ସେଦିନ ଉଆସରେ ଥାଆନ୍ତି ସମ୍ରାଟ୍ । କୌଣସି ଏକ ମଜା କଥାରେ ବେଗମ୍ ସାହେବ୍ଙ୍କ ସହିତ ମାତି ଯାଇଥିଲେ । ସେତିକି ବେଳେ ଦାସୀ ଆସି ସମ୍ରାଟଙ୍କୁ ପ୍ରଣାମ ନିବେଦନ କରି କହିଲା, ଜାହାଁପନା ଶଳା ସାହେବ ପ୍ରବେଶ ନିମନ୍ତେ ଜାହାଁପନାଙ୍କର ଆଦେଶ ଚାହୁଁଛନ୍ତି ।
ସମ୍ରାଟ୍ ସେ କଥା ଦାସୀଠାରୁ ଶୁଣି ହସି ଉଠି କହି ପକାଇଲେ ଯେ, ଆରେ ଶଳା ସାହେବଙ୍କର ଆସିବା ନିମନ୍ତେ କି ଆଦେଶ । ଆରେ ସବୁ କଥା ଗୋଟେ ଆଡେ ତ ସ୍ତ୍ରୀଙ୍କ ଭାଇ ଅନ୍ୟ ଗୋଟେ ଆଡେ । ଏହା ପରେ ଦାସୀ ସ୍ମିତ ହସଟିଏ ହସି ଦେଇ ସେଠାରୁ ଚାଲିଗଲା ।
ସମ୍ରାଟଙ୍କ କଥାକୁ ତ ଭଲ ଭାବରେ ଶୁଣିଥିଲେ ବେଗମ୍ ସାହେବା, ସେ କୋଉ ଛାଡିବା ଲୋକ ସେ ସଙ୍ଗେ ସଙ୍ଗେ କଥାକୁ ଛଡେଇ ନେଇ କହିଲେ, ଠିକ୍ ସେୟା ନୁହେଁ, ସବୁ ଗୋଟେ ଆଡେ ସ୍ୱାମୀଙ୍କର ଭାଇ ଗୋଟେ ଆଡେ ।
ଏହିପରି କଥୋପକଥନ ମଧ୍ୟରେ ଶଳା ସାହେବ ସେଠାରେ ଆସି ଉପସ୍ଥିତ ହୋଇଯାଆନ୍ତେ ସମ୍ରାଟ୍ ପଚାରିଲେ, କ’ଣ ଆଉ ସବୁ ଭଲ ତ? କୁଶଳ ନେଇ ଆସିଅଛ ତ!
ସ୍ତ୍ରୀ ହସିଦେଲାବେଳେ ଶଳା ସାହେବ୍ କହିଲେ – ସବୁକିଛି ମଙ୍ଗଳ, ହେଲେ ମୋର ଜାହାଁପନାଙ୍କ ନିକଟରେ ଗୋଟିଏ ଆବେଦନ ଅଛି । କହିବେ ତ ଏଠାରେ ପ୍ରକାଶ କରିପାରିବି?
