• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଉପନ୍ୟାସ»କଟକ ସେସନ୍ ଜଜକୋର୍ଟ :
ଉପନ୍ୟାସ

କଟକ ସେସନ୍ ଜଜକୋର୍ଟ :

ଫକୀର ମୋହନ ସେନାପତିBy ଫକୀର ମୋହନ ସେନାପତିNovember 26, 2018No Comments8 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ଆଜି ଜଜ୍ କୋର୍ଟରେ ଭାରି ଭିଡ଼ । କଚେରିଆ, ବଜାରୀ ହଟାରୀ ପର୍ଯ୍ୟନ୍ତ ଦେଖିବାକୁ ଧାଇଁଅଛନ୍ତି । କୌଣସି ସ୍ଥାନରେ ବାଦୀପାଲା ହେଲେ ଦେଖଣାହାରୀମାନେ ଯେପରି ଗାଆଣିଆମାନଙ୍କ ବେଶ ବାନ୍ଧିବା ଆଗରୁ ଜମିଯାଅନ୍ତି, ସେହିପରି ଜଣଜଣ କରି କଚେରୀ ପୂରିଗଲେଣି । ଭାରି ଭିଡ଼, ଗୋଳମାଳ, ଦୁଇଜଣ ଚପରାଶି ଚୋଓପ ଚୋ-ଓ-ପ କହି ଆହୁରି ଗୋଳମାଳ ବଢ଼ାଉଛନ୍ତି । ମଫସଲରେ ଜଣେ ମାନ୍ୟବର ଜମିଦାର ମଣିଷମାରୁ ମାମଲାରେ ଚଲାଣ ହୋଇ ଆସଛି । ମେଜେଷ୍ଟର ସାହେବ ଦୋହରା ସମ୍ପ୍ରୋଦ କରିଥିଲେ, ପାଞ୍ଚଦିନ ହେଲା ମକଦ୍ଦମା ଚାଲିଛି, ଆଜି ଶେଷ ବିଚାର ଦିନ, ମାମଲା ଏପର୍ଯ୍ୟନ୍ତ ପଡ଼ିନାହିଁ । କାଲି ବୁଧବାର ବିଲାତୀ ମେଲ୍ ଯିବ । ସାହେବ ମାଇଁ ଡିଅର୍ ଲେଡି ଆରମ୍ଭ କରି ଚଞ୍ଚଳ ଚିଠିଖଣ୍ତ ଲେଖି ପକାଉଛନ୍ତି । ଫୌଜଦାରୀ ମାମଲା ପଡ଼ିଲେ ହାକିମ ସାହେବ ବିଲାତୀ ଛାପା କାଗଜ ମେଲାଇ ବସନ୍ତି କିମ୍ବା ଚିଠିଲେଖା ଆରମ୍ଭ କରନ୍ତି, ପେସ୍କାର ଜିମା ସବୁ କାର୍ଯ୍ୟ । ସାହେବ ଜମାନବନ୍ଦୀ କାଗଜରେ ଗାଁରେ ଗାଁରେ ଦସ୍ତଖତ ଟାଣିଦେବା ଆଉ ରାୟ ଶୁବାଇବାରେ ମାଲିକ । ଆଜି ସାହେବଙ୍କୁ ସବୁ କାର୍ଯ୍ୟ ହାତରେ କରିବାକୁ ହେବ, କାରଣ ଆଜି ସାକ୍ଷୀ ଜଣକ ଇଂରାଜ, ଇଂରାଜୀରେ ମଧ୍ୟ ରାୟ ଲେଖିବାକୁ ହେବ । ଆଜିକାର କାରଖାନା ସବୁ ଇଂରେଜୀମୟ; ମାତ୍ର ଆମ୍ଭେମାନେ ଓଡ଼ିଆ, ପାଠକମାନେ ମଧ୍ୟ ସେହିପରି ଛାପାଖାନା ଅକ୍ଷରଗୁଡ଼ାକ ମଧ୍ୟ ଏହି ଦେଶୀ, ସୁତରାଂ ଆମ୍ଭମାନଙ୍କୁ ତରଜମା କରି ସମସ୍ତ କଥା ଲେଖିବାକୁ ହେଉଛି । ସାହେବ ମେଞ୍ଚାଏ ଛେପରେ ଲଫାପା ବନ୍ଦ କରି ଚପରାସୀ ହାତରେ ଡାକଘରକୁ ପଠାଇଦେଇ କହିଲେ, ଉଏଲ ବାବୁ ! ମକଦ୍ଦମା ପେଶ୍ କର । ସରକାର ତରଫ ଓକିଲ ଇଶାନ ଚନ୍ଦ୍ର ସରକାର ଏବଂ ପୋଲିସ ଦାରୋଗା ଇନାଏତ ହୋସନ ମୁଦାଲା ଓରଫ ରାମ ରାମ ଲାଲା ହାଜର । ଆସାମୀ ରାମଚନ୍ଦ୍ର ମଙ୍ଗରାଜ ଆସାମୀ କାଠଗଡ଼ା ଭିତରେ ହାତ ଯୋଡ଼ି ଠିଆ ହୋଇଅଛନ୍ତି । ଜଜ୍ ସାହେବଙ୍କ ଡାହାଣ ପାଖରେ ଚଉକିରେ ବସି ହୋଲି ବାଇବେଲ ଧରି ଡାକ୍ତର ସାହେବ ଜମାନବନ୍ଦୀ ଦେଲେ –

