• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଉପନ୍ୟାସ»ଅସୁର ଦୀଘି :
ଉପନ୍ୟାସ

ଅସୁର ଦୀଘି :

ଫକୀର ମୋହନ ସେନାପତିBy ଫକୀର ମୋହନ ସେନାପତିNovember 26, 2018No Comments9 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ଗୋବିନ୍ଦପୁର ମୌଜାର ଗୋଟିଏ ମାତ୍ର ପୋଖରୀ; ଗ୍ରାମର ସମସ୍ତଲୋକ ଏଥିରେ ଜଳ କାରବାର କରନ୍ତି । ପୁଷ୍କରଣୀଟା ଖୁବ୍ ବଡ଼, ଆଡ଼ ଦୀର୍ଘ ନଳି ଦେଲେ ଦଶବାର ବାଟିରୁ ଊଣା ପଡିବ ନାହିଁ । ନାମ ଅସୁର ଦୀଘି । ଏଥିରେ ପୂର୍ବେ ଷୋଳଟା ଦୀପଦଣ୍ତିଥିଲା, ଦେବତା ବଳିଆରରୁ ସବୁ ଡୁବାଇଅଛି । ଚାରିପାଖ ଆଡ଼ି ବଗଚରା-ଠାରୁ ଦଶବାରହାତ ଉଚ୍ଚ । ଏ ପୋଖରୀଟି କେତେକାଳର, କିଏ ଖୋଳାଇଛି ଏଥିର ସଟୀକ ବୃତ୍ତାନ୍ତ ଆମ୍ଭେମାନେ କହିବାକୁ ଅକ୍ଷମ । ଶୁଣିବାରେ ଅସୁରମାନେ ଖୋଳିଛନ୍ତି ଅସମ୍ଭବ ନୁହେଁ । ଏଡ଼େବଡ଼ ଜଳକୀର୍ତ୍ତି ଯେ କରିପାରେ, ସେ କି ଆମ୍ଭମାନଙ୍କପରି ମନୁଷ୍ୟ ? ଗ୍ରାମର ପଞ୍ଚାନବେ ବର୍ଷର ବୁଢ଼ା ଏକାଦୁଶିଆ ତନ୍ତୀ ମୁହଁରୁ ପୁଷ୍କରିଣୀ ସମ୍ବନ୍ଧରେ ଯେଉଁ ଇତିହାସ ସାର ସଂଗ୍ରହ କରିଅଛୁ, ତାହାର ସଂକ୍ଷିପ୍ତ ବୃତ୍ତାନ୍ତ ଏହି – ବାଣାସୁର ଏହି ପୋଖରୀ ଖୋଳାଇଛି । ସେ ଆପଣା ହାତରେ କୋଡ଼ି ଗାଣ୍ତୁଆ ଧରି ଖୋଳିନାହିଁ । ତାହା ହୁକୁମରେ ଅସୁର ମାନେ ଆସି ରାତିକ ମଧ୍ୟରେ ଖୋଳିପକାଇଲେ । ଖୋଳୁ ଖୋଳୁ ରାତି ପାହିଗଲା । ଦକ୍ଷିଣ ଆଡ଼ିଆ କୋଣରେ ବାର ଚଉଦ ହାତ ଓସାରର ଗୋଟିଏ ମୁହାଁଣ ଅଛି, ସେଠାରେ ମାଟି ପଡ଼ିପାରିଲା ନାହିଁ । ଦାଣ୍ତରେ ଲୋକ ବୁଲ ଚାଲ ହେଲେଣି, ଅସୁରମାନେ ଏବେ ଯାଆନ୍ତି କୁଆଡେ ? ପୋଖରୀ ମଧ୍ୟରେ ବିଳ ଖୋଳି ଗଙ୍ଗାକୂଳରେ ବାହାରି ପଡ଼ିଲେ । ସେଠାରେ ଗଙ୍ଗା ସ୍ନାନ କରିପଳାଇଲେ । ଆଗେ ଗଙ୍ଗାସାଗରରେ ବାରୁଣୀ ପଡ଼ିଲେ ଅସୁର ଦୀଘୀକୁ ପାଣିତେଣ୍ତି ଆସୁଥିଲା; ଗ୍ରାମରେ ବହୁତ ଅନାଚାର ହେବାରୁ ଏଣିକି ଆଉ ପାଣି ଆସୁ ନାହିଁ । ଇଂରେଜୀ ପଢୁଆ ବାବୁମାନେ ସାବଧାନ ! ଆମମାନଙ୍କର ଏକାଦୁଶୀ ଚନ୍ଦ୍ରଙ୍କ ଇତିହାସ ଶୁଣି ହସିବେ ନାହିଁ, ତାହେଲେ ମାର୍ଶମାନ୍ ଆଉ ଟଡ୍‌ଙ୍କ ଲେଖାରୁ ଆଠପଣି କାହିଁ ଉଡ଼ିଯିବ । ଦୀଘିରେ ମାଛ ଅଛନ୍ତି । ଆପଣ କହିବେ, ଯହିଁ ପାଣି ତ ହିଁ ମାଛ ଏ କଥା ଲେଖିବାର ଦରକାର କଣ ? ମାତ୍ର ଆପଣଙ୍କ କଥାଟା ଯୁକ୍ତିସଙ୍ଗତ ହେଲା ନାହିଁ । ଆଖୁ ସହିତ ଗୁଡ଼ର, ଦେହ ସହିତ ହାଡ଼ର ଯେମନ୍ତ ନିତ୍ୟ ସମ୍ବନ୍ଧ, ପାଣି ସହିତ ମାଛର ସେପରି କିଛି ନାହିଁ । ତାହେଲେ ଆପଣଙ୍କ ଘର ପାଣିମାଠିଆରୁ ତ ମାଛ ବାହାରୁଥାନ୍ତେ ? ଅନୁମାନ ବା ଅଯୌକ୍ତିକ କଥା ଲେଖିବା ଆମମାନଙ୍କର ଅଭ୍ୟାସ ନୁହେଁ । ଅସୁର ଦୀଘିରେ ଯେ ମାଛ ଅଛନ୍ତି ଆମେମାନେ ସେଥିରେ ଅକାଟ୍ୟ ପ୍ରମାଣ ଦେବୁଁ । ଏହି ଦେଖନ୍ତୁ, ଦକ୍ଷିଣ ଆଡ଼ିଆରେ ପାଣିକୁ ପାଞ୍ଚ ହାତ ଛାଡ଼ି ଆଁ କରି ସାନ ବଡ଼ ତିନି ଗୋଟା ଥଣ୍ଟିଆକୁମ୍ଭୀର ପଡିଅଛନ୍ତି । ସବୁଦିନେ ପଡ଼ନ୍ତି । ଏମାନେ କି ସକାଶେ ଦୀଘିରେ ଅଛନ୍ତି ? କଣ ଖାଇ ବଞ୍ଚନ୍ତି ? ସେମାନେ କି ଗୋରୁଗାଈ ପରି ପଡ଼ିଆରେ ଘାସ ଚରିବାରେ କେହି ଦେଖିଅଛନ୍ତି ? ନା, ଜୈନମାନଙ୍କ ପରି ଅହିଁସା ପରମ ଧର୍ମ ଜାଣନ୍ତି ? ଅବଶ୍ୟ ଦୀଘିରେ କୌଣସି ପଦାର୍ଥ ଖାଇ ବଞ୍ଚିଅଛନ୍ତି ? ସେ କି ପଦାର୍ଥ ? ଥଣ୍ଟିଆକୁମ୍ଭୀର ମାନଙ୍କର ଆଉ ଗୋଟିଏ ନାମ ମାଛୁଆ କୁମ୍ଭୀର, ଅର୍ଥାତ୍ ଏମାନେ ମାଛଖାଆନ୍ତି । କେହି କହିବେ, ଏମାନେ ମାଛଖାଆନ୍ତି ସତ୍ୟ, ଆଉ ସ୍ଥାନରୁ ମାଛ ଆଣି ଖାଆନ୍ତି । ହାଟରେ ମାଛ ଶୁକୁଆ ମିଳେ ସତ୍ୟ, ମାତ୍ର ଏମାନେ ପଇସା ନେଇ ହାଟକୁ ମାଛ କିଣିବାକୁ ଯିବାର ତ କେଭେ ଦେଖାନାହିଁ । ଆଉ ଗାଁଆକୁ କେଉଟୁଣି ମାନେ ମାଛବିକିବାକୁ ଆସିଲେ ଗାଁ ମାଈକିନିଆମାନେ ଧାନ ଚାଉଳ ଦେଇ ମାଛ ବଦଳାନ୍ତି । ଆମ୍ଭେମାନେ ଶପଥ କରି କହିପାରୁ, କୁମ୍ଭୀରମାନେ ତ ସେପରି ଧାନ ଚାଉଳ ଦେଇ ମାଛ କିଣିବାର କେଭେ ଦେଖିନାହୁଁ । ସୁତରାଂ ପ୍ରମାଣ ହେଲା, ଦୀଘିରେ ମାଛ ଅଛନ୍ତି । ଏତିକି ଯେ ଯଥେଷ୍ଟ ପ୍ରମାଣ ତାହା ନୁହେଁ, ଆହୁରି ମଧ୍ୟ ଅନେକ ଅକାଟ୍ୟ ପ୍ରମାଣ ଅଛି । ଏହି ଦେଖନ୍ତୁ ଚାରିଟା କାଦୁଅଗୁମ୍ଫି ଗୋଟିପୁଅ ପିଲାଙ୍କ ପରି ନାଚକୁଦି ବୁଲୁଅଛନ୍ତି । ତୋଡ଼ୀ ପିଲାଟିର, ଦଣ୍ତେଇ ପଲାଟିର ବେକ ଚିପୁଛନ୍ତି ବୋଲି ସିନା ଏତେ ନାଚକୁଦ । କେହି କହିବେ, କାଦୁଅଗୁମ୍ଫିଗୁଡ଼ାକ କି ନିଷ୍ଠୁର, କି ଦୁଷ୍ଟ, ପରର ବେକ ଚିପି ଏତେ ଆନନ୍ଦ ! ଭାଇ, କଣ କହିବୁଁ ! ବିଚାରୀ କାଦୁଅଗୁମ୍ଫିକୁ ନିଷ୍ଠୁର ବୋଲ, ସଇତାନ ବୋଲ, ଯାହା ବୋଲ ସେ କିଛି ତୁମ ନାମରେ ହୁରମତ ବାହାରର ନାଲିସ୍ ରୁଜ୍ଜୁକରିବ ନାହିଁ; କିନ୍ତୁ ଜାଣିବ, ତୁମ ମନୁଷ୍ୟ ଜାତିଭାଇ ମଧ୍ୟରେ ଯେ ଯେତେ ବେକ ଚିପିପାରେ, ସେ ଯେ ତେଡ଼େ ବାହାଦୂର, ସାହି ମାନ୍ୟ, ସେହି ଗଣ୍ୟ, ‘ସ ଚ ଦର୍ଶନୀୟ’ ଏ କଥା କି ଜାଣନ୍ତି ନାହିଁ? ଚାରିପାଞ୍ଚ ଗଣ୍ତା ଧଳା ବଗ, ଚାରି ପାଞ୍ଚ ଗୋଟି କାଣ୍ଟିବଗ ନୀଚ ଲୋକ ମୂଲିଆଙ୍କ ପରି ସକାଳୁ ସନ୍ଧ୍ୟାବେଳ ଯାଏଁ କାଦୁଅ ଚକଟୁଛନ୍ତି । ଦୀଘିରେ ମାଛ ଥିବାର ଏହା ତୃତୀୟ ପ୍ରମାଣ । ଯୋଡ଼ାଏ ପାଣିକାଉ କେଉଁ ଦେଶରୁ ଉଡ଼ିଆସି ଦୀଘି ମଧ୍ୟରେ ଦୁଇ ଚାରି ଡୁବମାରି ପେଟ ପୁରାଇ ଫର କରି ଉଡ଼ିଗଲେ । ଗୋଟାଏ ପାଣିକାଉ ମେମେସାହେବଙ୍କ ଗାଉନ୍ ପରି କୂଳରେ ବସି ଡେଣା ସୁଖାଉ ଅଛି । ସେ ହିନ୍ଦୁଧର୍ମୀ ବଗମାନେ, ଇଂରେଜ ପାଣିକାଉଙ୍କୁ ଦେଖ, କେଉଁ ଦେଶରୁ ଖାଲି ପକେଟରେ ଉଡ଼ିଆସି ଚେଙ୍ଗ ବେଙ୍ଗ ଗଡ଼ିଶାରେ ପେଟପୁରାଇ ଚାଲିଗଲେ । ଦୀଘି କୂଳର ବରଗଛରେ ତୁମ୍ଭମାନଙ୍କ ବସା, ଦିନ ଯାକ ପାଣି ଚକଟି ଚକଟି ଦଣ୍ତେଇ ପିଲା, କେରାଣ୍ତି ପିଲାରୁ ଅଧିକ କିଛି ପାଉନାହିଁ । ଜୀବନ ସଂଗ୍ରାମ କାଳ ଉପସ୍ଥିତ, ଏଣିକି ଆହୁରି ପଲ ପଲ ପାଣିକାଉ ଆସି ଚେଙ୍ଗ ବେଙ୍ଗ ସବୁ ବହି ନେଇଯିବେ । ତୁମ୍ଭେମାନେ ବିଦେଶକୁ ଯାଇ ସମୁଦ୍ର ପହଁରି ନ ଶିଖିଲେ ଆଉ ରକ୍ଷା ନାହିଁ । ଚିଲ ଖୁବ ସିଆଣା, ଭାରି ହୁସିଆର, ଗୁରୁ ଗୋସାଇଁଙ୍କ ପରି ଡାଳରେ ତୁନି ହୋଇ ବସିଅଛି, ଥରେ ପାଣିକି ଝାମ୍ପିପଡ଼ି ଯାହା ଉଠାଇ ନିଏ, ସେଥିରେ ତାହାର ଦିନକ କଟିଯାଏ । ଗୋସାଇଁ ମାନେ ବର୍ଷ ଯାକ ପିଣ୍ତାରୁ ଓହ୍ଲାଇ ନାହିଁ, ବରଷକୁ ଥରେ ଶିଷ୍ୟ ଦୁଆରକୁ ଝାମ୍ପିମାରନ୍ତି । ବରଚରାଠରୁ ଚାଳିଶ ପାଞ୍ଚଶ ହାତ ଦୂର ପାଣିଯାଏ ବଉଳମାଳା ଦଳ ଶିଙ୍ଗଡ଼ା ପୂର୍ଣ୍ଣ । ସେହି ଦଳ ମଧ୍ୟରୁ ହିନ୍ଦୁଘର ଭୁଆଷୁଣୀଙ୍କ ପରି କଇଁଗୁଡ଼ିକ ରାତିରେ ତୁନି ତୁନି ଫୁଟନ୍ତି, ଦିନବେଳେ ଢୁଙ୍କିଢ଼ାଙ୍କି ରହନ୍ତି । ସେଥିମଧ୍ୟରେ ପାଣିଶିମୂଳି ଫୁଲଗୁଡ଼ିକ ଅଭିଆଡ଼ୀ ଝିଅଙ୍କପରି ଲାଜ ନାହିଁ, ସରମ, ଦିନରାତି ପବନରେ ଫକ୍ ଫକ୍ ଡେଉଁଛନ୍ତି ପାଣିଭିତରକୁ । ରତାକଇଁ ଏମାନେଶିକ୍ଷିତା ଖ୍ରୀଷ୍ଟାନ୍ ଲେଡ଼ି, କଇଁଦଳରୁ ବାହାରି ଗଲେଣି, ପଦ୍ମ ଦଳରେ ମିଶିପାରି ନାହାନ୍ତି । ଦୀଘିମଝିରେ ଦଳ ନାହିଁ । ରାତିରେ ବୁଢ଼ୀମଙ୍ଗଳା ଠାକୁରାଣୀ ବୁଲନ୍ତି । ସେଥିସକାଶେ ଦଳ ହୋଇପାରେ ନାହିଁ । ଭାରତ କବିଙ୍କର ସର୍ବସ୍ୱ ଧନ ଲକ୍ଷ୍ମୀଙ୍କର ନିବାସ, ସରସ୍ୱତୀଙ୍କର ଆସନ, ବ୍ରାହ୍ମଣଙ୍କର ଜନ୍ମସ୍ଥାନ ପଦ୍ମ ବନରେ ପୂର୍ଣ୍ଣ । ଫଳଗୁଡ଼ିକରେ ଠାକୁରାଣୀଙ୍କର ଷୋଳପଣି ଅଧିକାର । ଜଣେ ଲୋକ ଥରେ ଗୋଟାଏ ଫୁଲ ଆଣିବାକୁ ପହଁରି ଯାଇଥିଲା । ଠାକୁରାଣୀ ତାହା ଗୋଡ଼ରେ ଶିକୁଳି ଲଗାଇ ପାଣିଭିତରକୁ ଭିଡ଼ିନେଲେ । ସେହି ଦିନଠାରୁ ଆଉ କେହି ଫୁଲକୁ ଅନାଏ ନାହିଁ ।

