• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»କନକ ଉପତ୍ୟକାର କାହାଣୀ
ଗଳ୍ପ

କନକ ଉପତ୍ୟକାର କାହାଣୀ

Liza SBy Liza SFebruary 5, 2023No Comments8 Mins Read
Facebook Twitter Pinterest Reddit LinkedIn Tumblr Email
Odia-Story-Kanaka-Upatyakara-Kahanee-sd
Odia-Story-Kanaka-Upatyakara-Kahanee-sd
Share
Facebook Twitter Pinterest Reddit Email

ବହୁ-ବହୁ କାଳ ତଳେ ଏକ ରାଜ୍ୟ ଥିଲା । ତା’ର ନାମ କନକ ଉପତ୍ୟକା । ତାକୁ ପ୍ରସ୍ତ ପ୍ରସ୍ତ ଉଚ୍ଚରୁ ଉଚ୍ଚତର ପର୍ବତ ବେଢି ରହିଥିଲା । ଘନ ଅରଣ୍ୟ ପର୍ବତମାଳାକୁ ଆବୋରି ରହିଥିଲା । ଉଚ୍ଚତମ ପର୍ବତ ଶିଖରରେ ଥିବା ଗଛଲତାମାନେ ସତେ ଅବା ମେଘମାଳାଙ୍କ ବୁକୁରେ ଗେହ୍ଲା ଶିଶୁଙ୍କ ଭଳି ମୁଣ୍ଡ ଗୁଞ୍ଜି ନିଦରେ ଶୋଇ ରହୁଥିଲେ!ମେଘମାନେ ସତରେ ସେ ଉପତ୍ୟକାକୁ ଭଲ ପାଉଥିଲେ । ସେମାନଙ୍କ ଆଗମନରେ ମୟୁରମାନେ ଅକ୍ଳାନ୍ତ ନାଚୁଥିଲେ । ବର୍ଷା ହେଲେ ପର୍ବତମାଳା ଭିତରେ ଝରଣାମାନ କିଏ ବା ରୁପେଲି ଫିତା ଭଳି ତ କିଏ ବା ସିଂହର ସୁନେଲି କେଶରାଶି ଭଳି ଘନ ଘନ ମେଘଡମ୍ବୁରୁ ସହ ତାଳଦେଇ ଝରି ଆସୁଥିଲେ ।ଲୋକେ ସୁଖରେ ଥିଲେ । ଖାଲି ଯେଉଁମାନେ ହିଂସ୍ର ଶୀକାରୀ ଭଳି ସୁଖ ପଛରେ ଦୌଡୁଥିଲେ, ସେହିମାନଙ୍କ ମୁହଁରେ ସୁଖର ଆଭାସ୍ ନଥିଲା । ସେମାନେ ହେଲେ ରାଜା ଓ ତାଙ୍କ ଅମାତ୍ୟବର୍ଗ ।ପ୍ରଜାଙ୍କ ସୁଖ ସୁବିଧା ଲାଗି ‘ବିଜ୍ଞ ମଣ୍ଡଳି’ ନାମ ଦେଇ ରାଜା ଗୋଟିଏ ସମିତି କରିଥିଲେ । ପ୍ରଥମ ବୈଠକରେହିଁ ସଦସ୍ୟମାନେ ଯେଉଁ ସର୍ବସମ୍ମତ ପ୍ରସ୍ତାବଟି ଗ୍ରହଣ କଲେ, ତାହାହେଲା, “ରାଜାଙ୍କ ସୁଖରେ ପ୍ରଜାଙ୍କ ସୁଖ” । ରାଜା ମୁଗ୍ଧ ହେଲେ ଓ ‘ବିଜ୍ଞ ମଣ୍ଡଳି’ର ନାମ ବଦଳାଇ ‘ଅତିବିଜ୍ଞ ମଣ୍ଡଳି’ ରଖିଲେ । ଦ୍ୱିତୀୟ ବୈଠକରେ ଅତିବିଜ୍ଞମାନେ ସ୍ଥିର କଲେ କି ରାଜାଙ୍କ ସୁଖ ପାଇଁ ନିତ୍ୟ ନୂତନ ବ୍ୟବସ୍ଥା ହେବା ଉଚିତ୍ । ସେ ଦିଗରେ ଏକ ଅଭିନବ ପଦକ୍ଷେପ ରୂପେ ଦରବାରୀ ଗାୟକମାନଙ୍କୁ ଶୀର୍ଷାସନ କରୁଥିବା ଅବସ୍ଥାରେ ଗୀତ ବୋଲିବାର ନିର୍ଦ୍ଧେଶ ଦିଆଗଲା । ଫଳ ଭଲ ହେଲା । ରାଜା ହସିଲେ ।

ଉପତ୍ୟକାର ଅଧିବାସୀମାନେ ଥରେ ଥରେ ରାଜନଅର ପଶ୍ଚାତରେ ଥିବା ପର୍ବତମାଳା ଆଡେ ଦୃଷ୍ଟିପାତ କରି ଦୀର୍ଘନିଃଶ୍ୱାସ ପକାଉଥାନ୍ତି । ପିତା ପିତାମହଙ୍କଠୁଁ ସେମାନେ ଏକ କିମ୍ବଦନ୍ତି ଶୁଣିଥାନ୍ତି । ଏକଦା ସେ ରାଜ୍ୟର ତରୁଣ ରାଜା ସ୍ୱୟଂ ଜଣେ ଶିଳ୍ପୀ ତଥା ସାଧକ ଥିଲେ । ଅରଣ୍ୟମୟ ପର୍ବତମାଳା ଭିତରେ ଧ୍ୟାନସ୍ଥ ଥାଇ ସେ ଥରେ ଜାଣିବାକୁ ପାଇଥିଲେ କି ତହିଁ ଭିତରେ ଏକ ସୁନାର ପାହାଡ ଲୁଚି ରହିଛି । ସେ କିଛି ସୁନା ଆଣି ଗୋଟିଏ ସୁନ୍ଦର ପ୍ରତିମା ଗଢିଥିଲେ । ତାକୁ ଅଳ୍ପ କେତେଜଣ ଦେଖିଥିଲେ । ସେମାନେ କହୁଥିଲେ, ସେ ନାରୀ ମୂର୍ତ୍ତିର ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ, ଅତୁଳନୀୟ ।ତରୁଣ ଶିଳ୍ପୀ-ରାଜା ସେ ମୂର୍ତ୍ତିକୁ ଜନସାଧାରଣଙ୍କ ଆଗରେ ଉଦଘାଟନ କରିବା ନିମନ୍ତେ ଏକ ଶୁଭ ପ୍ରଭାତ ନିର୍ଣ୍ଣୟ କରିଥିଲେ । କିନ୍ତୁ ହାୟ, ସେତେବେଳକୁ ତାଙ୍କ କନକ ଉପତ୍ୟକାର ସୁଖମୟ ଜୀବନ ଉପରେ ଯବନିକା ନଇଁ ଆସୁଥିଲା । ସିଂହାସନ ତଥା ସୁନା ପାହାଡ ପାଇଁ ଲୋଭାତୁର ହୋଇ ତାଙ୍କ ମନ୍ତ୍ରୀ ପ୍ରତିବେଶୀ ରାଜା ସହ ଷଡଯନ୍ତ୍ର କରି ନିଶାର୍ଦ୍ଧରେ ହଠାତ୍ ନୀରବ ନଅର ଉପରେ ଚଢଉ କଲା ।

ସେ ଅନ୍ଧକାର ରାତିରେ ନଅର ରକ୍ଷୀମାନେ ପ୍ରାଣପଣେ ଲଢେଇ କଲେ, କିନ୍ତୁ ଠିକ୍ ସେତିକିବେଳେ ଏକ ଅଘଟଣ ଘଟିଲା: ଭୂମିକମ୍ପ ହେଲା । ବିଶାଳ ଶିଳାଖଣ୍ଡମାନ ଛିଟିକି ଆସି ଦୁର୍ଗକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଲା । ଫଳରେ ସେ ଦୁଷ୍ଟ ମନ୍ତ୍ରୀ ସମେତ ଆକ୍ରମଣକାରୀମାନେ ମଧ୍ୟ ଜୀବନ୍ତ ସମାଧି ଲଭିଲେ । କିନ୍ତୁ ଶିଳ୍ପୀ-ରାଜା କୁଆଡେ ଯେ ଗଲେ, ସେ ବିଷୟରେ କେହି କିଛି ହେଲେ ବି କହିପାରିଲେ ନାହିଁ । ତାଙ୍କ ନିର୍ମିତ ସୁବର୍ଣ୍ଣ ପ୍ରତିମା ବି କୁଆଡେ ଲୁଚିଗଲା ।ଏହାର କେତେକ ବର୍ଷ ପରେ କେହି କେହି କେବେ କେବେ ଅରଣ୍ୟ ଭିତରେ ଜଣେ ତପସ୍ୱୀଙ୍କୁ ଦେଖୁଥାନ୍ତି । ତାଙ୍କ ସହ ସେ ଶିଳ୍ପୀ-ରାଜାଙ୍କର କୁଆଡେ ବହୁତ ସାମଞ୍ଜସ୍ୟ ଥିଲା । କିନ୍ତୁ ସେ ଦିଗରେ କେହି ବିଶେଷ ଅନୁସନ୍ଧାନ କରି ନଥିଲେ ।ଅନେକେ କିନ୍ତୁ ଧରିନେଇଥିଲେ କି ଶିଳ୍ପୀ-ରାଜା ଦୁର୍ଗ ପଶ୍ଚାତରେ ଥିବା ରହସ୍ୟମୟ ଜଳପ୍ରପାତ ଅତିକ୍ରମ କରି କୁଆଡେ ଚାଲି ଯାଇଛନ୍ତି । ସେ ଜଳପ୍ରପାତ ସେପଟେ ଏକ ଅନ୍ଧକାର ଗିରି-ସଙ୍କଟ ଥିଲା । ଥରେ ସେ ପ୍ରପାତ ଅତିକ୍ରମ କଲେ ମଣିଷ ଆଉ ଲେଉଟି ଆସିପାରେ ନାହିଁ, ଏହାହିଁ ଲୋକଙ୍କର ବିଶ୍ୱାସ ଥିଲା ।

ସେ ଯାହାହେଉ, ସେ ଦୁଷ୍ଟ ମନ୍ତ୍ରୀର ସହାୟକ ପଡୋଶୀ ରାଜା କନକ ଉପତ୍ୟକାକୁ କବଳିତ କରିନେଲେ । ସୁନାପାହାଡର ସନ୍ଧାନ ପାଇବା ଲୋଭରେ ତଥା ଉପତ୍ୟକାର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ସେ ରାଜା ନିଜ ରାଜ୍ୟର ସିଂହାସନ ଭାଇକୁ ସମର୍ପି ଏଠାକୁ ଚାଲି ଆସିଲେ । ପୂର୍ବ ରାଜବଂଶ ଅମଳରେ ଉଭୟ ରାଜା ଓ ପ୍ରଜା ଶ୍ରଦ୍ଧାର ଡୋରିରେ ବନ୍ଧା ହେଉଥିଲେ । ନୂଆ ରାଜବଂଶ ଅମଳରେ ସେ ଉଭୟଙ୍କ ସମ୍ପର୍କ ଭିନ୍ନ ହେଲା । ରାଜା ହେଲେ ସନ୍ଦେହୀ ଓ ଉଦ୍ଧତ; ଆଉ ପ୍ରଜାଏ ଭୀତ ଓ ସନ୍ତ୍ରସ୍ତ ହେଲେ ।ପର୍ବତର ପାଦଦେଶରେ ନୂଆ ରାଜବଂଶର ନଅର ଗଢାହେଲା; ପର୍ବତର ମଧ୍ୟଦେଶରେ ବିରାଜିତ ପୂର୍ବ ରାଜବଂଶର ନଅରର ଧ୍ୱଂସାବଶେଷ କ୍ରମେ ଗଛଲତା ଆଢୁଆଳରେ ଉପତ୍ୟକାବାସୀଙ୍କ ଦୃଷ୍ଟିରୁ ଲୁଚିଗଲା ।ପୁରୁଖା ଲୋକେ କହୁଥାନ୍ତି, ଦିନ ଆସିବ ଯେତେବେଳେକି ସେ ସୂବର୍ଣ୍ଣ-ପ୍ରତିମା ପୁଣି ଦେଖା ଦେବ; ଖାଲି ସେତିକି ନୁହେଁ, ସେଥିରେ ଜୀବନ୍ୟାସ ମଧ୍ୟ ହେବ । ଏହାପରେ ଉପତ୍ୟକାରେ ନୂତନ ଯୁଗର ସୂତ୍ରପାତ ନିଶ୍ଚୟ ହେବ ।ଲୋକେ ସେ ଧ୍ୱଂସାବଶେଷ ଆଡେ ଯିବାକୁ ଡରୁଥାନ୍ତି । କାହିଁକିନା ସେମାନଙ୍କର ଧାରଣା ହୋଇଥାଏ ଯେ, ତାହା ଏକ ପ୍ରେତପୁରୀରେ ପରିଣତ ହୋଇଛି ବୋଲି । ତା’ଛଡା ସେ ଅରଣ୍ୟମୟ ଅଂଚଳରେ ବାଘ ଭାଲୁ ଓ ବିଷଧର ସର୍ପଙ୍କର ଅଭାବ ନଥାଏ ।

