ଆହେ ଦୟାମୟ ବିଶ୍ୱ ବିହାରୀ
ଆହେ ଦୟାମୟ ବିଶ୍ୱ ବିହାରୀ,
ଘେନ ଦୟାବହି ମୋର ଗୁହାରି
ଜଳ ସ୍ଥଳ ବନ ଗିରି ଆକାଶ
ତୁମ ଲୀଳା ସବୁଠାରେ ପ୍ରକାଶ
ତୁମେ ଶୁଭ ବୁଦ୍ଧି ପରା ଶିଖାଅ,
ତୁମେ ଭଲ ବାଟ ପରା ଦେଖାଅ
ମୋର କାମକୁ କରାଅ ସରସ,
ମୋର ମୁଖେ ଦିଅ ଚିର ହରଷ
ତୁମ ଚରଣରେ ମୋର ଭକତି,
ଦିଅ ବିପଦେ ଆପଦେ ଶକତି
କୁଟ କପଟ ସ୍ଵଭାବ ଜାହାର,
ତାଙ୍କୁ ଦୂରୁ ମୁଁ କରଇ ଜୁହାର ॥