ମୋର ନାମ ଏ.ବି.ସି.ଡି. ଡଗ୍‌ଲାସ, ବାପର ନାମ ଇ.ଏଫ୍.ଜି.ଏଇଚ ଡଗଲସ୍ ଜାତି ଇଂରେଜ, ବୟସ ୪୦ ହାଲ ସାକିନି କଟକ, ଆମ୍ଭେ କଟକ ଜିଲ୍ଲାରେ ସିଭିଲ ସର୍ଜନ । ଗତ ତାରିଖ ଭୋର ସାତଟା ତିରିଶ ମିନିଟ ସମୟରେ ସରକାରୀ ଲାସ୍ ମାଇନା ଘରେ ଆମ୍ଭ ସାକ୍ଷାତରେ ସାରିଆର ଲାସ୍ ପୋଷ୍ଟମର୍ଟମ ଏକ୍‌ଜାମିନ କରାଯାଇଛି । ଚୌକିଦାର ଗୋବରା ଜେନା ଚିହ୍ନିତ ଦେବା ଅନୁସାରେ ଆମ୍ଭେ କହୁଛୁ ତାହା ସାରିଆର ଲାସ୍ ଥିଲା । ଆମ୍ଭେ ଯେତେଦୂର ପରୀକ୍ଷା କରିଅଛୁ, ସାହସ କରି କହିପାରୁଁ କୌଣସି ପ୍ରାଣନାସକ ଅସ୍ତ୍ର ବା ଅନ୍ୟ ପଦାର୍ଥ ଏହାର ମୃତ୍ୟୁର କାରଣ ନୁହେଁ । ଦୀର୍ଘକାଳ ଉପବାସ ରହି ବିଶେଷ ମାନସିକ ଯନ୍ତ୍ରଣା ଭୋଗକରି ମରିଯାଇଥିବାର ଆମ୍ଭେ ଯଥେଷ୍ଟ ପ୍ରମାଣ ପାଇଅଛୁ । ଜଜ୍ ସାହେବ ସୁଆଲରେ ସାକ୍ଷୀ ଜବାବ ଦେଲେ, ଲାସ୍ ଦେହରେ କୌଣସି ପୀଡ଼ାର ଲକ୍ଷଣ ଥିଲା ନାହିଁ, ଅଥଚ ତାହା ଦେହର ରକ୍ତ ଶୁଖିଯାଇଥିଲା, ହୃଦୟରେ ପ୍ରାୟ ରକ୍ତ ଥିଲା ନାହିଁ । ପାକସ୍ଥଳୀ ପ୍ରାୟ ଶୂନ୍ୟ ଥିଲା । ମୂତ୍ରଧାର, ମଳବାହିନୀ ନାଡ଼ିରେ କିଛି ପଦାର୍ଥ ନ ଥିଲା । ଏହି ସମସ୍ତ ଲକ୍ଷଣ ଦ୍ୱାରା ଜାଣୁଅଛୁଁ , ସେ ଉପବାସରେ ମରିଚି ।