ସମ୍ରାଟ୍ କହିଲେ, ତାହା ହେଲେ ତୁମର ଆବେଦନ ଏଠାରେ ପ୍ରକାଶ କର । ଆବେଦନ କଲେ ସେ ବିଷୟରେ କଥା ହେବା ।
ସମ୍ରାଟଙ୍କର ମନ ପ୍ରାୟ ଶାନ୍ତ ଥିଲା । ଏପରି ସୁଯୋଗକୁ ଆଦୌ ହାତଛଡା ନ କରି ଶଳା ସାହେବ୍ କହିଲେ, ମୁଁ ଶୁଣି ଆସିଲି ଯେ ବିରବଲଙ୍କ ତୁଲ୍ୟ ମୁସଲମାନ ଏଠାରେ ନାହାଁନ୍ତି । ସେକଥା ଶୁଣିବା ପରେ ବର୍ତ୍ତମାନ ମୋର ଦାବି ଯେ ବିରବଲଙ୍କ ସମକକ୍ଷ ମୁଁ ହିଁ ହେବି । ତେଣୁ ବିରବଲଙ୍କ ବଦଳରେ ମୋତେ ଏଠାରେ ରଖାଯାଉ ।
ଶଳା ସାହେବଙ୍କ କଥା ଶୁଣି ସମ୍ରାଟ୍ କହିଲେ, ଆରେ ଶଳା ସାହେବ୍ ତ ସମ୍ରାଟଙ୍କ ବିଶ୍ୱାସ ଲୋକ । କିଏ ମନା କଲା । ତୁମେ ଯଦି ବିରବଲଙ୍କ ସମକକ୍ଷ ହେବ ତାହାହେଲେ ନିଯୁକ୍ତିର ଆବଶ୍ୟକ ନାହିଁ । ବର୍ତ୍ତମାନ ତୁମକୁ ବିରବଲଙ୍କର ସମକକ୍ଷଠାରୁ ଅଧିକ ହେବା ଦରକାର ।
ସମ୍ରାଟଙ୍କଠାରୁ ଏକଥା ଶୁଣି ଶଳା ସାହେବ୍ କହିଲେ, ତାହାହେଲେ ପରୀକ୍ଷା ହୋଇଯାଉ । ମୁଁ ଯଦି ଏହି ପରୀକ୍ଷାରେ ଉତୀର୍ଣ୍ଣ ହୋଇଗଲି ତାହାହେଲେ ମୋତେ ନିଯୁକ୍ତି ଦେବେ ତ?
ସମ୍ରାଟ୍ ଏଥର ବେଗମ୍ ସାହେବାଙ୍କ ମୁଖକୁ ଚାହିଁ ଦେଇ ମୁରୁକି ହସି କହିଲେ, ଉତ୍ତମ, ପରୀକ୍ଷାରେ ଉତୀର୍ଣ୍ଣ ହୋଇଗଲେ ତୁମେ ଯେ ମୋର ମଧୁରବନ୍ଧୁ । ତୁମକୁ ନିଯୁକ୍ତି ନଦେଇ ଆଉ ପୁଣି କାହାକୁ ନିଯୁକ୍ତି ଦେଇପାରିବି ଏକଥା ନିଶ୍ଚିତ ଯେ ତୁମେ ହିଁ ବିରବଲଙ୍କ ସ୍ଥାନରେ ନିଶ୍ଚୟ ନିଯୁକ୍ତି ପାଇବ ।
ଏହାପରେ ସମ୍ରାଟ୍ ଜଣେ ଦୂତକୁ ଆଦେଶ କଲେ, ଯଥାଶିଘ୍ର ଗୋଟିଏ କଳାଫରୁଆ ଅଣାଯାଉ ।
ଦୂତ ସଙ୍ଗେ ସଙ୍ଗେ ଉଆସ ଆଡୁ ଯାଇ କଳାଫରୁଆଟିଏ ଆଣି ପହଁଚାଇ ଦେଲା ।
ସମ୍ରାଟ୍ କହିଲେ, ସେହି ଫରୁଆଟିକୁ ସୁସଜ୍ଜିତ ପାତ୍ରରେ ଟେବୁଲ୍ ଉପରେ ରଖି ଏହି କଳାଫରୁଆକୁ ଦଶହଜାର ଟଙ୍କାରେ ବିକ୍ରୟ କରି ମୋ ପାଖରେ ପହଁଚାଇ ଦେଲେ ତୁମେ ଉତୀର୍ଣ୍ଣ ହେଲ ବୋଲି ଜାଣିବ । ତା’ପରେ ତୁମକୁ ବିରବଲ ସ୍ଥାନରେ ନିଯୁକ୍ତି ଦିଆଯିବ ।
