• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଉପନ୍ୟାସ»ଉପସଂହାର
ଉପନ୍ୟାସ

ଉପସଂହାର

ଫକୀର ମୋହନ ସେନାପତିBy ଫକୀର ମୋହନ ସେନାପତିNovember 26, 2018No Comments3 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ତିନି ମାସ ତଳେ ତୁଳସୀ ଚଉରା ପାଖରେ ସାଆନ୍ତାଣୀ ଯେପରି ପଡ଼ିଥିବାର ଦେଖାଯାଇଥିଲା, ଠିକ୍ ସେହି ସ୍ଥାନରେ, ଠିକ୍ ସେହିପରି ଉତ୍ତରକୁ ମୁଣ୍ତ କରି ପୁରୁଣା କତରାଖଣ୍ତକରେ ମଙ୍ଗରାଜେ ପଡ଼ିଛନ୍ତି । ହାତ ଗୋଡ଼ ନଡ଼ ବଡ଼ ହେବାକୁ ନାହିଁ, ଆଖିରେ ପଲକ ପଡୁ ନାହିଁ, ଏକଧ୍ୟାନରେ ଉପରକୁ ଚାହିଁରହିଛନ୍ତି । ଶିବା ଚମାର, କାର୍ତ୍ତିକ ନାୟକ ଦୁଇ ଜଣ ବୈଦ୍ୟ ଲାଗିଥିଲେ, କାଲି ରାତିରୁ ଜବାବ ଦେଇ ଅଲଗା ହୋଇଗଲେଣି, ଗୋପୀଆ ତନ୍ତୀ ହାତ ଲଗାଇଛି । ଗୋପୀଆ ତନ୍ତୀ ଓରଫ ଗୋପୀ କବିରାଜ ଜଣେ ଡାକଫୁକାର ଟାଣୁଆ ବୈଦ୍ୟ । ଚାରି ଖଣ୍ତ ଗ୍ରାମର ଲୋକେ ତାହାକୁ ଜାଣନ୍ତି, ଦିନ ରାତି ତାହାର ନାକ ପୋଛିବାର ତର ଥାଏ ନାହିଁ, ସକାଳୁ ଉଠି ପାଛୁଡ଼ାଟା ଅଣ୍ଟାରେ ଭିଡ଼ିଦେଇ କାନ୍ଧରେ ନାଲିଆ ଗାମୁଛା ପକାଇ କାଖ ତଳେ ଔଷଧ ବଟୁଆ ଝୁଲାଇ, ବାଙ୍କ ମୂଳିଆ ବାଉଁଶ ବାଡ଼ି ହାତରେ ଧରି ରୋଗୀ ଖୋଜିବାକୁ ବାହାରେ । ବଟୁଆ ମଧ୍ୟରେ ବାସ୍ତରୀ ନିଦାନ ରୋଗର ଔଷଧ ବଟିକା ଅଲଗା ତସର ଲୁଗାରେ ସାଇତା ଅଛି । ଗୋପୀର ଦଦେଇ ଜଣେ ନାମଜାଦା ବୈଦ୍ୟ ଥିଲେ, ତାଙ୍କ ଔଷଧ ରୋଗୀ ଦେହରେ ଚକମକି ପଥରପରି ଲାଗିଯାଏ । ତାଙ୍କ ହାତ ତିଆରି ବଟିକା ଗୋପୀ ଆଜିଯାଏ ସାଇତି ରଖିଅଛି ।