ସରକାରୀ ଓକିଲଙ୍କ ସୁଆଲରେ ଜବାବ-ହଁ, ଲାସ୍ ପିଠିରେ ତିନି ଜାଗାରେ ଚିହ୍ନଥିବାର ଗୋବରା ଜେନା ଆମ୍ଭଙ୍କୁ ବିଶେଷରୂପେ ଦେଖାଇଲା । ଆମ୍ଭେ ମଧ୍ୟ ଉତ୍ତମ ରୂପେ ପରୀକ୍ଷା କରି ଦେଇଅଛୁଁ, ତାହା ମାଡ଼ର ଦାଗ ନୁହେଁ, ପ୍ରାଣତ୍ୟାଗ ଉତ୍ତାରେ ଗରମ ଲୁହା କିମ୍ବା ଅନ୍ୟ କୌଣସି ଆଗ୍ନେୟ ପଦାର୍ଥରେ ଦାଗ ଦେଲେ ଚିହ୍ନ ହୁଏ, ଏହା ସେହିପରି ଈଷତ୍ ପୋଡ଼ା ଚିହ୍ନ ।

ପୁନର୍ବାର ସରକାରୀ ଓକିଲଙ୍କ ସୁଆଲରେ – ନା, ଆମ୍ଭେ ନିଜେ ଛୁରି ଧରି ଶବ କାଟି ନାହୁଁ, ନେଟିଭ ଡାକ୍ତର ଗୌରାଙ୍ଗ କର, ଆଉ କମ୍ପାଉଣ୍ତର ବାସୁଦେବ ପଟ୍ଟନାୟକ ଦୁଇ ଜଣ ଆମ୍ଭ ସାକ୍ଷତରେ ଶବଚ୍ଛେଦ କରିଛନ୍ତି । ପୁନର୍ବାର ଓକିଲ ସୁଆଲରେ ସାକ୍ଷୀ କିଞ୍ଚିତ୍ ଖପା ହୋଇ ଜବାବ ଦେଲେ, ଆମ୍ଭେ ଆଜକୁ ସାଢ଼େ ଦଶ ବରଷ ହେଲା ସିଭିଲସର୍ଜନୀ କରି ଆସିଅଛୁଁ, ପ୍ରଥମେ ମିଲିଟାରୀ ଡିପାର୍ଟମେଣ୍ଟରେ ଥିଲୁ, ଆମ୍ଭେ ଲଣ୍ତନ କଲେଜରେ ଡାକ୍ତରୀ ପଢ଼ି ପାଶ୍ କରିଛୁ ।

ପୁନର୍ବାର ସୁଆଲରେ ଜବାବ ଦେଲେ – ପ୍ରଥମେ ଆମ୍ଭେ ହସ୍‌ପିଟାଲ ଆସିଷ୍ଟାଣ୍ତ ଥିଲୁ, ବର୍ମା ଯୁଦ୍ଧରେ ଆମ୍ଭର ପ୍ରମୋଶନ ହୋଇଛି ।

ଜଜ୍ ସାହେବ ଆସାମୀ ଓକିଲକୁ ଅନାଇ କହିଲେ – ତୁମାରା କୁଛ୍ ସବାଲ ହେ ? ଆସାମୀ ତରଫ ଓକିଲ ରାମରାମ ଲାଲାଙ୍କ ସୁଆଲ – ଡାକ୍ତର ସାହେବଙ୍କୁ ଅନାଇ କହିଲେ, “ଆଚ୍ଛା, ମିସଲ ଉପରେ ଆସାମୀର ଯେଉଁ ବାଉଁଶ ଠେଙ୍ଗା ଅଛି, ଏହି ଠେଙ୍ଗାର କିଛି ଦାଗ ଲାସ୍ ପିଠିରେ ଅଛି କି ?

ଜଜ୍ ସାହେବ -“ନନ୍‌ସେନ୍‌ସ ! ଆଉର କ୍ୟା ପୁଚ୍ଛ୍ ନେକା ହେ ପୁଚ୍ଛେ ।

ଓକିଲ ସାକ୍ଷୀକୁ ପୁନର୍ବାର ଜେରା କଲେ – ଆଚ୍ଛା, ଆପଣ କହୁଛନ୍ତି ସାରିଆ ଉପାସ ରହି ମରିଛି, ସେ ଆପେ ଉପାସ ରହିଥିଲା କି ଆସାମୀ ତାକୁ ଉପାସ ରଖାଇଥିଲା ।

ଜଜ୍ ସାହେବ – “କୁଛ ବାତ୍ ନେହି, ଗୋ ଅନ୍ ଚଲୋ ଚଲୋ ।”

ପୁନର୍ବାର କେରା – “ଆଚ୍ଛା,ସାରିଆ ଆସାମୀ ଦୁଆରେ ମରିଥିବା କିଛି ପ୍ରମାଣ ଅଛି ?” ଜଜ୍ ସାହେବ ଖପା ହୋଇ କ ହିଲେ – “ଦେଖୋ, ତୁମ୍ ଏସା ବେହୁଦା ସବାଲ କରୋଗେ ତ ତୁମାରା ଓକିଲାତି କେନ୍‌ସଲ କର ଦେଗା ।”