ସମ୍ରାଟଙ୍କର ଏହିପରି ଏକ ଅସମ୍ଭବ ପ୍ରକାର ପରୀକ୍ଷାକୁ ଦେଖି ଶଳା ସାହେବ୍ ଚମକି ପଡି ଭାବିବାକୁ ଲାଗିଲେ । ଏକ ଟଙ୍କାର ଏପରି ଫରୁଆକୁ କେହି ନେବେ କି ନାହିଁ ସନ୍ଦେହ । ହେଲେ ଦଶ ହଜାର ଟଙ୍କାରେ ସେ କିପରି ତାହାକୁ ବିକ୍ରୟ କରିପାରିବେ, ଏପରି ଫରୁଆ ମୋଟେ ଦଶହଜାର ଟଙ୍କାରେ ବିକ୍ରୟ ହୋଇପାରିବ ନାହିଁ । ଏହା ହେଉଛି ସମ୍ରାଟଙ୍କ ଏକ ଚାଲ୍ । ତାଙ୍କର ଇଚ୍ଛା ବିରବଲ ହିଁ ସେହି ପଦବୀର ନିଯୁକ୍ତି ପାଇବା ନିମନ୍ତେ ଉପଯୁକ୍ତ । ତେବେ ବିରବଲ ନିଜେ ମଧ୍ୟ ଏହି ଫରୁଆକୁ ଦଶହଜାର ଟଙ୍କାରେ ବିକ୍ରୟ କରି ପାରିବ ଏପରି ବିଶ୍ୱାସ ମୋର ହେଉ ନାହିଁ । ତେଣୁ ମୋତେ ମଧ୍ୟ ଏହି ବିଚାର ଉପରେ ଅଭିଯୋଗ ଆଣିବାକୁ ହେବ ।
ଏହିପରି ଚିନ୍ତା କରି ତିନି ଦିନ ଗୃହ ମଧ୍ୟରେ ବିତାଇ ଦେଲେ । ଚତୁର୍ଥ ଦିନ ସେ ସମ୍ରାଟଙ୍କ ନିକଟରେ ଅଭିଯୋଗ କଲେ ଯେ ଦେଖନ୍ତୁ ଜାହାଁପନା ଏହି କଳା ଫରୁଆକୁ କେହି କେବେ ଏକ ଟଙ୍କାରେ ନେବାକୁ ଗ୍ରାହକ ହୋଇ ଆସିଲେ ନାହିଁ । କାରଣ ସାଧାରଣ ଫରୁଆଟା ଯେ କାହାର ବି କାମରେ ଆସିବ । ଏହାର ଦାମ୍ ପୁଣି ଅମୂଲ ମୂଲ ଦଶ ହଜାର ଟଙ୍କା!
ସମ୍ରାଟ୍ ଏ କଥା ଶୁଣିବା ପରେ ଶଳା ସାହେବଙ୍କୁ କହିଲେ, ଠିକ୍ଅଛି । ଆସନ୍ତା କାଲି ରାଜଦରବାରକୁ ଆସ । ସେହିଠାରେ ଏହାର ପୁନଃବିଚାର କରାଯିବ ।
ତା’ପରଦିନ ସମ୍ରାଟ୍ ଆକବର ଯାଇ ଦରବାରରେ ପହଁଚି ସିଂହାସନ ଆରୋହଣ କଲେ । ସେଦିନ ପାରିଷଦମାନଙ୍କ ଦ୍ୱାରା ସଭାଗୃହ ଖୁବ୍ ଗହଳଚହଳ ଥିଲା । ସମ୍ରାଟ୍ ସେହିଠାରେ ଏହି ବିଷୟରେ ଆଲୋଚନା କରିବାକୁ ଚାହିଁ ଶଳା ସାହେବଙ୍କୁ ସଭାସ୍ଥଳକୁ ଡକାଇ ତାଙ୍କୁ ଏ ବିଷୟରେ ପଚାରିବାରୁ ଶଳା ସାହେବ ଗତକାଲି ଯେପରି ଭାବରେ ସମ୍ରାଟଙ୍କ ନିକଟରେ ଅଭିଯୋଗ କରିଥିଲେ ସେହିପରି ଭାବରେ ସେ ସଭାରେ କଳାଫରୁଆ ସମ୍ପର୍କରେ ଆଲୋଚନା କଲେ ।
ସଭାରେ ଉପସ୍ଥିତ ଥିବା ପାରିଷଦ ଗଣ ମଧ୍ୟ ମନେ ମନେ କଥାଟାକୁ ବେପସନ୍ଦ କରୁଥିଲେ । ହେଲେ କାହାର ସାହସ ଅଛି ଯେ ସେ ଆସି ଏହି କଥାକୁ ସମ୍ରାଟଙ୍କ ଆଗରେ ଯୁକ୍ତି କରିବ ଯେ ସାଧାରଣ ଫରୁଆ ଗୋଟେ ତା’ର ମୂଲ ପୁଣି ଅସମ୍ଭବ ।
ସେହି ଫରୁଆ ବିଷୟରେ ଆଲୋଚନା କରିବା ନିମନ୍ତେ ଅନ୍ୟ କେହି ସଭାରେ ସାହସ କଲେ ନାହିଁ । ପରିଶେଷରେ ସମ୍ରାଟ୍ କହିଲେ, ଆଜି ସଭାରେ ବିରବଲ ଉପସ୍ଥିତ ଅଛନ୍ତି କି?
