ଥରେ ଆକବର ଅସୁସ୍ଥ ଅନୁଭବ କଲେ । ତାଙ୍କୁ ରାତିରେ ଆଦୌ ନିଦ ହେଲା ନାହିଁ । ରାଜାଙ୍କର ଏପରି ଅବସ୍ଥା ଦେଖି ସାରା ରାଜ୍ୟରେ ଯେତେ ବୈଦ୍ୟ ଥିଲେ, ସମସ୍ତଙ୍କୁ ଡକାଗଲା । ସମସ୍ତେ ଆସି ତୁରନ୍ତ ରାଜ ଦରବାରରେ ପହଁଚିଗଲେ । ସମସ୍ତେ ମଧ୍ୟ ଚିକିତ୍ସା ଆରମ୍ଭ କରିଦେଲେ । ହେଲେ କିଛି ଫଳ ହେଲାନି । ଯୋଉ କଥାକୁ ସେହି କଥା । ଶେଷରେ ସେମାନେ ସମସ୍ତେ ମତ ପ୍ରଦାନ କଲେ ଯେ, ରାଜାଙ୍କୁ ପ୍ରତିଦିନ କେହି ଜଣେ ଆସି ଗୋଟିଏ ଗୋଟିଏ କାହାଣୀ ଶୁଣାନ୍ତୁ, କାହାଣୀ ଶୁଣିଲେ ହୁଏତ ରାଜାଙ୍କର ମନର ପରିବର୍ତ୍ତନ ହୋଇପାରେ ।
ବୈଦ୍ୟମାନଙ୍କର କଥା ଅନୁସାରେ ଜଣେ ମନ୍ତ୍ରୀ ରାତିରେ ରାଜାଙ୍କର ଶୟନ କକ୍ଷକୁ ଆସି କାହାଣୀ କହିବା ଆରମ୍ଭ କଲେ । ଗୋଟିଏ ପରେ ଗୋଟିଏ କାହାଣୀର ଅବତାରଣା କଲେ । ହେଲେ ଆକବରଙ୍କୁ ନିଦ ଆସୁନଥାଏ । ପ୍ରତ୍ୟେକ କାହାଣୀର ଶେଷରେ ସେ ଖାଲି ପଚାରୁଥାଆନ୍ତି,”ଏହାପରେ କଅଣ ହେଲା?” ରାତି ପାହିଲା ପଛେ, ଆକବରଙ୍କର କାହାଣୀ ଶୁଣିବା ସରିଲା ନାହିଁ କି ତାଙ୍କ ଆଖିକୁ ନିଦ ମଧ୍ୟ ଆସିଲା ନାହିଁ । ମନ୍ତ୍ରୀ ଜଣକ ବିଚରା କେମିତି ଏପରି ଏକ ଜଟିଳ ପରିସ୍ଥିତିକୁ ଆୟତ କରିବେ ଜାଣିପାରିଲେ ନାହିଁ । କୌଣସି ଉପାୟ ନପାଇ ଶେଷରେ ମନ୍ତ୍ରୀ ଜଣକ ବିରବଲଙ୍କ ପାଖକୁ ଯାଇ ସମସ୍ତ ଘଟଣା ବର୍ଣ୍ଣନା କଲେ ।
ସେହି ଦିନ ରାତିରେ ବିରବଲ ଯାଇ ରାଜାଙ୍କ ଶୟନ କକ୍ଷରେ ପହଁଚିଲେ । ବୈଦ୍ୟଙ୍କ କହିବା ଅନୁଯାୟୀ, ବିରବଲ ମଧ୍ୟ କାହାଣୀ କହିବାକୁ ଆରମ୍ଭ କଲେ । ଗୋଟିଏ କାହାଣୀ କହିବାପରେ ଆକବର ଏହାପରେ କ’ଣ ହେଲା ବୋଲି ପଚାରିଲେ । ବିରବଲ ଆକବରଙ୍କ କଥା ଶୁଣି କିଛି ସମୟ ଚିନ୍ତା କରିବାପରେ ପୁଣି ଏକ କାହାଣୀ କହିବା ଆରମ୍ଭ କଲେ ।