ଓକିଲ – “ହଜୁର ଖୋଦନ୍ଦ୍ – ମା ବାପ ଦୁନିଆକା ବାସସା । ”

ଆସାମୀର ଜବାବ ନିଆଗଲା ଉତ୍ତାରେ ଦୁଇପକ୍ଷ ଓକିଲଙ୍କ ବକ୍ତୃତା ହେଲା, ଭାରି ଝଟାପିଟା ଲାଗିଲା, ଊଣା ନୁହେଁ, ଅଢ଼େଇ ଘଣ୍ଟା କାଳ ବତ୍କୃତା । ଏହି ଅବକାଶରେ ସାହେବ ବେଲମ୍ବର ଖଣ୍ତେ ଛପା କାଗଜ ପଢ଼ିପକାଇ ଟିଫିନ୍ ଖାଇ ଆସିଲେଣି ! ହାକିମ ବନ୍ଦ କରାଇ ନ ଥିଲେ ବତ୍କୃତା ବରାବର ଚାଲିଥାନ୍ତା ।

ହାକିମଙ୍କ ହୁକୁମ ଅନୁସାରେ ସେରସ୍ତଦାର ରୋବକାରୀ ଲେଖି ପ୍ରକାଶ କଲେ ସେହି ରୋବକାରୀଟା ବାରଫର୍ଦ୍ଧ କାଗଜରେ ଲେଖଗଲା । ରୋବକାରୀ ଲେଖାଯାଇ ପ୍ରକାଶ ହେବାକୁ ତିନିଦିନ ଲାଗିଲା । ଆମ୍ଭେମାନେ ସେହି ରୋବକାରୀର ସହିମୋହର ନକଲ ହାସଲ କରିଛୁଁ ; ମାତ୍ର ଆମ୍ଭେମାନେ ସମସ୍ତ ସଂକ୍ଷେପରେ ବୋଲି ଆସୁଥବାରୁ ସେହି ରୋବକାରୀର ଯେତିକି କଥା ପ୍ରକାଶ କଲେ ପାଠକ ମକଦ୍ଦମାର ସମସ୍ତ ହାଲ ବୁଝିପାରିବେ, ଆମ୍ଭେମାନେ ତେତିକି ସାର ଅଂଶ ମାତ୍ର ପ୍ରକାଶ କରୁଛୁ ।

ରୋବକାରୀ କଚେରୀ ଅଦାଲତ ଓ ଫୌଜଦାରୀ ସେମନ୍ ଜର୍ଜ କୋର୍ଟ ଇଜଲାସ୍ ଏଇଚ: ଆର୍. ଜେକ୍ ସନ୍ ସ୍କୋୟାର ସେସନ୍ ଜଜ୍ ମିଲିକିୟଥ୍ ଶ୍ରୀଯୁକ୍ତ ଇଷ୍ଟ ଇଣ୍ତିଆ କମ୍ପାନୀ ବାହାଦୂର ଓଡ଼ିଶା ଖଣ୍ତ, ଜିଲେ କଟକ ।

ସରକାର ବାହାଦୂର ମୁଦେଇ ବନାମ ରାମଚନ୍ଦ୍ର ମଙ୍ଗରାଜ ସା ଗୋବିନ୍ଦପୁର ପ୍ର; ଅସୁରେଶ୍ୱର, ଜିଲେ କଟକ । ମୁଦାଲା ସାରିଆ ନାମଜ ଗୋଟିଏ ତନ୍ତୀଆଣି ସ୍ତ୍ରୀ କୁ ହତ୍ୟା କରିଥିବା ଏବଂ ତାହା ଘରର ଆସବାବ ଲୁଟତରାଜ କରିନେଇଥିବାର ମାମଲା ।

