ଶୋଭାପୁରରେ ସୁଧର୍ମ ନାମକ ଜଣେ ଶ୍ରମିକ ଥାଏ । ସେ ସର୍ବଦା ପରିଶ୍ରମ କରି, ଯାହା କିଛିବି ରୋଜଗାର କରେ ସେଥିରେ ସେ ତା’ ପରିବାର ଚଳାଏ; କାମ ନ ପାଇଲେ ସେ କେବେ କାହାଠୁ ମଧ୍ୟ ପଇସା ମାଗେନାହିଁ । ତା’ର ବହୁତ ଆତ୍ମସମ୍ମାନବୋଧ ଥିଲା ।ସେ ଗ୍ରାମରେ ସମସ୍ତେ ଭଲଭାବେ ଜାଣନ୍ତି ଯେ ଗରୀବ ହେଲେ ମଧ୍ୟ ସୁଧର୍ମର ସମ୍ମାନବୋଧ ଅଛି । କିନ୍ତୁ ଆଉ କେତେକ ଭାବନ୍ତି ସେ ବହୁତ ଗର୍ବୀ ।ସେ ଗାଁରେ ମଧ୍ୟ ଶ୍ରୀପତି ନାମକ ଜଣେ ବ୍ୟବସାୟୀ ଥିଲେ । ତାଙ୍କର ସ୍ୱଭାବ ଭାରି କ୍ରୁର ଥିଲା । ସେ ମଧ୍ୟ ବହୁତ ଲାଭଖୋର୍ ଥିଲେ । ଗରୀବମାନଙ୍କୁ ପଇସା ଋଣ ଦେଇ ତାଙ୍କଠୁ ଅଧିକା ସୁଧ ପଇସା ମାଗିବା ତାଙ୍କର ଏକ ଅଭ୍ୟାସ ଥିଲା । ସୁଧର୍ମ କେବେ ମଧ୍ୟ ଟଙ୍କା କରଜ କରିବାକୁ ଶ୍ରୀପତିଙ୍କ ପାଖକୁ ଆସେନାହିଁ । ତେଣୁ ସେ ଭାବୁଥା’ନ୍ତି ଯେ ସୁଧର୍ମ ଜଣେ ଅତ୍ୟନ୍ତ ଗର୍ବୀ ଲୋକ ।
ଥରେ ଶ୍ରୀପତିଙ୍କର ସମୁଦି ରମାନାଥ ଶ୍ରୀପତିଙ୍କ ଘରକୁ ଆସିଥା’ନ୍ତି । ଦିନେ ସମୁଦି ଶ୍ରୀପତିଙ୍କୁ କହିଲେ, “ସମୁଦି, ଏହି ଗାଁରେ ସୁଧର୍ମ ନାମକ ଜଣେ ବ୍ୟକ୍ତି ଅଛି । ଆପଣ ତାକୁ ଡକାଇ ଆଣିବେ କି?”ଶ୍ରୀପତି ଗମ୍ଭୀର ହୋଇଯାଇ କହିଲେ, “ସୁଧର୍ମ ତ ଜଣେ ବଡ ଗର୍ବୀ ଲୋକ; ଆପଣଙ୍କର ତା’ ସହିତ କ’ଣ କାମ?”ଶ୍ରୀପତିଙ୍କ କଥା ଶୁଣି ସେ ଭାରି ଆଶ୍ଚର୍ଯ୍ୟ ହେଲେ, କାରଣ ସେ ଜାଣିଥିଲେ ଯେ ସୁଧର୍ମ ଜଣେ ଭଲ ମଣିଷ, ସେ ଆଦୌ ଗର୍ବୀ ନୁହେଁ । ସେ କହିଲେ, “ସୁଧର୍ମ କେବେ କେବେ ଆମ ଗାଁରେ ମଜୁରୀ ଲାଗିବାକୁ ଯାଏ । ତା’ର ତ ଆତ୍ମସମ୍ମାନବୋଧ ଯଥେଷ୍ଟ ଥିବାର ଜଣାଯାଏ, ମାତ୍ର ସେ ତ ଆଦୌ ଅହଂକାରୀ ନୁହେଁ । ଆପଣଙ୍କର ବୁଝିବା ଭୁଲ୍ ।”
