• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଅଧର୍ମ ବିତ୍ତ/Adharma Bitta
ଗଳ୍ପ

ଅଧର୍ମ ବିତ୍ତ/Adharma Bitta

suchitraBy suchitraFebruary 6, 2022No Comments33 Mins Read
Facebook Twitter Pinterest Reddit LinkedIn Tumblr Email
Adharma Bitta
Adharma Bitta
Share
Facebook Twitter Pinterest Reddit Email

ବିଜେ ନରହରିପୁର ଶାସନମୁଣ୍ଡ ସାହାଲା ଘରକୁ ଛାଡି ପଚାଶ ଷାଠିଏ କଦମ ଦୂରରେ ବଳଦେବଙ୍କ ପୂଜାପିଣ୍ଡି ବା ମଣ୍ଡପ । ଗ୍ରାମ ଦିଗକୁ ଛାଡି ସେ ପିଣ୍ଡିର ଆଉ ତିନିପଟରେ ପାଂଚଶାଲି, ଦଶଶାଲି, ମଧ୍ୟଭଳି ଅତି ପୁରୁଣା ବୁଢା, ଗଣତିରେ ଶହେ ସାତ ନଡିଆଗଛ । ଏଗୁଡିକ ସବୁ ଶାସନ ମହାଜନଙ୍କ କୋଠ ଗଛ । ଫଳ ଏକ ସଙ୍ଗରେ ତୋଳାଯାଇ ଭାଗପିଛେ ବାଂଟ ହୁଏ ।

ସକାଳ ଓଳି ବେଳ ଘଡିକ ସମୟରେ ନଡିଆଗଛ ମୂଳରେ ଜଣ ପଚାଶ ବ୍ରାହ୍ମଣଗୋସାଇଁ ବିଜେ ହୋଇଛନ୍ତି । ପୁରୁଖା ପୁରୁଖା ଭଳିଆ ଆଉ ମର୍ଯ୍ୟାଦାବନ୍ତ ପୁଣି ଦୂର – ଗାଁରୁ ଆସିଥିବା ବନ୍ଧୁମାନେ ନଡିଆପତ୍ର ବୁଣା ଚଟେଇରେ ବସିଛନ୍ତି, ବାକି ଆଉ ସମସ୍ତଙ୍କର ଭୂମ୍ୟାସନ । ଏଣେ ସେ ଶାସନ ପିଲାଗୁଡାକ ସକାଳୁଁ ସଞ୍ଜଯାଏଁ ନଡିଆ ଚୋରେଇ ତଳେ ଧାଁଦଉଡ ହୋ-ହୋ ପାଟିକରି ଖେଳୁଥାନ୍ତି, ମାତ୍ର ଆଜି ସେମାନଙ୍କ ପାଟିରେ କିଛି ବି କଥା ନାହିଁ । ଯୋଡିକୁ ଯୋଡି, ପୁଞ୍ଜାକୁ ପୁଞ୍ଜା ପିଲା ଖୁବ୍ ଦୂରେଇ ଦୂରେଇ ଭିତରେ ବୁଲି ବୁଲି ଗୋସାଇଁମାନଙ୍କ ସଭା ଦେଖୁଛନ୍ତି । ସେମାନେ ବି ତାଙ୍କ ମନ ମଧ୍ୟରେ ଯେମନ୍ତ ବୁଝିଛନ୍ତି, ଆଜି ଏ ଗାଁରେ ଭାରି ଗୋଟାଏ କଣ ହେବ । ଶାସନ ଗୋସେଇଁମାନଙ୍କୁ ଛାଡି ଆହୁରି ବି ଆଠ ଦଶଜଣ ଦୂରଦୂରାନ୍ତର ଗାଁର ଗୋସେଇଁମାନେ ଆସି ଏଠାରେ ଉପସ୍ଥିତ, ବିପଦଗ୍ରସ୍ତ ବନ୍ଧୁମାନଙ୍କୁ ସଙ୍ଖୁଳିବା ପାଇଁ ସେମାନେ ଆସିଛନ୍ତି । ଭେଣ୍ଡିଆ ଜଗୁପତିଏ ଦୁଇଗୋଡ ପାପୁଲିରେ ଗୋଟିଏ ପଥରକୁଣ୍ଡି ଜାକି ଧରି ମୁଣ୍ଡ ପୋତି ଗୋଟିଏ ନାସଘୋଟା ବାଡିରେ ଘଡର ଘଡର କରି ନାସ ଘୋଟୁଥିଲେ । ଘୋଟା ହୋଇଗଲା । ଆଗେ ମୁରବି ଭଳିଆ ଲୋକଙ୍କ ଆଗରେ, ପଛରେ ଆଉ ଆଉ ମହାଜନଙ୍କ ଆଗରେ କୁଣ୍ଡି ଦେଖାଇଲେ । ସମସ୍ତେ ଟିପେ ଟିପେ ସେଥିରୁ ନାସ ନେଇ ସୁଁ-ସୁଁ କରି ନାକ ଦୁଇପୁଡାରେ ଗୁଞ୍ଜିଦେଲେ ।

ନାସ ଶୁଙ୍ଘାଶୁଙ୍ଘି ବାଦେ ପ୍ରଥମେ ଲକ୍ଷ୍ମଣ ମିଶ୍ରେ ପଚାରିଲେ,”ମାମୁ! କର୍ଜାଟା ତୁମ ଅଙ୍ଗିତା, ନା ଅଜାଙ୍କ ଦେହକର?” (ଲକ୍ଷ୍ମଣ ମିଶ୍ରେ ଦିବାକର ଦ୍ୱିବେଦୀଙ୍କ ଭଣଜା, ଏଂଟ୍ରାନ୍ସ ପାସ୍, ଗୋଟାଏ ମାଇନର ସ୍କୁଲର ହେଡମାଷ୍ଟର ସେ । ମାମୁଙ୍କ ଏଭଳି ବିପଦ କଥା ଶୁଣି ଆଉ ବନ୍ଧୁଙ୍କ ପରି ସେ ବି ସଙ୍ଖୁଳି ଆସିଛନ୍ତି ।)

ହା ଶୁଣି ଦ୍ୱିବେଦୀଏ କହିଲେ,”ନାହିଁ ବାପା! ମୋ ଅଙ୍ଗିତା ଯୋଡାଏ ପଇସା ବି ନୁହେଁ । ବାପା ତାଙ୍କ ମଝିଆଁ ଝିଅ ତାରାନାନୀ ମଙ୍ଗଳକୃତ୍ୟକୁ ସାହୁ ପାଖରୁ ଶହେ ଟଙ୍କା ଖଣ୍ଡେ ତାଳପତ୍ରଗୁଜା ଲେଖିଦେଇ ଆଣିଥିଲେ । ତହିଁଆର ବରଷ ପଚାଶଟି ଟଙ୍କା ଘେନି ସାହୁ ପାଖକୁ ଗଲେ । ମନରେ କରିଥିଲେ, କଳନ୍ତର ଛଡାଇ ନେଇ ମୂଳକୁ ବାକୀ ପଏଠ କରିଦେବେ । ମାତ୍ର ସେ ମହାଜନ ଟଙ୍କା ଦେଖି ଜିଭ କାମୁଡି ପକେଇ କହିଲା, ‘ଏ – ଏ କଣ ଗଦେଇ କକେଇ? ଶୁଣିଲି, ତୁମେ ପରା ଧାନ ବିକି ଏ ଟଙ୍କା ରଖିଛ! ଋାମ – ରାମ –ରାମ! ଏଟା କି କଥା? କୁଟୁମ୍ବଦାରିଆ ଘର, ଧାନ ହେଉଛି ଜୀବନ, ଧାନ ହେଉଛି ଲକ୍ଷ୍ମୀ, ତାକୁ କଣ କେହି କେବେ ବିକନ୍ତି? କେତେ ବା ଧାନ ପାଇଛ – ଉଠାଅ, ଉଠାଅ; ଏ ଟଙ୍କା ଉଠାଅ । ତୁମେ ତ ମୋ କୁଳ-ପୁରୋହିତ, ସହଜରେ ପୁଣି ଧର୍ମର କକେଇ, ଟଙ୍କାଟା ତୁମ ପାଖରେ ଥିଲେ ଯାହା, ମୋ ପାଖରେ ଥିଲେ ବି ତାହା । ଯାଅ ଯାଅ, ଏହି ଟଙ୍କାରେ ଧାନ କିଣି ପକାଅ । ନାହିଁ ନାହିଁ, ଗାଁରେ ଦଶ ଯଜମାନ ଘରେ ବାହାନହଣା ପଡିଗଲା ତ ଏକା ଦିନରେ ଟଙ୍କା ପୈଠ ।’ ବାପା ତ ଥିଲେ ଭାରି ମରହଟିଆ ସାଦାସିଧା ଲୋକ, ତେଣୁ ସାହୁର ଏଭଳି ମିଠା କଥାରେ ସେ ଏକାବେଳକେ ତରଳିଗଲେ । ବାପା କିଆଁ, ତୁମେ ସେଠାକୁ ଯାଅନା, ଶୁଣିବ, କେଡେ ମିଠା କଥା କେତେ ନିର୍ମାୟା କଥା – ଯେପରିକି ମନରେ କରିବ, ଏହାପରି ସରଳ, ପରୋପକାରୀ, ଧାର୍ମିକ ଲୋକ ଜଗତରେ ଆଉ କେହି ବି ନାହିଁ । ଏଇ ଯେ ତୁମ ଆଗରେ ବସିଛନ୍ତି ରାମ ମହାପାତ୍ରେ, ସଦାଶିବ ମିଶ୍ରେ, ବିଶ୍ୱନାଥ ଶତପଥୀଏ, ଭୀମ ପାଢୀଏ, ଏ ସମସ୍ତଙ୍କର ମଧ୍ୟ ଠିକ୍ ଏହିପରି ହାଲ୍ । ଝିଅ ପୁଅ ବିଭାକୁ ଟଙ୍କା ଆଣିଥିଲେ, ସମସ୍ତଙ୍କର ତିରିଶ ତିରିଶ ମାଣ ଶାସନ ଭାଗ ଜମି । ଆମ ଜମି ସହିତ ଏକା ତାରିଖରେ କଟକ ଜଜ୍କୋର୍ଟରେ ନିଲାମ୍ ହୋଇଯାଇଛି, ଏବେ ଗୋରୁ ଖୋଜରେ ଖୋଜେ ବି ଜମି କାହାରି ନାହିଁ । ଆହୁରି ବି ଛଅଜଣ ମହାଜନଠାରୁ କରଜା ଖାଇଥିଲେ, ମୂଳକଳନ୍ତରରେ ବୁଡି ରହିଲେଣି । ସେମାନଙ୍କର ବି ଆଉ ବର୍ଷେ ଛ’ ମାସ ବାଦେ ଜମିବାଡି ସବୁ ଗଲା ପରି । ତୁଚ୍ଛା ଏହି ଶାସନରେ? ଏ ଅଂଚଳର ଦଶଖଣ୍ଡ ଗାଁରେ ସେ ସାହୁ ମହାଜନ ଯାହାର ଭଲ ଜମି ଖଣ୍ଡେ ଦେଖିଲା ତ ଶୁଙ୍ଘି ଶୁଙ୍ଘି ବୁଲୁଥିବ । କାହାରି ଦରକାର ପଡିଲେ ରାତି ଅଧରେ ବି ସେ ଟଙ୍କା ଗଣିଦେବ । ଥରେ ଯଦି ଟଙ୍କା ତା ଘରୁ ଉଠାଇଲ ତ, ତିନି ପୁରୁଷରେ କଣ ତାହା ଶୁଝୁଛି? କଳନ୍ତର, କଳନ୍ତରର କଳନ୍ତର, ତହିଁର କଳନ୍ତର ଲଟ ଲାଗି ରହିଛି । କରଣଗୁଡାକ ବି ଠିକ୍ ସେହିପରି ତାକୁ ମିଳି ଯାଇଛନ୍ତି । କିଏ ପାଂଚଟଙ୍କା ପୈଠ କଲା ତ ପାଞ୍ଜିରେ ବସିଲା ଦେଢ ଟଙ୍କା । ହଁ, କଣ କହୁଥିଲି, ବାପା ତ ତା’କଥାରେ ଭୁଲି ଟଙ୍କା ବାହୁଡାଇ ଆଣି ପୁଣି ଧାନ କିଣି ଥୋଇଲେ । ତହିଁଆର ବରଷ କତିରୁ ପାଣି ହେଲା ଛିନ୍ଛୋଟ, ତେଣୁ ଧାନ ଭଲ ଫଳିଲା ନାହିଁ । ସେହି ସମୟରେ ପୁଣି ତୁମ ସରମାଉସୀର ବିଭା ସମୟ ଉପସ୍ଥିତ । ନଅ ବର୍ଷ ପୂରିଯାଉଛି, ‘ଦଶବର୍ଷ ତୁ କନ୍ୟକା’ । ବିଭା ନ ଦେଲେ କନ୍ୟାଦାନର ଫଳ ମିଳେ ନାହିଁ । ବାପା ପୁଣି ଯାଇ ସେ ସାହୁ ଦୁଆରେ ହାଜର । ସାହୁ ତ ଘାଲେଇ ପଡି ବେଳ ଉଣ୍ଡୁଥିଲା, ଦାଉ ପଡିଗଲା । ସାହୁ କଅଁଳେଇ କଅଁଳେଇ ମୁରୁକି ମୁରୁକି ହସି କହିଲା,”ହେଉ ହେଉ, କକେଇ, ଘେନିଯାଅ – ଏ ଘର ଟଙ୍କା ସେ ଘରକୁ ଯିବ । କଥା କଣ? ଆହେ ଛାମୁଁକରଣେ, ଅଇଲ, କକେଇ କିଛି ଟଙ୍କା ଧାର ନେବେ । ଆଗ ଟଙ୍କାଟାର ମୂଳ କଳନ୍ତର ହିସାବ କଲ ।’ ଛାମୁକରଣ ବିଦେଇ ମହାନ୍ତିଏ ହିସାବ କରି କହିଲେ,”ଆଗ ଟଙ୍କା ମୂଳକଳନ୍ତର ମିଶି ହେଲା ଅଢେଇଶ, ହାଲକୁ ଶହେ ନେଲେ ହେବ ସାଢେ ତିନିଶ ଟଙ୍କା ।’ ଏତେ ଟଙ୍କା ଶୁଣି ବାପା ହଠାତ୍ ଚମକି ପଡିଲେ । ହେଲେ ସାହୁ ବାପାଙ୍କ ମନକଥା ବୁଝିପାରି କହିଲା, ‘ହେଉ-ହେଉ କକେଇ, ସେଥିଲାଗି ଚିନ୍ତା କ’ଣ? ଦେବା ନେବା ବେଳ ତ ଆଗକୁ ଅଛି । ଆପଣ ତ ମୋ କୁଳପୁରୋହିତ, ଦେବାବେଳେ ଦି’ଶ ଶହେ ଛାଡ ନେଇଗଲେ ମୋର କଣ ସରିଯିବ?’ ବିଭାଲଗ୍ନ ଆଉ ମାତ୍ର ଆଠଦିନ, ଟଙ୍କା ନ ହେଲେ ନଚଳେ । ବାପା ସାହୁ କଥାରେ ହଁ ଭରିଲେ; କହିଲେ, ‘ହେଉ, ତେବେ ଗୁଜା ଲେଖାଯାଉ ।’ ସାହୁ ଦଣ୍ଡେଯାଏଁ ଗୁମ୍ ମାରି ବସି କହିଲା, ‘ବୁଝିଲେ କକେଇ, ଏଇଟା ହେଲା କଳିକାଳ । ଏ ଗୁମାସ୍ତା କରଣଗୁଡାଙ୍କୁ ପରତେ ନାହିଁ । ଗୁଜା କେତେବେଳେ କ’ଣ କରି ପକାଇବେ, ମୋତେ ପଛନ୍ତେ ଆପଣ ଦୋଷ ଦେଉଥିବେ । ଟଙ୍କାଟା ଗୋଟାଏ ଟିପ କରି ରେଜିଷ୍ଟରୀ କରି ପକାଇଲେ ଖୁବ୍ ଭଲ ହେବ । ତାହେଲେ ଯାଇ କାହାରି ଆଉ ଉଁ କି ଚୁଁ କରିବାର କୌଣସି ବାଟ ନଥିବ । ଏଥିରେ କେତେ ବା ଖରଚ? ଖରଚଟା କଣ ଆପଣ ଉଛୁଣିକା ଘରୁ ଆଣି ଦେଉଛନ୍ତି?’ ଟିପ, ଲେଖାପଢା, ରେଜିଷ୍ଟରୀ ହୋଇଗଲା । ଯାହା ହେବାର ତ ଥିଲା ହେଲା, ଟଙ୍କା ଦିଅ । ଗଣି ଦେବାରୁ କଣ ନା ଟ୮୭ । ଏହା ଦେଖି ବାପା ପଚାରିଲେ, ‘କିହେ ଟଙ୍କା ଊଣା କିଆଁ?’ ତହୁଁ ସେ ଗୁମାସ୍ତା ବୁଝାଇଦେଲା ସିନ୍ଦୁକପୂଜା ଶତକଡା ଯୋଡାଏ ଟଙ୍କା । ଗୁମାସ୍ତା ଖର୍ଚ୍ଚ ଦୁଇ ଟଙ୍କା, ଲକ୍ଷ୍ମୀନାରାୟଣ ବାଳଭୋଗ ଦୁଇ ଟଙ୍କା; ରେଜିଷ୍ଟରୀ ଖର୍ଚ୍ଚ, ଗୁମାସ୍ତା କଟକ ଖୋରାକି ସବୁ ସବୁ ରକମ ମିଶାଇ ସାଢେ ଛ’ ଟଙ୍କା । ଗାଏ ସବୁ ପଦକୁ ବାରଟଙ୍କା ଆଠଅଣା । ସାହୁ କହିଲେ, ପୁରୋହିତ ଆପଣ ତ ଜଣେ ପଣ୍ଡିତ, ଏତିକି କଣ ବୁଝିପାରୁନାହାଁନ୍ତି । ଆପଣ ତ ରୋଜିନା କେତେ କାରବାର ଦେଖୁଛନ୍ତି, ଆପଣଙ୍କ ପାଖରୁ କଣ ଟଙ୍କାଏ ମଷାଏ ହୁଡିକରି ନେଲେ ସାଆନ୍ତଙ୍କ ଗନ୍ତାଘର ପୂରିଯିବ? ତମସୁକ ରେଜେଷ୍ଟରୀ ପାଖରୁ ଚାରିବର୍ଷ କାଳ ସେଥିରେ କିଛି ମଧ୍ୟ ନାମ ଚର୍ଚ୍ଚା ନାହିଁ । ବାପା ତା ଦୁଆରକୁ ଗଲେ ଭକ୍ତି କଣ ଦେଖିବ! ‘କକେଇ! ଆପଣ ଅଇଲେ, ଓଳଗି – ଓଳଗି, ଆରେ ପିଢା ଦେ ରେ, ଆରେ ପାଦଧୁଆ ଜଳ ଦେ ରେ’ ବୋଲି ଡାକ ପଡିଯିବ । ଗଲା ତେରିସ୍ତା ବାପାଙ୍କର ଯେମିତି ବିୟୋଗ ହୋଇଯାଇଛି ମହାଜନକୁ ତ ପଡିଗଲା ପୋ’ବାର! ମୂଳ କଳନ୍ତର ଭିଡି ଦେଇ ବାରଶ କେତେ ଟଙ୍କା କେତେ ଅଣାରେ କଟକ ଅଦାଲତରେ ନାଲିସ ଦାଏର ସେ କରିଦେଲା । ମୁଁ ଯାଇ ସେ ମହାଜନ ପାଖରେ ପଡିଲି । ତହୁଁ ସେ କହିଲା,”ଆରେ ଭାଇ ଦିବୁ, ଗୁମାସ୍ତାମାନେ ମୋ ଅଜାଣତରେ ନାଲିସ କରି ଦେଇଛନ୍ତି । ଯା ଯା, ତୁ ହାକିମ ପାଖରେ ଟଙ୍କାଟା ମାନିଆ, ପଛନ୍ତେ ଯାହାକିଛି ବୁଝାସୁଝା ହେବ ।” ଏକଥା ଶୁଣି ମୋ ମନଟା ତ ଖାଲି ଛିକଉଥାଏ । କଟକ ଯିବାକୁ ମନ ବଳୁ ନ ଥିଲା, ତଥାପି ବି ଡରରେ ଯାଇ ମୁଁ ତା ଓକିଲ କହିବା ପ୍ରମାଣେ ହାକିମ ପାଖରେ ଜବାବ ଦେଇ ଆସିଲି । ଏଇଟା ହେଲା ଗଲା ବରଷ କଥା । ତା’ପରେ ମୁଁ ଆଉ କିଛି ବି ଜାଣେ ନାହିଁ । କେତେବେଳେ ଡିଗ୍ରୀ ହେଲା, କେତେ ଟଙ୍କା ଡିଗ୍ରୀ ହେଲା, ଆଉ କଣ ହେଲା, ମୋତେ ସେସବୁ କିଛି ବି ଜଣା ନାହିଁ । ଶୁଣିଲି, ଗଲା ମକର ମାସ ସାତ ଦିନରେ ମୋର ଚାରି-ପାଂଚ ହଜାର ଟଙ୍କାର ସମ୍ପତ୍ତି ସାତ ଶହ ଟଙ୍କାରେ ନିଲାମ ହୋଇଗଲା । ପୁଣି ମହାଜନ ଆପେ ସେସବୁର ନିଲାମ ଧରିଛି । ତା ଗୁମାସ୍ତା କହେ, ମୋ ଉପରେ ଆଉ ଛ’ ଶହ ଟଙ୍କା ପାଉଣା, ଆମର ଶାସନ ପାଣିଗ୍ରାହୀ ଭାଗ ପଚାଶ ମାଣ ବି ତା ମଧ୍ୟରେ; ଏହି ଯେ ଦକ୍ଷିଣ ଦିଗରେ କିଆବଣଟା ଦେଖୁଛ, ସେହିଟା ଏକଚକିଆ ପନ୍ଦରମାଣ ମାଳ ଜମି – ଭାରି କଳିନ୍ଦ । ମୁଁ ବୁଝୁଛି, ଏ ଜମିଟା ଉପରେ ତାର ଦଶପନ୍ଦର ବରଷ ହେଲା ନଜର ପଡିଲାଣି । ଯେବେ ଏ ଗାଁକୁ ମୁଁ ଆସେ, ସେ ଜମିଟା ପାଖକୁ ଯାଇ ତା’ଚାରିପାଖ ବୁଲି ବୁଲି ଦେଖେ –”କେତେ ଧାନ ଫଳେ, କି ଧାନ ଦିଅ” – ଦଶଥର କରି ପଚାରିବ । ମୋ ମନ ହେଲେ ଛିକଉଥାଏ । ବିଚାର କରେ କହ, ଭଲାରେ ଭଲା କହ, ଏ ଜମିଟା କଥା ତୁହାଇ ତୁହାଇ ପଚାରୁଛ କିଆଁ? ଆଉ ପାଂଚଜଣ ମହାଜନଙ୍କର ବି ଠିକ୍ ଆମ ମାମଲା ପରି ଡିଗ୍ରୀ କରି ଜମିବାଡି ସବୁକୁ ସେ ସାହୁ ନିଲାମ ନେଇଛି ।

ସବୁ ଶୁଣି ଲକ୍ଷ୍ମଣ ମିଶ୍ରେ କହିଲେ,”ମୁଁ ଦେଖୁଛି, ଏଇଟା ସାଇଲକ୍ ।” ଭାଗବତ ପତିଏ କହିଲେ,”ନା ନା, ସେଇଟା ଏ ସାଇ ଲୋକ ନୁହେଁ, ତା ଘର ତ ମକ୍ରାମପୁର – ଯାହାକି ଏ ଗାଁଠାରୁ ପ୍ରାୟ ଦେଢକୋଶ ଦୂର ନଈକୂଳରେ ।” ଲକ୍ଷ୍ମଣ ମିଶ୍ରେ କହିଲେ,”ନାହିଁ ନାହିଁ, ମୁଁ ସେକଥା କହୁ ନାହିଁ, ବିଲାତରେ ଗୋଟାଏ ଏହି ରକମ କଳନ୍ତରଖିଆ ଲୋକ ଥିଲା; ତା ନାମ ସାଇଲକ୍ ।” ତିରେଇ ତିହାଡୀଏ କହିଲେ,”ସେ ଯାହାବିହେଉ, ଏବେ ଉପାୟ କଣ?” ଲକ୍ଷ୍ମଣ ମିଶ୍ରେ ମହାଜନମାନଙ୍କୁ ଅନାଇ ହାତଯୋଡି ଭୂଇଁରେ ମୁଣ୍ଡ ଲଗାଇ କହିଲେ,”ଗୋସାଇଁ ମହାପ୍ରଭୁମାନେ! ମୁଁ ତ ପିଲାଟା; ମୋ ଅପରାଧ ଘେନିବେ ନାହିଁ, ହେଲେ ଗୋଟାଏ କଥା କହିବି, ଏଥିରେ ସାହୁର କିଛି ବି ଦୋଷ ନାହିଁ; ଆପଣମାନଙ୍କର ମୂର୍ଖପଣ ।” ଆପଣମାନଙ୍କ ପାପରୁ ଆପଣମାନେ ସବୁ ସାରି ଦରିଦ୍ର ହୋଇ ବସୁଛନ୍ତି ।” ଏହା ଶୁଣି ବୁଢା ଅନନ୍ତ ପାଢୀଏ ଟିକିଏ ଉଷ୍ଣ ଭାବରେ କହିଲେ,”ହୋଇ ହେ ଲକ୍ଷ୍ମଣ! ଆମ୍ଭମାନଙ୍କର ପାପ ପୁଣି କଅଣ? ମୂର୍ଖପଣ ଏମିତି କଅଣ ଦେଖିଲ କି?”

ଲକ୍ଷ୍ମଣ ମିଶ୍ରେ ପୁଣି ଦଣ୍ଡବତଟାଏ କରି କହିଲେ,”ଅଜାସାଆନ୍ତେ! ମୋ ଉପରେ ଖପା ହେଲେ ପରା! ଦେଖନ୍ତୁ, କେଉଁ ମହାତ୍ମା ଶାସନ ବସାଇ ଏତେ ନିଷ୍କର ଜମି ଖଞ୍ଜିଦେଇ କହିଥିଲେ,”ଆପଣମାନେ ଶାସ୍ତ୍ର ଅଧ୍ୟୟନ – ଅଧ୍ୟାପନା କରିବେ, ଦାତାକୁ ତ୍ରିକାଳ ସଂନ୍ଧ୍ୟାରେ ଆଶୀର୍ବାଦ କରିବେ । ତାହା କରୁଛନ୍ତି କି? ଏହା ବୋଲନ୍ତୁ ଭଲା! ଏଡେ ବଡ ଶାସନଟାରେ ଗୋଟାଏ ବୋଲି ଚୌପାଢି ନାହିଁ । ତୁଚ୍ଛା ନାସ ଶୁଙ୍ଘି, ଭାଙ୍ଗ ପିଇ ଚୌପଟ ଖେଳି ଦିନ କାଟିବେ । ଦାତାଙ୍କୁ ତ୍ରିକାଳ ସଂନ୍ଧ୍ୟାରେ ଆଶୀର୍ବାଦ ଥାଉ, ପବିତ୍ର ବ୍ରାହ୍ମଣ କୁଳରେ ଜାତ ହୋଇ କେତେ ଜଣ ତ୍ରିକାଳ ସଂନ୍ଧ୍ୟାରେ ଗାୟତ୍ରୀ ଜପ ସଂନ୍ଧ୍ୟାବନ୍ଦନାଦି ନିତ୍ୟକର୍ମ କରନ୍ତି? ଏଇଟା କଣ ପାପ ନୁହେଁ? ତାଛଡା ବି ଆଉ ଗୋଟାଏ କଥା, କୁଆଡୁ ଶୁଝିବେ ଭାବନା ନାହିଁ ଧାଇଁଯାଇ ମହାଜନ ଦୁଆରେ ଗୁଜା ଲେଖି ବସିବେ, ପୁଅଝିଅ ବିଭାଘରକୁ ଆପଣା ବଡପଣ ଦେଖାଇବା ଲାଗି ଅକାରଣ ଟଙ୍କାଗୁଡାଏ ସାରିବେ । ଆପଣା ଅବସ୍ଥାକୁ ଚାହିଁ ଯେ ନ ଚଳେ ସେ ମୂର୍ଖ ନୁହେଁ ତ ଆଉ କଣ? ଏହି ଦେଖନ୍ତୁ, ଅତି ପବିତ୍ର ଶାସନଭାଗ ଭୂମିରେ ବାର ଜାତି ତେର ଗୋଲା ଅଧିକାରୀ ହୋଇ ବସିଲେଣି । ଏହା କଣ ଆପଣମାନଙ୍କର ପାପ ଆଉ ମୂର୍ଖତାର ଫଳ ନୁହେଁ କି? ଆପଣମାନେ ତ ଦୁଃଖଦୁର୍ଦ୍ଦଶାକୁ ଲୋଡି ଆଣିଛନ୍ତି, ଏଥିପାଇଁ ଲଗା ହେବ କିଏ?”

ମାଧ ପାଣିଏ କହିଲେ,”ଲକ୍ଷ୍ମଣ ଯାହା କହିଲେ ତାହା ହିଁ ସତ, ଅର୍ଥାତ୍ ଷୋଳପଣି ସତ । ହଉ ଏଣିକି ଯାହା ବି କରାଯିବ ବୁଝିସୁଝି କରାଯିବ, ହେଲେ ବର୍ତ୍ତମାନ ଏ ସଙ୍କଟରୁ ଉଦ୍ଧାର ପାଇବାର ବାଟ କ’ଣ?”

ଲକ୍ଷ୍ମଣ ମିଶ୍ରେ – ଆପଣମାନେ କ’ଣ ଉପାୟ ସ୍ଥିର କରିଛନ୍ତି?

ଆନନ୍ଦ ମିଶ୍ରେ – ଆମ୍ଭେମାନେ କିଏ, ଆଉ ଏ ମାଲିମାମଲା କିଏ? କର୍ମକର୍ମାଣି କଥା ବୋଲ, ଦଶ ଜଣ ବାହାରି ପଡିବୁଁ ।

ଲକ୍ଷ୍ମଣ ମିଶ୍ରେ – ମାମୁ! ଜମି ନିଲାମ ବାଦେ ସାହୁ ପାଖକୁ ପରା ଯାଇଥିଲେ, ସେ କଣ କହିଲା?