କିନ୍ତୁ ରାଜୁ କଥା ସମ୍ପୂର୍ଣ୍ଣ ଅଲଗା । ସେ ଧ୍ୱଂସାବଶେଷ ପ୍ରତି ତା’ର ପ୍ରବଳ ଆକର୍ଷଣ ଥାଏ । ସେ ଏକାକୀ ସେଠାରେ ଯାଇ ଦୀର୍ଘ ସମୟ ଧରି ବିଚରଣ କରୁଥାଏ । ହୁଏତ ସେ ଦିନେ ବାଘ କବଳରେ ପଡିଥାନ୍ତା; କିନ୍ତୁ ଠିକ୍ ସମୟରେ ସେ ଗୁମ୍ଫା ଭିତରେ ଲୁଚି ଯାଇ ପାରିଥିଲା । ଦିନେ ହୁଏତ ବିଷଧର ସର୍ପଟିଏ ତାକୁ ଚୋଟ ମାରିଥାନ୍ତା; କିନ୍ତୁ ଠିକ୍ ସମୟରେ ସେ ନିଜ ପାଦଟି ଅପସାରଣ କରି ନେଇଥିଲା ।ରାଜୁ ତ ପିଲାବେଳେ ତା’ ମା’କୁ ହରାଇଥିଲା; ଆଉ ତା’ ବାପା ଜଣେ ଦକ୍ଷ ସ୍ଥପତି ଥିଲେ । ସେ ସଦା ସର୍ବଦା ନିଜ କାମରେ ବ୍ୟସ୍ତ ଥା’ନ୍ତି ।ସେଦିନ ସୂର୍ଯ୍ୟାସ୍ତ ସମୟରେ ସବୁ କିପରି ଅସ୍ୱାଭାବିକ ଭାବରେ ସ୍ତବ୍ଧ ଲାଗୁଥାଏ । ଆକାଶ ଘନ ଗେରୁଆ ଓ ବିଷାଦପୂର୍ଣ୍ଣ ଦିଶୁଥାଏ । ସାରା ଉପତ୍ୟକାରୁ ସବୁ ପବନ ଯେପରି କେହି ଶୋଷି ନେଇ ଯାଇଥିଲା; ଲୋକେ ଅସ୍ୱସ୍ତି ଅନୁଭବ କରୁଥିଲେ ।ହଠାତ୍ ଅରଣ୍ୟର ସହସ୍ର ପଶୁପକ୍ଷୀ ରଡି ଆରମ୍ଭ କରିଦେଲେ । ତା’ପରେ ପ୍ରଚଣ୍ଡ ଉତ୍ତପ୍ତ ପବନ ଆସିଲା । କ୍ଷେତବାଡି ପଥଘାଟରେ ଲୋକେ ସନ୍ତ୍ରସ୍ତ ଭାବରେ ଦୌଡିବାକୁ ଲାଗିଲେ । ପର୍ବତମାଳା ଭିତରୁ କର୍ଣ୍ଣ-ବିଦାରକ ଶବ୍ଦ ଶୁଭିଲା । ପରେ ପରେ ଘରଦ୍ୱାର ଦୋହଲିବାକୁ ଲାଗିଲେ । ଅବଶ୍ୟ ସେ ଭୂମିକମ୍ପ ବେଶିକ୍ଷଣ ସ୍ଥାୟୀ ହେଲା ନାହିଁ କି ବିଶେଷ କିଛି ଅନିଷ୍ଟ କଲା ନାହିଁ, କିନ୍ତୁ ପର୍ବତର ମଧ୍ୟଭାଗରୁ ପରିତ୍ୟକ୍ତ ପୁରୁଣା ପ୍ରାସାଦର ଏକ ଅଂଶ ଛିଟିକି ଆସି ନୂଆ ପ୍ରାସାଦର ଶିଖର ଭାଙ୍ଗି ଦେଲା ।