ବିରବଲ ସେତେବେଳେ କୌଣସି ଏକ କୋଣରେ ବସିଥିଲେ । ସମ୍ରାଟଙ୍କ ମୁଖରୁ ତାଙ୍କ ନାମ ଶୁଣିବା ମାତ୍ରକେ ସେ ସଂଗେ ସଂଗେ ସମ୍ରାଟଙ୍କ ସାମ୍ନାକୁ ଆସିଯିବାରୁ ସମ୍ରାଟ ତାଙ୍କୁ କହିଲେ, ତୁମେ ବର୍ତ୍ତମାନ ସଭାରେ ଯାହା ଯାହା ଆଲୋଚନା ହେଲା ତାହା ସମସ୍ତ ତମ୍ଭେ ଶୁଣିଅଛ କି ନାହିଁ ।
ବିରବଲ କହିଲେ, ହଜୁର୍! ମୁଁ ସମସ୍ତ ଆଲୋଚନା ଶୁଣିଅଛି । ସମ୍ରାଟ୍ କହିଲେ, ଯେ ଏହି କଳା ଫରୁଆକୁ ତୁମେ ଦଶ ହଜାର ଟଙ୍କା ମୂଲ୍ୟରେ ବିକ୍ରୟ କରିପାରିବ କି?
ବିରବଲ କହିଲେ – ଜାହାଁପନାଙ୍କର ଆଦେଶ ହେଲେ ତାହା ନିଶ୍ଚୟ କରିପାରିବି ।
ତାହା ହେଲେ ବର୍ତ୍ତମାନ ମୁଁ ତୁମକୁ ସେହି କଳାଫରୁଆ ଗୋଟିକ ଦେଉଅଛି । ତାହାକୁ ତୁମେ ତିଦି ଦିନ ମଧ୍ୟରେ ବିକ୍ରୟ କରି ଆଣି ମୋର ନିକଟରେ ଦଶହଜାର ଟଙ୍କା ଦାଖଲ କରିବ ।
ଏଥୁଅନ୍ତେ ବିରବଲ ଦରବାରରୁ କଳାଫରୁଆଟିକୁ ଧରି ଘରକୁ ଆସିଲେ, ଘରେ ବସି ଦର୍ଜିକୁ ଡକାଇ ପକାଇ ଏକ ମଖମଲ ବଳାରେ ଗୋଟିଏ ଢିଲା ପୋଷାକ ବନାଇବାକୁ ଆଦେଶ ଦେଲେ । ଦର୍ଜି ପୋଷାକ ଓ ଟୋପିର ମାପ ନେଇ ଚାଲିଗଲା ।
ତା’ପରେ ବିରବଲ ସେହି କଳାଫରୁଆକୁ ବଳା ସହିତ ଶୁଖାଇ ତାକୁ ଭଲଭାବେ ଗୁଳା କରି ସୂର୍ମା ପ୍ରସ୍ତୁତ କଲେ । ସେହି ସୂର୍ମାକୁ ପୁଣି ଏକ ଦାମୀ ଅଳଙ୍କାର ମଧ୍ୟରେ ରଖିଲେ ।
ପୁଣି ଏକ ସୁବର୍ଣ୍ଣର ଡବାରେ ରଖିଲେ । ତା’ପରେ ସେ ଡବାକୁ ଏକ ରୌପ୍ୟ ଡବା ଭିତରେ ରଖିଲେ । ଏହିପରି ଭାବରେ ଭିତରେ ଭିତରେ ସାତଗୋଟି ଡବା ମଧ୍ୟରେ ରଖି ତାହାକୁ ତା’ପରେ ଏକ ଚମଡା ଡବା ମଧ୍ୟରେ ଯତ୍ନର ସହିତ ରଖିଲେ । ଏହାପରେ ବିରବଲ ଏକ ହୀରା ଖଚିତ ବାଡି ବାହାର କରି ଗଳାରେ ଏକ ମୂଲ୍ୟବାନ୍ ମାଳି ଧାରଣ କରି ମଖମଲ ପେଷୋକ ପିନ୍ଧି ସେ ବମ୍ବେ ସହର ଅଭିମୁଖେ ଯାତ୍ରା ଆରମ୍ଭ କଲେ ।