ଦିବାକର ଦ୍ୱିବେଦୀ – ହଁ ଯାଇଥିଲି । ଦଶଥର ବି ଗଲିଣି, ହେଲେ ସାହୁଙ୍କ ଭେଟ ମିଳେ ନାହିଁ । ବାଧିକା ପଡିଛି, କଥା ବୋଲି ପାରିବ ନାହିଁ ଏଭଳି ବାହାନା କରି ସେ ଶୋଇପଡେ – ନୋହିଲେ ବାଡି ପଛ ବାଟେ ଆଉ ଗାଁକୁ ସେ ବାହାରିଯାଏ । ମୋ କନ୍ଦାକଟା ଦେଖି ସାହୁଆଣୀ କମଳା ଆଉ ତାଙ୍କ ପୁଅ ବିଦ୍ୟାଧର ଦୁହେଁଯାକ କାନ୍ଦିପକାନ୍ତି । ମୋତେ ବହୁତ ବହୁତ ଆଶ୍ୱାସନା ଦେଇ ସେ କହିଛନ୍ତି, ମୋ ଜମି ମୋତେ ଦେଇଦେବେ । କେଜାଣି ଏ କପାଳରେ କଣ ଅଛି? ମା ପୁଅ ଦୁହେଁଯାକ ଏକା ଯେପରି ଦୟାଳୁ ଠିକ୍ ସେହିପରି ଧାର୍ମିକ ମଧ୍ୟ, ସେମାନେ କାହାରି ବି ଦୁଃଖ ଦେଖି ପାରିବେ ନାହିଁ । କୁବେର ସାହୁଟା ଯେପରି ନିଷ୍ଠୁର, ଠିକ୍ ସେହିପରି କୃପଣ ମଧ୍ୟ – ହାତରୁ ତା’ର ପାଣି ସୁଦ୍ଧା ବି ଗଳିବ ନାହିଁ । ହେଲେ ଏ ମା’ ପୁଅଙ୍କ ଆଗରେ କେହି କେବେବି ଉପାସ ରହିବେ ନାହିଁ । ସାହୁଟା କରଜା ଟଙ୍କା ଲାଗି କାହାରି ଘରଦ୍ୱାର ନିଲାମ କରି ନେଲେ ଏମାନେ ଲୁଚାଇ ତାକୁ ଟଙ୍କା ଧାନ ଦେଇ ତା’ କୁଟୁମ୍ବ ପୋଷନ୍ତି ।

ସବୁ କଥା ଶୁଣି ସେ ଲକ୍ଷ୍ମଣ ମିଶ୍ରେ – ଗୋଟାଏ ଆଶା ଅଛି ସତ, ହେଲେ ସେଥିକି ନିର୍ଭର କରି ରହ ନାହିଁ । ଆପଣାର ବି ଗୋଟାଏ ବାଟ କାଟି ଚାଲିବା ଉଚିତ୍ । ଉଛୁଣିକା ତାକୁ କେହି ଜମି ଦଖଲ ଦିଅ ନାହିଁ । ମାମୁ! ତୁମେ କହୁଛ, ପାଂଚ ହଜାର ଟଙ୍କାର ମାଲ ସାତଶ ଟଙ୍କାରେ ସେ ନିଲାମ କରିନେଇଛି । ଏହି କଥାକୁ ଓଜର କରି ସାନି ନିଲାମ ପାଇଁ ହାକିମଙ୍କ ପାଖରେ ଦରଖାସ୍ତ କର । କିଛି ଖରଚପତ୍ର କଲେ ଢେର୍ ଦିନଯାଏଁ ମାମଲା ତାରିଖ ଗଡିଯିବ । ଏଣେ ତୁମେ ମା, ପୁଅ ଦୁହିଁଙ୍କୁ ଧରି ପଡିଥାଅ । ଆଜିକା କଥା କାଲିକି ଅନ୍ତର, ଏଥି ମଧ୍ୟରେ ଆଉ ଗୋଟିଏ କିଛି ବାଟ ଫିଟିଯାଇପାରେ ।

ମିଶ୍ରଙ୍କ କଥା ଶୁଣି ସମସ୍ତ ମହାଜନ ଭାରି ଆନନ୍ଦରେ ଏକାବେଳକେ ପାଟିକରି କହିଲେ, ‘ଦୀର୍ଘଜୀବୀ ହୁଅ, ରାଜରାଜେଶ୍ୱରୋ ଭବ! ନୋହିଲେ କଣ ଆଞ୍ଜୁଳାକୁ ଆଞ୍ଜୁଳା ଟଙ୍କା ଗଣି ହାକିମ ଘର ପାଠ ପଢିଛ? ଦେଖ ତ, ଆମେ ଏତେଗୁଡାଏ ଲୋକ ଅନ୍ଧାରରେ ଅଣ୍ଡାଳି ହେଉଥିଲେ, ତଥାପି କିଛି ବାଟ ଦିଶୁ ନ ଥିଲା, ପିଲାଟି କେମିତିକା ଗୋଟାଏ ବାଟ କାଢିପକାଇଲା?

            ବୁଢା ଦନେଇ ମହାପାତ୍ର ଟାଣରେ ଦୁଇ ଟିପା ନାସ ଶୁଙ୍ଘିଦେଇ ଖନେଇ ଖନେଇ କହିଲେ, ବୁଝିବାଁ ହେଁଲେଁ ମହାଁଜନଁ ଗୋସେଇଁମାନେଁ,

ଅଧମଁ ବିତଁ ବଢେଁ ବହୁତଁ ।

ଯିଁବାବେଳେଁ ଯାଏ ମୂଳଁ ସହିତଁ ।

ସମସ୍ତେ ତ ଜାଣୁଛ, ତାହାର ସବୁ ଧନଗୁଡାକ ତଂଟିଚିପା ମଣିଷ ରକ୍ତ । ମାହାଳିଆଟାରେ ଲକ୍ଷାବଧି ଟଙ୍କାର ମାଲିକ ହୋଇ ସେ ବସିଲା । ଯିମିତି ଭୀମା ଟଙ୍କାରେ ମାଲିକ ହୋଇଛି, ସେହିଦିନୁ ତ ତା’ର ବଢିଯାଇଛି, ଆଉ କଣ । ଏହି ସେ କୁବ୍ରାଘର ଦେଖୁଛ, ସେଇଟା ତା ନିଜ ଘର ନୁହେଁ । ଭୀମାସାହୁ ବୋଲି ଜଣକର ଘର । ଭୀମାଟା ବି ଥିଲା କୁବ୍ରାକୁ ବଳି ତଂଟିଚିପା, ମକ୍ଷି ବୋଲି ସରିଛି । ପୁଅ ଝିଅ ଘରେ ତା’ର କିଛି ବି ନ ଥିଲା, ଗୋଟାଏ ପୋଷାପୁଅ ସେ କରିଥିଲା ଯେ ସେଟା ମଦ ଖାଇ ଗଞ୍ଜେଇ ଖାଇ ମଲା । କୁବ୍ରା ତା ଜାତି ପୁଅ, ମାତ୍ର ଲଗ୍ନିକ କେହି ନୁହେଁ, ତା’ଘରେ ସେ କୁବ୍ରା କାରବାରିଆ ଥିଲା । ଭୀମାକୁ ଖୁବ୍ ପଟେଇ ରଖିଥାଏ ସେ । ଭୀମା ଯେମିତି ଆଖି ବୁଜିଛି, କୁବ୍ରା ଚାକର ବାକର ସମସ୍ତଙ୍କୁ ହାତକରି ଓକିଲ ମୁକ୍ତାର ଧରି ପୋଷ୍ୟପୁତ୍ର ବୋଲି ସରକାରରୁ ବାହାଲ ହୋଇ ଆସିଲା । ପାପୀଟାର ଧନ ପାଣି ପରି ବଢିଯାଉଛି, ଏବେ ଜାଣ ଠିକ୍ କରି ସେ ଛିଡିପଡିବ । ଦେଶଯାକ ସମସ୍ତଙ୍କୁ ସେ ସନ୍ତେଇ ମାରିଲାଣି, ତାଲାଗି ହଜାର ହଜାର ଲୋକଙ୍କର ଆତ୍ମା କାନ୍ଦୁଛି, ଯାହାର ସେ କିଛି କରି ନାହିଁ, ସେ ବି ତାକୁ ଗାଳି ଦେଉଛି । ଏହି ମୋ କଥା ବୁଝନା – ପୁଅ ବିଭାକୁ ପଚାଶ ଟଙ୍କା କରଜ ଆଣିଥିଲି, ପନ୍ଦର ବରଷରେ ତୁଚ୍ଛା କଳନ୍ତର ଅଢେଇଶହ ଟଙ୍କା ଶୁଝିଛି, ପାଂଚଥର ଟିପ ବଦଳାବଦଳି କରି ଶେଷରେ ନାଲିସରେ ପାଂଚଶ ଟଙ୍କା ଡିଗ୍ରୀ କରି ମୋର ତିରିଶ ତିରିଶ ମାଣ ଜମି ସେ ନିଲାମ କରିନେଲା । ସେତିକି ଥିଲା କୁଟୁମ୍ବଙ୍କ ଭରସା । ତାଙ୍କ ମୁହଁରେ ପାଣି ଟୋପାଏ ଦେବାକୁ ଆଉ ମୋର ଭରସା ନାହିଁ – ଦିନରାତି ଆତ୍ମାପୁରୁଷ କାଉଳି ହେଉଛି – ଆଖିରୁ ପାଣି ମୋଟେ ଶୁଖୁ ନାହିଁ । ଏହି ପଂଚ ପରମେଶ୍ୱର ଶୁଣନ୍ତୁ, ମୁଁ ମୋ ପଇତା ଛୁଇଁ କହୁଛି, ଆଝୁଁ ତିନିପକ୍ଷ, ତିନିମାସ, ତିନିବରଷ ମଧ୍ୟରେ ତାହାର ସର୍ବନାଶ ହେବ । ଏହା ଯଦି ନ ହୁଏ, ତେବେ ମୁଁ ଅବ୍ରାହ୍ମଣ; ଏ ବ୍ରହ୍ମଗଣ୍ଠି ଛିଣ୍ଡାଇ ପକାଇବି । ସେ ତ ଢେର୍ ଦିନ ଆଗରୁ ଯାଇଥାନ୍ତା, କେବଳ ଏ ମା’ ପୁଅଙ୍କ ଧର୍ମରୁ ହିଁ ସେ ବର୍ତି ରହିଛି ।”

ଲକ୍ଷ୍ମଣ ମିଶ୍ରେ – ମାମୁ! ସାହୁଆଣୀ ଆଉ ବିଦ୍ୟାଧର ପାଖକୁ ଯିବାଆସିବା କରୁଛନ୍ତି ତ? ସେମାନଙ୍କୁ ଧରି ପଡିଥାନ୍ତୁ ।

ମାମୁ – ହଁ ବାପା, ମୋର ଆଉ ଉପାୟ ବା କଣ? ଦିନେ ଦି’ଦିନ ବାଦେ ମୁଁ ସେମାନଙ୍କ ପାଖକୁ ଯାଏଁ । ମୋର ତ ଗୋରୁ ବାଛୁରୀ ଘର, ତଳ ଜମି ସୁଦ୍ଧା ନିଲାମି ହୋଇଯାଇଛି, ତେଣୁ ଆଉ ଉପାୟ କିଛି ବି ନାହିଁ । ସାହୁଆଣୀ ମୋ ଦୁଃଖ ଶୁଣି କାନ୍ଦିପକାଏ । ସେହି ତ କୋଡିଏ ନଉତି ଧାନ ଆଉ ପାଂଚଟା ଟଙ୍କା ଦେବାରୁ ଆଜିଯାଏଁ ମୁଁ ଚଳୁଛି । କାଲି ରାତିରେ ବି ବିଦ୍ୟାଧର ପାଖକୁ ଯାଇଥିଲି । ସେ ତ ମୋତେ ଟାଣ ଜବାବ ଦେଇ କହିଲା,”ନନା! କାନ୍ଦନା, ଯେପରି ହେଉ, ତୁମ ଜମି ତୁମକୁ ଦେବି । ମୁଁ ବାହାଘରରୁ ବାହୁଡି ଆସିବାଯାଏଁ ସତାର କର । ତୁମେ ତ ଆମ କୁଳପୁରୋହିତ, ସଙ୍ଗରେ ତ ଅବଶ୍ୟ ଯିବ । ଶୁଣିଛି, ମୋ ଶ୍ୱଶୁରର ଦଶ ଲକ୍ଷ ଟଙ୍କାର ବିଷୟ, ସେ ତୁମକୁ ଅବଶ୍ୟ ଭଲରୂପେ ମେଲାଣି କରିବେ ।”

କୁବେର ସାହୁ କହେ, ‘ମୋର କରଜା କଳନ୍ତରକୁ ଲୋଡେ କିଏ? ମୋର ଗଡଜାତ ଥାଉ ।’ ଗଡଜାତ ସୋନପୁରଠାରୁ ଦଶପଲ୍ଲାଯାଏଁ ତାହାର ଦଶ ପନ୍ଦରଟା ଗୋଦାମ୍ । ତା’ର ପ୍ରତି ଗୋଦାମରେ ଜଣେ କରଣ, ଜଣେ ଜଣେ କାରବାରିଆ, ତାର ନିଜର କୋଡିଏ ସରିକି ବାର ଗୋଡିଆ, ପନ୍ଦର ଗୋଡିଆ କୁଶଳୀ; ଚକ୍ଚକି ନାଆ ଅଛି । ବର୍ଷାଦିନେ ସେଥିରେ ସରକ ନେ-ଆଣ କରେ । ନାଆ ଛାଡି ଖରାଦିନରେ ସରକ ନେ ଆଣ କରିବା ସକାଶେ ପାଂଚ ପାଂଚ ବୋଡିଆ ଯୋଡାଏ ଥୋଡି ବଳଦ ଖାଉଡ ବି ଅଛି ।

ବୌଦ ଇଲାକା ହରିହରପୁର ଗୋଟିଏ ବଡ ମହାଜନୀ ଗାଁ – ଠିକ୍ ମହାନଦୀ କୂଳରେ । ସେ ଗ୍ରାମର ସମସ୍ତେ ପ୍ରାୟ କାରବାରିଆ ବେପାରୀ । ସେଠିକା ପ୍ରଧାନ ମହାଜନଙ୍କ ନାମ ଯୁଧିଷ୍ଠିର ସାହୁ । ନାମର ଉପଯୁକ୍ତ ମଧ୍ୟ ଗୁଣ । ଲୋକଟି ବଡ ଧାର୍ମିକ, ସତ୍ୟବନ୍ତ । ପାଂଚ ସାତ ଲକ୍ଷ ଟଙ୍କାର ବିଷୟ, ଘରେ ଠାକୁରବାଡି, ସଦାବର୍ତ । ସାହୁ ବୁଢା ହୋଇପଡିଲାଣି, ଆଉ ଏବେ ବେପାର ବଣିଜରେ ତା ମନ ମୋଟେ ନାହିଁ । ସବୁବେଳେ ଖାଲି ପୂଜାପଟଳ, ହରିନାମ ଭଜନରେ ସେ ଲାଗିଥାଏ । ସାହୁ ଅପୁତ୍ରକ; ଗୋଟିଏ ବୋଲି ଝିଅ, ତା’ର ନାମ ପଦ୍ମାବତୀ – ବୟସ ପନ୍ଦର ଯାଇ ଷୋଳ ପଶିଛି । ପାଟକି ଜାତିରେ ଏତେ ବଡ ଅଭିଆଡୀ କନ୍ୟାକୁ ଘରେ ରଖିବାକୁ ମନା । ତେଣୁ ସେ ସାହୁର ଭାରି ଇଚ୍ଛା ଗୋଟିଏ ଘରଜୁଆଁଇ ରଖିବ । ପାତ୍ର ଖୋଜୁ ଖୋଜୁ ଦିନ ଚାଲିଗଲା, ଏଣେ କନ୍ୟା ଘରେ ରହିଛି । କନ୍ୟାଟି ସମସ୍ତ ସମ୍ପତ୍ତିର ଉତ୍ତରାଧିକାରିଣୀ । କୁବେରର ନଜର ପଡିଲା ଯୁଧିଷ୍ଠିରର ଧନଟା କିମିତି ତା’ ଘରେ ପଶେ । ସେ ତ ଭଲକରି ଜାଣେ, ଯୁଧିଷ୍ଠିର ଘରଜୁଆଁଇ ରଖିବ, ଅନ୍ୟଆଡେ ନିଜ କନ୍ୟାକୁ ମୋଟେ ବିଭା ଦେବ ନାହିଁ ସେ । ତା ମନକଥା ମନରେ ଥାଏ ।