ରାଜା ସଙ୍ଗେ ସଙ୍ଗେ ଅତିଜ୍ଞାନୀ ମଣ୍ଡଳିର ବୈଠକ ଡକାଇଲେ । “ଯଦି ପ୍ରାସାଦର ଶିଖର ଭୂତଳଶାୟୀ ହେଲା, ତେବେ ତାକୁ ନିର୍ମାଣ କରିଥିବା ମିସ୍ତ୍ରୀମାନଙ୍କ ମୁଣ୍ଡ ମଧ୍ୟ ଭୂତଳଶାୟୀ ହେବା ଦରକାର!” ସେ ଗର୍ଜନ କରି କହିଲେ ଓ ପଚାରିଲେ, “ଠିକ୍ ନୁହେଁ?”ମନ୍ତ୍ରୀ କ୍ଷମାପ୍ରାର୍ଥୀ ହେବାଭଳି କହିଲେ “ହେ ରାଜକୂଳ-ଶାର୍ଦ୍ଦୁଳ, ସେମାନେ ଦୁଇପୁରୁଷ ତଳର ମିସ୍ତ୍ରୀ!”ରାଜା ଗମ୍ଭୀର ହୋଇ ପ୍ରଶ୍ନ କଲେ “ହଇହେ ମନ୍ତ୍ରୀ! ଆମ୍ଭେ କ’ଣ ବୋକା?””ମହାରାଜ, ଆପଣ ଅତିଜ୍ଞାନୀ ମଣ୍ଡଳିର ସ୍ରଷ୍ଟା । ଆପଣ ତେଣୁ ଅତି-ଅତି ଜ୍ଞାନୀ । ଆମ ସମସ୍ତିଙ୍କ ଜ୍ଞାନର ପରିମାଣ ଉଇହୁଙ୍କା ଭଳି ହେଲେ ଆପଣଙ୍କର ଜ୍ଞାନ ପର୍ବତପ୍ରମାଣ!””ଠିକ୍ । ଦୁଇପୁରୁଷ ତଳେ ମରିଯାଇ ମିସ୍ତ୍ରୀମାନେ ଆମ୍ଭକୁ ଠକି ପାରିବେ ନାହିଁ । ଜଣେ ମରିଗଲେ ତା’ର ଋଣ ପରିଶୋଧ କିଏ କରେ?” ଏ ପ୍ରଶ୍ନ କଲାବେଳେ ରାଜାଙ୍କ ବେନି ନୟନ ଖଦ୍ୟୋତ ଭଳି ଚମକୁ ଥିଲା । ତାଙ୍କ ଯୁକ୍ତି ଅନୁସାରେ, ରାଜୁର ପଣିଜେଜେବାପା ନୂଆ ପ୍ରାସାଦର ମୁଖ୍ୟ ମିସ୍ତ୍ରୀ ହୋଇଥିବାରୁ ତାଙ୍କ ଉତ୍ତରାଧିକାରୀ ରୂପେ ରାଜୁର ବାପା ଗିରଫ୍ ହେଲେ । “ମୁଣ୍ଡ କାଟ!” ଏହା ହେଲା ରାଜାଙ୍କ ସଂକ୍ଷିପ୍ତ ହୁକୁମ୍ ।