ନଥିର ସମସ୍ତ କଥା କାଗଜାତ ଏବଂ ପକ୍ଷମାନଙ୍କର ଜବାବ ସୁଆଲ ଦୃଷ୍ଟି ଏବଂ ଶ୍ରବଣରେ ଆସିଲା ଉତ୍ତାରେ ଜଣାଗଲା କି ଏହି ମକଦ୍ଦମା ପୋଲିସ ଚାଲାଣୀ ଅଟେ । ଜିଲ୍ଲାର ମାଜିଷ୍ଟ୍ରେଟ ସାହେବ ଆସାମୀ ଉପରେ ନରହତ୍ୟା ଅଭିଯୋଗ କରି ଏହି ମକଦ୍ଦମା ସେସନ୍ ସମ୍ପୋଦ କରିଛନ୍ତି । ଆସାମୀର ଦୋଷ ସାବ୍ୟସ୍ତ କରାଇବା ନିମନ୍ତେ ପୋଲିସ ଆଠଜଣ ସାକ୍ଷୀର ଜମାନବନ୍ଦୀ କରାଯାଇଛି । ଆମ୍ଭେ ସାକ୍ଷୀମାନଙ୍କୁ ଅତି ସତର୍କତା ଏବଂ ମନ ଯୋଗ ସହିତ ପରୀକ୍ଷା କରିଛୁ ଏବଂ ଉଭୟ ପକ୍ଷ ଓକିଲମାନଙ୍କ ବତ୍କୃତା ଶ୍ରବଣ କରି ଏହି ସିଦ୍ଧାନ୍ତରେ ଉପନୀତ ହୋଇଛୁଁ କି, ଆସାମୀ ପୋଲିସ କଥିତମତେ ବାଉଁଶ ଠେଙ୍ଗାରେ ପ୍ରହାର କରି ସାରିଆକୁ ବଧ କରି ନାହିଁ, ଦୀର୍ଘକାଳ ଉପବାସ ଏବଂ ମନକଷ୍ଟ ତାହାର ମୃତ୍ୟୁର କାରଣ ଅଟେ । ଆମ୍ଭର ଏପରି ବିଶ୍ୱାସ କରିବାର ହେତୁ ଏହି କି ପ୍ରଥମ ନରହତ୍ୟା ମକଦ୍ଦମାର ପ୍ରଧାନ ସାକ୍ଷୀ ସିଭିଲ ସର୍ଜନ ସୁସ୍ପଷ୍ଟରୂପେ ପ୍ରକାଶ କରିଅଛନ୍ତି କି, ଲାସ ଦେହରେ କୌଣସି ପ୍ରକାର ଆଘାତର ଚିହ୍ନ ନ ଥିଲା ।

ଆମ୍ଭେ ସାକ୍ଷୀମାନଙ୍କ ଦ୍ୱାରା ଯଥେଷ୍ଟ ପ୍ରମାଣ ପାଉଛୁ ଯେ, ଏହି ମକଦ୍ଦମାଟି ସଂପୂର୍ଣ୍ଣରୂପେ ଗଠିତ ଅଟେ । ଆମ୍ଭର ବିଶ୍ୱାସ, ପ୍ରଥମ ରିପୋର୍ଟକାରୀ ଗୋବରା ଜେନା ଚୌକିଦାର ସୂତ୍ରପାତକାରୀ ଅଟେ । ତାହାର ପ୍ରଥମ ରିପୋର୍ଟ ସହିତ ଶେଷ ଜମାମନନ୍ଦୀ ମିଳାଇ ଦେଖିଲେ ସ୍ପଷ୍ଟ ଜଣାଯାଏ, ସେ ମିଥ୍ୟାକୁ ସତ୍ୟରୂପେ ପ୍ରତିପନ୍ନ କରାଇବା ନିମନ୍ତେ ଯଥେଷ୍ଟ ଚେଷ୍ଟା କରି ଅଦାଲତରେ କୁଟ ପ୍ରଶ୍ନରେ ଆତ୍ମରକ୍ଷା କରି ବାକୁ ଅସମର୍ଥ ହୋଇଛି । ମକଦ୍ଦମାର ଚାକ୍ଷୁସ ସାକ୍ଷୀ ବନା ଜେନା ଏବଂ ଧକେଇ ଜେନା କି ଯେଉଁମାନେ ଆସାମୀ ବାଉଁଶ ବାଡ଼ିରେ ସାରିଆକୁ ମାରିପକାଇଥିବାର ବୟାନ କରନ୍ତି, ସେମାନେ ଚୌକିଦାରର ଆତ୍ମୀୟ, ସେମାନଙ୍କ ଘର ଆସାମୀ ଘର ଠାରୁ ଦୁଇ କୋଶ ଦୂର, ଅର୍ଦ୍ଧରାତ୍ର ସମୟରେ ଜାଗରିତ ହୋଇ ଆସାମୀର କାର୍ଯ୍ୟମାନ ଦେଖିବା ନିତାନ୍ତ ଅସମ୍ଭବ ।