ଶ୍ରୀପତି କହିଲେ, “କିନ୍ତୁ ତାକୁ ତ ସମସ୍ତେ ଗର୍ବୀ ବୋଲି ଜାଣନ୍ତି ।” ସମୁଦି କହିଲେ, “ସମସ୍ତିଙ୍କ କଥା ଛାଡନ୍ତୁ । ଆପଣ ତାକୁ କିପରି ଗର୍ବୀ ବୋଲି କହୁଛନ୍ତି? ଆତ୍ମସମ୍ମାନ ଓ ଗର୍ବ ମଧ୍ୟରେ ଥିବା ପ୍ରଭେଦ ଆପଣ କ’ଣ ଜାଣନ୍ତି ନାହିଁ?” ଶ୍ରୀପତି କଥା ବଦଳାଇ କହିଲେ, “ସେକଥା ଛାଡନ୍ତୁ; ଏବେ କୁହନ୍ତୁ ଆପଣଙ୍କର ତା’ ସହିତ କି କାମ?”ସମୁଦି କହିଲେ “ସୁଧର୍ମ ଆମ ଗାଁର ତ୍ରିନାଥ ନାମକ ଜଣେ ଚାଷୀର କ୍ଷେତରେ ତିନିଦିନ ଧରି କାମ କରିଥିଲା । ତ୍ରିନାଥ ତା’ର ତିନିଦିନର ମଜୁରୀ ତାକୁ ଦେବା ପାଇଁ ସେ ମୋ ହାତରେ ଟଙ୍କା ଦେଇଛି ।”ଏକଥା ଶୁଣି ଶ୍ରୀପତି ତାଙ୍କ ଚାକରକୁ ଡାକିଲେ । ରମାନାଥ ସମୁଦିଙ୍କର ସୁଧର୍ମ ବିଷୟରେ ଥିବା ଭୁଲ୍ ଧାରଣାକୁ ଠିକ୍ କରି ଦେବାକୁ ଚାହିଁଲେ । ତେଣୁ ସେ ଚାକରକୁ କହିଲେ, “ସୁଧର୍ମକୁ ଖାଲି ଏତିକି କହିବ ଯେ ତୁମର ମାଲିକ ତାକୁ କୌଣସି ଏକ ଜରୁରୀ କାମ ଯୋଗୁଁ ଡାକିଛନ୍ତି । ହେଲେ ମୋର ଆସିବା କଥା ତାକୁ କିଛିବି କହିବ ନାହିଁ ।”
ଚାକର ସୁଧର୍ମର ଘରେ ଯାଇ ପହଁଚିଲା । ସେତେବେଳେ ସୁଧର୍ମ କିଛି ଗୋଟେ କାମ କରୁଥିଲା । ଅଦୂରରେ ଜଣେ ବୃଦ୍ଧ ବ୍ୟକ୍ତି ମଧ୍ୟ ବସିଥା’ନ୍ତି । ଶ୍ରୀପତିଙ୍କ ଚାକରଠାରୁ ସବୁକଥା ଶୁଣି ସୁଧର୍ମ କହିଲା, “ତୁମେ ତ ଦେଖୁଛ ଯେ ମୁଁ ଏବେ କୌଣସି କାମରେ ଲାଗିଛି । ଏହାକୁ ଛାଡିଯାଇ ହେବନାହିଁ । ଆଉ ଯଦି ତୁମ ମାଲିକଙ୍କର ମୋ ସହିତ ଜରୁରୀ କଥାବାର୍ତ୍ତା ହେବାର ଅଛି ତେବେ ସେ ନିଜେ କାହିଁକି ଆସିଲେ ନାହିଁ? ମୋର ତ ତାଙ୍କ ସହିତ କିଛିବି କାମ ନାହିଁ ।” ସୁଧର୍ମର ଏପ୍ରକାର କଥାବାର୍ତ୍ତା ବୁଢାକୁ କିନ୍ତୁ ମୋଟେ ଭଲ ଲାଗିଲା ନାହିଁ । ସେ କହିଲା, “ପୁଅ, ଏମିତି କ’ଣ କହୁଛୁ? ଶ୍ରୀପତି ପରା ଏ ଗାଁର ଜଣେ ମୁଖିଆ । ତୋତେ ଯଦି ସେ ଡକାଇଛନ୍ତି, ତେବେ ତ ତୁ ସେଠାକୁ ନିଜେ ଯିବା ଉଚିତ୍; ଓଲଟା ତାଙ୍କୁ ଆସିବାକୁ କହୁଛୁ?”