ଅସୁର ଦୀଘିରେ ଚାରିଟାତୁଠ, ଧରିବାକୁ ଗଲେ ତିନିଟା । ଦକ୍ଷିଣ ତୁଠଟାକୁ କେହି ଯାଆନ୍ତି ନାହିଁ । ଗ୍ରାମରେ କେହି ମରିଗଲେ ସେହି ତୁଠରେ ଦଶାହକ୍ରିୟା ହୁଏ । ଏହି ତୁଠଟା ବଡ଼ ଭୟଙ୍କର ସ୍ଥାନ, ରାତି ତ ରାତି, ଦିନବେଳେ ମଧ୍ୟ ସେଠାକୁ କେହି ଯିବାର ଦେଖିନାହିଁ । ଏହି ତୁଠ ଉପରକୁ ଭାରି ବଡ଼ ଗୋଟାଏ ଅଶ୍ୱତ୍‌ଥ ଗଛ ଅଛି, ସେଥୁରେ ସର୍ବଦା ଯୋଡ଼ିଏ ବ୍ରହ୍ମଦୈତ୍ୟ ଥିବାର ସମସ୍ଥଙ୍କୁ ଜଣା । ଅଧରାତିରେ ଦୈତ୍ୟମାନେ ଗଛ ଅଗରେ ବସି ଦୀଘି ମଝିକୁ ଗୋଡ଼ ଲମ୍ବାଇ ଦେଇଥିବାର ଅନେକ ଅନେକ ଲୋକ ଦେଖିଛନ୍ତି । କିଏ କିଏ ଦେଖିଛନ୍ତି, ନାମ ଜଣା ନାହିଁ, କିନ୍ତୁ ଦେଖିବାର ସତ । ଆହୁରି ମଧ୍ୟ ଏହି ଆଡ଼ିରେ ଅନେକ ପିଚାଶୁଣି, ଡାଙ୍କୁଣି ସବୁଦିନେ ଘରକରି ରହି ଅନ୍ଧାର ରାତିରେ ଆଲୁଅ ଜାଳି ମାଛଧରୁଥିବାର, ବିଶେଷରେ ବର୍ଷାର ଅନ୍ଧାର ରାତିରେ ପଲ ପଲ ହୋଇ ବୁଲୁଥିବାର ପ୍ରତ୍ୟକ୍ଷ ପ୍ରମାଣ ଯଥେଷ୍ଟ ଅଛି । ପୂର୍ବ ତରଫରେ ଧୋବାତୁଠ । ଦୁଇ ଜଣ ଧୋବା ଇଶ୍ ଇଶ୍, ରାମ ରାମ କହି ପଥର ଉପରେ ଲୁଗା ବାଡ଼ଉଛନ୍ତି । ‘ଗାଁ ପରିଗୁଣ ଧୋବାରୁଠରୁ ଜଣା । ‘ଅଖାପାଲ ପରି ମୋଟା ମୋଟା ଶଗଡ଼େ ମଇଳା ଲୁଗା ଗଦା ହୋଇଅଛି । ଲୁଗା ସିଝାଇବା ଶୁଖାଇବା କାମରେ ଚାରି ଜଣ ଧୋବଣୀ ଲାଗିଛନ୍ତି । ଉତ୍ତର ପଶ୍ଚିମ କୋଣରେ ତନ୍ତୀତୁଠ । ଗାଁ ମଝାଲରେ ଥିବାରୁ ସେଠାରେ ସକାଳେ ମାଈକିନିଆ ମାନଙ୍କର ହାଟ ବସେ । ହାଟ ନାମ ଶୁଣି ଆପଣମାନେ ଯେ, ଏଠାରେ କିଣା ବିକାହୁଅନ୍ତି । ପାଟି ଆଉ ଜନତା ସଙ୍ଗରେ ସମାନ ଥିବାରୁ ହାଟ କହିଲୁ । ରାନ୍ଧୁଣୀ ଗାଧୁଆ ବେଳେ ଭାରି ଭିଡ଼ ହୁଏ । ଗ୍ରାମରେ ଡେଲି ନିଉଜ୍ ଖବର କାଗଜ ଛାପା ହେଉଥିଲେ, ସମ୍ପାଦକଙ୍କୁ ସମ୍ବାଦ ସଂଗ୍ରହ ନିମନ୍ତେ ଅଧିକ ପରିଶ୍ରମ କରିବାକୁ ହୁଅନ୍ତା ନାହିଁ । ଖଣ୍ତେ ପେନ୍‌ସିଲ୍ କାଗଜ ଘେନି ଏହିଠାରେ ବସିଲେ ସମସ୍ତ ସଂଗ୍ରହ କରିପାରନ୍ତେ । ଗଲା ରାତିରେ କାହା ଘରେ କଣ ରନ୍ଧା ହୋଇଥିଲା; ଆଜି ରାନ୍ଧଣାର ବ୍ୟବସ୍ଥା, କିଏ କେତେ ବେଳେ ଶୋଇଲା, କାହାକୁ କେତେ ମଶାକାମୁଡ଼ିଲା, କାହା ଘରେ ଲୁଣ ନ ଥିଲା, କିଏ ତେଲ ଟିକିଏ କାଳି ଆଣିଛି, ରାମାମା ଘର ନୂଆ ବୋହୂଟା ବଡ କଳିହୁଡ଼ୀ, କାଲିଆସିଲା ଆଜି ଶାଶୁକୁ ଜବାବ ଦେଲାଣି, କମଳୀ କେବେ ଶାଶୁଘରକୁ ଯିବ, ସରସ୍ୱତୀ ଝିଅ ବଡ଼ ଭଲ, ରାନ୍ଧେ ଯେପରି ଲାଜସରମ ସେହିପରି । ପଦୀ ପାଣିରେ ବସି ଦାନ୍ତ ଘଷୁ ଘଷୁ ଗୋଟିଏ କ୍ଷୁଦ୍ର ବକ୍ତୃତା ଆରମ୍ଭ କରିଅଛି । ସାରମର୍ମ, ତା’ପରି ରାନ୍ଧୁଣୀ ଗ୍ରାମରେ ନାହାନ୍ତି, ଇତ୍ୟାଦି ଇତ୍ୟାଦି । ଦରକାରୀ ବେଦରକାରୀ କଥାମାନ ଅବିଶ୍ରାନ୍ତ ଚଳୁଅଛି । କେତେ ଜଣ ସୁନ୍ଦରୀ ମୁଖର ଆହୁରି ସୌନ୍ଦର୍ଯ୍ୟ ବଢ଼ାଇବା ନିମନ୍ତେ ପଣତକାନିରେ ମୁହଁ ରଗଡୁଛନ୍ତି । ଲକ୍ଷ୍ମୀ ରଗଡ଼ି ରଗଡ଼ି ବସଣୀରେ ଉପର ନାକ ଦୁଇପୁଡ଼ା ରଙ୍ଗା କରି ପକାଇଲାଣି । ବିମଳୀ ପାଣି ପାଖରେ ବସି ଆପଣା ହାତର ବାଇଶ ପଳିଆ ପିତଳ ବାହିବଳା ଅଧବୋଝେ ବାଲି ପକାଇ ସବଳେ ମର୍ଦ୍ଦନ କରୁକରୁ କୌଣସି ଅଜ୍ଞାତନାମା ଲୋକ ଉଦ୍ଦେଶ୍ୟରେ ଅଭିଧାନ ବହିର୍ଭୁତ ଶଦ୍ଦମାନ ପ୍ରୟୋଗପୂର୍ବକ ଏକ ଦୀର୍ଘବକ୍ତୃତା ଆରମ୍ଭ କରିଅଛି । ଗଲା ରାତିରେ ତାହାର କଖାରୁ ଗଛ କାହାର ଗୋରୁ ଖାଇବା ବକ୍ତୃତାର ବିଷୟ ଅଟେ । ବିମଳୀ କ୍ରମଶଃ ଗୋସ୍ୱାମୀର ଊର୍ଦ୍ଧ୍ୱତନ ତିନି ପୁରୁଷ ପ୍ରତି କୁତ୍ସିତ ପଦାର୍ଥ ବିଶେଷରେ ଖାଦ୍ୟର ବ୍ୟବସ୍ଥା କରି ଗୋରୁର ଅତ୍ୟାଚାରିତା, ଆପଣା ବାଡ଼ିର ଉର୍ବରତ୍ୱ ଏବଂ କୁଷ୍ମାଣ୍ତବୃକ୍ଷର ତେଜସ୍ୱୀତା ଏବଂ ଅତି ଶୀଘ୍ର ଗୋସ୍ୱାମୀ ଉପରେ ଭାରି ବିପଦ ପଡ଼ିଲେ ଗୋରୁଟିକୁ ଯେ ବ୍ରାହ୍ମଣକୁ ଦାନ ସ୍ୱରୂପ ଦିଆଯିବ ସେ ସମ୍ବନ୍ଧରେ ବିବିଧ ମାନ ପ୍ରୟୋଗ କରୁଅଛି । ଆମେମାନେ ଘାଟରୁ ଆହୁରି ମଧ୍ୟ ଅନେକ ସମ୍ଭାଦ ସଂଗ୍ରହ କରିଥାନ୍ତୁ; ମାତ୍ର ହଠାତ୍ ମାର୍କଣ୍ତିଆ ମା ଆଉ ଯଶୋଦା ମଧ୍ୟରେ ଭୟଙ୍କର କଳି ଉପସ୍ଥିତ ହେବାରୁ ସମସ୍ତ କଥା ବନ୍ଦ ହୋଇଗଲା । ଯଶୋଦା ପାଣି ମଧ୍ୟରେ ପେଟ ଡୁବାଇ ଦାନ୍ତ ଘଷୁଥିଲା । ପାଞ୍ଚ ବରଷିଆ ପିଲା ମାରକଣ୍ତିଆ କୁଦି ନାଚି ପାଣି ଗୋଳିଆ କଲା ଏବଂ ଉପରେ ପାଣିଛିଟିକା ପକାଇବାରୁ ଯଶୋଦା ପାଣିରୁ ଉଠିପଡି ଚିତ୍ କାର କରି କୁତ୍ସିତ ଭାବରେ ପିଲାଟିକୁ ଗାଳି ଦେବାକୁ ଲାଗିଲା ଏବଂ ତାହାର ପରମାୟୁ ଅଳ୍ପତାକାମନା କରିବାରୁ ମାରକଣ୍ତିଆ ମା ଧାଇଁ ଆସି ସମାନ ସ୍ୱରରେ ଉପଯୁକ୍ତ ଉତ୍ତର ଦେବାକୁଲାଗିଲା । ଅବଶେଷରେ ମାରକଣ୍ଡିଆ ମା ପରାସ୍ତ ହୋଇ ପିଲାକୁ ଚାପୁଡ଼ାଏ ମାରି, ପାଣକଳସି କାଖରେ ବରବର ହୋଇ ମାରକଣ୍ତିଆର ହସ୍ତଧାରଣ ପୂର୍ବକ ଗୃହାଭିମୁଖେ ଗମନ, ଭେଁ ଭେଁ କରି ଦାଣ୍ତ ନିଷିଡି ମାରକଣ୍ତିଆ କ୍ରନ୍ଦନ, ଇତିଯୁଦ୍ଧକାଣ୍ତ । ବଜ୍ର ପଡ଼ିଯାଏ, କିନ୍ତୁ ଘଡ଼ଘଡ଼ି ଶବ୍ଦଟା ଆକାଶରେ ଢେର୍ ବେଳ ଯାଏ ରହେ । କଳି ଭାଙ୍ଗିଲାଣି; କିନ୍ତୁ ସମାଲୋଚନା ଅନେକ ବେଳ ଯାଏ ଚଳିଲା । ଦରବୁଢ଼ୀ ଓ ବୁଢ଼ୀ ମାଈକିନିଆମାନେ ଦୁଇ ଦଳ ହୋଇ କେହି ମାରକଣ୍ତିଆର କେହି ଯଶୋଦାର ପକ୍ଷ ସମର୍ଥନ କରିବାକୁ ଲାଗିଲେ । ଆମାମାନେ କିନ୍ତୁ ସମ୍ପୂର୍ଣ୍ଣରୂପେ ଯଶୋଦାର ପକ୍ଷପାତୀ । ବିଶେଷ ବିବେଚନା ଏବଂ ସୂକ୍ଷ୍ମ ବିଚାରଦ୍ୱାରା ବୁଝିଅଛୁଁ, ଉପସ୍ଥିତ ଉତ୍ପାତର ମୂଳ କାରଣ ମାରକଣ୍ତିଆ, ସେ ସମ୍ପୂର୍ଣ୍ଣରୂପେ ଦୋଷୀ, ତାହାର ଅପରାଧ ଅମାର୍ଜନୀୟ । ତାହାକୁ ଗାଳିଦିଅ, ମାର କି ଯାହା କର, ଆମେମାନେ ସେଥି ସକାଶେ ଜବାବଦେହୀ କରିବାକୁ ପ୍ରସ୍ତୁତ ଅଛୁଁ । ଦେଖନ୍ତୁ, ଜଳ ଲୋକମାନଙ୍କର ଜୀବନ, ପୁଣି ତନ୍ତିତୁଠ ଜଳ ସମସ୍ତେ ପିଅନ୍ତି, ସେ ଜଳକୁ ଗୋଳିଆ କରିବା କି ସାମାନ୍ୟ ଅପରାଧ ? ଦେଖ ତ, ପଣେ କି ଛ କୋଡ଼ି ମାଈକିନିଆ ଗାଧୋଇବାକୁ ଆସିଲେ, ପ୍ରାୟ ସମସ୍ତେ ପେଟ ଡୁବାଇ ପାଣିରେ ବସି ଦାନ୍ତ ଘଷିଲେ । ନବଫେନ ଖଣ୍ତବତ୍ ଶୁକ୍ଳବର୍ଣ୍ଣ ଛେପ ଖଙ୍କାର ସେମାନଙ୍କ ମୁଖରୁ ବାହାରି ଚାରିଆଡ଼େ ଭାସୁଅଛି, ଈଷତ୍ ଲୋହିତ ପାଟଳାଭ ଜିଭଜଞ୍ଚା ମଳି ମଧ୍ୟ ମେଞ୍ଚା ମେଞ୍ଚା ଭାସୁଅଛି, ସେଥି ସହିତ ଆଉ କଣ ଭାସୁଛି କି ନାହିଁ ବୋଲାଯାଇ ନପାରେ, କାରଣ ସମସ୍ତ ସ୍ତ୍ରୀଲୋକ ପଡ଼ିଆରୁ ଆସି ଜଳ ଶୌଚ କରିଅଛନ୍ତି । ଆଉ ଲୋକକଥା ଛାଡ଼, ନିଜେ ଯଶୋଦା ସେହିପରି କରୁଥିବାର ତାକୁ ପଚାରିଲେ ସେ ଅସ୍ୱୀକାର କରିବନାହିଁ । ଏହା ତ ସନାତନ ପ୍ରଚଳିତ ପ୍ରଥା, ଅପରାଧର କଥା ଯେ ଲୁଚାଇବୁ ? ଜଣେ ମସ୍କରାଲୋକ କହୁଥିଲା, ମାଈକିନିଆ ମାନେ ପୋଖରୀରୁ ମାଠିଆରେ ଯେତେ ଜଳ ନିଅନ୍ତି, ତାହାର ପା’ଭାଗ ଜଳ ଛାଡିଯାଆନ୍ତି । ଏ କଥା ଠିକ୍ ସତ୍ୟ ହେଲେ ମଧ୍ୟ ଆମମାନଙ୍କ ଚକ୍ଷୁର ଅଗୋଚର । କେତେ ଜଣ ଶୋଇବା ହେଁସ କାଚି ନେଇଗଲେ, ସାନସାନ ପିଲାଙ୍କର ଶେଯ କନ୍ଥା, ଆହୂରି ନାନା ପ୍ରକାର କନା କତରା କଚା ହେବାର ଦେଖାଗଲା; ସେ ଯାହାହେଉ, ସ୍ତ୍ରୀଲୋକମାନେ ଘାଟରେ ଏତେ କାର୍ଯ୍ୟ କଲେହେଁ ମାରକଣ୍ତିଆ ପରି ନାଚିକୁଦି କେହି କିଛି କାର୍ଯ୍ୟ କରିନାହିଁ । ନାଚକୁଦ ନ କଲେ କି ପାଣି ଗୋଳିଆ ହୁଏ ? ଏଥିସକାଶେ ଆମ୍ଭେମାନେ ବୋଲୁଅଛୁଁ, ମାରକଣ୍ତିଆର ଅପରାଧ ନିତାନ୍ତ ଉତ୍କଟ ଅଟେ ।