ଗୋପୀ ମଳୁବିଛଣା ଡାହାଣ ପାଖରେ ବସି ଢେର୍ ବେଳ ଯାଏ ନାଡ଼ି ଚିପିଲେ, ଉପରକୁ ଅନାଇ ଆଖିବୁଜି ଦାନ୍ତ ନିସାଡ଼ି ରୋଗ ଅନୁମାନ କଲେ । ମୁକୁନ୍ଦା ଭକଭକ କରି କବିରାଜଙ୍କ ମୁହଁକୁ ଚାହିଁଥାଏ । ପଚାରିଲା, “କବିରାଜେ, କଣ ଦେଖିଲେ ? “କବିରାଜେ ଗମ୍ଭୀର ଭାବରେ ସ୍ଥିରହୋଇ ବସି କହିଲେ,’ଏଁ ବୋଇଲା, କଣ୍ଠଶ୍ଳେଷପ୍ରଣୟିନିଜନେ କିଂ ପୁନର୍ଦୁଭସଂସ୍ଥେ ‘-ବୋଇଲା କଣ୍ଠରେ ତ ଶ୍ଳେଷା ଲାଗିଲେ ପ୍ରାଣ ଯାଏ, ସେ ପୁଣି ଦୂରକୁ ଚାଲିଗଲେ କଣ ହେବଟି ? ହେଲେ ମୁଁ କି ଏମାନଙ୍କପରି ଅପାଠୁଆ କବିରାଜ ହୋଇଛି ? ଦେଖ, ମୁଁ ରୋଗକୁ କାନିରେ ବାନ୍ଧିନେବି ।” କବିରାଜେ ଏହା କହି କାନିରେ ଗଣ୍ଠି ପକାଇଲେ । ମୁକୁନ୍ଦା ପଚାରିଲା,”ମଳୁର ଗୋଟାଏ ଗୋଟାଏ ଜାଗା ଫୁଲିଛି କ୍ୟାଁ ? ” କବିରାଜେ, “ଏଁ ବୋଇଲା, ସ୍ୱର୍ଣ୍ଣାଦିଷ୍ଟଗୁଣଂ ଶୋଥଂ । ବୋଇଲେ ଶ୍ଳେଷ୍ମା ଦୋଷ ଗୁଣରୁ ଶୋଥ ହୁଏ । ହେଉ, ଭାବନା ନାହିଁ, କସ୍ତୁରୀ ପେଟରେ ପଡ଼ିଲେ ସବୁ ଛାଡ଼ିଯିବ ।” କସ୍ତୁରୀତିଳକଂ “ପେଟକୁ ଦିଆଯିବ, ଆଉ ତିଳକ କରିଦେବାକୁ ହେବ ।” କବିରାଜ ମୁକୁନ୍ଦା ପାଖରୁ ନଗଦ ଚାରିଅଣା ପଇସା ନେଇ ଦେଢ଼ ମାଢ଼ କସ୍ତୁରୀ ବଟୁଆରୁ କାଢ଼ିଲେ । ଏହାକୁ ଅନୁପାନ ଦରକାର । କବିରାଜେ ବୋଇଲେ, ‘ପାଠ କହିଲା, ‘ମସ୍ତକଂ ମଟୁକୀ ରାତ୍ରୀ ଶୁଣ୍ଠି ପିପ୍‌ପଳିମେବଚ । ‘ଏ ବୋଇଲା, ରାତ୍ରିରେ ଶୁଣ୍ଠି, ପିପ୍‌ପଳି ବଚ ମୁଥା ମାରି କୁଟିବା ।” ମୁକୁନ୍ଦା ପଚାରିଲା, “କେତେ ଲେଖାଏଁ ଏ ସମସ୍ତ ପଦାର୍ଥ ଆସିବ ?” କବିରାଜେ- “ଏ ବୋଇଲା ଅନୁପାନ ବିଶେଷେଣ କରୋତି ବିବିଧାନ ଗୁଣାନ୍ । ବୋଇଲା ଅନୁପାନ ବିଶେଷ କରି ଅଧିକ କରିଦେଲେ ବିଧା ମାରିଲାପରି ଗୁଣ ହେବ ।”