ସ୍ଥପତି ପ୍ରତି ଦୟାବାନ୍ ଜଣେ ଅମାତ୍ୟ କହିଲେ “ମହାରାଜ, କାହିଁ ପ୍ରାସାଦର ଶିଖର, କାହିଁ ଏ ଟିକି ମୁଣ୍ଡ! ବରଂ ଏହାକୁ ହଜାରେ ବର୍ଷ ପାଇଁ କାରାରୁଦ୍ଧ କରାଯାଉ ।”ହଜାରେ ବର୍ଷ କଥାଟା ରାଜାଙ୍କର ହୃଦୟଗ୍ରାହୀ ହେଲା । ସ୍ଥପତି କାରାରୁଦ୍ଧ ହେଲେ । ଏଣେ ରାଜୁ କ୍ରୋଧ ଓ ଦୁଃଖରେ ଭାଙ୍ଗି ପଡିଲା । ବନ୍ଧୁମାନେ ତାକୁ ଧୈର୍ଯ୍ୟ ଧରିବାକୁ କହିଲେ । କିନ୍ତୁ କାରାଗାରରେ ମାତ୍ର ଏକମାସ ପରେ ରାଜୁର ବାପା ହଠାତ୍ ମୃତ୍ୟୁ ବରଣ କଲେ ।”ତା’ହେଲେ ତ ବନ୍ଦୀ ଆମ୍ଭେ ଦେଇଥିବା ନଅଶହ ଅନେଶତ ବର୍ଷ ଏଗାର ମାସ କାଳ ଦଣ୍ଡ ଫାଙ୍କି ଦେଲା!” ଏହିଭଳି ଭାବରେ ରାଜା ଅତିଜ୍ଞାନୀ ମାନଙ୍କ ଆଗରେ ନିଜ ହତାଶା ବ୍ୟକ୍ତ କଲେ ।ସର୍ବଦା ଦୁଇ ହାତ ଦଳି ହେଉଥିବା ଜଣେ ଅମାତ୍ୟ କହିଲେ “ମହାରାଜ, ଯଦି ପୁଅ ବାପାର ସମ୍ପତ୍ତି ଭୋଗିବାକୁ ହକ୍ଦାର, ତେବେ ସେ ତା’ ବାପାର ଦଣ୍ଡ କିଆଁ ନ ଭୋଗିବ?”ରାଜା ନିର୍ଦ୍ଧେଶ ଦେଲେ “ବାଃ, ବାଃ । ତମ ବୁଦ୍ଧି ତ ଠିକ୍ ବିଲୁଆ ପରି । ଏଣିକି ତମ ଉପାଧି ହେଲା ବିଲୁଆ । ହଁ, ଯାଅ ସେ ବନ୍ଦୀର ପୁଅକୁ ଧରିଆଣ ଓ ତାକୁ ଯଥାଶୀଘ୍ର କାରାରୁଦ୍ଧ କର ।”କିନ୍ତୁ ସିପାହୀମାନେ ରାଜୁ ପାଖରେ ପହଁଚିବା ପୂର୍ବରୁ ତା’ପାଖରେ ସେହି ଖବର ବହୁ ଆଗରୁ ପହଁଚି ଯାଇଥିଲା । ତେଣୁ ସେଠୁ ସେ ଖସି ପଳାଇଲା ।