ତନ୍ତୀତୁଠକୁ ତିନିଶ କଦମ ଛାଡ଼ି ସାଆନ୍ତ ତୁଠ । ସକାଳ ଓଳି ଏ ତୁଠକୁ କେହି ସ୍ତ୍ରୀଲୋକ ଯାଆନ୍ତି ନାହିଁ, ସମ୍ପୁର୍ଣ୍ଣରୂପେ ପୁରୁଷ ମାନଙ୍କର ଦଖଲ । ବୈଶାଖମାସିଆ ଦିନ, ବେଳ ଛଅଘଡ଼ି ନୋହୁଣୁ ଆକାଶରୁ ନିଆଁ ଛିଣ୍ତି ତାତି ପବନଟା ଦେହରେ ଝାଁ ଝାଁ ବାଜୁଅଛି । ଚାଷବିଲରୁ ଧୂଳି ଉଡ଼ି ମାଟିରେ ନିଆଁ ଲାଗିଧୂଆଁ ଉଡ଼ିଲାପରି ଜଣା ଜାଉଅଛି । ଘାଟରେ ଲୋକ ପୁରିଗଲେଣି ଅନ୍ଧାର ପକ୍ଷ ପିଛିଲା ଜହ୍ନ ରାତି । ତିନି ପହର ବେଳେ ଚଷାମାନେ ହଳଯୋଚି ଦେଇଥିଲେ, ସମସ୍ତଙ୍କର ହଳ ଫିଟିଲାଣି, କେହିଘର କାନ୍ଥରେ ଲଙ୍ଗଳ ଆଉଜାଇ ଦେଇ ତେଲ ଟିକିଏ ମୁଣ୍ତରେ ପାଞ୍ଚ ଆଙ୍ଗୁଳିଆ କରି ଦେହରେ ବୋଳିହୋଇ ଆସିଅଛି, କାହାକାନ୍ଧରେ ଅର୍ଦ୍ଧ ଅଙ୍ଗୁଳି ମୋଟା ତୋରାଣି ପକା ଗାମୁଛା, କେହି ନିର୍ଗାମୁଛା, କେତେଜଣ ବାହାରେ ବାହାରେ ବିଲରୁ ଆସି ଘାଟରେ ବଳଦ କାନ୍ଧରୁ ଯୂଆଳି ବାହାର କରି ରଖି ପାଣିରେ ପଶିଗଲେ । କେତେ ହଳ ବଳଦ ପେଟେ ପେଟେ ପାଣିପିଇ କୂଳରେ ଚରୁଛନ୍ତି । କେତେଜଣ ସୁଖିଲା ଦାନ୍ତ କାଠି ଚୋବାଇ ଚୋବାଇ ଆସି ପାଣିରେ ପଶି ଜିଭଛେଲି କୂଳକୁ ଦାନ୍ତକାଠି ଫୋପାଡି ଦେଲେ । ତୁଠ ଦୁଇ ପାଖରେ ଅଧ ଶଗଡେ ଶୁଖିଲା ଦାନ୍ତକାଠି ଜମାହୋଇ ଅଛି । ପୁରୁଷ ଲୋକମାନେ ଯେ ତୁନି ତୁନି ଗାଧୁଅନ୍ତି ତାହାନୁହେଁ, ମାଈକିନିଆ ମାନଙ୍କପରି ଢ଼େର୍ କଥା କହନ୍ତି; ମାତ୍ର ସେହି ଏକରକମ କଥା, ସେହି ପୁରୁଣାକଥା, ସେଗୁଡାକ ଲେଖିଲେ କଣ ହେବ ? କିଆ ଗୋହିରୀରେ କେତେ ଯୁଣ ବୁଣାସରିଲାଣି, ବରଚକ ଆଜି ଦୋହଡ଼ା ସରିଲା, ରାମାବଡ଼ ଗହୀରରେ ଅଖିମୁଠି ପକାଇଲା, ଭୀମା ବଳଦ ଚଞ୍ଚଳିଆ, ସାଆନ୍ତ ଘର ଧଳାବଳଦ ଯୋଡ଼ାକ ବଳଦ ନୁହନ୍ତି ତ, ଯୋଡ଼ାଏ ହାତୀପିଲା, ମୁଁ କସରାବଳଦଟା କିଣି ମୁଠାଏ ଟଙ୍କା ପାଣିରେ ପକାଇ ଦେଇଛି, ସାଆନ୍ତ ଘର କରଜ ଅମାର ଏହିମାସରେ ଫିଟିବ, ଏହିମାସ ପନ୍ଦର ଦିନରେ ଶ୍ରାବଣ ପଶିବ, ନାହାକ କହିଛି ଲଗାଣ ହେବ । ଏ ସବୁ କଥା ସମସ୍ତଙ୍କୁ ଜଣା, ଅଧିକ କରି କଣ ଲେଖିବୁଁ ?

Share. Facebook Twitter Pinterest LinkedIn Tumblr Reddit Email
Previous Articleଗୋବରା ଜେନା :
Next Article ହିତୋପଦେଶ :
ଫକୀର ମୋହନ ସେନାପତି

Related Posts

ଡାକମୁନ୍ସି

February 10, 2022

ଉପସଂହାର

November 26, 2018

ଅପୂର୍ବ ମିଳନ :

November 26, 2018

ବାବାଜୀ ଲଳିତା ଦାସ :

November 26, 2018

ମଙ୍ଗରାଜ ଘରର ହାଲଚାଲ :

November 26, 2018

ଖୁଣି ତଦାରଖି :

November 26, 2018
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.