କୁବେର ତ ବର୍ଷକୁ ଥରେ ସୋନପୁର ଦିଗକୁ କୋଠି ତନଖି କରିବାକୁ ଯାଏ । ଦୁଇବର୍ଷ ହେଲା ବର୍ଷକ ଭିତରେ ଦୁଇ ତିନି ଥର କରି ସେ ଯା’ଆସ କରୁଛି । ସୋନପୁର ଯିବାବେଳେ ନାଆ ହରିହରପୁର ଗାଁ ତଳଦେଇ ଯାଏ । ଦୈବାତ୍ ସେହି ଗାଁ ପାଖରେ ସଞ୍ଜ ହୋଇପଡେ । କୁବେର ଗାଁ ପାଖ ନଦୀର ଆରକୂଳରେ ନାଆ ଖଟାଇ ରୋଷେଇବାସ କରେ । କୁବେର ଘରେ କେବେ ସଂନ୍ଧ୍ୟା କି ହରିନାମ କରିବା କେହି ବି ଦେଖି ନାହିଁ । ଗୋଟାଏ ବଡ କୋଥଳି ସାଙ୍ଗରେ ଘେନି ଯାଇଥାଏ, ନଦୀକୂଳରେ ତାକୁ ସେ ମେଲାଇ ଦେଇ ରାତି ଛ’ ଘଡିଯାଏଁ ଆଖିବୁଜି ବସି ଜପକରେ । ସେତିକିବେଳେ ଚାରିଆଡକୁ ଅନାଇ ତୁନି ତୁନି କାରବାରିଆଙ୍କ ସଙ୍ଗରେ ମାଲ କିଣାବିକା କଥା ଚଳେ । ହରିହରପୁରକୁ ଶୁଭୁ, ଏଥିପାଇଁ କୁବେର ବେଳେ ବେଳେ ବଳରେ ଘଂଟା ବଜାଉଥାଏ ।

ଯୁଧିଷ୍ଠିର ସାହୁ ତ କୁବେର ସାହୁର ନାମ ବହୁ ଆଗରୁ ଶୁଣିଥିଲେ, ମାତ୍ର କେବେବି ସେମାନଙ୍କର ଦେଖାସାକ୍ଷାତ୍ ହୋଇ ନ ଥିଲା । କୁବେର ସାହୁ ନଦୀକୂଳରେ ଅଛନ୍ତି ଶୁଣି ଯୁଧିଷ୍ଠିର ଡଙ୍ଗା ଖଣ୍ଡିକରେ ବସି ନଦୀ ପାରହୋଇ ଗଲେ । ଏଣେ କୁବେର ଏସବୁର ଖବର ନେଉଥାଏ! ଯୁଧିଷ୍ଠିରଙ୍କ ପହଁଚିଲାବେଳକୁ କୁବେର ସାହୁଏ ଧ୍ୟାନରେ ବସିଛନ୍ତି । ଘଂଟାଏ ଦି’ଘଂଟା ବିତିଗଲା, ହେଲେ ଧ୍ୟାନ ତାଙ୍କର ଆଦୌ ଭାଙ୍ଗୁ ନାହିଁ । ଏଭଳି ଧ୍ୟାନ ଦେଖି ଯୁଧିଷ୍ଠିର ତ ପୂରା ତରଳି ଗଲେଣି । ଧ୍ୟାନ ଭାଙ୍ଗିଲା । କୁବେର ସାହୁ ଯିମିତି ଏ ଖବର ପାଇଛି, ଧାଇଁଯାଇ ସେ ଯୁଧିଷ୍ଠିରଙ୍କ ଗୋଡତଳେ ପଡିବାକୁ ଯାଉଥିଲା, ଏହା ଦେଖି ସେ ଯୁଧିଷ୍ଠିର କହିଲେ, ‘ହାଁ ହାଁ! ଏ କ’ଣ କରୁଛନ୍ତି – ଏ କ’ଣ କରୁଛନ୍ତି? ଆପଣ ଧର୍ମପରାୟଣ । ମୁଁ ପାପୀ, ମୋ ଗୋଡତଳେ କଣ ଆପଣ ପଡିବେ?’ କୁବେର କହୁଥାଏ, ‘ଏ କଣ, ଆପଣ ତ ସ୍ୱଜାତିର ମଉଡମଣି । ଘଂଟାଏ ହେଲା ବସିଲେଣି, ମୋର ଅପରାଧ କ୍ଷମା କରନ୍ତୁ ।’ ଯୁଧିଷ୍ଠିର କହିଲେ ‘ନାହିଁ ନାହିଁ, ମୁଁ ଆପଣଙ୍କର ଧ୍ୟାନଭଙ୍ଗ କରାଇଲି ପରା? ତେଣୁ ମୋତେ କ୍ଷମା କରନ୍ତୁ ।’ ତା’ପରେ ସେ ଦୁଇଜଣ କୁଣ୍ଢିଆକୁଣ୍ଢେଇ ହୋଇ ଏ କହୁଛି ମୋତେ କ୍ଷମା କରନ୍ତୁ ସେ କହୁଛି ମୋତେ କ୍ଷମା କରନ୍ତୁ । ଏଥୁଅନ୍ତେ ସେ ଦୁଇଜଣ ସାଷ୍ଟାମ ହୋଇ ଖଣ୍ଡିଏ କମ୍ବଳରେ ବସିଲେ । ଯୁଧିଷ୍ଠିର ପ୍ରସ୍ତାବ କଲେ,”ଆଜ୍ଞା, ଆପଣ ହେଲେ ଆମ ଜାତିର ମଉଡମଣି । ମୋ କୁଡିଆ ପାଖରେ ପଦାରେ ନୀତି ବଢାଇବେ, ମୋର ଯେ ମହାପାପ ହେବ । ଯୁଧିଷ୍ଠିର ଉଠି କହିଲେ ଆଜ୍ଞା ହେଉ – ବିଜେ କରନ୍ତୁ – ମୋ’ କୁଡିଆରେ ପାଦଧୂଳି ଦିଅନ୍ତୁ । ମୋ କୁଡିଆ ଖଣ୍ଡ ପବିତ୍ର ହେଉ ।”

ଦୁଇ ସାହୁ ଯାଇ ଠାକୁର ମେଲାରେ ବସିଲେ । ଠାକୁର ଆଗରେ ଆସନରେ ବସିବାକୁ ମନା, ତେଣୁ ସେ ଦୁହେଁଯାକ ଭୂଇଁରେ ବସିଲେ । ରାତି ଅଧଯାଏଁ ଦୁଇ ସାହୁଙ୍କ ମଧ୍ୟରେ କଥାଭାଷା ଚାଲିଲା । ଏ କଥା, ସେ କଥା, ବେପାର ବଣିଜ କଥା ହେଉଁ ହେଉଁ ବିଭା ପ୍ରସଙ୍ଗ ପଡିଗଲା । କୁବେର କହିଲେ,”ମୁଁ ତ ମୋ ବାପାଙ୍କ ମୁହଁରୁ ଢେର୍ ଥର ଶୁଣିଛି, ଆଗେ ଗଡଜାତ ମୋଗଲବନ୍ଦ ମଧ୍ୟରେ ବିଭା, ନେଶଦେଶ ଚଳୁଥିଲା । ଦୁଇ କି ତିନି ବୋଡି ସରିକି ଗଡଜାତ କନ୍ୟା ମୋଗଲବନ୍ଦରେ ଥିଲେ, ମୋଗଲବନ୍ଦ କନ୍ୟା ବି ଗଡଜାତରେ ଥିଲେ । ନିହାତି ଦୂରଦୂରାନ୍ତ ବୋଲି ଊଣାଅଧିକ ପଚାଶ ବର୍ଷ ହେଲା ବିଭା, ନେଣଦେଣ ବନ୍ଦ ।” କଥା ଚଳୁ ଚଳୁ ପଦ୍ମାବତୀ ସାଙ୍ଗରେ ବିଦ୍ୟାଧରର ବିଭାପ୍ରସଙ୍ଗ ସ୍ଥିର ହୋଇଗଲା । କୁବେର କହିଲା,”ଆଜ୍ଞା, ମୁଁ ମୋଗଲବନ୍ଦ କାମ ଚଳାଇବି, ବିଦ୍ୟାଧର ବର୍ଷଯାକ ଏହିଠାରେ ରହି କାମ ଚଳାଇବ । ଏଥର ବିଦେଇ ତ ଆପଣଙ୍କ ପୁଅ ହେଲା । ପିଲାଲୋକ, ଜାତି ବେଉସା ବୁଝି ନାହିଁ – ଆପଣଙ୍କ ଚରଣ ଧୂଳି ତା ମୁଣ୍ଡରେ ଲାଗିଲେ ସେ ଯେ ସବୁକିଛି ଶିଖିଯିବ ।”

ବିଭା ବିଷୟରେ ଆଉ କିଛି ବି ସନ୍ଦେହ ନାହିଁ । ଏକାବେଳକେ ଦିନ ଠିକ୍ ହୋଇଗଲା, ଆସନ୍ତା ମକର ଶୁକ୍ଳ ସପ୍ତମୀ ।

ବଡ ଘର କଥା ବଡ ବାଜେ, ତେଣୁ ଦିନକ ମଧ୍ୟରେ ସେ କିଲାର ଅଧାଅଧି ଲୋକ ଏହା ଜାଣିଗଲେ, କୁବେର ସାହୁ ପୁଅ ବିଦ୍ୟାଧର ସାଙ୍ଗରେ ଯୁଧିଷ୍ଠିର ସାହୁ ଝିଅ ପଦ୍ମାବତୀର ବିଭା ।

ବିଭାପ୍ରସଙ୍ଗ ଛିଡିବା ବାସିଦିନ ସଂନ୍ଧ୍ୟାବେଳେ ଦୁଇ ସମ୍ବନ୍ଧୀ ଦେବତାଙ୍କ ନାଟମନ୍ଦିରରେ ବସିଛନ୍ତି । କୁବେର ସାହୁ ଏକଥା ସେକଥା ଉତାରେ କହିଲେ,”ସମୁଧିଏ! ସୋନପୁରରେ ମୋର ଢେର୍ କାମ ଥିଲା, ହେଲେ ଏବେ ଦେଖୁଛି ମୋର ଯିବାର ହେଉ ନାହିଁ । ଏଇ ବୁଝନ୍ତୁ, ମକର ମାସ ତ ମକର ମାସ ଛାଡି ଦିଅନ୍ତୁ, କକଡାଟା ଚଳୁଛି, ଏଇଟା ବି ଧରୋଟ ଭିତରେ ନୁହେଁ । ବାକି ରହିଲା ସିଂହ କତିରୁ ଧନୁଯାଏଁ ମଝିରେ ପାଂଚଟା ମାସ । ଏଥି ମଧ୍ୟରେ ସବୁ ଆୟୋଜନ, ଠିକ୍-ଠିକଣା କରିବାକୁ ହେବ । ତା ପୁଣି ନାଆ ଉଠାଣି ଆସିବ, ବାଟରେ ଊଣା ପୂରା ମାସେ କାଳ ଛାଡି ଦିଅନ୍ତୁ । ବାକି ମାସ ଚାରିଟା ରହିଲା ହାତରେ । ମୁଁ କହୁଛି, କାଲି ସକାଳେ ଚାଲିଯାଏ ଆଜ୍ଞା! କଣ ଆଜ୍ଞା ହେଉଛି?” ଯୁଧିଷ୍ଠିର ସାହୁଏ ଦଣ୍ଡେ ଆଖିବୁଜି ବସି କହିଲେ,”ଆଉ ଯୋଡାଏ ଦିନ ରହିଗଲେ ଭଲ ହୁଅନ୍ତା ପରା! ହେଉ, ଆପଣ ଯେପରି ଭଲ ବୁଝନ୍ତି, କରନ୍ତୁ ।”

ମକ୍ରାମପୁରରେ ଚହଳ ପଡିଯାଇଛି; ସାହୁଙ୍କ ପୁଅ ବିଦ୍ୟାଧରର ବିଭା । ହେଲେ, ଗୋଟାଏ ଶ୍ରେଣୀ ଲୋକଙ୍କ ଘରେ ରଡି ପଡିଛି; କୋଡିଏ ଖଣ୍ଡ ଗାଁରେ ସାହୁର ଦୁଇ ତିନି ଶ’ ଭଳି ଖାତକ । ଧାନ ବୋଲ, କି ଟଙ୍କା ବୋଲ, ତା ଘରୁ ନ ଖାଇଛି ବା କିଏ? ସାହୁ ସମସ୍ତଙ୍କୁ ଧରି ବସିଛି; ପୁଅର ବିଭା, ନ ଦେଲେ ନଚଳେ । ନୋହିଲେ ମୂଳଟା ଥାଉ, କଳନ୍ତରଟା ଛିଡାଇ ଦିଅ । ପଇସାଟିଏ ବି କଳନ୍ତର ରଖିବି ନାହିଁ । ଆଜି ଭୋଦୁଅ ମାସ, ଲୋକଙ୍କ ଘରେ ଟଙ୍କା ତ ଟଙ୍କା, ପତାନଳିତା ମଞ୍ଜି ନାହିଁ ଯେ ଦେବେ । ଜଣ ଜଣକ ଘରେ ଯୋଡା ଯୋଡା ପିଆଦା । ସମସ୍ତେ ସାହୁ ଦୁଆରେ ଓପାସ ଭୋକରେ ପଡି ଡକା ଛାଡିଛନ୍ତି, ହେଲେ ସେମାନଙ୍କ ଗୁହାରୀ ଶୁଣୁଛି ବା ଆଉ କିଏ? ଥୋକେ ଖାତକ ଦଶବାର ବରଷର ପୁରୁଣା କରଜାର ମୂଳକଳନ୍ତର ହିସାବ କରି ତମସୁକ ରେଜିଷ୍ଟରୀ କରାଇ ଦେଇ ରିହାଇ ପାଇଲେ । ତମସୁକରେ ବିଲ ବାଡି ଘରଦୁଆର ସବୁ କିଛି ବନ୍ଧା ରହିଲା । ସାହୁଆଣୀ ତ ଏସବୁ ଶୁଣୁଥିଲେ । ଦୁଇଦିନ ହେଲା ଅନ୍ନ ଛାଡି ବସିଲେଣି ସେମାନେ । ଗୋଟିଏ ବୋଲି ପୁଅ, ତାଙ୍କ ଇଚ୍ଛା, ଏହି ଶୁଭକାର୍ଯ୍ୟଟି ମଙ୍ଗଳରେ ହେଉ । ନା, କିଛି ନୋହୁଣୁ ଶହକୁ ଶହ ଲୋକ ରଡି ଛାଡିଛନ୍ତି, ଧର୍ମ ମତେ ସହିବ କିଆଁ? ବେକରେ ପଟକା ପକାଇ ସାହୁ ଗୋଡତଳେ ପଡି, ଢେର୍ କାକୁତି କଲେ, ଢେର୍ କାନ୍ଦିଲେ, ମାତ୍ର ଫଳ ହେଲା କ’ଣ ନା ସ୍ୱାମୀ ପାଖରୁ କଟୁ କଥାରେ ଗାଳିଗୁଡାଏ ସେ ଶୁଣିଲେ । ମାଇପିଲୋକ କଣ କରିବେ, ମାତ୍ର ସେ ତୁନି ହେଲେ ନାହିଁ । କରଣମାନଙ୍କୁ ଡାକି ମାଏପୋଏ କଅଁଳରେ, କେତେ ହାକିମି ବୋଲରେ ବୁଝାଇଦେଲେ,”ଖବରଦାର! କାହାକୁ କଷ୍ଠ ଦେଇ ଟଙ୍କା ଅସୁଲ କର ନାହିଁ ।” ସାହୁ କରଣକୁ ଗାଳିଫଜିତ କରୁଛି; କାହିଁକି ଟଙ୍କା ଅସୁଲ ହେଉ ନାହିଁ? ହଁ ହିସାବ ହେଉଛି; ହଁ ଟିପା ଲେଖାଯାଉଛି – ଏମିତି କରି ଦିନ କାଟିଲେ । ଯେଉଁ ଜାଗାରେ ସାହୁ ନିତାନ୍ତ ଆସିବସେ, ସାହୁଆଣୀ ତୁନି ତୁନି ଟଙ୍କା ଗଣି ଦିଅନ୍ତି ।

