣି ପିଇଦେଇ ପଡ଼ିଗଲେ । ଧାନ ଘର ଛାଡ଼ି ଆଉ ଆଉ ଘରେ ନିଆଁ ଲିଭିଲାଣି, କୌଣସି କୌଣସି ଘରୁ ଅଳପ ଅଳପ ଧୂଆଁ ବାହାରୁଅଛି । ରାତି ଅନ୍ଦାଜ ଦୁଇଘଡ଼ି, ଭାଇମାନଙ୍କ ସହିତ ବାଘସିଂହ ଆଉ ଗାଁଲୋକେ ସମସ୍ତେ ଗୋଟାଏ ଗଛମୂଳେ ବସିଛନ୍ତି । ବାଘସିଂହ ପଚାରିଲେ, “ନିଆଁ କିପରି ଲାଗିଲା ?” ସମସ୍ତଙ୍କର ପ୍ରଶ୍ନ – ନିଆଁ କିପରି ଲାଗିଲା ? ଉତ୍ତର ଦେଉଛି କିଏ ? କେଳୁ ରଥେ କହିଲେ, “ନିଆଁ ଲଗାଇବ କିଏ, ବାଘଦୁଆରକୁ କିଏ ଆସିବ । ହିଙ୍ଗୁଳା ଠାକୁରାଣୀଙ୍କର କର୍ମ ।” ସମସ୍ତେ ତାହାଙ୍କ ମୁହଁକୁ ଚାହିଁ କହିଲେ, “ଠିକ୍, ଏଇ କଥା ଠିକ୍ ।” ଗୋବିନ୍ଦ ରଥେ କହିଲେ, “ନାହିଁ ହୋ ତାହା ନୁହେଁ, ବୁଢ଼ୀ ମଙ୍ଗଳାଙ୍କ କୋପ । ଦେଖୁ ନାହାନ୍ତି ମଙ୍ଗରାଜ ବରଷକସାରା ପୂଜା ଲଗାଉଛନ୍ତି । ମୂଁ କେତେ ଥର କହିଲି ପୂଜା ପଠାଅ ଶୁଣିଲେନାହିଁ, ଏବେ ଦେଖିଲେତ ? ମୁଁ ନବୁଝି ନସୁଝି କଛି କଥା କହେ ନାହିଁ । ଠାକୁରାଣୀ କୁଟ ନ ହେଲେ ଓଳିପଛ ପାଳଦଉଡ଼ି ଗଦାରୁ ନିଆଁ କାହୁଁ ଅଇଲା ?” ମାଣିକ କହିଲା, ସେସବୁ “କଥା ଯାହାହେଉ, ନୂଆବୋହୁ ପହରାଟା ଏକା ବଡ଼ ଖରାପ । ସେ ଏ ଘରେ ପାଦ ଦେବା ଦିନୁ ନାନା ଅମଙ୍ଗଳ ଗୋଡ଼ାଇଛି ।” ଶାମା ମାଆ କହିଲା, “ଏକଥାଟାଏକା ସତ, ଠିକ୍ ସତ । ଡରରେ ସିନା କହିପାରୁନଥିଲେ ! ଦେଖିଲେ ନା ଚୈଇତମାସରେ କିଛି କାହିଁ ନାହିଁ, ଗାଈଟାକୁ ସାପ ଦଂଶିଦେଲା ! ସାପ କି ଏ ଗାଁରେ ନ ଥିଲେ ? ଗାଈ କାମୁଡ଼ିଥିଲେ କେଉଁ ଦିନ ? ମୋହର ତ ବାରପୁଞ୍ଜା ବୟସ ହେଲା, ‘ବାଘସିଂହ ଘର ଗାଈକୁ ସାପ କାମୁଡ଼ିଛି’, ଏକଥା ଶୁଣି ନାହିଁ। “ମଓରା ହଳିଆ କହିଲା, ନୁହେଁ ତ କଣ ? ଦୁଇବରଷ ତଳେ ମୋହର ହାତୀ ପରି ଦୁଇଟା ବଳଦ ଗୁମ୍‌ଗୁମ୍ କରି ବସିଗଲେ । “ଅର୍ଜ୍ଜୁନା ହଳିଆ କହିଲା, “ଏହି ଆମ୍ବ ତୋଟାରେ ଗୋରୁ ଚରୁଥିଲେ, ଏ ବରଷ ଗୋଟାଏ ଦେଖିବାକୁ ସପନ । “ହଳିଆ ହଳିଆଣୀ, ଭଣ୍ତାରି ଭଣ୍ତାରୁଣୀ ସମସ୍ତଙ୍କ ଅନୁମାନ, ଯୁକ୍ତି ଏବଂ ପ୍ରମାଣ ପ୍ରୟୋଗଦ୍ୱାରା ସ୍ଥିରହେଲା ବୋହୂ ପହରା ଘରପୋଡ଼ିର କାରଣ ଅଟେ । ଏହି ସିଦ୍ଧାନ୍ତର ପୋଷକତାନିମନ୍ତେ ମାଣିକ ପୁନଶ୍ଚ କହିଲେ,”ଦେଖୁନାହଁ, ବୋହୁ ମାଉସୀ ଯେପରି ପାଦ ଦେଇଛି, ତିନିଦିନ ଯାଇନାହିଁ, ତିନି ପକ୍ଷ ଯାଇନାହିଁ ଅମଙ୍ଗଳ ସାଙ୍ଗେ ସାଙ୍ଗେ ।” ବାଘସିଂହ ପଚାରିଲେ, “ବୋହୁ ମାଉସୀ କିଏ ? ବୋହୁ ମାଉସୀ କିଏ ?’ ଡୋଲିଚଢ଼ି ବୋଉ ମାଉସୀର ଆଗମନ, ଅଶ୍ୱାରୋହଣପୂର୍ବକ ଡାଳିଯୋଡ଼ା ଫତେ ସିଂହଙ୍କର ଦେବଦର୍ଶନକୁ ଯାତ୍ରା ଇତ୍ୟାଦି ଯଥା ଶ୍ରୁତ ସାଳଙ୍କାରେ ପୂର୍ବକଥିତ ମାଣିକ ବର୍ଣ୍ଣନା କଲା ଏବଂ ସଙ୍ଗେ ସଙ୍ଗେ ମାଉସୀ ଆଣିଥିବା ଭାରର ସଂଖ୍ୟା, ଭାରସ୍ଥିତ ପଦାର୍ଥମାନଙ୍କ ବିଷୟ ବର୍ଣ୍ଣନା କରିବାକୁ ବିସ୍ମୃତ ହେଲାନାହିଁ । ସାବି ମା କେଉଟୁଣୀ କହିଲା, “ସେ ଗୋବିନ୍ଦପରୁକୁ କେତେଥର ଚୁଡ଼ା ବିକିବାକୁ ଯାଇ ଦେଖିଆସିଛି, ବୋହୁ ମାଉସୀ ରୂପ ଠିକ୍ ରାମଚନ୍ଦ୍ର ମଙ୍ଗରାଜ ଘରର ଚମ୍ପାପରି ।” ଶଙ୍କରା ହଳିଆ କହିଲା,” ଯେଉଁ ଲୋକଟା ପଣସ ଭାର ଆଣିଥିଲା, ସେଟା ମଙ୍ଗରାଜଙ୍କ ହଳିଆ ।” ବାଘସିଂହ ଭାଇମାନେ ମୁହଁ ଚାହାଁଚୁହିଁ ହୋଇ କହିଲେ, “କାହିଁ, ଆମ୍ଭେମାନେ ତ ଦାଣ୍ତ ଦାଣ୍ତ କେନ୍ଦ୍ରାପଡ଼ାରୁ ଆସୁଅଛୁଁ, ଡୋଲି କିମ୍ବା ଘୋଡ଼ା ତ ଦେଖିଲୁ ନାହିଁ ?” କେନ୍ଦ୍ରାପଡ଼ା ଦାଣ୍ତ ଏବଂ ଡାଳିଯୋଡ଼ା ଫତେସିଂହଙ୍କ ଘରଠାରୁ ରାତିରାତି ଲୋକ ଗଲେ । ସେମାନେ ବାହୁଡ଼ି ଯେଉଁ ସମ୍ବାଦ ଦେଲେ, ସେଥିରୁ ଜଣାଗଲା, ସର୍ବୈବ ମିଥ୍ୟା, ମାଉସୀର ଅସ୍ତିତ୍ୱ ଅସ୍ୱୀକାର । ଏହି ଘଟନା ଘେନି ଗ୍ରାମ ମଧ୍ୟରେ ଅନେକ ଦିନ ପର୍ଯ୍ୟନ୍ତ ଆଲୋଚନା ହେଲା, ଆଖ ପାଖ ଗ୍ରାମରେ ମଧ୍ୟ କଥା ପଡ଼ିଲା । ସମସ୍ତେ ଅନୁମାନ କଲେ, ଏହା ମଙ୍ଗଳାର ମାୟା । ଆମ୍ଭେମାନେ କହୁ, ପିଶାଚୀର କାର୍ଯ୍ୟ ହୋଇପାରେ । ଡାଳିଯୋଡ଼ା ଫତେସିଂହ ସଙ୍ଖୁଳି ଆସି ଝିଅକୁ ଘେନିଗଲେ । ଲୋକେ କହନ୍ତି, ପିଲାଟା ଯେପରି ଅନ୍ନ ଜଳ ଛାଡ଼ି ବସିଥିଲା, ବାପ ଘେନିଯାଇ ନ ଥିଲେ, ପ୍ରାଣ ପାଇବା କଠିନ ହୋଇଥାନ୍ତା ।

Share. Facebook Twitter Pinterest LinkedIn Tumblr Reddit Email
Previous Articleଟାଙ୍ଗୀ ମାଉସୀ :
Next Article ସାଆନ୍ତାଣି :
ଫକୀର ମୋହନ ସେନାପତି

Related Posts

ଡାକମୁନ୍ସି

February 10, 2022

ଉପସଂହାର

November 26, 2018

ଅପୂର୍ବ ମିଳନ :

November 26, 2018

ବାବାଜୀ ଲଳିତା ଦାସ :

November 26, 2018

ମଙ୍ଗରାଜ ଘରର ହାଲଚାଲ :

November 26, 2018

ଖୁଣି ତଦାରଖି :

November 26, 2018
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.