ଜଣେ ବ୍ୟକ୍ତି ଏକ ଜଂଗଲ ମଧ୍ୟରେ କୁଡିଆଟିଏ କରି ବସବାସ କରୁଥାଏ । ସେ ତା’ ଜୀବନରେ ଖୁବ୍ ସୁଖ, ଶାନ୍ତିରେ ବାସ କରୁଥାଏ । ହେଲେ ତା’ର ଏହି ସୁଖ, ଶାନ୍ତି ସବୁଦିନ ରହିଲା ନାହିଁ । କେତେଗୁଡିଏ ପକ୍ଷୀ ଆସି ଲୋକଟିକୁ ଖୁବ୍ ହଇରାଣ କଲେ । ଲୋକଟି କୁଡିଆ ମଧ୍ୟରେ ଯେଉଁ ଶସ୍ୟ ରଖିଥିଲା, ଏଇ ପକ୍ଷୀମାନେ ଆସି ସବୁ ଖାଇ ଦେଉଥାଆନ୍ତି । ଲୋକଟି ମନେ ମନେ ଏକ ଉପାୟ ପାଂଚିଲା । ଗୋଟିଏ ବଡ ବାକ୍ସ ତିଆରି କରି ତା’ରି ମଧ୍ୟରେ ଶସ୍ୟ ସବୁ ରଖିଦେଲା । ପକ୍ଷୀମାନେ କି ଲୋକଟିକୁ ଛାଡନ୍ତି? ସଂଗେ ସଂଗେ ଜଣେ ପକ୍ଷୀ ଯାଇ ତା’ର ଏକ ମୂଷା ସାଂଗକୁ ଡାକି ଆଣିଲା । ମୂଷା ଆସି ବାକ୍ସଟିକୁ କାଟି ଦେଲା । ବିରବଲ କାହାଣୀ କହୁ ଥାଆନ୍ତି । ଆକବର ମଧ୍ୟ ମଝିରେ ମଝିରେ ତା’ପରେ କ’ଣ ହେଲା ବୋଲି ପଚାରୁଥାଆନ୍ତି ।
ମୂଷା କାଟିଦେବା ପରେ ଜଣେ ପକ୍ଷୀ ସେହି କଣା ମଧ୍ୟ ଦେଇ ଯାଇ ଥଂଟରେ କିଛି ଶସ୍ୟ ନେଇ ଆସିଲା । ଏହାପରେ ଆକବର ପଚାରିଲେ,”ଏହାପରେ କ’ଣ ହେଲା”? ବିରବଲ ପୁଣି ଦ୍ୱିତୀୟ ପକ୍ଷୀଟି ଯାଇ ଥଂଟରେ ଶସ୍ୟ ଆଣିବା କଥା କହିଲେ । ଆକବର ପୁଣି ମଧ୍ୟ ସେଇ ଏକା ପ୍ରଶ୍ନ ପଚାରିଲେ । ବିରବଲ ପୁଣି ତୃତୀୟ ପକ୍ଷୀଟିର ଅନୁରୂପ କାର୍ଯ୍ୟକଳାପ କଥା କହିଲେ । ଆକବର ପୁଣି ସେହି ଏକା ପ୍ରଶ୍ନ ପଚାରିଲେ । ବିରବଲ ପୁଣି ଚତୁର୍ଥ ପକ୍ଷୀର ଖାଦ୍ୟ ଆଣିବା କଥା କହିଲେ । ଶେଷରେ ଆକବର ବିରକ୍ତ ହୋଇ କାହାଣୀ ବନ୍ଦ କରିବାକୁ କହିଲେ । ବିରବଲ ଚଟାପଟ୍ ଉତ୍ତର ଦେଲେ,”ମହାରାଜ! ଆପଣ ଯେବେ ‘ଏହାପରେ କ’ଣ ହେବ’ ବୋଲି କହିବା ବନ୍ଦ କରିବେ, ସେତେବେଳେ ମୋର କାହାଣୀ କହିବା ବନ୍ଦ ହେବ ।” ବିରବଲଙ୍କ କଥା ଶୁଣି ଆକବର କିଛି ନକହି ନିଜର ଭୁଲ୍ ବୁଝି ଚୁପ୍ ରହିଲେ ।