ଏଣେ ବିଭା ସରଞ୍ଜାମ କିଣାକିଣି ଧୁମ୍ ଲାଗିଛି । ବାଣବାଲା ଆଗତୁରା ବଇନା ଧଇଲା, ଲୁଗା ମୋଟକୁ ମୋଟ କଚେରିଘରେ ଜମା; ମସଲାମସଲି କିଣିବାଲାଗି ଯୋଡାଏ କରଣ କଟକ ଧାଇଁଲେ । ହେଲେ ସେ ସାହୁକୁ ଏଟା ମୋଟେ ଭଲ ଲାଗୁ ନାହିଁ । ତାହାର ଇଚ୍ଛା, ପୁଅ ବିଭା ବାହାନାରେ ଖାତକଙ୍କ ପାଖରୁ ଟଙ୍କା ରୁଣ୍ଡାଇ ନେବ । ସାହୁଆଣୀ ବାପ ଜଣେ ଧନବନ୍ତ ଲୋକ ଥିଲା । ହେଲେ ସେ ଥିଲା ନିର୍ବଂଶ; ତାହାର ସବୁ ସମ୍ପତ୍ତି ସାହୁଆଣୀ ପାଇଛନ୍ତି । ସାହୁଆଣୀଙ୍କର ଇଚ୍ଛା – ନିର୍ବଂଶିଆ ଧନ ଘରେ ରଖିବେ ନାହିଁ; ଦାନପୁଣ୍ୟରେ ଖରଚ କରିବେ । ତାଙ୍କ ଦିଆନିଆ ପୁଅ ବି ଜାଣେ ନାହିଁ । ସାହୁଆଣୀଙ୍କର ଇଚ୍ଛା, ପୁଅର ମଙ୍ଗଳକୃତ୍ୟ ଖୁବ୍ ଆଡମ୍ବରରେ ହେଉ; ସମସ୍ତେ ଖାଇପିଇ ଆନନ୍ଦ ଉତ୍ସବ କରନ୍ତୁ । ବାକ୍ସ ଏକାବେଳକେ ଉଦୁଆଁ । ସାହୁ ଏ କଥା ସବୁ ଜାଣେ । ମାତ୍ର ପୁଅ ବିଭା ହେବାକୁ ପଇସାଟିଏ ବି ଛାଡୁ ନାହିଁ ସେ, ପୁଣି ବଳକା ଖରଚ ଦେଖି ସେ ଭାରି ଦିକ୍ଦାର ।

ପନ୍ଦର ଖଣ୍ଡ ସରିକି ଚକଚକି ନାଆ; ଗୁଡାଏ କାଠୁଆ ସଜ ହେଲା । ପୁରୋହିତ ବ୍ରହ୍ମା, ଜ୍ୟୋତିଷୀ, କରଣ, ଟାଣୁଆ ଟାଣୁଆ କେତେଜଣ ଦେଶ ଲୋକ, ଭଣ୍ଡାରି, ଗଉଡ, ଷାଠିଏ ସତୁରି ଜଣ ସରିକି ଲୋକ ବରଗହଣରେ ଯିବେ । ନଈରେ ଉଛୁଣିକା ପାଣି ଛିନ୍ଛୋଟ – ହରିଣୀ ଖୋଳିବା କାଠୁଆ ହତା ଯନ୍ତ୍ର ଧରି କୋଡିଏ ସରିକି ମୂଲିଆ ବି ଯାଉଛନ୍ତି । ଉଠାଣି ଯିବାକୁ ଚବିଶ ପଚିଶ ଦିନରୁ ମୋଟେ ଊଣା ଲାଗିବ ନାହିଁ । ହେଲେ, ସାହୁଆଣୀ ଦେଢ ମାସର ରୋଷେଇ ସରଞ୍ଜାମ, ଜଳଖିଆ ସରଞ୍ଜାମ ଦେଲେ । ଖଞ୍ଜ ଅଖଞ୍ଜ ଅଛି; କେଜାଣି ବାଟରେ ଯଦି ମଠ ହୋଇଯିବ ।

ସେ ସାହୁଆଣୀ ଯେପରି ଦାନଶୀଳା, ଦୟାବତୀ – ଠିକ୍ ସେହିପରି ସବୁ କାମକୁ ବି ଆଗ । କାଉ କା କତିରୁ ଅଧରାତି ଯାଏଁ ଚରଖି ପରି ସେ ଘୂରୁଥିବେ; ଟିକିଏ ହେଲେ ମଧ୍ୟ ସେ ହାଲିଆ ହୋଇପଡିବେ ନାହିଁ । ଘର ଖନ୍ଦାରେ ଦୁଇଓଳି ଶହେ ଖଣ୍ଡଯାଏଁ ପତ୍ର ପଡେ । ହାଡିଆଣୀ, ପାଲୁଣୀଗୁଡାଏ ପାଛିଆ ଗୋଟିଏ ଗୋଟିଏ ଧରି ବାଡିଦୁଆର ପଟରେ ବସିଥାନ୍ତି । ସାହୁଆଣୀ ସମସ୍ତଙ୍କ କଥା ଠିକ୍ ବୁଝନ୍ତି । ସମସ୍ତଙ୍କୁ ଦେଇଥୋଇ ଆପେ ଖାଆନ୍ତି । ହେଲେ ସେ ସାହୁଆଣୀ କଥା କେହିବି ବୁଝିବାକୁ ନାହିଁ । ମାତ୍ର ପୁଅ ବିଦ୍ୟାଧର, ମା’ ଖାଇଲା କି ନ ଖାଇଲା କଥା ବୁଝେ – ବାଧିକା ପଡିଲେ ପାଖରେ ବସି ଗୋଡ ହାତରେ ତାଙ୍କର ହାତ ବୁଲାଏ ।

ଆଜି ପୁଷ ୧୫ ଦିନ; ବରଯାତ୍ରା ପାଇଁ ଠିକ୍ ହୋଇଛି । ତେଣୁ ସେ ନଈକୂଳରେ ଅଧକୋଶଯାଏଁ ନାଆ କାଠୁଆ ଧାଡିକି ଧାଡି ଖଟା । ନାଉରିଆମାନେ ଆହୁଲା, କାତ, ନା-ଟଣା ଦଉଡି, ହରିଣୀଖୋଳା କାଠ, ହତା ଯନ୍ତ୍ର ଧରି ହାଜର । କୋଡିଏ ଖଣ୍ଡ ସରିକି ଗାଁରୁ ପିଲାପିଲି ଧରି ମାଇକିନିଆ ମରଦ ନଈ ଦୁଇ କୂଳରେ କାତାର ଦେଇ ଛିଡା ହୋଇଛନ୍ତି । କିଛି ଦୂର ନଈବାଲିରେ ଢୋ ଢୋ କରି ଗଛବାଣ ଫୁଟିଲା । ସଙ୍ଗେ ସଙ୍ଗେ ଶଙ୍ଖ-ହୁଳହୁଳି ଉଚ୍ଛୁଳି ପଡିଲା । ସମସ୍ତେ ତ ସେ ବିଦ୍ୟାଧରକୁ ସୁଖ ପାଆନ୍ତି; ତେଣୁ ମନ ମଧ୍ୟରେ ସମସ୍ତେ ତାହାର ଖୁବ୍ ମଙ୍ଗଳକାମନା କଲେ । ବରଯାତ୍ରା ଆଗରୁ ଘର ଅଗଣା ଭିତରେ ପିଣ୍ଡି ଉପରେ ନାନ୍ଦିମୁଖୀ ଶ୍ରାଦ୍ଧ ବଢିଲା । ବିଦ୍ୟାଧର ବେଦୀରୁ ଉଠି ମା ପାଖରୁ ମେଲାଣି ଘେନିବାକୁ ଯାଇ ତାଙ୍କ ଗୋଡତଳେ ପଡିଲା; ମା’ ପାଦରୁ ଧୂଳି ନେଇ ସେ ତାଙ୍କ ମୁଣ୍ଡରେ ଲଗାଇଲେ । ମା’ ତୁଳସୀମୂଳରୁ ମାଟି ନେଇ ବିଦ୍ୟାଧର ମୁଣ୍ଡରେ ଚିତା କରିଦେଲେ । ସେତିକିବେଳେ ବିଦ୍ୟାଧର ତା ମା’ ମୁହଁକୁ ଅନାଇ ଦେଖିଲା, ମୁହଁଟି ସିଠୁଆ କଳା ପଡିଯାଇଛି । ଆଖି ଡୋଳା ଯୋଡାକ ଭିତରକୁ ପଶିଯାଇଛି । ବିଦ୍ୟାଧର ଚମକି ପଡି କହିଲା,”ଏ କଣ ମା, ତୁ ଇମିତିକା ଦିଶୁଛୁ କିଆଁ? ତୋତେ କଣ ଜର ହେଲାଣି କି? ମୁଁ ଶୁଣିଛି, ଚାରିଦିନ ହେଲା ତୁ ଖୁଁ ଖୁଁ ହୋଇ କାଶୁଛୁ । ନା ନା, ତୋତେ ଛାଡିଯିବାକୁ ମୋର ମନ ମୋଟେ ବଳୁ ନାହିଁ ।”

ମା – ଏ କଣରେ ବାପ! ଏ କି କଥା! ଏତେବେଳେ କଣ ଏପରି କଥା କହନ୍ତି! ବାଟରେ ତୋତେ ଗ୍ରାମଦେବତା ରକ୍ଷା କରିବେ, ଜଗନ୍ନାଥ ମହାପ୍ରଭୁ କଲ୍ୟାଣ କରିବେ । ମୋର ତ କିଛି ବି ହୋଇନାହିଁ । ଏଇ କେତେଦିନ ଭାରି ଭିଡ ପାଇଟିରେ ଲାଗିଥିଲି, ତେଣୁ ମୋର ଖିଆପିଆ ଠିକ୍ ନ ଥିଲା । ଗ୍ରାମଦେବତୀଙ୍କୁ ଦଣ୍ଡବତ କରି ଦହିମାଛ କରି ଯା ।

“ମଙ୍ଗଳଂ ଭଗବାନ୍ ବିଷ୍ଣୁଃ” –

ମନ୍ତ୍ର ପଢି ପୁରୋହିତ ବର ଅନୁକୂଳ କରାଇଦେଲେ ।

ହରିହରପୁରରେ ପହଁଚିବାକୁ ହାତଗଣତା ଠିକ୍ ପଚିଶ ଦିନ ଲାଗିଲା । ସଙ୍ଗରେ ଦଫେ ଗୋଟିପୋ ଗାଆଣିଆ ଥିଲେ । ଭଲ ଜାଗା ପାଇଲେ ଦିନେ ଦିନେ ସଞ୍ଜବେଳେ ନାଟଗାଉଣା ହୁଏ । ନଦୀକୂଳପାଖିଆ କୋଶକ ବାଟରୁ ଲୋକେ ଧାଇଁଆସି ଗାଉଣା ଶୁଣନ୍ତି ।

ଯୁଧିଷ୍ଠିର ସାହୁଙ୍କ ଘର କୋଶକ ଦୂରରୁ ସଞ୍ଜବେଳୁ ରୋଶନାଇ ଲାଗିଲା । କଟକୀ ଭୂଇଁଚମ୍ପା, ଚନ୍ଦ୍ରଉଦିଆ, ଗଛବାଣ ତ ସଙ୍ଗରେ ଯାଇଥିଲା । ଯୁଧିଷ୍ଠିର ସାହୁ ବି ଢେର୍ ବାଜା, ବାଣ ଠିକ୍ କରିଥିଲେ । ଦଶକୋଶ ବାଟରୁ ଲୋକେ ଚୁଡା, ଚାଉଳ ବାନ୍ଧି ରୋଶନାଇ ଦେଖିବାକୁ ଆସିଥିଲେ । ବାହୁଡିବାବେଳେ ବୋଲାବୋଲି ହୋଇ ଗଲେ, ଗୋଟାଏ ରଜାପୁଅ ବାହାଘରରେ ବି ଏତେ ଆଟୋପ ହେବ ନାହିଁ ।

ବିଭା ବଢିଲା, ଅଷ୍ଟମଙ୍ଗଳା ବି ହୋଇଗଲା । ଏବେ ବର-କନ୍ୟା ବିଦାକଥା । ହଁ ଆଜି, ହଁ କାଲି, ହଁ ଆସନ୍ତା ଶୁକ୍ରବାର, ରବିବାର, ଏହିପରି କରୁଁ କରୁଁ ମାସେ କାଳ ବିତିଗଲାଣି । ଶେଷରେ ଦିନେ ଯୁଧିଷ୍ଠିର ସାହୁ କୁବେର ସାହୁଙ୍କୁ କହିଲେ,”ସମୁଧିଏ! ନଈରେ ନାହିଁ ଜଳ – ଢେର୍ ଜାଗା ହରିଣୀ ଖୋଳିବାକୁ ହେବ, ତେଣୁ ଢେର୍ ବିଳମ୍ବ ହେବ । ଏଣେ ଖରା ପଡି ଆସିଲାଣି । ତୁମ ଆମ କଥା ଯାହା ହେଉ, ପିଲା ଯୋଡାକ ଯାଉଛନ୍ତି; ପୋଇଲୀ ପରିବାରୀ ବି ଦଶଜଣ ସଙ୍ଗରେ ଥିବେ; ସେମାନଙ୍କର ବଡ କଷ୍ଟ ହେବ । ତେଣୁ ମୁଁ କହୁଛି, ଗହଣଲୋକଙ୍କୁ ବିଦା କରି ଦିଅନ୍ତୁ, ପିଲାଟି ଆଉ ଆପଣ ଦୁଇଜଣ ରହନ୍ତୁ । ପହିଲୁ ଆଷାଢ, ଯିମିତି ନଈରେ ପିତାପାଣି ପଡିବ, ନାଆ ମେଲି ଦେବେ, ଆପଣ କ’ଣ ଏବେ କୋଉ ପରଲୋକ ଯେ ମୁଁ ଜଗିଜାଗି କଥା କହିବି? ଏହି ଦେଖନ୍ତୁ, ଚଂଚଳ ସବୁ ଆୟୋଜନ କରିବାକୁ ପଡିଲା, ପିଲାମାନଙ୍କୁ ତ ଦି’ଖଣ୍ଡ ଗହଣାଗାଣ୍ଠି ଦେବାକୁ ହେବ । ଦେଖୁଛନ୍ତି ତ ପୁଞ୍ଜାଏ ବଣିଆ ଦିନରାତି ପାଇଟିରେ ଲାଗିଛନ୍ତି । ଏ ତ ଆଉ ଚଂଚଳର କାମ ନୁହେଁ – ଟିକିଏ ମଠ ନ ହେଲେ ସବୁ କିଛି କଦାପି ଠିକ୍ ହୋଇପାରିବ ନାହିଁ । ଆଉ ଆଉ ପାଂଚ ଚିଜ ତ ପୁଣି ଦେବାକୁ ହେବ । ଆଠଖଣ୍ଡ ନାଆ ଗହଣରେ ଦେବି, ତିଆରି ସରି ନାହିଁ । ନଈକୂଳକୁ ଯାଇ ଦେଖନ୍ତୁ, ଅଧାଅଧି ବି ହୋଇ ନାହିଁ ।” ଏଣେ ଏ କୁବେର ସାହୁ ମନ ମଧ୍ୟରେ ଭାଳିଲା,”ଏହି ତ ଷୋଳଗୋଡିଆ ସାତଖଣ୍ଡ ନାଆ ତିଆରି ଲାଗିଛି, ଗହଣାଗାଣ୍ଠି ବି ତିଆରି ଲାଗିଛି, ପିଲାଟା ଘରକୁ ଚଂଚଳ ଯାଇ କ’ଣ କରିବ? ପଇସାର ଫନ୍ଦିଫିକରରେ ମନ ନାହିଁ, ମା’ ପୁଏ ଯୋଡାକଯାକ ୟାଙ୍କୁ ଦିଅ, ତାଙ୍କୁ ଦିଅ, ଘରୁ ଚିଜବସ୍ତୁ ବାଂଟରେ ଲାଗିଥିବେ । ଉଛୁଣିକା ଏତିକି ଲାଭ, ବୁଢା ଆଖି ବୁଜିଲେ ସବୁ ମୋର । ନା ନା, ବୁଢାର ମନ ଭାଙ୍ଗିବା ଆଦୌ ଭଲ ନୁହେଁ ।” ଘର ପାଖରେ ସେ କୁବେର ସାହୁ ମୁହଁରୁ ତ କେବେ କେହି ଠାକୁର ନାମ ଶୁଣି ନାହିଁ, ସବୁବେଳେ ଖାଲି କଳନ୍ତର ଲାଭ ହିସାବ । ହରିହରପୁରକୁ ଆସିବା ଦିନୁ ସବୁବେଳେ ମୁହଁରେ ‘ଜଗନ୍ନାଥେ – ଜଗନ୍ନାଥେ – ନୀଳାଚଳନାଥ’ ଲାଗି ରହିଛି । କୁବେର ସାହୁ ଆଖି ବୁଜି କହିଲା,”ହଉ ହଉ, ସମୁଧିଏ! ଆପଣ ଯାହା ଆଜ୍ଞା କରିବେ, ତାକୁ ପୁଣି କିଏ ଅନାସ୍ଥା କରିବ? ଆପଣ ତ ସବୁ ଜାଗାରେ ମାଲିକ ।” ଗହଣର ସବୁ ଲୋକଙ୍କୁ ବିଦାକରି ଦିଆଗଲା, କେବଳ ବାପେ-ପୁଏ ଆଉ କେତେଟା ଚାକର ରହିଲେ ।

କୁବେର ସୋନପୁର, ବୌଦ ସବୁ କୋଠିର କରଣ କାରବାରିଆଙ୍କୁ ଲେଖିଦେଲା,”ମଫସଲରେ କିଛି ଟଙ୍କା ପାଉଣା ରଖିବ ନାହିଁ । ସବୁ ନାଆରେ ସରକ ବୋଝାଇ କରି ପହିଲୁ ଆଷାଢରେ ଯିମିତି ନଈରେ ପିତାପାଣି ପଡିବ, ହରିହରପୁର ଘାଟରେ ନାଆ ଧରି ହାଜର ହୋଇଯିବ ।” ଏଣେ ତାଙ୍କ ଘରଠାରେ ସାହୁଆଣୀ ବିଛଣା ଧରିଲେଣି । କବିରାଜ କହିଲା,”ଏଇଟା ରାଜଯକ୍ଷ୍ମା – ଶିବଙ୍କ ଅସାଧ୍ୟ ।” କରଣମାନଙ୍କୁ ଡାକି ସାହୁଆଣୀ ସାବଧାନ କରାଇଦେଲେ,”ଖବରଦାର! ହରିହରପୁରକୁ ମୋ ବେମାରି କଥା ଲେଖିବ ନାହିଁ, ପୁଅ ଶୁଣିଲେ ଘାବରିଯିବ ।”

ଏଣେ ବିଦ୍ୟାଧର ତା’ଶ୍ୱଶୁର ଘରେ ରାଜଭୋଗରେ ଅଛି । କନ୍ୟାଟି ଯେମନ୍ତ ସୁନ୍ଦରୀ, ଗୁଣବତୀ, ସେହିପରି ପତିବ୍ରତା । ତେବେ ବି ଆଠଦିନକୁ ଆଠଦିନ ଘରପାଖରୁ ମା’ର ସମ୍ବାଦ ନ ପାଇଲେ ଅତ୍ୟନ୍ତ ଆକୁଳ ହୋଇପଡେ ସେ ବିଦ୍ୟାଧର । ଶେଷ ଚିଠିରୁ ଶୁଣିଲା, ମା’ଙ୍କ ବେମାରି ଭଲ ହୋଇଗଲାଣି, ଏବେ ସେ ନିଶ୍ଚିନ୍ତ । ତେବେ ମା’ ବୋହୂକୁ ଦେଖୁ, ଏହି କଥା ମନରେ କରି ବେଳେ ବେଳେ ସେ ଚଂଚଳ ହୋଇପଡେ ।

ସୁଖର ଦିନ ଘୋଡା ଛୁଟିଲା ପରି ଧାଇଁଛି । ଯୁଧିଷ୍ଠିର ସାହୁ ଘରେ ଆନନ୍ଦ ଉତ୍ସବରେ ଚାହୁଁ ଚାହୁଁ ଚାରିମାସ ଚାଲିଗଲା । କନ୍ୟା ବିଦା ପାଇଁ ଯାହା ଯାହା ଲୋଡା, ସେସବୁ ତ ଠିକ୍ଠାକ୍ ହୋଇଗଲାଣି । ଦଶଖଣ୍ଡ ନୂଆ ତିଆରି ନାଆ ତୁଠରେ ଧାଡି କରି ଖଟା ହୋଇଛି । ସବୁ ନାଆ ଚିତ୍ରବିଚିତ୍ର ମଣ୍ଡନ, ତା’ର ଦୁଇ ମଙ୍ଗରେ ଫରଫର ହୋଇ ପତାକା ଉଡୁଛି । ଏଗୁଡିକ ଯୌତୁକ ନାଆ । ସେଥିମଧ୍ୟରେ ଯୋଡାଏ ନାଆ ସୁନ୍ଦର ମଣ୍ଡନୀ । ଖଣ୍ଡକରେ ଝିଅ, ଆଉ ଖଣ୍ଡକରେ ଜୁଆଁଇ ବସି ଯିବେ । ଆଷାଢ ମାସ ଯେମିତି ପଶିଛି, ସେ ନାଆସବୁ ବୋଝେଇ ଲାଗିଲା । ବାସନ, ପେଡି ଆଡଖୁର, ଲୁଗାପେଡି, ଶିଳ, ଶିଳପୁଆ, ଛାଂଚୁଣୀମୁଠାଯାଏଁ ଘରକରଣା ଜିନିଷ, ଦୁଇବରଷ ଚଳିବା ମାଫିକ୍ ଦାନ୍ତକାଠି ଖଣ୍ଡକ ସୁଦ୍ଧା ଛ’ଖଣ୍ଡ ନାଆରେ ବୋଝେଇ ହେଉଛି । ଯୁଧିଷ୍ଠିର ସାହୁର ତାଗିଦ୍ – ଖବରଦାର ବୁଝିସୁଝି ଦିଅ । ଝିଅ ଦୁଇବରଷ ଯାଏଁ ଯେମିତି ତା’ ଶ୍ୱଶୁରଘରେ ପାଣି ମନ୍ଦାକ ଛାଡି ଆଉ କିଛି ବି ଛୁଇଁବ ନାହିଁ । ଲୋକେ ପରା କୁହନ୍ତି, ଯୌତୁକ ଜିନିଷର ଦାମ୍ ପଚାଶ ହଜାର ଟଙ୍କାରୁ ଊଣା ନୁହେଁ ।

କୁବେର ସାହୁର ଦୂରଦୂରାନ୍ତର କୋଠିମାନଙ୍କରୁ ତିରିଶଖଣ୍ଡ ସରିକି ନାଆ ସରକ ବୋଝେଇ କରି ସେଠାରେ ଉପସ୍ଥିତ । ନାଆସବୁ ପୂରା ବୋଝାଇ, ପାଣିଲହଡି ଚାଳକୁ ଛୁଇଁ ଦେଉଛି । କୋଶେଯାଏଁ ସବୁ ନାଆ ଖଟା ହୋଇଛି । ଆଜିଠାରୁ ଦେଖଣାହାରୀମାନେ ମଫସଲରୁ ଆସି କୂଳରେ କାତାର ଦେଲେଣି ।

ଆଷାଢ କୃଷ୍ଣ ଦଶମୀ ଦିନ ଯାତ୍ରା ଠିକ୍ ହେଲା । ରଥ-କାଠ ମେଲାଣି ଭଳିଆ ପାଣିକୁ ଚାହିଁ ବସିଛନ୍ତି – ନୋହିଲେ ନାଆସବୁ ଭୀଷ୍ମ ପାରି ହୋଇପାରିବ ନାହିଁ । ଠିକ୍ ପୂରା ପାଣି ବି ହୋଇଗଲା । ଆଜି ଯାତ୍ରାର ଦିନ । ହଜାର ହଜାର ଦେଖଣାହାରୀ ନଈ ଦୁଇ କୂଳରେ କାତାର ଦେଇ ଛିଡା ହୋଇଛନ୍ତି । ଗୋଟାଏ ଗୋଟାଏ ନାଆରେ ଚାରି ଚାରିଜଣ ଆହୁଲା ଧରି ଛିଡା ହୋଇଗଲେ । ପଛରେ ମଙ୍ଗଧରା, ଆଗ ମଙ୍ଗ ଉପରେ ବାଟକଢାଣିଆ ଛିଡା । ଏହି କଢାଣିଆ ନ ହେଲେ ନାଆ ଭୀଷ୍ମ ପାର ହୋଇପାରିବ ନାହିଁ ।

ଆଠମଲ୍ଲିକ ଉପରକୁ ମୁଣ୍ଡାପଡା ଗାଁଠାରୁ କଇଁତ୍ରାଗଡଯାଏଁ ଷୋଳ ସତର ମାଇଲ ଭିତରେ ଭୀଷ୍ମ ପଡେ । ବଡ ବଡ ପଥର ସବୁ ମୁଣ୍ଡଟେକି ନଦୀ ମଧ୍ୟରେ ସଭା କରି ବସିଲା ପରି ବସିଛନ୍ତି । ବଡପାଣିରେ ସେହି ପଥର ସବୁ ବୁଡିଗଲେ ତା ଉପର ଦେଇ ନାଆ ଭାସିଯାଏ । ମାତ୍ର କେତେକ ପଥର ବୁଡେ ନାହିଁ । ଗୁଡାଏ ପଥର ଉପରେ ଚାଖଣ୍ଡେ ଚାରି ଆଙ୍ଗୁଳ ଜଳ । ନାଉରିକୁ ତ ଆଉ ପଥର ଦିଶେ ନାହିଁ । ଏଇ ଭୀଷ୍ମ ଜାଗାଟାରେ ନଈ କମ୍ ଓସାର ଯୋଗୁଁ ପାଣିର ଭାରି ତୋଡ, ଘଂଟାକ ମଧ୍ୟରେ କୋଡିଏ ମାଇଲ୍ ବାଟ ନାଆ ଭାସିଯାଏ । ସେହି ଭୀଷ୍ମ ମଧ୍ୟରେ ଅଙ୍କାବଙ୍କା ସାପଚଳ ପରି ବାଟ । ନାଆ ସେହି ବାଟେ ଯାଏ । ସେ ବାଟଟା କଢାଣିଆକୁ ଠିକ୍ ଜଣା । ସେ ଜାଗାରେ ପାଣିର ଭାରି ତୋଡ । ପଥରରେ ବାଜି ଏପରି ଶବ୍ଦ କରେ ଯେ, କଢାଣିଆ କଥା ପଛ ମଙ୍ଗଧରାକୁ ବି ଶୁଭେ ନାହିଁ । କଢାଣିଆ ଦୁଇ ହାତରେ ବାଟ ଠାରି ଦେଉଥାଏ । ଭୀଷ୍ମ ପାର କରିଦେଇ ବାଟକଢା କଇଁତ୍ରାଗଡଠାରେ ନାଆରୁ ଓହ୍ଲାଇପଡେ । ତା କାମ ଛିଡିଲା । ତିନି ଦିନ ହେଲା ଶ୍ରବଣା ପଶିଥିଲା, ଭାରି ପାଣି, ଭାରି ଝଡ । କାଲି ସଞ୍ଜରୁ ପାଣି ଛାଡିଛି । ସକାଳେ ଆକାଶ ନିର୍ମଳ, ସୂର୍ଯ୍ୟଦେବତା ଜ୍ୱଳନ୍ତ ସୁନାପେଣ୍ଡୁଟି ପରି ଉଇଁ ଆସିଲେ । ଫେର୍ ଥରେ ସାହୁ ଘର ଭିତରୁ ଭାରି କାନ୍ଦଣା, ଶଙ୍ଖ, ହୁଳହୁଳି ଶୁଭିଲା । ବରକନ୍ୟା ନାଆରେ ବସିଲେ । ‘ଜେ ଜେ ଗଙ୍ଗାମାତା’ କହି କହି ନାଉରିମାନେ ଆଗେ ବରକନ୍ୟା ନାଆ ମେଲି ଦେଲେ, ତା ପଛକୁ ତା ପଛକୁ ସବୁ ନାଆ ମେଲିଗଲା । ଦୁଇ କୂଳରୁ ହଜାର ହଜାର ଲୋକ ‘ହରିବୋଲ’ ପକାଉଛନ୍ତି ।

ଆଗ ନାଆ ଭାସିଯାଇ ଦୁଇକୋଶ ଦୂର ଶ୍ୟାମପୁର ଗାଁ ସଳଖରେ ଯେମିତି ପହଁଚିଛି, ସୂର୍ଯ୍ୟଦେବତା ଅଚାନକ ଭାବେ ବୁଡିଗଲେ । ନାଉରିଏ ଜାଣନ୍ତି,”ଉଇଁ ନ ଦିଶେ, ହସି ପଶେ, ବାପ ବୋଲେ ପୁତା ନିଶ୍ଚେ ବରଷେ ।” ନଈ ଦୁଇ କୂଳେ ଲୋକେ ଛିଡା ହୋଇ ଅନାଇଛନ୍ତି, ନାଉରିଏ ଭାରି ଆନନ୍ଦରେ ‘ହରିବୋଲ’ ଦେଇ ନାଆ ବାହିଯାଉଛନ୍ତି । ଯୋଡାଏ ନାଆ ଖଜା ପିଠା ବୋଝେଇ । ନାଆ ଖଟାଇ ଖାଇବେ । ଠିକ୍ ଏତିକିବେଳେ ଉତ୍ତର-ପଶ୍ଚିମ କୋଣରୁ ହେଁସଖଣ୍ଡ ପରି ଖଣ୍ଡେ ସାନ ଧୂଳିଆ ମେଘ ଉଇଁ ଆସିଲା । ସିଲିସିଲି ପବନ ଝିଲକେଇଲା । ଏସବୁ ଦେଖି ସେ ନାଉରିଏ ଡରିଗଲେ । ଆଉ ସମସ୍ତେ ବାହଣରେ ଲାଗିଛନ୍ତି । ‘ଜେ ଜେ – ଗଙ୍ଗାମାତାକି ଜେ’ ଗୀତ ଗାଇ ଆହୁଲା ବାହୁଛନ୍ତି । ନାଆ ଯିମିତି ମୁଣ୍ଡାପଡା ଗାଁ ମୁଣ୍ଡ ଛୁଇଁଛି, କଥା ପଦକେ ଗୋଟା ଆକାଶ ମେଘ ଘୋଡାଇ ପକାଇଲା – ସଙ୍ଗେ ସଙ୍ଗେ ପବନ, ତା ପଛକୁ ପାଣି । ପବନ ତ ପବନ, ଏପରି ଘୁଙ୍ଗୁଳିଆ ପବନ ଅକାଳେ ସକାଳେ ଦେଖିବାର ନାହିଁ । ବେତନାସି ଗୋଛାରେ ବାଡେଇଲାପରି ନାଉରିମାନଙ୍କ ଦେହକୁ ପାଣିଛାଟ ମାରୁଛି । ଦିନଯାକ ବରଷା ଖାଇ ଯେଉଁମାନେ ନାଆ ବାହିଯାଆନ୍ତି, ଦଣ୍ଡକ ମଧ୍ୟରେ ସେ ନାଉରିଗୁଡାକ ହାଲିଆ ହୋଇପଡିଲେଣି । ଦୁଇ କୂଳରୁ ଡାକ ପଡିଛି,”ନାଉରି, କୂଳ ଭିଡା, କୂଳ ଭିଡା ।” ବାଟକଢା ଡାକୁଛି,”ମଙ୍ଗୁଆଳ କୂଳ ଦେଖା – ଆରେ କୂଳକୁ ଦେଖା ।” ନାଆ କ’ଣ ମଙ୍ଗ ମାନୁଛି । ଘୁଙ୍ଗୁଳିଆ ପବନ ନାଆର ଆଗ ମଙ୍ଗ ପଛକୁ କରିଦେଉଛି, କେବେ ନାଆକୁ ଚକପରି ବୁଲାଇ ଦେଉଛି । ନଈକୂଳର ଭାରୀ ଭାରୀ ପୁରୁଣା ଆମ୍ବ, ବର, ଓସ୍ତଗଛଗୁଡିକ ମାରିଷ ଗଛ ପରି ଉପୁଡି ପଡୁଛି । ପୂବାଳି ଗୋଟାଏ ଭାରି ଦମକା ପବନ ବାଡେଇ ଦେଲା । ନାଆ ଉପର ମଙ୍ଗଧରା, ବାହାଣିଆ, ବାଟକଢା, ସବୁଗୁଡାକ ଝୁପ୍ଝାପ୍ କରି ନଈରେ ପଡିଗଲେ । ତଂଟିଆ ଦେଇ ସେମାନଙ୍କୁ କିଏ ଯେମନ୍ତ ପାଣିରେ ମାଡିଦେଲା । ନାଆଗୁଡାକ ଗୋଟାକ ଉପରେ ଗୋଟାଏ ବାଡେଇ ହେଉଛନ୍ତି, ଗୁଡାଏ ଠୋକର ଖାଇ ଭାଙ୍ଗି ଗୁଣ୍ଡା ହୋଇଗଲାଣି । ଆଉ ଦଣ୍ଡେ ସତାର କରିଥିଲେ ନାଆସବୁ ସୁଅପାଣିରେ ପଡି ଭାସିଯାଇଥାନ୍ତେ; ମାତ୍ର କଇଁତ୍ରାଗଡ ମୁଣ୍ଡରେ ନଈ ମଝିରେ ଗୋଟାଏ ବଡ ଭୀଷ୍ମ ମହାକାଳ ଦୂତ ପରି ଛିଡା ହୋଇଥିଲା, ସବୁ ନାଆ ତା ଉପରେ ବାଡେଇ ହୋଇ ଭାଙ୍ଗି ଚୂନା ହୋଇଗଲା । ଏମିତିକି ଖଣ୍ଡେ ବି ନାଆ ବର୍ତିପାରିଲା ନାହିଁ । ମନୁଷ୍ୟ ବା ବୋଝେଇ ଜିନିଷ କାହାରି ମଧ୍ୟ ଚିହ୍ନବର୍ଣ୍ଣ ନାହିଁ, ଗୁଡାଏ ପଟା ଭାସି ଭାସି ଯାଉଛି ।