ଏକଥା ଶୁଣି ସୁଧର୍ମ ଅଳ୍ପ ହସି କହିଲା, “ଅଜା, ତମେ ଜାଣନାହିଁ ଯେ ଶ୍ରୀପତି ଗରୀବ ଲୋକଙ୍କର ରକ୍ତ କିପରି ଶୋଷେ; ସେ ଭୀଷଣ ସୁଧଖୋର୍! ସେମିତି ସବୁ କରି କରି ସେ ଆଜି ଧନୀ ହୋଇଛି ।”
ତା’ପରେ ଶ୍ରୀପତିଙ୍କ ଚାକର ଫେରି ଆସି ସବୁ କହିଲା । ସେକଥା ଶୁଣି ଶ୍ରୀପତି କ୍ରୋଧରେ ପାଗଳ ହୋଇ କହିଲେ, “ଏବେ ଦେଖିଲେ ତ? ସେ କେତେ ଗର୍ବୀ ଓ ବଦମାସ୍? ଏବେ ବି କ’ଣ ଆପଣ ନିଜ ଧାରଣାରେ ଅଟଳ?” ରମାନାଥ ଶ୍ରୀପତିଙ୍କୁ ଶାନ୍ତ କରାଇବାକୁ ଯାଇ କହିଲେ, “ସମୁଦି, ସେ ତ ଆଉ ଆପଣଙ୍କ ଚାକର ନୁହେଁ ଯେ ଆପଣଙ୍କ ଆଦେଶ ପାଇବା ମାତ୍ରେ ସେ ଆସି ଏଠାରେ ହାଜର୍ ହୋଇଯିବ?”ଶ୍ରୀପତି ରାଗରେ ଲାଲ୍ ହୋଇ କହିଲେ “କିନ୍ତୁ ମୋର ସମ୍ମାନ ତ କରିଥାନ୍ତା; ଯେହେତୁ ମୁଁ ଏ ଗ୍ରାମର ଜଣେ ସମ୍ମାନାସ୍ପଦ ବ୍ୟକ୍ତି ।”ରମାନାଥ କିଛି ସମୟ ପାଇଁ ଚୁପ୍ ରହିଲେ । ତା’ପରେ ସେ କହିଲେ, “ଯେଉଁମାନଙ୍କର ଆପଣଙ୍କ ସହିତ ଦେବାନେବା ସମ୍ପର୍କ ଅଛି ସେମାନଙ୍କୁ ନ ଡାକିଲେ ମଧ୍ୟ ସେମାନେ ଆପଣଙ୍କ ସାମନାରେ ହାତ ଯୋଡି ଠିଆ ହେବେ । କିନ୍ତୁ ସୁଧର୍ମର ଆପଣଙ୍କ ସହିତ କ’ଣ ସମ୍ପର୍କ?”