ପୋଲିସ ମାମଲା ଉକ୍ତ ସ୍ଥାନର ଯେଉ ନକ୍‌ସା ଦାଖଲ କରିଅଛି, ସେଥିରୁ ସ୍ପଷ୍ଟ ଜଣାଯାଏ, ଆସାମୀ ଯେଉଁ ସ୍ଥାନରେ ଠିଆ ହୋଇଥିବାର ପ୍ରକାଶ କରନ୍ତି, ତହିଁ ମଧ୍ୟରେ ତିନି ପରସ୍ତ ଘର ବ୍ୟବଧାନ, ସୁତରାଂ ଦୃଷ୍ଟିରେଖା ଭେଦ କରି ଚଳିବା ନିତାନ୍ତ ଅସମ୍ଭବ ଏବଂ ଅନ୍ୟାନ୍ୟ ପାର୍ଶ୍ୱଘଟଣା ଏବଂ କୁଟ ପ୍ରଶ୍ନରେ ସାକ୍ଷୀ ମାନଙ୍କର ବିଶୃଙ୍ଖଳ ଜବାବଦ୍ୱାରା ଏମାନଙ୍କୁ ଅବିଶ୍ୱାସ କରିବାର ଯଥେଷ୍ଟ କାରଣ ବିଦ୍ୟମାନ ରହିଅଛି । ଏହି ହତଭାଗ୍ୟମାନେ ସରଳ ଗ୍ରାମ୍ୟଲୋକ ଥିବାଯୋଗୁଁ ଅନ୍ୟ ଲୋକର କୁମନ୍ତ୍ରଣାରେ ପ୍ରତାରିତ ହୋଇ କିପରି କାର୍ଯ୍ୟ କରିବାକୁ ପ୍ରବୃତ୍ତ ହୋଇଅଛନ୍ତି, ସେଥିରେ ଭୀଷଣତ୍ୱ ହୃଦୟଙ୍ଗମ କରିବାକୁ ସେମାନେ ଅକ୍ଷମ ଏବଂ ଗୋବରା ଜେନା କୂଟପରୀକ୍ଷାରେ ବାରମ୍ବାର ମିଥ୍ୟା କଥା କହୁଥିବାର ପ୍ରକାଶ ପାଇଛି, ଅତଏବ ଆମ୍ଭେ ତାହାକୁ ଫୌଜଦାରୀ ସମ୍ପ୍ରୋଦ କଲୁଁ ।