ସେଠାରେ ପହଁଚିବା ପରେ ସେ ଏକ ଆଲିସାନ୍ ହୋଟେଲ୍ରେ ରହି ପ୍ରଚାର କଲେ ଯେ, ଆମ୍ଭ ନିକଟରେ ଏପରି ସୂର୍ମା ଅଛି ଯେ ତାହାକୁ ଆଖିରେ ଲଗାଇଲେ ସେ ତାଙ୍କ ପୂର୍ବପୁରୁଷଙ୍କୁ ଦେଖିପାରିବେ । ତାହାର ସାଧାରଣ ମୂଲ୍ୟ ମାତ୍ର ଦଶହଜାର ଟଙ୍କା ।
ସହର ସାରା ଏହି କଥା ପ୍ରଚାର ହୋଇଗଲା । ଅନେକ ତ ନିଜର ପୂର୍ବ ପୁରୁଷମାନଙ୍କୁ ଦେଖିବା ନିମନ୍ତେ ସଦାସର୍ବଦା ଆକାଂକ୍ଷିତ, ତାହା ପୁଣି ଅସମ୍ଭବ । ଏପରି ଅସମ୍ଭବ କଥାକୁ ପ୍ରଚାରରେ ଶୁଣିବା ପରେ ସହର ସାରାର ଲୋକେ ବ୍ୟତିବ୍ୟସ୍ତ ହୋଇଗଲେ ସିନା ହେଲେ ଏତେ ମୋଟା ଅଙ୍କର ପଇସା କାହା ପାଖରେ ଯେ ସମ୍ଭବ ତାହା ନେବା ପାଇଁ, କିନ୍ତୁ ସମସ୍ତଙ୍କ ପାଖରେ ଏହା ଅସମ୍ଭବ ହୋଇଗଲା ।
ସେ ଯାହା ହେଉ ସେହି ସହରରେ ଜଣେ ମାଢୁଆଳି ଥିଲେ । ସେ ତାଙ୍କର ପିତୃ ପୁରୁଷଙ୍କ ନିମନ୍ତେ ସଦାସର୍ବଦା ବ୍ୟାକୁଳ ହେଉଥାଆନ୍ତି । ତାଙ୍କ କାନରେ ଯେତେବେଳେ ଏହି କଥା ପଡିଲା ମାଢୁଆଳି ସେଠ୍ ଶର୍ମା ପୂର୍ବ ପୁରୁଷଙ୍କୁ କିପରି ଦେଖିପାରିବେ ସେଥି ଲାଗି ସେ ବ୍ୟାକୁଳିତ ହେଲେ । ସେ ଭାବିଲେ ବର୍ତ୍ତମାନ ମୋ ପାଖରେ ଯାହା ଗଚ୍ଛିତ ଧନ ସମସ୍ତ ଅଛି ତାହା ତ ସେହି ପୂର୍ବପୁରୁଷଙ୍କର, ତାଙ୍କ ନିମନ୍ତେ ଦଶହଜାର ଟଙ୍କା ଯେବେ ବ୍ୟୟ ହେବ ସେଥିଲାଗି ମନରେ ବା କାହିଁକି ଦୁଃଖ ଆସିବ ।
ଏହାପରେ ସେ ନିଜର ଚାକରକୁ ବିରବଲଙ୍କ ନିକଟକୁ ପଠାଇ ଦେଲେ । ଚାକର ସେଠ୍ ଶର୍ମାଙ୍କ ମନର ଅଭିଳାଶ କଥା ଜାଣି ତାଙ୍କ ନିକଟକୁ ଯିବା ନିମନ୍ତେ ବିରବଲଙ୍କୁ ଅନୁରୋଧ କଲେ ।
ଏହାପରେ ବିରବଲ ସୂରମା ଧରି ସେଠ୍ ଶର୍ମାଙ୍କ ଘରକୁ ଯାଆନ୍ତେ ତାଙ୍କ ପଛେ ପଛେ ଏହି ଅସମ୍ଭବ କଥା ଦେଖିବା ନିମନ୍ତେ ଅନେକ ଲୋକ ଚାଲିଲେ ।
ବିରବଲ ଯେତେବେଳେ ସେଠ୍ ଶର୍ମାଙ୍କ ଘର ସମ୍ମୁଖରେ ପହଁଚିଲେ ଚାକର ତାଙ୍କୁ ଘର ଭିତରକୁ ଯିବାକୁ କହନ୍ତେ ବିରବଲ କହିଲେ – ଏହା ହୋଇପାରିବ ନାହିଁ । ଆମ୍ଭେ କାହାରି ଘର ଭିତରକୁ ଯାଇ ବେପାର କରିବାକୁ ଚାହୁଁନା । ତେଣୁ ସେଠ୍ଙ୍କୁ ଏଠାକୁ ଡାକନ୍ତୁ । ମୁଁ ତାଙ୍କୁ ଏହିଠାରେ ସୂରମା ଦେଖାଇବି ।
ଏହାପରେ ଚାକର ଯାଇ ସେଠ୍ଙ୍କୁ ବିରବଲଙ୍କର ଆଗମନର ସୂଚନା ଦିଅନ୍ତେ, ସେଠ୍ ବିରବଲଙ୍କୁ ବାହାରେ ବସିବାର ସୂଚନା ଦେଲେ । ସେଠାରେ ଆସନ ପାଇ ବିରବଲ ଓ ତାହାଙ୍କର ଚତୁଃପାଶ୍ୱର୍ରେ ଶହ ଶହ ଦେଖଣାହାରୀ ମଧ୍ୟ ଜମା ହୋଇ ରହିଲେ ।
ଏଥୁ ଅନ୍ତେ ସେଠ୍ ଦଶହଜାର ଟଙ୍କା ସହିତ ବିରବଲଙ୍କ ପାଖରେ ପହଁଚନ୍ତେ ବିରବଲ ସୁବର୍ଣ୍ଣ ଆଦି ଡବା ମଧ୍ୟରୁ ସୂରମା ବାହାର କଲେ ଓ କହିଲେ – ଦଶହଜାର ଟଙ୍କା ଦେଇଦେବା ପରେ ମୁଁ ଆପଣଙ୍କୁ ସୂରମା ଦେଇ ଆପଣଙ୍କର ପୂର୍ବ ପୁରୁଷମାନଙ୍କୁ କିପରି ଦେଖିବେ ତା’ର ସୂତ୍ର ଜଣାଇଦେବି ।
ବିରବଲ ଦଶହଜାର ଟଙ୍କା ପରିବର୍ତେ ସ୍ୱର୍ଣ୍ଣମୁଦ୍ରା କିଛି ତା’ର ମୂଲ୍ୟର ପ୍ରଦାନ କଲେ ।
ବିରବଲ ସୂର୍ମାର ଟଙ୍କାପାଇଗଲେ, ତା’ପରେ ସେ ସେଠ୍ଙ୍କ କାନ ପାଖକୁ ମୁଖ ନେଇ ଧୀରେ ଧୀରେ କହିଲେ – ସେଠ୍ ଜୀ! ଏହି ସୂର୍ମାର ଏକ ପ୍ରକାର ବିଶେଷ ଗୁଣ ଅଛି । ଏଥିରେ ନିଜର ପୂର୍ବପୁରୁଷଙ୍କୁ ଦେଖିପାରିବେ । ଯଦି କାହାର ମାତା ପରପୁରୁଷ ସଂଯୋଗରେ ସନ୍ତାନ ପ୍ରସବ କରି ଥାଆନ୍ତି ତାହାହେଲେ ସେମାନେ ସୂରମା ଲଗା ପୂର୍ବପୁରୁଷଙ୍କୁ ଦେଖିବାରୁ ନିଷ୍ଫଳ ହେବେ । କାରଣ ଜାରଜ ସନ୍ତାନମାନେ ଏ ସଂସାରରେ କଳଙ୍କ ଓ ପାପ ତାଙ୍କ ପଛେ ପଛେ ଥାଏ । ପୂର୍ବ ପୁରୁଷଠାରୁ ପରପୁରୁଷ ଯାଏଁ ସେହି ପାପରେ ଘାଂଟି ହୋଇଥାଆନ୍ତି ।
ଏହାପରେ ସେଠ୍ଙ୍କ ନେତ୍ରରେ ବିରବଲ ସୂର୍ମାକୁ ଲଗାଇ ଦେଲେ । ସୂର୍ମା ଲଗାଇବା ପରେ ସେଠ୍ଙ୍କୁ ଆଉ କିଛି ଦେଖା ଗଲା ନାହିଁ । ଏଥର ବିରବଲଙ୍କ କହିବାନୁସାରେ ସେ ଜାରଜ ସନ୍ତାନ ବୋଲି ପ୍ରମାଣିତ ହୋଇଗଲେ । ଏବେ ସେ ଯଦି କହନ୍ତି ତାଙ୍କୁ ପୂର୍ବପୁରୁଷ ଦେଖାଗଲା ନାହିଁ ତାହା ହେଲେ ଏତେଜଣଙ୍କ ଆଗରେ ସେ କିପରି ନିଜକୁ ଜାରଜ ସନ୍ତାନର ପ୍ରମାଣ କରାଇ ଆଉ ମୁହଁ ଦେଖାଇ ପାରିବେ ତ? ତହୁଁ ସେଠ୍ ସେତେବେଳେ ମିଥ୍ୟା କହିବାକୁ ବାଧ୍ୟ ହୋଇ କହିଲେ, ହଁ.. ହଁ… ମୁଁ ମୋର ପୂର୍ବ ପୁରୁଷମାନଙ୍କୁ ଏଥିରେ ଦେଖିପାରୁଛି ।
ବିରବଲ କହିଲେ, ତାହା ହେଲେ ଆପଣ ସୂର୍ମା ସହିତ ଫରୁଆ କିଣିବାର ଏକ ଦସ୍ତାବିଜରେ ଦସ୍ତଖତ କରି ଦିଅନ୍ତୁ ।
ସେଠ୍ ଅବସ୍ଥା ଚକ୍ରରେ ପଡି ତାହା କରିବାକୁ ବାଧ୍ୟ ହେଲେ । ବିରବଲ ଠିକ୍ ତିନିଦିନ ପରେ ସମ୍ରାଟଙ୍କ ଦରବାରରେ ପହଁଚି ସମସ୍ତ କଥା ବର୍ଣ୍ଣନା କରିବା ସହିତ ସମ୍ରାଟଙ୍କୁ ଦଶ ହଜାର ଟଙ୍କା ପରିବର୍ତେ ସ୍ୱର୍ଣ୍ଣମୁଦ୍ରାଗୁଡିକ ପ୍ରଦାନ କଲେ ।
ସେତେବେଳେ ବିରବଲଙ୍କୁ ଆଲିଙ୍ଗନ କରି ସମ୍ରାଟ୍ କହିଲେ – ଧନ୍ୟ ତୁମେ ବିରବଲ । ତୁମେ ହିଁ ମୋ ଦରବାରରେ ଏହି ପଦବୀ ନିମନ୍ତେ ଉପଯୁକ୍ତ । ବିରବଲଙ୍କର ଚତୁର ବୁଦ୍ଧିର ବିଚକ୍ଷଣତା ଦେଖିବା ପରେ ସମ୍ରାଟଙ୍କ ଶଳାସାହେବ୍ ଲଜ୍ଜିତ ହୋଇ ଉଆସକୁ ଫେରିଗଲେ ।