ଆଜକୁ ଠିକ୍ ହାତଗଣତା ହେଲା ବରଷେ । ଯୋଗ ଦେଖ, ଆଜି ବି ମିଥୁନ କୃଷ୍ଣଦଶମୀ, ମହାନଦୀ ଦୁଇକୂଳ ଖାଉଛି, ଉଛୁଳି ପଡିଲା ଭଳି । ଲଙ୍ଗଳକଂଟା ଗାଁ ତଳେ କୂଳ ଉପରେ ଯୋଡାଏ କୁସୁମଗଛରେ ଯୋଡାଏ ଲମ୍ବ ଲମ୍ବ ଦଉଡିରେ ଯୋଡାଏ ଝାଡୁଆ ନାଆ ଆଗ ମଙ୍ଗ ଖଟା ହୋଇଛି । ଟାଣ ସୁଅରେ ନାଆ ପଛ ମଙ୍ଗ ଅଳ୍ପ ଅଳ୍ପ ବିଂଚି ହେଉଛି । ବେଳେବେଳେ ସେ ନାଆ ଯୋଡାକ ନାଚି ଉଠୁଛନ୍ତି । ସେ ନାଉରିଗୁଡାକ ତ ଦିନଯାକ କାତ ପେଲି ଥକିଥିଲେ । ଯିମିତି ପଡିଯାଇଛନ୍ତି, ନିଘୋଡ ନିଦ, ଘୁଙ୍ଗୁଡି ମାରୁଛନ୍ତି । ଆକାଶରେ ଗୋଟାଏ ବି ତରା ନାହିଁ, ଘୋର ଅନ୍ଧାର । ବେଳେବେଳେ ଲତାବିଜୁଳି ଚମକି ଯାଉଛି । ଗୋଟାଏ ଭେଣ୍ଡିଆ ଖଣ୍ଡେ ନାଆ ପଛମଙ୍ଗରେ ଗାଲରେ ହାତ ଦେଇ ବସି କଣ ଚିନ୍ତା କରୁଛି । ଏଣେ ରାତି ତ ଅଧାଅଧି ଗଡିଗଲାଣି, କିଆଁ ଶୋଇବାକୁ ଯାଇ ନାହିଁ? ତପସ୍ୟା କଲା ପରି ଆଖିବୁଜି ଉଇହୁଙ୍କାଟି ପରି ତୁନି ହୋଇ ସେ ବସିଛି । ମଙ୍ଗଟା ଠିକ୍ ଗାଧୁଆତୁଠରେ ଅଂଟାଏ ସରିକି ପାଣିରେ ଭାସୁଛି । ଏତିକିବେଳେ ସେ ତୁଠର କିଛି ଦୂରରୁ ‘ହେ ଠାକୁରେ! ହେ ଗଙ୍ଗାମାତା! ମୋ ଧର୍ମ ରଖ!’ ବିକଳ ରଡି ଶୁଣି ସେ ମୌନୀ ଭେଣ୍ଡିଆଟି ଚମକି ପଡିଲା । ଯେମନ୍ତ ଦେବୀ ପ୍ରତିମାଟିଏ ଧାଇଁଛି, ତା ପଛରେ ଯେମନ୍ତ ଗୋଟାଏ କାଳିଆଭୂତ ମତୁଆଲା ମଣିଷ ପରି ଟଳି ଟଳି ପଡି ଉଠି ଗୋଡାଉଛି । ନିତାନ୍ତ କର୍କଶ ଭାଷାରେ ସେ ପାଟିକରି କହୁଛି,”ଏ ବରଷକୁତା ତୋ ପିଛା ଲାଗିଛି, କଥା ଶୁଣୁ ନ ଥିଲୁ ପରା? ଆଜି ଆଚ୍ଛା ବେଳେ ଆଚ୍ଛା ଜାଗାରେ ଆପେ ଆପେ ତୋର ଭେଟ ମିଳିଗଲା । ଡାକିଲୁ ମୋ ମା’କୁ, ତା ବୋପା ଆସି ରଖୁ । ମୋ ବୋଉ ତୋତେ ଜଗି ବସିଥିଲା! କେହି ତୋ ପିଠିରେ ପଡୁ ନାହିଁ?” ଏଣେ ଏ ଯୁବତୀଟି ଆକୁଳରେ ରଡି ଛାଡିଛି,”ମହାପ୍ରଭୁ! ମୋ ଧର୍ମ ରକ୍ଷାକର । ମା’ ଗଙ୍ଗା! ମୋତେ କୋଳକୁ ନିଅ । ମୋ ସ୍ୱାମୀ – ମୋ ମୁଣ୍ଡର ମଣି – ମୋ ପ୍ରାଣ ଦେବାତାକୁ କୋଳକୁ ନେଇଛ, ଏବେ ମୋତେ ନିଅ ।”

ନାଆ ମଙ୍ଗପାଖରୁ ସେ ଘଟଣା ଜାଗା ପାଂଚ ଛ’ ହାତ ଛଡା । ଯୁବତୀ ଆଉ ଆଗନ୍ତୁକ ଭିଡାଭିଡି ଲାଗିଛନ୍ତି । ମଙ୍ଗ ଉପର ଲୋକ ଯୁବତୀର ସ୍ୱର ଶୁଣି ହଠାତ୍ ଚମକି ପଡିଲା । ସେତିକିବେଳେ ବିଜୁଳିଟାଏ ବି ଚମକିଗଲା । ଯୁବକ ଆଖିକୁ ଝକ୍ଝକ୍ ପଦ୍ମାବତୀ ରୂପ ପରି ଦିଶିଗଲା । ତା’ପରେ ସେ ଆଉ ମୋଟେ ସମ୍ଭାଳି ପାରିଲା ନାହିଁ । ଆଗରେ ଗୋଟାଏ କାଠୁଆ ଆହୁଲା ପଡିଥିଲା, ତାକୁ ଧରି ମଙ୍ଗଠାରୁ ସାତ ଆଠ ହାତ ଦୂରକୁ ହୁଙ୍କାର ଦେଇ ଯିମିତି ସେ ଡେଇଁ ପଡିଛି, ସେହି ଉଦଣ୍ଡା ରାକ୍ଷସଟା ମୁଣ୍ଡରେ ଟାଣି ଏକ ପାହାର । ଲୋକଟା ‘ବାପାରେ’ ବୋଲି କହି ସେ ନଈ ଭିତରେ ସାତ ଆଠ ହାତ ଦୂରକୁ ଛିଟିକି ପଡିଲା । ପାଣିଟା ଟବ୍ କରି ଯାହା ଶୁଭିଛି, ବାସ୍ ସେତିକି । ଯୁବକ ଆଉ ପାହାରେ ବାଡେଇବାକୁ ଆହୁଲା ଉଂଚାଇଲା – ଦେଖିଲା ସେ ମଣିଷର ଆଉ ଚିହ୍ନ ନାହିଁ । ଯୁବତୀ ବିଜୁଳି ଆଲୁଅରେ ମାତ୍ର ଏତିକି ଦେଖିଲା ଯେମନ୍ତ ଆକାଶରୁ ଗୋଟିଏ ଦେବତା ଖସି ପଡି ସେ ପାଷାଣ୍ଡ ହାତରୁ ତାକୁ ରକ୍ଷା କଲେ । ଏହା ଦେଖି ଅତ୍ୟନ୍ତ ଆକୁଳରେ ସେ ଯୁବତୀଟି ‘ମୋ ପ୍ରଭୁ! ଦେବତା’ ଏତିକି କହି ସେ ଯୁବକକୁ କୁଣ୍ଢେଇ ପକାଇଲା । ଆଉ ତାହାର ଜ୍ଞାନ ନାହିଁ ।

ଯୁବକ ବଡ କଷ୍ଟରେ ସେ ଯୁବତୀଟିକୁ ନାଆ ମଙ୍ଗ ଉପରକୁ ଟେକି ନେଇ ନାଉରିମାନଙ୍କୁ ଉଠାଇଲା । ନାଆ ଚାଳ ଟେକି ଦେଇ ଯୁବକ ଅତି କଷ୍ଟରେ ଉକ୍ତ ଯୁବତୀଟିକୁ ନାଆ ଭିତରେ ଶୁଆଇଲା । ସେ ଯୁବକ ଜଣକ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ବିଦ୍ୟାଧର । ବିଦ୍ୟାଧର ଦେଖିଲା, ସେ ଯୁବତୀର ଚେତା ଆଦୌ ନାହିଁ, ମୁଣ୍ଡ ଲମ୍ବ ବାଳରୁ ଝରଝର କରି ପାଣି ବହିପଡୁଛି, ଦେହ ଗୋଟାକ ଯାକ ତା’ର କାଦୁଅ ଲଟପଟ, ଯେମିତିକି ଲୁଗା ଚୁପୁଡି ଦେଲେ ପାଣି ବୋହି ପଡିବ । ଭଲ କରି ଚିହ୍ନିଲାଣି ସତ, ତେବେ ବି ସେ ବିଦ୍ୟାଧରକୁ ଟିକେ ଡର ମାଡୁଛି । ପାଖରେ ପୁଣି ତା’ର କେହିବି ନାହିଁ, ଏବେ ଏ ଯୁବତୀଟି କିପରି ତା’ ଲୁଗା ପାଲଟିବ? ଏହିପରି ଭାବୁ ଭାବୁ ବିଦ୍ୟାଧରର ହଠାତ୍ ସେ ଯୁବତୀର ହାତରେ ନଜର ପଡିଗଲା, ଆଙ୍ଗୁଳିରେ ତା’ର ମୁଦି । ଆପଣା ମୁଦି ବୋଲି ବିଦ୍ୟାଧର ବି ଠିକ୍ ଚିହ୍ନିଲା, ତା’ପରେ ଆଉ କିଛି ବି ସନ୍ଦେହ ନାହିଁ । ଲୁଗା କାହିଁ? ଆପେ ତ ଦି’ଛୁଟିଆ – ଆପଣା ପାଛୁଡା ଖଣ୍ଡ ସେ ଯୁବତୀକୁ ପିନ୍ଧାଇ ଦେଇ ଯୁବକଟି ତା’ ଦେହରୁ କାଦୁଅ ପାଣି ସବୁ ପୋଛି ପକାଇଲା ।

ଶ୍ୟାମସାହୁ ବିଦେଇର ନିଘନ ମଳାଶୁର । ଘର ଜୋରମେ ଇଲାକା ଖାଲପାଳ । ସାହୁ ଜଣେ କାରବାରିଆ ମଧ୍ୟଭଳି ଲୋକ । ବିଭା ସମୟରେ ବିଦ୍ୟାଧର ତ ତାକୁ ଠିକ୍ ଚିହ୍ନିଥିଲା, ଆଉ ତା’ର ଘର ଠିକଣା ବି ଜାଣିଥିଲା । ଏଣେ ଏ ଯୁବତୀର ତ ଚେତା ମୋଟେ ଆସୁ ନାହିଁ । ନାଆରେ ତ ସବୁବେଳେ ଉହ୍ମେଇରେ ନିଆଁ ଥାଏ । ଲୁଗା ପେଣ୍ଡୁଳା କରି ବିଦ୍ୟାଧର ସେ ଯୁବତୀକୁ ଖାଲି ସେକୁଥାଏ । ରାତି ଆଉ ପିଛିଲା ସରିକି ପହରେ ଅଛି, ବିଦ୍ୟାଧର ସେ ନାଉରିମାନଙ୍କୁ ଡାକି କହିଲା,”ତୁମ୍ଭେମାନେ ଯେବେ ଦିନ ପହରକ ଭିତରେ ନାଆ ନେଇ ଖାଲପାଳ ତୁଠରେ ଭିଡାଇ ପାରିବ, ତେବେ ମୁଁ ତୁମମାନଙ୍କୁ ଖଜଣା ପାଂଚ ପାଂଚ ଟଙ୍କା କରି ବକ୍ସିସ୍ ଦେବି ।” ଏକଥା ଶୁଣି ସେ ନାଉରିମାନେ ବିଚାର କଲେ ଖାଲପାଳ ଏଠାରୁ ପ୍ରାୟ ଚାରିକୋଶ ବାଟ – ଏତେବେଳୁ ନାଆ ମେଲିଦେଲେ କସ୍ତାକସ୍ତିରେ ନାଆ ଯାଇ ଠିକ୍ ଯାଗାରେ ପହଁଚିଯିବ । ଆକାଶରେ ତ ଆଉ ମେଘ ନାହିଁ, ଟିକିଏ କାଳିଜହ୍ନିଆ ପଡିଗଲା । ନାଆଟା ଦକ୍ଷିଣ କୂଳ ଧରି ଯାଉଥିଲା । ଖାଲପାଳ ହେଉଛି ଉତ୍ତର କୂଳରେ । ଯିମିତି ରାତି ପାହିଛି, ନାଉରିଏ ନାଆ କ୍ଷେପିଦେଲେ ।