ଆସାମୀର ପୂର୍ବ ଦୁଶ୍ଚରିତ୍ରତା ପ୍ରମାଣ କରାଇବା ସକାଶେ ପୋଲିସ କେତେଜଣ ସାକ୍ଷୀର ଜମାନବନ୍ଦୀ କରାଉଛି; କିନ୍ତୁ ତଦ୍ଦ୍ୱାରା ଆମ୍ଭେ ଏହି ପ୍ରମାଣ ପାଇଅଛୁଁ କି, ଆସାମୀ ଅନ୍ୟ ଲୋକର ସମ୍ପତ୍ତି ହରଣ କରିବା ସକାଶେ କୂଟିଳ ବୁଦ୍ଧି ପ୍ରୟୋଗ କରିବା ବିଷୟରେ ନିପୁଣ ଅଟେ, ମାତ୍ର କାହାରି ପ୍ରତି ଦୋଷ ଯୁକ୍ତ ବଳପ୍ରକାଶ କରିବାର ପ୍ରମାଣ ନାହିଁ । ସୁତରାଂ ଏପରି ଲୋକ ଦ୍ୱାରା ନରହତ୍ୟା ଘଟଣ ହେବା ଅସମ୍ଭବ ଅଟେ ଏବଂ ହତ୍ୟା କରିବାର କୌଣସି କାରଣ ମଧ୍ୟ ଦେଖୁନାହିଁ । ମୃତ ସାରିଆ ବା ଭଗିଚନ୍ଦ୍ରର ପାନିଆ, ଢ଼ୁଙ୍ଗୀ, ନାରାଜ, ଚରଖି, ତନ୍ତବୁଣାର ସରଞ୍ଜାମ ଏବଂ କଂସା, ଢାଳ ପ୍ରଭୃତି ଗୃହର ବ୍ୟବହାର୍ଯ୍ୟ ଦ୍ରବ୍ୟ ପୋଲିସ ଆସାମୀ ଘରୁ ବରାମଦ କରିଛି; ମାତ୍ର ଆସାମୀ ସିଭିଲକୋର୍ଟର ଯେଉଁ ତାଲିକା ଦାଖଲ କରେ, ସେଥିରୁ ଜଣାଯାଏ ସେ ଭଗିଚନ୍ଦର ଛ ମାଣ ଆଠଗୁଣ୍ଠ ଜମି ଆସାମୀଠାରେ କଟବନ୍ଧକ ରଖିଥିଲା । ସେହି ମାମଲାର ଅଦାଲତର ଖର୍ଚ୍ଚା ଆଦାୟ ଜୁମିଲାକୁ ଆସାମୀ ନିଲାମ ସକ୍ରେ ସେ ସବୁ ଖରିଦ କରିନେଇଅଛି । ଅବଶ୍ୟ ସ୍ୱୀକାର କରିବାର ଯଥେଷ୍ଟ କାରଣ ବିଦ୍ୟମାନ ଅଛି ଯେ, ସେ କଟକବଲା ନାଲିସ ନିଲାମ ସମସ୍ତ ପ୍ରତାରଣାପୂର୍ଣ୍ଣ : ମାତ୍ର ଉପସ୍ଥିତ ମକଦ୍ଦମାରେ ସେ ସମସ୍ତ ବିଷୟ ବିବେଚ୍ୟ ନୁହେଁ । ଆସାମୀ ଭଗିଚନ୍ଦର ଛମାଣ ଆଠଗୁଣ୍ଠ ନିଷ୍କର ଭୂମି ଏବଂ ତାହାର ସର୍ବସ୍ୱ ହରଣ କରିବାରୁ ସେହି ଦୁଃଖରେ ଭଗିଚନ୍ଦର ପାଗଳ ହୋଇଯାଇଥିବା ସାରିଆ ଅନାହାରରେ ପ୍ରାଣତ୍ୟାଗ କରିଥିବା, ଆମ୍ଭେ ବିଶ୍ୱାସ କରୁଁ ମାତ୍ର ସେଥିପାଇଁ ଆସାମୀକୁ ନରହତ୍ୟା ଅପରାଧରେ ଅପରାଧୀ କରାଯାଇ ନ ପାରେ ।

ଆସାମୀ ଅଗଣା ମଧ୍ୟରୁ ନେତ ନାମକ ଏକରାସ ଧଳା ରଙ୍ଗର ଗାଈ ପୋଲିସ ବରାମଦ କରିଅଛି । ଗାଈ ଭଗିଚନ୍ଦର ଥିବା ପକ୍ଷମାନେ ସ୍ୱୀକାର କରୁଅଛନ୍ତି । ଆସାମୀ ପ୍ରକାଶ କରେ, ତାହାର ମକଦ୍ଦମା ଖର୍ଚ୍ଚ ଆଦାୟ ନିମନ୍ତେ ଅଦାଲତରେ ପିଆଦା ନିଲାମ କରିବାରୁ ପ୍ରକାଶ୍ୟ ନିଲାମରେ ସେ ତାହା ଖରିଦ କରିଅଛି । ମାତ୍ର ଏହା ସମ୍ପୂର୍ଣ୍ଣ ଅସତ୍ୟ ଅଟେ: କାରଣ ସିଭିଲକୋର୍ଟ ଦସ୍ତଖତ ମୋହର ଯୁକ୍ତ ଯେଉଁ ନିଲାମ ଫର୍ଦ୍ଦ ଆମ୍ଭ ସାକ୍ଷାତରେ ଉପସ୍ଥିତ କରାଯାଇଅଛି, ସେଥିର ନେତଗାଈର ଉଲ୍ଲେଖ ନାହିଁ । ଆମ୍ଭେ ଯଥେଷ୍ଟ ପ୍ରମାଣ ପାଇଛୁ ଯେ, ଆସାମୀ ଶଠତା ପ୍ରତାରଣା ଦ୍ୱାରା ପର ସମ୍ପତ୍ତି ଆତ୍ମସାତ୍ କରିବା ବିଷୟରେ ଖୁବ୍ ନିପୁଣ ଅଟେ । ସେ ଜଣେ ସାମାନ୍ୟ ଲୋକ ଥିଲା । ଅସତ୍ ଉପାୟ ଅବଲମ୍ବନ ଦ୍ୱାରା ଅନେକ ଉପାର୍ଜ୍ଜନ କରିଛି ଏବଂ ସେ ଗ୍ରାମର ଜମିଦାର ଓ କ୍ଷମତାଶାଳୀ ଥିବାର ଏବଂ ଭଗିଚନ୍ଦ୍ରକୁ ଦୁର୍ବଳ ଏବଂ ପ୍ରତିକାର କରିବାକୁ ଅକ୍ଷମ ଜ୍ଞାନ କରି ସ୍ୱଭାବିକ ଲୋଭପୁର ଦ୍ୱାରା ଚାଳିତ ହୋଇ ଉଲ୍ଲିଖିତ ଗାଈକୁ ଆତ୍ମସାତ କରିଅଛି । ଏହି ସମସ୍ତ କାରଣ ଦୃଷ୍ଟିରେ । ହୁକୁମ ହେଲା କି, ଆସାମୀ ରାମଚନ୍ଦ୍ର ମଙ୍ଗରାଜକୁ ନରହତ୍ୟା ଅପରାଧରୁ ମୁକ୍ତି ଦିଆଯାଇ ନେତ ନାମକ ଗାଈକୁ ଆତ୍ମସାତ କରିଥିବା ଅପରାଧରେ କଠିନ ପରିଶ୍ରମ ସହିତ ଛ ମାସ କାରାଦଣ୍ତ ଏବଂ ପାଞ୍ଚଶତ ଟଙ୍କା ଜରିମାନା କରାଯାଉ । ଜରିମାନା ଅସୁଲ ନ ହେଲେ ଅତିରିକ୍ତ ୩ ମାନ କାରାରୁଦ୍ଧ ରଖାଯାଉ । ଇତି । ।
ମେ ମାସ ୧୭ ତାରିଖ ସନ ୧୯୩୨ ମସିହା । <poem> ଏଇଚ ଆରି; ଜେକ୍ ସନ୍ ସେସନ୍ ଜଜ୍ ।