ଜହ୍ନରାତି । ରାଜୁ ପର୍ବତର ମଧ୍ୟ ଦେଶରେ ଥିବା ପୁରୁଣା ପ୍ରାସାଦର ଭଗ୍ନାବଶେଷ ଭିତରେ ଯାଇ ପହଁଚିଲା । ସେ ବଣବୁଦା ଓ ଶିଳାଖଣ୍ଡମାନ ତା’ର ଅତି ପରିଚିତ । ସେ ଖଣ୍ଡିଏ ସୁପରିଚିତ ସଫେଦ୍ ପଥର ଉପରେ ବସି ପଡିଲା । ସେଇଠି ବସି ସେ କେତେଥର ଫୁଲମାନଙ୍କୁ ଗୀତ ଶୁଣାଇଛି, ଗୁଣ୍ଡୁଚି, ନେଉଳ ଓ ପ୍ରଜାପତିଙ୍କୁ ଗପ କହିଛି ।ବାପା କଥା ମନେ ପଡି ତା’ ଆଖିକୁ ଲୁହ ଆସିଲା । ଖାଲି ଝିଙ୍କାରି ଓ ଗୋଟାଏ ପେଚାର ସାମୟିକ ଧ୍ୱନି ଛାଡିଦେଲେ ସେଠାକାର ଚତୁର୍ଦ୍ଦିଗ ନିସ୍ତବ୍ଧ ଥିଲା । ଏହିଭିତରେ ଘଂଟାଏ ବିତିଗଲା ।ହଠାତ୍ ତା’ର ମନେ ହେଲା, ତା’ ପଛରେ କିଛି ଅବା ଉଜ୍ଜ୍ୱଳ ଦିଶୁଛି । ସେ ବୁଲି ଅନାଇଲା । ଯେଉଁଠି କେବଳ ଅନ୍ଧାର ପାଷାଣ ଛଡା ସେ କେବେ କିଛି ଦେଖି ନଥିଲା, ସେଠି ସେ ଜହ୍ନ ଆଲୁଅରେ ଏକ ଅପୂର୍ବ ନାରୀ ମୂର୍ତ୍ତି ଦେଖିଲା । ବାରମ୍ବାର ଅନାଇବା ପରେ ଯାଇ ସେ ନିଶ୍ଚିତ ହେଲା ଯେ ଏହା ଦୃଷ୍ଟିଭ୍ରମ ନୁହେଁ ।ତା’ପରେ ସେ ଉଠିପଡି ସେଆଡେ ଅଗ୍ରସର ହେଲା । ପ୍ରତି ପଦପାତ ପରେ ସେ ଅଧିକରୁ ଅଧିକ ବିସ୍ମୟ ଅନୁଭବ କରୁଥାଏ । କି ଦୀପ୍ତିମାନ ସୌନ୍ଦର୍ଯ୍ୟ! ସେ ମୂର୍ତ୍ତି ହାତରେ ପଦ୍ମଫୁଲଟିଏ ଥିଲା । ବେଶି ପାଖକୁ ଗଲେ ମୂର୍ତ୍ତି ଚମକି ପଡିବ ଓ ପଦ୍ମଫୁଲଟି ତଳେ ପଡିଯିବ କି? ରାଜୁ ମନରେ ଏହିଭଳି ଆଶଙ୍କା ସବୁ ଦେଖା ଦେଉଥାଏ । ତା’ର ମନେ ହେଉଥାଏ, ଆଖି ସତେ ଅବା ତା’ର ଉଛୁଳି ଉଠୁଛି! କିଛି ଦେଖିବାରେ ଏଭଳି ଆନନ୍ଦ, ଏଭଳି ଶିହରଣ ଥାଇପାରେ ବୋଲି ସେ କେବେ ବି କଳ୍ପନା ସୁଧା କରି ନଥିଲା ।