କବିରାଜେ ରୋଗର ବ୍ୟାଖ୍ୟା ଏବଂ ଔଷଧର ବ୍ୟବସ୍ଥା କରୁ କରୁ ରୋଗୀ ଅଥୟ ହୋଇପଡ଼ିଲାଣି, କ୍ରମଶଃ ନିଶ୍ୱାସ ବଳି ପଡୁଛି, ଦୁଇ ଆଖିକୋଣରୁ ଦୁଇଟୋପା ଜଳ ଗଡ଼ିପଡ଼ିଲାଣି । ମଙ୍ଗରାଜେ ଚାରିଦିନ ହେଲା ପଡ଼ିଛନ୍ତି । ଏକଧ୍ୟାନରେ ଆକାଶକୁ ଚାହିଁ ପଡ଼ିଛନ୍ତି, କେତେବେଳେ ଟିକିଏ ଆଖି ଲାଗିଲେ ହାଉଳି ଖାଇଲାପରି ଚମକିପଡ଼ି କହନ୍ତି “ଥ-ମା-ଆ-ଗୁଁ ।” ସ୍ୱର କ୍ଷୀଣ କ୍ରମଶଃ କ୍ଷୀଣତର କିଛି ବୁଝା ଯାଉ ନାହିଁ । ତାଙ୍କୁ ଟିକିଏ ଛାଇ ନିଦ ଲାଗିଲେ ଦେଖନ୍ତି, ଆକାଶରେ ଏକ ଭୟଙ୍କରୀ ମୂର୍ତ୍ତି, ବିଶାଳ ମୁଣ୍ତରେ ବାଳ ମୁକୁଳା, ମୂଳାପରି ବଡ଼ ବଡ଼ ଧଳା ଧଳା ଦାନ୍ତ, ଦୁଇ ତିନି ହାତ ଲମ୍ବ ଜିଭ ଲହ ଲହ କରି ତାକୁ ଖାଇବାକୁ ଧାଇଁଛି । ମଙ୍ଗରାଜଙ୍କ ମନରେ ହୁଏ ତନ୍ତୀ ସାହିର ଭଗିଆ ତନ୍ତୀ ପିଣ୍ତାରେ ଗୋଟିଏ ସ୍ତ୍ରୀ ନଟି ବୁଲାଉଥିବାର ହେଖିଥିଲେ । ସେହି ସ୍ତ୍ରୀ ମୂର୍ତ୍ତି ଭୟଙ୍କର ବିକଟାଳ ରୂପ ଧାରଣ କରି ଏହିପରି ବିକୃତ ଅବସ୍ଥାକୁ ପ୍ରାପ୍ତ ହୋଇଅଛି । ଏ ସେହି ମୂର୍ତ୍ତି, ଯେମନ୍ତ ବଜ୍ର ସ୍ୱରରେ କହୁଛି, “ମୋ ଛମାଣ ଆଠଗୁଣ୍ଠ ଜମି ଦେ ।” ମଙ୍ଗରାଜ ହାଉଳି ଖାଇ କହନ୍ତି, “ଥ-ମା-ଆ-ଗୁଁ ।” ମଙ୍ଗରାଜଙ୍କର ଆଉ ଥରେ ଆଖି ଲାଗିଗଲା । ଦେଖିଲେ ଗୋଟାଏ ଭୟଙ୍କର ନରକଙ୍କାଳ ଦିଗନ୍ତରାଳରେ ଦେହ ଲୁଚାଇ ମୁଖବ୍ୟାଦାନପୂର୍ବକ ତାଙ୍କୁ ଗ୍ରାସ କରିବା ନିମନ୍ତେ ଯେମନ୍ତ ଏକଧ୍ୟାନରେ ନୀରବରେ ଚାହିଁରହିଅଛି । ତାଙ୍କୁ ଭଲଭାବରେ ଜଣାଗଲା ଯାହାର ଜମି ଛଡ଼ାଇ ନେବାରୁ ଅନାହାରରେ ଶୁଖି ଶୁଖି ପ୍ରାଣତ୍ୟାଗ କରିଥିଲେ, ଏଇଟି ସେହି ମୂର୍ତ୍ତି । ଆଉ ଦେଖିଲେ, ଭଗିଆପରି ସହସ୍ର ସହସ୍ର ବାୟା ଆକାଶମାର୍ଗସ୍ଥ ଘୋର କଳାମେଘ ମଧ୍ୟରୁ ବାହାରୁଅଛନ୍ତି, ସମସ୍ତଙ୍କ ହସ୍ତରେ ଖଡ୍‌ଗ ଏବଂ ଲୁହାର ମୁଦ୍‌ଗର । ଏକାବେଳକେ ସମଗ୍ର ମୁଦ୍‌ଗର ତାଙ୍କ ମୁଣ୍ତରେ ପଡ଼ିଲାପରି ଜଣାଗଲା, ମଙ୍ଗରାଜେ ରଡ଼ି ଛାଡ଼ି ପଳାଇବାକୁ ବାହାରିଛନ୍ତି, ଦେହରେ ଶକ୍ତି ନାହିଁ, ପାଟି ଫିଟୁନାହିଁ । ମଙ୍ଗରାଜେ ଅନାୟତ୍ତ ହୋଇ ସେହି ଅନାଥଶରଣ ପତିତପାବନ ଭଗବାନଙ୍କ ପବିତ୍ର ନାମ ହୃଦୟ ମଧ୍ୟରେ ଚିନ୍ତା କରିବାକୁ ଲାଗିଲେ । ସେ ଦେଖିଲେ – ଅନନ୍ତ ଆକାଶରେ ସୂର୍ଯ୍ୟମଣ୍ତଳର ଅତି ଊର୍ଦ୍ଧ୍ୱରେ ରତ୍ନସିଂହାସନରେ ଗୋଟିଏ ଜ୍ୟୋତିମୟୀ ଶାନ୍ତିମୟୀ, ଆଶାପ୍ରଦାୟିନୀ ସ୍ତ୍ରୀମୂର୍ତ୍ତି ବିରାଜିତା । ପୂର୍ବାପୂର୍ବ ପୀଡ଼ା ସମୟରେ ସେ ମୂର୍ତ୍ତି ଶଯ୍ୟା ପାଖରେ ବସି ମଙ୍ଗରାଜଙ୍କ ଦେହରେ କୋମଳ ହସ୍ତ ବୁଲାଉଥିଲେ । ବିମାନବାସିନୀ ଲାବଣ୍ୟମୟ ମୂର୍ତ୍ତି ସେହି ମୂର୍ତ୍ତିର ପ୍ରତିଛାୟା ଅଟେ । ସେହି ମୂର୍ତ୍ତି ଅଙ୍ଗୁଳି ସଙ୍କେତ କରି ମଙ୍ଗରାଜଙ୍କୁ ପାଶକୁ ଡାକୁଛନ୍ତି । ମଙ୍ଗରାଜଙ୍କ ଆତ୍ମା ସେହି ମୂର୍ତ୍ତିକୁ ଲକ୍ଷ୍ୟକରି ଧାବିତ ହେଲା । ମଙ୍ଗରାଜଙ୍କ ଉଆସରେ ଚହଳ ପଡିଗଲା । ହରିବୋଲ ହରିବୋଲ ହରିବୋଲ ।

Share. Facebook Twitter Pinterest LinkedIn Tumblr Reddit Email
Previous Articleଅପୂର୍ବ ମିଳନ :
Next Article ବନ୍ଦଇ ଦୀନବାନ୍ଧବ ହରି – ବୈଦେହୀଶ ବିଳାସ
ଫକୀର ମୋହନ ସେନାପତି

Related Posts

ଡାକମୁନ୍ସି

February 10, 2022

ଅପୂର୍ବ ମିଳନ :

November 26, 2018

ବାବାଜୀ ଲଳିତା ଦାସ :

November 26, 2018

ମଙ୍ଗରାଜ ଘରର ହାଲଚାଲ :

November 26, 2018

ଖୁଣି ତଦାରଖି :

November 26, 2018

କର୍ମଫଳ :

November 26, 2018
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.