କଚେରୀଶେଷ ହେଲାଣି । ଜଜ୍ ସାହେବ ବଗି ଚାଲିଗଲାଣି । ଚାରି ଜଣ ବରକନ୍ଦାଜ ଜଣେ ଆସାମୀକୁ ହାତକଡ଼ି ଦେଇ ନାଜରଖାନାରୁ ଜେଲ ଓଆରଣ୍ଟ ଜାରି କରି ବାହାରିଲେ । ଓକିଲ ରାମରାମ ଲାଲା କଚେରୀ ଆଗ ବରଗଛ ମୂଳରେ ବସିଥିଲେ । ଆସାମୀ ଉପରେ ତାଙ୍କର ଦୃଷ୍ଟି ପଡ଼ିଯିବାରୁ ସେ ଦୂରରୁ ଡାକିଦେଲେ ଦେଖନ୍ତୁ ମଙ୍ଗରାଜେ, ଆଜି ଆପଣଙ୍କ ସକାଶେ ସାହେବଙ୍କ ଆଗରେ କିପରି ଲଢ଼ିଲି, ଦେଖିଲେ ତ ? ଫାଶିରୁ ଖଲାସ କରାଇଦେଲି । କିଛି ପରବାଏ କରିବେ ନାହିଁ, ବେଧଡ଼କ ଜେଲ୍ ଖାନାକୁ ଚାଲିଯାଆନ୍ତୁ । ମାଠିଆଏ ତେଲ ପେଡ଼ିଥିବେକି ନାହିଁ, ସୁପ୍ରିମ କୋର୍ଟରେ ଅପିଲ କରି ଖଲାସ କରାଇଦେବି । ଆମ୍ଭେମାନେ ନିଶ୍ଚିତ ସମ୍ବାଦ ପାଇଅଛୁ, ଅପିଲ୍ ବିଷୟରେ କୌଣସି ଯତ୍ନ କରାଯାଇନାହିଁ ।

Share. Facebook Twitter Pinterest LinkedIn Tumblr Reddit Email
Previous Articleଓକିଲ ରାମ ରାମ ଲାଲ :
Next Article ଗୋପୀସାହୁର ଦୋକାନ ଘର
ଫକୀର ମୋହନ ସେନାପତି

Related Posts

ଡାକମୁନ୍ସି

February 10, 2022

ଉପସଂହାର

November 26, 2018

ଅପୂର୍ବ ମିଳନ :

November 26, 2018

ବାବାଜୀ ଲଳିତା ଦାସ :

November 26, 2018

ମଙ୍ଗରାଜ ଘରର ହାଲଚାଲ :

November 26, 2018

ଖୁଣି ତଦାରଖି :

November 26, 2018
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.