ଯୁବତୀ ଗୋଟିଏ କୋମଳ ବିଛଣାରେ ପଡିଛି, ତା’ର ତ ଚେତା ନାହିଁ । ନାକରେ ତୁଳା ଦେଇ ଦେଖାଗଲା, ଅଳ୍ପ ଅଳ୍ପ ପବନ ଚାଲିଛି । ସେ ଗ୍ରାମର ପୁରୁଣା ବୈଦ୍ୟ ବଳେଇ ବାହିନୀପତିଏ ଭଲ ରୂପେ ସେ ଯୁବତୀଟିର ନାଡି ଚିପି କହିଲେ,”କେବଳ ଇନ୍ଦ୍ରିୟଦୌର୍ବଲ୍ୟ- ମାତ୍ର ବିପଦର କୌଣସି ଆଶଙ୍କା ନାହିଁ ।” ଲାଗ ଲାଗ ତିନି ପାନ କସ୍ତୁରୀଭୂଷଣରସ, ଅଦାରସ, ମହୁ ଅନୁପାନରେ ଯୁବତୀଟିକୁ ପିଆଇ ଦେଇ ସେ କହିଲେ,”ଏହି ଔଷଧର କ୍ରିୟା ଆରମ୍ଭ ହେଲେ ଯାଇ ଏହାର ଚେତନା ନିଶ୍ଚୟ ଆସିବ ।” ଘଟଣାର ତୃତୀୟ ଦିନ ଉପରଓଳି ସେ ଯୁବତୀ ଟିକିଏ ଆଖି ମେଲି ଚାହିଁଲା । ଚାଳବାଡ ସବୁଆଡକୁ ଆଖି ବୁଲାଇ ସେ ଅନାଇଲା – ଦେଖିଲା ଗୋଟିଏ ପ୍ରୌଢା ସ୍ତ୍ରୀ ତା’ପାଖରେ ବସି ଧୀରେ ଧୀରେ ତା ଦେହରେ ହାତ ବୁଲାଉଛି । ଯୁବତୀର ଚେତା ଆସିଲାଣି । ଅତି କ୍ଷୀଣ ସ୍ୱରରେ ଯୁବତୀଟି ତାକୁ ତଥା ସେ ପ୍ରୌଢା ସ୍ତ୍ରୀକୁ ପଚାରିଲା, ‘ମୁଁ ଏବେ କେଉଁଠି ଅଛି?’ ତହୁଁ ସେ ପ୍ରୌଢା ଅତି ଧିରେ, ଅତି କୋମଳରେ କହିଲା,”ମା ପଦ୍ମାବତୀ! ମୁଁ ପରା ତୋର ମାଉସୀରେ – ମୋତେ କଣ ତୁ ଚିହ୍ନିପାରୁ ନାହୁଁ?” ପଦ୍ମା ଏଥର ଉଠି ବସିଲାଣି । କାନ୍ଥବାଡ ଧରି ସକାଳ ସଞ୍ଜ ଟିକିଏ ଟିକିଏ ସେ ଚାଲବୁଲ ହୁଏ । ବୈଦ୍ୟରାଜ ବ୍ୟବସ୍ଥା, ଟିକିଏ ଟିକିଏ ଦୁଧ ଦିଆଯାଉଛି, ମାତ୍ର ଅନ୍ୟ ପଥ୍ୟ ଦିଆଯାଇ ନାହିଁ ।

ଝିଅ ଜୁଆଁଇ ପହଂଚିବାକ୍ଷଣି ସାହୁ ଚାରିଜଣ ଭେଣ୍ଡିଆ ପାଇକ ହାତରେ ଯୁଧିଷ୍ଠିର ସାହୁ ପାଖକୁ ଭାଷା ଚାଳି ଦେଇଥିଲେ । ଆଜି ଦଶମ ଦିନ ତିରିଶ ବଣୁଆ ଆପଟ ଚାରିଖଣ୍ଡ ପାଲିକି ଧରି ହରିହରପୁରରୁ ଆସି ଉପସ୍ଥିତ । ଯୁଧିଷ୍ଠିର ସାହୁ ଲେଖିଛନ୍ତି,”ବାଟରେ ଆଠଜାଗା ଟପା ଆପଟ ବସିଲା । ତଡେଦମ ଝିଅ-ଜୁଆଁଇଙ୍କୁ ଧରି ମଉସା ମାଉସୀ ଆସିବ । ତାହେଲେ ଯାଇ ଚାରିଦିନ ବାଟ ଦୁଇ ଦିନରେ ଆସିବ । ମୋଟେ ବି ମଠ କରିବ ନାହିଁ ।”

ତା’ପରେ ମହା ଆନନ୍ଦରେ, ଉତ୍ସବରେ ଯୁଧିଷ୍ଠିର ସାହୁ ତାଙ୍କ ଝିଅ-ଜୁଆଁଇଙ୍କୁ ଘରକୁ ନେଲେ । ତେଣୁ କେତେ ଦିନ ପର୍ଯ୍ୟନ୍ତ ମନ୍ଦିରରେ ହରିଲୁଟ, କୀର୍ତନ, ବୈଷ୍ଣବଖନ୍ଦା, ପ୍ରସାଦସେବା ଆଦି ଚାଲିଲା ।

ଘୋର ଦୁର୍ଯୋଗ, ଘୋର ଦୁର୍ଦ୍ଦିନ ଉତାରେ ତରୁଣାରୁଣ ଆଲୋକ ବଡ ପ୍ରୀତିକର, ବଡ ଆନନ୍ଦଦାୟକ ଜଣାଯାଏ । ବିଦ୍ୟାଧର, ପଦ୍ମାବତୀ ଦୁଇଜଣ ଦିନରାତି ଚକୁଆଚକୋଇ ପରି ଉଆସ ଭିତର ପଦ୍ମାବତୀ ଖଞ୍ଜାରେ ବସି ଆନନ୍ଦ ଉତ୍ସବରେ ଦିନ କାଟୁଥାନ୍ତି । ନାଆ ଭଙ୍ଗାଠାରୁ ବରଷେ କାଳ କିଏ କିପରି ଥିଲା, ସେହି ଦୁଃଖ କାହାଣୀ କେହି ବି କାହାକୁ ପଚାରି ନାହିଁ । ଆଜି କଥା କଥାକେ ସେହି କଥା ପଡିଗଲା । ବିଦ୍ୟାଧର କହିଲା, ‘ନାଆ ଯେମିତି ଭାଙ୍ଗିଗଲା ମୁଁ ଖଣ୍ଡେ ପଟା ଉପରେ ପେଟେଇ ପଡି ଭାସୁଥାଏ । ତମେ କୁଆଡେ ଗଲ, ଅନାଇଲି । ତୁମେ ବି ଖଣ୍ଡେ ପଟା ଉପରେ ପଡି ଭାସୁଥିଲ, ଥରେ କେବଳ ଦେଖିଥିଲି । ପଛନ୍ତେ ଶୁଣିଲି, ତହିଁ ଆରଦିନ ସକାଳେ ନଦୀ ମଧ୍ୟରେ ଭାସି ଭାସି ଯାଉଥିଲି, ଖଣ୍ଡେ ନାଆର ନାଉରିମାନେ ମୋତେ ଦେଖି ସେଠାରୁ ଉଠାଇନେଲେ । ଚାରିଦିନ ବାଦେ ମୋର ଚେତା ଆସିଲା, ଅନାଇ ଦେଖିଲି, ଗୋଟାଏ ବଡ ଘରେ ମୁଁ ଶୋଇଛି । ପଛନ୍ତେ ଶୁଣିଲି, ସେଇଟା ଗୋବିନ୍ଦପୁର ଗାଁର ଗୋପାଳଜୀ ମଠ । କଟକଠାରୁ ଦୁଇକୋଶ ତଳକୁ । ବୁଢା ମହନ୍ତ ଲଳିତା ଦାସ ବାବାଜି ମୋତେ ବଂଚାଇବା ପାଇଁ ଖୁବ୍ ଯତ୍ନ କରୁଥାନ୍ତି । ମାସକ ବାଦେ ଯାଇ ମୁଁ ଚାଲିବୁଲି ପାରିଲି । ତୁମ ବାପା ଯେଉଁ ସୁନା ଗବତାରଟା ମୋତେ ଦେଇଥିଲେ ତାହା ତ ମୋ ଅଂଟାରେ ଥିଲା; ମହନ୍ତଙ୍କୁ ଦେଲି । ବିକି ମୋ ପିଛେ ଖରଚ କରିବାକୁ ମୁଁ କହିଲି । ମହନ୍ତ ନାହିଁ ନାହିଁ କରି ଶେଷରେ ନେଲେ । ମୋର ସେତେବେଳେ ତ ଟିକିଏ ବଳ ଆସିଥାଏ, ତୁମ କଥା, ବାପାଙ୍କ କଥା ମନରେ ପଡିଲେ ପୁଣି ଦଶ ପନ୍ଦର ଦିନ ପଡିଯାଏ । ଏହିପରି ଆଠ ଦଶ ମାସ କାଳ ବିତିଗଲା । କଟକ ଜିଲ୍ଲାରେ ବାପାଙ୍କର ତ ବହୁତ ନାମଡାକ । ଲଳିତା ଦାସେ ବାପାଙ୍କ ନାମ ଶୁଣି ମୋତେ ଆହୁରି ଅଧିକ ଯତ୍ନ କଲେ, ଆମଘରଠାକୁ ଖବର ପଠାଇଲେ । ଲୋକେ ବାହୁଡି ମୋ ମାତାଙ୍କ ବିୟୋଗ କଥା କହିଲେ । ମୁଁ ଆହୁରି ଦି’ ମାସଯାଏଁ ବିଛଣାରେ ପଡି ରହିଲି । ତହିଁ ଉତାରେ ସ୍ଥିର କଲି, ଘରକୁ ଆଉ ଜିବି ନାହିଁ, ସନ୍ନ୍ୟାସୀ ହୋଇ ତୀର୍ଥରେ ବୁଲିବି । ମାତ୍ର ମୋ ଦେହରେ ଟିକେ ବଳ ହେବାରୁ ମୁଁ ଚାଲି ଚାଲି ଘରକୁ ଗଲି । ଘରକୁ ଯାଇ ଯାହା ସବୁ ଦେଖିଲି, ସେଠାରେ ଦଣ୍ଡେ ରହିବାକୁ ମଧ୍ୟ ମୋର ଇଚ୍ଛା ବଳିଲା ନାହିଁ । ପୁରୋହିତ ଦିବାକର ଦ୍ୱିବେଦୀ ଶାସନର ଆଉ ଆଉ ଯେଉଁମାନଙ୍କର ଜମି ବାପା ନିଲାମରେ ଧରି ନେଇଥିଲେ, ସେ ସମସ୍ତଙ୍କୁ ଡକାଇ ମୁଁ ତାଙ୍କ ଜମି ଫେରାଇ ଦେଲି । ରେଜେଷ୍ଟରୀ, ଅରେଜେଷ୍ଟରୀ ଗୁଜା ଯେତେ ଦଲିଲ ଥିଲା, ଆଉ ଧାନ କରଜା ପାଞ୍ଜି ସବୁ ପୋଡି ପକାଇ ଖାତକମାନଙ୍କୁ ଖବର ଦେଲି, ଆଉ ସେମାନଙ୍କୁ ଟଙ୍କା ଦେବାକୁ ହେବ ନାହିଁ । ଧାନ, ଗୋରୁ, ବାସନକୁସନ ଯାହା କିଛି ବି ଥିଲା, ସେସବୁ ଦେଶ ଲୋକଙ୍କୁ ବାଂଟିଦେଇ ଦିନେ ରାତିରେ କାହାକୁ କିଛି ବି ନ କହି ମୁଁ ସେ ଘରୁ ବାହାରି ଆସିଲି । ମନରେ କଲି, ଆଉ ତ କେହି ଗୁରୁଜନ ନାହିଁ, ତେଣୁ ଶ୍ୱଶୁରଙ୍କୁ ଶେଷ ଦର୍ଶନ କରି ତାଙ୍କ ପାଦଧୂଳି ମୁଣ୍ଡରେ ଦେଇ ବାହାରି ଯିବି ।

କଟକଯାଏଁ ଆସିଲି । ଝାଡ ମୁଲକରେ ବାପାଙ୍କୁ ତ ସମସ୍ତେ ଜାଣନ୍ତି । ମହାନଦୀକୂଳ ଗଡଗଡିଆ ପାଖ ଘାଟରେ ଖଣ୍ଡେ ସୋନପୁରୀ ନାଆରେ ଉଠିବସିଲି । ଆସୁ ଆସୁ ଲଙ୍ଗଳକଂଟାଠାରେ…. ପଦ୍ମାବତୀ ପଣତକାନିରେ ବିଦ୍ୟାଧର ମୁହଁ ବୁଜିଧରି କହିଲା,”ଆଉ କିଛି କହନା ।” ବିଦ୍ୟାଧର ଆତ୍ମକାହାଣୀ ବର୍ଣ୍ଣନା ସମୟରେ ପଦ୍ମା ଆଖିରୁ ଦୁଇଧାର ଲୋତକ ବହୁଥାଏ ।

ବିଦ୍ୟାଧର କହିଲା,”ଏବେ ତୁମ କଥା କହ ।” ପଦ୍ମା ମୁହଁ ପୋଛି ଆତ୍ମକାହାଣୀ କହିବାକୁ ଲାଗିଲା ।”ମୁଁ ଲଙ୍ଗଳକଂଟା ଦନେଇ ଦଳେଇ ଘରେ ଥିଲି । ଦଳେଇ ସେ ଗାଁ ମଧ୍ୟରେ ଥିଲାବାଲା ଲୋକ । ଗ୍ରାମର ସମସ୍ତ ଲୋକ ତାକୁ ଭାରି ମାନନ୍ତି । ତା’ ଘର ଆଗରେ ସେ ଗୋଟିଏ ଠାକୁର ମନ୍ଦିର କରିଛି, ସଦାବର୍ତ ଦିଏ । ଶୁଣିଲି, ମୁଁ ତୁଠରେ ଅଚେତ ହୋଇ ପଡିଥିଲି । ଦଳେଇଘର ମାଇପେ ମୋତେ ଗୋଟାଇ ଘେନି ଯାଇଥିଲେ । ଦଳେଇ ଆଉ ତା ଭାର୍ଯ୍ୟା ମୋତେ ବଡ ଆଦରରେ ରଖିଥିଲେ । ଝିଅଠାରୁ ବଳି ସ୍ନେହ କରନ୍ତି ମତେ ସେମାନେ । ମୋ ପାଇଁ ମନ୍ଦିରରୁ ପ୍ରସାଦ ଆସେ । ମୁଁ କାନ୍ଦିଲେ ଦଳେଇ ଭାର୍ଯ୍ୟା ମୋତେ ସାନ୍ତ୍ୱନା ଦିଏ, ମୋତେ ବାପା ପାଖକୁ ପଠାଇ ଦେବାକୁ କହେ । ଦଳେଇ ଯିମିତି ଧାର୍ମିକ, ତା ପୁଅଟା ବି ଠିକ୍ ସେହିପରି କୁଳାଙ୍ଗାର, ପାଷାଣ୍ଡ । ମଦ, ଆପୁ, ଗଞ୍ଜେଇ କିଛି ବି ନିଶା ତାକୁ ଅଂଟେ ନାହିଁ । ଘରେ ଯୁବତୀବୋହୂ, ତାକୁ ସେ ମୋଟେ ଅନାଏ ନାହିଁ । ଗାଁ ବୋହୂ-ଝିଅ ତା’ଡରରେ ଘରୁ ଯମା ବାହାରନ୍ତି ନାହିଁ । ମୋ ଉପରେ ସେ ଖୁବ୍ ଅତ୍ୟାଚାର କରେ, ନାନା କୁକଥା କହେ । ଦଳେଇ ଭାର୍ଯ୍ୟା ସେଥିଲାଗି ମୋତେ କାନି ଗଣ୍ଠିଲି କରି ରଖିଥାଏ । ମୁଁ ବି ତା ଶରଣ ପଶିଥାଏ । ତଥାପି ଟିକିଏ ବେଳ ପାଇଲେ ମୋତେ ସେ ନାନା କୁକଥା କହେ । ଶେଷରେଆଉ ସହିପାରିଲି ନାହିଁ । ସେଦିନ ରାତିରେ ବୁଡି ମରିବା ପାଇଁ ଆସିଥିଲି । ଦୁଷ୍ଟଟା ବାଟରେ ଧରିଥିଲା, ତୁମେ ରକ୍ଷାକଲ । ସେତେବେଳେ ତ ମୁଁ ଆଉ ତୁମକୁ ଚିହ୍ନି ନ ଥିଲି । ମନରେ କଲି, ପ୍ରଭୁ ସ୍ୱର୍ଗରୁ ଓହ୍ଲାଇ ଆସି ମୋତେ କୋଳ କରିନେଲେ ।”

ଯୁଧିଷ୍ଠିର ସାହୁ ଆଉ ବିଷୟ ଆଶୟ କିଛି ବି ବୁଝେ ନାହିଁ । ଝିଅ-ଜୁଆଁଇଙ୍କୁ ସବୁ ସମ୍ପିଦେଇ ଦିନରାତି ବସି ହରିନାମ ଜପୁଥାଏ ।

ଗାଳ୍ପିକ – ଫକୀରମୋହନ ସେନାପତି

Odia Gapa Odia Short Story Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleରାଣ୍ଡୀପୁଅ ଅନନ୍ତା/Randipua Ananta
Next Article ସଭ୍ୟ ଜମିଦାର/Sabhya Jamidara
suchitra

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.