ମୂହୂର୍ତକ ପରେ ତା’ର ମନେ ପଡିଗଲା କନକ ଉପତ୍ୟକାର କିମ୍ବଦନ୍ତି – ଅତୀତର ଶିଳ୍ପୀ-ରାଜା ଏକ ସୂବର୍ଣ୍ଣପ୍ରତିମା ଗଢିଥିବା କଥା । ଭୂମିକମ୍ପ ନିଶ୍ଚେ ଲୁକ୍କାୟିତ ପ୍ରତିମାକୁ ଦୃଶ୍ୟମାନ କରିଛି । ତା’ର ଆହୁରି ବି ମନେ ହେଲା ସେ ଯେପରି ସେ ମୂର୍ତ୍ତିକୁ ପୂର୍ବରୁ କୋଉଠି ଦେଖିଛି । ଆଶ୍ଚର୍ଯ୍ୟ! କାରଣ ସେ ମୂର୍ତ୍ତିର କୌଣସି ଛବି ଦେଖିବାର ପ୍ରଶ୍ନ ବି ନଥିଲା । ନୂଆ ରାଜବଂଶ ଅମଳରେ ରାଜ୍ୟରୁ ଶିଳ୍ପ ଅଙ୍କନ ଇତ୍ୟାଦି ବିଦ୍ୟା ଲୁପ୍ତ ହୋଇଥିଲା ।ସେ ଯାଇ ମୂର୍ତ୍ତିଟି ଛୁଇଁଲା । ତା’ର ହୃଦୟ ଆନନ୍ଦ ଓ କୃତଜ୍ଞତାରେ ଭରିଗଲା । ସେ ବୁଝିପାରିଲା ନାହିଁ କାହା ପାଇଁ ସେ କୃତଜ୍ଞ ଅନୁଭବ କରୁଛି । ହୁଏତ ଯେଉଁ ଶକ୍ତି ତାକୁ ବିପଦ ଭିତରୁ ଏ ସୁନ୍ଦର ପରିବେଶକୁ ନେଇ ଆସିଲା, ତାହାରି ପାଇଁ ।ରାଜୁ ସେ ପଦ୍ମ ସ୍ପର୍ଶ କଲା ଓ ତା’ପରେ ପଦ୍ମ ଧାରଣ କରିଥିବା ସୁନାର ସୁନ୍ଦର ଅଙ୍ଗୁଳି ଗୁଡିକୁ । ମୂର୍ତ୍ତିର ଏକ ଅଙ୍ଗୁଳିରୁ ମୁଦିଟିଏ ଖସି ଆସି ତା’ ନିଜ ଅଙ୍ଗୁଳିରେ ପିନ୍ଧିହୋଇଗଲା । ତୀବ୍ର ପୁଲକ ଓ ବିସ୍ମୟରେ ସେ ଯେପରି ଅଚେତ ହୋଇଯିବ! ସେ ବସି ପଡିଲା । ତା’ର ମନେ ହେଲା, ସେ ତନ୍ଦ୍ରାଚ୍ଛନ୍ନ ହୋଇଯାଉଛି ।

ସେହି ଅବସ୍ଥାରେ ସେ ଏକ ପ୍ରଶ୍ନ ଶୁଣିଲା “ଏ ମୂର୍ତ୍ତିରେ ଜୀବନ ସଂଚାର ହେବା ଚାହଁ?” । ସେ ଉତ୍ତର ଦେଲା “ହଁ, ଚାହେଁ!” ସେ ଅପୂର୍ବ କଣ୍ଠସ୍ୱର କହିଲା “ତେବେ ମୂର୍ତ୍ତି ଯେପରି ସୁରକ୍ଷିତ ରହିବ ସେତକ ବ୍ୟବସ୍ଥା କରି ତମେ ଏ ଝରଣା ଟପି ଚାଲିଯାଅ । ତା’ପରେ ତମେ ଯାଇ ଏକ ଭିନ୍ନ ରାଜ୍ୟରେ ପହଁଚିବ, ସେଠାରେ ଜଣେ ଦେବୀଙ୍କୁ ତମେ ଭେଟିବ । ଜୀବନ୍ୟାସର ରହସ୍ୟ ସେ ତୋତେ କହିଦେବେ । ଆଉ, ଏ ମୂର୍ତ୍ତି ଜୀବନ ପାଇଲେ ତମେ ଯଦି ଏ କନ୍ୟାକୁ ବିଭା ହେବାକୁ ଚାହଁ, ସେ ବର ବି ମାଗି ନେଇପାର!”

New odia story New Odia Story Kanaka Upatyakara Kahanee Odia New story
Share. Facebook Twitter Pinterest LinkedIn Tumblr Reddit Email
Previous Articleମହାଭାରତ
Next Article କୃଷ୍ଣାବତାର
Liza S

Related Posts

ଆତିଥ୍ୟ

March 31, 2023

ନିରକ୍ଷର ସେନାପତି

March 30, 2023

ନୂତନ ଦଣ୍ଡ

March 29, 2023

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.