ଶ୍ରୀପତି ଚୁପ୍ ରହିଲେ; କିନ୍ତୁ ରମାନାଥଙ୍କ କଥାକୁ ସେ ଆଦୌ ବିଶ୍ୱାସ କଲେନାହିଁ । ତେଣୁ ରମାନାଥ ବାଧ୍ୟ ହୋଇ କହିଲେ, “ସମୁଦି, ମୁଁ ଏକଥା ଏବେହିଁ ପ୍ରମାଣିତ କରିବି କି ସୁଧର୍ମର ଆତ୍ମସମ୍ମାନବୋଧ ଅଛି କିନ୍ତୁ ତା’ର ଗର୍ବ ଯମାରୁ ନାହିଁ ।” ତା’ପରେ ସେ ଚାକରକୁ ଡାକି କହିଲେ, “ତୁ ପୁଣି ଯାଇ ସୁଧର୍ମକୁ କହ ତୁମ ମାଲିକଙ୍କର ତା’ ସହିତ କିଛି ଜରୁରୀ କାମ ଅଛି; କିନ୍ତୁ ତାଙ୍କ ଦେହ ଅସୁସ୍ଥ ଥିବାରୁ ସେ ଏଠାକୁ ଚାହିଁଲେ ବି ଆସିପାରୁ ନାହାଁନ୍ତି ।”ଶ୍ରୀପତିଙ୍କ ଅସୁସ୍ଥତାର ଖବର ପାଇବା ମାତ୍ରେହିଁ ସୁଧର୍ମ ତୁରନ୍ତ ସେଠାକୁ ଆସିଲା ତା’ପରେ ସେ ଶ୍ରୀପତିଙ୍କୁ ନମସ୍କାର କରି ପଚାରିଲା, “ମୁଁ କ’ଣ ଶୁଣିଲି ଆପଣ ଅସୁସ୍ଥ; ଏବେ କିପରି ଅଛନ୍ତି?”ଶ୍ରୀପତି ହସି ହସି କହିଲେ, “ମୋର ଦେହ କାହିଁକି ଅସୁସ୍ଥ ହୁଅନ୍ତା? ମୋ ସମୁଦି ତୁମ ସହିତ ଦେଖା କରିବାକୁ ଚାହୁଁଥିଲେ ।”
ସୁଧର୍ମ ଏବେ ରମାନାଥଙ୍କୁ ନମସ୍କାର କଲା । ରମାନାଥ ତା’ର ଟଙ୍କାପଇସା କଥା ବୁଝାଇ ଦେଲେ ଓ ଯାହାକିଛିବି ଦେବାର ଥିଲା ତାହା ମଧ୍ୟ ସେ ଦେଲେ । ତା’ପରେ ସେ ଖୁସି ହୋଇ ଦୁହିଁଙ୍କୁ ନମସ୍କାର କରି ସେଠାରୁ ଚାଲିଗଲା ।ସେ ଯିବା ପରେ ରମାନାଥ ଶ୍ରୀପତିଙ୍କୁ କହିଲେ, “ଏବେ ତ ଆପଣ ନିଶ୍ଚୟ ବିଶ୍ୱାସ କରିବେ ଯେ ସୁଧର୍ମର ଆଦୌ ଟିକିଏବି ଗର୍ବ ନାହିଁ, ବରଂ ତା’ର ଆତ୍ମସମ୍ମାନବୋଧ ଅଛି । ଗର୍ବୀ ହୋଇଥିଲେ ତ ସେ ଏଥର ମଧ୍ୟ ଆସି ନଥା’ନ୍ତା । ଆପଣ ଅସୁସ୍ଥ ଅଛନ୍ତି ଶୁଣି ସେ ଦୌଡି ଆସିଛି ।”
ଏବେ ଶ୍ରୀପତିଙ୍କ ଆଖି ଖୋଲିଗଲା । ସେ ରମାନାଥଙ୍କ କଥା ଠିକ୍ ଭାବେ ବୁଝିପାରି କହିଲେ, “ମନୁଷ୍ୟର ସ୍ୱଭାବ ବୁଝିବା ବଡ କଷ୍ଟ । ସୁଧର୍ମ ଏକ ସତ୍ ଓ ବିବେକବାନ୍ ବ୍ୟକ୍ତି ବୋଲି ମୁଁ ଏପର୍ଯ୍ୟନ୍ତ ଜାଣି ନଥିଲି । ମୁଁ ତ ଏପର୍ଯ୍ୟନ୍ତ ତାକୁ ଖାଲି ଗର୍ବୀ ବୋଲିହିଁ ଭାବିଥିଲି । ସେଇଟା ମୋର ବହୁତ ବଡ ଭୁଲ୍ ଥିଲା । ଏବେ ଜାଣିଲି ମଣିଷ ଗରୀବ ହେଲେ ମଧ୍ୟ କାହା ପାଖରେ ହାତ ନ ପତାଇଲେହିଁ ଜଣାଯିବ ଯେ ତା’ର ଆତ୍ମସମ୍ମାନବୋଧ ରହିଛି ।”